ମୁଁ ପରା ମଣିଷ
ମୁଁ ପରା ମଣିଷ
- ବନ୍ଧ୍ୟାର ଋତୁସ୍ନାନ ପରି ଏବେ ନିରର୍ଥକ ଏ ଜୀବନ । କିଛି ତ ହେଲାନି । କାହିଁକି ରହିବି? ତେଣୁ ଭାବୁଛି ଶୀଘ୍ର ଫେରିଯିବି । ଚା ପିଇ ସାରି କହିଲା ପ୍ରମେୟ ।
ବୋଧହୁଏ ମୋତେ ଏତିକି କହିବ ବୋଲି ଚା ପିଇବାକୁ ଡାକିଥିଲା ସେ । ତାର କଥା ଶୁଣି ମୁଁ ଚମକିପଡି ତାକୁ କହିଲି - ହେଲେ ତୋ ଭିତରେ ଏତେ ବିତୃଷ୍ଣା କାହିଁକି ?କୋଉଠି ଜୁଆ ଖେଳି ସର୍ବସ୍ବ ହରାଇ ଦେଇଛୁ ନା କଣ ?
- ହଁ,ଠିକ୍ ଅନୁମାନ କରିଛୁ ତୁ । ଏ ଜୀବନଟା ଗୋଟେ ଜୁଆ ଖେଳ ନୁହେଁ କି ? ସେ କହିଲା ।
- ଦେଖ୍, ମୋ ଭିତରେ ବି କିଛି ସେପରି ଅନୁଭବ ଅଛି । ଯଦି ଶୁଣିବୁ, କହିବି । ମୁଁ କହିଲି ।
- ଶୁଣିବିନି କାହିଁକି ?କଣ କହିବୁ କହ । ସେ କହିଲା ।
- ପନ୍ଦର ବର୍ଷ ତଳେ ମୋତେ ଦେଖିଥିଲୁ ନା ତୁ ! ଦେଖ୍ , ସେତେବେଳେ ମୋର ମୁହଁଟି ଯେପରି ଥିଲା ,ଏବେ ତାହା ସେହିପରି ଅଛି କଣ ? ମୁଁ କହିଲି ।
- ନା । ସେ ଅଳ୍ପରେ ଉତ୍ତର ରଖିଲା ।
- ନିଜର କରି ରଖି ପାରିଲିନିରେ ତାକୁ । କେତେ ସ୍ବପ୍ନ ଦେଖି ନଥିଲି ଯୌବନର ମୁଁ ! ସବୁ କେବେଠୁ ଶବ ପାଲଟି ଗଲେଣି । ଦୁଃଖିତ ଭଙ୍ଗୀରେ କହିଲି ।
- ମୋର ବି ସେହି ଅବସ୍ଥା । ସେ କଥା ଯୋଡିଲା ।
- ବହୁତ କଥା ବହୁ ସମୟରେ କହିବାକୁ ଇଚ୍ଛା କରିଛି, ହେଲେ କହିପାରିନି । କେବେ ଠାରୁ ମୋ ନିଜ ଉପରେ ମୋର ଆଉ ଆସ୍ଥା ନାହିଁ । କେମିତି ରହିବ କହ ତୁ ? ମୁଁ ବୁଝାଇ ବୁଝାଇ କହିଲି ।
- କଥା କହିବାର ଶକ୍ତି, ସ୍ବାଧୀନତା ଥାଇ ବି ଅନେକ ସମୟରେ ମୂକ ପାଲଟିଛି ମୁଁ । ଅନୁଭବ କରିଛି କେହି ଯେମିତି ମୋର ବାଟ ଓଗାଳିଛି । ମୋ ତଣ୍ଟିକି ଚିପି ଧରିଛି । &nb
sp; ଅନୁଭବୀ ମଣିଷ ପରି ସେ କହିଲା ।
- ମୋର କଣ ହେଲା କେଜାଣି ଧୀରେ ଧୀରେ ଶଦ୍ଦଙ୍କୁ ଭଲ ପାଇ ବସିଲି । ଗପ ଲେଖିଲି । ଗୀତ ଲେଖିଲି । କେତେ କବିତା ବି ରଚନା କଲି । ପାଠକର ହୃଦୟ ଜିଣିବାକୁ ଚାହିଁଲି । ଓଡ଼ିଆ ସାହିତ୍ୟର ଇତିହାସରେ ନାଁ ଯୋଡିବାକୁ ଆଶା ରଖିଲି । ହେଲେ ଦେଖିଲି ଏଠି କେହି ସାହିତ୍ୟ ରସିକ ନାହାନ୍ତି । ହୃଦୟ ବା ଅନୁଭବ ବୁଝନ୍ତିନି କେହି । ଆହା ! ଏତିକି ବୁଝିବାକୁ ଡେରି ହୋଇ ନଥାନ୍ତା ହେଲେ ! ମୁଁ କହିଲି ।
- କେତେ କବିତା ମୁଁ ନ ଲେଖିଛି ! ଶଦ୍ଦ ସାଙ୍ଗରେ ଖେଳିବାକୁ ଯେମିତି ଇଏ ଥିଲା ମୋର ଗୋଟେ ସଉକ । ଏଠି କେହି କବିତା ପଢନ୍ତିନିରେ । ବୁଝନ୍ତିନି ଅନ୍ତରର ଭାଷା । ଆତ୍ମାର ବିଳାପ । ହାୟ! କାହିଁକି ଏମିତି ସଉକଟେ ମନ ଭିତରକୁ ଆଣିଲି କେଜାଣି ! ସେ କଥା ଯୋଡିଲା ।
- ସ୍ନେହ, ପ୍ରେମ ବାଣ୍ଟିବାକୁ ଇଚ୍ଛା ରଖିଥିଲି । ସମସ୍ତଙ୍କ ହୃଦୟରେ ଫୁଲ ହୋଇ ଫୁଟିବାକୁ ଚାହିଁଥିଲି । ହେଲେ ସେପରି କିଛି ହେଲାନି । ଅନେକ କାମର ତାଲିକା ହାତରେ ଥିଲା । କିଛି ବି ଗୋଟେ କରି ପାରିଲିନି । ମୁଁ ଭିଜା ଭିଜା ସ୍ବରରେ କହିଲି ।
- ମୋର ମଧ୍ୟ ସେହି ଅବସ୍ଥା । ଧୂସର ଏ ପୃଥିବୀକୁ ରଙ୍ଗୀନ କରିଦେବାର ଇଚ୍ଛା ଇଚ୍ଛାରେ ରହିଗଲା । ସେ କୋହଭରା ସ୍ବରରେ ଏତିକି କହିଲା ।
- ହେଲେ ଫେରିପାରୁନି ମୁଁ । ଶାନ୍ତିରେ ବି ରହିପାରୁନି । କାହିଁକି ଜାଣୁ ? ମୁଁ କହିଲି ।
- କାହିଁକି ? ସେ ପ୍ରଶ୍ନ କଲା । ଉତ୍କଣ୍ଠାରେ ଚାହିଁଲା ।
- ମୁଁ ପରା ମଣିଷ । ମଣିଷ କେବେ କୋଉଠି ଶୀଘ୍ର ମୁକ୍ତି ପାଇବାର ଦେଖିଛୁ ? ମୁଁ ବୁଝାଇ ବୁଝାଇ କହିଲି । ସେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ ରହିଲା ।