STORYMIRROR

RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ନକଲି ପ୍ରତି ସାବଧାନ

ନକଲି ପ୍ରତି ସାବଧାନ

6 mins
267


   କଳା ମଚମଚ ଚିକ୍କଣ ପିଚୁ ସଡ଼କ ଉପରେ ଅଫିସ ଆଡକୁ ସାଇଁସାଇଁ ଗଡ଼ି ଚାଲିଥାଏ ମୋର କଳା ମଚମଚ ଫ୍ୟାଟ୍ କାର୍ ଟି। ହଠାତ୍ ମୋ ମୋବାଇଲ୍ ଫୋନରେ ଏକ ଅଜ୍ଞାତ ବ୍ୟକ୍ତିର ଭିଡିଓ କଲ୍ ପାଇ ଆଶ୍ଚର୍ଯ୍ୟ ହୋଇଗଲି।ଅପୂର୍ବ ....ଅପୂର୍ବ ଏ ନାରୀ।କି ରୂପ।କି ଉଜ୍ବଳ ତ୍ବଚ୍ଚା.....,କି ଆଖି,.....କି ଚାହାଣୀ.....। ମୁଁ ଅଣାୟତ୍ତ ହେଇଗଲି‌ ତା'ର ରୂପକୁ ଦେଖି।ଏଇ ....ମୋ ଦୁଃଖ ପାସୋରା,ମୋ ମନର ମାନସୀ।ୟା ବିନା ମୋ ଜୀବନ ଅଧା..। କ'ଣ କରିବି।ସଶରୀରେ କେମିତି ଦେଖିବି ମୋର ଏ ବହୁ ପ୍ରତିକ୍ଷିତ ମୋର ଏଇ ଇପ୍ସିତା ରାଣୀକୁ। ଲାଗୁଥିଲା ୟା ବିନା ମୁଁ ପାଗଳ ହେଇଯିବି। କ୍ଷଣିକ ପାଇଁ ସାଗର ଭଳି ମୋ ଉପରେ ମାଡ଼ି ଆସୁଥିଲା ପ୍ରେମର ଜୁଆର। ତାରି ଭିତରେ ଉବୁଟୁବୁ ହେଇ ଲଗାମ ବିହୀନ ମନ ମୋର, ଶାହାଜାହାନ ସାଜି, ଗଢି ଚାଲିଥିଲା ଅସଂଖ୍ୟ ଅସଂଖ୍ୟ ଚିକ୍ ମିକ୍ ସଫେଦ ତାଜମହଲ।ମୋ ଶରୀର ଦେହରେ ବିଦ୍ଧ ହେଇଯାଉଥିଲା ମଦନର ପଞ୍ଚ ଶର।ବଢି ଚାଲିଥିଲା ଶରରୀରର ଉତ୍ତାପ। ଦେହରେ ଖେଳୁଥିଲା ଅପୂର୍ବ ଶିହରଣ।କିଏ ଏଇ ନାରୀ ?ନାରୀ ନୁହେଁ ତ ସ୍ବର୍ଗର ଅପସରୀ। ଦୀର୍ଘ ଦିନରୁ ମୋ ଆଖି ଖୋଜି ବୁଲୁଥିବା ଏଇ ମନର ମାନସୀକୁ, ଆଜି ସେ ମୋ ମୋବାଇଲ୍ ସ୍କ୍ରିନ୍ ରେ ଧରା ଦେଇଛି।ଆଃ..... ଅଣାୟତ୍ତ ହେଇ ଯାଉଥିଲା ମୋର ଲଗାମ ବିହୀନ ମନ।

ପୁଣି ଥରେ ଫୋନ୍ ଲଗେଇଲି ସେଇ ନମ୍ବର କୁ।ଇଚ୍ଛା ହେଉଥିଲା,ସବୁ ଖୋଲି କହି ଦେବାକୁ। ହେଲେ ତା ପୂର୍ବରୁ ସେ କହିଦେଲେ,"Sorry sir .ଭୁଲରେ ଲାଗିଗଲା ଆପଣଙ୍କ ନମ୍ବର କୁ।ମାତ୍ର ଗୋଟିଏ digit ଏପାଖ ସେପାଖ ହେଇ ଯିବାରୁ....କ୍ଷମା ଚାହୁଁଛି ସାର୍.."।କହି କାଟିଦେଲେ ଫୋନ୍।


 ମୋ ଚିନ୍ତା ଚେତନା ରେ ବ୍ୟାଘାତ ସୃଷ୍ଟି କରି,ମୋ ଗାଡି ଦେଇ ଅତିକ୍ରମ କଲା ଆଉ ଏକ କାର୍।

 ସେଥିରୁ ଶୁଭୁଥିଲା ",ନକଲି ପ୍ରତି ସାବଧାନ।.....ନକଲି ପ୍ରତି ସାବଧାନ।ଆଜି ଆଜି.....ଆଜି ଆଜି...ମେଳନ ପଡ଼ିଆରେ ଦେଖନ୍ତୁ ଆଜିର ଐତିହାସିକ ନାଟକ ନକଲି ପ୍ରତି ସାବଧାନ।"


  "ନକଲି ପ୍ରତି ସାବଧାନ",କଥା ଶୁଣି ମୁଁ ଟିକିଏ ଚିହିଁକି ଉଠିଥିଲି।କାରଣ,ପିଲାଟି ଦିନରୁ ଔଷଧ ଦୋକାନରେ ସେଲସ୍ ମ୍ୟାନ ଭାବରେ କାର୍ଯ୍ୟ କରି ମୋର ଅଭାବ ପୂରଣ କରି ପାରିନଥିଲି। ହୋଲ୍ ସେଲ୍ ଦୋକାନରୁ ରିଟେଲ୍ ଦୋକାନ ପର୍ଯ୍ୟନ୍ତ ଔଷଧ ଯୋଗାଇ ଯୋଗାଇ ନୟାନ୍ତ ହେଇ ବି ପେଟ ଚାଖଣ୍ଡକ ପୁରେଇ ପାରି ନଥିଲି।ହେଲେ,ଏବେ ନକଲି ଔଷଧ କାରବାର ପରେ, ମୁଁ ଆଜି କୋଟିପତି।ମୋ ପାଖରେ ବ୍ୟାଙ୍କ ବାଲାନ୍ସ, ମହାନଗରୀରେ ଆକାଶ ଚୁମ୍ବି ଅଟ୍ଟାଳିକା।ଆଜି,ଅଚଳାଚଳ ସମ୍ପତ୍ତିର ମାଲିକ ମୁଁ।


 ମୋ ଚିନ୍ତା ଚେତନାରେ ବ୍ୟାଘାତ ସୃଷ୍ଟି କରି ମୋ ଡ୍ରାଇଭର କହି ଉଠିଲା, ସାର୍।ଆଜି ମେଳଣକୁ ଯିବା।ଭାରି ସୁନ୍ଦର ଯାତ୍ରା ପାର୍ଟି ଆସିଛି।ଆଜି ବଢ଼ିଆ ନାଟକରେ ଅଛି। ସବୁବେଳେ ହାଉସ୍ ଫୁଲ୍।


 "ଚୁପ୍।"......ମୋ ପାଟିରୁ ଆପେ ଆପେ ବାହିରି ଆସିଥିଲା।


ଯାତ୍ରା ଦେଖିବାକୁ ପସନ୍ଦ ରଖିଥିବା ଜଣେ ମଣିଷ ପାଟିରୁ ଏ କ୍ରୋଧ ମିଶ୍ରିତ ତିକ୍ତ ଶବ୍ଦ ଶୁଣି, ଡ୍ରାଇଭର ହଠାତ୍ କିଛି ବୁଝି ପାରିନଥିଲା।


 ମୁଁ ବି ନିଜେ ବୁଝି ପାରୁନଥିଲି ୟେ ସବୁ ମୁଁ କ'ଣ କରୁଛି।


  ମନରେ ପୁଣି ସେଇ ପ୍ରେମ ନିଶା ମୋତେ ପୁରା ଗ୍ରାସ କରିଯାଇଥିଲା।ପୁଣି ସେଇ ସୁନ୍ଦରୀ ତରୁଣୀର ତାରୁଣ୍ୟ ନିଶା ମୋତେ ପାଗଳ କରି ଦେଇଥିଲା।ତାକୁ ପାଇବାକୁ ମୋତେ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ।ଫୋନ୍ କୁ ରେକଡିଙ୍ଗ ମୁଡ୍ ରେ ରଖି ପୁଣି ଥରେ ଫୋନ୍ ଲଗେଇଲି।

  

  ପୁଣି ସେଇ ମୁହଁ ମୋ ମୋବାଇଲ୍ ସ୍କ୍ରିନ୍ ଉପରେ ଝଟକି ଉଠିଲା।ମୋତେ ଲାଗୁଥିଲା ମୁଁ ସବୁ ପାଇଗଲି। ତା'ର ସୁନ୍ଦର ହସହସ ମୁହଁରୁ ମୋ ଆଖି ସବୁ ଚାଟି ସଫା କରିଦେଉଥିଲା।ଆଖି କହୁଥିଲା,ହେ ସୁନ୍ଦରୀ !ତୁମେ ଆଉ କୁଆଡେ ଯାଅନି। ସବୁବେଳେ ଅହରହ ତୁମେ ମୋ ସାମନାରେ ଥାଅ। ମୁଁ ସବୁ ଦୁଃଖ ଭୁଲିଯିବି।ଭୋକ,ନିଦ ସବୁ ଭୁଲି ଯିବି। ମୋ ଓଠ ଥର ଥର ହେଇ କ'ଣ କହିବାକୁ ଚେଷ୍ଟା କରୁଥିଲା।ହେଲେ....ନୀରବତାକୁ ଭଙ୍ଗ କରି ସେ ପଟରୁ ଶୁଭିଲା,

       "କୁହନ୍ତୁ ସାର୍।"

ମୁଁ କହିଲି ,"ନାଇଁ କିଛି ନୁହେଁ ଯେ।ଆଗରୁ ମୁଁ ଆପଣଙ୍କୁ କେଉଁଠି ଦେଖିଲା ପରି ମନେ ହେଲା।ଅତି ନିଜର ପରି ଲାଗିଲେ ଆପଣ।"

ନାଇଁ ସାର୍।ଭୁଲରେ ଫୋନ୍ ଲାଗିଥିବାରୁ ପୁଣି ଥରେ କ୍ଷମା ମାଗିବ ନେଉଛି।"

ହଠାତ୍ ଫୋନ୍ କଟିଗଲା।

ମୁଁ ପାଗଳ ହେଇଗଲି।

 

 ଠିକ୍ ଏତିକିବେଳେ, ଡ଼୍ରାଇଭର କହି ଉଠିଲା,"ସାର୍। ଅସଲି ମହୁ ଖୋଜୁଥିଲେ ପରା।"


  "ଚୁପ୍।"ମୋ ପାଟିରୁ ହଠାତ୍ ବାହାରି ଆସିଲା। ଇତସ୍ତତଃ ହେଇ କହିଲି,", ହଁ ହଁ। କ'ଣ କହୁଥିଲୁ।ମହୁ,ଅସଲ ମହୁ କାହିଁ ?ମୋ ଥଣ୍ଡା ପାଇଁ ନିହାତି ଦରକାର।"


ଡ଼୍ରାଇଭର କହିଲା",ହେଇ ଦେଖନ୍ତୁ। ପାହାଡ଼ ଉପରୁ ଓହ୍ଲାଇଛି ସେ ମହୁ ବାଲା। ପାହାଡ଼ ଜଙ୍ଗଲ ବୁଲି ଅସଲ ମହୁ ସଂଗ୍ରହ କରି ସେ ଆଣିଛି।ଡାକିବି ତାକୁ"?


  ମୁଁ କହିଲି ,"ହଁ ଡ଼ାକ ତାକୁ।"


ମହୁ ବାଲଟିକୁ ତଳେ ଥୋଇଦେଇ ମହୁ ବାଲା କହିଲା,"ନିଅନ୍ତୁ ବାବୁ।ଅସଲି ମହୁ।ଯେତେ ପୁରୁଣା ଥଣ୍ଡା ରୋଗ ଥିଲେ ବି ଛାଡ଼ି ପଳେଇବ।ତା ସାଙ୍ଗକୁ ଏଇ ଗୋଲ ମରିଚ ନେଇ ଯାଆନ୍ତୁ।ଭଲ କାମରେ ଆସିବ।"


 ମହୁ ଉପରେ ଭାସୁଥିଲେ କିଛି ମହୁମାଛି।ତା ଦେହରେ ଥିଲା ଖଣ୍ଡ ଖଣ୍ଡ ମହୁ ଫେଣା।କିଛି ମହୁ ସହିତ ଗୋଲ ମରିଚ ନେଇ ଅଫିସରେ ପହଞ୍ଚିଲି। ଗୋଟେ ଭଲ ଡବାରେ ମହୁ ଭରିବାକୁ ଅଫିସ ପିଅନ କୁ ଧରେଇ ଦେଲି।

 ଅଫିସରେ ବସିବା କ୍ଷଣି ସେଇ ସୁନ୍ଦରୀ ତରୁଣୀର ମୁହଁ ନାଚିଗଲା ମୋ ଆଖି ଆଗରେ।କି ଆକର୍ଷଣ ଥିଲା କେଜାଣି ସେ ମୁହଁରେ ଯୁଆଡେ ଚାହିଁଲେ ତାରି ମୁହଁ ତା'ର ଆଖି, ତା'ର ମହୁଝରା ହସ ମୋତେ ପାଗଳ କରିଦେଲା। ମୋବାଇଲରେ ଥିବା ସେଇ ଭିଡିଓକୁ ବାରମ୍ବାର ଖୋଲି ଦେଖିବାକୁ ଲାଗିଲି।


ହଠାତ୍ ମୋ ଚିନ୍ତା ଚେତନାରେ ବ୍ୟାଘାତ ସୃଷ୍ଟି କରି, ପିଅନ କହିଲା,",ସାର୍।ଇଏ ମହୁ ନାଁ ଚିନି ପାଣି"।


"ଚୁପ୍।"ମୋ ପାଟିରୁ ହଠାତ୍ ବାହାରି ଆସିଲା। ବାସ୍ତବ ଦୁନିଆକୁ ଫେରି ଆସି କହିଲି, "ହଁ କ'ଣ ହେଲା। ସେଗୁଡିକ ମହୁ ନୁହେଁ?"


ପିଅନ କହିଲା,"ମହୁ ବୋଲି ଯାହାକୁ ଆଣିଛନ୍ତି, ସେଗୁଡିକ ନିରୋଳା ଚିନି ସିରା।ହେଇ ଦେଖନ୍ତୁ।ଚିନି ସିରା କେମିତି କାଚ ବମ୍ ଭିତରୁ ସ୍ପଷ୍ଟ ଦେଖାଯାଉଛି।ଆଉ ଗୋଲ ମରିଚ ବୋଲି ଯାହାକୁ ଆଣିଛନ୍ତି ସିଏ ଅସଲି ଅମୃତଭଣ୍ଡା ମଞ୍ଜି।"


"ଆଏଁ"।ମୋ ପାଟିରୁ ବାହାରି ଆସିଲା।


ପିଅନ କହିଲା,"କହିଲେ ତ ରାଗିବେ ସାର୍।ନକଲି ଭିତରେ ରହି ରହି ଆପଣଙ୍କର ନକଲି ପ୍ରୀତି ବହୁତ ବଢିଗଲାଣି।"


"ଚୁପ୍। ବହୁତ ମୁହଁ ବଢ଼ି ଯାଉଛି, କିଛି ନ କହିବାରୁ।ଯା,ତୋ କାମ କର।"ମୋ ପାଟିରୁ ବାହାରି ପଡ଼ିଲା।


କିଛି ସମୟ ପରେ,ପୁଣି ସେଇ ମୁହଁ,ସେଇ ହସ ମୋତେ ପାଗଳ କରିଦେଲା। ବାରମ୍ବାର ବାରମ୍ବାର ଦେଖିବାକୁ ଇଚ୍ଛା ହେଉଥିଲା ସେ ଭିଡ଼ିଓ କୁ।


  ଏମିତି, କେମିତି ଗୋଟାଏ ସପ୍ତାହ ଅତିକ୍ରମ କରିଗଲା, ମୁଁ ଜାଣି ପାରିଲି ନାହିଁ। ପୁଣି ସେଇ ସୁନ୍ଦରୀ ଯୁବତୀର ଭିଡିଓ ଖୋଲି ଦେଖୁଥାଏ,ମୋ ଡ଼୍ରାଇଭର, କହିଲା,ସାର୍ ଜଣେ ଲୋକ ମୋତେ ପଚାରିଲେ,ତମ ବାବୁ ବାହା ହେଇ ସାରିଲାଣି ନାଁ ନାହିଁ। ମୁଁ କହିଲି ନାଁ।ସେ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଛନ୍ତି।ଡାକିଦେବି କି ତାଙ୍କୁ ?

  

ମୁଁ କହିଲି ,"ହଉ ଡାକ।"


ଲୋକଟି କହିଲେ,"ଆଜ୍ଞା। ମୁଁ ଜଣେ ମଧ୍ୟସ୍ଥି। ଆପଣଙ୍କ ପାଇଁ ବଢ଼ିଆ ବଢ଼ିଆ ସୁନ୍ଦରୀ କନ୍ୟାଙ୍କ ଫଟୋ ଆଣିଛି।କେଉଁଟା ପସନ୍ଦ ହେଉଛି ଦେଖନ୍ତୁ।"

ମୋ ହାତକୁ ଗୋଟିଏ ଫଟୋ ବଢ଼େଇ ଦେଇ ବସିଗଲା ମଧ୍ୟସ୍ଥି।ଫଟୋ ଓଲଟେଇଲା ବେଳେ ମୋର ନଜର ପଡିଲା ସେଇ ଫଟୋ ଉପରେ।ପାଇଛି ପାଇଛି ବୋଲି ମୁଁ ପାଗଳ ଭଳି ଗର୍ଜିଉଠିଲି।ଯାହା ପାଇଁ ଗୋଟିଏ ସପ୍ତାହ ହେଲା ଦିନ ରାତି ଏକ ହେଇଯାଇଛି, ଯାହା ପାଇଁ, ମୁଁ ଅର୍ଦ୍ଧପାଗଳ ହେଇ ଘୁରି ବୁଲୁଥିଲି,ସେଇ ଫଟୋ ହିଁ ଆଜି ମୋ ହାତରେ। 


ଆଉ କାଳ ବିଳମ୍ବ ନକରି ମଧ୍ୟସ୍ଥି ସହ ଚାଲିଲି ଝିଅ ଦେଖିବାକୁ।ଝିଅକୁ ସାମ୍ନାରେ ପାଇ, ମୁଁ ପାଗଳ ହୋଇ ଉଠିଲି।ଇଏ ସେଇ ମୋ ମନର ମାନସୀ ମୋ କୋହିନୂର ହିରା ,ମୋ ଦୁଃଖ ପାସୋରା।ଯାହାକୁ ସପ୍ତାହେ ହେଲା ମୁଁ ଚାହିଁ ବସିଛି।

 ଝିଅ ବିଷୟରେ ମଧ୍ୟସ୍ଥି ସହ ଆଲୋଚନା କରି, ଜାଣିଲି ଯେ,ସେ ଝିଅ,ଏଇଠି ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରିଛି।ଘରେ ତା'ର ନିଜର ବୋଲି କେହି ନାହିଁ। ତେଣୁ କନ୍ୟାଦାନ କରିବା ପାଇଁ କେହି ନାହାନ୍ତି। ତେଣୁ, ସ୍ଥିର ହେଲା,ନୋଟାରୀ ପାଖରେ ବାହାଘର ହେବ।

  

 ଖୁସିରେ ମୁଁ ୩୦୦୦ଟଙ୍କା ମଧ୍ୟସ୍ଥି ପକେଟରେ ପୁରେଇ ଦେଲି।


  ବାହାଘର ସରାଲା। ଆସିଲା ବାସର ରାତି। ଲାଗୁଥିଲା, ଆକାଶ ଯେମିତି ମୋ ହାତମୁଠାରେ।କୂଳ ଦୀପକୁ ସାକ୍ଷୀ ରଖି, ମୁଁ ତାକୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ,ସେ ମୋତେ ବାଧା ଦେଲା। କହିଲା, "ଛଅ ଦିନ ହେଲା, ମୁଁ ରଜବତୀ ହେଇଛି।ଆଜି ଷଷ୍ଠ ଦିନ।ଆଉ ଦିନେ ପରେ ଆମେ ଶାରୀରିକ ସମ୍ପର୍କ ରଖିପାରିବା। ହେଲେ ଶାରୀରିକ ସମ୍ପର୍କ ପୂର୍ବରୁ ମୋର ଗୋଟିଏ ସର୍ତ୍ତ।"


ମୁଁ କହିଲି ,"କ'ଣ"?


ସେ କହିଲା "ମୁଁ ଗରିବ ବୋଲି, ବାପା ମାଆ ଛେଉଣ୍ଡ ବୋଲି, ମୋ ବେକ,କାନ,ନାକ ସବୁ ଫୁଙ୍ଗୁଳା, ଲଙ୍ଗଳାହେଇ ପଡ଼ିରହିଛି।ମୋର ଏତିକି ଆଶା ଆକାଙ୍କ୍ଷା ପୂରଣ କରି ପାରିବନି ?"


ମୁଁ କହିଲି ",ଏଇ କଥା।ଆରେ ତମେ ମୋର ସବୁ କିଛି। ମୁଁ ମୋର ସର୍ବସ୍ବ ତୁମକୁ ଦେଇ ଦେଇପାରେ।ମୋ ମନର ମାନସୀ ର ମନବାଞ୍ଛା ମୁଁ ପୂରଣ କରି ନ ପାରିଲେ, ମୁଁ କି ସ୍ବାମୀ ? କାଲି ତମର ସବୁ ଇଚ୍ଛା ପୂରଣ କରି ଦେବି ଏ ପ୍ରତିଶୃତି ମୁଁ ଦେଉଛି।ତୁମେ ଯାହା ଚାହିଁବ ମୁଁ କାଲି ସବୁ ଦେଇଦେବି"

 

 ରାତି ପାହିଲା। ସକାଳୁ ସକାଳୁ ଡ଼୍ରାଇଭର କୁ ଧରି ଯାଇ ସୁନା ଦୋକାନ ଆଗରେ ହାଜର। ଦୋକାନ ଖୋଲିଲା।ମୋର ପ୍ରେୟସୀ ର ଖୁସି ପାଇଁ ମୁଁ ମୋର ଆକାଉଣ୍ଟ ଫାଙ୍କା କରି ଚାଳିଶ ଲକ୍ଷ ଟଙ୍କାର ସୁନା ଗହଣା କିଣି ଦେଲି। ପ୍ରେୟସୀର ଖୁସି କହିଲେ ନ ସରେ।ଗାଡ଼ିରେ ମୋ ଉପରକୁ ଆଉଜି ଆସି କହିଲା ସତରେ ତମେ କେତେ ଭଲ।


  ତାପରେ ପାଖେଇ ଆସିଲା ମୋର ସୁଖର ସମୟ। ବହୁ ପ୍ରତିକ୍ଷିତ ସମୟ ପାଖେଇ ଆସୁଛି।ବହୁଦିନର ଆଶା ଆଜି ପୂରଣ ହେବାକୁ ଯାଉଛି। ଆନନ୍ଦରେ ମନ ନାଚି ଯାଉଥାଏ। ହନିମୁନ୍ ପାଇଁ, ଘର ଭିତରେ ରଜନୀ ଗନ୍ଧାର ମହକରେ ଘର ମହକି ଉଠୁଥାଏ।ମନ ଉଡୁଥାଏ ଆକାଶରେ।ପଲଙ୍କ ଉପରେ ଅପେକ୍ଷା କରି ରହିଲି ମୋ ପ୍ରେୟସୀକୁ।

   ରାତି ବଢ଼ି ବଢ଼ି ଚାଲିଲା, ହେଲେ କାହିଁ ସେ।ଏତେ ସମୟ ଯାଏଁ ପାଇଖାନାରେ କ'ଣ କରୁଛନ୍ତି ? 

     ଉଠିଯାଇ ଦେଖିଲି, ପାଇଖାନା ଖୋଲା।କେହି ନାହାନ୍ତି ସେଠି।ଘରର ମୁଖ୍ୟ ଦ୍ବାର ବନ୍ଦ କରିଥିଲି ମୁଁ।ସେ ବି ଖୋଲା।ମୋ ମୁଣ୍ଡ ଉପରେ ଆକାଶ ଟା ଛିଡି ପଡ଼ିଲା। କ'ଣ ହେଉଛି ଏ ସବୁ। ମୁଁ କିଛି ବୁଝି ପାରିଲି ନାହିଁ। କ'ଣ କରିବି କିଛି ସ୍ଥିର କରିପାରିଲି ନାହିଁ।

    ଡ଼୍ରାଇଭର କୁ ଫୋନ୍ କଲି।ତା'ର ଫୋନ୍ ସୁଇଚ୍ ଅପ୍ ।କେବେ ବି ତା ଫୋନ୍ ସୁଇଚ୍ ଅପ୍ ନ ଥାଏ।ଆଜି ଏ ବ୍ୟତିକ୍ରମ।

  

  ଉପାୟ ନ ପାଇ ଗାଡ଼ି ଧରି ଚାଲିଲି ଥାନାକୁ। ଥାନାବାବୁ ସେ ସୁନ୍ଦରୀ ତରୁଣୀର ଫଟୋ କୁ ଦେଖି କହିଲେ,ଆସ ମୋ ସାଙ୍ଗରେ।

     ଥାନା ଆଗରେ ଟଙ୍ଗା ଯାଇଥବା କ୍ରିମିନାଲ ମାନଙ୍କ ଫଟୋକୁ ଦେଖେଇ କହିଲେ,ଏଇ ସେଇ ନାରୀ ନାଁ ? ମୁଁ ଆଖି ବୁଲେଇ ଆଣି ଦେଖିଲି ସେଠି ସେ ସୁନ୍ଦରୀ ନାରୀର ଫଟୋ ସହ ମୋ ଡ୍ରାଇଭରର ଫଟୋ ବି ଟଙ୍ଗା ଯାଇଛି।ମୋ ପାଦ ତଳୁ ମାଟି ଆସି ଖସି ଖସି ଯାଉଥିଲା।ଯାତ୍ରା ପେଣ୍ଡାଲରୁ ଶୁଭୁଥିଲା,


"ଦେଖନ୍ତୁ ଆଜିର ଐତିହାସିକ ନାଟକ, ନ...କ..ଲି  ପ୍ର.….ତି  ସା.. ‌ବ...ଧା...ନ।


       


Rate this content
Log in

Similar oriya story from Inspirational