Lipi Sahoo

Tragedy Inspirational

4.8  

Lipi Sahoo

Tragedy Inspirational

ନିହାତି ଅନ୍ତଃରଙ୍ଗ ଡାକ.....

ନିହାତି ଅନ୍ତଃରଙ୍ଗ ଡାକ.....

9 mins
251


ଠିକ୍ ଆଠଟା ବାଜିଲେ ଦାଣ୍ଡ ରେ ତା ଡ଼ାକ ଶୁଭେ । କଦଳୀ ନେବ କଦଳୀ ...... ପାଚିଲା କଦଳୀ । ନୀଳିମା ତା ଡାକକୁ କାନେଇ ଥାଏ । ସବୁଦିନେ ଯେ ତା ଠୁ କଦଳୀ କିଣେ ତା ନୁହଁ । ହେଲେ ୩/୪ ଦିନରେ ଥରେ ଭୋଗ ପାଇଁ କଦଳୀ ତାଠାରୁ କିଣେ । ସେ ବି ଜାଣେ କୋଉ ଦିନ ନୀଳିମା କଦଳୀ ରଖିବ । ଗେଟ୍ ପାଖରେ ଆସି ଡାକପକାଏ ମା କଦଳୀ ନେଇଯାଅ ... । ପ୍ରାୟ ଦଶ ବର୍ଷ ହେବ ସେ ଏଇ କଦଳୀ ବେପାର କରୁଚି । ଏଇ ଦଶ ବର୍ଷ ଭିତରେ ତା ସହିତ ନୀଳିମା ର ଏକ ରକମ ସଂପର୍କ ଯୋଡ଼ି ହୋଇ ଯାଇଛି । କେବେ କେବେ ପିଣ୍ଡାରେ ଆସି ବସେ । ପାଣି ମାଗି ପିଏ । ନୀଳିମା ବି ଦିନେ ଦିନେ ତାକୁ ଜୋର କରି ଜଳଖିଆ ଖାଇବାକୁ ଦିଏ । ଭାରି ସ୍ବାଭିମାନି । ସହଜରେ କିଛି ଗ୍ରହଣ କରେନି । ନୀଳିମା ବଳେଇ ବଳେଇ ତାକୁ ଦିଏ । କହେ , ମା ବୋଲି ଡାକୁଚୁ ହେଲେ କଥା ମାନୁନୁ । ସେ ଆଉ ମନା କରି ପାରେନି ।

     

ପାଞ୍ଚ ବର୍ଷ ତଳର କଥା । ବୈଶାଖ ମାସ ଡହଡହ ଖରାବେଳ । ସତେ କି ସେଦିନ ଅଗ୍ନିବର୍ଷା ହେଉଥାଏ । ଲଥକରି ଆସି ପିଣ୍ଡାରେ ବସିପଡ଼ି ଡାକପକେଇଲା ମା ପାଣି ମୁନ୍ଦେ ଦେବ । ମୁଣ୍ଡ ଟା କାହିଁକି ବୁଲେଇ ପକଉଚି । ସେ ଟିକେ ଦହିପାଣି କରି ଆଣି ଦେଲା । ପିଇକି ଟିକେ ସାଷ୍ଟାମ ହେଲା । ସେ ଦିନ ଟାଣ ଖରାକୁ ଚାହିଁ ପିଣ୍ଡାରେ ଘଡ଼ିଏ ବସିଲା । କହୁ କହୁ ତା କାହାଣୀ କହିଲା ।


                   ନାଁ ତା'ର ଲକ୍ଷ୍ମୀ । ବୟସ ୪୦ । ଘର ତା'ର ବରହମପୁର । ସ୍ବାମୀ ତା'ର ଗୋଟେ କମ୍ପାନୀ ରେ କାମ କରୁଥିଲା । ୭/୮ ବର୍ଷ ର ଝିଅ ପଦ୍ମା । ବେଶ୍ ସ୍ୱଚ୍ଛଳ ଅବସ୍ଥା ଥିଲା ତାଙ୍କର । ଶଶୁର ୪ବଖରା ର ଘର ଖଣ୍ଡେ କରିଥିଲେ । ଦୁଇ ବଖରା ରେ ଏମାନେ ରହୁଥିଲେ ଆର ଦୁଇ ବଖରା ରେ ତା ଦିଅର ର ପରିବାର ରହୁଥିଲେ । ହସଖୁସିରେ ପରିବାର ଚାଲିଥିଲା । ହେଲେ ଦଇବ ଦଉଡ଼ି ମଣିଷ ଗାଈ । କେତେବେଳେ କ'ଣ ଲେଖା କିଏ କହିବ ?? ତା ବରକୁ ଯକ୍ଷ୍ମା ହେଲା । ଯେତେ ଡାକ୍ତର ବଇଦ ଦେଖେଇଲା ଭଲ ହେଲାନି । ପାଣି ଭଳିଆ ପଇସା ଖର୍ଚ୍ଚ ହେଲା ସିନା କିଛି ଲାଭ ହେଲାନି । ଆମ ଦୁହିଁଙ୍କୁ ପର କରି ଆରପାରି କୁ ଚାଲିଗଲା । ଦୁଃଖ ଯେବେ ଆସେ ସାଙ୍ଗସାଥୀ ଧରିଆସେ । ଦିଅର କ'ଣ ଭାବିଲା କେଜାଣି , ଆମ ଦୁହିଁଙ୍କୁ ପୋଷିବାକୁ ପଡ଼ିବ କି କ'ଣ ?? ତା ମନ ବଦଳି ଗଲା । ପୂରା ଘରକୁ ମାଡ଼ି ବସିଲା । ହାଣିବ କାଟିବ କହି ଡରେଇଲା । ଏକୁଟିଆ ଝିଅକୁ ଧରି କେମିତି ରହିବ ??? ଚଡକ ପଡ଼ିଲା ତା ମୁଣ୍ଡରେ । ଭଲା ବାପଘର ଟିକେ ଆଶ୍ରା ହେଇଥାନ୍ତେ !! ହେଲେ ବାପଘର କଥା ନକହିଲେ ଭଲ । ବାପ ମା ତ କୋଉ ଯୁଗରୁ ଆରପାରିକୁ ଚାଲିଯାଇଥିଲେ । ଭାଇ ତା'ର ସ୍ତ୍ରୀ ଆଉ ୪ ଛୁଆପିଲା ଙ୍କୁ ନେଇ ଘାଣ୍ଟି ହେଉଥିଲା । ସେମିତି କିଛି ବିଶେଷ ରୋଜଗାର ନଥିଲା ଭାଇର । ତେଣୁ ତା ବେକରେ ଯାଇ ଝୁଲିବାକୁ ଚାହୁଁ ନଥିଲା । ଆଉ ଏଠି ରହି ଦିଅର ସହ ଲଢ଼ିବାକୁ ନା ତାପାଖରେ ଥିଲା ସମ୍ବଳ ନା ସାହାସ । ସାଇ ପଡ଼ିଶାରେ ୟେ କଥା କହିଲା । ହେଲେ ଆଜିକାଲି କିଏ କାହା କଥାରେ ମୁଣ୍ଡ ପୁରଉଚି । ନିଜ ଦୁଃଖ ତ ନିଜକୁ ବଳଉଚି । ସେମାନେ କହିଲେ ଥାନା ରେ ଯାଇ କହ । ଥାନାରେ ଯାଇ କହିଲି । ଦିଅରକୁ ଡକେଇ ଥାନାବାବୁ ଧମକେଇଲା । ହେଲେ କଥା ଓଲଟା ହେଲା । ସେ ଆସି ମୋତେ ଓଲଟି ଧମକ ଦେଲା ଚୁପଚାପ୍ ଏଠୁ ଚାଲିଯା ନହେଲେ ତମ ଦୁହିଁଙ୍କ ପତ୍ତା ବି କେହି ପାଇବେନି । ଏପଟେ ଖାଇ ସେପଟେ କୂଅ । ଆଉ କିଛି ବାଟ ନପାଇ ଠାକୁର ଙ୍କ ହାତ ରେ ସବୁ ଟେକିଦେଇ ଟ୍ରେନ ରେ ଭୁବନେଶ୍ୱର ଚାଲି ଆସିଲା । ଯୋଗକୁ ଭୁବନେଶ୍ୱର ଷ୍ଟେସନ ରେ ଜଣେ ବରହମପୁରିଆ ସହ ଭେଟ ହେଲା । ସେ ଠେଲାରେ କଦଳୀ ବିକେ । ତାକୁ ନେଇ ବସ୍ତିରେ ରଖେଇଲା ଆଉ କଦଳୀ ବୁଲି ବୁଲି ବିକିବାକୁ କହିଲା । ସେଇ ଦିନରୁ ସେ କଦଳୀ ବିକୁଚି । ଆଉ ପଛକୁ ଫେରି ଚାହିଁ ନାହିଁ । ପାଖ ସରକାରୀ ସ୍କୁଲରେ ଝିଅର ନାଁ ଲେଖେଇ ଦେଇଚି । ସେଇଠି ସେ ପଢେ । 

                   

                   ମାଁ ବସ୍ତି ରେ ଆମେ କେମିତି ପୋକମାଛି ଭଳି ବଞ୍ଚୁ ତମେ କାହୁଁ ଜାଣିବ ??? ଯେଉଁ ସବୁ କଥା ଶୁଣି ତୁମେ କାନମୁଣ୍ଡରେ ହାତ ଦିଅ ନାକ ଟେକ ସେଠି ସେ ଘଟଣା ସବୁ ନିତି ଘଟେ । ପେଟ ପାଇଁ ସବୁ ନାଟ ମା । ଆହା ପଦେ କହି ପିଠିରେ ହାତ ବୁଲେଇବାକୁ ସେଠି କେହି ନାହିଁ । ସମସ୍ତ ଙ୍କୁ ତ ନିଜ ନିଜ ଦୁଃଖ ବଳେଇ ପଡୁଛି । କିଏ କାହାକୁ ସାହା ହେବ ?? ସବୁ ବଞ୍ଚିବା ପାଇଁ ଅଣନିଃଶ୍ବାସୀ ହେଇ ଏକ ଅନ୍ଧଗଳିରେ ଧାଇଁଛନ୍ତି । ରାତି ପାହିଲେ ସେଠି ଆଲୁଅ ଭରା ନୂଆ ସକାଳ ହୁଏନି ମା !! ଆଉ ଗୋଟେ କଳାହାଣ୍ଡିଆ ମେଘ ଘୋଟା ଅନ୍ଧାରୁଆ ସକାଳ ଆସେ । ଭୋକର ଚିତ୍ର ଭାରି ଭୟଙ୍କର । ଯିଏ ଦେଖିଚି ସିଏ ଜଣିଚି । ସେଠି ଆଉ ପାପ ପୂଣ୍ୟରେ ଫରକ୍ ନଥାଏ । ପେଟ ସେଠି ସର୍ବେସର୍ବା । ବଡବଡିଆ ଙ୍କ ଆଖିରେ ସିନା ସେଟା ପାପପଙ୍କ ଭରା ଇଲାକା । ହେଲେ ସେଇ ପଙ୍କରେ ବୁଡିବାକୁ ଅନ୍ଧାର ରାତିରେ କେତେ ଯେ ବଡବଡିଆ ଲୁଚିଲୁଚି ଆସନ୍ତି । ସେଠି ପେଟର ଭୋକ ସହ ଦେହ ର ଭୋକର ରୋଜ ରୋଜ ଲଢେଇ ଚାଲେ । ଟାପରା କରି କହିଲା , ଶୁଣିଚି ପଙ୍କରେ କାଳେ ପଦ୍ମ ଫୁଟେ । କୋଉଠୁ ଆଣି ଦଇବ କୋଉଠି ପକେଇଲା ?? ଝିଅ ପାଇଁ ଭାରି ଦୁଃଖ ଲାଗେ । ବାପ ଥିଲେ କେତେ ଅଇସିରେ ବଢିଥାଆନ୍ତା । ହେଲେ ଆଜି କୋଉଠି ଆସି ପଡିଚି ?? ଭୟ ବି ଲାଗେ ଦିନ କୁ ଦିନ ସେ ବଢୁଚି , ବଢିଲା ଝିଅ ବସ୍ତିରେ କେତେ ବେଳେ କୋଉ କଥା । ହେଲେ କ'ଣ କରିବି ମା ଭାଗ୍ୟ କୁ ଆଦରି ଦୁହେଁ ପଡିଛୁ । ସବୁ ସେଇ ଉପରବାଲାର ଖେଳ । କାନିରେ ଲୁହ ପୋଛିଲା ।


                   ଧୀରେଧୀରେ ଉଠି ଟୋକେଇ ମୁଣ୍ଡେଇ ଗେଟ୍ ଖୋଲି ଚାଲିଗଲା । ଅନେକ ସମୟ ଯାଏଁ ନୀଳିମା ତା ଯିବା ବାଟକୁ ଅନେଇ ରହିଲା । ଦେଖିଲା ବାରଣ୍ଡା ରେ ଉଡିଆସି କେତେଟା ଶୁଖିଲା ପତ୍ର ପଡିଚି । କାହିଁକି କେଜାଣି ସେଗୁଡାକୁ ବାରଣ୍ଡା ତଳକୁ ପକେଇ ଦେବାକୁ ମନ ହେଲାନି । ତା କାହାଣୀ ଶୁଣିବା ପରେ ନୀଳିମାର ମନଟା ଭାରି ହେଇ ଯାଇଥାଏ । ୟେ ସମୟର ଖେଳ ସବୁ । ଭାଗ୍ୟ କେତେବେଳେ ପାଲଟି ଯିବ କିଏ ଜାଣେ ?? ସେଇ ଦିନରୁ ଲକ୍ଷ୍ମୀ କ'ଣ କିମିଆ କଲା କେଜାଣି ?? ସେବେଠାରୁ ନୀଳିମା ର ପ୍ରାର୍ଥନା ରେ ସେ ଜୋଡି ହେଇଗଲା , ମାନେ ସବୁଦିନେ ଠାକୁରଙ୍କୁ ଜଣାଏ , ହେ ପ୍ରଭୁ ! ସେ ମା ଝିଅଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଅ । ଦିନେ ଯଦି ଲକ୍ଷ୍ମୀ ର ଡାକ ନ ଶୁଣେ ମନଟା ଗୋଳେଇ ଘାଣ୍ଟି ହୁଏ । ତାପର ଦିନ ଡାକ ଶୁଣିଲେ ଦୌଡ଼ି ଯାଇ ପଚାରେ କାଲି କାହିଁକି ଆସି ନଥିଲୁ ??? ଫିକକିନା ହସି କହେ ମା କାଲି ଦେହଟା ଭଲ ଲାଗିଲାନି ତ ସେଇଥି ପାଇଁ ଆସି ନଥିଲି । ନୀଳିମା ଭିତରକୁ ଯାଇ କିଛି ଜଳଖିଆ ଆଣି ଦିଏ ଆଉ ତାଗିଦ୍ କରେ ଠିକ୍ ସେ ଖିଆପିଆ କରେ । ବଝିଲୁ !!!


                  ଦେଖୁଦେଖୁ ସମୟ ଗଡି ଚାଲିଲା । ଲକ୍ଷ୍ମୀ ର ଝିଅ ମେଟ୍ରିକ୍ ପାସ୍ କଲା ଭଲ ନମ୍ବର ରଖି । ସେ ଦିନ ନୀଳିମାର ଖୁସି କହିଲେ ନସରେ । ତା' ପରଦିନ ସେ ପଦ୍ମା ପାଇଁ ସୁନ୍ଦର ଫ୍ରକ୍ ଟେ ଆଣି ଲକ୍ଷ୍ମୀ ହାତରେ ପଠେଇଲା । କହିଲା ଏଇଟା ତା'ର ପୁରସ୍କାର । ଲକ୍ଷ୍ମୀ କୁ ବାରବାର କରି କହିଲା ତା ପାଠପଢ଼ା କେବେ ବନ୍ଦ କରିବୁନି କଲେଜରେ ପଢେଇବୁ । ଯାହା ସୁବିଧା ଅସୁବିଧା ହେଲେ ମୋତେ କହିବୁ । ସେ ହଁ ରେ ମୁଣ୍ଡ ହଲେଇଲା । 


               ଦିନେ ଆସି ଲକ୍ଷ୍ମୀ ପଚାରିଲା , ମା ମୋତେ ତିନି ହଜାର ଟଙ୍କା ଦେବ ?? କଦଳୀ ପଇସାରୁ କାଟି ନେବ ।

                   

                  କିରେ କ'ଣ କରିବୁ ତିନି ହଜାର ଟଙ୍କା ?? ନୀଳିମା ପଚାରିଲା । 

                  ପଦ୍ମା ଏଇ ଖରା ଛୁଟିରେ ଘର ପାଖରେ ସିଲେଇ ଶିଖୁଥିଲା । ସେ ଏବେ କହୁଚି ଗୋଟେ ପୁରୁଣା ସିଲେଇ ମେସିନ ଆଣି ବରାଦ ନେଇ , ଘରେ ଛୋଟ ମୋଟ ସିଲେଇ କରିବ । ଦୁଇ ପଇସା ରୋଜଗାର ବି ହେବ। କଲେଜ ଗଲେ ଖର୍ଚ୍ଚ ବି ତ ବଢ଼ିବ ନା । ସିଲେଇ କଲେ କମ୍ ସେ କମ୍ କଲେଜ ଖର୍ଚ୍ଚ ତ ଉଠିଯିବ । ସେଇଥି ପାଇଁ ମାଗୁଥିଲି । 

                   

       ନୀଳିମା ଶୁଣି ବହୁତ ଖୁସି ହେଇଗଲା । କହିଲା ଲକ୍ଷ୍ମୀ ତୋ ଝିଅ ବେଶ୍ ବଡ ହେଇଗଲାଣି । ନିଜ ଦାୟିତ୍ଵ ନିଜେ ନେବା ଶିଖିଲାଣି । 

        

       ହଁ ମା !! ଅଭାବ ମଣିଷକୁ ବହୁତ କଥା ଶିଖେଇ ଦିଏ ।

ହଉ ରହିଥା । ମୁଁ ଆଣି ଦେଉଚି କହି ଭିତରକୁ ଗଲା । କିଛି ସମୟପରେ ତିନି ହଜାର ଟଙ୍କା ତା ହାତରେ ଦେଲା । 


           ଲକ୍ଷ୍ମୀ ଆଖି ଛଳଛଳ କରି କହିଲା ତମର ୟେ ସାହାଯ୍ୟ କେବେ ଭୂଲିବିନି ମା !!


           ହଉ ହଉ ! ଆଉ କିଛି ସୁବିଧା ଅସୁବିଧା ହେଲେ କହିବୁ । ତୋ ଝିଅକୁ ପ୍ରଭୁ ବଡ଼ ମଣିଷ କରନ୍ତୁ ।


               ଆଜିକାଲି ଲକ୍ଷ୍ମୀ ବେଶ୍ ଖୁସି ଜଣାପଡେ । ଝିଅ ପଢା ସଙ୍ଗେ ସଙ୍ଗେ ରୋଜଗାର ବି କରେ । ସେଇଥି ପାଇଁ । ଦିନେ ଆସି କହିଲା ମା ! ମୁଁ ସେ ବସ୍ତିରେ ନରହି । ଏପଟେ ଆସି ଭଲ ଜାଗାରେ ରହିବି ବୋଲି ଭାବୁଚି । ବଢିଲା ଝିଅକୁ ଧରି ସେଠି ରହିବାକୁ ଭରସା ପାଉନି ।


             ନୀଳିମା କହିଲା , ଭଲ କଥା । ତୁ ଏପଟେ ଘର ଦେଖି ରହ । ସେ ଜାଗାରେ ନ ରହିବା ଭଲ ।


                ସେ ଘର ବଦଳେଇ ଦେଲା । ଦୁହେଁ ରୋଜଗାର କରୁଥିବା ରୁ ହାତ କୁ ଦୁଇ ପଇସା ଅଧିକ ଆସିଲା । ଦିନେ ପଦ୍ମା ସୁନ୍ଦର ବ୍ଲାଉଜଟେ ନୀଳିମା ପାଇଁ କରି ଲକ୍ଷ୍ମୀ ହାତରେ ପଠେଇଲା । ନୀଳିମା ଦେଖି ଖୁବ୍ ଖୁସି ହେଇଗଲା । ବହୁତ ସୁନ୍ଦର ସିଲେଇ କରୁଚି ତ !! ପିଲାଙ୍କ ଠାରୁ ଉପହାରଟେ ପାଇଲେ ଯେମିତି ବାପା ମା ଖୁସି ହେଇ ଯାଆନ୍ତି ଠିକ୍ ସେମିତି । ବ୍ଲାଉଜଟି ପିନ୍ଧି ବହୁତ ସମୟ ଯାଏ ଆଇନାରେ ଦେଖିଲା । ବାଃ !! ଖୁବ୍ ସୁନ୍ଦର ମାନୁଚି ତ ।



                   ଆଜିକାଲି ଲକ୍ଷ୍ମୀ ଖୁବ୍ ଖୁସି ଥାଏ । ଦିନେ ନୀଳିମା ତାକୁ କହିଲା , ପଦ୍ମାକୁ କହୁନୁ ସିଲେଇ ଉପରେ ଆଉ ଅଧିକା ଟ୍ରେନିଂ ନେଉ । ସରକାର ବି ତ ମହିଳା ମାନଙ୍କୁ ବିଭିନ୍ନ ଯୋଜନା ଅନୁଯାୟୀ ମାଗଣା ଟ୍ରେନିଂ ଦେଉଛନ୍ତି । ତା ହେଲେ ରୋଜଗାର ଆହୁରି ବଢି ପାରିବ । 


          ଲକ୍ଷ୍ମୀ କହିଲା , ହଁ ମା !! ସିଏ ସେଇ କଥା କହୁଥିଲା । ସେ ବୁଝାବୁଝି କରୁଛି ସେଇ ବିଷୟରେ ।


             ବାଃ !! ତୋ ଝିଅ ତା ହେଲେ ୟେ ବିଷୟରେ ଆଗରୁ ଜାଣିଚି । ଦେଖିବୁ ଲକ୍ଷ୍ମୀ ସେ ବହୁତ ଆଗକୁ ଯିବ । 


               ୟା ଭିତରେ କିଛି ମାସ ବିତିଗଲା । ଦିନେ ଲକ୍ଷ୍ମୀ ଆସି ଦୁଆରମୁହଁ ରେ ଡାକ ପକେଇଲା ମା.... ମା । ନୀଳିମା ଆସି କହିଲା କାଲି ପା କଦଳୀ ଦେଇ ଯାଇଚୁ । ଆଜି ପୁଣି ଡାକ ପକଉଚୁ ?? ଆଲୋ ତୋ ଟୋକେଇ କାହିଁ ??? ଖାଲି ହାତରେ ଆସିଚୁ ??


              ନାଇଁ ମା !! କଦଳୀ ପାଇଁ ନୁହଁ । ଗୋଟେ ଖୁସି ଖବର ଦେବି ବୋଲି । 


              ମାଁ !! ପଦ୍ମା ଆଜି ଗୋଟେ ଦୋକାନ ଘର ଭଡ଼ାରେ ନେଲା ଏଇ ପାଖରେ । ନୂଆ ଦୋକାନ ଖୋଲିଲା । ଦୁଇଟା ଝିଅ ପିଲା ବି ରଖିଚି । ଆଜି ତା ଦୋକାନ ପୂଜା । ସେ ଅଳି କରି କହିଚି ତୁ ଯା ମା'ଙ୍କୁ ସାଥିରେ ଧରି ଆସିବୁ । ସେ ହିଁ ମୋ ଦୋକାନର ଫିତା କାଟିବେ । ମାଁ ତମେ ଯିବ ନା ??? ନହେଲେ ତା ମନ କଷ୍ଟ ହେବ । 


              ୟେ ଖବର ଶୁଣି ନୀଳିମାର ଖୁସି କହିଲେ ନସରେ । ଯିବିନି କାହିଁକି ??? ... ନିଶ୍ଚୟ ଯିବି । ତୁ ବସ ମୁଁ ବାହାରି କି ଆସୁଚି । ତାକୁ ଆଶିର୍ବାଦ ଦେବାକୁ ମୁଁ ନିଜେ ଯିବି ।


              ପଦ୍ମା ଆସି ନିଳୀମା କୁ ମୁଣ୍ଡିଆ ମାରିଲା । ସେ ବହୁତ ଖୁସି ହେଇଗଲା । ସେ ତା'ର ନିମନ୍ତ୍ରଣ ରକ୍ଷା କରିଥିବା ରୁ । 

              ନୀଳିମା କହିଲା ମା ରେ !! ତୋ ମା ଜୀବନ ରେ ବହୁତ କଷ୍ଟ କରିଛି । ତୁ ତା ମାନ ରଖିବୁ । ମୋର ଆଶିର୍ବାଦ ସଦାବେଳେ ତୋ ସହ ଅଛି । ତୁ ବହୁତ ଆଗକୁ ଯା ଆଉ ଖୁସି ରେ ରହ ... ।

             

             ସତ କୁ ସତ ପଦ୍ମା ର ଦୋକାନ ଖୁବ୍ ଭଲ ଚାଲିଲା । ଲକ୍ଷ୍ମୀ ଆସି ସବୁ ଖବର ଦିଏ ।



             ଦିନେ ନୀଳିମା ଲକ୍ଷ୍ମୀ କୁ କହିଲା । ପଦ୍ମା ର ଦୋକାନ ଭଲ ଚାଲିଲାଣି । ବହୁତ ଲୋକ ତାକୁ ଜାଣିଲେଣି । ତୁ ଏମିତି ଦୁଆର ଦୁଆର ବୁଲି କଦଳୀ ବିକିଲେ ତାକୁ କ'ଣ ଭଲ ଲାଗିବ ??? ତୁ ଏବେ ୟେ କାମ ଛାଡି ଦେ । ତୋର କ'ଣ କଦଳୀ ବିକିବା ନିହାତି ଜରୁରୀ । 

             

             ଲକ୍ଷ୍ମୀ ମୁହଁ ତଳକୁ କରି କହିଲା , ପଦ୍ମା ବି ସେଇ କଥା କହୁଥିଲା । ହେଲେ ମା ମୁଁ କ'ଣ ଝିଅ ରୋଜଗାର ରେ ଚଳିବି ?? ଯାହା ହେଲେ ବି ଝିଅ ଜନମ ପର ଘରକୁ । ହାତ କୁ ଦି ହାତ ହେବ । ସେବେ ମୁଁ କ'ଣ କରିବି ??? ମୋ ହାତଗୋଡ ଚାଲୁଥିବା ଯାଏ କାମ କରିବି ତେଣିକି ଠାକୁରଙ୍କ ଇଚ୍ଛା ।

           

             ନିଳୀମା ଭଲ ଭାବରେ ଜାଣେ ସେ ଭାରି ସ୍ବାଭିମାନି ଟା । କାହାର ବି ଖାଇବ ନି । ହେଲେ ଏମିତି କେତେ ଦିନ ବୁଲିବୁଲି କଦଳୀ ବିକିବ ??? ୟେ କଥା କ'ଣ ତା ଝିଅକୁ ଆଉ ଭଲ ଲାଗିବ ?? ତା ମୁଣ୍ଡ କୁ ଗୋଟେ ବୁଦ୍ଧି ଆସିଲା । ଆରେ ଅଜୟ ତ (ନୀଳିମା ର ସ୍ବାମୀ) ଏବେ ବି . ଏମ୍ . ସି ର ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି । ତାଙ୍କୁ କହିଲେ ସେ ଲକ୍ଷ୍ମୀ ପାଇଁ ବି.ଏମ୍.ସି ତରଫରୁ ମିଳୁଥିବା ଗୋଟେ ଦୋକାନ ଘର ଠିକ୍ କରିଦେବେ । ବରଂ ସେଠି ସେ ଫଳ ଦୋକାନ ଖୋଲି ବସିବ, ଭଲ ହେବ । ଏମିତି ଆଉ ତାକୁ ଦୁଆର ଦୁଆର ବୁଲିବାକୁ ପଡ଼ିବନି । 

              

       ସତ କୁ ସତ ଅଜୟ ଲକ୍ଷ୍ମୀ ପାଇଁ ଗୋଟେ ଦୋକାନ କରେଇ ଦେଲେ । ସେ ସେଠି ଫଳ ଦୋକାନ ଖୋଲି ବସିଲା । ରାସ୍ତା ରେ ଆଉ ତା ଡ଼ାକ ଶୁଭିଲା ନାହିଁ । ୟେତେ ବର୍ଷ ଭିତରେ ସେ ଡାକ ସହ ଅଭ୍ୟସ୍ତ ନିଳୀମା କୁ କିଛି ଦିନ ଖାଲି ଖାଲି ଲାଗିଲା । ଠିକ୍ ଆଠଟା ବାଜିଲେ ତା କାନ ସେଇ ଡାକକୁ କାନାଏ । ସେ ପୁଣି ସଜାଗ ହୁଏ ଆରେ !! ସେ ପା ଆଉ ଆସିବନି । ହେଲେ ଏବେ ଭୋଗ ପାଇଁ କ'ଣ କରିବି ??? ମୋତେ ଏବେ ନିଜେ ଯାଇ ଭୋଗ ଆଣିବାକୁ ପଡ଼ିବ । ବର୍ଷ ବର୍ଷ ଧରି ଲକ୍ଷ୍ମୀ ଏଇ ଦାୟିତ୍ଵ ଟା ତୁଲେଇ ଆସୁଥିଲା । କାଲି ପାଇଁ ଆଉ ଭୋଗ ନାଇଁ । ଆଜି ଯାଇ ଆଣିବାକୁ ପଡ଼ିବ । ସନ୍ଧ୍ୟା ହେଇ ଆସୁଥାଏ । ଦୁଆର ମୁହଁ ରେ ଡାକ ଶୁଭିଲା ମା...... ମା । ସେଇ ପରିଚିତ ସ୍ବର । ନିଳୀମା ଧାଇଁ ଗଲା ଦୁଆର ମୁହଁ କୁ । ଦେଖିଲା ଲକ୍ଷ୍ମୀ ହାତରେ ଗୋଟେ ଜରି ଧରି ଠିଆ ହେଇଚି । 

       

        ଏଇ ନିଅ ମା ଫଳ , ଭୋଗ ପାଇଁ । ମୁଁ ଜାଣେ ଆଜି ତମର ଭୋଗ ସରି ଯିବ । କାଲି ସକାଳେ ତୁମେ ହଇରାଣ ହେବ ସେଇଥି ପାଇଁ ଏବେ ନେଇ ଆସିଲି । ତମେ ଯମା ବ୍ୟସ୍ତ ହେବନି ମୁଁ ତମ ଭୋଗ ସରିବା ଆଗରୁ ସବୁବେଳେ ଫଳ ଦେଇଯିବି । ଏଇଟା ମୋର ଦାୟିତ୍ଵ ଥିଲା ଏବେ ବି ରହିବ। ଏମିତି କହିଲା ଯେମିତି ସେଇଟା ତା'ର ହକ୍ ।

       

       ନୀଳିମାର ଆଖି ଛଳଛଳ ହେଇ ଯାଉଥାଏ । ମନେମନେ କହିଲା ତୁ ମୋ ଠାକୁର ଙ୍କ ଭୋଗ କଥା ବୁଝୁ । ସେଇଥି ପାଇଁ ବୋଧେ ମୋ ଠାକୁର ତୋ କଥା ବୁଝନ୍ତି । କେମିତି ଜାଣୁ ମୋ ଭୋଗ ସରି ଯାଇଛି ବୋଲି । ବର୍ଷ ବର୍ଷ ଧରି ଖରା ହେଉ , ବର୍ଷା ହେଉ , କି ଶୀତ ହେଉ ଠିକ୍ ଟାଇମ୍ ଆଣି କଦଳୀ ଥୋଇ ଦେଉ । ଜରି ଖୋଲି ଦେଖିଲା ଆଜି ସେଥିରେ ଖାଲି କଦଳୀ ନାହିଁ , ବିଭିନ୍ନ ଫଳ ମିଶେଇ କି ଆଣିଚି । 

       

        ଲକ୍ଷ୍ମୀ କହିଲା ଆଜିର ଭୋଗ ପାଇଁ ମୋତେ ପଇସା ଦେବନି । ଏଇଟା ମୁଁ ଠାକୁରଙ୍କୁ ଭେଟି ଦେଉଚି । ୟା ପରଠୁ ପଇସା ଦେବ । ଏବେ ଆଉ ଖାଲି କଦଳୀ ଦେବିନି ସବୁ ଫଳ ମିଶେଇ କି ଦେବି । ଠାକୁର କଦଳୀ ଖାଇ ଖାଇ ବିଜାର ହେଇ ଜିବେଣି । ଏବେ ମୁଁ ଆସୁଚି ମା !!


             ତା'ର ମୋ ଠାକୁର ଙ୍କ ପ୍ରତି ଏତେ ଅହେତୁକି ଭଲପାଇବା କାହିଁକି ?? ସେ କ'ଣ ଜାଣିପାରିଛି ?? ମୁଁ ସବୁବେଳେ ତା ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ ବୋଲି !! ତମ ପ୍ରତି ୟେତେ ଆକର୍ଷଣ କାହିଁକି ତା'ର ??? ତମ ଲୀଳା ତମେ ହିଁ ଜାଣ ।


Rate this content
Log in

Similar oriya story from Tragedy