Santosh Mishra

Abstract Others

4.1  

Santosh Mishra

Abstract Others

ମୁଁ ମରିଗଲେ କାନ୍ଦିବ କିଏ ?

ମୁଁ ମରିଗଲେ କାନ୍ଦିବ କିଏ ?

2 mins
637


ଶୀତ ଦିନ । ଶୀତର ଅଳସୁଆମି ସ୍ନାନ କରିବାରେ ବିଳମ୍ବ ହୋଇଗଲା । ତଥାପି ତରବରିଆରେ ଗାଧୋଇ ଠାକୁର ପୂଜା କରିବାକୁ ବସିଲି । ଜଗନ୍ନାଥଙ୍କୁ ସ୍ମରଣ କରି ତୁଳସୀ ଓ ଫୁଲରେ ଗଙ୍ଗାଜଳ ଛିଞ୍ଚି ଦେଇ ସ୍ନାନ ମନ୍ତ୍ର ପାଠ କଲି । ନିଜର ବାର୍ଦ୍ଧକ୍ୟକୁ ସ୍ୱୀକାର କରି ଠାକୁର ଆଡେ ଅନେଇ ଥିବାବେଳେ ମୋ ମନରେ ପ୍ରଶ୍ନ ଟିଏ ଉଙ୍କି ମାରିଲା । ମୁଁ ମରିଗଲେ କାନ୍ଦିବ କିଏ ?


  ମନ, ଯୁଆଡେ ମାଡିବ ସେଆଡ଼େ ଯିବ । ମୋ ପ୍ରଶ୍ନର ଉତ୍ତର ମନରେ ହିଁ ସମାଧନର ବାଟ କାଢୁଥିଲା । ବାପା ଓ ବୋଉ ଜନ୍ମ ଦେଇ ବଡ଼ କରି ଥିବାରୁ ଆଜି ଏତେ ବାଟକୁ ଆସିଛି । ହେଲେ ସେମାନେ ତ ନାହାନ୍ତି, ତାଙ୍କୁ ଏ ଭିତରକୁ କାହିଁକି ବା ଆଣିବି । ତା ପରେ ପତ୍ନୀ । ସେ ବି ସାମାଜର ପରିବର୍ତ୍ତନରେ ବଦଳି ଯାଇଛି । ଆଜି ବିବାହ ବନ୍ଧନଟା ଏକ contract ବା ଚୁକ୍ତିବଦ୍ଧ ଭାବେ ଚାଲିଛି । ତା ପରେ ସନ୍ତାନ । ଏବେ ସେ ସଂସାର ନୂଆ କରି ଗଢ଼ିଛି । ମୋତେ ସେ ତା ଭିତରକୁ ଟାଣିବ କେମିତି । ବାପା, ବୋଉ, ପତ୍ନୀ, ସନ୍ତାନ ଯେଉଁଠି ଆଗକୁ ଆସି ପାରିଲେ ନାହିଁ, ଭାଇ ଭଉଣୀ ସାଙ୍ଗ ସାଥିଙ୍କ ଉପରେ କିପରି ନିର୍ଭର କରିବି । ଏତିକି କହି କହି ଜଗନ୍ନାଥଙ୍କ ଆଡ଼କୁ ଅନେଇ ଦେଖେ ତ ଠାକୁରଙ୍କ ଆଖିରେ ପଡିଥିବା ସ୍ନାନ ପାଣି ଉତ୍ତର ଦେଇ କହି ଦିଏ ଏ ମୋ ଆଖିର ଲୁହ ।


   ଜଗନ୍ନାଥ ! ମାଗୁଥିଲା ବେଳେ ସୁଖ ଦେଇ ପାରିଲ ନାହିଁ, ମରିବାର ବେଳ ଆସିଲେ ଲୁହ ଝରେଇ ଦେଉଛ । ତାପରେ ଏ ମନକୁ ବୁଝେଇ ଦେଇ କହିଲି, ସତକଥା । ମୁଁ ମରିଗଲେ, ତୁମ ପୂଜା କରିବ କିଏ ? କିଏ ଦେବ ଦୁଇ ଟୋପା ପାଣି । ଫୁଲ, ଚନ୍ଦନ, ତୁଳସୀ, ଧୂପ ଓ ଦୀପ ସବୁ ସ୍ୱପ୍ନ ପାଲଟି ଯିବ ତୁମ ପାଇଁ । ଅପୂଜା ହୋଇ ବସି ରହିଥିବ ଏ ଘରେ ।


   ସେହି ଦୁଇ ଟୋପା ପାଣି ଦେଖି ମୋ ଆଖିରୁ ଆପେ ଆପେ ଲୁହ ଝରି ବସିଲା । କହିଲି ଜଗନ୍ନାଥ ! ତୁମ ଲୀଳାରେ ମୁଁ ବାନ୍ଧି ହୋଇ ଯାଇଛି । ଗଲାବେଳେ ମୁଁ ତୁମକୁ ହିଁ ଡାକିବି । ତୁମେ ଦେବ ମୋ ମୁହଁରେ ତୁଳସୀ ପାଣି, ହେ ମହାବାହୁ । ମୋ ଡାକ ଶୁଣିବ । ସତରେ କୁହ, ମୁଁ ମରିଗଲେ କାନ୍ଦିବ କିଏ ?


Rate this content
Log in

Similar oriya story from Abstract