Abhiram Mandal

Inspirational Tragedy

5.0  

Abhiram Mandal

Inspirational Tragedy

ପାଁ'ଶ ଟଙ୍କାର କାହାଣୀ

ପାଁ'ଶ ଟଙ୍କାର କାହାଣୀ

4 mins
635


"dam it , ଆଜି ହିଁ ଗାଡ଼ିଟା ଖରାପ ହେବାରେ ଥିଲା ?" ପ୍ରାୟ ୧୫ -୨୦ ମିନିଟ ଗାଡି ଷ୍ଟାର୍ଟ କରିବା ପ୍ରୟାସ କରି ବିଫଳ ହେବ ପରେ ମୋ ପାଟିରୁ ଏଇ କଥାଟି ସ୍ଵତପ୍ରବୄତ ଭାବେ ବାହାରି ଆସିଲା ! ଗାଡି ଷ୍ଟାର୍ଟ ହେବାର କୌଣସି ଉପାୟ ନ ଦେଖି କିଂ କର୍ତ୍ତବ୍ୟ ବିମୁଢ ହେଇ ଦାଣ୍ଡ ଅଗଣା ରେ ବସି ପଡିଲି ! ଆଜି ଯେମିତି ବି ହେଉ ଅଫିସରେ ପହଂଚିବାକୁ ପଡିବ, ହେଲେ କେମିତି ? ଗାଡି ତ ଖରାପ, ସେତେବେଳକୁ ଘଡିରେ ୮ଟା ବାଜି ଗଲାଣି ! ଯଦି ଗାଡି ଠିକ କରିବାକୁ garageକୁ ନିଏ, ତେବେ ଖୁବ late ହେଇଯିବ ! ଅନ୍ୟ କୌଣସି ଦିନ ହେଇଥିଲେ ଛୁଟି ନେଇ ଯାଇଥାନ୍ତି , ହେଲେ ଆଜି ଅଫିସକୁ ଉପରିସ୍ଥ କର୍ମଚାରୀ ପରିଦର୍ଶନରେ ଆସୁଛନ୍ତି, ତାଙ୍କୁ ଟିକେ please କରି ପାରିଲେ ହୁଏତ ପ୍ରୋମସନଟା ହେଇ ଯାଇ ପାରେ । କିନ୍ତୁ ଦେଖ ଠିକ ବେଳକୁ ଗାଡିଟା ଧୋକା ଦେଇଦେଲା !

-"ଏମିତି ବସିଛ ଯେ ? ଆଜି ଅଫିସ ଯିବନି କି ?" ସ୍ତ୍ରୀ ଙ୍କ ପ୍ରଶ୍ନ ମୋ ଭାବନାର ଅନ୍ତ ଘଟାଇଲା !

-"କେମିତି ଯିବି ? ଗାଡ଼ିଟା ପରା ଖରାପ !"

-"ତା' ହେଲେ ଛୁଟି ନେଇଯାଅ !"

--"ନା ନେଇ ହେବନି !"

-"ତା' ହେଲେ କଣ କରିବ ?"

-"ସେଇ କଥା ପରା ଭାବୁଛି ?"

-"ଗୋଟେ କାମ କରୁନା, ତମେ busରେ ଚାଲିଯାଅ !"

ହଠାତ ଗାଢ଼ ଅନ୍ଧାର ଭିତରୁ ଏକ କ୍ଷୀଣ ଆଲୋକ ଶିଖା ମୋ ଦୃଷ୍ଟିକୁ ଆସିଗଲା । ସ୍ତ୍ରୀଙ୍କ ସଠିକ ପରାମର୍ଶ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଚାକର ଟୋକାକୁ ଡାକିଲି, ମତେ ନେଇ bus-standରେ ଛାଡି ଆସିବାକୁ । ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ଗୋଟାଏ ବସ ଛାଡିବା ଛାଡିବା ହେଉଥାଏ, ଚାକର ଟୋକାକୁ ବିଦା କରି ବସ ଉପରକୁ ଉଠିଗଲି । ଲେଡୀସ ସିଟଟାଏ ଖାଲି ପଡିଥିଲା ସେଇଠି ବସି ପଡିଲି ।


ଗାଡି ଆଗେଇଲା । ଷ୍ଟାଣ୍ଡ ଛାଡିବାର କିଛି ସମୟ ଭିତରେ ଗାଡି ଖଚାଖଚ ଭରିଗଲା ! ଚାକିରୀ କଲା ପରେ ବୋଧ ହୁଏ ମୋର ଏଇଟା ପ୍ରଥମ ବସ ଯାତ୍ରା । ଖୁବ ଅଣନିଶ୍ୱାସୀ ଲାଗୁଥାଏ,ତଥାପି ବସି ରହିବାକୁ ପଡିବ । ଏମିତି ଭାବୁ ଭାବୁ ମୋର ଲକ୍ଷ୍ୟ ପଡିଲା ଆଗ ସିଟ ପାଖେ ପଡିଥିବା ଏକ କାଗଜ ଖଣ୍ଡ ଉପରେ, ଟଙ୍କା ଭଳି ଦିଶୁଥାଏ । ଅତି ସନ୍ତର୍ପଣରେ ତାକୁ ଉଠାଇ ଆଣିଲି, ଆରେ ଏ କଣ, ଏଇଟା ଯେ ୫୦୦ ଟଙ୍କିଆ ନୋଟ । କିଏ ବୋଧେ ପକାଇ ଦେଇଛି, ମନ ଖୁସି ହେଇଗଲା, ଯା ହେଉ ସକାଳୁ ସକାଳୁ ଧନ ପ୍ରାପ୍ତି ଯୋଗ ଥିଲା ! ମନିପର୍ସ ବାହାର କରି ସେଇଟିକୁ ତା' ଭିତରକୁ ଠେଲି ଦେଲି ।


-" ମାଉସୀ କୁଆଡେ ଯିବୁ ?" କଣ୍ଡକ୍ଟର ପାଟି ଶୁଣି ମୁଁ ବୁଲି ଚାହିଁଲି । ଦେଖିଲି ବୁଢ଼ୀଟିଏ, ବୟସ ୫୦-୬୦ ଭିତରେ ହେବ ନୁଖୁରା ମୁଣ୍ଡ, ଛୁଟି ଫର ଫର ଉଡୁଛି । ଦେହରେ ମଇଳା ଲୁଗା, କାଖରେ ଗଣ୍ଠିଲିଟାଏ । ମୋ ସିଟକୁ ଧରି କୌଣସି ମତେ ଠିଆ ହେଇଥାଏ ! ଏତେ ବୁଢ଼ୀ ମଣିଷ ଠିଆ ହେବାକୁ କଷ୍ଟସାଧ୍ୟ ହେଇଥିଲେ ବି ତା' ପ୍ରତି କାହାର ସହାନୁଭୂତି ନଥିବା ପରି ଲାଗୁଥାଏ । ଏ ପରିସ୍ଥିତିରେ କୌଣସି ଯୁବତୀ ଥିଲେ ତାକୁ ନିଶ୍ଚୟ ସିଟ ମିଳି ସାରନ୍ତାଣି ! ଛାଡ଼ ମୁଁ ବି ତ ଏଇ ମାନଙ୍କ ଭିତରୁ ଜଣେ, କାହିଁକି ନା ମୁଁ ବି ତ ଲେଡୀସ ସିଟଟାକୁ କବଜା କରି ବସିଛି, ହେଲେ ବୁଢ଼ୀକୁ ସିଟ ଛାଡିବାକୁ ମୋ ମନ ଚାହୁଁନି !


କଣ୍ଡକ୍ଟର ପୁଣି ପଚାରିଲା-" କୁଆଡେ ଯିବୁ?"

-"ବାପ କଟକ !"

-"୩୦ ଟଙ୍କା ଦେ !"

ବୁଢ଼ୀ ଗଣ୍ଠିଲିକୁ ସିଟ ପାଖରେ ରଖି, ଟଙ୍କା ଦେବ ବୋଲି ଅଣ୍ଟା ଉଣ୍ଡାଳିଲା !

-" କଣ ହେଲା ଟଙ୍କା ଦଉନୁ କାହିଁକି ?"

-"ବାପ ଅଂଟାରେ ଖୋସିଥିଲି, ହେଲେ ପାଉନି !"

ଚିହିଁକି ଉଠିଲା କଣ୍ଡକ୍ଟର-"ଟଙ୍କା ନାହିଁତ ବସରୁ ଓହ୍ଲାଇ ଯା, କୋଉଠୁ କୋଉଠୁ ଚାଲି ଆସୁଛନ୍ତି !"

-"ବାପ ମୋ କଥାକୁ ମିଛ ଭାବୁଛୁ ? ହେଲେ ମୁଁ ମିଛ କହୁନି, ମୋ ପୁଅ କଟକ ବଡ ଡାକତର ଖାନାରେ ପଡିଛି । ଓଷଧ କିଣିବାକୁ ମୋ ପାଖରେ ପଇସା ନଥିଲା, ଘରର ବାସନ କୁସନ ବିକି ୫୦୦ ଟଙ୍କା ଆଣିଥିଲି , ସେଇଟା କୁଆଡେ ପଡିଗଲା, ଏଇନେ ମୁଁ କଣ କରିବି?"

ବୁଢ଼ୀ କଥା ଶୁଣି ମତେ ଟିକେ ଝଟକା ଲାଗିଲା ! ଭାବିଲି ମୁଁ ଯେଉଁ ୫୦୦ ଟଙ୍କା ପାଇଛି, ସେ ଟଙ୍କା ଏଇ ବୁଢ଼ୀର ନୁହେଁତ? ବୁଢୀକୁ ଚାହିଁଲି, ବୁଢ଼ୀ ମୁଁହରେ ନିରାଶାର ଭାବ, ଆଖି ଛଳଛଳ ହେଇ ଆସୁଥାଏ, ହେଲେ କଣ୍ଡକ୍ଟର ଉପରେ ଏ ସବୁର କିଛି ପ୍ରଭାବ ପଡି ନଥିଲା, ରୁକ୍ଷ ସ୍ୱରରେ କହିଲା-"ଟଙ୍କା ଦବୁ ତ ଦେ, ନହେଲେ ଆଗ ଷ୍ଟପେଜରେ ଓହ୍ଲାଇ ଯା !"


ବୁଢ଼ୀର ଏ ଅବସ୍ଥା ଦେଖି ମୋ ବିବେକ ମତେ ବାରମ୍ଵାର ଦଂଶନ କଲା, ସେ ୫୦୦ ଟଙ୍କା ତାକୁ ଫେରାଇ ଦେବା ପାଇଁ । ହେଲେ ମୁଁ କେମିତି ଫେରାଇ ବି ଯେ, ମୋ ପ୍ରେଷ୍ଟିଜ ରହିବ ତ ? ଏତେ ବଡ଼ ଚାକିରୀ କରି ଟଙ୍କା ୫୦୦କୁ ଲୋଭ? ପାଇବା ବେଳେ ଯଦି ଫେରାଇ ଦେଇଥାନ୍ତି ତେବେ କିଛି କଥା ନଥିଲା, ହେଲେ ଟଙ୍କା ତ ମୋ ପର୍ସରେ ରଖି ସାରିଛି, ତଥାପି କିଛି ଗୋଟେ କରିବାକୁ ହେବ । କଣ୍ଡକ୍ଟରକୁ ଡାକି ୧୦୦ ଟଙ୍କା ବଢ଼େଇ ମୋର ଓ ସେ ବୁଢ଼ୀର ଟିକେଟ କାଟିବାକୁ କହିଲି । କଣ୍ଡକ୍ଟର ଟିକେଟ କାଟି ଅବଶିଷ୍ଟ ଟଙ୍କା ଫେରାଇ ବୁଢୀକୁ କହିଲା-"ବୁଝିଲୁ ତୋ ଭାଗ୍ୟ ଭଲ, ଏ ବାବୁ ଜଣଙ୍କ ତୋ ପାଇଁ ପଇସା ଦେଇଦେଲେ, ନହେଲେ ତତେ ମୁଁ ଆଗ ଷ୍ଟପେଜ ରେ ଓହ୍ଲାଇ ଦେଇଥାନ୍ତି !"


ବୁଢ଼ୀ ମୋ ଆଡେ ଚାହିଁଲା, ଛଳଛଳ ଆଖିରେ ମୋ ମୁଣ୍ଡ ଉପରେ ହାତ ରଖିଲା, ଲାଗିଲା ସତେ ଯେମିତି ସେ ମତେ ଆଶୀର୍ବାଦ କଲା । ସେ ବୁଢ଼ୀର ସ୍ନେହଭରା ପରଶ ମତେ ମୋ ବୋଉ କଥା ମାନେ ପକାଇ ଦେଲା ! ମୁଁ ଆଉ ବସି ପାରିଲିନି, ସିଟରୁ ଉଠି ଆସିଲି ଆଉ ସେ ବୁଢ଼ୀର ହାତ ଧରି ସିଟରେ ବସାଇ ଦେଲି !


ବେଶ କିଛି ସମୟ ଯିବା ପରେ ବସ ଓ.ଏମ.ପି ଛକରେ ଅଟକିଲା ! ବୁଢ଼ୀ ଓହ୍ଲାଇବା ପାଇଁ ତା' ଗଣ୍ଠିଲି ଧରି ଉଠିଲା ! ସେ ଯିବା ସମୟରେ ମୁଁ ତାକୁ ୧୦୦ ଟଙ୍କିଆ ୫ ଖଣ୍ଡ ନୋଟ ବଢ଼େଇ କହିଲି-"ମାଉସୀ ନେ, ତୋ ପୁଅ ପାଇଁ ଖର୍ଚ୍ଚ କରିବୁ !"

ବୁଢ଼ୀ ମୋ ଆଡେ ଚାହିଁଲା ଆଉ କହିଲା-" ବାପରେ ମୁଁ ଗରିବ ସତ, ହେଲେ ଭିକାରୀ ନୁହଁ, ତୁ ମୋ ପାଇଁ ଟିକଟ କରି ଦେଇଛୁ ସେଇ ଯଥେଷ୍ଟ । " ବୁଢ଼ୀ ବସରୁ ଓହ୍ଲାଇ ଗଲା ! ମୁଁ ଭାବୁଥିଲି, ଏ ଦୁନିଆର ରୀତି ବଡ଼ ବିଚିତ୍ର ! ମୋ ଭଳି ଅନେକ ଲୋକ ଅଛନ୍ତି, ଯେଉଁ ମାନେ ଟଙ୍କା ପାଇଁ ସାମାଜିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ପାରନ୍ତି, ହେଲେ ଏହାର ବିପରୀତ ଲୋକ ବି ଅଛନ୍ତି ଯେଉଁ ମାନେ ଶତ ଅସୁବିଧା ପଡିଲେ ବି ନିଜର ସ୍ୱାଭିମାନ କେବେ ବି ହରାଇବାକୁ ଚାହନ୍ତିନି, ଠିକ ଏଇ ବୁଢ଼ୀ ପରି। ମନିପର୍ସ ଖୋଲି ଟଙ୍କା ରଖିଲା ବେଳେ ବୁଢ଼ୀର ସେଇ ୫୦୦ ଟଙ୍କିଆ ନୋଟ ମୋ ସାମାଜିକ ପ୍ରତିଷ୍ଠା କୁ ଉପହାସ କରୁଥାଏ !

!"


Rate this content
Log in

Similar oriya story from Inspirational