Bismita Sahoo

Tragedy

5.0  

Bismita Sahoo

Tragedy

ମୁଠାଏ ପାଉଁଶ

ମୁଠାଏ ପାଉଁଶ

5 mins
519



- ଅପା ଲୋ, ଆଜି ତୋ କଥା କାଇଁ ବହୁତ ମନେ ପଡୁଛି।ଏମିତି ତ ସବୁଦିନେ ମନେପଡେ, ଆଜି କିନ୍ତୁ ତୋ ହସୁକୁରି ମୁହଁଟି ମୋ ଆଖି ଆଗରେ ନାଚି ଯାଉଛି। ତୋତେ ଦେଖିବାକୁ ଭାରି ଇଚ୍ଛା ହେଉଛି। ଜାଣିଛୁ ଅପା, ମୁଁ ଆଉ ଆଗ ପରି ଦୁଷ୍ଟ ହେଉନି। ବାପାଙ୍କ ନାଲି ଆଖି କି ମା'ର ବେଲଣା ବାଡିରୁ କିଏ ମୋତେ ତୋ ପରି ବଞ୍ଚେଇବ? କିଏ ନ ଖାଇ ଶୋଇ ପଡିଲେ ମୋତେ ଖୁଆଇ ଦେବ? ମା ତ ସଦାବେଳେ ରୋଷେଇ ଘରେ, ନହେଲେ ଜେଜିମାର ସେବାରେ ବ୍ୟସ୍ତ। ମୋତେ କେତେବେଳେ କଣ ଖାଇବାକୁ ଇଛା ହୁଏ ତୁ ମୋ ମୁହଁ ଦେଖି ଜାଣିପାରୁ। ଅପା ତୋର ମନେ ଅଛି, ଜରରେ ପଡ଼ି କମ୍ପୁଥିଲା ବେଳେ ମୋର ଇଚ୍ଛା ହେଲା କାନ୍ଧିଆ ଖାଇବାକୁ। ତୁ ନିଧି ଅଜାଙ୍କ ବାଡ଼ିରେ ପଶି ମୋ ପାଇଁ ତୋଳି ଆଣିଲୁ। ତାଙ୍କ କୁକୁରର ଲହ ଲହ ଜିଭକୁ ଖାତିର କଲୁନି। ଅନ୍ୟ ସମୟରେ କୁକୁରକୁ ଦେଖିଲେ ତୁ ଡିଆଁ ମାରୁ। ହେଲେ ସେଦିନ ତୁ ଏମିତି ସାହସୀ କିପରି ହେଇଗଲୁ। ମୁଁ ଦେଖିଛି କାନ୍ଧିଆ କଣ୍ଟା ପଶି ତୋର କହୁଣୀରେ ରାଞ୍ଚୁଡ଼ି ହେଇଥିଲା। ରକ୍ତ ବି ବାହାରୁଥିଲା। କାଳେ ମୁଁ ଜାଣିଲେ ମନ ଦୁଃଖ କରିବି ବୋଲି ତୁ କିଛି କହିଲୁନି। ତୋ କଷ୍ଟକୁ ଭୁଲି କାନ୍ଧିଆ ରେ ଲୁଣ ଲଙ୍କା ଚକଟି ମୋ ଜିଭରେ ଟିକିଏ ଟିକିଏ ଚଟେଇ ଦେଇଥିଲୁ। ସେଥିପାଇଁ ପାଞ୍ଚ ଛ ଦିନ ପରେ ସେଦିନ ବୋଧେ ମୁଁ ପେଟେ ଭାତ ଖାଇଦେଇଥିଲି।


  ଅପା ଲୋ, ଆଖି ଛୁଇଁ ସତ କହୁଛି ମୁଁ ଜମା ବଦମାସି କରୁନି। ତୁ ବାହା ହୋଇ ଗଲାବେଳେ ମୋ ଗାଲକୁ ବୋକ ଦେଇ ମୋତେ କହିଥିଲୁ ମୁଁ ଯେପରି କେବେ ଦୁଷ୍ଟାମୀ ନ କରେ। ମା କୁ ହଇରାଣ ନ କରେ। ଆ ଦେଖିବୁ ତୋ ରଜୁଆ କେମିତି ସୁନାପିଲା ହେଇ ଯାଇଛି। କାଲି ମା ପଡ଼ିଶା ଘର ଲଳିତା ମାଉସୀଙ୍କୁ କହୁଥିଲା ଯେ ଲିନା କଥା ମାନି ମୋ ହୁଣ୍ଡା ମସ୍ତି କରୁଥିବା ପୁଅଟା ସୁନାମୁଣ୍ଡା ପାଲଟି ଯାଇଛି। 


    ଅପା ଲୋ, ତୋତେ ଆଉ ମୋ ପାଇଁ କାହାଠୁ ଗାଳି ଶୁଣିବାକୁ ପଡ଼ିବନି। ମୁଁ ଏବେ କାହା ବାଡିରୁ ପିଜୁଳୀ କି କୋଳି ଚୋରି କରୁନି। ମନୁଆ ଏବେ ଦିନେ ଆସିଥିଲା। କହିଲା ଦିନୁ ଅଜାଙ୍କ ବାଡ଼ିରେ ଆମ୍ବ ପାଚି ଟହ ଟହ କରୁଛି। ସାଙ୍ଗମାନେ ସବୁ ମିଶିକି ଦିହିପର ବେଳା ଦେଖିକି ଖାପୁଡ଼ ମାରି ସବୁ ଆମ୍ବ ତୋଳି ଆଣିବେ। ବିଦ୍ୟାରାଣ ପକେଇ କହୁଛି ମୁଁ କିନ୍ତୁ ସେମାନଙ୍କ ସାଙ୍ଗରେ ଗଲିନି। ରୋକ୍ ଠୋକ୍ ମନା କରିଦେଲି। 


  ଅପା ଜାଣିଛୁ, ମୁନାଭାଇ ମୋତେ ଆଉ ଜବରଦସ୍ତି ଟେକିକି ନେଇ ସ୍କୁଲରେ ଛାଡ଼ୁ ନାହାନ୍ତି। ମୁଁ ନିଜେ ନିଜେ ଠିକ୍ ସମୟରେ ସ୍କୁଲ ଯାଉଛି। ସବୁ ପାଠ ମନ ଦେଇ ପଢୁଛି। ଅପା ତୋର ମନେଅଛି, ମୋତେ କାଳିଆ ତୋ ଚେଲା କହି ଚିଡ଼େଇଲା ବୋଲି ମୁଁ ଟେକା ମାରି ତା ମୁଣ୍ଡ ଫଟେଇ ଦେଇଥିଲି। ସେ ବାପାଙ୍କୁ କହିବାରୁ ବାପା ମୋତେ ଖୁବ୍ ମାରିଥିଲେ। ମା ପାଟିରେ ତାର ଲୁଗା କାନି ମାଡ଼ି ଚୁପ୍ ଚାପ୍ କାନ୍ଦୁଥିଲା। ତୁ ରାତି ସାରା ମୋତେ ଏପରି ଦୁଷ୍ଟାମୀ ନ କରିବାକୁ ବୁଝେଇଥିଲୁ। ହେଲେ ମୁଁ କିନ୍ତୁ ସକାଳ ହେଲାରୁ ପୁଣି କାଳିଆକୁ ଯାଇ ମାରିଥିଲି ଯେ ସେ କାହିଁକି ବାପାଙ୍କୁ ମୋ ନାଁ ରେ କହିଦେଲା।


      ହେଲେ , ଅପା ଜାଣିଛୁ ଏବେ ମୁଁ କାହାକୁ ମାରପିଟି କରୁନି। ଆଜି କାଳିଆ ମୋ କାଚ ବାଟି ସବୁ ଲୁଚେଇକି ମୋ ବ୍ୟାଗ ରୁ ନେଇଗଲା, ମୁଁ କିନ୍ତୁ ତାକୁ ମାରିନି। ସେ ମୋତେ ବାଟି ସବୁ ଦେଖେଇ ଖତେଇ ହେଲା। ତଥାପି ମୁଁ ତା ଦେହରେ ହାତ ବି ଦେଇନି। ମୋତେ ରଗେଇବାକୁ 'ଅପା ର ଚେଲ୍ଲା' କହି ଚିଡ଼େଇଲା। ମୋତେ କାହିଁକି ଏଇ ନାଁ ଟା ଶୁଣି ଭାରି ଖୁସି ଲାଗିଲା। ମୁଁ ତାକୁ କହିଲି ଯେ ଏଥର ମୋତେ ତୁ ସବୁଦିନ 'ଅପା ର ଚେଲ୍ଲା' କହି ଡାକିବୁ। ଏହା ଶୁଣି ମୋତେ ସେ ଡବ ଡବ ହୋଇ ଅନେଇ ରହିଲା। 


   ଅପା ତୁ ମୋତେ ସବୁଦିନ ପଢ଼ିବାକୁ କହୁ। ମୁଁ କିନ୍ତୁ ପାଠ ନ ପଢ଼ି ବହି ସବୁ ଚିରି ଡଙ୍ଗା କରି ନାଳରେ ଭସେଇ ଦିଏ। ତୁ ମୋ କାନ ମୋଡ଼ି କହୁ "ରଜୁଆରେ, ତୁ ପାଠ ପଢ଼ିଲେ ବଡ଼ ହାକିମ ହେବୁ। ଗାଡ଼ି ଚଢିବୁ।"

ହେଲେ ମୁଁ ସବୁ କଥା ତୋର ଏ କାନରେ ଶୁଣି ଆର କାନରେ ବାହାର କରିଦିଏ।


  ଏବେ କିନ୍ତୁ ଅପା ସତରେ ମୁଁ ମନ ଦେଇ ପଢୁଛି। ଏଥର ଷାଣ୍ମାସିକ ପରୀକ୍ଷାରେ ସେକେଣ୍ଡ ହେଇଛି। ତୁ ମନ ଦୁଃଖ କରୁଛୁ କି ? ତୋ ଦେହ ଛୁଇଁ କହୁଛି ଏଥର ବାର୍ଷିକ ପରୀକ୍ଷାରେ ନିଶ୍ଚୟ ଫାଷ୍ଟ ହେବି।


   ଅପା ଜାଣିଛୁ, ରତ୍ନାକର ସାର୍ କହୁଥିଲେ ଯେ ତୁ ବାହାହେଇ ଗଲାବେଳେ କୁଆଡ଼େ ମୋ କାନରେ ମନ୍ତ୍ର ଫୁଙ୍କି ଦେଇଛୁ। ସେଥିପାଇଁ ମୁଁ ଅଙ୍ଗାରରୁ ହୀରା ପାଲଟି ଯାଇଛି।

  

   ଅପା ମୁଁ ଏବେ ଯାହାବି କରୁଛି ଖାଲି ତୋ ପାଇଁ କରୁଛି। ତୁ ଖୁସି ହେଲେ ମୋତେ ଗେଲ କରିବୁ। ଅପା ତୁ ବାହା ହେଇ ଶାଶୁଘରକୁ ଯାଇଛୁ ଯେ ଯାଇଛୁ। ପୁରା ବର୍ଷେ ହେଇଗଲାଣି ଆସିବାର ନାଁ ଧରୁନୁ। 


   ବୋଉ ମୁନାଭାଇ ପାଇଁ ଝିଅ ଠିକ୍ କରି ସାରିଲାଣି। ଗଲା ମାସରେ ନିର୍ବନ୍ଧ ହେଲା। ଅପା, ପିଉସା, ମଉସା, ମାଉସୀ, ଦାଦା ,ଖୁଡି ସବୁ ଆସିଥିଲେ। ଖାଲି ତୁ ଆସିନଥିଲୁ। ମା ରାହା ଧରି କାନ୍ଦୁଥିଲା। କହୁଥିଲା ଯେ ତୁ ପିଲାଦିନୁ ସଦାବେଳେ କହୁଥିଲୁ ଯେ ତୁ ଯୋଉ ଝିଅକୁ ଠିକ୍ କରିବୁ ମୁନାଭାଇ ବାହାହେବ। ଅଥଚ ତୁ ତା ନିର୍ବନ୍ଧକୁ ବି ଆସିଲୁନି। ବାପା କାନ୍ଥକୁ ଆଉଜି ବସିଥିଲେ। ଚଷମାଧାରରୁ ଲୁହ ବୋହି ଯାଉଥିଲା। ବାପାଙ୍କ ପରି ବଡ଼ ମଣିଷମାନେ ବି ଯେ କାନ୍ଦନ୍ତି ତାହା ପ୍ରଥମ ଥର ଦେଖିଲି। ହେଲେ ଅପା ତୁ ଆସିଲୁନି କାହିଁକି? ମୁନାଭାଇ ତ ତୋତେ ଡାକିବାକୁ ଯାଇଥିଲା। ତୋ ଶାଶୁ କୁଆଡ଼େ ତୋତେ ଛାଡିଲେନି। ହେଲେ ସିଏ କିଏ ତୋତେ ଘରକୁ ଆସିବାକୁ ମନା କରିବାକୁ? ତୁ ଯଦି କହିବୁ, ପଥର ମାରି ତୋ ଶାଶୁର ମୁଣ୍ଡ ଫଟେଇ ଦେବି।  


   ଅପା ଆଉ ମାତ୍ର ପାଞ୍ଚ ଦିନ ପରେ ମୁନାଭାଇର ବାହାଘର। ମୁଁ ସମସ୍ତଙ୍କୁ କହି ଦେଇଛି ଯେ ଅପା ନ ଥାଇ ଭାଇର ନିର୍ବନ୍ଧ ହେଇଗଲା, କିନ୍ତୁ ବାହାଘର ହେଇ ପାରିବନି। 


 ଅପା, ଗୋଟେ କଥା କହିବି ତୁ କାହାକୁ କହିବୁନି। ଆମ ବାଡ଼ିପଟେ ଯେଉଁ ଆଖୁ କିଆରୀ ନ ଥିଲା କାଲି ମୁଁ ଖରାବେଳେ ଆଖୁ ଭାଙ୍ଗି ଖାଉଥିଲି ଯେ ବାପା ମନାକଲେ। କହିଲେ ସେ ଜମି ଆଉ ଆମର ହେଇକି ନାହିଁ। ବାପା ତୋ ବାହାଘର ପାଇଁ ବିକ୍ରୀ କରିଦେଇଛନ୍ତି। ମୁଁ ତୋତେ କହିଛି ବୋଲି ପ୍ଲିଜ ତୁ କାହାକୁ କହିବୁନି। ହଁ ଶୁଣ, ଆଉ ଗୋଟେ ସିକ୍ରେଟ। ତୋ ଶାଶୁ ଫୋନ କରି ପଚାଶ ହଜାର ଟଙ୍କା ମାଗିଛନ୍ତି। କହିଲେ ଯଦି ବାପା ତାଙ୍କୁ ଟଙ୍କା ନ ଦିଅନ୍ତି ତେବେ ତୋତେ ବାହାଘରକୁ ଛାଡ଼ିବେନି। ସେଥିପାଇଁ ଆମ ଘର ବନ୍ଧା ପକେଇ ବାପା ଟଙ୍କା ଆଣିଛନ୍ତି। 


  ଅପା ଏଥର ତୋତେ ସେମାନେ ନିଶ୍ଚୟ ଛାଡିବେ। ଦି ଦିନ ହେଲାଣି ମୁନାଭାଇ ଟଙ୍କା ନେଇ ତୋତେ ଡାକିବାକୁ ତୋ ଶାଶୁଘରକୁ ଯାଇଛି। ତୁ ଏତେ ଡେରି କଣ ପାଇଁ କରୁଛୁ ଯେ। ଜଲଦି ଆସେ। ତୋତେ କେତେ କଥା କହିବାକୁ ବାକି ଅଛି। ମୁନାଭାଇ ବୋଧେ ଆଉ କୁଆଡ଼େ କାମରେ ପଳେଇଛି। ତୋ ଶାଶୁଘରକୁ ବୋଧେ ପରେ ଯିବ। ସେଥିପାଇଁ ମୁଁ ତୋ ପାଖକୁ ଚିଠି ଲେଖୁଛି। ଦନେଇ ଅଜାଙ୍କ ତମ ଶାଶୁଘର ଗାଁ ରେ କାମ ଅଛି। କାଲି ସକାଳେ ସେ ଯିବେ। ମୁଁ ତାଙ୍କ ହାତରେ ଏ ଚିଠି ଟି ଦେଇଦେବି। ଅପା ତୁ ଡେରି ନ କରି ଚିଠି ପାଇଲା ମାତ୍ରେ ଘରେ ଆସି ପହଞ୍ଚିବୁ। 

  ଇତି

 ତୋ ଗେହ୍ଲା ରଜୁଆ


- ଆରେ ମୁନାଭାଇ ଆସିଲାଣି ତ। ମୁନାଭାଇ ଅପା କାଇଁ? ଅପା ପାଖକୁ ମୁଁ ଏ ଚିଠି ଲେଖିଛି। ତାକୁ ଦେଇଦେବି। ଅପା ଏ ଅପା। ମୋ ଗେଲି ଅପା। ତୁ କୁଆଡ଼େ ଗଲୁ? ମୁଁ ଜାଣେ ପରା ସେ ଆଗ ତା ସାଙ୍ଗମାନଙ୍କ ସହିତ ଦେଖା କରିବାକୁ ପଳେଇଥିବ? କଣ ମୁନାଭାଇ ଏମିତି ମୁଣ୍ଡ ତଳକୁ କରି ଠିଆ ହେଇଛୁ? 


ରଜୁଆର ପାଟି ଶୁଣି ମା ବାପା ଦୁହେଁ ଦୌଡ଼ି ଆସିଲେ। ମା ପଚାରିଲେ

- ଆରେ ଲିନାଶାଶୁକୁ ଟଙ୍କା ଦେଲୁ ଟି? ସେ କାଇଁ? କଣ ତା ଶାଶୁଘର ଲୋକ ତାକୁ ଛାଡିଲେନି? ପୁଣି କଣ ହେଲା? ହାତରେ କଣ ଧରିଛୁ? ଲିନା ଚିଠି ଦେଇଛି କି? ଦେଖି ଦେଖା।


ରଜୁଆ ଚିଲ୍ଲେଇଲା- ଅପା ଚିଠି ମୁଁ ପଢିବି।


 ଏହା କହି ରଜୁଆ ମୁନା ହାତରୁ କାଗଜଟି ଟାଣିନେଲା। କାଗଜଟି ତଳେ ପଡ଼ିଗଲା ଓ ତା ଭିତରେ ଥିବା ମୁଠାଏ ପାଉଁଶ ଘର ସାରା ବିଛେଇ ହେଇଗଲା।



Rate this content
Log in

Similar oriya story from Tragedy