କୁନି.. କାହାଣୀ ହୃଦୟର
କୁନି.. କାହାଣୀ ହୃଦୟର
ଶରତର ଶାରଦୀୟ ସକାଳ । ପୂଜ୍ୟ ପୂଜାର ଋତୁ । କାଶତଣ୍ଡି ଫୁଲରେ ସମସ୍ତ ଧରା ପୃଷ୍ଠ ଆଜି ଯେମିତି ସୁସଜ୍ଜିତ । ଶରତର ମୃଦୁ ସ୍ପର୍ଶରେ ଧରଣୀ ରାଣୀ କାଶତଣ୍ଡିର ପସରା ମେଲାଇ ଚାତକ ପରି ଚାହିଁ ରହିଛି ମା ର ଆଗମନକୁ । ସମସ୍ତ ପୁରପଲ୍ଲୀ ଘଣ୍ଟ ମାଦଳର ସ୍ୱରରେ ପୂରି ଉଠୁଛି । ନୂଆ ଉଦ୍ଦୀପନା ନୂଆ ଉନ୍ମାଦନା ନେଇ ଆବାଳବୃଦ୍ଧବନିତା ମା ଙ୍କର ଆବାହନ କରୁଛନ୍ତି ତାଙ୍କ ର ଆର୍ଶୀବାଦରେ ଆପ୍ୟାୟିତ ହେବା ପାଇଁ ।
ମଣିଷ ତାର ପ୍ରକୃତ ପକୃତିକୁ ଭୁଲି ମା ଙ୍କ ପାଖରେ ଶରଣାପନ୍ନ ହୋଇ ନିଜର ଶୁଭ ମନାସୁଛି । ନିଜର ସ୍ବାର୍ଥ ସିଦ୍ଧି ପାଇଁ ଆଜି ସେ ଶରଣାପନ୍ନ । ନାରୀମାନଙ୍କ ପ୍ରତି ନଜରିଆ ବଦଳିଛି ତାର । ମାଟି ପଥରରେ ତିଆରି ମୂର୍ତ୍ତି ପ୍ରତି ଅହେତୁକ ଆବୀଳତା କିନ୍ତୁ ରକ୍ତ ମାଂସର ଗଢା ନାରୀ ପ୍ରତି ବିକୃତ ଭାବନା । ଏମିତି କିଛି ବିକୃତ ମସ୍ତିଷ୍କର ମଣିଷ ମାନଙ୍କୁ ଛାଡ଼ି ଦେଲେ କିଛି ଭଲ ଲୋକଙ୍କ ପାଇଁ ତିଷ୍ଠି ରହିଛି ଦୁନିଆ ।
ସେମିତି ଏକ ନିଷ୍ପାପ ହୃଦୟର ପିଲାଟିଏ ମନୋଜ । ହସ ହସ ମୁହଁ । ଯେତେ ଦୁଃଖ କଷ୍ଟ ଆସିଲେବି ସବୁ ଦୁଃଖକୁ ହସି ହସି କେମିତି ସହିଯିବ ସେ କଳାଟି ସେ ଶିଖିଛି ତା ବାପା ପରମାନନ୍ଦ ବାବୁଙ୍କ ଠାରୁ ।
ପରମାନନ୍ଦ ବାବୁ ଜଣେ ସରଳିଆ ମଣିଷ । ଛନ୍ଦ କପଟ କିଛି ଜାଣନ୍ତି ନାହିଁ । ନିଛୁକ ମଣିଷ ପଣିଆ ର ପ୍ରତିଛବି । ଗରିବ ହେଲେବି ଭାରି ସ୍ଵାଭିମାନୀ । ଟଙ୍କା ପଇସାର ସିନା ଅଭାବ କିନ୍ତୁ ପିଲାମାନଙ୍କର ସଂସ୍କାରର ରେ ଅଭାବ ରଖିନାହାନ୍ତି । ମଣିଷ ପରି ମଣିଷ କରି ଗଢ଼ିଛନ୍ତି ପିଲା ମାନଙ୍କୁ । ମାଛି କୁ ମର ବୋଲି କୁହନ୍ତି ନାହିଁ ।
ବାପା ଗଲାପରେ ଘରର ସବୁ ଦାୟିତ୍ଵ ବହନ କରେ ମନୋଜ । ବାପାଙ୍କର ସଂସ୍କାରକୁ ପାଥେୟ କରି ସାନ ଭାଇ ଭଉଣୀଙ୍କୁ ମଣିଷ କରିଛି । ସମସ୍ତେ ତାର ହୃଦୟର ନିକଟତର । କିନ୍ତୁ ସବୁଠୁ ନିଜର ତାର ସାନଭଉଣି । କିଏ ପାଗିଳି ଡାକେ ତ କିଏ ଡାକେ ସରଧାରେ ତାକୁ “କୁନି” କିନ୍ତୁ ମନୋଜ ପାଇଁ ସେ ତାର ଗେହ୍ଲେଇ ଭଉଣୀ ।
କୁନି " ଅବୋଧ ଝିଅଟିଏ । ଦୁନିଆର ରିତି ନିତି ,ଛନ୍ଦ କପଟ କିଛି ବୁଝେନା । ସେ ତା ଦୁନିଆ ରେ ମଶଗୁଲ୍ । ତା କଣ୍ଠରେ ଗୀତର ମୂର୍ଚ୍ଛନା ଭାରି ମନ ମତାଣିଆ । "ଦୀପ ଲା ଲା ଲା .... ଦୀପ ଲା ଲା ଲା.... ଦୀପ ଲା ଲା ଲା" । ଏ ଗୀତର ଅର୍ଥ ଆଜି ବି ଖୋଜି ପାଏ ନା । କିନ୍ତୁ ଶୁଣିବାକୁ ଭଲପାଏ ମନୋଜ ।
ଠିକସେ କଥା କହିପାରେନା ନା କୁନି । ଭଗବାନ ଭାରି ନିଷ୍ଠୁର, ନିଷ୍କପଟ ନିରିହ ପିଲାଟିକୁ ଦୁନିଆ ଯାକର ଦୁଃଖ ଦେଇଛନ୍ତି । କେତେ ଡାକତର ଦେଖେଇ ଛି କେତେ ଦିଅଁ ଦେବତା ମନାସିଛି କୁନି ପାଇଁ ମନୋଜ, କିନ୍ତୁ କିଛି ଲାଭ ମିଳିଲା ନାହିଁ । ଘରେ ଗେରସ୍ତ ଭାରିଜା ମିଶି ପାଞ୍ଚ ପ୍ରାଣୀ କୁଟୁମ୍ବ କମେଇବା ଲୋକ ଜଣେ । ସାଇ ପଡ଼ିଶା ବନ୍ଧୁ ବାନ୍ଧବମାନେ ପାଖରେ ବସେଇ ବୁଝାନ୍ତି ମନୋଜକୁ ଭାଇ ମାନଙ୍କୁ ହାତକୁ ଦି ହାତ କରେଇଲୁ ସମସ୍ତେ ନିଜ ନିଜର ସଂସାରରେ ମସ୍ ଗୋଲ, ଏବେ ନିଜ ସଂସାର କଥା ତ ଭାବେ ।
କିରେ... ମନୋଜ ଆଜି କାମକୁ ଯାଇନୁ କିରେ ?
ନାହିଁ ମ ଦିନା କକା, ଏବେ ପରା ପୂଜା ଛୁଟି ।
ଓହୋ , ଆରେ ପୁଅ ଗୋଟେ କଥା କହିବି ରାଗିବୁନି ତ ।
ନାଇଁ ମ କକା କୁହ ।
ଏ ଅଭାବୀ ସଂସାରରେ ନିଜ ପିଲା ଛୁଆଙ୍କ କଥା ଭାବୁ ଭାବୁ ତୁ ନାକେ ଦମ୍ ହେଇ ଯାଉଛୁ ତା ସାଥେ କୁନି କଥା କେମିତି ବୁଝିବୁ ,ଆଜି ହାନି ଅଛି ଲାଭ ଅଛି । ଆଜି କାଲି କେତେ ଭଲ ସଂସ୍ଥା ସବୁ ଅଛି ।
ସେମିତି ଏକ ଭଲ ଅନାଥ ଆଶ୍ରମ ଦେଖି କୁନିକୁ ରଖି ଦେ ।
କକା, ମୁଁ ତ ମୂରୁଖ ଅପାଠୁଆ ମଣିଷ,ତୁମେ ଏତେ ବୁଝିବାର ଲୋକ ହୋଇ ତୁମ ମୁହଁରେ ଏ ସବୁ ଶୋଭା ପାଇଲାନି, ଲୁହ ଛଳ ଛଳ ହୋଇ କହିଲା ମନୋଜ ।
ଦିନବନ୍ଧୁ ବାବୁ ନିଜ ହାତରେ ମନୋଜର ଲୁହ ପୋଛି; ଆରେ ବାଇଆଟା କିରେ , ମୁଁ ଏମିତି କହୁ କହୁ କହି ଦେଲି ନାଁ ।
ବାପା ବୋଉ ଆର ପାରିକୁ ଗଲା ପରେ ନିରୀହ ନିଷ୍ପାପ ପିଲାଟିର ମୋ ଛଡା କିଏ ବା ଅଚ୍ଛି । ବାପାଙ୍କ କଥା ଆଜିବି ମୋର ମନେ ପଡେ ।
ପୁଅ ରେ,ତୁ ତାର ବଡ଼ ଭାଇ । ବାପ ସମାନ ତାକୁ କେବେ ଅନାଦର କରିବୁ ନି ନିରୀହ ଛୁଆଟା କିଏବା ତା କଥା ବୁଝିବ ତୋ ବିନା । ବାପାଙ୍କ କଥାକୁ ହେ ଜ୍ଞାନ କରିନି ମନୋଜ । ଯିଏ ଯାହା କହିଲେ ବି କାହା କଥାକୁ
କର୍ଣ୍ଣପାତ କରେ ନି ସେ । ମନୁଆ ପିଲାଟା ମନ କଥା ହିଁ ଶୁଣେ ।
ନନା, ଏଥି ଏକୁତିଆ କନ କଲୁଛୁ ! ଦେଖେ ମୁଁ ନୂଆ ମାମା ପିନ୍ଧିଚି....
ହଠାତ୍ କୁନିର ଡାକରେ ଚମକି ପଡ଼ିଲା ମନୋଜ !
ମୃଣ୍ମୟ ଦେବୀ ପ୍ରତିମା ପରି ଉଭା ହୋଇଥିଲା କୁନି ତା ଆଗରେ , କଳାକାରର ରଙ୍ଗ ତୂଳୀରେ ଶେଷ ସ୍ପର୍ଶ ପରେ ଯେମିତି ନିର୍ଜୀବ ମୂର୍ତ୍ତିଟି ଜୀବନ୍ତ ଦେବୀ ପ୍ରତିମା ପାଲଟିଯାଏ, କୁନି ଆଜି ସେମିତି ସଜ ବାଜ ହୋଇ ଦେବୀଟିଏ ପରି ଲାଗୁଛି ।
କି ଲୋ ଆଜି କ'ଣ ନୂଆ ଡ୍ରେସ୍ ?
ସରାଗରେ ପଚାରିଲା ମନୋଜ, କିଏ ଆଣି ଥିଲା କିଲୋ !
ଭାଉଜ.....ଭାଉଜ ମୋ ଭାଉଜ, ମୋ ନନା...... ମୋ ଭାଉଜ.... ଆନିଛି ଜାନି ପାରୁନୁନା ଆଜି ପଲା ପୂଜା ! ପୂଜା ମେଢ଼ ବୁଲି ଯିବା ।
ଖୁସିରେ ନାଚି ଉଠିଲା କୁନି....
ତା ଓଠର ଏହି ଚେନାଏ ହସ ଦେଖିଲେ ମୋର ପୁରା ଦିନର ଥକା ମେଣ୍ଟି ଯାଏ କକା , କହିଲେ ଏ ସୁଖ କଣ ଟଙ୍କା ପଇସାରେ ମିଳିବ । ଏଭଳି ନିରୀହ ନିଷ୍ପାପ ଛୁଆଟାକୁ ହତାଦର କରି ଦେବୀଙ୍କୁ ଷୋଡ଼ଶ ଉପଚାର କରି ପୂଜିଲେ କି ଫଳ ମିଳିବ ଯେ ।
ଠିକ୍ କହିଛୁ ରେ ପୁଅ , ତୁ ମୂର୍ଖ ହେଲେବି ଆଜି ଏ ଦୀନବନ୍ଧୁର ଆଖି ଖୋଲି ଦେଇଛୁ । ନାରୀ ଦେହକୁ ଯାବତୀୟ ବିଳାସ ବ୍ୟଶନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ନାରୀର ଶାରୀରିକ ସୌନ୍ଦର୍ଯ୍ୟକୁ ହିଁ ଭଲପାଉଛି । ଆଜିର ସଭ୍ୟ ସମାଜରେ ମା କୋଳରେ ହିଁ କନ୍ୟା ଭ୍ରୁଣ ହତ୍ୟାକରି ଦେବୀ ପ୍ରତିମାକୁ ସଜାଇ ପୂଜା ଅର୍ଚ୍ଚନାର ମିଛ ପ୍ରହସନ କରୁଛି । ମଣିଷ ଭିତରେ ଥିବା ମହିଷା ପ୍ରବୃତ୍ତିକୁ ହତ୍ୟା କରି ନିରୀହ, ଅସହାୟ ନାରୀକୁ ସମ୍ମାନ କଲେ ତାହାହିଁ ହେବ ମାଙ୍କ ର ପ୍ରକୃତ ପୂଜା ।
ହଁ କକା, ଏଥରକ ମା'ଙ୍କ ଆଗମନରେରେ ଆମମାନଙ୍କ ଭିତରେ ଥିବା ଅସୁର ପ୍ରକୃତିକୁ ହତ୍ୟା କରି ଭାଈ ଚାରାର ବାର୍ତ୍ତା ଦେବା ।
ଯା ଦେବୀ ସର୍ବ ଭୂତେଷୁ
ମାତୃ ରୃପେଣ ସଂସ୍ଥିତା
ନମ୍ଃ ତସୈ ନମ୍ଃ ତସୈ
ନମ୍ଃ ତସୈ ନମୋ ନମଃ ।।