Santosh Mishra

Tragedy

4.1  

Santosh Mishra

Tragedy

ଭୟ

ଭୟ

2 mins
147


ସନ୍ଧ୍ୟା ସମୟ । ସାରା ବିଶ୍ୱରେ କୋରନା ଭୟ । ଦେଶ ଲକ୍ ଡାଉନ୍ । ରମେଶ ବାବୁ କେବଳ ଟିଭି ଦେଖି ଦିନ କାଟୁଥିଲେ । ସେତିକିବେଳେ ପତ୍ନୀ ଦେଢ଼ ବର୍ଷର ଝିଅକୁ ରମେଶ ବାବୁଙ୍କୁ ଧରେଇ ଦେଇ ରୁଟି କରିବାକୁ ବାହାରିଲେ । ଝିଅଟିକୁ ଅତି ଆନନ୍ଦରେ ଧରି ଗେଲ କଲାବେଳେ, ତାଙ୍କ କର୍ମମୟ ଜୀବନର ଶୈଳି ମନେ ପଡିଗଲା । ସରକାରୀ କଳର ସାମାନ୍ୟ କିରାଣୀ ଟିଏ । ଅଫିସ୍ ରେ  କାମ ନାହିଁ ତ ଚିନ୍ତା ନାହିଁ । ଛୁଟିକୁ ଛୁଟି ହିସାବରେ ମନେଇବାକୁ ଚାହାଁନ୍ତି । ଟିଭି ଦେଖି ମଜା ନେଲାବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ପତ୍ନୀଙ୍କୁ କହିଲେ । ପତ୍ନୀ ଛାନିଆ ହୋଇ ସାହି ପଡ଼ିଶାଙ୍କୁ ଡାକିଲେ । ଘର ସାମନାରେ ଲୋକ ରୁଣ୍ଡ ହୋଇଗଲେ ସାମାଜିକ ଦୂରତା ରଖି । ସମସ୍ତଙ୍କ ମନରେ ଗୋଟିଏ ଶଙ୍କା ! ରମେଶ ବାବୁଙ୍କୁ କୋରନା ହୋଇଛି । ଫୁସୁରୁ ଫାସର କଥା ହେଲେ । ପାଖକୁ ଆସିବା ଲୋକ ଦୁରେଇ ଗଲେ । ପତ୍ନୀ ଗେସ୍ ସିଲିଣ୍ଡରଟିକୁ ବନ୍ଦ କରି ଝିଅଟିକୁ ନିଜ ପାଖକୁ ନେଇ ଗଲେ । 


୧୦୪ ନମ୍ବରକୁ ଫୋନ୍ କଲେ । ରମେଶ ବାବୁଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଆସିଲା । ସେ ଡାକ୍ତରଖାନା ଗଲେ । ଏପଟେ ସାହି ପଡ଼ିଶାରେ ଗୋଟିଏ ଚିନ୍ତା । ରମେଶ ବାବୁଙ୍କ ସହ କିଏ ହାତ ମିଳେଇଛନ୍ତି କି ? ସେ କେଉଁ ଆଡେ ବାହାରକୁ ଯାଇଥିଲେ କି ? ଏମିତି ନାନାଦି ପ୍ରଶ୍ନ ସମସ୍ତଙ୍କ ମନରେ ଘାରି ଉଠିଲା । ସେପଟେ ଡାକ୍ତର ପରୀକ୍ଷା କଲେ । ସାଧାରଣ ବଟିକା ଲେଖି ଦେଇ କହିଲେ, "ଚିନ୍ତା କରିବାର କୌଣସି କାରଣ ନାହିଁ, ଅଳ୍ପ ସମୟ ପରେ ସୁସ୍ଥ ହୋଇ ଯିବେ " । ଦେଖୁ ଦେଖୁ ସୁସ୍ଥ ହୋଇ ଗଲେ । ପଚାରିବାରୁ ରମେଶ ବାବୁ କହିଲେ, ଦିନବେଳା ଘରର ଖଟ, ଅଲମିରା, ସୋଫା ଇତ୍ୟାଦି ଘୁଞ୍ଚାଇ ଘୁଞ୍ଚାଇ ସଫା କରିଥିଲେ । ତାପରେ ଗାଧୋଇ ସାରିବା ପରେ ମସଲା ଦିଆ ପଣସ ତରକାରୀ ମନଭରି ଖାଇ ଦେଇ ଥିଲେ । ଏହା ଆମିଷ ପରି ଗରିଷ୍ଟ ହୋଇ ଶରୀରରେ ଗେସ୍ ସୃଷ୍ଟି କରି ଅଣ ନିଶ୍ୱାସୀ କରି ଦେଇଥିଲା । 


ତଥାପି, ପାଖ ପଡୋଶୀ କହିଲେ, ସେଲଫ୍ କ୍ୱାରେନ ଟାଇନ୍ ରେ ରହିଗଲେ କ୍ଷତି କଣ । ଛୁଇଁବା ତ ଦୂରର କଥା, କେହି ପାଖକୁ ଆସିଲେ ନାହିଁ । ସମ୍ପୂର୍ଣ୍ଣ ରୂପେ ସାମାଜିକ ବାସନ୍ଦ । ସଉଦା ଦୋକାନୀ କହିଲା, ଘରେ ରୁହନ୍ତୁ ସାର୍, ଫୋନ୍ କରିଦେଲେ ଜିନିଷ ପହଞ୍ଚେଇ ଦେଵି । ଏ ସବୁକିଛି ଦେଖିଲା ପରେ ଘରେ ପତ୍ନୀ ଛୁଆକୁ ନେଇ ଦୁରେଇ ଗଲା । କୋରନାର ଭୟରେ ରମେଶ ବାବୁ ଏକୁଟିଆ ହୋଇଗଲେ । ସମସ୍ତଙ୍କ କଥାର ଗୋଟିଏ ମର୍ମ, ଚଉଦ ଦିନ ସାମାଜିକ ବାସନ୍ଦରେ ରୁହନ୍ତୁ । ଫଳରେ ତାଙ୍କ ମନରେ ଶଙ୍କା ପଶିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋରନା ହୋଇଯାଇ ନ ଥିବ ତ ? ହେଲେ ସେ ତ କୁଆଡେ ଯାଇ ନାହାନ୍ତି କି ସେମିତି କାହା ସଙ୍ଗେ ମିଶି ନାହାନ୍ତି । ଭୟର ଶିକୁଳିରେ ସେ ଭୟଭୀତ ହୋଇ ଚିତ୍କାର କରି ଉଠିଲେ । ତାଙ୍କ ପାଟିରେ ନିଦ ଭାଙ୍ଗିଗଲା । ସ୍ବପ୍ନ ଦେଖୁଥିଲେ । ଉଠି ବସି ଦୀର୍ଘ ଶ୍ୱାସ ନେଇ ପାଣି ପିଇବା ପରେ ଠାକୁରଙ୍କୁ ସ୍ମରଣ କରି କହିଲେ, ପ୍ରଭୁ ଜଗନ୍ନାଥ କୋରନା କାହାକୁ ନ ହେଉ । ରାତି ପାହିଲା ସିନା ରମେଶ ବାବୁଙ୍କୁ ଆଉ ନିଦ ପଡିଲା ନାହିଁ ।


Rate this content
Log in

Similar oriya story from Tragedy