ନୀଳାଚଳରେ ଭକ୍ତରାଜ ବିଭୀଷଣ
ନୀଳାଚଳରେ ଭକ୍ତରାଜ ବିଭୀଷଣ
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ l ତାଙ୍କ ଲୀଳା କଥା ତାଙ୍କୁ ହିଁ ଜଣା l ତ୍ରେତୟାଯୁଗର କଥା, ପ୍ରଭୁ ରାମ ଅବତାର ଗ୍ରହଣ କରି, ଜାନକୀଙ୍କ ଛଳରେ ଦୁଷ୍ଟ ଦଶାନନକୁ ବଧ କଲେ l ପ୍ରଭୁଙ୍କୁ ଏହି ଦୁସ୍ତର କାର୍ଯ୍ୟ ସାଧନ କରିବାରେ ସହାୟକ ହୋଇଥିଲେ ଖୋଦ ରାବଣର ଭାଇ, ମହାପ୍ରଭୁଙ୍କ ପରମ ଭକ୍ତ, ବିଭୀଷଣ l ରାବଣ ସଂହାର ପରେ ପ୍ରଭୁ ଶ୍ରୀରାମ ପରମ ଭକ୍ତ ବିଭୀଷଣଙ୍କୁ ଲଙ୍କାର ରାଜ ପଦରେ ଅଭିଷିକ୍ତ କଲେ l କିନ୍ତୁ ଭଗଵାନ ଯେଉଁଠି ତାଙ୍କ ଭକ୍ତ ମଧ୍ଯ ସେଇଠି l
ବିଭୀଷଣଙ୍କ ତେଣୁ ରାଜ ଆସନରେ ତିଳେ ମାତ୍ର
ଲୋଭ ନଥିଲା l ତାଙ୍କ ଚିତ୍ତ, ଚୈତନ୍ୟ ଲାଗିରହି ଥିଲା ପ୍ରଭୁଙ୍କ ଭକ୍ତିରେ l ପ୍ରଭୁ ଶ୍ରୀରାମଙ୍କର କ୍ରମେ ଲୀଳାର ଅନ୍ତଃ ସମୟ ଆସି ପହଞ୍ଚିଗଲା l ଦିନେ ବିଭୀଷଣ ପ୍ରଭୁଙ୍କୁ କହିଲେ, ପ୍ରଭୁ ମୋ ଭାଗ୍ୟରେ କ'ଣ ଆଉ ଆପଣଙ୍କ ଦର୍ଶନର ସୌଭାଗ୍ୟ ଜୁଟିବ ନାହିଁ l ପ୍ରଭୁ ଶ୍ରୀରାମ ତାଙ୍କୁ କହିଲେ:-
କିଞ୍ଚାନ୍ୟୟକ୍ତୁମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ l
ଆରାଧ୍ୟାୟ ଜଗନ୍ନାଥମିଇକ୍ଷ୍ଵାକୁଳଦୈବତମ୍ ll
(ବାଲ୍ମିକୀ ରାମାୟଣ, ଉତ୍ତରାଖଣ୍ଡ ୧୦୮/୨୮)
ଅର୍ଥାତ୍ ସେତେବେଳେ ପ୍ରଭୁ ଶ୍ରୀରାମ ତାଙ୍କୁ କଥା ଦେଇଥିଲେ ଏବେ ନୁହେଁ, ମୁଁ କଳିଯୁଗରେ ମର୍ତ୍ତ୍ୟ ବୈକୁଣ୍ଠ, ନୀଳାଚଳ ଧାମରେ ଜଗନ୍ନାଥ ରୂପରେ ଲୀଳା କରିବି l ତୁମେ ପ୍ରତ୍ୟେକ ଦିନ ମୋର ବଡ଼ ଦେଉଳକୁ ଆସି ମୋତେ ରତ୍ନସିଂହାସନ ଉପରେ ଦର୍ଶନ କରିବ l ସେହିଦିନଠାରୁ ବିଭୀଷଣ ପ୍ରତ୍ୟହ ଛଦ୍ମବେଶରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବଡ଼ ଦେଉଳକୁ ଆସନ୍ତି l
ମହାପ୍ରଭୁଙ୍କର ଜଣେ ସେବକ ତଥା ଭକ୍ତ ଥିଲେ ଶ୍ରୀ ପଟ୍ଟଯୋଶୀ ମହାପାତ୍ର l ଥରେ ଶ୍ରୀକ୍ଷେତ୍ରର କେତେ ଜଣ ଭକ୍ତ ତୀର୍ଥଯାତ୍ରାରେ ବାହାରିଲେ l ସେହି ଭକ୍ତମାନେ ମିଶି ପଟ୍ଟଯୋଶୀ ମହାପାତ୍ରଙ୍କୁ ସାଥ ହୋଇ ଯିବାପାଇଁ ଅନୁରୋଧ କଲେ l କିନ୍ତୁ ମହାପ୍ରଭୁଙ୍କ ସେବାରେ ବ୍ୟାଘାତ ହେବ କହି ସେ କଥାକୁ ଟାଳିଦେଲେ l ମାତ୍ର ନଯାଇ ପାରୁଥିବାରୁ ତାଙ୍କ ମନ ଟିକିଏ ଦୁଃଖ ହେଲା l ବିଷଣ୍ଣ ଚିତ୍ତରେ ଥାଆନ୍ତି ପଟ୍ଟଯୋଶୀ ମହାପାତ୍ରେ,ରାତିରେ ତାଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ,ତୁମେ ଚନ୍ଦନଲାଗି ବେଳେ ଜୟବିଜୟ ଦ୍ୱାରରେ ବେତର ଅଗ୍ରଭାଗ ଲଗାଇ ଛିଡ଼ାହେବ l ଭକ୍ତଙ୍କ ଭିତରୁ କେହିଜଣେ ତୁମକୁ ବେତ ଖସାଇ ଦେବାପାଇଁ କହିବ l ତୁମେ ବେତ ଖସାଇ ଦେଇ ଗୁପ୍ତଭାବରେ ଛିଡ଼ା ହେବ l ଫେରି ଆସି ସେହି ଭକ୍ତ ତୁମକୁ ପୁଣି ବେତ କାଢ଼ି ଦିଅ ବୋଲି କହିବ l ତୁମେ ସେଇଠାରେ ତାଙ୍କର ପରିଚୟ ମାଗିବ l ସେ ତୁମକୁ ଏକ ଅମୂଲ୍ୟ ନିଧି ଦେଇ ଚାଲିଯିବେ l
ପରଦିନ ପ୍ରଭୁଙ୍କ କଥାନୁସାରେ ମହାପାତ୍ରେ ଯାଇ ଜୟବିଜୟ ଦ୍ୱାରରେ ଠିଆ ହେଲେ l ଚନ୍ଦନଲାଗି ସମୟ ହେବାରୁ ଏକ ଦିବ୍ୟ ଜ୍ୟୋତିର୍ମୟ ପୁରୁଷ ଆସିଲେ ଏବଂ ତାଙ୍କୁ ବେତ ଖସାଇ ଦେବାପାଇଁ କହିଲେ l ପଟ୍ଟଯୋଶୀ ବେତକୁ ଖସାଇ ଦେଲେ l ମହାପ୍ରଭୁଙ୍କ ଦର୍ଶନ ସାରି ସେ ଫେରି ଆସିଲେ ଓ ପୁଣି 'ବେତ ଖସାଇ ଦିଅ କହିଲେ' l ପଟ୍ଟଯୋଶୀ ବେତଟିକୁ ଖସାଇ ଦେଇ ତାଙ୍କୁ ଅନୁସରଣ କରି ଯାଇ ତାଙ୍କ ପରିଚୟ ମାଗିଲେ l
ସେ ଦିବ୍ୟପୁରୁଷ ଜଣକ ତାଙ୍କ ପରିଚୟ ଦେବାକୁ ଯାଇ କହିଲେ, ମୁଁ ଲଙ୍କାପତି ବିଭୀଷଣ l ପ୍ରତ୍ୟହ ମୁଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଲଙ୍କାପୁରୀରୁ ଶ୍ରୀକ୍ଷେତ୍ର ଆସେ l
ଭକ୍ତ ବିଭୀଷଣଙ୍କ ପରିଚୟ ଓ ଦର୍ଶନ ଲାଭକରି ପଟ୍ଟଯୋଶୀ ନିଜକୁ କୃତାର୍ଥ ମନେ କଲେ ଓ ତାଙ୍କ ହାତରେ ପ୍ରଭୁଙ୍କ ଛଡ଼ା ଚନ୍ଦନ ଓ ତୁଳସୀ ପ୍ରଦାନ କଲେ l ବିଭୀଷଣ ପ୍ରଭୁଙ୍କ ଚନ୍ଦନ ତୁଳସୀ ନେଇ ପଟ୍ଟଯୋଶୀ ମହାଶୟଙ୍କୁ ଦକ୍ଷିଣା ଯାଚନା କଲେ l ପଟ୍ଟଯୋଶୀ କହିଲେ,ମହାତ୍ମନ ! ଆପଣ ମୋତେ ଦକ୍ଷିଣା ସ୍ବରୁପେ ଏମିତି ଗୋଟିଏ ପଦାର୍ଥ ପ୍ରଦାନ କରନ୍ତୁ,ଯେପରି ତାହାଦ୍ୱାରା ମୁଁ ଆପଣଙ୍କ ଦର୍ଶନ ପ୍ରାପ୍ତ ହୋଇଛି ବୋଲି, ଭକ୍ତ ଗହଣରେ ପରିଚିତ ହୋଇପାରିବି l
ଭକ୍ତ ବିଭୀଷଣ ବହୁ ଚିନ୍ତା କରି ନିଜ ହସ୍ତରୁ ସ୍ବର୍ଣ୍ଣ
କଙ୍କଣଟି କାଢି ପଟ୍ଟଯୋଶୀ ମହାପାତ୍ରଙ୍କୁ ବଢାଇ ଦେଲେ l ବିଭୀଷଣଙ୍କ ପ୍ରଦତ୍ତ ସୁବର୍ଣ୍ଣ କଙ୍କଣ ଆଜି ପର୍ଯ୍ୟନ୍ତ ପଟ୍ଟଯୋଶୀ ମହାପାତ୍ରଙ୍କ ଗୃହରେ ପୂଜା ହେଉଛି l
ଭକ୍ତ ବିଭୀଷଣ ଯେ ମହାପ୍ରଭୁଙ୍କୁ ପ୍ରତ୍ୟହ ଦର୍ଶନ କରିବାକୁ ଆସୁଛନ୍ତି ଏ କଥା ଏ ଘଟଣାରୁ ପ୍ରଘଟ ହୋଇଯିବାରୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, "ପ୍ରଭୁ ! ଆପଣ ଦେଇଥିବା କଥା ଅନୁସାରେ ମୁଁ ପ୍ରତ୍ୟହ ଆପଣଙ୍କୁ ଅତି ସନ୍ତର୍ପଣରେ ଆସି ଦର୍ଶନ କରୁଥିଲି,ମୋର ଆସିବା ଏବେ ପ୍ରଘଟ ହେଉଛି l ମୁଁ କିପରି ନିର୍ବିଘ୍ନରେ ଆପଣଙ୍କର ଦର୍ଶନ ପାଇବି, ତାହାର ବ୍ୟବସ୍ଥା ଆପଣ କରିବା ହୁଅନ୍ତୁ "l ଏଥିପାଇଁ , ବିଭୀଷଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରର ଉପରିସ୍ଥ ଭାଗର ଦକ୍ଷିଣ ପାର୍ଶ୍ଵରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶ୍ରୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରାଯାଇଛି l ସେହି ବିଗ୍ରହଙ୍କୁ ଲଙ୍କାରୁ ଭକ୍ତ ବିଭୀଷଣ ଦର୍ଶନ କରି ତାଙ୍କ ଅଭିଳାଷ ପୂରଣ କରନ୍ତି l ପ୍ରଭୁ ଲଙ୍କାପତି ବିଭୀଷଣଙ୍କୁ ଯେଉଁ ବର ଦେଇଥିଲେ ତାହାକୁ ବର୍ଣ୍ଣନା କରି ବଳରାମ ଦାସ ତାଙ୍କ ବଟ ଅବକାଶରେ ଲେଖିଛନ୍ତି :-
ଶୁଣି ଦାଶରଥି ବୋଇଲେ ବଚନ l
ନିତ୍ୟ ନୀଳାଚଳେ ପାଉଥିବୁ ଦର୍ଶନ ll
ପୁଣି ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁ ଯେତେବେଳେ ଦକ୍ଷିଣ ମୋଡ଼ ହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେତେ ବେଳେ ବି ବିଭୀଷଣ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ଅନୁଷ୍ଠିତ ହୋଇଥାଏ ବିଭୀଷଣ ବନ୍ଦାପନା ନୀତି l ଏହା ମଧ୍ୟ ବଟ ଅବକାଶରେ ବଳରାମ ଦାସ ବର୍ଣ୍ଣନା କରିଛନ୍ତି :-
ଦ୍ୱାଦଶ ଯାତ୍ରା ଆମ୍ଭର ଦକ୍ଷିଣ ମୂର୍ତ୍ତି ବେଳେ l
ତୁ ହୋ ବିଭୀଷଣ ଦର୍ଶନକରିବୁ ତେତେବେଳେ l
ଆହୁରି ମଧ୍ୟ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଉପରାନ୍ତେ ମହାପ୍ରଭୁ ଯେତେବେଳେ ଅଣସର ଗୃହକୁ ବାହୁଡ଼ି ଆସନ୍ତି ସେତେବେଳେ ମଧ୍ୟ ବିଭୀଷଣଙ୍କ ଦକ୍ଷିଣା ମୂର୍ତ୍ତି ବନ୍ଦାପନା ହୋଇଥାଏ l ଏହି ବନ୍ଦାପନାର ବିଧି ପତି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥାଏ l ନୀଳାଚଳ ମାଧୁରୀ ଗ୍ରନ୍ଥରୁ ଏହାର ପ୍ରମାଣ ମିଳେ :-
ସ୍ନାନ ଯାତ୍ରା ସାରି ସ୍ନାନ ମଣ୍ଡପରୁ
ମନ୍ଦିର ବିଜେ କାଳରେ l
ବିଭୀଷଣ ବନ୍ଦାପନା ଜଗନ୍ନାଥ
ହୁଅନ୍ତି ରହି ବାଟରେ ll
ପତି ମହାପାତ୍ର ବିଭୀଷଣଙ୍କର
ତହିଁ ପ୍ରତିନିଧି ହୋଇ l
ବନ୍ଦାପନା ବିଧି ବତାଇ ଦିଅନ୍ତି
ଉପଚାର ମାନ ଥୋଇ ll
ଶ୍ରୀ ଗୁଣ୍ଡିଚା ଯାତ୍ରା କାଳରେ ବିଭୀଷଣ ମହାପ୍ରଭୁଙ୍କ ଦକ୍ଷିଣ ମୂର୍ତ୍ତି ଦର୍ଶନକୁ ଲକ୍ଷ୍ୟ କରି କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ଲେଖିଛନ୍ତି :-
ହେମ ଶ୍ରୀ ପୟରେ ହେମ ଯେ ଭୁଜରେ
ଶୋହେ ହେମ ଧନୁର୍ବାଣ l
ଯେବଣ ଦକ୍ଷିଣ ମୂର୍ତ୍ତି ଦର୍ଶନକୁ
ଟାକିଥାନ୍ତି ବିଭୀଷଣ ll