ନିଷ୍ଠା
ନିଷ୍ଠା
ପୁରାତନ ସମୟର କଥା...ଗୋଟେ ଗ୍ରାମରେ ଦୁଇ ଘନିଷ୍ଠ ବନ୍ଧୁ ବାସ କରୁଥିଲେ...ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣକର ପରିପୂରକ ଥିଲେ...ପ୍ରଥମ ବନ୍ଧୁ ଏକ ଧନୀକ ପରିବାରର ହୋଇଥିବା ବେଳେ ଦ୍ଵିତୀୟ ବନ୍ଧୁ ଏକ ଗରୀବ ପରିବାରରେ ଜନ୍ମ ନେଇଥିଲେ... କେଜାଣି କେମିତି ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା... ଦୁଇ ଜଣଙ୍କ ମଧ୍ୟରୁ ଦ୍ଵିତୀୟ ବନ୍ଧୁ ଜଣକ ବହୁତ ନିଷ୍ଠାବାନ ଥିଲେ... ସେ ଯାହାକୁ ଯାହା କଥା ଦେଉଥିଲେ ତାହା ପ୍ରାଣପଣେ ଚେଷ୍ଟା କରୁଥିଲେ ପୂରଣ କରିବା ପାଇଁ | କିନ୍ତୁ ପ୍ରଥମ ଜଣକ ବହୁତ ଖାମଖିଆଲି ସ୍ୱଭାବର ଥିଲେ |
ଦିନକର ଘଟଣା ଦୁଇବନ୍ଧୁ ଏକ ବ୍ୟବସାୟ କାର୍ଯ୍ୟରେ ଗାଁ ବାହାରକୁ ବାହାରିଲେ... ବଳଦ ଗାଡ଼ିରେ ବସି ଯାଉଥିବା ସମୟରେ ସେମାନେ ଦେଖିଲେ ରାସ୍ତା କଡ଼ରେ ଜଣେ ବୃଦ୍ଧ ଭିକ୍ଷୁ ବସିଛନ୍ତି ଏବଂ ଭୋକ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ବହୁତ ବ୍ୟାକୁଳିତ ହେଉଛନ୍ତି... ଦ୍ଵିତୀୟ ବନ୍ଧୁ ବଳଦଗାଡ଼ି ଅଟକାଇ ସାଙ୍ଗରେ ଆଣିଥିବା ସବୁତକ ଖାଦ୍ୟ ସେହି ଭିକ୍ଷୁ ଜଣକୁ ଦେଇଦେଲେ... ଏହା ଦେଖି ଭିକ୍ଷୁ ଜଣକ ବହୁତ ଖୁସିହୋଇ ଆଶିଷ ଦେଇ ସେଠାରୁ ଚାଲିଗଲେ... ପ୍ରଥମ ବନ୍ଧୁ ଏହା ଦେଖି ତାଚ୍ଛଲ୍ୟ କରି କହିଲେ ଏପରି ଲୋକଙ୍କୁ ସାହାଯ୍ୟ କରିବା କଥା ନୁହେଁ କାରଣ ହାତଗୋଡ଼ ଥାଇ ଏମାନେ ଅଳସୁଆ ହୋଇ ଏମିତି ଭିକ୍ଷା ମାଗନ୍ତି ଆଉ ସୁଯୋଗ ପାଇଲେ ସର୍ବସ୍ବ ଲୁଟି ନିଅନ୍ତି... ଦ୍ଵିତୀୟ ବନ୍ଧୁ କହିଲେ ନାଁ ବନ୍ଧୁ ଏପରି କୁହନ୍ତୁନି... ସମୟ ବଡ଼ ବଳବାନ, କେତେବେଳେ କିଏ କାହାର କାମରେ ଆସିଯିବ କହିହେବନି... ଏହିପରି କଥାହୋଇ ଆଗକୁ ଚାଲିଲେ |
କିଛିବାଟ ଯିବାପରେ ଏକ ଘାଟିରାସ୍ତା ପାର ହେଉଥିବା ସମୟରେ ତାଙ୍କର ଶଗଡ଼ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେଲା... ଦୁଇବନ୍ଧୁ ପଥରରେ ପିଟିହୋଇ ବେହୋସ ହେଇ ପଡ଼ିଥିଲେ... ଆଖ ପାଖରେ କେହି ନଥିଲେ... ହଠାତ ସେହି ବାଟ ଦେଇ ସେହି ଭିକାରି ଜଣକ ଯାଉଥିଲେ... ଦୁଇ ବନ୍ଧୁଙ୍କୁ ଏପରି ଅବସ୍ଥାରେ ଦେଖି ସେ ସେମାନଙ୍କର ସହାୟତା କଲେ... ଦୁହିଁଙ୍କୁ ଗଛ ଛାଇ ତଳେ ଶୁଆଇ ଦେଇ କିଛି ଔଷଧ ଗଛର ପତ୍ର ସଂଗ୍ରହ କରି ତାକୁ ହାତରେ ମକଚି ଦୁହିଁଙ୍କ କ୍ଷତ ସ୍ଥାନରେ ଲଗାଇଲେ... କିଛି ପାଣି ନେଇ ମୁହଁରେ ସିଞ୍ଚନ କରି କିଛି ପିଆଇ ଦେଲେ... କିଛି ସମୟ ପରେ ସେମାନଙ୍କ ହୋସ ଆସିଲା... ସେତେବେଳେ ସେମାନେ ଦେଖିଲେ ଯେଉଁ ଭିକାରିକୁ ଖାଦ୍ୟ ଦେଇଥିଲେ ସେହି ଭିକାରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି.. ପ୍ରଥମ ସାଙ୍ଗ ବହୁତ ଦୁଃଖିତ ଏବଂ ଅପମାନିତ ବୋଧକରି କହିଲେ ବନ୍ଧୁ ସେଦିନ ଭିକାରୀ ପ୍ରତି ତୁମର ନିଷ୍ଠାକୁ ମୁଁ ପାଦରେ ଦଳିଦେଇଥିଲି, ହେଲେ ଆଜି ମୁଁ ତାହାର ଉଚିତ ମୂଲ୍ୟ ବୁଝି ପାରିଛି... ମୋତେ କ୍ଷମା କରିଦିଅ... ତାପରେ ଦୁହେଁ ଭିକାରୀ ଜଣକୁ ବହୁତ କିଛି ଦାନ ଦେଇ ସେଠାରୁ ବିଦାୟ ନେଲେ |
ଏଥିରୁ ଆମେ ଏୟା ଶିଖିଲେ କି....
ଧନ ମୋହ ସିନା ଅଢେଇ ଦିନିଆଁ
ସବୁଠାରୁ ବଡ଼ ମହତପଣିଆ |
ଯିଏ ନିଜ ମନରେ ନିଷ୍ଠା ଭାବନା ରଖି କାର୍ଯ୍ୟକରେ ତାକୁ ଜୀବନରେ ନିଶ୍ଚୟ ସଫଳତା ମିଳେ... ସେଥିପାଇଁ ସମସ୍ତେ ନିଷ୍ଠାବାନ ହେବା ନିହାତି ଦରକାର |