RAKHAL CHANDRA SWAIN

Inspirational

2  

RAKHAL CHANDRA SWAIN

Inspirational

ମୂର୍ଖ ପଣ୍ଡିତ

ମୂର୍ଖ ପଣ୍ଡିତ

4 mins
39


   ନଈରେ ଭରା ସୁଅ । ପାଣି,ଏ କୂଳରୁ ସେ କୂଳ ଖାଉଛି । ଚାରି ଚକିଆ ଗାଡି ଧରି,ବିଲାତ ଫେରନ୍ତା ପଣ୍ଡିତ, ଶ୍ରୀମାନ ଡକ୍ଟର ଅମୁକ,ଏମ୍ ଟେକ୍,ପିଏଚଡି.ଏଲଟି,ଡିଟି.(ଲଣ୍ଡନ),ନଈ କୂଳରେ ପହଞ୍ଚିଗଲେ । କୂଳରେ ଠିଆ ହେଇ,ବିଦେଶୀ ଷ୍ଟାଇଲରେ, ଡାକ ଛାଡ଼ିଲେ "ହ୍ୟାଲୋ,ହାଏ,ବୋଟମ୍ୟାନ୍ । ମୋତେ ଟିକିଏ ନଈ ପାରି କରିଦେଇ ପାରିବ ।" 

  ନାଉରୀ ନମ୍ର ଭଦ୍ର ଭାବରେ ଉତ୍ତର ଦେଲେ, କାହିଁକି ନୁହେଁ ଆଜ୍ଞା । ମୁଁ ତ ସେଇଥିପାଇଁ ଏ ଘାଟ ଜଗିଛି । ଆସନ୍ତୁ, ମୁଁ ଆପଣଙ୍କୁ ନଈ ପାରି କରିଦଉଛି । 

  

 ଚାରିଚକିଆ ଗାଡିକୁକୁ,ଡଙ୍ଗା ଉପରେ ରଖି,ନାଉରିଆ ବାପୁଡ଼ା, ଡକ୍ଟର ଅମୁକ ବାବୁଙ୍କ, ହାତ ଧରି, ଧୀରେ ଧୀରେ, ଡଙ୍ଗାରେ ବସେଇଲେ । 


  ଡଙ୍ଗାଚାଲିଲା...ଭିତରକୁ...ଭିତରକୁ । 


ଡଙ୍ଗାରେ ବସି,ଡକ୍ଟର ଅମୁକ ବାବୁ ଆରମ୍ଭ କଲେ,ହ୍ୟାଲୋ !ବୋଟମ୍ୟାନ ପାଠ କଉଁ ଯାଏ ପଢିଛ?


ନାଉରି ବାପୁଡ଼ା କାତ ମାରୁମାରୁ,କହି ଉଠିଲା",ପାଠ କଥା କାହିଁକି ପଚାରୁଛନ୍ତି ଆଜ୍ଞା । ନଅ କିଲାସରୁ, ପାଠ ବନ୍ଦ କରିଦେଇଛି । 


    ଅମୁକ ବାବୁ ଗର୍ବରେ ଫୁଲିଉଠି କହିଲେ,ଜାଣିଛୁ,ମୋ ପାଠ କଥା ଶୁଣିଲେ,ତୋ ଆଖି ଖୋସି ହେଇଯିବ । ମୋର qualification, କ'ଣ ଜାଣିଛୁ, ଡକ୍ଟର ଉପାଧି ଲାଭ କରି, ଲଣ୍ଡନରେ ଚାକିରି କରିଛି । କଲେଜ ପିଲାଙ୍କୁ ପାଠ ପଢଉଛି । ବିଦେଶରେ ମୋର ଭାରି ଖାତିରି । ପାଠ ପଢିଛି ବୋଲି ଦେଖ ! ମୋ ଦେହରେ, ଲକ୍ଷେ ଟଙ୍କାରୁ ପୋଷାକ । ବେକରେ ତିନି ଲକ୍ଷ ଟଙ୍କାର ସୁନା ରତ୍ନମଣି । ବ୍ୟାଙ୍କରେ କୋଟିକୋଟି ଟଙ୍କାର ବାଲାନ୍ସ । ପାଠ ନ ପଢି,ତୋ ଜୀବନ ଅଧା ନଷ୍ଟ ହେଇଗଲା । 


  ନାଉରୀ,ମନରେ ଟିକିଏ ଆଘାତ ଲାଗିଲା । କହିଲା,"କ'ଣ କରିଥାନ୍ତି ଆଜ୍ଞା । ବୁଢା ବା'(ବାପା)ଟା ଏଇ ଡଙ୍ଗାରୁ ଦି ପଇସା ରୋଜଗାର କରି,ଆମ ସୁନା ସଂସାରକୁ ଚଳେଇ ନେଉଥିଲେ । ହେଲେ, ଭଗବାନ ସହିଲେନି । ହଠାତ୍ କ'ଣ ହେଲା କେଜାଣି,ବା'ର ହାତଗୋଡ ଅଚଳ ହେଇଗଲା । ଡାକ୍ତର ପାଖକୁ ନେଲି । ଡାକ୍ତର କହିଲେ,କ'ଣ ଗୋଟେ ପାରାଲିସିସ୍ ରୋଗ ହେଇଯାଇଛି । ଚିକିତ୍ସା କଲେ ଟିକିଏ ଅଧିକ ଦିନ ଲାଗିବ । ଭଲ ହେଇଯିବ । ଅନେକ ପଇସା ସାରିଲୁ । କିନ୍ତୁ ରୋଗ ଭଲ ହେଲାନି । ବାଆ' ସେଇ ଦିନରୁ ବିଛଣାରେ ଶୋଇ ରହିଛି । 

ତା'ର ଦାୟିତ୍ୱ ନେଇ ତା'ର ସେବା ଶୁଶ୍ରୁଷା କରିବାକୁ ପଡୁଛି । ମୁଁ ପାଠ ପଢିଥିଲେ,ବୁଢା ବାଆଟା ମୋର କେମିତି ସଂସାର ଚଳେଇ ଥାଆନ୍ତେ । 

 

  ଅମୁକ ବାବୁ କହି ଉଠିଲେ,",ଆରେ, ମୂର୍ଖ । ବାପା ତ ପାଚିଲା ତାଳ । ତାଙ୍କର ଦିନ ସରି ଆସିଲାଣି । ତାଙ୍କ ପାଇଁ ତୋ ଭବିଷ୍ୟତକୁ ନଷ୍ଟ କରିଦେଲୁ । ତୋ ଭଳିଆ ମୂର୍ଖ ପୁଅ ଦୁନିଆରେ ନଥିବେ । ମୋ ବାପା, ରୋଗରେ ପଡ଼ିଲେ । ମୋତେ ଟଙ୍କା ମାଗିଲେ । ମୁଁ କହିଲି,ବାପା । ତମେ ତ ପାଚିଲା ତାଳ । ତମ ପିଛେ ପଇସା ସାରି ମୋ ପିଲାମାନଙ୍କ ଭବିଷ୍ୟତ ନଷ୍ଟ କରିଦେଇ ପାରିବିନି । ବାପା ମୋ କଥା ଠିକ ବୁଝିଗଲେ । ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି । ଖୁବ୍ ଆରାମରେ ଅଛନ୍ତି । ଆରେ ଯେଉଁଠି ହେଉ ଶାନ୍ତିରେ ତ ଅଛନ୍ତି । "

  ନାଉରୀ ବାପୁଡ଼ା ମୁଣ୍ଡରେ ହାତ ଦେଇ କହିଲା", ସାର୍ । କେମିତିକା ନ୍ୟାୟ ଇଏ । ସାରା ଜୀବନ ଆପଣଙ୍କ ପାଇଁ ଖଟିଖଟି ବାପା ମାଆ, ବିଚାରା ଶେଷରେ ବୃଦ୍ଧାଶ୍ରମରେ ରହିବେ ? କ୍ଷୀର ଦେଉଥିବା ଯାଏ, ଗାଇ ଆପଣଙ୍କର, କ୍ଷୀର ଛାଡିଦେଲେ, ଗୋଶାଳାରେ ଛାଡି ଦେବେ ।"


ଠିକ୍ ଏଇ ସମୟରେ ହଠାତ୍, ଝଡ ତୋଫାନ ମାଡିଆସିଲା । ଡଙ୍ଗା ଟଳମଳ ହେଲା । ଝଲକାଏ ଝଲକାଏ ପବନ ସାଙ୍ଗକୁ ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ଡଙ୍ଗା ଭିତରକୁ ପଶିବାକୁ ଲାଗିଲା । ନାଉରୀ ପଚାରିଲା, "ସାର୍ । ଆପଣ ପହଁରା ଶିଖିଛନ୍ତି ?"


ଡକ୍ଟର ଅମୁକ ବାବୁ କହିଲେ,"ନାଁ"ପାଠ ପଢୁ ପଢୁ ତ ମୋ ସମୟ ସରିଗଲା । ପହଁରା ଶିଖିଲି କେତେବେଳେ । "


ନାଉରୀ କହିଲା",ସାର୍ । ପାଠ ପଢିନାହିଁ ବୋଲି, ମୋର ଅଧା ଜୀବନ ସିନା ନଷ୍ଟ ହେଇଥିଲାବୋଲି କହୁଥିଲେ । ଏବେ ଆପଣଙ୍କର ଜୀବନର ଶତ ପ୍ରତିଶତ ନଷ୍ଟ ହେଇଗଲା । "


ଏଇ ସମୟରେ ହଠାତ୍ ପ୍ରବଳ ଝଡ଼ରେ ଡଙ୍ଗାଟି ଓଲଟି ପଡ଼ିଲା । ଚାରିଚକିଆ ଯାନ ସହ ଡକ୍ଟର ଅମୁକ ବାବୁ,ନଈ ଭିତରକୁ ଗଳି ପଡ଼ିଲେ । ନାକରେ କାନରେ ପାଣି ପଶିଗଲା । ବାବୁ ଆକଚା ମାକଚା ହେଇଗଲେ । ଭାବିଲେ ଆଜି ମୋ ପ୍ରାଣ ଗଲା ନିଶ୍ଚୟ । ଚିତ୍କାର କଲେ ମୋତେ ବଞ୍ଚାଅ । ମୋତେ ବଞ୍ଚାଅ । ନାଉରୀ ଡକ୍ଟର ଅମୁକଙ୍କୁ ରକ୍ଷା କରିବାକୁ ଚେଷ୍ଟା ଜାରି ରଖି ହାତରେ ଥିବା କାତକୁ ନଈର କାଦୁଆ ମାଟି ଭିତରେ ପୋତି ଦେଇ ଅମୁକଙ୍କୁ ସେ କାତକୁ ଧରେଇ ଦେଲେ । କହିଲେ, ଆପଣ ଏଇ କାତକୁ ଆଶ୍ରା କରି ଟିକିଏ ଅପେକ୍ଷା କରନ୍ତୁ । ମୁଁ କୂଳରୁ ଆଉ ଗୋଟେ ଡଙ୍ଗା ନେଇକି ଆସୁଛି । 

  

 କିଛି କ୍ଷଣ ମଧ୍ୟରେ, ନାଉରୀ, କୂଳକୁ ପହଁରି ପହଁରି ଆସି, କୂଳରେ ଥିବା ଡଙ୍ଗାକୁ ନେଇ ଡକ୍ଟର ଅମୁକ ବାବୁଙ୍କୁ ଉଦ୍ଧାର କଲେ । 


 କୂଳରେ ପହଞ୍ଚିଲା ପରେ,ବାବୁ,ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ । ନାଉରି କହିଲେ, କାନ୍ଦନ୍ତୁ ନାହିଁ ଆଜ୍ଞା । ଆପଣଙ୍କ ଗାଡି ପାଇଁ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଲୋକ ଲଗେଇ ମୁଁ ସେ ଗାଡିକୁ ଉଠେଇବା ବ୍ୟବସ୍ଥା କରେଇ ଦେବି । 

  ନାଉରୀର କଥା ଶୁଣି, ଡକ୍ଟର ଅମୁକ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ । କହିଲେ, ନାଉରୀ ଭାଇ,ମୋ ଗାଡି ପାଇଁ ମୁଁ କାନ୍ଦୁ ନାହିଁ । ସେ ଧନ ସମ୍ପତ୍ତି ସବୁ ଅଳିକ । ମୋ ପାଇଁ ଜୀବନ ବଡ଼ । ତମେ ମୋ ଆଖି ଖୋଲିଦେଲ । ତମ ମଣିଷ ପଣିଆ ନିକଟରେ ମୋର ସବୁ ଜ୍ଞାନ,ସବୁ ଅହମିକା,ତୁଚ୍ଛ ହେଇଯାଇଛି । ମୋର ଜ୍ଞାନ ପୁସ୍ତକ ଭିତରେ ସୀମିତ ହେଇ ରହିଯାଇଥିଲା । କେବଳ ପୁସ୍ତକ ରୁ ସବୁ ଶିକ୍ଷା ମିଳେ,ଏ ଧାରଣାକୁ ତୁମେ ଭୁଲ ବୋଲି ପ୍ରମାଣିତ କରି ଦେଲ । ପୁସ୍ତକ ବାହାରେ ଅନେକ ଶିକ୍ଷା ରହିଛି,ଏ କଥା ମୁଁ ଆଜି ଜାଣି ପାରିଛି । ମୋ ବାପା,ତମ ବାପାଙ୍କ ଭଳି,ଜଣେ ନାଉରୀ ଥିଲେ । କେତେ ଶ୍ରମଦେଇ,ସେ ମୋତେ ମଣିଷ କରିଥିଲେ । ହେଲେ,ସେ ଆଜି,ବୃଦ୍ଧାଶ୍ରମରେ । ପୁଅ ହେଇ ବି ମୁଁ ତାଙ୍କ ଦୁଃଖ ବୁଝି ପାରିଲି ନାହିଁ । ପାଣି ଭିତରେ ବୁଡ଼ି ଯାଉଥିଲା ବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା ବେଳର କଥା ମନେ ପଡିଗଲେ,ମୋ ବାପାଙ୍କ କଥା ମନେ ପଡିଯାଉଛି । ସ୍ଵାଭିମାନୀ ମଣିଷ ମୋ ବାପା । କେବେ କାହାକୁ ମୁହଁ ଖୋଲି କିଛି ମାଗନ୍ତି ନାହିଁ । ହେଲେ, ସେ ଯେତେବେଳେ ମୋ ପାଖରୁ ସାହାଯ୍ୟ ମାଗୁଥିଲେ,ସେ ନିଶ୍ଚୟ ମୋ ପାଣିରେ ବୁଡ଼ିବା ଅବସ୍ଥାକୁ ଆସି ଯାଇଥିବେ । ମୁଁ ଚଣ୍ଡାଳ, ସେ କଥା ବୁଝି ପାରିନଥିଲି । ଆଜି ତୁମେ ମୋ ଆଖି ଖୋଲି ଦେଲ । ତୁମେ ମୋ ନିକଟରେ, ଅପରିଚିତ ହେଇ ବି,କେତେ ଶ୍ରମ କରି,ମୋତେ ଜଳରୁ ରକ୍ଷା କଲ । ମୋ ଶିକ୍ଷା ଗର୍ବରେ ଅନ୍ଧ ହେଇ, ମୁଁ ମଣିଷ ପଣିଆ ଭୁଲି ଯାଇଥିଲି । ତୁମର ମଣିଷ ପଣିଆ ନ ଥିଲେ,ମୋର ସବୁ ଶିକ୍ଷା,ସବୁ ଧନ, ମୂହୁର୍ତ୍ତକ ମଧ୍ୟରେ ପାଣିରେ ମିଶି ଯାଇଥାନ୍ତା । ଶତାଧିକ ମୋ ଶିକ୍ଷାକୁ । ତୁମକୁ ଶତ ନମନ ନାଉରୀ ଭାଇ । ଶତ ନମନ.......ଆଉ ଶତଧିକ ମୋ ଭଳି ମୂର୍ଖ ପଣ୍ଡିତ ମାନଙ୍କୁ । 



Rate this content
Log in

Similar oriya story from Inspirational