ନିର୍ଜନ ଦ୍ୱୀପର ରାଜା
ନିର୍ଜନ ଦ୍ୱୀପର ରାଜା


ଗତ ଚାରିମାସ ହେଲାଣି ମଣିଷ ଜୀବନ କୁ ଯେମିତି ସ୍ଥାଣୁତା ଆବୋରି ବସିଛି। ପୂର୍ବର ସେ ନିତ୍ୟ ନୈମିତ୍ତିକ ଜୀବନ ଆଉ ନାହିଁ, ଚାରିଆଡେ “କରୋନା” ର ହାହାକାର , ମରଣ ର ଧୀର ସନ୍ତର୍ପଣ ପାଦ ଶବ୍ଦ ସବୁବେଳେ, ସବୁଠି, କାନରେ ପଡୁଛି । ପଲ୍ଲୀରୁ ଦିଲ୍ଲୀ ଯାଏ ଲାଗି ରହିଛି ଲକ୍ ଡାଉନ୍, ଶଟ୍ ଡାଉନ୍ ଇତ୍ୟାଦି ଯାବତୀୟ କଟକଣା ।ସହର ରେ ଛାଇ ହୋଇ ରହିଛନ୍ତି ପୋଲିସ୍ । ଏଇ ଅବସ୍ଥାରେ ମୋ ଭାଇ ପାଖରେ ଭୁବନେଶ୍ଵର ରେ ରହୁଥିବା ମୋ’ ଅସୁସ୍ଥ ବୋଉ କୁ ଟିକିଏ ଦେଖି ଯିବା ପାଇଁ ମଧ୍ୟ ସାହସ କରି କହି ହେଉନି ପିଲାମାନଙ୍କୁ । ଖାଲି ଫୋନ୍ ରେ ଯାହା ଦେଖା ସାକ୍ଷାତ , ଭଲ ମନ୍ଦ ବୁଝାବୁଝି । ସେଦିନ ବହୁତ ସାହସ ଯୁଟେଇ ପୁଅ କୁ କହିଲି “ ବାପା ରେ ! ତୁ ଅଫିସ୍ ଗଲା ବେଳକୁ ମତେ ଟିକିଏ ମାମୁଁ ଘରେ ଛାଡି ଦିଅନ୍ତୁ ନି , ମା’ମା କୁ ବହୁତ ଦିନ ହେବ ଦେଖିନି , ଟିକିଏ ଦେଖି ଆସନ୍ତି “ । ମୋ ବିକଳିଆ ମୁହଁ କୁ ଦେଖି ପୁଅ କ’ଣ ବୁଝିଲି କେଜାଣି, “ ହଁ , ବାହାର “ ବୋଲି କହିଲା। ସକାଳ ଆଠଟା ବେଳକୁ ଆମେ କଟକରୁ ବାହାରି ସଭା ଆଠଟା ସୁଦ୍ଧା ପହଞ୍ଚି ଗଲୁ ମୋ ଭାଇ ର ନୂଆପଲ୍ଲୀ ସ୍ଥିତ ବାସ ଭବନରେ । ସମ୍ଭ୍ରାନ୍ତ କଲୋନୀ ଟିଏ, ବହୁତ କୋଠାବାଡି କିନ୍ତୁ ସବୁବେଳେ ନୀରବତା ରାଜୁତି କରୁଥାଏ ସେଠାରେ । ସବୁ ବଡବଡିଆ ଅଫିସରଙ୍କ ଘର ସେଇଠି ।
ବଡ ବଡ ଅଟ୍ଟାଳିକା, ବଡ ବଡ ଗେଟ୍ , ହେଲେ ଆମ କଟକ ଭଳି କାହାରି ଘରକୁ କାହାର ପ୍ରବେଶ ନାହିଁ । ଏମିତି କି ଗୋଟିଏ ଅଟ୍ଟାଳିକା ର ଅନ୍ତେବାସୀ ମାନେ ମଧ୍ୟ ପରସ୍ପରକୁ ଜାଣନ୍ତି ନାହିଁ । ମୁଁ ଭାଇର ଘର ପାଖରେ ପହଞ୍ଚିଲା ପରେ ବୋଉ ମତେ ଦେଖି ଖୁବ୍ ଖୁସି ହେଲା। ପୁଅ ଏବଂ ଭାଇ ଯିଏ ଯାହାର ଅଫିସ୍ କୁ ଚାଲିଗଲେ। ଚାହା ଜଳଖିଆ ଖାଇ ଆମେ ମାଆ ଝିଅ ଗପସପ କରୁଛୁ, ଏଇ ସମୟରେ ରାସ୍ତା ଉପରେ କିଛି କୋଳାହଳ ଶୁଣି ମୁଁ ଭାଇ ର ଘରୋଇ ସହାୟିକା ସୁଲ କୁ ପଚାରିଲି “ କ’ଣ ହୋଇଛି କି’ରେ ? ତୁମ କଲୋନୀରେ ଆଜି ଏତେ ଗହଳଚହଳ କାହିଁକି? “। ସିଏ କିଛି କହିବା ପୂର୍ବରୁ ପୋଲିସ୍ ଗାଡିର ସାଇରନ୍ ଶୁଣାଗଲା । ଉଚ୍ଚକିତ ହୋଇ ମୁଁ ମଧ୍ୟ ତିନି ମହଲା ର ଝରକା ବାଟେ ଚାହିଁଲି ତଳକୁ । ହେଲେ କେବଳ ଆମ୍ବୁଲାନ୍ସ ଆଉ ପୋଲିସ୍ ଗାଡି ଛଡା ଆଉ କିଛି ଦେଖି ପାରିଲିନି । ଭୟାକୁଳ ମନ ନେଇ ସୁଲି ଧାଇଁ ଗଲା ଆପାର୍ଟମେଣ୍ଟର ତଳକୁ, ଯେଉଁଠି ସିକ୍ୟୁରିଟି ଗାର୍ଡ ବସି ଜଗିଥାଏ, ସେଇଠିକି । ବେଶ୍ କିଛି ସମୟ ପରେ ଫେରିଲା। ତା’ ପାଖରୁ ଯାହା ଶୁଣିଲି ଲୋମ ଟାଙ୍କୁରି ଉଠିଲା ମୋର। କଥା ଟି ଥିଲା ଏମିତି ... ତାଙ୍କର ଆପାର୍ଟମେଣ୍ଟ୍ ଠାରୁ ଆଠ ଦଶଟି ଘର ଛାଡ଼ି ଅଛି ପାଞ୍ଚ ମହଲା ଆପାର୍ଟମେଣ୍ଟ୍ ଟିଏ “ ସ୍ୱପ୍ନା ନିଳୟ “ ।
ଘର ମାଲିକ ଶ୍ରୀ ବ୍ରଜମୋହନ ଦାସ୍ ଜଣେ ରିଟାୟାର୍ଡ ଅଣ୍ଡରସେକ୍ରେଟାରୀ । ରାଜ୍ୟ ସରକାରଙ୍କ ଚାକିରୀ ରେ ଥିବା ସମୟରେ ଘରଟି କରିଥିଲେ, ସପରିବାର ସରକାରୀ କ୍ୱାର୍ଟର ରେ ରହି ଭଡାରେ ଦେଇଥିଲେ ଘରଟି।ସେଇ ଭଡା ପଇସା ରେ ଏକ ମହଲାରୁ ପାନ୍ଚ ମହଲା ହୋଇଥିଲା ଘରଟି । ଚାକିରୀ ସରିଲା ବେଳକୁ ଦୁଇ ପୁଅ ଯାକ ଇଞ୍ଜିନିୟରିଂ ପାଠ ସାରି ବିଦେଶରେ ଚାକିରୀ କରୁଥିଲି, ଝିଅ ଟି ଡାକ୍ତର ଜ୍ୱାଇଁ ସହିତ ଆମେରିକାରେ ରହୁଥିଲା । ଅବସର ପରେ ସରକାରୀ କ୍ୱାର୍ଟର ଛାଡି ଆସି ସ୍ୱାମୀ ସ୍ତ୍ରୀ ଦୁହେଁ ଏଇଠି ରହିଥିଲେ । ତଳ ଚାରି ମହଲା ଯାକ ଭଡାରେ ଦେଇ ନିଜେ ରହୁଥିଲେ ପାନ୍ଚ ମହଲାରେ । ପାର୍ଟ ଟାଇମ ରୋଷେଇଆ, କାମବାଲି ଆସି କାମ କରି ଦେଇ ଯାଉଥିଲେ, କିଛି ଅସୁବିଧା ନଥିଲା । ଏଇ କେତେଦିନ ତଳେ ବୁଢୀ ଯାଇଥିଲେ ଝିଅ ପାଖକୁ କିଛି ଦିନ ପାଇଁ । ବୁଢା ଏକା ରହୁଥିଲେ । “କରୋନା “ ମହାମାରୀ ଯୋଗୁଁ ସବୁ ବିଭ୍ରାଟ ହୋଇଗଲା । ଯିଏ ଯେଉଁଠି ଯେଉଁ ଅବସ୍ଥା ରେ ଥିଲେ ସେଇଠି ରହିଗଲେ। ଭଡାଟିଆ ମାନେ ଘରେ ତାଲା ଦେଇ ଯିଏ ଯାହାର ଗାଆଁ କୁ ଚାଲି ଯାଇଥିଲେ । ପାର୍ଟ ଟାଇମ୍ ରୋଷେଇଆ ଆଉ ଝାଡୁପୋଛା କରୁଥିବା ତା’ର ସ୍ତ୍ରୀ କୁଆଡେ ତିନି ଚାରି ଦିନ ହେବ ଆସୁନଥିଲେ । ଏଇ ଅବସ୍ଥାରେ ବୁଢା ଙ୍କର ଘରୁ ପଚାଗନ୍ଧ ଆସିବାରୁ ପଡୋଶୀମାନଙ୍କ ମଧ୍ୟରୁ କେହି ଜଣେ ଫୋନ୍ କରିଥିଲେ ପୋଲିସ୍ ଷ୍ଟେସନ୍ କୁ। ଏବେ ପୋଲିସ୍ ଆସି ସେ ଘର ର ଗେଟ୍ , କବାଟ ସବୁ ଭାଙ୍ଗିଲା ପରେ ଉଦ୍ଧାର କରିଛି ବୁଢା ଙ୍କର ଗଳିତ ଶବ କୁ। ଫୋନ୍ ନମ୍ବର ଖୋଜାଖୋଜି କରି ଖବର ଦେଇଛନ୍ତି ତାଙ୍କ ପିଲାମାନଙ୍କ ପାଖକୁ ।
ସରଜମିନ ତଦନ୍ତ ଆରମ୍ଭ ହୋଇଛି, ଶେଷ ହେଲେ ଆମ୍ବୁଲାନ୍ସ ରେ ନେବ ହସ୍ପିଟାଲ୍ । କିଏ ଜାଣେ କେବେ, କେମିତି, କେଉଁ ରୋଗରେ ମରିଛନ୍ତି ସିଏ?” କରୋନା “ ବୋଲି ଚିହ୍ନଟ ହେଲେ କାଳେ ଆମ ଏ ଖଣ୍ଡକ” କଣ୍ଟେଣ୍ଟମେଣ୍ଟ୍ ଜୋନ୍ “ ଘୋଷଣା ହେବ , ତାଙ୍କ ଶବକୁ ସରକାରୀ ନିୟମ ଅନୁସାରେ ଇଲେକ୍ଟ୍ରି ଚୁଲ୍ଲୀ ରେ ପୋଡି ଦିଆଯିବ, ତାଙ୍କ ପରିବାରରୁ କେହି ଆସି ପାରିବେନି, ଆହା! କି ଦୁର୍ଭାଗ୍ୟ ସେ ବାବୁଙ୍କର, କହିଲ ମାଆ ? ଏତେ ବଡ ଲୋକ, ଏତେ ଧନ ସମ୍ପତ୍ତି, ଏତେ ଶିକ୍ଷିତ ପୁଅ ଝିଅ, କେହି କାମରେ ଆସିଲେନି ଶେଷ ବେଳେ? ଆହାଃ ଆହାଃ କହି କାନ୍ଦି ପକାଉଥିଲା ସୁଲ । ମୋ’ର ପାଦ ଦୁଇଟିକୁ ଚଟାଣ ଜାବୁଡି ଧରିଥିଲା ଯେମିତି । ଦେହ ହାତ ଥରଥର ହୋଇ ଥରୁଥିଲା, ମୁଣ୍ଡ ଘୁରାଇ ପଡି ଯାଉଁ ଯାଉଁ ବୋଉ ର ଖଟ ଉପରେ ଲଥ୍ କରି ବସି ପଡିଲି ମୁଁ । ବୋଉ କୁ ଛାତିରେ ଚାପି ଧରି ଭେଁ ଭେଁ କାନ୍ଦି ଉଠିଲି ।।