Madhusmita Prusty

Children Stories

3  

Madhusmita Prusty

Children Stories

ସଞ୍ଚୟ

ସଞ୍ଚୟ

3 mins
214


ଶିଶୁଗଳ୍ପ


ମୋହନ ନାମରେ ପିଲାଟିଏ ଥିଲା । ବହୁତ ଶାନ୍ତଶିଷ୍ଟ ସ୍ୱଭାବର ଏବଂ ଉତ୍ତମ ଗୁଣର ପିଲାଟିଏ । ପିଲାଦିନରୁ ଦୁଃଖୀ,ରଙ୍କିମାନଙ୍କ ସେବା କରିବା ପାଇଁ ତାର ବହୁତ ଇଛାଥାଏ ହେଲେ ତାର ବାପାଙ୍କର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା ଛୋଟ ମୋଟ ବ୍ୟବସାୟ କରି ଯାହା କିଛି ରୋଜଗାର କରନ୍ତି ସେଥିରେ ତାଙ୍କର ଗୁଜୁରାଣ ବହୁତ କଷ୍ଟରେ ମେଣ୍ଟାଉଥିଲେ । ମୋହନ ତାର ବାପା,ମାଙ୍କର ଏକମାତ୍ର ପୁତ୍ର ସନ୍ତାନ ଥିଲା । ସେ ତାର ବାପାଙ୍କର ଆର୍ଥିକ ଅବସ୍ଥା ଦେଖି ଭାରି ଚିନ୍ତିତ ଥିଲା ଏବଂ ନିଜେ ଭଲ ପାଠପଢି ଯୋଗ୍ୟତା ଅର୍ଜନ କରିଲେ କୌଣସି ଚାକିରୀ କିମ୍ବା ବ୍ୟବସାୟ କରି ତାର ବାପାଙ୍କର ଦୁଃଖ ଦୂର କରିବା ପାଇଁ ଚେଷ୍ଟା କରୁଥିଲା । ସେଥିପାଇଁ ସେ ସବୁବେଳେ ପାଠ ପଢ଼ାରେ ଧ୍ୟାନ ଦେଉଥିଲା ଏବଂ ବେଳେବେଳେ ଛୋଟ ଛୋଟ କାମରେ ତାର ବାପା,ମାଙ୍କୁ ସାହାଯ୍ୟ କରୁଥିଲା । ତାକୁ ତାର ବାପା ହାତଖର୍ଚ୍ଚ ପାଇଁ ପ୍ରତିଦିନ କିଛି କିଛି ଟଙ୍କା ଦେଉଥିଲେ । ସେ ସେହି ଟଙ୍କାରୁ ଅଳ୍ପ କିଛି ଖର୍ଚ୍ଚ କରି ବାକିତକ ତାର ସଂଚୟ ବାକ୍ସରେ ରଖୁଥିଲା,ଏହିପରି ଭାବରେ ସେ ପ୍ରତିଦିନ କରୁଥିଲା |

          ଦିନେ ତାଙ୍କ ଘରକୁ ଜଣେ ବୃଦ୍ଧ ଭିକାରୀଟିଏ ଆସିଲା ଏବଂ କିଛି ଖାଇବାକୁ ମାଗିଲା । ଭିକାରୀକୁ ଦେଖି ମୋହନକୁ ବହୁତ ଦୁଃଖ ଲାଗିଲା, ସେ ମନେମନେ ଗୋଟିଏ କଥା ଚିନ୍ତାକଲା ଏବଂ ଭିକାରୀକୁ ତାର ଭିକ ମାଗିବାର କାରଣ ପଚାରିଲା.. ଭିକାରୀଟି କହିଲା ମୁଁ ଆଉ କଣ କରିବି ପୁଅ ମୋର ତ କପାଳ ଫଟା ,ଦିନ ଥିଲା ମୋର ଟଙ୍କା,ପଇସା, ଘରଦ୍ୱାର ସବୁ ଥିଲା ହେଲେ ମୋ ମନରେ କାହା ପ୍ରତି ଦୟା ଭାବ ନଥିଲା । ମୁଁ ବହୁତ ବଦ ଖର୍ଚ୍ଚ କରୁଥିଲି କିଛି ସଂଚୟ କରୁ ନଥିଲି ଗୋଟେ ବର୍ଷ ମୋ ଗାଁ ରେ ଦୁର୍ଭିକ୍ଷ ପଡିଲା । ମୋ ପାଖରେ ଯେତିକି ଧନ ଥିଲା ବସି ଖାଇ ସରିଗଲା । ଭୋକ ଉପାସରେ ମୁଁ ଗାଁ ଛାଡି ଚାଲି ଆସିଲି ଆଉ ସେହିଦିନ ଠାରୁ ବାର ଦୁଆର ବୁଲି ଭିକ ମାଗୁଛି । ମୋହନ ସବୁ ଶୁଣିଲା ଏବଂ ଘର ଭିତରକୁ ଦୌଡିଯାଇ ତାର ସଂଚୟ ଅର୍ଥରୁ କିଛି ଆଣି ଭିକାରୀକୁ ଦେଇ କହିଲା ମଉସା, ଏଇ କିଛି ଟଙ୍କା ମୁଁ ତୁମକୁ ଦେଉଛି.. ଏଥିରେ ତୁମେ ତୁମ ପସନ୍ଦର ଜିନିଷ କିଣି ବଜାରରେ ବିକ୍ରି କରିବ ଆଉ ସେଥିରୁ ଯାହା ଟଙ୍କା ମିଳିବ ତାକୁ ତୁମେ କିଛି କିଛି ସଂଚୟ କରିବ ଏବଂ ଅଧିକ ଟଙ୍କା ହେଲାପରେ ମୋତେ ମୋ ଟଙ୍କା ଫେରାଇବ । ଭିକାରୀଟି ମୋହନର ମଥାକୁ ଆଉଁସି ଦେଇ କହିଲା ତୁ ମୋର ଆଖି ଖୋଲି ଦେଲୁରେ ପୁଅ.. ଯେଉଁ କଥା ମୁଁ ତୋତେ ଶିଖାଇବା କଥା ଆଜି ତୁ ମୋତେ ଶିଖାଇ ଦେଲୁ । ଭିକାରୀଟି ଅନେକ ଆଶିଷ ଦେଇ ସେଠାରୁ ଚାଲିଗଲା |

         କିଛିଦିନ ପରେ ପୁଣି ମୋହନ ପାଖକୁ ଫେରିଲା.. ତାକୁ ଦେଖି ମୋହନ ଚିହ୍ନି ପାରିଲା ନାହିଁ, ପଚାରିଲା ଆପଣ କିଏ? ଲୋକଟି ମୋହନକୁ କହିଲା ମୋତେ ଚିହ୍ନି ପାରୁନ! ମୁଁ ସେଇ ଭିକାରୀ ଯାହାକୁ ତୁମେ ଟଙ୍କା ଦେଇଥିଲ ! ମୁଁ ଆଜି ତୁମକୁ ତୁମର ଋଣ ଶୁଝିବାକୁ ଆସିଛି । ଭିକାରୀ ଆଉ ଭିକ ମାଗୁନଥିଲା, ତାର ଚେହେରାରେ ଏକ ଦିବ୍ୟ ଚମକ ଦେଖା ଯାଉଥିଲା । ସେ ଏକ ଟଙ୍କା ଥଳି ବାହାର କରି ମୋହନ ହାତକୁ ବଢ଼ାଇ ଦେଇ କହିଲା ଏଇ ନେ ପୁଅ, ମୋତେ ଦେଇଥିବା ଟଙ୍କା । 

ମୋହନ ସେହି ଟଙ୍କା ଥଳିଟି ଖୋଲି ଦେଖିଲା ବେଳକୁ ତା ଭିତରେ ଅନେକ ପ୍ରକାରର ସୁନା ଏବଂ ରୁପା ମୁଦ୍ରା ଭରି ରହିଥିଲା । ସେ ତାହା ଦେଖି ଚମକି ପଡିଲା ଏବଂ ପଚାରିଲା ମୁଁ ତ ଏତେ ଟଙ୍କା ତୁମକୁ ଦେଇ ନଥିଲି । ମୁଁ ଯେତିକି ଦେଇଥିଲି ମୋତେ ସେତିକି ଫେରାଅ..ଏହା ଦେଖି ଲୋକଟି ତାର ସତ ପରିଚୟ ଦେଇ କହିଲା ମୁଁ ତୁମ ରାଜ୍ୟର ରାଜା । ମୋର ରାଜ୍ୟରେ ମୋର ପ୍ରଜାମାନେ ବହୁତ ଅନ୍ୟାୟ ଏବଂ ଅରାଜକତା ସୃଷ୍ଟି କରିବାରୁ ମୁଁ ବହୁତ ଚିନ୍ତିତ ଥିଲି ଏବଂ ଜଣେ ଜ୍ଞାନୀ ବିଜ୍ଞ ଲୋକ ସନ୍ଧାନରେ ଥିଲି ମୋର ମନ୍ତ୍ରୀ କରିବା ପାଇଁ ତୁମ ବିଷୟରେ ମୁଁ ଅନେକ ଲୋକଙ୍କ ଠାରୁ ଭଲ ଶୁଣିଥିଲି । ସେଥିପାଇଁ ତୁମକୁ ପରଖିବା ପାଇଁ ବେଶ ବଦଳାଇ ଆସିଥିଲି । ମୁଁ ତୁମକୁ ମୋର ରାଜ୍ୟର ମନ୍ତ୍ରୀ କରିବାକୁ ଚାହୁଁଛି । ସବୁ ଶୁଣି ମୋହନ ଆଶ୍ଚର୍ଯ୍ୟ ହେଲା ଏବଂ ତାର ବାପା, ମାଙ୍କ ଆଗରେ ସବୁକଥା କହିଲା, ରାଜା ମୋହନକୁ ନିଜ ରାଜ୍ୟରେ ମନ୍ତ୍ରୀ କରିବା ପାଇଁ ତାର ବାପାଙ୍କୁ ଅନୁରୋଧ କଲେ ବାପା ବହୁତ ଖୁସି ହୋଇ କହିଲେ ସବାସ ମୋହନ, ଆଜି ତୋତେ ତୋର ଯୋଗ୍ୟତାର ଉପଯୁକ୍ତ ମୂଲ୍ୟ ମିଳିଲା |

               ଦେଖିଲ ତ ପିଲାମାନେ ମୋହନର ପରୋପକାର ମନୋଭାବ ଏବଂ ସଂଚୟ କରିବାର ଇଛା ଆଉ ଦରିଦ୍ରଙ୍କ ପ୍ରତି ଉପକାର ପାଇଁ ଈଶ୍ୱର ତାକୁ ସହାୟ ହେଲେ ଏବଂ ଉପଯୁକ୍ତ ସ୍ଥାନରେ ରଖିଲେ । ତୁମେ ଵି ସବୁବେଳେ କିଛି କିଛି ସଂଚୟ କରିବା ଶିଖ ଏବଂ ଦୁଃଖୀ,ଗରିବ ଲୋକଙ୍କୁ ସାହାଯ୍ୟ କର । ପର ଉପକାର କରିବା ଶିଖ ନିଶ୍ଚୟ ତୁମକୁ ଈଶ୍ୱର ସହାୟ ହେବେ । ଆଜିପାଇଁ ଏତିକି ପୁଣି ଆସିବି ଆଉ ଏକ ମନ ମତାଣିଆ କାହାଣୀ ସହିତ... ଜୟ ଜଗନ୍ନାଥ ।


             


Rate this content
Log in