ନିଆରା ସମ୍ପର୍କ......
ନିଆରା ସମ୍ପର୍କ......
ଜୀବନର ଅଙ୍କା ବଙ୍କା ରାସ୍ତା ରେ ଚାଲୁ ଚାଲୁ ଚାଲୁ ବିଶ୍ଵନାଥ ସାର୍ ଆଜି ଏ କୁଟିଆ ହେଇ ଯାଇଛନ୍ତି ।ପରିବାର କହିଲେ ଦୁଇ ପ୍ରାଣୀ କୁଟୁମ୍ବ ତେଲ ଲୁଣ ର ସଂସାର ଦୁଃଖ ସୁଖରେ କଟି ଯାଏ
ଦରଦୀ ମଣିଷଟିଏ , ଗାଁ ଟି ଯାାକର ନ୍ୟାୟ ନିଶାପ ତାଙ୍କରି ଘରେ । ବୁଢ଼ା ଠୁ ଭେଣ୍ଡିଆ ଯାଏ କେହି ତାଙ୍କ କଥା କୁ ବେଖାତିର କରନ୍ତି ନାହିଁ । ସମସ୍ତଙ୍କର ସୁଖ ଦୁଃଖ ହାନୀ ଲାଭ ରେ ସାର୍ ଙ୍କୁ ଖୋଜା ପଡେ । ସ୍ତ୍ରୀ ସାବିତ୍ରୀ ବି କେଉଁ ଗୁଣରେ କମ୍ ନୁହନ୍ତି, ନାଁ ଯେମିତି ଗୁଣ ବି ସେମିତି ।
ସକାଳ ଠୁଁ ସଞ୍ଜ ଯାଏଁ ଘରେ ଯିବା ଆସିବା ଲାଗି ରହେ । ସକାଳୁ ମୁହଁ ଅନ୍ଧାର ରୁ ଉଠି ନିତ୍ୟକର୍ମ ସାରି ଗାଁ ନିଶାପ ରେ ବସିଥିବେ ଯେ ବସିଥିବେ ।
"ହେଇଟି ଶୁଣୁଛ ଆଜି ସ୍କୁଲ୍ ଜିବନିକି..! ସ୍ତ୍ରୀ ଙ୍କର ଡାକରା ପଡେ । କଣ ଦିଟା ଖାଇ ବାହାରି ଯାନ୍ତି ସ୍କୁଲ୍ । ସ୍କୁଲ୍ ରୁ ଫେରି ଲାଗି ଯାନ୍ତି କାମରେ ଗାଁ ପିଲାଙ୍କୁ ନେଇ, କେଉଁଠି ଗଛ ଲଗାଇବା ତ କେଉଁଠି ରାସ୍ତା ମରାମତି, ନିତିଦିନିଆ କାମ
ଦୁହିଁଙ୍କ ର ସମ୍ପର୍କ ଅତି ନିବିଡ଼ । ପ୍ରତିଟି କାମକୁ ଦୁହେଁ ମିଳି ମିଶି ତୁଲେଇ ନିଅନ୍ତି । ବାହାଘର ର ଚାଳିଶି ବର୍ଷ ବିତିଗଲାଣି କେବେ ମାନ ମନାନ୍ତର ରାଗ ରୁଷା ହେଇନି ଦୁହିଁଙ୍କ ଭିତରେ । ସ୍ତ୍ରୀ ଙ୍କର ଭୁଲା ପଣ ଯୋଗୁଁ ବେଳେ ବେଳେ ଅନେକ କିଛି ଭୁଲିଯାଆନ୍ତି ସେ , ଏମିତି କି କେବେ ଖାଇବାରେ ଲୁଣ ଅଧିକ ତ କେବେ ଲଙ୍କା ଅଧିକ କିନ୍ତୁ ସାର୍ ଙ୍କ ର କେବେବି ଅଭିଯୋଗ ନଥାଏ , ଭାରି ବୁଝିଲା ସୁଝିଲା ମଣିଷ ଟିଏ । ଠାକୁର କୋଳରେ ଛୁଆଟିଏ ସିନା ଦେଇନାହାନ୍ତି , କିନ୍ତୁ ଗାଁ ଟି ଯାକର ପିଲାଙ୍କୁ କୋଳରେ ଧରି ଏଡୁଟିଏ ରୁ ଏଡୁଟିଏ କରିଛନ୍ତି । ଗରିବ ପିଲାଟିଏ ଦେଖିଲେ ମନ ତରଳି ଯାଏ ଦୁହିଁଙ୍କର । କେତେ ଗରିବ ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ ପରି ମଣିଷ କରିଛନ୍ତି ସମାଜ ଆଗରେ ।
ବିଶ୍ଵନାଥ ସାର୍ ଆଜି ଅବସରପ୍ରାପ୍ତ , ଆଜି ସେ ନିଶ୍ଵ । ସମାଜ ପାଇଁ ଆଜି ସେ ଅଲୋଡା । ଘରେ ଆଗଭଳି ଆଉ ନ୍ୟାୟ ନିଶାପ ର ଗହଳି ଲାଗୁନି । ଆଜି କାଲିକା ଭେଣ୍ଡିଆ କାହା କଥା ଶୁଣନ୍ତି ତାଙ୍କ କଥା ଶୁଣିବେ । ଗାଁ ର ଶିରି ତୁଟି ଗଲାଣି ,ନା ଅଛି ଭାଗବତ ଟୁଙ୍ଗି, ନା ଆଗଭଳି ଗାଁ ରେ ହେଉଛି ମେଳା ମହୋତ୍ସବ । କାହାରି ପାଇଁ କାହା ପାଖରେ ସମୟ ନାହିଁ । ସମସ୍ତେ ଆଜି ମାୟା ମୃଗ ର ତୃଷ୍ଣା ରେ
ବିଭୋରିତ । ଭାଇ ଚାରା ଆଜି ଅପାଠୁଆ ନେତା ମାନଙ୍କ ପକେଟ୍ ରେ, ସଂସ୍କାର ଆଉ ସଂସ୍କୃତି କାହିଁ କେତେ କୋଶ ଦୂରରେ ।
ଦୂର ଦିଗବଳୟ କୁ ଚାହିଁ ପୁରୁଣା ଦିନ ର ଅଭୁଲା ସ୍ମୃତି ରେ ହଜି ଯାଇଥିଲେ ବିଶ୍ବନାଥ ସାର୍ । ହଠାତ୍ କାନ୍ତ ଘଡ଼ିର ଆବାଜରେ ଚେତନା କୁ ଫେରି ଲେ, ସଅଳ ସଅଳ ରୋଷେଇ ଘରକୁ ଯାଇ ସାବିତ୍ରୀ ଙ୍କ ପାଇଁ ଜଳଖିଆ ତିଆରି କରି ହସ୍ପିଟାଲ୍ ଯିବା ପାଇଁ ବାହାରି ପଡିଲେ ।
ସିଷ୍ଟର ....ସିଷ୍ଟର ବିଶ୍ଵନାଥ ସାର୍ ଡାକ ପକାଇଲେ , ଡାକ ଶୁଣି ଦୈାଡି ଆସିଲା ମାନସୀ
କ'ଣ ହୋଇଛି ଜେଜେ ସରାଗ ରେ ପଚାରିଲା ମାନସୀ । ଦେଖିଲୁ ମା ଆଙ୍ଗୁଠି ଟା ଠିକ ହେଲାଣି କି ନାହିଁ । ହାତ ବଢ଼େଇ ଦେଲେ ମାନସୀ ଆଡ଼କୁ । ପଟି ଖୋଲୁ ଖୋଲୁ ପଚାରିଲା ମାନସୀ କଣ ଜେଜେ ଆଜି ଏତେ ତର ତର କାହିଁକି ଜେ...? କଣ ଆଜି ଜେଜେମା ସହିତ କେଉଁଠି କି ବୁଲିବାକୁ ଯିବା ର ଅଛିକି ....!
ବିଶ୍ବନାଥ- ହଁ ରେ ମା ପାଖ ନରସିଂହ ହୋମ୍ କୁ
ମାନସୀ- କାହିଁକି ଜେ ...?
ବିଶ୍ବନାଥ- ବିଗତ ପାଞ୍ଚ ବର୍ଷ ହେଲାଣି ତୋ ଜେଜେ ମା ସେଠି ଏଡମିଟ ଅଛି । ଆଉ ଆମର ନିୟମ ପ୍ରତି ଦିନ ସକାଳ ୯.୩୦ ରେ ଦୁହେଁ ମିଶି ଜଳଖିଆ କରୁ । ଆଜି ଟିକିଏ ଲେଟ୍ ହୋଇଗଲାଣି ରେ ମା ।
ମାନସୀ- ଆଜି ତାହାଲେ ତୁମ ସହିତ ମୋତେ ବି ଗାଳି ହବ ଜେଜେ ।
ବିଶ୍ବନାଥ- ନାହିଁ ରେ ମା ବିଗତ ପାଞ୍ଚ ବର୍ଷ ହେଲା ତାର କିଛି ମନେ ନାହିଁ , ସବୁକିଛି କିଛି ଭୁଲି ଯାଇଛି ସେ । ଏମିତି କି ମତେ ବି ଠିକ୍ ସେ ଚିହ୍ନି ପାରୁନି ।
ମାନସୀ- ତା'ହେଲେ ବିଗତ ପାଞ୍ଚ ବର୍ଷ ହେଲା ଠିକ୍ ୯.୩୦ ରେ ଜଳଖିଆ ....?
ଆଲୋ ମା ସେ ସିନା ମୋତେ ଚିହ୍ନି ପାରୁନି, ଜାଣି ପାରୁନି ହେଲେ ମୁଁ ତାକୁ ଜାଣିଛି ନା ...
ସେ ମୋ ପାଇଁ କ'ଣ । ଭଲପାଇବା ଟା ଖାଲି ଦୈହିକ ମିଳନ ନୁହେଁ ଏହା ପବିତ୍ର ମନ ଓ ହୃଦୟ ର ମିଳନ । ପ୍ରକୃତ ପ୍ରେମ ଜିବନରେ ଥରେ ମିଳିଥାଏ, ଯେ କୌଣସି ପରିସ୍ଥିତିରେ ହେଉବା ଯେ କୌଣସି ଅବସ୍ଥାରେ ହେଉ ଦୁହେଁ ଦୁହିଁଙ୍କର ନିକଟତର ରହିବା ଦରକାର ଏହା ହିଁ ପ୍ରକୃତ ସମ୍ପର୍କ ରେ ମା ।
ଜେଜେ ଙ୍କ କଥା ଶୁଣି ଅମାନିଆ ଲୁହ ଟୋପାକ ବୋଲ ମାନିଲାନି ମାନସୀ ଆଖି ରେ ।
ସତରେ କି ନିଆରା ସମ୍ପର୍କ । ନୈସର୍ଗିକ ପ୍ରେମର ନିଆରା ଉଦାହରଣ ବିଶ୍ବନାଥ ସାର୍