sushama Parija

Tragedy

4  

sushama Parija

Tragedy

ନୀରବ ଝଡ

ନୀରବ ଝଡ

6 mins
217



ସଞ୍ଜ ଗଡି ରାତି ହେଲାଣି ଅଥଚ ରାନୁ ଏଯାଏଁ ଫେରିନି ଘରକୁ । ଘର ମାନେ ରାଜଧାନୀର ରାସ୍ତା କଡ଼ରେ ଥିବା ତାଙ୍କ ପ୍ଲାଷ୍ଟିକ୍ ଜରି ର ସେଇ ଛଅ ଫୁଟ ଲମ୍ବା ଦଶଫୁଟ ଚଉଡା ର ପଲାକୁ ଯେଉଁଠି ଦୁଷ୍ମନ୍ତ, ଶର୍ବରୀ ,ଆଠ ବର୍ଷ ର ରାନୁ ଆଉ ଦଶ ବର୍ଷ ର ରାହୁଲ୍ ଆଶ୍ରୟ ନିଅନ୍ତି ସଞ୍ଜରୁ ସକାଳ ଯାଏଁ । ସକାଳୁ ଉଠି ଯିଏ ଯାହାର କାମରେ ବାହାରି ଯାଆନ୍ତି, ଦୁଷ୍ମନ୍ତ ଯାଏ ଗୋଦାମରେ ମାଲ୍ ଅନଲୋଡ୍ କରିବାକୁ, ଶର୍ବରୀ ଯାଏଁ ରାସ୍ତା ପାଖ ଉଠା ଜଳଖିଆ ଦୋକାନରେ ବାସନ ମାଡିବାକୁ, ରାହୁଲ୍ ଆଉ ରାନୁ ଖଣ୍ଡିଏ ଛିଣ୍ଡା ଅଖା ଧରି ବୁଲି ବୁଲି ଜରି ଗୋଟେଇବାକୁ । ଦିନସାରା ଯିଏ ଯାହାର କାମ କରି ସଞ୍ଜ ବେଳକୁ ଫେରି ଆସନ୍ତି ସେଇ ପଲା ତଳକୁ ।ସେଇଟା ତାଙ୍କର ନିର୍ଭୟ ଆଶ୍ରୟ ସ୍ଥଳ । ରାନୁ ପିଲାଟିଏ ହୋଇଥିଲା ବେଳେ ସେମାନେ କେନ୍ଦ୍ରାପଡାର କେଉଁ ସମୁଦ୍ରକୂଳିଆ ଗାଆଁ ରୁ ବିତାଡିତ ହୋଇ ଧାଇଁ ଆସିଥିଲେ ରାଜଧାନୀ ଭୂବନେଶ୍ବରକୁ ଟିକିଏ ଆଶ୍ରୟ ପାଇଁ । ତାଙ୍କ ଗାଆଁ ର ଆହୁରି ଅନେକ ଲୋକମାନେ ମଧ୍ୟ ଆସିଥିଲେ ଏଠିକି ।ଯିଏ ଯାହାର ସୁବିଧା ଦେଖି କୋଉଠି କାମ ଧନ୍ଦା କରି ବସ୍ତି ମାନଙ୍କରେ ରହିଲେ , ହେଲେ ଛୋଟ ଛୁଆଟାକୁ କୋଳରେ ଧରି ଆଉ ଗୋଟାଏ ଛୋଟଛୁଆକୁ ସାଙ୍ଗରେ ଘୋଷାରି ଶର୍ବରୀ କିଛି କାମ ଧନ୍ଦା କରି ପାରିଲାନି। ଦୁଷ୍ମନ୍ତ ମୂଲ ମଜୁରି ଲାଗି ଯାହା ଆଣୁଥିଲା ସେଇଥିରେ ଚାରିପ୍ରାଣୀ କୁଟୁମ୍ବ ଚଳୁଥିଲେ । ରାସ୍ତା କଡ଼ରେ ପଲା ମାରି ରହୁଥିଲେ । 

ସାଙ୍ଗସାଥୀଙ୍କର ମେଳରେ ପଡି ଦୁଷ୍ମନ୍ତ ମଦ ,ଗଞ୍ଜେଇ ଅଭ୍ୟାସ କଲା , ଅଧା ରୋଜଗାର ସେଥିରେ ସାରିଲା , ତେଣୁ ବାଧ୍ୟ ହୋଇ ଶର୍ବରୀ ଗୋଡ କାଟିଲା ବାହାରକୁ । ଗାଆଁ ରେ ଭୋକ ଉପାସରେ ରହୁଥିଲା କିନ୍ତୁ ଇଜ୍ଜତ ଟିକକ ସୁରକ୍ଷିତ ଥିଲା, ହେଲେ ଏଠି ପିଲାଙ୍କୁ ଜଗି ଘରେ ରହିବା ଭିତରେ ସେ ଜାଣି ସାରିଲାଣି ଇଜ୍ଜତ ବଞ୍ଜ୍ଚେଇ କେହି ଏଠାରେ ପେଟ ପୋଷି ପାରିବନି । ଦୁଷ୍ମନ୍ତ ଥିବା ଯାଏ କାହାର ଦେଖା ନଥାଏ ହେଲେ ସେ ଘରୁ ବାହାରକୁ ଗଲା ମାତ୍ରେ ତା’ ପଲା ଆଗରେ ଉଭା ହୁଅନ୍ତି ବହୁତ ଦୟାଶୀଳ ମାନେ ଯିଏ ତା’ ରୂପ ଯୌବନ ବିନିମୟରେ ତା’କୁ ସରଗ ଦେଖାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦିଅନ୍ତି , ଖୁବ୍ ସତର୍କତାର ସହିତ ସେମାନଙ୍କ ଭୋକିଲା ଆଖି ଆଉ ଡାହାଳ କୁକୁର ଭଳିଆ ଲାଳ ଗଡୁଥିବା ମୁହଁ ରୁ ନିଜକୁ ରକ୍ଷା କରେ ଶର୍ବରୀ । ପ୍ରଥମଥର ପାଇଁ କାମ କରିବା ଆରମ୍ଭ କଲାବେଳକୁ ସେ ଜଣେ ଭଦ୍ରଲୋକଙ୍କ ଘରକୁ କାମ କରିବାକୁ ଯାଉଥିଲା , ଘରେ ସ୍ୱାମୀ ସ୍ତ୍ରୀ ଦୁଇଜଣ, ଦୁହେଁ ଚାକିରୀଆ, ବେଶୀ କାମ ନଥିଲା,ତେଣୁ ସକାଳ ସନ୍ଧ୍ୟାରେ କାମ ସାରିଦେଇ ଆସି ପିଲାଙ୍କୁ ଦେଖି ପାରୁଥିଲା । ମାଲିକାଣୀଙ୍କ ଆଗରେ କୁକୁର ଭଳି ଲାଞ୍ଜ ହଲାଉଥିବା ସେଇ ସ୍ୱାମୀଟି ଦିନେ ସ୍ତ୍ରୀଙ୍କର ଅନୁପସ୍ଥିତିରେ ଶର୍ବରୀକୁ ଏମିତି ଅତର୍କିତ ଭାବରେ ଆକ୍ରମଣ କଲେ ଯେ ନିଜକୁ ରକ୍ଷା କରିବାକୁ ଯାଇ ତାଙ୍କ ହାତକୁ ପୁଳାଏ କାମୁଡି ଦେଇ କବାଟ ଖୋଲି ବାହାରକୁ ଧାଇଁ ପଳାଇ ଆସିଥିଲା ଶର୍ବରୀ । ସେଇ ଦିନଠାରୁ ସେ ଆଉ ଘରୋଇ କାମ କରିବା ପାଇଁ ଯାଏନାହିଁ । 

ଏଇ ରାସ୍ତା ଉପରେ ଥିବା ଉଠା ଜଳଖିଆ ଦୋକାନୀ ମାନଙ୍କୁ ଅନୁରୋଧ କରି ସେଇ ମାନଙ୍କର ବାସନକୁସନ ମାଜେ, ସେମାନେ ପଇସାପତ୍ର ସହ କିଛି ବାସି ବଳକା ଜିନିଷ ମଧ୍ୟ ଦିଅନ୍ତି ଯାହାକୁ ପିଲାଙ୍କୁ ଖୁଆଇ ନିଜେ ଖାଏ। ରାତିରେ ପଲା ବାହାରେ ଉଠା ଚୁଲ୍ଲୀ ଲଗାଇ ଭାତ ମୁଠାଏ ରାନ୍ଧି ଦିଏ, ସେଥିରେ ପାଣି ପୁରାଇ ଦିନବେଳେ ଆଣିଥିବା ତରକାରୀ ପତ୍ର ଦେଇ ଖାଆନ୍ତି ସମସ୍ତେ। ଦୁଷ୍ମନ୍ତ କେବେ କେବେ ବାହାରେ ଖାଇ ଦେଇ ଆସେ ତ କେବେ କେବେ ସେମାନଙ୍କ ସାଥିରେ ଖାଏ। ଆଜିକାଲି ର ପରିସ୍ଥିତି ଦେଖି ସେ ସବୁବେଳେ ଡରୁଥାଏ ରାନୁ ପାଇଁ, ସେଥିପାଇଁ ଗୋଡେ ଗୋଡେ ଜଗାଇଥାଏ ରାହୁଲ୍ କୁ , ତାଗିଦା କରି କହିଥାଏ ରାନୁ କୁ ପାଖରେ ରଖିଥିବୁ ଆଖିରେ ଆଖିରେ, ଦୂରକୁ ଛାଡିବୁନି, ଦୁନିଆଁ ଭଲ ନାହିଁ, କେତେବେଳେ କୋଉ କଥା । ଦଶବର୍ଷର ହେଲେ ବି ରାହୁଲ୍ ସବୁ ବୁଝେ । ରାନୁ କୁ ମୋଟେ ପାଖଛଡା କରେ ନାହିଁ । ଦିନସାରା ଜରି, ଭଙ୍ଗା ପ୍ଲାଷ୍ଟିକ୍ ବୋତଲ ଗୋଟେଇ ଗୋଟେଇ ସଞ୍ଜ ପୂର୍ବରୁ ଫେରିଆସେ, ଚନ୍ଦ୍ର କାକାର ଗୋଦାମରେ ଦେଇ ଯାହା ପଇସା ହୁଏ, ଆଣି ମା’ ହାତରେ ଧରେଇ ଦିଏ । କେବେ କେବେ ମା’ ସେଥିରୁ ଟଙ୍କାଏ ଦି ଟଙ୍କା ବଢେଇ ଦିଏ ସେମାନଙ୍କୁ , ରାସ୍ତା କଡ ଦୋକାନରେ ଗୁପ୍ ଚୁପ୍ ଖାଇବାକୁ । ରାନୁର ଗୁପ୍ ଚୁପ୍ ଖାଇବାକୁ ଭାରି ଲୋଭ, ରାହୁଲ୍ ତା’କୁ ସାଙ୍ଗରେ ନେଇ ଗୁପ୍ ଚୁପ୍ ଖୁଆଏ । ଓଃ ସେତେବେଳେ କି ଖୁସି ରାନୁର , ହସ ଲହଡି ଭାଙ୍ଗେ ରାନୁ ର ଶୁଖିଲା ମୁହଁ ରେ, କହେ” ଦାଦା, ସବୁଦିନେ ମା’ ଦିଅନ୍ତାନି ଦି’ ଟଙ୍କା ଗୁପ୍ ଚୁପ୍ ଖାଇବାକୁ? ରାହୁଲ୍ କହେ ହଉ , ମା’ କୁ କହିବା , ହେଲେ ସେ ଜାଣି ଥାଏ ମା’ କେବେ ବି ସବୁଦିନେ ଦେବ ନାହିଁ ଦି’ ଟଙ୍କା କାରଣ ମା’ ତ ସେଇ ଜରି ଗୋଟେଇବା ପଇସା ସବୁ ସାଇତି ରଖେ ଗୋଟିଏ ଡବାରେ ରାନୁ ବାହାଘର ପାଇଁ । ସେଥିପାଇଁ ସେ ଯଥା ସମ୍ଭବ କମ୍ ଖର୍ଚ୍ଚରେ ଘର ଚଳାଏ , ବାସି ତରକାରୀ, ପଖାଳ ଭାତରେ । ସେଇ କଥା ମା’ ରାହୁଲ୍ କୁ ସବୁବେଳେ କହେ “ ଆମର ତ ଘରଘାଟ ନାହିଁ, ରାନୁ ବଡ ହେଲେ ରହିବ କୋଉଠି? ତୁ ସିନା ପୁଅ ପିଲା, ଯେଉଁଠି ପାରେ ସେଠି ରହିଯିବୁ, ତା’କୁ ଏ ସ୍ୱାର୍ଥପର ମଣିଷ କଞ୍ଚା ପାଇଯିବେ ପରା, ତେଣୁ ଆଉ କିଛି ଦିନ ପରେ ତା’କୁ ଆମରି ବିରାଦରି ଭିତରେ ଯୋଗ୍ୟ ପାତ୍ର ଦେଖି ଦେଇ ଦେବା। ତେଣିକି ଯାହା ଆମ ଭାଗ୍ୟରେ ଥିବ"। 

ରାହୁଲ୍ ସବୁ ବୁଝେ, ମନେ ମନେ ଭାବେ ଦିନେ ସିଏ ବି ବଡ ହେବ, ବାପା ଭଳି ବଡ କାମ କରିବ, ମଦ ଗଞ୍ଜେଇ ରେ ପଇସା ଉଡେଇବନି,ଛୋଟ ହେଉ ପଛେ ଭଲ ଘରଦ୍ବାର କରି ବାପା ମାଆଙ୍କୁ ଏ ପଲା ଭିତରର ଦୁଃଖ ଜୀବନ ଆଉ ଭୋଗିବାକୁ ଦେବ ନାହିଁ । ରାନୁକୁ ଗୋଡେ ଗୋଡେ ଜଗିଥାଏ ସେ। ଶୀତଟା ଏଇ କେଇ ଦିନ ହେବ ଟିକିଏ ଜୋର୍ ପଡିଛି । ପିଲା ଭିତରେ ଛିଣ୍ଡା କନ୍ଥା ଆଉ ସମ୍ଭାଳି ପାରୁନି ଶୀତକୁ, ଥଣ୍ଡା କାଶ ଧରି ଭାଇ ଭଉଣୀ ଦୁଇ ଜଣ ଯାକ ଖୁଁ ଖୁଁ ହେଉଛନ୍ତି । ସେଇଥିରେ ମଧ୍ୟ ଜରି ଗୋଟାଇବାକୁ ବାହାରି ଗଲେ, ଖରା ତେଜ ଟିକିଏ କମିଗଲା ବେଳକୁ ରାହୁଲ୍ କୁ ଲାଗିଲା ତା’କୁ ଜର ଆସୁଛି, ତା’ ଦେହ ଥର ଥର ହୋଇ ଥରୁଥିଲା ଆଉ ମୁଣ୍ଡ ଘୁରେଇବାକୁ ଆରମ୍ଭ କରିଥିଲା। ସେ ରାନୁକୁ କହିଲା “ ଚାଲ୍ ଫେରିଯିବା ଘରକୁ, ମୋ ଦେହ ଭଲ ଲାଗୁନି, ଜର ଆସୁଛି “ । ରାନୁ କହିଲା “ ହଁ ଯେ , ଏଇ ଯେତିକି ଜରି ଗୋଟେଇଛେ ସେଇତକ ଚନ୍ଦ୍ର କାକା ଦୋକାନରେ ଦେଇଦେବି, ଯାହା ପଇସା ହେବ ,ନେଇକି ମାଆକୁ ଦେଲେ ସେ ଔଷଧ କିଣି ଦେବ ତତେ” । କଥାଟା ମନକୁ ପାଇଲା ରାହୁଲ୍ ର। ଜରି ଆଉ ଭଙ୍ଗା ପ୍ଲାଷ୍ଟିକ୍ ଭର୍ତ୍ତି ଅଖା ବ୍ୟାଗ୍ ଟି ପିଠିରେ ପକାଇଲା ରାନୁ, ରାହୁଲ୍ ତା’ ହାତଧରି ଧରି ଆଗେଇ ଗଲା ଚନ୍ଦ୍ର କାକାର ରଦ୍ଦି ଗୋଦାମ ଆଡକୁ । ଦୁହିଁଙ୍କୁ ଅବେଳରେ ଦେଖି ଚନ୍ଦ୍ର କାକା ପଚାରିଲେ “ ଆରେ ଆଜି କ’ଣ ଏତେ ଜଲଦି ଫେରି ଆସିଲ ? ଏତିକି ମାଲ୍ ରେ କେତେ ପଇସା ହେବ? ଟଙ୍କାଏ ଦୁଇ ଟଙ୍କା ହେବ କି ନାହିଁ, ଏଥିରେ କ’ଣ କରିବ ତମେ ?” ।  ରାହୁଲ୍ କିଛି କହିବାକୁ ଆଗରୁ ରାନୁ କହି ଉଠିଲା “ ନାଇଁ ମ କାକା ! ଆଜି ଦାଦା ଦେହ ଭଲ ନାହିଁ, ଥଣ୍ଡା ହୋଇ ଜର ଆସୁଛି, ଦେଖୁଛ କେମିତି ଥରୁଛି, ତମେ ଆଜି ପଇସା ଦେଲେ ଦାଦାର ଔଷଧ କିଣାହେବ” । ଚନ୍ଦ୍ର କାକା ଚାହିଁଲା ରାହୁଲ୍ ର ମୁହଁ କୁ । ଜର ପ୍ରକୋପରେ ତା’ର ଦେହ ଥରୁଥିଲା, ମୁହଁ ଟା ନାଲି ଦିଶୁଥିଲା । ଗଦି ଉପରୁ ଓହ୍ଲାଇ ଆସିଲା ଚନ୍ଦ୍ର କାକା, ହାତରେ ଆଉଁସି ଦେଲା ରାହୁଲ୍ କୁ , କଅଁଳ ସ୍ୱରରେ କହିଲା “ ଆରେ ରେ , ଏତେ ଜର ଭର୍ତ୍ତି ହୋଇଛି ଛୁଆଟା ଦେହରେ! କେମିତି ଏଥିରେ ଘରକୁ ଯିବ ? ବରଂ ମୋ ପାଖରେ ଗୋଟିଏ ଔଷଧ ଅଛି ତା’କୁ ଖାଇ ରାହୁଲ୍ କିଛି ସମୟ ଏଇଠି ବସୁ, ତା’କୁ ଟିକିଏ ଭଲ ଲାଗିଲା ପରେ ଘରକୁ ଯିବ। ଚନ୍ଦ୍ର କାକା ର ଆଦରପୂର୍ଣ୍ଣ କଥାରେ ଲୁହ ଆସିଗଲା ରାନୁ ଆଖିରେ, ତା’ର ମନେହେଲା ଠାକୁରେ ବୋଧହୁଏ ଚନ୍ଦ୍ର କାକା ଭଳି ଲୋକ ମାନଙ୍କୁ ଗଢିଛନ୍ତି ତାଙ୍କରି ଭଳି ଦୀନଦୁଃଖୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ।ଚନ୍ଦ୍ର କାକା ଔଷଧ ବୋତଲ ଟି ଆଣି ନିଜ ହାତରେ ପିଆଇଦେଲେ ରାହୁଲ୍ କୁ ଆଉ ରାନୁ କୁ କହିଲେ "ତୁ ବି ଏଥିରୁ ଟିକିଏ ଖାଇଦେ ରେ ରାନୁ , ଏ ଥଣ୍ଡା ଟା ପରା ଡିଆଁ ରୋଗ, ନହେଲେ ତତେ ମଧ୍ୟ ଜର ହୋଇ ଯିବ"। ସରଳ ବିଶ୍ୱାସ ରେ ରାନୁ ପାଟି ଆଁ କରି ଦେଲା, ଚନ୍ଦ୍ର କାକା ଔଷଧ ଦେଲେ ତା’ର ପାଟିରେ । 

ରାତି କେତେ ହେବ କେଜାଣି , କାହାର "ରାନୁ ରାନୁ, ରାହୁଲ୍ ରାହୁଲ୍" ଡାକ ଶୁଣି ଭିଡି ମୋଡି ହୋଇ ଉଠିଲା ରାହୁଲ୍ । ତା’ର ଗୋଡ ହାତ ଚଳୁ ନଥିଲା ,ମୁଣ୍ଡ ଟା ଝାଙ୍କି ପକାଉଥିଲା, ବଡ କଷ୍ଟରେ ନିଜ ଶରୀର କୁ ଘୋଷାରି ଘୋଷାରି ଠିଆ ହେଲା ସେ। ରାନୁ !ରାନୁ ! ଡାକ ଟା ଆହୁରି ପାଖେଇ ଆସୁଥିଲା , ଧ୍ୟାନ ଦେଇ ଶୁଣିଲା ରାହୁଲ୍, ଇଏ ତ ତା’ ମାଆ ର ସ୍ୱର ! ସିଏ ଏବେ କୋଉଠି? ଅନ୍ଧାର ଭିତରେ ତା’କୁ କିଛି ଜଣା ପଡୁନଥିଲା ମନେ ପକାଇବାକୁ ଚେଷ୍ଟା କରୁଥିଲା ରାହୁଲ୍, ଜରୁଆ ଦେହରେ ରାନୁ ତା’କୁ ଆଣିଥିଲା ଚନ୍ଦ୍ର କାକାର ଗୋଦାମକୁ ।ସିଏ ଏଠି କେମିତି? ରାନୁ ଗଲା କୁଆଡେ? ଗୋଟାଏ ଅହେତୁକ ଶଙ୍କାରେ ଥରିଗଲା ରାହୁଲ୍ ର ସାରା ଶରୀର। ଝାଡି ଝୁଡି ହୋଇ ଠିଆ ହେଲା ରାହୁଲ୍, “ ରାନୁ , ରାନୁ,” ବୋଲି ଚିତ୍କାର କରି ଡାକିଲା , କୌଣସି ସୋର୍ ଶବ୍ଦ ନ ପାଇ ସେଇ ଅନ୍ଧାର ଭିତରେ ଆଗକୁ ଆଗକୁ ଧାଇଁଲା, ବାଟରେ କ’ଣ ଗୋଟାଏ ଝୁଣ୍ଟି କରି ତଳେ ପଡିଗଲା ସେ। ହାତ ମାରି ଅଣ୍ଡାଳି ଅଣ୍ଡାଳି ଦେଖିଲା , ଗୋଟାଏ ଫୁଙ୍ଗୁଳା ଦେହରେ ହାତ ବାଜିଲା ତା’ର । “ ରାନୁ” ବୋଲି ଜୋରରେ କୁହାଟ ଛାଡି କାନ୍ଦି ଉଠିଲା ରାହୁଲ , ହାତରେ ଛୋଟ ଟର୍ଚ୍ଚ ଲାଇଟ୍ ଟିଏ ଧରି ସେଇ ଆଡକୁ ଆଗେଇ ଆସୁଥିଲା ତା’ ମାଆ ଶର୍ବରୀ, ତା’ ପଛରେ ତା’ ବାପା ଦୁଷ୍ମନ୍ତ, ଟର୍ଚ୍ଚ ଲାଇଟ୍ ର ଆଲୁଅ ପଡିଲା ରଡି ଛାଡି କାନ୍ଦୁଥିବା ରାହୁଲ୍ ର ମୁହଁ ରେ । ଧୀରେ ଧୀରେ ନଇଁ ଆସି ଲାଇଟ୍ ପଡିଲା ରାହୁଲ୍ ପାଖରେ ପଡିଥିବା ରାନୁ ଉଲଗ୍ନ, କ୍ଷତବିକ୍ଷତ ଶରୀର ଉପରେ । “ ମୋ ରାନୁ ଲୋ “ ବୋଲି ଚିତ୍କାର କରି ତଳେ ବସି ପଡିଲା ଶର୍ବରୀ, ପଛରେ ଠିଆ ହୋଇଥିବା ଦୁଷ୍ମନ୍ତ ଜଳଜଳ ହୋଇ ଚାହିଁ ରହିଥିଲା ରାନୁ ର ନିଷ୍ପ୍ରାଣ ଶରୀର କୁ । ନୀରବ ଝଡ ଟାଏ ବୋହି ଯାଇଥିଲା ତା'ର ପରିବାର ଉପରେ।।



Rate this content
Log in

Similar oriya story from Tragedy