RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ମୂଳକୁ ଚିହ୍ନ

ମୂଳକୁ ଚିହ୍ନ

5 mins
284


ଯୁବରାଜଙ୍କର ଅଭିଷେକ ପାଇଁ ସାରା ରାଜ୍ୟ ଉତ୍ସବମୁଖର । ଭେରି ତୂରୀର ପ୍ରଚଣ୍ଡ ଶଦ୍ଦରେ ପ୍ରକମ୍ପିତ ରାଜ ଉଆସ । ଅଭିଷେକର ଅବ୍ୟବହିତ ପୂର୍ବରୁ ଦେଶର ମହାମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି, ଯୁବରାଜ କହିଲେ,", ଆପଣ ମୋର ପିତୃ ତୁଲ୍ୟ । ମୋର ସ୍ୱର୍ଗତ ପିତାଙ୍କର ଆପଣ ଥିଲେ ପରାମର୍ଶ ଦାତା । ଦେଶକୁ ସୁଶାସନ ଦେବାରେ, ଆପଣଙ୍କ ଭୂମିକା ନିଶ୍ଚୟ ଅଧିକ ରହିବ । ମାତ୍ର, ଯେହେତୁ ମୁଁ ବାସ୍ତବବାଦୀ, କେବଳ ବାସ୍ତବ ସତ୍ୟକୁ ମୁଁ ଗ୍ରହଣ କରିବି । କୌଣସି ଯୋଜନା ସଫଳ ରୂପାୟନ ପାଇଁ ପରାମର୍ଶ ଦେବା ପୂର୍ବରୁ,ତା'ର ବାସ୍ତବ ଦୃଢ଼ ପ୍ରମାଣ ଆପଣଙ୍କୁ ଦେବାକୁ ପଡ଼ିବ । ଅନ୍ୟଥା, ମୁଁ ଆପଣଙ୍କର ପରାମର୍ଶକୁ ଗ୍ରହଣ କରିବି ନାହିଁ । "

   

   ମହାମନ୍ତ୍ରୀ କହିଲେ, "ସ୍ୱାଗତଯୋଗ୍ୟ । ମାତ୍ର ବାସ୍ତବ ସତ୍ୟର ଉନ୍ମୋଚନ ପାଇଁ, ଆପଣଙ୍କୁ ବାସ୍ତବ କ୍ଷେତ୍ରକୁ ଯିବାକୁ ପଡ଼ିବ । ମଝିରେ ମଝିରେ ନଗର ପରିକ୍ରମା କରି ବାସ୍ତବ ସତ୍ୟକୁ ଜାଣିବାକୁ ପଡ଼ିବ । "

   

   ଯୁବରାଜ କହିଲେ "ନିଶ୍ଚୟ "


  ଅଭିଷେକ ସରିଲା । ତହିଁ ପର ଦିନ, ଯୁବରାଜଙ୍କୁ ଧରି,ମହାମନ୍ତ୍ରୀ ଚାଲିଲେ ଗାଁ ପରିକ୍ରମାରେ । ଧୁ ଧୁ ଖରା । ଟପ୍ ଟପ୍ ଶଦ୍ଦ କରି ଦୌଡୁଛି ଘୋଡ଼ା । ସାଙ୍ଗରେ ସୈନ୍ୟ ସାମନ୍ତ । ପରିକ୍ରମା ସାରି, ଯୁବରାଜ ଗୋଟିଏ ଝଙ୍କାଳିଆ ବରଗଛ ପାଖରେ ଘୋଡ଼ାରୁ ଓହ୍ଲେଇ ପଡ଼ି ଗଛ ଛାଇରେ ବିଶ୍ରାମ ନେଲେ । ନଡ଼ିଆ ଗଛରୁ ଡାବ ଆଣି ଯୁବରାଜଙ୍କୁ ଦିଆଗଲା । ଡାବ ପିଇ ସାରିବା ପରେ, ଯୁବରାଜ ଆରମ୍ଭ କଲେ,"ମହାମନ୍ତ୍ରୀ !ମୋ ମନରେ କେତୋଟି ପ୍ରଶ୍ନ ଉଙ୍କି ମାରୁଛି, ଯାହାର ଉତ୍ତର ମୋ ପାଖରେ ନାହିଁ । ଦୟାକରି କହିବେ କି ?"


୧ମ ପ୍ରଶ୍ନ _ଯେଉଁ ଗଛ ଛାଇ ଦେଉଛି, ସେ ଫଳ ଦେଉନି, ଆଉ ଯେଉଁ ଗଛ ଫଳ ଦେଉଛି, ସେ ଛାଇ ଦେଉନି । ଯେମିତି ଏ ବରଗଛ, ଆଉ ନଡ଼ିଆ ଗଛ । ଭଗବାନଙ୍କ ସୃଷ୍ଟିରେ ଏମିତି କାହିଁକି ?"


  ମହାମନ୍ତ୍ରୀ ଉତ୍ତର ଦେଲେ,"ଶାସନର ସୁବିଧା ପାଇଁ, ଆମେ ସଚିବାଳୟରେରେ, ଅନେକ ବିଭାଗ ସୃଷ୍ଟି କରିଛନ୍ତି । ଯଦି ଗୋଟାଏ ବିଭାଗ ଉପରେ ସବୁ ଦାୟିତ୍ଵ ନ୍ୟସ୍ତ କରିବା, ତେବେ ସବୁ କାମ ସୁଚାରୁରୂପେ ସମ୍ପାଦନା କରିବା କଷ୍ଟକର । ଶାବଳର କାମ ଛୁଞ୍ଚି କରିପାରିବ ନାହିଁ ବା ଛୁଞ୍ଚିର କାମ ଶାବଳ କରିପାରିବ ନାହିଁ । ତେଣୁ,ଶାବଳ ମୋଟା ଓଜନିଆ ବୋଲି, ଆମେ ଛୁଞ୍ଚିକୁ ଛୋଟ ଭାବିବା ଉଚିତ ନୁହେଁ । ଦେଶର ସମୁହ ବିକାଶ ପାଇଁ,ସବୁ ବିଭାଗ ଉପରେ ସମାନ ଦୃଷ୍ଟି ଦେବା ଉଚିତ । "


 ଯୁବରାଜ ଆରମ୍ଭ କଲେ,

    "୨ୟ ପ୍ରଶ୍ନ _ଆମେ ଯେତେ ଗାଁ ବୁଲିଲେ, ପ୍ରାୟ ଗାଁରେ ଝୁମ୍ପୁଡି ଘର ୯୫ ବେଳେ, କୋଠା ଘର ୫ଟି ଦେଖା ଯାଉଛି । ତା'ର କାରଣ କ'ଣ ?"


 ମହାମନ୍ତ୍ରୀ ଉତ୍ତର ଦେଲେ,", ଛୁଞ୍ଚିକୁ ଛୋଟ ଓ ଶାବଳକୁ ବଡ଼ ଭାବିବାର ଏ ହେଉଛି ପରିଣତି । 


   ଆପଣଙ୍କର ପିତା,ଯେଉଁ ବିଭାଗରୁ ଅଧିକ ରାଜସ୍ୱ ଆଦାୟ ହେଉଥିଲା, ସେଇ ବିଭାଗ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ଓ ଯେଉଁ ବିଭାଗ ଦେଶରକ୍ଷାର ପ୍ରମୁଖ ଭୂମିକା ନେଉଥିଲେ ମଧ୍ୟ, କମ୍ ରାଜସ୍ୱ ଆଦାୟ ଦେଉଥିଲା ତା ଉପରେ କମ୍ ଗୁରୁତ୍ୱ ଦେଉଥିଲେ । ସେଥିପାଇଁ ଏ ଭଳି ଅବସ୍ଥା ସୃଷ୍ଟି ହୋଇଛି । ଧରାଯାଉ, ଆପଣ ଯେଉଁ ଗଛ ତଳେ ବସିଛନ୍ତି,ସେ ହେଉଛି ଆମର ଦେଶ । ସେଇ ଗଛର ଡାଳ,ପତ୍ର, ମୂଳ,ଫଳ ବିଭିନ୍ନ ବିଭାଗ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଯଦି ମୂଳ ନ ଥାନ୍ତା ଗଛ ନ ଥାନ୍ତା । କାରଣ, ମୂଳ ଗଛର ସବୁ ଅଂଚଳକୁ ଖାଦ୍ୟ ଯୋଗାଉଛି । ଖାଦ୍ୟ ନ ପାଇଲେ,ଏ ଗଛର ଫଳ ତ ଦୂରର କଥା, ଡାଳ ପତ୍ର ବି ନ ଥାନ୍ତା । ମାତ୍ର ଆମର ରାଜା ମୂଳର ସୁରକ୍ଷା ବିଷୟରେ କିଛି ଚିନ୍ତା ନ କରି, ଫଳରେ ଆଶା ରଖୁଥିଲେ । ରାଜସ୍ୱ ମିଳିଗଲେ, ସେ ଖୁସ୍ । ସେ ଭଳି କ୍ଷେତ୍ରରେ ଝୁମ୍ପୁଡି ଅଧିକ ରହିବନି ଆଉ କ'ଣ ଅଧିକ କୋଠା ଘର ରହିବ । 

  ଥରେ ଭାବନ୍ତୁ ଯୁବରାଜ । ଆପଣ ଏ ଦେଶର କର୍ଣ୍ଣଧାର । ଆପଣ ଶାସନରେ ସଂସ୍କାର ନ ଆଣିଲେ,ଏ ଦେଶ ଧ୍ୱଂସ ଆଡ଼କୁ ମୁହେଁଇବ ନିଶ୍ଚୟ । ଗଛର ମୂଳ ଚିହ୍ନି, ତା ମୂଳରେ ଖାଦ୍ୟ ପାଣି ନ ଯୋଗେଇଲେ, ଏ ଗଛ ରୂପକ ଦେଶ କେତେବେଳେ ଯେ ଧ୍ୱଂସ ହେଇଯିବ ତା କହିବା ମୁସ୍କିଲ ।"


  ଯୁବରାଜ କହିଲେ,"ତେବେ ଆମର କେଉଁ ବିଭାଗଟିକୁ ଆପଣ ମୂଳ ବୋଲି ଭାବୁଛନ୍ତି । ଯାହା ଉପରେ ଆମେ ଅଧିକ ଗୁରୁତ୍ବ ଦେବା ଉଚିତ ।"

   ମନ୍ତ୍ରୀ କହିଲେ,"ଆଗରୁ ଆପଣ କହିଛନ୍ତି, ମୁଁ ଯାହା ପରାମର୍ଶ ଦେବି, ତାକୁ ପ୍ରମାଣ କରି ଦେଖେଇବାକୁ ପଡ଼ିବ । ଆମ ଦେଶର ମୂଳ କିଏ, କାହା ଉପରେ ଆମର ଦେଶ ଅଧିକ ନିର୍ଭର କରୁଛି, ତା'ର ପ୍ରମାଣ କରି ଦେଖେଇବା ଅର୍ଥ, ଗୋଟିଏ ଜଳନ୍ତା ଅଗ୍ନି ପିଣ୍ଡୁଳା ଭିତରକୁ ପ୍ରବେଶ କରିବା ସହିତ ସମାନ । 


 ଯୁବରାଜ କହିଲେ,"ଯେତେ ବଡ଼ ଅଗ୍ନି ପରୀକ୍ଷା ହେଉ ପଛେ ମୁଁ ପରୀକ୍ଷା ଦେବାକୁ ପ୍ରସ୍ତୁତ । ଆପଣ ଦୟାକରି କହନ୍ତୁ ।"


 ମନ୍ତ୍ରୀ କହିଲେ,"ତେବେ, ଯୁବରାଜ ! ଏ ପରୀକ୍ଷାର ଅବଧି ଏକ ମାସ । ଏଇ ଗୋଟିଏ ମାସ ପାଇଁ, କୃଷକ ଯେଉଁ ଫସଲ ଉପୁଜେଇଛି, ତାକୁ କୃଷକ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ, ଯେମିତି କି ସେ ତାର କୃଷି ଜାତ ଦ୍ରବ୍ୟ ବଜାରକୁ ନ ଛାଡେ ସେଥିପାଇଁ ସତର୍କ ଦୃଷ୍ଟି ରଖନ୍ତୁ । ଏବଂ ଅନ୍ୟ ସମସ୍ତ ବିଭାଗ ଯେମିତି କାର୍ଯ୍ୟ କରୁଛି,ତାକୁ ସେଇମିତି ଚଳେଇ ରଖିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଆଉ ରାଜ୍ୟର ସମସ୍ତ ଖାଦ୍ୟ ଭଣ୍ଡାରକୁ ପୂର୍ଣ୍ଣ କରି ରଖନ୍ତୁ ଯେମିତି ସାରା ରାଜ୍ୟକୁ ଗୋଟିଏ ମାସ ଖାଦ୍ୟ ଯୋଗେଇ ହେବ । "


   ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ, ଯୁବରାଜ ନିର୍ଦ୍ଦେଶନାମା ଜାରି କଲେ । କୃଷକ ତା'ର ଉପୁଜିଥିବା କୃଷି ଜାତ ଦ୍ରବ୍ୟଗୁଡିକୁ ବଜାରକୁ ଛାଡ଼ିଲା ନାହିଁ । ବଜାରରେ ଖାଦ୍ୟ ଦ୍ରବ୍ୟର ଅଭାବ ଦେଖା ଦେଲା । ଯେଉଁ ମାନେ ଧନୀ ବୋଲି ଗର୍ବରେ ଫାଟି ପଡୁଥିଲେ, କେଜି କେଜି ସୁନା ରଖିଥିଲେ, ବିଡ଼ା ବିଡା ଟଙ୍କା ଉପରେ ଶୋଉଥିଲେ, ସେମାନେ ହରଡ଼ ଘଟଣାରେ ପଡିଗଲେ । ତାକୁ ତ ଖାଇ ବଞ୍ଚି ହେବ ନାହିଁ । ଯେଉଁମାନେ, ଶୀତ ତାପ ନିୟନ୍ତ୍ରୀତ ଯନ୍ତ୍ର ତଳେ ରହି, ନିଜକୁ ଧନୀ ବୋଲି ଗର୍ବ କରୁଥିଲେ, ପେଟକୁ ଦାନା ନ ଯିବାରୁ, ସେମାନେ କାମ କରିବାକୁ ବଳ ପାଇଲେ ନାହିଁ । ସରକାରୀ, ବେସରକାରୀ ଦପ୍ତରରେ ଉପସ୍ଥାନ କମିବାକୁ ଲାଗିଲା । ଖେଳ ପଡିଆରେ, କ୍ରିକେଟ ଖେଳ ଦେଖିବାକୁ ଟିକେଟ କରିଥିବା ଲୋକେ ବି ଆଉ ପଡିଆକୁ ଖେଳ ଦେଖିବାକୁ ଯିବାକୁ ବଳ ପାଇଲେ ନାହିଁ । 

      ତେଣେ, କୃଷକ ଘର ଆଗରେ ଭିଡ ଲାଗିଲା । ରାଜ୍ୟ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ଯୁବରାଜ ମହାମନ୍ତ୍ରୀଙ୍କୁ ଡକେଇ କହିଲେ, ଆପଣ ପ୍ରମାଣ କରିଦେଇଛନ୍ତି ଏ ଦେଶର ମୂଳ ହେଲେ କୃଷକ । 

   ମନ୍ତ୍ରୀ କହିଲେ,"ଅଶେଷ ଧନ୍ୟବାଦ ଆପଣଙ୍କୁ, ଯୁବରାଜ ! ଆପଣ ସତ୍ୟର ଅନୁସନ୍ଧାନ କଲେ, ଏବଂ ସତ୍ୟକୁ ଚିହ୍ନିଲେ । ହେଲେ ଆପଣଙ୍କର ପିତା ରାଜସ୍ଵ ମୋହରେ ଅନ୍ଧ ହେଇ, ଦେଶର ଅନ୍ନଦାତା ପ୍ରତି ଅବିଚାର କରୁଥିଲେ । ବିଚାରା ଚାଷୀଟିଏ, ଗଛର ଚେର ଭଳି ମାଟିକୁ କାମୁଡି ଧରି ଦେଶକୁ ଖାଦ୍ୟ ଯୋଗାଉଥିଲା । ହେଲେ କରଜରେ ବୁଡ଼ି, ବର୍ଷ ସାରା ମାଟି ସହିତ ମାଟି ହେଇ, ଶେଷରେ ତା ଉତ୍ପାଦିତ ଶସ୍ୟକୁ ବଜାରରେ ବିକିଲେ, ଲାଭ ତ ଦୂରର କଥା,ତା ଉତ୍ପାଦିତ ଶସ୍ୟରୁ ମୂଳ ଧନ ବି ପାଉନାହିଁ । ଶେଷରେ ମାନସିକ ସନ୍ତୁଳନ ହରେଇ ସେ ଆତ୍ମହତ୍ୟା କଲେ ,ରାଜା କହୁଥିଲେ,ଘରୋଇ କଳିରୁ,ବା ପ୍ରେମ ବ୍ୟାପାରରୁ ସେ ଆତ୍ମହତ୍ୟା କରିଛି ।   

   ଆହୁରି ଗୋଟାଏ ଭୟଙ୍କର ସତ୍ୟ ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରୁଛି ଯୁବରାଜ ! ଧ୍ୟାନ ଦେଇ ଶୁଣନ୍ତୁ । ଆମ ପଡୋଶୀ ରାଷ୍ଟ୍ରରେ ଆଜି ଖାଦ୍ୟାଭାବ ଦେଖାଦେଇଛି । ଲୋକେ ରାସ୍ତାକୁ ଓହ୍ଲାଇ ଆସିଲେଣି । ସେଇ ଭଳି, ଆମ ଦେଶ ଏକ ଭୟଙ୍କର ପରିସ୍ଥିତିକୁ ସାମ୍ନା କରିବାକୁ ଯାଉଛି । ଏବେଠୁଁ ସାବଧାନ ନ ହେଲେ ଆଗାମୀ ଦିନ ହୁଏତ ଆମ ପାଇଁ ବିପଦଜନକ ହେଇପାରେ । 

      ଚାଷୀ କ୍ଷତି ସହିସହି, ଚାଷ ଛାଡି ଦେଲେଣି । ଆଉ କେହି ଯଦି ଚାଷ କରୁଛି, ସେ ଆଉ ଗୋବର ଖତ ବିଲରେ ଦେଉନି,କାରଣ,ଘରେ ଆଉ ଗାଇ ଗୋରୁ ନାହାନ୍ତି । କେବଳ ରାସାୟନିକ ସାର ପ୍ରୟୋଗ ଦ୍ୱାରା, ମାଟିର ଅମଳ କ୍ଷମତା କମିକମି ଆସୁଛି । ମାଟିରେ ଅମ୍ଳ ବଢ଼ି ବଢ଼ି ଯାଉଛି । ଦିନ ଆସିବ, ଆଉ ମାଟିରୁ ଫସଲ ଅମଳ ସମ୍ପୂର୍ଣ୍ଣ ବନ୍ଦ ହେଇ ଯାଇପାରେ । ତେଣୁ ଏହାର ନିରାକରଣ ନିହାତି ଜରୁରୀ । 

    ଏ ସବୁ ଶୁଣିବାପରେ, ଯୁବରାଜ କୃଷକ ମାନଙ୍କ ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ କଲେ, ନୂତନ ଗବେଷଣା କରି ନୂତନ ତଥ୍ୟର ସନ୍ଧାନ ପାଇଲେ ଏବଂ ଦେଶରୁ ଅଭାବ କଷଣ ଦୂର କରି ପାରିଲେ । 



Rate this content
Log in

Similar oriya story from Inspirational