sushama Parija

Tragedy Inspirational

3.3  

sushama Parija

Tragedy Inspirational

ନୂଆ ସକାଳ

ନୂଆ ସକାଳ

5 mins
521



ଗତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଚେମେଇ ପଧାନ ର ଦି’ ବଖୁରିଆ ଚାଳଘର ଛପରଭେଦି ଘର ଖଣ୍ଡକ ବିଲ ବତୁରିଲା ଭଳିଆ ବତୁରି ସାରିଲାଣି, ଘରର ଗୋଟାଏ କଣକୁ କୁଙ୍କୁରି କାଙ୍କୁରି ହୋଇ ଅଖା ପାରିଦେଇ ବସି ରହିଛି ସନିଆ ବୋଉ ଆଉ ପକ୍କା ଘରଟିଏ କରି ନପାରିବାର ଚେମେଇ ପଧାନର ନିପାରିଲାପଣିଆ କୁ ଧିକ୍କାରି ଚାଲିଛି । ରାତି ସାରା ନିଦ ନାଇଁ ଚେମେଇ ପଧାନ ଆଖିରେ। ପଟାଟିଏ ପକେଇ ବସି ରହିଛି ସେମିତି ।


ସନିଆବୋଉ ର ଟାଣ କଥା ଛୁଞ୍ଚି  ଭଳିଆ କାନରେ ଗଳି ଯାଉଛି ତେବେ ବି ପାଟି ବୁଜି ବସି ରହିବାକୁ ବାଧ୍ୟ ହେଉଛି କାରଣ ତା’ରି ସାଥିରେ ଇନ୍ଦିରାଆବାସ ପାଇଁ ଦରଖାସ୍ତ କରିଥିବା ସେଇ ଗାଆଁ ର ହରି ପଧାନ, ଜଗୁ ପଧାନ, ବାସୁ ବେଉରା ,ନଟ ବେଉରା କୋଉ କାଳରୁ ସରକାରୀ ଟଙ୍କାରେ ପକ୍କା ଘର କରି ଆନନ୍ଦରେ ଅଛନ୍ତି ,ହେଲେ ତା’ର ଦରଖାସ୍ତ ଏ ଯାଏଁ ମଞୁର ହୋଇ ପାରୁନାହିଁ । ବାରମ୍ବାର ବ୍ଲକ ଅଫିସ୍,  ତହସିଲ ଅଫିସ୍ କୁ ଯାଇ ଯାଇ ଚେମେଇ ପଧାନର ଚପଲ ଘୋରି ହୋଇ ଗଲାଣି, ଅଣ୍ଟାପିଠି ବିନ୍ଧିଲାଣି କିନ୍ତୁ ତା’ର ଦରଖାସ୍ତ ଏ ଯାଏଁ  ମଞୁର ହୋଇପାରୁନି ।


ଆଜି ଆସ , କାଲି ଆସ, କହି କହି ଅଫିସ୍ ର ବାବୁମାନେ ତା’କୁ ଦଉଡେଇ ଚାଲିଛନ୍ତି । ଚେମେଇ ପଧାନ ଭାବୁଥିଲା ତା’ରି କପାଳଟା ଫଟା ନହେଲେ ମାଟ୍ରିକ୍ ପାଶ୍ କରିଥିବା ସନିଆଁ ଏଠି ମୂଲ ଲାଗି ଲାଗି ବିଜାର ହୋଇ କ’ଣ ଦାଦନ ଖଟିବାକୁ ଯାଇଥାନ୍ତା କେରଳ ରାଜ୍ୟକୁ ? ସନିଆଁ ବୋଉ ଏମିତି ଧଇଁ ପେଲିହୋଇ ପଡିଥାଆନ୍ତା ଏଇଠି ? ସବୁ ତା’ରି ଦୋଷ । ମନେ ମନେ ସ୍ଥିର କଲା କାଲି ରାତି ପାହିବା କ୍ଷଣି ସେ ନିଶ୍ଚୟ ଯାଇ ବ୍ଲକ୍ ଅଫିସ୍ ରେ ବସିବ, ସେଠାକାର ବଡ ଅଫିସରଙ୍କୁ ଦେଖା କରି ପଚାରିବ ,କାହିଁକି ତା’କୁ ଇନ୍ଦିରାଆବାସ ଘରଟିଏ ମିଳିଲା ନାହିଁ ଏଯାଏଁ ।


ଏଇ ଗଲା କିଛି ଦିନ ତଳେ ସରିଛି ଭୋଟଦାନ, ଭୋଟ ପୂର୍ବରୁ ଗାଁ ସରପଞ୍ଚ, ତାଙ୍କ ଚେଲା ଚାମୁଣ୍ଡାମାନଙ୍କୁ ଧରି ଗାଁ ଗାଁ ବୁଲି ତାଙ୍କ ନେତାଙ୍କ ଭୋଟ ଦେଇ ଜିତେଇ ଦେବାକୁ କେତେ ଗେହ୍ଲେଇ ହୋଇ କହି ଯାଇଥିଲେ ଘର ଘର ବୁଲି, ଯାହାର ଯେଉଁ କାମ ବାକିଆ ଅଛି ତାଙ୍କ ଦଳ ଜିତିଲେ ସବୁ କାମ ସାଙ୍ଗେ ସାଙ୍ଗେ କରିଦେବେ ବୋଲି ଆଖି କାନ ଛୁଇଁ ହଲପ କରି କହି ଯାଇଥିଲେ, ଚେମେଇ ଆଉ ସନିଆଁ ବୋଉଙ୍କୁ ହାତ ଖରଚ ପାଇଁ ପାଆଁଶ ଲେଖା ଟଙ୍କା ଦେଇ ଯାଇଥିଲେ, ସେଇ କଥାକୁ ବିଶ୍ୱାସ କରି ଚେମେଇ ସପରିବାର ସେଇ ଦଳକୁ ଭୋଟ ଦେଇଥିଲା, ନେତା ତ ଜିତି ଗଲେ, ନୂଆ ସରକାର ହେଲା ହେଲେ କାଇଁ ଚେମେଇର ଘରଟି ଏଯାଏଁ ମଞୁର ହୋଇ ପାରିଲାନି।କଷ୍ଟେ ମଷ୍ଟେ ରାତି ପାହିଲା, ଚେମେଇ ପଧାନ ସଜବାଜ ହୋଇ ଧାଇଁଲା ବ୍ଲକ୍ ଅଫିସ୍ କୁ।


ବ୍ଲକ୍ ଅଫିସ୍ ରେ ଏତେ ସକାଳୁ କେହି ଆସି ନଥାନ୍ତି, ସବୁବେଳେ ଗହଳଚହଳ ଲାଗି ରହୁଥିବା ଅଫିସ୍ ଟା ଖାଁ ଖାଁ ଲାଗୁଥାଏ, ଚେମେଇ ଯାଇ ଅଫିସ୍ ବାରଣ୍ଡାରେ ବସି ପଡିଲା। ଭୋକରେ ପେଟ ଆଉଣ୍ଡି ପକାଇଲାଣି, କାଲିଠାରୁ ଖାଡାପାଡା ଉପାସ,ରୋଷେଇ ଚାଳିଆ ରେ ତ ଆଣ୍ଠିଏ ପାଣି, ଘରେ କିଛି ବୋଲି କିଛି ନାହିଁ, ଖାଇବ କ’ଣ? ସେମିତି ବାବୁ ମାନଙ୍କ ବାଟ ଜଗି ବସି ରହିଲା। ଦିନ ପ୍ରାୟ ଆଠଟା ବେଳକୁ ଝାଡୁଦାର ଆସି ଅଫିସ୍ ଖୋଲା ଖୋଲି କରି ଝାଡୁ କଲା, ପିଅନ ଆସି ବାବୁଙ୍କର ଟେବୁଲ୍ ସଫାକରି ପାଣି ଆଣିବାକୁ ଭିତରକୁ ଯାଇଛି , ଏଇ ସମୟରେ ଧୋବ ଫରଫର ପୋଷାକପିନ୍ଧା ବାବୁ ଜଣେ ଭିତରକୁ ପଶିଲେ, ସେଇ ବୋଧହୁଏ ବଡ ଅଫିସର ହୋଇଥିବେ ଭାବି ଚେମେଇ ପଧାନ ବସିଲା ଜାଗାରୁ ଉଠି ଧାଇଁ ଯାଇ ତାଙ୍କ ପାଦ ଦୁଇଟିକୁ ଧରି ପକାଇ କାନ୍ଦି କାନ୍ଦି ନିଜର ଦୂରବସ୍ଥା କଥା ବଖାଣିବାରେ ଲାଗିଗଲା। ଶବ୍ଦ ଶୁଣି ଭିତରୁ ଦୌଡିଆସିଲା ପିଅନ ମୁରାରୀ । ହେ, ହେ, କ’ଣ କରୁଛୁ? କହି ହାତ ଧରି ତଳୁ ଉଠାଇବାକୁ ଚେଷ୍ଟା କରୁଥିଲା ଚେମେଇକୁ। ବାବୁ ଜଣକ କହି ଉଠିଲେ “ କ’ଣ ହୋଇଛି ମଉସା ! ତମେ ମୋ ପାଦ ଧରୁଛ କାହିଁକି ? ଉଠ, ଉଠ, ମୁଁ ତମର ପୁଅ ବୟସର ହେବି, ତମେ ଗୁରୁଜନ , ଏମିତି ପାଦ ଧରିବା ଠିକ୍ କଥା ନୁହେଁ, ଆଗ ଉଠ, ଧୈର୍ଯ୍ୟ ଧରି ଏଇ ଚୌକି ଉପରେ ବସି କୁହ ତମର ଅସୁବିଧା କଥା, ମୁଁ ନିଶ୍ଚୟ ଶୁଣିବି “। ପୁଣି ଚୌକିରେ ବସୁ ବସୁ ପିଅନ ମୁରାରୀ କୁ କହିଲେ “ ତୁମେ ଆଗ ମଉସା ଙ୍କୁ ପାଣି ଗ୍ଲାସ୍ ଟିଏ ଦେଇ ବସାଅ, ମୁଁ କଥା ହେବି ତାଙ୍କ ସହିତ”।


ଗୁଣୁଗୁଣୁ ହୋଇ ମୁରାରୀ ଚେମେଇ କୁ ଉଠାଇ ସେଠାରେ ବାବୁଙ୍କ ସାମନାରେ ପଡିଥିବା ଚୌକି ଉପରେ ବସାଇଲେ ଆଉ ଗୋଟାଏ ହେୟ ଦୃଷ୍ଟି ଫିଙ୍ଗି ଦେଇ ଚାଲିଗଲା ପାଣି ଗ୍ଲାସ୍ ଟି ଆଣିବାକୁ । ପାଣି ଗ୍ଲାସ୍ ଟି ଢକଢକ କରି ପିଇଗଲା ଚେମେଇ , ଛେପ ଢୋକି ଆରମ୍ଭ କଲା “ ଆଜ୍ଞା ହଜୁର୍ ! ମୁଁ କଲ୍ୟାଣ ଗାଆଁ ର ଚନ୍ଦ୍ରମଣି ପ୍ରଧାନ , ବିଲବାରି ବୋଲି କିଛି ନାହିଁ, ଯାହା ବାପଅଜା ଅମଳରେ ଥିଲା , ତା’କୁ ବିକିଭାଙ୍ଗି ପୁଅଟିକୁ ପାଠ ପଢେଇଲି, ସିଏ

ମାଟ୍ରିକ୍ ପାଶ୍ କରି କାମଧନ୍ଦା କିଛି ନ ପାଇ ମୂଲ ଲାଗୁଥିଲା ଗାଆଁ ରେ, ବିଜାର ହୋଇ ବେଶୀ ପଇସା ରୋଜଗାର ଆଶାରେ ଦାଦନ ଖଟିବାକୁ ଚାଲିଗଲା କେରଳ, ଯିବା ଦିନଠାରୁ ଆଜି ଯାଏଁ କିଛି ଖୋଜଖବର ନାଇଁ, ଘରେ ଆମେ ବୁଢାବୁଢୀ ଦୁଇଟା, ଓଳିଏ ଖାଇଲେ ଓଳିଏ ଉପାସ, ସରକାରୀ ଭତ୍ତା ଟଙ୍କାରେ ଚଳୁ।ଡିହ ଖଣ୍ଡକ ରେ ଛଣଛପର ଘର ବଖରାଏ ଅଛି ଯେ ସେତକ ଅର୍ଥାଭାବରୁ ଛାଉଣି କରି ପାରୁନି , ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ କରିବାକୁ ବରଷେ କି ଦି ବରଷ ହେଲାଣି ଏଠିକି ଧାଇଁ ଧାଇଁ ମୋ ଅଣ୍ଟାରେ ବାତ ବାହାରି ପଡିଲାଣି ହେଲେ ମୋର ଦରଖାସ୍ତ ମଞୁର ହେଇ ପାରୁନି । ମୋ ସାଥିରେ ଦରଖାସ୍ତ କରିଥିବା ଆମ ଗାଆଁ ର ଅନ୍ୟ ମାନଙ୍କ ଇନ୍ଦିରାଆବାସ ଘର କୋଉ କାଳୁ ହୋଇ ସାରିଲାଣି, ହେଲେ ମୋର ଦରଖାସ୍ତ ମଞୁର ହୋଇପାରୁନି କାହିଁକି? ଗତରାତି ଠାରୁ ଲଗାଣ ବର୍ଷା ଯୋଗୁଁ ଆମେ ବୁଢାବୁଢୀ ଦିଇଟା ସେଇ ଭଙ୍ଗାଘରେ ଅଧମରା ହୋଇ ପଡି ରହିଛୁ, ଆପଣ ତ ଏଇ ଅଫିସ୍ ର ବଡବାବୁ, ଆପଣ ଆମ ଦୁଃଖ ନବୁଝିଲେ ଆଉ କିଏ ବୁଝିବ, ସେଇ କଥା ଜଣାଇବାକୁ ଆସିଛି ଆପଣଙ୍କ ପାଖକୁ । ଆଗରୁ ଅନେକ ଥର ଆସିଛି ଆପଣଙ୍କ ପାଖରେ ପହଞ୍ଚି ପାରିନାହିଁ, ଆପଣଙ୍କ ଦପ୍ତରର ଅନ୍ୟ ବାବୁ ମାନେ ମୋତେ ଭିନ୍ନ ଭିନ୍ନ କାରଣ ଦେଖାଇ ଫେରାଇ ଦେଇଛନ୍ତି ହେଲେ ଆଜି ଆପଣଙ୍କ ଦେଖା ପାଇଛି, ଆପଣଙ୍କ ପାଖରୁ ଦି’ ପଦ ଶୁଣିବାକୁ ଚାହୁଁଛି, ଆପଣମାନେ କହୁଛନ୍ତି ଆମ ଦେଶରେ ଆମ ଶାସନରେ ବିକାଶ ଆସିଛି, ଦେଶରେ ଗରିବ ଆଉ ରହିବନି, ତେବେ ମୋ ଭଳିଆ ଗରିବ ମାନେ ଆପଣଙ୍କର ଏମିତି ଅଣହେଳା ରେ ମରି ଗଲା ପରେ ତ ଆପେ ଆପେ ଦେଶ ଗରିବ ଶୂନ୍ୟ ହୋଇଯିବ, ସେଇ ଯୋଜନା କରିଛନ୍ତି କି ଆପଣଙ୍କ ସରକାର ?


ବଡବଡିଆଙ୍କ ପାଇଁ ସରକାରଙ୍କ ସବୁ ଯୋଜନାର ସୁବିଧା ଆମ ନାଆଁ ରେ ଦେଇ , ସରକାର ଗରିବ ହଟାଉଛନ୍ତି ବୋଧହୁଏ? ଚେମେଇ ପଧାନ ର ରୁଦ୍ଧ ହୋଇ ଯାଉଥିବା କଣ୍ଠସ୍ବର ନବ ନିଯୁକ୍ତ ବିଡିଓ ଶ୍ରୀ ସତ୍ୟବ୍ରତ ନାୟକଙ୍କ ହୃଦୟ କୁ ଝିଞାରି ପକାଉଥିଲା, ତା’ ଆଖିର ଲୁହରେ ଧୋଇ ହୋଇ ଯାଉଥିଲା ସରକାରଙ୍କ ସମସ୍ତ ବିକାଶର ଯୋଜନା, ତା’ର ତତଲା ଦୀର୍ଘ ନିଶ୍ବାସ ରେ ଭସ୍ମୀଭୂତ ହୋଇଯାଉଥିଲା ତାଙ୍କ ଭଳି ଅନେକ ସଚ୍ଚୋଟ ଅଫିସର୍ ମାନଙ୍କର ଦେଶସେବା କରିବାକୁ ନେଇଥିବା ଭୀଷ୍ମ ଶପଥ ସବୁ। ସେ ଦୁଇ ହାତ ରେ କୋଳେଇ ନେଲେ ଚେମେଇ ପଧାନଙ୍କୁ। ତାଙ୍କ ଆଖିରୁ ଲୁହ ପୋଛି ଉତ୍ତର ଦେଲେ “ ମଉସା! ବ୍ୟସ୍ତ ହୁଅ ନାହିଁ, ମୁଁ ଆଜି ହିଁ ତୁମର ଇନ୍ଦିରାଆବାସ କଥା ବୁଝି ଦେବି, ତୁମ ପୁଅ ଲାଗି କ’ଣ କରା ଯାଇପାରେ ତାହା ଦେଖିବି । ସରକାରଙ୍କୁ ଦୋଷ ଦେଇ ଲାଭ ନାହିଁ ମଉସା! ଆମରି ଭିତରେ କିଛି ଅମଣିଷ ଅଛନ୍ତି ଯେଉଁମାନେ ସରକାରଙ୍କ ସବୁ ଯୋଜନାର ଅପବ୍ଯବହାର କରୁଛନ୍ତି, ନିଜର ସ୍ୱାର୍ଥ ହାସଲ ଲାଗି ସାଧାରଣ ଜନତାଙ୍କୁ ସ୍ୱାର୍ଥ ଲୁଟି ଚାଲିଛନ୍ତି, ନିଜର ଉନ୍ନତି କରି ଦେଶର ଉନ୍ନତି ରେ ବାଧକ ହେଉଛନ୍ତି, ଆମେ ଆଗ ସେମିତି ଲୋକମାନଙ୍କୁ ଚିହ୍ନଟ କରି ତାଙ୍କ ମୁଖା ଖୋଲି ଦେବା, ତାଙ୍କୁ ଆଇନ୍ ହାତରେ ଦଣ୍ଡ ଦିଆଇବା, ତା’ହେଲେ ଦେଶରୁ ଗରିବୀ ନିଶ୍ଚୟ ଘଟିବ, ଦେଶ ଠିକ୍ ଆଗେଇବ “।


କ’ଣ ଯାଦୁ ଥିଲା ସତ୍ୟବ୍ରତ ଙ୍କ କଥାରେ କେଜାଣି, ଚେମେଇ ପଧାନ କୁ ସେ କଥା ସବୁ କୁ ଭରସା କରିବାକୁ ମନ କହୁଥିଲା, ସେ ଆଗକୁ ଗୋଟାଏ ନୂଆ ସକାଳ ଦେଖିବାକୁ ଆଶା କରୁଥିଲା, ଉଦୟଭାନୁର ନରମ ମୁଲାୟମ ହସ ଉକୁଟି ଉଠିଲ ଚେମେଇ ପଧାନ ଓଠରେ, ସେ ହସିଲା, ମନଖୋଲି ହସିଲା, ବିଡିଓ ସତ୍ୟବ୍ରତ ନାୟକଙ୍କ ମୁଣ୍ଡ ଉପରେ ଆଶୀର୍ବାଦର ହାତ ବୁଲେଇ ଆଣି ସେ ବାହାରି ଆସିଲା ବ୍ଲକ୍ ଅଫିସ୍ ଭିତରୁ । ଗାଆଁ ଆଡକୁ ଚାଲିଲା ବେଳକୁ ଉତ୍ସାହରେ ତା’ ପାଦ ଦୁଇଗୁଣ ବେଗରେ ପଡୁଥିଲା ।


Rate this content
Log in

Similar oriya story from Tragedy