Ayiswarya Maharana

Inspirational

4  

Ayiswarya Maharana

Inspirational

ଓଢଣୀ

ଓଢଣୀ

8 mins
476


ଦିନଟି ଥିଲା ସପ୍ତାହର ଆରମ୍ଭ ,ସୋମବାର।ରାଜେଶ ନୂଆ କରି ତା ଅଫିସରେ ଯୋଗ ଦେଇଥାଏ। କିପରି ପ୍ରଥମ ଦିନ ଅଫିସରେ ଶୀଘ୍ର ପହଞ୍ଚିବ ସେଥିପାଇଁ ସକାଳୁ ଶୀଘ୍ର ଉଠି ସବୁ ନିତ୍ୟକର୍ମ ଶେଷ କରିଦେଇ ଥାଏ।ପ୍ରଥମ ଦିନରେ ଅଫିସରେ ନିଜର ଉତ୍ତମ ଛାପ ରଖିବାର ଥିଲା ।ତେଣୁ ଦିନଟି ଖୁବ୍ ବ୍ୟସ୍ତତାରେ ବିତି ଥାଏ।ନୂଆ ଜାଗା ହେଲେ ମଧ୍ୟ ଘର ଖୋଜିବା ପାଇଁ ବେଶ୍ କିଛିଦିନ ଆଗରୁ କର୍ମକ୍ଷେତ୍ର ରାଉରକେଲାକୁ ଆସିଥାଏ।ପେଇଂ ଗେଷ୍ଟ ଭାବେ କିଛିଦିନ ସେଠାରେ ରହିବା ଭିତରେ ବହୁତ କଷ୍ଟରେ ନିଜ ପାଇଁ ଭଡ଼ା ଘରଟିଏ ବାଛି ନେଇଥିଲା।ଆଜିକାଲି ଅବିବାହିତ ଥିଲେ ଘର ଖୋଜିବା କାଠିକର ପାଠ ହୋଇଯାଏ।ତଥାପି ସୌଭାଗ୍ୟ ବଶତଃ ରାଜେଶ ଘରଟିଏ ଖୋଜିବାରେ ସକ୍ଷମ ହୋଇଥିଲା।ଘରଟି ସହର ଠାରୁ କିଛି ଦୂରରେ ଥିଲା।ପାଖରେ ଅଳ୍ପ କିଛି କୋଠା ଘର ସହ କିଛି ଛୋଟ ଛୋଟ ଘର ମଧ୍ୟ ଥିଲା।କହିବାକୁ ଗଲେ ସ୍ଥାନଟିରେ ଜନବସତି ଗଢି ଉଠୁଥାଏ।ପରିବେଶଟି ସହର ଅପେକ୍ଷା ଶାନ୍ତ ଥାଏ।ପ୍ରାକୃତିକ ପରିବେଶ ସମ୍ପୂର୍ଣ୍ଣ କ୍ଷୟ ହୋଇନଥାଏ।ଘରର ମାଲିକ ନିଜର ସୁବିଧା ଦୃଷ୍ଟିରୁ ସହରରେ ଘର କରି ରହୁଥାନ୍ତି।ତେଣୁ ଘରର ତଳ ଭାଗରେ ରାଜେଶ ରହୁଥାଏ।ଛାତ ଉପରକୁ ଛାଡ଼ିଦେଇ ଉପର ମହଲାର ସବୁ ଘରେ ତାଲା ପଡିଥାଏ।

ପ୍ରଥମ ଦିନର ଅଫିସ ସାରି ରାଜେଶ ଧୁଆଧୁଇ ହୋଇ କ୍ଲାନ୍ତ ଶରୀରଟିକୁ ଶେଯରେ ଶୁଆଇ ଦେଲା।କଡ଼ ଲେଉଟାଇ ଘରର କୋଣରେ ଥିବା ତା'ର ଅତି ପ୍ରିୟ ଗିଟାର୍ ଟିକୁ ଦେଖି ଟିକିଏ ହସି ଦେଲା।ରାଜେଶ ଜଣେ ସଙ୍ଗୀତ ପ୍ରେମୀ ମଣିଷଟିଏ ଥିଲା।ପିଲାଟି ଦିନରୁ ତା ମନରେ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ଭରି ରହିଥିଲା।ବାପାଙ୍କର ଅନିଚ୍ଛା ଯୋଗୁ ସେ ସଙ୍ଗୀତ ଶିକ୍ଷା କରିପାରି ନଥିଲା କିନ୍ତୁ ବାପାଙ୍କୁ ବୁଝାଇ ସୁଝାଇ ଗିଟାର୍ ଶିଖିବାର ଅନୁମତି ନେଇ ଗିଟାର୍ ଶିକ୍ଷା କରିଥିଲା।ଗିଟାର୍ କୁ କରିନେଇଥିଲା ତା ଏକାନ୍ତ ଜୀବନର ସାଥି।ରାଉରକେଲା ଆସିବା ପରଠାରୁ ଗିଟାର୍ ପାଇଁ ସମୟ ପାଇନଥିଲା। କିନ୍ତୁ ଆଜି ତା ପାଖରେ ସମୟ ଥିଲା।ତେଣୁ ଶେଯରୁ ଉଠିଯାଇ ଗିଟାର୍ ପାଖକୁ ଗଲା।ପୁଣି ଚିନ୍ତା କଲା ......"ଆଜି ତ ମୋତେ ରୋଷେଇ କରିବାକୁ ହେବ।ତେଣୁ ସବୁ କାମ ସାରି ମନ ଭରି ଗିଟାର୍ ବଜାଇବି।"

ରାତ୍ରି ଭୋଜନାଦି କାମ ସାରି ଗିଟାର୍ ନେଇ ବସିଗଲା।ହଠାତ୍ ସେହି ସମୟରେ ବିଦ୍ୟୁତ ଚାଲିଗଲା।ଝରକା ଦେଇ ବାହାରକୁ ଚାହିଁଲା।ବିଳମ୍ବିତ ରାତ୍ରି ହେବାକୁ ଯାଉଥିଲେ ମଧ୍ୟ ଆକାଶରେ ହସୁଥିବା ପୂର୍ଣ୍ଣମୀର ଜହ୍ନ ଅନ୍ଧାର ଉପରେ ରାଜୁତି କରି ସ୍ନିଗ୍ଧ ଶୀତଳ କିରଣ ଅଜାଡି ଦେଇଥିଲା ।ଝରକା ଦେଇ ରାଜେଶର କୋଠରୀକୁ ଅବାଧରେ ପ୍ରବେଶ କରିଥିଲେ ନିର୍ମଳ ଜ୍ୟୋସ୍ନା ସହ ଦଲକାଏ ଶୀତଳ ପବନ।ଏପରି ଏକ ସୁନ୍ଦର ଅନୁଭବ ନେଇ ରାଜେଶ ଝରକା ପାଖରେ ସେହି ପୂର୍ଣ୍ଣିମା ଚାନ୍ଦକୁ ଦେଖି ଗିଟାର୍ ରେ ଟ୍ୟୁନ୍ ନେଲା ନମିତା ଅଗ୍ରୱାଲ ର ଗୀତଟିଏ "ନିଦ ଭରା ରାତି...ମଧୁଝରା ଜହ୍ନ.....ଫିକା ଫିକା ଏଇ ଜୋଛନା...."।ଟ୍ୟୁନ୍ ଆରମ୍ଭ ପରେ ପରେ ଝରି ଆସିଥିଲା ଏକ ସୁଲଳିତ କଣ୍ଠ ସ୍ୱର।ଶୁନ୍ ଶାନ୍ ରାତିରେ ରାଜେଶ ସେହି କଣ୍ଠ ସ୍ୱର ଶୁଣି ଅଭିଭୂତ ହୋଇଗଲା।ଚକ୍ଷୁ, କର୍ଣ୍ଣ ଏପରି ସୁଲଳିତ କଣ୍ଠର ଅଧିକାରିଣୀକୁ ଅନ୍ବେଷଣ କରିବାରେ ଲାଗିଲେ। ରାଜେଶ ପ୍ରଥମ ଥର ପାଇଁ ଗିଟାର୍ ବଜାଇବା ସମୟରେ ଏକାଗ୍ର ଚ୍ୟୁତ ହେଉଥିଲା।ମନେ ମନେ ଭାବୁଥିଲା କିଏ ସେହି ଲଳନା ? ସତେକି ସେ ଦେବୀ ଶ୍ୱେତପଦ୍ମାଙ୍କର ବରପୁତ୍ରୀ !! ଏପରି ଅନ୍ୟମନସ୍କ ହୋଇ ଆଙ୍ଗୁଠି ଗୁଡିକ ଗିଟାର୍ ବାଦନରୁ ନିବୃତ୍ତ ହୋଇସାରିଥିଲେ।ଗିଟାର୍ ବନ୍ଦ ହେବା ପରେ ପରେ ସ୍ୱରଟି ମଧ୍ୟ ନିରବି ଯାଇଥିଲା।ସ୍ୱର ନିରବି ଯିବାରୁ ରାଜେଶ ପ୍ରକୃତିସ୍ଥ ହୋଇ ପୁଣିଥରେ ଗିଟାର୍ ବଜାଇବା ଆରମ୍ଭ କଲା।ଚୁପି ଯାଇଥିବା ସ୍ୱରଟି ପୁଣି ଗାଇବାକୁ ଆରମ୍ଭ କଲା।ଏହି ଥର କିନ୍ତୁ ରାଜେଶ ସ୍ପଷ୍ଟ ଦେଖୁଥିଲା ପାଖ ଘରର ଝରକା ପାଖେ ଛିଡା ହୋଇଥିବା ଲଳନାକୁ।ଯଦିଓ ମୁହଁଟି ସ୍ପଷ୍ଟ ଜଣାପଡୁନଥିଲା ତେବେ ଜହ୍ନ ଆଲୋକରେ ଝିଅଟିର ଉପସ୍ଥିତି ବେଶ୍ ବାରି ହୋଇପଡୁଥିଲା। ରାଜେଶ ଟିକିଏ ଦୁଷ୍ଟାମୀ କରିବା ପାଇଁ ପୁଣି ଥରେ ଗିଟାର୍ ବଜାଇବା ବନ୍ଦ କରିଦେଲା।ଝିଅଟି ପୂର୍ବବତ୍ ଗୀତ ଗାଇବା ବନ୍ଦ କରି ଚାଲିଗଲା.....ବୋଧହୁଏ ସେ ରାଜେଶର ଚାପଳାମୀକୁ ବୁଝିପାରିଥିଲା।ରାଜେଶର ମନ ଖୁସିରେ ଝୁମି ଉଠିଥିଲା ....ବ୍ୟଗ୍ର ମଧ୍ୟ ହେଉଥିଲା ସେହି ଝିଅ ସମ୍ବନ୍ଧରେ ସବିଶେଷ ବିବରଣୀ ଜାଣିବା ପାଇଁ। ତେଣୁ କିପରି ସେଠାକୁ ଯାଇ କିଛି ବୁଝିଆସିବ...ସେପରି ଏକ ସୁଯୋଗକୁ ଅପେକ୍ଷା କରିଲା।

                   ପୂର୍ବରାତିରେ ବିଳମ୍ବରେ ଶୋଇଥିବାରୁ ସକାଳୁ ଉଠିବା ବେଳକୁ ଘଣ୍ଟାରେ ୮ଟା ହୋଇସାରିଥାଏ।ତେଣୁ ଶୀଘ୍ର ଶୀଘ୍ର ଅଫିସ ପାଇଁ ବାହାରିଗଲା।ଏହିପରି ଭାବେ ସପ୍ତାହଟି ସରିଗଲା।କିନ୍ତୁ ରାଜେଶ ଝିଅଟି ବିଷୟରେ କୌଣସି ତଥ୍ୟ ସଂଗ୍ରହ କରିପାରୁନଥାଏ।ଶନିବାର ଦିନ ଅଫିସରୁ ଫେରି ଘରେ ଟିକିଏ ଶାନ୍ତିରେ ନିଶ୍ଵାସ ନେଲା।

ମଣିଷ ସୁଖଶାନ୍ତିରେ ବଞ୍ଚିବା ପାଇଁ ଅର୍ଥ ପଛରେ ଦୌଡ଼ିଥାଏ।କିନ୍ତୁ ଅର୍ଥ ଉପାର୍ଜନ କରୁ କରୁ କେଉଁଠି ନା କେଉଁଠି ସୁଖଶାନ୍ତିକୁ ହରାଇବାକୁ ପଡିଥାଏ।ଏପରି ଏକ କ୍ଲାନ୍ତ ସମୟକୁ ଅତିବାହିତ କରିବାର ସର୍ବୋତ୍ତମ ମାଧ୍ୟମ ଯଦି ଖୋଜାଯାଏ ....ତାହା ବୋଧହୁଏ ସଙ୍ଗୀତ ହିଁ ହେବ।କବିଟିଏ ଅତି ଚତୁରୀରେ ଛୋଟଛୋଟ ଘଟଣାବଳୀକୁ ସଙ୍ଗୀତର ଆକାର ଦିଏ।ସୃଷ୍ଟି ହୁଏ ନୂତନ ସୃଜନ ଶୀଳତାର ପରାକାଷ୍ଠା।ଅନୁଭବକୁ ଭିତ୍ତି କରି ମଣିଷଟିଏ ଖୋଜିନିଏ ସଙ୍ଗୀତଟିଏ।ସଙ୍ଗୀତ ମଧ୍ୟରେ ଅନ୍ବେଷଣ କରେ ନିଜକୁ ,ଆବିଷ୍କାର କରେ ଦରଦୀ ହୃଦୟଟିଏକୁ।ଏହି ସଙ୍ଗୀତ ମଧ୍ୟ ରାଜେଶ ଜୀବନର କିଛି ନିର୍ଣ୍ଣାୟକ ପରିସ୍ଥିତିକୁ ସ୍ଥିର କରିବାକୁ ଯାଉଥିଲା। ସେଥିପାଇଁ ହୁଏତ ସଙ୍ଗୀତ ପ୍ରୀତିଟି ତା'ର ସହଜାତ ପ୍ରବୃତ୍ତି ଥିଲା।ରାଜେଶ ପ୍ରତୀକ୍ଷା କରୁଥିଲା ରବିବାରର ସୂର୍ଯ୍ୟୋଦୟକୁ।

ପରଦିନ ସକାଳ ଉଠି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ସେହି ଝିଅଟିର ଘରକୁ ଗଲା।ପୁରୁଣା ଘରଟିଏ।ସାମ୍ନାରେ ଛୋଟ ଫାଟକଟିଏ ।ଫାଟକର ଭିତର ପାଖରେ ଛୋଟ ଛୋଟ ଫୁଲ ଗଛ ଭରା ଛୋଟ ବଗିଚାଟିଏ।ବାରଣ୍ଡା ଉପରକୁ ଉଠିଯାଇ କଲିଂବେଲ୍ ର ସୁଇଚ ଟିପିଲା।ଜଣେ ପ୍ରାପ୍ତ ବୟସ୍କା ମହିଳା ଦ୍ୱାର ଉନ୍ମୁକ୍ତ କଲେ।ରାଜେଶ ମଥାନତ କରି ପ୍ରଣାମ ଜଣାଇ କହିଲା,"ଏହିଠାରେ କେହି ଜଣେ ସୁନ୍ଦର ଗୀତ ଗାଆନ୍ତି ;ମୋର ତାଙ୍କ ସହ କିଛି କଥା ଥିଲା।ଦୟାକରି ଆପଣ ତାଙ୍କୁ ଟିକିଏ ଡାକିଦେଲେ କିଛି କଥା ହୋଇ ଚାଲିଯାନ୍ତି।"ଏହି ସମୟରେ ମହିଳା ଜଣଙ୍କ କହିଲେ,"ଓଃ !!ସେ ମୋ ଝିଅ ଶ୍ରୀଲେଖା।ଆପଣ କ'ଣ କେଉଁ ପିଲାକୁ ସଙ୍ଗୀତ ଶିକ୍ଷା ଦେବାକୁ ଇଛା କରୁଛନ୍ତି?"ରାଜେଶ କ'ଣ କହିବ କିଛି ଭାବିନପାରି କହିଲା ," ନା, ସେମିତି କିଛି ନୁହେଁ। ଅନ୍ୟ କିଛି କଥା ଥିଲା।"ଏହା ପରେ ମହିଳା ଜଣଙ୍କ ରାଜେଶ ପାଇଁ ଚୌକି ଟିଏ ପକାଇ ଦେଇ ଅପେକ୍ଷା କରିବାକୁ କହି ସାମ୍ନା ଅଗଣାରେ ବସିଥିବା ଶ୍ରୀଲେଖାକୁ ଡାକିଲେ।ଶ୍ରୀଲେଖା ସେତେବେଳେ ଦୁଆରକୁ ପଛ କରି ବସିଥାଏ।ରାଜେଶର ଆଖି ଲାଖି ରହିଲା ଶ୍ରୀଲେଖାର ଘନ,ଲମ୍ବା ତାରଙ୍ଗାୟିତ ଉନ୍ମୁକ୍ତ କେଶରାଶି ଠାରେ। ଶ୍ରୀଲେଖା ଆସୁଛି କହି ଘର ଭିତରକୁ ଚାଲିଗଲା।ଅପେକ୍ଷାରତ ରାଜେଶର ଆଖି ଦୁଇଟି ଆବିଷ୍କାର କଲେ ଏକ ସୁନ୍ଦର ଫୋଟୋକୁ। ଅତି ନିଖୁଣ ଭାବେ ଆଙ୍କି ହୋଇଥିବା ମୁଖଟିଏ ....ଏ ଯେ ଶ୍ରୀଲେଖାର ଚିତ୍ର ଏଥିରେ କୌଣସି ଦ୍ଵନ୍ଦ ନଥିଲା।ତେବେ ବାସ୍ତବିକ ରୂପେ ଶ୍ରୀଲେଖାକୁ ଦେଖିବା ପାଇଁ ତା ହୃଦୟ ବ୍ୟକୁଳ ହୋଇଉଠିଲା।

                     ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀଲେଖା ଆସିଲା କିନ୍ତୁ ମୁହଁକୁ ଏକ ଓଢଣୀରେ ଆବୃତ୍ତ କରି ରଖିଥିଲା।କିନ୍ତୁ ରାଜେଶ ଯେ ଓଢଣୀର ଅନ୍ତରାଳେ ଥିବା ଚେହେରା ଦେଖିବାକୁ ଚାହିଁଥିଲା।ବିସ୍ମିତ ହୋଇଥିଲା ଏପ୍ରକାର ପରିସ୍ଥିତିରେ।ଶ୍ରୀଲେଖା ପଚାରିଲା,"କୁହନ୍ତୁ, ମୋ ପାଖରେ କି କାମ ଥିଲା ? "ଶ୍ରୀଲେଖାର କଥାରେ ରାଜେଶ ମୋହିତ ହୋଇଗଲା।ଇଚ୍ଛା କରି ମଧ୍ୟ କୌଣସି ବାହାନା କରିପାରିଲା ନାହିଁ।ସଙ୍ଗେ ସଙ୍ଗେ ପଚାରିଦେଲା ,"ସେଦିନ ରାତିରେ ଆପଣ ଝରକା ପାଖରେ ଗୀତ ଗାଉଥିଲେ ନା ?"ଶ୍ରୀଲେଖା ହସି ଦେଇ କହିଲା ,"ଆଛା !!!ଆପଣ ତାହେଲେ ସେଦିନ ଗିଟାର୍ ବାଦନ କରୁଥିଲେ। "ରାଜେଶ ମୁଣ୍ଡ ହଲାଇ " ହଁ " କଲା।ନିଜେ କରିଥିବା ଦୁଷ୍ଟାମୀ ଯୋଗୁଁ ଟିକିଏ ଅସହଜ ମନେ କଲା।ରାଜେଶର ଏ ଅବସ୍ଥା ଦେଖି ଶ୍ରୀଲେଖା କହିଲା ,"ବହୁତ ସୁନ୍ଦର ପରିବେଷଣ ଥିଲା ଆପଣଙ୍କର ।ମୁଁ ନିଜକୁ ଗୀତ ଗାଇବାରୁ ରୋକି ପାରି ନଥିଲି।"ରାଜେଶ କହିଲା ,"ଆପଣ ମଧ୍ୟ ଖୁବ୍ ସୁନ୍ଦର ଗୀତ ଗାଉଛନ୍ତି।"ଏପରି ଅଳ୍ପ କିଛି ସମୟର ବର୍ତ୍ତାଳାପ ପରେ ଶ୍ରୀଲେଖା କହିଲା ,"ଏବେ ମୋର ସଙ୍ଗୀତ ଶିକ୍ଷା ଦେବାର ସମୟ ହେଉଛି।ପିଲାମାନେ ଆସିଯିବେ।ଆପଣ ବର୍ତ୍ତମାନ ଯାଇପାରନ୍ତି।"ରାଜେଶ କହିଲା ,"ଅନୁମତି ଦେଲେ ମୁଁ ଏଠାରେ ପିଲାମାନଙ୍କୁ ପ୍ରତି ରବିବାର ଗିଟାର୍ ଶିଖାଇ ଦିଆନ୍ତି ।"ଶ୍ରୀଲେଖା ଖୁସି ହୋଇ ଅନୁମତି ଦେଲା।ଏହା ପରେ ସପ୍ତାହର ପ୍ରତି ରବିବାରରେ ରାଜେଶ ଶ୍ରୀଲେଖା ଘରକୁ ଯାଇ ପିଲାମାନଙ୍କୁ ଗିଟାର୍ ଶିଖାଇଲା।ଗିଟାର୍ ଶିଖାଇବା ଏକ ନାମକୁ ମାତ୍ର କାରଣ ଥିଲା କିନ୍ତୁ ରାଜେଶ ଶ୍ରୀଲେଖା ପ୍ରତି ଆକୃଷ୍ଟ ହୋଇସାରିଥିଲା। ତେଣୁ ଚାତକ ପରି ରବିବାରକୁ ଅପେକ୍ଷା କରିଥାଏ।

                           ଏହା ଭିତରେ ତିନିମାସ ବିତିଯାଇଥାଏ।ରାଜେଶ ଶ୍ରୀଲେଖା ଓ ତା ମାଆ ସହ ପୂର୍ବାପେକ୍ଷା ଅଧିକ ମିଶିଯାଇଥାଏ ।ବିଶେଷ କରି ଶ୍ରୀଲେଖାର ମାଆ ରାଜେଶକୁ ନିଜ ପୁଅ ପରି ମନେ କରୁଥିଲେ। ରାଜେଶ ଶ୍ରୀଲେଖାକୁ କେବଳ ଶ୍ରୀ ରୂପେ ସମ୍ବୋଧିତ କରୁଥାଏ।ଏ ସବୁ ସତ୍ୱେ ସେ ଥରେ ମାତ୍ର ଶ୍ରୀଲେଖାର ମୁହଁ ଦେଖିପାରିନଥାଏ।

ଦିନେ ରାଜେଶ ପିଲାମାନଙ୍କର କ୍ଲାସ୍ ସରିବା ପରେ ସାହସ କରି ରାଜେଶ ଶ୍ରୀଲେଖାର ମାଆଙ୍କୁ ଶ୍ରୀଲେଖାର ମୁହଁକୁ ଢାଙ୍କିରଖିବାର କାରଣ ପଚାରିଦେଲା।ଶ୍ରୀ ଏପରି ଏକ କଥା ଶୁଣି ସେଠାରୁ ଉଠି ଚାଲିଗଲା।ଶ୍ରୀଲେଖାର ମାଆ ବହୁତ ଉଦାସ ହୋଇଗଲେ।ରାଜେଶ କହିଲା ,"ଏହି ପ୍ରଶ୍ନ ପଚାରି କିଛି ଭୁଲ କରଦେଲିକି ମାଉସୀ ?"ଶ୍ରୀଲେଖାର ମାଆ କହିଲେ ,"ନା...ନାହିଁ। ବର୍ତ୍ତମାନ ସମୟରେ କାହାକୁ ସମୟ ଅଛି ପର ଦୁଃଖ ଶୁଣିବାକୁ ।ଏଠାରେ ତ ଆପଣା ଲୋକମାନେ ବାଟ ଭାଙ୍ଗି ଚାଲିଯାଆନ୍ତି। " ରାଜେଶ କହିଲା ,"ମୁଁ ଅଛି ।ଆପଣ କୁହନ୍ତୁ ...ମୁଁ ସବୁ ଶୁଣିବି।କିଛି ସାହାଯ୍ୟ ନକରି ପାରିଲେ ପ୍ରାର୍ଥନା ତ କରି ପାରିବି।"

                ଶ୍ରୀଲେଖାର ମାଆ କହିଲେ ,"ଆମେ ହେଲୁ ତୁମ ପରି ବ୍ରାହ୍ମଣ ପରିବାର। ପରିବାର କହିଲେ ମୁଁ ,ମୋ ସ୍ୱାମୀ ଆଉ ଆମର ପୁଅ ଝିଅ ଦୁଇଜଣ ଥିଲୁ।ତୁମ ମଉସାଙ୍କର କଲିକତାରେ ବ୍ୟବସାୟ ଥିଲା।ତେଣୁ ଆମେ ପ୍ରାୟ ସମୟ କଲିକତାରେ ରହୁଥିଲୁ।ଆର୍ଥିକ ଅବସ୍ଥା ବହୁତ ସ୍ୱଚ୍ଛଳ ହୋଇଗଲା।ତେଣୁ ସେଠାରେ ଘର କିଣି ସ୍ଥାୟୀ ଭାବେ ସମସ୍ତେ ରହିଲୁ।କେବେ କେବେ ଏଠାକୁ ଆସିବା ପ୍ରାୟ ବନ୍ଦ ହୋଇଗଲା।ପିଲା ଦୁଇଟି ବହୁତ ଭଲ ପଢୁଥିଲେ।ତେଣୁ ମଉସାଙ୍କର ଭାରି ଇଚ୍ଛା ଥିଲା ପୁଅକୁ ଡାକ୍ତର କରେଇବେ।କିନ୍ତୁ ଦଇବ ବାମ ହୋଇଗଲା।ପୁଅର ଠିକ୍ କଲେଜ ପଢା ସରିବା ବେଳକୁ ତୁମ ମଉସାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଗଲା।ତଥାପି ମୁଁ ଭାଙ୍ଗିଯାଇ ନଥିଲି।ଗାଁ ର ଜାଗାବାଡ଼ି ବିକି ପୁଅକୁ ଡାକ୍ତରୀ ପଢ଼ାଇଲି।ସେ ଏବେ ସେହି କଲିକତାରେ ପ୍ଲାଷ୍ଟିକ ସର୍ଜନ ଡ଼. ସୁରଞ୍ଜନ ମିଶ୍ର।ଭାବିଲି ଖୁସିର ଦିନ ଆସିଗଲା।ଶ୍ରୀଲେଖା ସେତେବେଳେ କଲେଜ ଯାଉଥିଲା।ବହୁତ ଭଲ ପଢୁଥିଲା,ଗୀତ ମଧ୍ୟ ଗାଉଥିଲା ,ଦେଖିବାକୁ ବହୁତ ସୁନ୍ଦର ଥିଲା।ଏସବୁ ଯେମିତି ତା ପାଇଁ ଅଭିଶାପ ଥିଲା।ଗୋଟିଏ ପିଲା ତାକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।କିନ୍ତୁ ଶ୍ରୀଲେଖା ପ୍ରତ୍ୟାଖ୍ୟାନ କରିବାରୁ ସେ ଶ୍ରୀଲେଖା ମୁହଁକୁ ଏସିଡ୍ ଫିଙ୍ଗି ଦେଇଥିଲା।ତା ନିଜ ଭାଇ ସୁରଞ୍ଜନ ହିଁ ତା'ର ସର୍ଜରୀ କରାଇଥିଲା।କିନ୍ତୁ ଶ୍ରୀଲେଖା ତା ଶ୍ରୀ ହରାଇ ସାରିଥିଲା ସବୁଦିନ ପାଇଁ।

ଶ୍ରୀ ସବୁବେଳେ କୁହେ ଆଖି ଦୁଇଟି ହେଲେ ନଷ୍ଟ ହୋଇଯାଇଥାନ୍ତା,ଏ ମୁହଁକୁ କଦାପି ଦେଖିପାରିନଥାନ୍ତି ।ଏତିକି କହି ଶ୍ରୀଲେଖାର ମାଆ ନିରବି ଯାଇ ପୁଣି କହିଲେ ," ଏ ଘଟଣା ପରେ ଶ୍ରୀ ବାହାରକୁ ଗଲା ନାହିଁ।ନିଜକୁ ଗୃହବନ୍ଦୀ କରିଦେଲା।ଏସବୁ ଭିତରେ ସୁରଞ୍ଜନ ର ବାହାଘର ସରିଗଲା।ନୂଆବୋହୁଟି ମଧ୍ୟ ଶ୍ରୀଲେଖାକୁ ବହୁତ ଘୃଣା କଲା। ବହୁତ ଖରାପ ବ୍ୟବହାର କଲା।କିନ୍ତୁ ବେଶୀ ଦୁଃଖ ଲାଗୁଥିଲା ସୁରଞ୍ଜନର ନୀରବତା।ତେଣୁ ଆମେ ମାଆ ଝିଅ ଏହି ପୁରୁଣା ଘରଟିକୁ ଚାଲିଆସିଲୁ।ଏସବୁ ଦେଖି ଶ୍ରୀଲେଖା ଶକ୍ତ ହୋଇସାରିଥିଲା।ଆରମ୍ଭ କରିଲା ଏହି ସଙ୍ଗୀତ ବିଦ୍ୟାଳୟ।ସେହି ଦିନଠାରୁ ସେ ସେମିତି ମୁହଁରେ ପରଦା କରି ରଖିଥାଏ।"

ଏପରି ଏକ ଦାରୁଣ ଅନୁଭୂତି ଶୁଣି ରାଜେଶ ଆଖିରେ ଲୁହ ଆସିଯାଇଥିଲା।ସେ ଲୁହ ପୋଛି ଶ୍ରୀଲେଖାର ମାଙ୍କୁ ଶ୍ରୀଲେଖାର ହାତ ମାଗିବସିଲା।ଶ୍ରୀଲେଖାର ମାଆ କହିଲେ ,"ତୁମେ ଶ୍ରୀକୁ ପଚାରି ବୁଝ।କିନ୍ତୁ ତୁମ ଘରେ କ'ଣ ଏହି ବିବାହକୁ ସହମତି ଦେବେ?"ରାଜେଶ କହିଲା ,"ସେସବୁ ମୁଁ ବୁଝିନେବି।"ଏହା କହି ସେ ଉଠି ଚାଲିଗଲା ଶ୍ରୀଲେଖା ପାଖକୁ। ଯାଇ ଦେଖେତ ଶ୍ରୀଲେଖା ଆଇନାଟିଏ ଧରି ନିଜ ମୁହଁକୁ ଦେଖି କାନ୍ଦିବାରେ ଲାଗିଛି।ରାଜେଶ ଶ୍ରୀ ପାଖକୁ ଯାଇ କହିଲା .."ମୁଁ ତୁମକୁ ଗ୍ରହଣ କରିବାକୁ ଚାହୁଁଛି।ତୁମର କିଛି ଆପତ୍ତି ଅଛି କି ?" ଶ୍ରୀଲେଖା କହିଲା ," କାହିଁକି ଏ ଉପହାସ କରୁଛ?ଏଇ ମୋ ମୁହଁ ଦେଖ।ସାରା ଜୀବନ ଏହି ବିଭତ୍ସ ,କୁଶ୍ଚିତ ମୁହଁକୁ ଚାହିଁ ରହିପାରିବ ତ? ଚାଲିଯାଅ ଏଠାରୁ।"ରାଜେଶ କହିଲା ,"ବୟସର ଅପରାହ୍ନରେ ଶରୀରର ଶ୍ରୀ ତୁଟି ଯାଏ।ତେଣୁ ସୁନ୍ଦରତା ଚେହେରାରେ ନୁହେଁ...ମନରେ ରହିବା ଦରକାର।ବିଧାତା ତୁମ ମନକୁ ଖୁବ୍ ସୁନ୍ଦର କରି ଗଢି ତୋଳିଛି।ସଙ୍ଗୀତର ଆରାଧନା କରୁଥିବା ବ୍ୟକ୍ତି କଦାପି କୁଶ୍ଚିତ ଚିନ୍ତା ପୋଷଣ କରିପାରିବ ନାହିଁ।ଯେ ଭାବର ସାଧନା କରେ ସେ ଅନ୍ୟକୁ କଷ୍ଟ ଦେବ କିପରି? ମୁଁ ଫେରିବି ଏଠାକୁ ମୋ ପରିବାର ସହ ତୁମକୁ ନେବା ପାଇଁ।ପ୍ରସ୍ତୁତ ରହିବ।"ଏହା କହି ରାଜେଶ ଶ୍ରୀଲେଖାର କୌଣସି ଉତ୍ତରକୁ ପ୍ରତୀକ୍ଷା ନକରି ସେଠାରୁ ଚାଲିଗଲା।

                          ରାଜେଶ ବହୁତ ଥର ସମ୍ବାଦରୁ ଏସବୁ ଘଟଣା ଶୁଣିଛି।କିନ୍ତୁ ଏ ପରିସ୍ଥିତି ତା ଜୀବନରେ ସ୍ଥାନ ପାଇବ ,ଏହାର କଳ୍ପନା କରିନଥିଲା।ମଣିଷ କାହିଁକି ଅନ୍ୟର ସଫଳତା ଦେଖି ଈର୍ଷାରେ ଜଳିଯାଏ।କାହାର ପ୍ରତ୍ୟାଖ୍ୟାନକୁ ନିଜର କରି ଅନ୍ୟର ଅନିଷ୍ଟ କରିଯାଏ।ବର୍ତ୍ତମାନ ସମୟରେ ସଫଳତା,ସୌନ୍ଦର୍ଯ୍ୟ,ସୁଖ ସୌହାର୍ଦ୍ଦ୍ୟ ଯେପରି ଅଭିଶାପ ପଲଟିଯାଇଛି।

ରାଜେଶ ଲୁହ ପୋଛି ଘରକୁ ଫୋନ ଲଗାଇଲା।ମାଆଙ୍କ ସହ କିଛି ସମୟ କଥା ହେବାପରେ ନିଜ ମନ କଥା ଖୋଲି କହିଲା।ସବୁ ଶୁଣି ସାରି ରାଜେଶର ମାଆ ରାଗିଯାଇ କହିଲେ ....,"ତୁ ଏ କିପରି କଥା କହୁଛୁ।ତତେ କ'ଣ ସେ ଝିଅ ଗୁଣି କରିଦେଲା କି? ତୁ ମୋର ଗୋଟିଏ ବୋଲି ପୁଅ।ତୋତେ ନେଇ କେତେ ଆଶା ରଖିଛୁ ଆମେ। ସୁନାନାକୀ ବୋହୁଟିଏ ଆଣିବି ବୋଲି ଝିଅ ଖୋଜିବୁଲୁଛୁ।ଶେଷରେ ତୁ କହୁଛୁ ସେ ଝିଅକୁ ବାହା ହବୁ।ସାରା ଜୀବନ କ'ଣ ଗୀତ ଶୁଣିବୁ।ବାହାର ଲୋକ ସବୁ କଅଣ କହିବେ।ତୁ ପୁଣି କହୁଛୁ ଆମେ ସେ ଝିଅକୁ ଦେଖିଯିବୁ।ତା ମୁହଁକୁ ତ ଆଗରୁ ପୋଡ଼ିଛି...ଆଉ କ'ଣ ଅଛି ଯେ ଦେଖିବୁ।" ରାଜେଶର ବାପା ମାଆ ପୁଅଙ୍କର କଥୋପକଥନରୁ ବେଶ୍ କିଛି ବୁଝିପାରୁଥିଲେ।ତଥାପି ଫୋନ ନେଇ ରାଜେଶ ଠାରୁ ସବୁ କିଛି ଶୁଣି କହିଲେ ଠିକ୍ ଅଛି ମୁଁ ବାହାଘର ଦିନ ଠିକ୍ କରି ତୋତେ ଜଣାଇବି।

ଫୋନ ରଖି ସାରି ରାଜେଶର ବାପା ତାଙ୍କ ପତ୍ନୀଙ୍କୁ ବୁଝାଇଲେ ,"କହିଲ ଦେଖି ଏସବୁ ଘଟଣାରେ ସେ ଝିଅର ଭୁଲ୍ କ'ଣ? ସେ କାହିଁକି ଦଣ୍ଡ ପାଉଛି।ଆଜି ଯଦି ସେ ତୁମ ଝିଅ ହୋଇଥାନ୍ତା ତୁମେ କ'ଣ ତାକୁ ଏପରି ବ୍ୟବହାର ଦେଖାଇଥାନ୍ତ।"ରାଜେଶର ମାଆ କହିଲେ ,"ଏପରି ଅନେକ ଘଟଣା ଘଟୁଛି।ତା'ହେଲେ କଅଣ ତୁମେ ସମସ୍ତଙ୍କୁ ଆଣି ଏଠାରେ ରଖିବ ?"ପତ୍ନୀଙ୍କର ଏପରି ଯୁକ୍ତି ଶୁଣି ରାଜେଶର ବାପା ରାଗିଯାଇ କହିଲେ ,"ସମସ୍ତଙ୍କୁ ନହେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକୁ ତ ରଖିପାରିବି । ତୁମ ପରି ନୀଚ୍ଚ ଚିନ୍ତା ଧାରା ଯୋଗୁ ଏପରି ପୀଡ଼ିତାମାନେ ବଞ୍ଚିବାର ଆଶା ଛାଡି ଆତ୍ମହତ୍ୟା କରୁଛନ୍ତି।ଦୋଷୀ ମୁକ୍ତ ଭାବେ ଘୁରିବୁଲେ ସମାଜରେ ।ସମାଜ ଦୋଷୀକୁ ବିନା ଦ୍ଵିଧାରେ ଗ୍ରହଣ କରେ କିନ୍ତୁ ନୀରିହଟି ଜୀବନ ହରାଏ।ତୁମେ ନାରୀ ହୋଇ ନାରୀର ଦୁଃଖ ବୁଝିପାରୁନା।" ଏତେ ସବୁ କଥା ଶୁଣି ରାଜେଶର ମାଆ ନିଜ ଭୁଲ୍ ବୁଝିପାରିଲେ।ସଙ୍ଗେସଙ୍ଗେ ରାଜେଶକୁ ଫୋନ କରି କହିଲେ ଆସନ୍ତା ରବିବାର ଦିନ ଆମେ ଦୁହେଁ ଯାଇ ସେଠାରେ ପହଞ୍ଚିବୁ।ବାହାଘରଟା ସାରିଦେଇ ଆସିବୁ।

ବାହାଘର ଦିନ ଉପସ୍ଥିତ ହେଲା।ମଣ୍ଡପରେ ଶ୍ରୀଲେଖା ଓଢଣା ଦେଇ ବସିଥାଏ।ରାଜେଶ ଯାଇ ଶ୍ରୀଲେଖାର ଓଢଣୀକୁ ଟେକି ଦେଇ କହିଲା ,"ଆଜି ପରେ ତୁମ ଏଇ ଓଢଣୀକୁ ଛୁଟି ଦେଇ ତାକୁ ସ୍ୱତନ୍ତ୍ର କରାଇ ଦିଅ।ହଁ ତୁମେ ଗୁରୁଜନଙ୍କ ସମ୍ମାନାର୍ଥେ ଏହାକୁ ବ୍ୟବହାର କରିପାର କିନ୍ତୁ ମୁହଁ ଲୁଚାଇବା ପାଈଁ ନୁହେଁ।ଗୋଟିଏ କଥା ରଖିବ....ମୋ ଶେଷ ନିଶ୍ୱାସ ଯିବାବେଳେ ତୁମର ଏହି ଓଢଣୀ ମୋ ଉପରେ ଢାଙ୍କିଦେବ।ତୁମ ଓଢଣୀ ଲୁଚାଇ ରଖିଛି ତୁମର ପ୍ରତ୍ୟେକ ନିଶ୍ୱାସକୁ ।ସେହି ହେବ ମୋ ମୁକ୍ତିର ପଥ।

ଶ୍ରୀଲେଖା ଆଖିରେ ଭରିଯାଇଥିଲା ଅସୁମାରୀ ସ୍ବପ୍ନ ...ରାଜେଶକୁ ଦେଖୁଥିଲା ତା ସ୍ୱପ୍ନର ଈଶ୍ୱର ଭାବରେ।ଐଶ୍ଵରୀୟ ଦତ୍ତ ସଙ୍ଗୀତ ଯେ ତା ଜୀବନର ମୋଡ ବଦଳାଇଦେଵ ଏହି ଚିନ୍ତନରେ ବିଭୁ ପଦରେ ଢାଳି ଦେଉଥିଲା ଅଜସ୍ର ଧନ୍ୟବାଦ।

                



Rate this content
Log in

Similar oriya story from Inspirational