STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ଦୁଇ ଟଙ୍କା ବି ଜୀବନ ରଖିପାରେ

ଦୁଇ ଟଙ୍କା ବି ଜୀବନ ରଖିପାରେ

2 mins
209

   ୧୯୭୩ ମସିହାର କଥା।ମୋର ୧୦ମ ଶ୍ରେଣୀ ବର୍ଷ। ସେ ବର୍ଷ ସରସ୍ବତୀ ପୂଜାକୁ ଆମ ବିଦ୍ୟାଳୟରେ ଥିଏଟର ହେବାକୁ ସ୍ଥିର ହେଲା।ମୋ ଉପରେ ଦାୟିତ୍ଵ ଥାଏ, ବାଦଲ ଶିକ୍ ଦାର ସାର୍ ଙ୍କ ଘରକୁ ଯାଇ,ତାଙ୍କୁ ଡାକି ଆଣିବାକୁ। 

 ନୂଆ ନୂଆ ସାଇକେଲ ଚଢୁଥାଏ। ବାହାରକୁ ବାହାରିଲେ ମୋ ପେଟ ପୁରିଉଠେ ମୁଁ ଖାଇ ପାରେନି। କିଛି ନ ଖାଇ, ସାଇକେଲ ଧରି ସାର୍ ଙ୍କ ଘରକୁ ବାହାରିଲି।ତାଙ୍କ ଘର ଆମ ଘର ଠାରୁ ୨୦ କି.ମି.ଦୂର ହେବ।ତାଙ୍କ ଘରେ ପହଞ୍ଚି ଜାଣିଲି ଯେ ସିଏ ଘରେ ନାହାଁନ୍ତି। ସେ ବିଲଣା ଯାଇଛନ୍ତି, ସେ ଆହୁରି ୧୦ କିଲୋମିଟର ଦୂର।ମୋତେ ଆହୁରି ୧୦ କି:ମି: ରାସ୍ତା ଯିବାକୁ ପଡିବ ଜାଣି ମନରେ ଭାରି କଷ୍ଟ ହେଲା।


    ସେତେବେଳକୁ ମୋତେ ପ୍ରବଳ ଭୋକ। ପାଖରେ ଟଙ୍କାଟେ ବି ନଥାଏ। ସାଇକେଲ ଚଳାଇବା ମୋ ପାଇଁ କଷ୍ଟକର ବ୍ୟାପାର।ଆଉ କିଛି ଉପାୟ ନଥିଲା। ବାଧ୍ୟହୋଇ ଆହୁରି ୧୦ କି:ମି: ଆଗକୁ ଗଲି।ତାଙ୍କ ପାଖରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ଆସୁଥିଲା। ତାଙ୍କୁ ଖବର ଦେଇ ସାଇକେଲ ବୁଲେଇଲି। ସିଏ ଅନ୍ୟ କେତେକ ଜଣ ଶିକ୍ଷକଙ୍କ ସହିତ ମୋ ପଛେ ପଛେ ଆସୁଥାନ୍ତି। ମୁଁ ସାଇକେଲ ଧରି ଫେରିଲି। ସେତେବେଳକୁ ଆଉ ମୋର ବଳ ପାଉ ନଥାଏ।ଭୋକ ସାଙ୍ଗକୁ ଶୋଷ ମୋତେ ଅଜ୍ଞାନ କରି ଦେଉଥାଏ।ମୁଣ୍ଡ ଘୂରେଇ ଦେଉଥାଏ।କିଛି ଉପାୟ ନପାଇ ମୁଁ ରାସ୍ତା ଉପରେ ସାଇକେଲ ଠିଆ କରିଦେଇ ତଳକୁ ଯାଇ ନୟନ ଯୋରିରୁ ଆଞ୍ଜୁଳା ଆଞ୍ଜୁଳା ପାଣି ପିଇ ଯାଉଥାଏ। ସେଇ ନୟନଯୋରି କଡରେ ଲୋକେ ଝାଡ଼ା ଯାଇଥାଆନ୍ତି ତାରି କଡ଼ରୁ ମୁଁ ପାଣି ପିଇ ଯାଉଥାଏ।ଏଥିରୁ ମୋର ଅବସ୍ଥା ଆପଣମାନେ ବୁଝି ପାରୁଥିବେ।ପୁଣି କିଛି ବାଟ ସାଇକେଲ ଚଳଉଥାଏ। ପୁଣି ପାଣି ପିଉଥାଏ।


    ଏଇ ଅବସ୍ଥା ଦେଖି ବାଦଲ ସାର୍ ମୋ ପାଖକୁ ଆସି କହିଲେ, କ'ଣ ହେଇଛି।ସେ ଅପରିଷ୍କାର ପାଣି ଗୁଡିକ କାହିଁକି ପିଉଛୁ। ସ୍ଵାଭିମାନୀ ମନ ମୋର ସତ କଥା ଲୁଚେଇଲା। ମୁଁ କହିଲି, କାହିଁକି ଭାରି ଦୁର୍ବଳ ଲାଗୁଛି।ସିଏ କହିଲେ, ତୁ ସାଇକେଲରେ ବସ। ମୁଁ ଚଳଉଛି।


    ସେ ମୋତେ ଗୋଟିଏ ଡାକ୍ତରଖାନା ନେଇଗଲେ। ଡାକ୍ତର କହିଲେ ତାକୁ ଆଗ ପେଟେ ଖୋଇଦେଇକି ଆଣ । ତାପରେ ଔଷଧ ଦେବି।ମନେ ମନେ ଡାକ୍ତରଙ୍କୁ ଧନ୍ୟବାଦ ଦେଲି ସେ ମୋର ପ୍ରକୃତ ରୋଗ ଚିହ୍ନି ପାରିଛନ୍ତି ବୋଲି।

    

ସେତେବେଳେ ଆଳୁଚପ୍ ଗୋଟା ୨୫ ପଇସା।ଦୋକାନୀ ମୋତେ ୮ଟି ଆଳୁଚପ୍ ଦେଲା।ଆନନ୍ଦରେ ସବୁ ସଫା କରି ଦେଲି। ବାଦଲ ସାର୍ , ତାଙ୍କ ପକେଟରୁ ଦୁଇ ଟଙ୍କା ବାହାର କରି ଦୋକାନୀକୁ ଦେଲେ। ମୋ ଜୀବନ ରକ୍ଷା ହେଇଗଲା।

    

    ତା' ପର ଘଟଣା ବିଷୟରେ ମୁଁ ଆଉ କହୁନି।ମାତ୍ର,ଆମ ମନରେ ଅନେକ ସମୟରେ ଥାଏ ଯେ ଟଙ୍କେ ଦି'ଟଙ୍କାକୁ ଆମେ ହେ ଜ୍ଞାନ କରନ୍ତି।ମାତ୍ର ସେଇ ହେ ଜ୍ଞାନ କରୁଥିବା ଟଙ୍କା ବି ଆମର ଜୀବନ ରକ୍ଷା କରି ପାରେ।

   ପଚାଶ ବର୍ଷ ତଳର ଏ ଘଟଣାରୁ ମୁଁ ଯାହା ଶିଖିଲି ପାଖରେ ଟଙ୍କା ନ ଥିଲେ ମୁଁ ବାହାରକୁ ବାହାରୁ ନାହିଁ। ଆଉ ବାଦଲ ସାର୍ ମୋ ଜୀବନ ରକ୍ଷା କରିଥିବାରୁ ତାଙ୍କ ପ୍ରତି ମୋର କୃତଜ୍ଞତା ଭାବ ଏ ପର୍ଯ୍ୟନ୍ତ ମୋ ମନରେ ବସା ବାନ୍ଧି ରହିଛି।


        


Rate this content
Log in