ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ନିଆରା ବନ୍ଧୁ ସ୍ନେହ

ନିଆରା ବନ୍ଧୁ ସ୍ନେହ

2 mins
526


ମହାଭାରତ ଯୁଦ୍ଧ ହେବାକୁ ଆଉ ଅଳ୍ପଦିନ ବାକି ଥାଏ l ଶେଷଥର ପାଇଁ ଶ୍ରୀକୃଷ୍ଣ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କଲେ l ନିଜେ ଦୁର୍ଯ୍ୟୋଧନଙ୍କ ଘରକୁ ଗଲେ l ବହୁତ ବୁଝାଇଲେ l କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଲା l ଯୁଦ୍ଧ ନିଶ୍ଚିତ l ଫେରି ଆସିଲେ ଶ୍ରୀକୃଷ୍ଣ l ବିନା ଭୋଜନରେ ଦୁର୍ଯ୍ୟୋଧନଙ୍କ ଘରୁ ବିଦାୟ ନେଲେ l ଏଣେ ତାଙ୍କୁ ପ୍ରବଳ ଭୋକ l ଖାଇବାକୁ ସିଧା ଚାଲିଲେ ବିଦୁରଙ୍କ ଘରକୁ l ସ୍ୱୟଂ ଶ୍ରୀକୃଷ୍ଣ ଙ୍କୁ ଦେଖି ବିଦୁର ଦମ୍ପତି ଆଶ୍ଚର୍ଯ୍ୟ ହୋଇଗଲେ l ତାଙ୍କୁ କ’ଣ ଖାଇବାକୁ ଦେବେ ? କାରଣ ତାଙ୍କ ଘରେ ଭାତ ଆଉ ଶାଗ ବ୍ୟତୀତ ଅନ୍ୟ କିଛି ଖାଇବାକୁ ନଥିଲା l ଅପ୍ରସ୍ତୁତ ହୋଇପଡିଲେ ବିଦୁର ଓ ତାଙ୍କ ସ୍ତ୍ରୀ l ସେମାନଙ୍କ ହୃଦୟ ତଳର କଥା ପ୍ରଭୁ ଜାଣିଗଲେ l କାଳ ବିଳମ୍ବ ନକରି ଶ୍ରୀକୃଷ୍ଣ ସେଇ ଶାଗ ଭାତ ଖାଇବାକୁ ଇଚ୍ଛା ପ୍ରକଟ କଲେ l ନାଚାର ହୋଇ ପଡିଲେ ବିଦୁର l କାନ୍ଦ କାନ୍ଦ ହୋଇ କହିଲେ, “ପ୍ରଭୁ, ଆପଣ ଲକ୍ଷ୍ମୀଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କ ଘରକୁ ଯାଇଥିଲେ l ସେ ଆପଣଙ୍କୁ କ୍ଷୀର ମହୁରେ ଭସାଇ ଦେଇଥାଆନ୍ତେ l ସେ କ୍ଷମତା ତାଙ୍କର ଅଛି l ସେଠାରେ ଭୋଜନ ନକରି ମୋ ପରି ଜଣେ ଦୀନଜନ ଘରକୁ କାହିଁକି ଆସିଲେ ? ମୋର ଏ ଡାଳପତ୍ରର କୁଡିଆ ଆପଣଙ୍କୁ ଅଭ୍ୟର୍ଥନା କରିବାପାଇଁ ମୋ ପାଖରେ କୌଣସି ଦାମିକା ସାଧନା ନାହିଁ l ଦୟାକରି ଆପଣ ସେଇ ମହାମାନୀ ଦୁର୍ଯ୍ୟୋଧନଙ୍କ ପାଖକୁ ଯାଇ ନିଜର କ୍ଷୁଧା ଜ୍ୱାଳାକୁ ମେଣ୍ଟାଇ ଦିଅନ୍ତୁ l ଭୋକରେ ଆପଣଙ୍କ ମୁହଁ ଶୁଖି କଳାକାଠ ପଡି ଗଲାଣି l” ସ୍ମିତହସି ଦେଲେ ପ୍ରଭୁ l ବିଦୁରଙ୍କ ହାତ ଧରି କହି ଉଠିଲେ, “କକା, ଯେଉଁ ଅନ୍ନଜଳ ଆପଣଙ୍କୁ ଭଲ ଲାଗିଲା ନାହିଁ, ଯାହାକୁ ଆପଣ ବିଷତୁଲ୍ୟ ମନେକରି ଏ ଜଙ୍ଗଲରେ ଭାତ ଶାଗ ଖାଇ ଅତି ଦୁଃଖରେ ଜୀବନ ନିର୍ବାହ କରୁଛନ୍ତି , ସେ ଖାଦ୍ୟକୁ ମୁଁ ବା କିପରି ଗ୍ରହଣ କରିପାରିଥାଆନ୍ତି l ଯାହା ଆପଣଙ୍କ ବିଚାରରେ ଭୁଲ , ତାହା ମୋ ବିଚାରରେ ଠିକ୍ ହେବ କେମିତି ! ଯେଉଁଠି ସ୍ନେହ ଶ୍ରଦ୍ଧା ଥାଏ , ସେଇଠି ଭୋଜନ କରିବାରେ ଅପାର ଆନନ୍ଦ ମିଳେ l ଯାହା ଦୁର୍ଯ୍ୟୋଧନଙ୍କ ପାଖରେ ନଥିଲା l ଆପଣଙ୍କ ସ୍ନେହ ଶ୍ରଦ୍ଧା ମୋତେ ଏଠାକୁ ଟାଣି ଆଣିଛି l ଆପଣ ଯାହା ଦେଲେ ବି ମୁଁ ତାକୁ ଆନନ୍ଦରେ ଖାଇବି l କାରଣ ଆପଣ ଜଣେ ନ୍ୟାୟବାନ ତଥା ନୀତିନିଷ୍ଠ ବ୍ୟକ୍ତି l ଆପଣଙ୍କ ଅକପଟ ଭଲପାଇବା ନିକଟରେ ଦୁର୍ଯ୍ୟୋଧନର ମିଛ ଅହମିକା ଛୋଟ ହୋଇଯାଇଛି l”

     ଏ କଥା ଶୁଣି ବିଦୁର ଦମ୍ପତି ପ୍ରେମ ଆଉ ଆନନ୍ଦରେ ଗଦ୍ ଗଦ୍ ହୋଇଗଲେ l ତତ୍ ପରେ ବିଦୁରଙ୍କ ସ୍ତ୍ରୀ ଶ୍ରୀକୃଷ୍ଣଙ୍କୁ ଖାଇବାକୁ ଦେଲେ କେବଳ ଭାତ ଆଉ ଶାଗ l ଯାହାକୁ ଖାଇ ଶ୍ରୀକୃଷ୍ଣ ସେଦିନ କେବଳ ନିଜର କ୍ଷୁଧା ମେଣ୍ଟାଇ ନଥିଲେ ବରଂ ଚିରଦିନ ପାଇଁ ଛାଡି ଯାଇଥିଲେ ଏକ ନିଆରା ବନ୍ଧୁ ସ୍ନେହର ପରମ୍ପରା l ସତ ଭଲପାଇବା ଆଗରେ ସବୁକିଛି ତୁଚ୍ଛ ପଡିଯାଏ l ସବୁ ଆତ୍ମ ବଡିମା ପ୍ରବଞ୍ଚନା ମଳିନ ପଡିଯାଏ l


Rate this content
Log in

Similar oriya story from Inspirational