STORYMIRROR

Satyaprakash Sethy, M. A(UGC NET)

Tragedy Inspirational

3  

Satyaprakash Sethy, M. A(UGC NET)

Tragedy Inspirational

ମୁଁ ବିଧବା କହୁଛି

ମୁଁ ବିଧବା କହୁଛି

5 mins
231

ମୁଁ ଦୁଃଖ କହିବି କି ସୁଖ କହିବି ଜାଣେନା। ପୁଣି ଯାହା କହିବି ତାହା ଶୁଣିବା ପାଇଁ କାହା ପାଖରେ ଏତେଟା ଧୈର୍ଯ୍ୟ ଅଛି କି ନା ତାହା ବି ଜାଣେନା। ଆପଣମାନେ ଜାଣିଛନ୍ତି ମୁଁ କାହାକୁ କିଛି କହେ ନା କି ଦେଖେଇ ହୁଏ ନା। ସବୁବେଳେ ଧଳା ଲୁଗାଟେ ପିନ୍ଧି ମୁହଁରେ ବୋଝେ ମଳିନତା ଭରି ତଳକୁ ମୁହଁ ହାଣି ବସିଥାଏ। ଆଖି କାନ ମୋର ସବୁ ଖୋଲା ଥିଲେ ହେଁ ପାଟିଟା ସହଜରେ ଖୋଲେ ନାହିଁ। ତେଣୁ ମୁଁ କିଛି କହେ ନାହିଁ। ଆଜି କିନ୍ତୁ କହିବା ପାଇଁ ମନସ୍ଥ କରିଛି ମାନେ କହିବି।

ତେବେ କଲ୍ଯାଣପୁର ମୋର ଗାଁ। ବାପା ବୋଉଙ୍କର ଗୋଟିଏ ବୋଲି ମୁଁ ଅଲିଅଳି କନ୍ୟା, ନାଁ ମୋର ସୁକନ୍ୟା ।ତେଣୁ କେତେ ଗେହ୍ଲବସରରେ ବାପା ଭାଇ ମୋତେ ବଢେଇଥିଲେ। ଖେଳକୁଦ ଓ ନାଚଗୀତ ଭିତରେ ବଡ଼ ଧୂମ୍ ଧାମରେ ବାଲ୍ଯ ଜୀବନ ମୋର ଅତିବାହିତ ହୋଇଗଲା। ଆରମ୍ଭ ହେଲା ଶିକ୍ଷାୟତନରେ ମୋର ଶିକ୍ଷଣୀୟ ଜୀବନ। ବେଶ୍ କିଛି ପଢି ସାରିବା ପରେ ବାପା ବୋଉ ଜିଦ୍ କଲେ ଝିଅକୁ ଆଉ ଆଗକୁ ନପଢ଼ାଇ ଭଲ ପାତ୍ରଟେ ଦେଖି ବିବାହ ବନ୍ଧନରେ ବାନ୍ଧି ଦେବେ।


ସେୟା ହେଲା ହରିପୁର ଗାଁର ଶିକ୍ଷିତ ଯୁବକ ବିବେକ । ଭାରି ଗୌରବର୍ଣ୍ଣ, ଧନଧାନ୍ୟରେ ପରିପୂର୍ଣ୍ଣ ଓ ସମ୍ଭ୍ରାନ୍ତ ବଂଶଜ। ସୁନ୍ଦର ସୁଠାମ ଠାଣି, ନାଁ ଟି ଯେମିତି ବିବେକ, ତା’ର ସମସ୍ତ କାର୍ଯ୍ୟଶୈଳୀ ମଧ୍ୟ ବିବେକାନୁମୋଦିତ। ଖୁବ୍ ଭଲ ପାଉଥିଲେ ସେ ମୋତେ। ସେ ପାଖରେ ଥିଲେ ଦୁନିଆ ଯାକର ଖୁସି ସବୁ ଏକାକାର ହୋଇ ଠୁଳେଇ ହୋଇ ପଡ଼େ ଦ୍ଵାର ଦେଶରେ। କୌଣସିଥିରେ ମୋର ଅଭାବ ନଥିଲା। ନା ପିନ୍ଧିବାର, ନା ଲଗେଇବାର, ନା ଖାଇବାରେ- ମୋର କିଛି ଅଭାବ ଥିଲା। ମୋ ଇଚ୍ଛାର ପରିପୂର୍ତ୍ତି ପାଇଁ ସିଏ ତ ଥିଲେ, ଯିଏ ମୋଠୁଁ ଭଲମନ୍ଦ ସବୁ ବୁଝି ଆଣି ଖଞି ଦେଉଥିଲେ। ମୋତେ ଲାଗୁଥିଲା – ଏ ସଂସାରରେ ମୁଁ ହେଉଛି ସବୁଠାରୁ ଖୁସି ପ୍ରାଣୀ ଓ ମୋ ସ୍ୱାମୀ ସବୁଠାରୁ ଭଲ ମଣିଷ। ସ୍ଵାମୀ ସୁହାଗକୁ ପାଥେୟ କରି ସବୁକିଛି ଖୁସି ମିଳିଯାଉଥିଲା, ମୋତେ ମୋ ହାତ ପାଆନ୍ତାରେ ।


କିନ୍ତୁ ଈଶ୍ୱରଙ୍କ ଖେଳ ବଡ଼ ବିଚିତ୍ର। ଭଗବାନ ସହିଲେ ନାହିଁ। ସେଦିନ ସ୍ଵାମୀ ମୋର ଯାଇଥିଲେ ସହର। ଫେରିବା ବାଟକୁ ଚାତକ ପରି ଚାହିଁ ରହିଥିଲି। ଭାତ ତରକାରୀ ସବୁ ରାନ୍ଧି ଖାଇବା ଥାଳିକୁ ଅନାଇ ରହିଥିଲି, ଆସିଲାକ୍ଷଣି ବାଢି ଦେବା ପାଇଁ । ହେଲେ ମୁଣ୍ଡରେ ଚଡକ ପଡ଼ିଲା। ଖବର ପାଇଲି ସେ ଏବେ ଡାକ୍ତରଖାନାରେ। ବାୟା ବାତୁଳ ହୋଇ ଧାଇଁ ଯିବାକୁ ଇଚ୍ଛା ହେଉଥିଲା। ରୋକି ଦେଲେ ଶାଶୁ ଶ୍ୱଶୁର, ଦିଅର ଓ ନଣନ୍ଦ। ସେତେବେଳେକୁ ବୋଧେ ସବୁ ସରି ଯାଇଥାଏ। ଖାଲି ମୋତେ ଶାନ୍ତ୍ୱନା ଦେବା ପାଇଁ ଯାହା କିଛି ମୋତେ ମିଛ କୁହଯାଉଥିଲା। ବହୁ ସମୟ ପରେ ଶବ ଆସି ପହଞ୍ଚିଲା ଦୁଆର ମୁହଁରେ। ସେତେବେଳେ ମୁଁ ସତ ଜାଣିଲି ଯେତେବେଳେ ଆଖି ସାମ୍ନାରେ ଦେଖିଲି ଚାକ୍ଷୁସ ପ୍ରମାଣ। ପତିର ମଲା ମୁହଁକୁ ମଧ୍ୟ ଟିକିଏ ଆଖି ପୂରାଇ ଦେଖି ପାରିଲି ନାହିଁ। କାଳେ ମୁଁ ଅଧୈର୍ଯ୍ୟ ହୋଇ ପଡିବି ବୋଲି ମୁହଁ ଉପରୁ କପଡା ଉଠାଇ ଥରୁଟିଏ ଦେଖାଉ ଦେଖାଉ ଶବ ଉଠିଲା ମଶାଣି ପଦରକୁ। ମୋର ଚେତା ନଥାଏ, କିନ୍ତୁ ହାତରୁ ତୁଟି ଯାଇଥାଏ ଶଙ୍ଖା ଓ ମସ୍ତକରୁ ଲିଭି ଯାଇଥାଏ ସବୁଦିନ ପାଇଁ ସିନ୍ଦୂରର ନାଲି ଟୋପା। ଆଖି ଲୁହ ଆଖିରେ ମାରିଲି। ମଘା କାମ ସରିଲା।

ଏଥର ଆରମ୍ଭ ହେଲା ନୂଆ ଦୁନିଆ। ଯେଉଁ ସୁକନ୍ୟାର ଆଦର କହିଲେ ନସରେ ସେ ଆଜି ହୋଇ ଗଲା ଅଲୋଡ଼ା, ଅଖୋଜା। ସେ ଏବେ ଅପଚରା ଅଥବା ନିହାତି ଅପାଂକ୍ତେୟ ମଣିଷଟେ- ସମସ୍ତଙ୍କ ପାଇଁ । ଶୁଭ ମନାସୁଥିବା ଓ ସବୁ କାର୍ଯ୍ୟରେ ଶୁଭ ଯୋଗଦାନ ଦେଉଥିବା ମଣିଷଟି ହୋଇଗଲା ଅଶୁଭ ସୂଚକ ଅମଙ୍ଗଳିଆ ମଣିଷ। ମୋତେ ତେଣୁ ସେସବୁଥିରୁ ଖାଲି ବଞ୍ଚିତ କରାଗଲା ନାହିଁ, ଦୁରିଆ ମାନେ ଖୁବ୍ ଦୂରରେ ରଖାଗଲା। ମୋ କଥା ଗୁରୁତ୍ଵହୀନ ହୋଇଗଲା। ମୋ କଥାକୁ ଆଉ କେହି ଗୁରୁତ୍ଵ ଦେଲେ ନାହିଁ। ତେଣୁ ଧିରେଧିରେ ମୋର ସମସ୍ତ ‘ବୋଲି ‘ବନ୍ଦ ହୋଇଗଲା। ମୁଁ ହୋଇଗଲି ନୀରବ ଓ ନିଷ୍ପନ୍ଦ ମଣିଷଟେ।


ପ୍ରଥମେ ପ୍ରଥମେ ଅବଶ୍ୟ ଅନେକ ସମବେଦନା ମିଳୁଥିଲା – “ତୁ କିଛି ଚିନ୍ତା କରନା। ତୋର କ’ଣ ଅଭାବ ରହିବ କି। ଆମେ ପରା ତୋ ଅଣ୍ଟିକୁ ବଳ – ବନ୍ଧୁ ବିରାଦର ସବୁ ଅଛୁ”। ବାପଘର ଓ ଶ୍ଵଶୁରଘର ଭିତରେ ମୋ ଉପରେ ମାଲିକାନା ଓ ଆଧିପତ୍ୟକୁ ନେଇ ମଧ୍ଯ କିଛି ଦିନ ଟଣା ଓଟରା ଚାଲିଲା- ଖାଲି ସ୍ୱାମୀଙ୍କର ଅବଶିଷ୍ଠ ବକେୟା ପାଉଣା ଟିକକ ହାତେଇବା ପର୍ଯ୍ୟନ୍ତ । ବାପା ବୋଉଙ୍କର କର୍ତ୍ତୃତ୍ବ ତ କେବେଠାରୁ ସରି ଯାଇଥିଲା। ବୁଢ଼ା ମଣିଷ ସେମାନଙ୍କର କଥାକୁ ବା କିଏ ପଚାରୁଛି। ଏବେ ଭାଇ ଭାଉଜ ଘରର ମୁରବୀ। ଦିନେ ସମୟ ଥିଲା ମୁଁ ହସି ଦେଲେ ଘରେ ଖୁସିର ଲହଡ଼ି ଖେଳୁଥିଲା ଆଉ ମୁଁ କାନ୍ଦି ଦେଲେ ସରଗରୁ ଚାନ୍ଦ ତୋଳା ହୋଇ ହାତରେ ପଡୁଥିଲା। ଆଜି କିନ୍ତୁ ସେସବୁ ତା’ର ପ୍ରାସଙ୍ଗିକତା ହରାଇ ବସିଛି। ଯାହାକୁ ବୟାନ କଲେ କେବଳ ହାସ୍ୟସ୍ପଦ ହେବା ହିଁ ସାର ହେବ।


ଏଣିକି ତ ଭାଉଜର ଟାଣକଥା ଓ କଣଠେସା କଥାରେ ମୁଁ ଅତିଷ୍ଠ ହୋଇ ଯାଉଥାଏ।ଶେଷରେ ଶ୍ଵଶୁରଙ୍କ କଥାରେ ଭରସି ପୁଣି ଶ୍ଵଶୁରଘରକୁ ପ୍ରତ୍ୟାବର୍ତ୍ତନ କଲି। ସେମାନେ ଅବଶ୍ୟ ସେମାନଙ୍କ ପୁଅର ସ୍ମୃତିକୁ ଦୋହରାଇ କିଛିଦିନ ମୋତେ ଆହା କହିଲେ। ହେଲେ ଧିରେଧିରେ ହାବଭାବର ପରିବର୍ତ୍ତନ ଘଟିଲା। ଶ୍ଵଶୁରଙ୍କ କଥା ଗୋଟେ ପ୍ରକାର, ଶାଶୁ ହେଟହାଟ ଆରମ୍ଭ କରିଦେଲେ। ଯେମିତି ସମାଜର ଯେତିକି ଆକଟ ଓ କଟକଣା ସେସବୁ ମୋରି ପାଇଁ।। ମୁଁ ହସିଲେ ଦୋଷ। କାହା ସହ କଥା ହେଲେ ସନ୍ଦେହ। ଟିକିଏ ମନ କରି କେଉଁଦିନ ଟିକିଏ ସଜବାଜ ହେଲେ କଟାକ୍ଷର ଶରବ୍ୟ। ମୋ ପାଇଁ ସତେ ଯେମିତି ସବୁ ମନା।ରକ୍ଷଣଶୀଳ ସମାଜରେ ଲକ୍ଷ୍ମଣର ତିନି ଗାର ଭିତରେ ବଡ଼ ଦୁର୍ବିଶହ ମୋର ଏ ଜୀବନ। ଖୁସି ସବୁ ସାତ ସପନ। ତେବେ କ’ଣ ପାଇଁ ଜଣେ ବିଧବା ଜିଇଁବ? ତେବେ କ’ଣ ସେ ଜିଇଁବ କେବଳ ନିଶ୍ଵାସ ପ୍ରଶ୍ଵାସ ଚାଲୁଛି ବୋଲି, କିନ୍ତୁ ଭୂମିକାଟି ନିର୍ବାହ କରିବ ଜଣେ ମଲା ମଣିଷ ପରି ! ନତୁବା ରୋଗ ଶଯ୍ଯାରେ ପଡି ଶେଷ ନିଶ୍ଵାସ ତ୍ୟାଗ କରିବା ପାଇଁ ଅପେକ୍ଷା କରି ରହିଥିବା ରୋଗୀଟି ପରି!


ଏତେବେଳକୁ ମୁଁ ବାସ୍ତବରେ ବୁଝି ପାରୁ ନଥାଏ ପ୍ରକୃତ ବଞ୍ଚିବାର ଅର୍ଥ କ’ ଣ ବୋଲି । ଧିରେଧିରେ ମୋର ସମସ୍ତ ଚେତନ ଶକ୍ତି ଚିନ୍ତା କରିବା ବନ୍ଦ କରି ଦେଉଥାଏ। ସମାଜର ହତାଦର ଓ ଅନାଦରର ଛବି ମୋ ସ୍ମୃତି ଭାଲ ପଟେ ଉଇଁ କି ଉଠିଲାରୁ ମୁଁ ଭୟରେ ଚିହିଙ୍କି ଯାଉଥାଏ। କେତେ ଯେ ବିନିଦ୍ର ରଜନୀ ଏହିପରି ଉଜାଗରରେ କଟିଛି – ତା’ର ହିସାବ ମୁଁ ରଖି ପାରି ନାହିଁ। ହେଲେ ପ୍ରତ୍ୟେହ ଅଶ୍ରୁରେ ତକିଆ ଭିଜି ଯାଉଥାଏ। ଏବେ ହୁଏତ ଆଖିରୁ ସେ ଲୋତକର ଧାର ଶୁଖି ଗଲାଣି। ସବୁକିଛି କେମିତି ନିଷ୍ପ୍ରାଣ ଓ ନିଷ୍ପ୍ରଭ ହୋଇ ଉଠିଲାଣି। ଏବେ ମୁଁ ଯେମିତି ଖାଲି ଜଡ ନିର୍ବେଦ ମଣିଷଟେ। ସହି ସହି ଅସହ୍ଯ ସହଣି ସହିଲା ପରେ ଏବେ ସବୁ କିଛି ଅସହିଷ୍ଣୁ ସହିଷ୍ଣୁ ହୋଇଯାଏ।

ଆଉ କୌଣସି କଥାର ବାହ୍ୟ ପ୍ରଭାବ ମୋ ଅନ୍ତଃକରଣରେ ସ୍ୱତଃ ପ୍ରଭାବରହିତ ହୋଇ ନିଷ୍ପ୍ରଭ ହୋଇ ଯାଉଥାଏ। ଦୁନିଆର ତାନା ମରା ର ଅସହଣି ବର୍ଷା ଓ ଖରା ସବୁଟା ମୁଁ ସହୁଛି ଯେମିତି ପୃଥିବୀଟା ସହୁଛି ସବୁକିଛି ଆପଣାର ମଣି।


ଆଗ ଦିଅରଟା କେତେ ଆଜ୍ଞାବହ ଲକ୍ଷ୍ମଣ ଥିଲା। ଏବେ ଯାଆର କଡା ନିର୍ଦ୍ଦେଶରେ ମୋ ଛାଇ ପର୍ଯ୍ୟନ୍ତ ମାଡେନା। ୟାଙ୍କ ସାଙ୍ଗ ସାଥି ମଧ୍ୟ ମୋ ସହ କେହି କଥା ହୁଅନ୍ତି ନାହିଁ। କଥା ହେଲେ ବି ହାଟ ବସେ। ମୋ ସାଙ୍ଗସାଥି ମଧ୍ୟ ଅମଙ୍ଗୁଳି କହି ଆଡ଼େଇ ଯାଆନ୍ତି ବା ବାଟ କାଟି ଚାଲି ଯାଆନ୍ତି ଯେଝା ବାଟରେ। ମୁଁ ତେଣୁ ଖାଲି ଏକଲା, ଖାଲି ଏକଲା ହେଉଛି ।ଏଡ଼େ ବଡ଼ ଦୁନିଆଟାରେ ଏଠି ମୋର ବୋଲି କେହି ନାହିଁ। ମୁଁ କିନ୍ତୁ ସମସ୍ତଙ୍କୁ ମୋର ବୋଲି କହି ହକ୍ ଜତାଏ। ସତରେ ବଡ଼ ଅଜବ ଏ ଦୁନିଆ ନା? ଖୁବ୍ ଜୋହରରେ ଆଜି ହସିବାକୁ ମୋର କାହିଁ ଇଚ୍ଛା ହୁଏ। କାରଣ ନିଜକୁ ନିଜେ ମୁଁ ତାଚ୍ଛଲ୍ୟ କରି ଉଠେ। କିନ୍ତୁ ଠିକ୍ କେଉଁଦିନ ମୁଁ ଶେଷ ଥର ପାଇଁ ହସି ଥିଲି ମୋର ତ କାହିଁ ମନେ ନାହିଁ।।



Rate this content
Log in

Similar oriya story from Tragedy