Chhabi rani Pati

Inspirational

5.0  

Chhabi rani Pati

Inspirational

ମୁଁ ବି' ଚଢିପାରେ ସଫଳତାର ସିଡ଼ି

ମୁଁ ବି' ଚଢିପାରେ ସଫଳତାର ସିଡ଼ି

6 mins
576


 " ଝୁଣ୍ଟି ପଡି ଉଠି ଶିଖିଥିଲେ ଚାଲି

       ନ'ପଡିବା କେବେ ଥକି ,,

ପଥରୋଧୀ ଠାରୁ ମିଳିଯିବ ଉର୍ଜା

        ସଫଳତା ଲକ୍ଷ ରଖି ।

ଦୌଡ଼ ପୂର୍ବରୁ ଅଶ୍ୱ ବି' ପଛକୁ

        ଦି'ପାଦ ଆସଇ ଫେରି ,,

ବିଶ୍ୱାସର ବିନ୍ଦୁ....ସିନ୍ଧୁ ର କଳ୍ପନା

        ମଣିଷ ଟି ପାରେ କରି "।।


ପ୍ରଜାପତି ମଧ୍ୟ ଜାଣିନ'ଥାଏ ନିଜ ସୌନ୍ଦର୍ଯ୍ୟର ଗୁଣଗ୍ରାମ । ତା' ପିଠିରେ ଥିବା ନାନା ରଙ୍ଗବିରଙ୍ଗର ଚାରୁ - ଚିତ୍ର କଳା ......ସୃଷ୍ଟିର ସମସ୍ତ ଆବାଳ, ବୃଦ୍ଧ , ବନିତା ଙ୍କ ମନ ଅକ୍ଳେଶରେ ଆକର୍ଷିତ କରି ନେଇଥାଏ ନିଜ ଆଡକୁ । ମନ ପୁରେଇ ଦେଖିବା ଆଉ ଟିକିଏ ଛୁଇଁ ଦେବାର ପ୍ରୟାସରେ .....ଚପଳମତି ଶିଶୁଟେ ପରି ପାଗଳ ହୋଇ ଧାଆନ୍ତି ସମସ୍ତେ ତା' ପଛରେ । କିନ୍ତୁ ; ଅତୀତରେ ......ଲୋମ ସାଲୁ ବାଲୁ ଥିବା ସଁବାଳୁଆ ରୂପରେ କେହି ପସନ୍ଦ କରି ନ'ଥାନ୍ତି ତାକୁ । ତା'ଠାରୁ ଦୂରରେ ରହି ନିଜର ସୁରକ୍ଷା କଥା ଚିନ୍ତା କରି ଥାଆନ୍ତି ସମସ୍ତେ...... ମନେ ମନେ । ଯେପରି -


"କସ୍ତୁରୀ ଖୋଜଇ ମୃଗ

 ଅକ୍ଲାନ୍ତ ଶ୍ରମରେ ବ୍ରତୀ ଯେ'ହୁଅଇ

      ଫିଟିଯାଏ ତାର ଭାଗ୍ୟ "।।


       ଏହି ସୁନ୍ଦର ପରିକଳ୍ପନାର ସୁତାଖିଅ କୁ ଆଶ୍ରା କରି ଆରମ୍ଭ କରିଥିଲା ସରିତା ...... ତାର ଜୀବନ ଯାତ୍ରା । ଅନେକ ଘାତ ପ୍ରତିଘାତ ଦେଇ କଟିଯାଇଛି .......ତାର ଶୈଶବ , କୌଶର ଆଉ ଯୌବନ ର ଆଦ୍ୟ ଓ ମଧ୍ୟ । ଅନେକ ଥର........ ଥକା ମାରି ବସିଯାଇଛି ସତ ; ମାତ୍ର , ଠିକ ଭୁଲ ର ତର୍ଯ୍ୟମା ପାଇଁ । ମାରିଛି ନିଶ୍ୱାସ । ପୁଣି , ବଢ଼ାଇଛି ପାଦ .....ତାର ଲକ୍ଷ ପଥରେ ।ପଛକୁ ଫେରି ଚାହିଁନି କହିଲେ .....ବାହୁଲ୍ୟ ହେବ । ଚାହେଁ ତ' ନିଶ୍ଚିନ୍ତ ; କିନ୍ତୁ , ଅତୀତରୁ ଉଚିତ ଶିକ୍ଷା ଗ୍ରହଣ କରି କର୍ମ ଦୀକ୍ଷାରେ ଦୀକ୍ଷିତ ହୋଇ .....ପୁଣି ମାଡିଚାଲିବାକୁ ଆଗକୁ , ଆହୁରି ଆଗକୁ । ଭାଗ୍ୟକୁ ଓ ଭଗବାନଙ୍କୁ ବିଶ୍ୱାସ କରୁଥିଲେ ମଧ୍ୟ ଅବିଶ୍ରାନ୍ତ ପଥର ପଥିକ ଟେ' ପରି ......ନିଜକୁ ଉନ୍ନମୁକ୍ତ କରି ଖୋଲି ଧରେ ,,,, ସେ'ହି ଚରେଇବେତୀ ର ମନ୍ତ୍ରରେ । ଅନେକ ଥର ଛନ୍ଦି ହୋଇଯାଏ ସମାଜର ଅଡୁଆ ସୂତାରେ । ଘର , ବାହାର..... ପର , ଆପଣା ଙ୍କର ଶୁଣିଚି ....ଅନେକ କଟୁ ସମାଲୋଚନା । ସହିଛି ଅନେକ ଷଡଯନ୍ତ୍ର ........ଯାହାର କଳନା କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ । ତଥାପି , ଭ୍ରୁକ୍ଷେପ ନ'କରି ବଢିଛି ଆଗକୁ ।


 " ଦଇବ ଦଉଡି ମଣିଷ ଗାଈ

 ଜେଣିକି ଟାଣିବ ସେଣିକିଯାଇ"

              ( ତଥାପି )

 "ଦଦରା ନାବରେ ସବାର ହୋଇ

 ପାର ହେବି ମୁହିଁ ଉଛୁଳା ନଈ"।


           କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବି' ନୁହେଁ ...... ବରଂ ସ୍ମାର୍ଟ ସିଟି - ମାୟାବୀ ନଗରୀ , ମନ୍ଦିର ମାଳିନୀ , ଖୋଦ ରାଜଧାନୀ - ଭୁବନେଶ୍ଵର ଉପକଣ୍ଠର କାହାଣୀ । ବିଚରା ସରିତାର ପରିବାର........ ଅତି କାରୁଣ୍ୟ ଦାରିଦ୍ରତାର ସୀମାରେଖା ତଳେ ବସବାସ କରୁଥିଲା ବେଳେ ......ଦୃଷ୍ଟି ପଡୁନଥିଲା କେବେ କାହାରି । ନା' ଅଞ୍ଚଳ ବାସୀ , ନା' ସାଇପଡ଼ିଶା ଆଉ ନା'ହିଁ ପ୍ରଶାସନର । ଏମିତି ବି' ..... ସରକାରଙ୍କର ସବୁ ସୁଖ ସୁବିଧା ତ' ପ୍ରଭାବଶାଳୀ ମାନଙ୍କ ପାଇଁ । ପ୍ରକୃତ ହିତାଧିକାରୀଙ୍କୁ ଅନ୍ଧାରରେ ରଖି ବାଟ ମାରେଣା କରି ହଡପ କରି ନିଆନ୍ତି ...... ସ୍ୱଚ୍ଛଳ ଓ ସ୍ୱାଚ୍ଛନ୍ଦ ଲୋକମାନେ । ଠିକ " ତେଲିଆ ମୁଣ୍ଡ ରେ ତେଲ " ପରି । ଅନାହାରରେ କାଳାତିପାତ କରୁଥିବା ଏହି ପରିବାରର କରୁଣ କାହାଣୀ .....କହିଲେ ନ' ସରେ । ମୁଣ୍ଡ ଉପରେ ପାଲ ଟଣା କୁଡ଼ିଆ ଟେ ତ' ଥିଲା .....!! ହେଲେ ; ଦିନର ପ୍ରଚଣ୍ଡ ସୂର୍ଯ୍ୟ କିରଣରେ ସିଝି ଯାଉଥିଲା ଦେହ ଆଉ ମୁଣ୍ଡ  । ପୂର୍ଣ୍ଣିମା ପକ୍ଷରେ ରାତ୍ରିର ଜହ୍ନ ଆଲୁଅରେ........ ଆବଶ୍ୟକ ପଡୁନଥିଲା ଡିବିରି ଟିଏ ବି' । ବର୍ଷା , ଶୀତ, କାକର କୁ ପଚାରେ କିଏ ??? । ବାପା ନିତ୍ୟାନନ୍ଦ ( ନିତୀୟା ) ରିକ୍ସା ଟାଣନ୍ତି ...... ଏକ ଭାରବୁହା ପଶୁଟେ ପରି,,, ଦିନ ତମାମ । କିନ୍ତୁ , ଆଠେଣି ଟିଏ ବି' ଆସେନି ଘରକୁ । ସବୁ ଚାଲିଯାଏ ମଦ ଆଉ ଗଞ୍ଜେଇ ନିଶା ରେ ....!!! ମା' ...... ପର ଉଳିତଳେ ପାଇଟି କରି ଚଳାନ୍ତି ଘରର ଗୁଜୁରାଣ ।  ଯୋଉଥିରେ ଦିନକୁ ଦି'ଓଳି ପେଟ ଭର୍ତ୍ତି ଖାଇବାକୁ ମଧ୍ୟ ମିଳି ନ'ଥାଏ ପାଞ୍ଚ ପ୍ରାଣୀ କୁଟୁମ୍ବ କୁ । ସରିତାର ଗୋଟେ କୁନି ଭାଇ ଓ ବୁଢ଼ୀ ମାଆ ...... ରହିଯାଉଥିଲେ ସେହି ଛିଣ୍ଡା ପାଲ ଛପର ଝାଟି ମାଟି ର ଚାରିକାନ୍ଥ ଭିତରେ । ଦେହ , ମୁଣ୍ଡ ହେଲେ ପଚାରିବାକୁ କେହି ନାହିଁ । ସରିତା ଦୁଇ ଦିନ ସ୍କୁଲକୁ ଗଲେ ବାକି ଦିନ ଚାଲିଯାଉଥିଲେ ଜରି ଗୋଟେଇବାକୁ । ସମାଜର ପ୍ରତିଷ୍ଠିତ ବୁଦ୍ଧିଜୀବୀ ମାନେ ......ଆଇଏସ , ଓଏସ୍ , କଲେକ୍ଟର , ଡକ୍ଟର , ଇଞ୍ଜିନିୟର ,ଅଥବା ବିଦେଶରେ ଅବସ୍ଥାପିତ ମାନଙ୍କ ଷ୍ଟୋରି କଭର କରି ......ବାଃ ବାଃ ମୁଣ୍ଡେଇବାର ସଫଳ ପ୍ରୟାସ ତ' ଅନେକ କରନ୍ତି ......ମାତ୍ର ; ରାସ୍ତା କଡରେ ପୋକ - ମାଛି ପରି ମରି ଯାଉଥିବା ....... ଅବହେଳିତ ଏହି ଜୀବନ ଉପରେ କେବେ ପଡେ ନାହିଁ କାହାରି ନଜର । ସତେ ଯେପରି .....ଏମାନେ ଭାସିଗଲେ ଅବା , ମରି ହଜି ଗଲେ ,,,, ସମାଜର ପ୍ରଗତି ପଥରେ କେଉଁଠି କିଛି ଅଟକି ଜୀବନାହିଁ ଯେପରି ।


           ଜରି ଗୋଟାଉ ଗୋଟାଉ ସରିତା .......ଦିନେ ଥକାମାରି ବସିପଡ଼େ ..... ରାସ୍ତା କଡ଼ ଝଙ୍କା ବରଗଛ ମୂଳେ । ହଟାତ କିଛି ଯୁବକ ତା' ମୁହଁ ରେ କପଡା ବାନ୍ଧି ......ନେଇଯାନ୍ତି ଏକ ଅକୀଞ୍ଚନ ପରିତ୍ୟକତା ଖଣ୍ଡର ଭିତରକୁ । ଆଉ , ସେଠୁ ଆଣି...... ଫେର, ଫୋପାଡ଼ି ଦେଇ ଯାଆନ୍ତି ନଦୀ କୂଳର ପୁତିଗନ୍ଧ ନର୍ଦମା କଡରେ । ହୋସ ଆସେ ; ତ' ଧୀରେ ଧୀରେ ଯାଇଁ ପହଞ୍ଚି ଯାଏ ନିଜ ଘରେ । ସେଇ ଘର......ଯେଉଁଠି ଜନ୍ମ ହୋଇ କଟାଇ ଦେଇଛି ଦୀର୍ଘ ବାର ବର୍ଷ ....!!!!! ସେ 'ଘର.....ଆଉ ସ୍ୱୀକାର କରେନାହିଁ ତାକୁ । ସତେ ଯେପରି ସେ'ତାଙ୍କର କେହି କିଛି ବି' ନୁହେଁ । ଦୁଃସଚାରିତ୍ର ଝିଅ ମାନଙ୍କର ପାପ ଘୋଡାଇଦେଇ.......ପାଛୋଟି ନିଅନ୍ତି ଅତି ଆଦରର ସହିତ ; ଧନଶାଳୀ ପରିବାରର ସଦସ୍ୟ ମାନେ । ମାତ୍ର ; ଏ' ଗରିବ ପରିବାରର ....... ଚାଲିଯାଏ ଇଜ୍ଜତ ଯେପରି !!!!! । ସେଇଠୁ ସେ ' ଏକ ମୁହାଁ ଚାଲିଯାଏ ଫୁଟପାତ ରୁ .......ରାଜରାସ୍ତାକୁ । ଭୋକ ବିକଳରେ ମାଗୁଥାଏ ଭିକ । ମାଗୁ ମାଗୁ ପଡ଼ିଯାଏ ...... ଏକ ସମ୍ଭ୍ରାନ୍ତ ଦମ୍ପତିଙ୍କ ଲମ୍ବା ଗାଡି ଆଗେ । ସେ' ଦମ୍ପତି ଥାଆନ୍ତି ...... ନିଃସନ୍ତାନ । ତେଣୁ , ପିଲାଟି ଉପରେ ଆସିଯାଏ ତାଙ୍କର ଅହେତୁକ ଦୟା । ତାକୁ କିଛି ଖାଦ୍ୟ ଦିଆନ୍ତି ଆଉ , ପଚାରନ୍ତି ....ତା'ର ଦୁଃଖ କାହାଣୀ । ସରିତା କିଛି ନ'ଲୁଚାଇ ସବୁ କହିଚାଲେ ଗୋଟି ଗୋଟି କରି ..... ଗୋଟେ , ଅତି ଆପଣାର ବିଶ୍ୱସ୍ତଙ୍କ ପରି । ଝିଅଟିର ନିର୍ଭୀକ , ଦାମ୍ଭିକ ଓ ସଚୋଟ ପଣିଆ ଦେଖି , ତାକୁ ସଙ୍ଗରେ ନେଇ ଯାଆନ୍ତି ଘରର ଜଗାରଖା ଲାଗି । ମାତ୍ର ; କାର୍ଯ୍ୟରତ ଉଭୟ ଦମ୍ପତି.......ଝିଅଟିକୁ ସବୁ ବେଳେ ଗୁମସୁମ ଓ ଦୁଃଖୀ ତଥା ତା'ର ନିଃସଙ୍ଗତାକୁ ଉପଲବ୍ଧି କରି....... ଲେଖି ଦିଅନ୍ତି ସ୍କୁଲରେ ନାମ । ଆଉ ଚାକର ପରି ନୁହେଁ .....!! ବରଂ ନିଜର ବିଶ୍ୱାସନୀୟତା ର ପାରିଦର୍ଶିତାରେ ସେ' ହୋଇଯାଏ ଦମ୍ପତିଙ୍କର ପାଳିତା କନ୍ୟା .......ପୁଣି ; ଏକମାତ୍ର ଉତ୍ତରାଧିକାରୀ । ସେଥିପାଇଁ ତାକୁ କରିବାକୁ ପଡିଛି .....ଅନେକ କଷ୍ଟ । ପ୍ରଥମେ ପ୍ରଥମେ ଜମା ମନ ଲାଗୁ ନ'ଥିଲା ପାଠରେ ତାଙ୍କର । କିନ୍ତୁ ,,,, ଧୀରେ ଧୀରେ .....ଘରର ଛୋଟ ବଡ଼ କାମ କରିବା ସହିତ ; ଗୋଟେ ଯୁ' ନେଇ ପାଠ ଆରମ୍ଭ କରିଦେଇଥିଲା ସୁନିତା । ରାତି ତମାମ ଅନିଦ୍ରା ହୋଇ....ନିଷ୍ଠାର ସହିତ ମନ ଲଗାଇ ପଢିଥିଲା ପାଠ । ରାସ୍ତାକଡ଼ରୁ ଉଦ୍ଧାର କରି ଆଣିଥିବା ପାଳିତା ପିତା...... ଦିନେ ତା'କୁ ; ପାଖକୁ ଡାକି ଅତି ସ୍ନେହଁ ରେ ବୁଝାଇଥିଲେ । ଆଉ କହିଥିଲେ .....ମା'ରେ , ତୁ ଆମ ଝିଅ ହୋଇ ରହିବୁ ....??? ଆଉ , ଯଦି ଆମ ଝିଅର ପରିଚୟ ନେଇ ରହିବୁ.....ତତେ ଆମରିପରି ହେବାକୁ ହେବ ରେ ମା' । ଆମ ସଭ୍ୟ ସମାଜରେ ତୋତେ ସେତେବେଳେ ଆଦର ମିଳିବ....!! ; ଯେତେବେଳେ ତୁ ଭଲ ପାଠପଢି ଦୁନିଆଁ ରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ । ବାସ , ସରିତାର ସେହି ଦିନଠାରୁ ଆସିଗଲା ପାଠ ପ୍ରତି ଅହେତୁକ ଆଗ୍ରହ । ଆଉ , ଭଲ ପାଠପଢି...... ନିଜପାଇଁ ତଥା, ନିଜ ପରିବାର ପାଇଁ କିଛି କରିବାର ନିଶା ।


            ଆଜି ସରିତା ହୋଇଛି ....ଆଇପିଏସ ଅଫିସର । ଛୁଟୁଛି ସାରା ରାଜ୍ୟ ତଥା, ରାଜ୍ୟ ବାହାରୁ ଶୁଭେତ୍ସା ର ଓ ସମ୍ବର୍ଦ୍ଧନା ର ସୁଅ । ସଫଳତାର ସିଡ଼ି ଚଢି ଚଢି ......ଆସି ପହଂଚିଯାଇଛି ତା'ର ଲକ୍ଷ ସ୍ଥଳରେ । ନିଜ ଦୃଢ ମନୋବଳ ଓ ଚେଷ୍ଟା ପ୍ରଚେଷ୍ଟାରେ ସଫଳ ହୋଇଛି ସରିତା। ସାକାର କରିପାରିଛି;........ ତାକୁ ପାଳିଥିବା ଈଶ୍ୱରଦତ୍ତ ମାତା ପିତାଙ୍କ ସ୍ବପ୍ନକୁ । ସମକକ୍ଷ ହୋଇ ସ୍ୱାଭିମାନର ସହ ମୁଣ୍ଡଟେକି ଛିଡା ହୋଇପାରିଛି...... ତାର ସଭ୍ୟ ଶିକ୍ଷିତ ସମାଜରେ । କାଲି .....ପେଟରେ ପେଟଭର୍ତି ଭୋକ ନେଇ ନିସ୍ତେଜରେ ସୋଇପଡୁଥିବା ଝିଅଟିର .....ଆଜି ଆଖିରେ ଆଖିଏ ସ୍ବପ୍ନ । କାଲି ର........କଳଙ୍କିତା , ନିର୍ଯ୍ୟାତିତା , ନିଷ୍ପେସିତା ପିଲାଟି .....ଆଜି ପ୍ରଶଂସିତ ଆଉ ସନମାନିତ ଦେଶ ବିଦେଶରେ । କଥାରେ ପରା ଅଛି .....

  " ବେଙ୍ଗ କହେ ବେଙ୍ଗୁଲି ଲୋ....

    ପୃଥିବୀ କ୍ଷଣେ କ୍ଷଣେକେ ଆନ।"


          କୌଣସି ପରିସ୍ଥିତି କେବେ ହେଲେ, ଗୋଟିଏ ଜେଗାରେ ସ୍ଥିର ହୋଇ ରୁହେନି । ଆମର ନିଷ୍ଠା , ଅଧ୍ୟବସାୟ ଓ ପରିଶ୍ରମ .....ତା'ର ଗତିକୁ ମନ୍ଥର ରୁ କରିଦିଏ କ୍ଷୀପ୍ରତ୍ତର । ଆଜି ସୁନିତା ନିଜ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ ନିର୍ଯ୍ୟାତନାର ପ୍ରତିଶୋଧ ନେଇପାରିଛି..... ନିଜ ହାତରେ । ନିଜେ ନ୍ୟାୟ ପାଇଛି , ନ୍ୟାୟ ଫେରେଇଛି ବି' ଆହୁରି ଅନେକ ସରଳ ନିଷ୍ପେସିତା ସରିତା ମାନଙ୍କୁ । ମଦ ପରି ନିଶା କାରବାର ଉପରେ ନେଇପାରିଛି କଡା ପଦକ୍ଷେପ । ବାପା ନିତ୍ୟାନନ୍ଦ ଙ୍କ ପରି ଖଟିଖିଆ ମୂଲିଆ ମଜୁରିୟା ଙ୍କୁ ଦେଇପାରିଛି ସ୍ୱଚ୍ଛଳ ଓ ସ୍ୱାଚ୍ଛନ୍ଦର ଜୀବନ । ଜନ୍ମିତ ମାତା , ପିତା ଓ ଭାଇଙ୍କୁ କରିପାରିଛି ଥଇଥାନ । ରାସ୍ତାକଡ଼ର ସେହି ଅଲୋଡା ମଣିଷ ଙ୍କୁ ଆଣି ମିଶାଇ ଦେଇ ପାରିଛି ସମାଜର ମୁଖ୍ୟ ସ୍ରୋତରେ । ଏତିକି କହିବାକୁ ଚାହେଁ ଶେଷରେ .........( ଠିକ ସରିତା ପରି ) ଜନ୍ମିତ ହେଉ କି' ପାଳିତ ........ ମାତା - ପିତା ଙ୍କର ଋଣ ତ' କେବେ କେହି ସୁଜି ପାରିନାହାନ୍ତି କି' ପାରିବେନି ମଧ୍ୟ । ତଥାପି , ସେମାନଙ୍କ ସ୍ୱପ୍ନକୁ ନିଜ ଆଖିରେ ଭରି .....ତାଙ୍କ ଦେଖା ଚଲାପଥ ରେ ଚାଲି ପାରିଲେ...... ସେ'ହିଁ ହୋଇଥାଏ ସେ'ମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଆଉ , ଆମ କର୍ତ୍ତବ୍ୟ ପରାଣୟତା ର ପ୍ରକୃତ ମୂଲ୍ୟବୋଧ । ( ଜୟ ଜଗନ୍ନାଥ )


Rate this content
Log in

Similar oriya story from Inspirational