Chhabi rani Pati

Inspirational

5.0  

Chhabi rani Pati

Inspirational

ଏକଶ୍ଚନ୍ଦ୍ର ସ୍ତମୋହନ୍ତି

ଏକଶ୍ଚନ୍ଦ୍ର ସ୍ତମୋହନ୍ତି

7 mins
594



           " ନାକ ତଳ ନିଶ ବଙ୍କା ହୋଇଗଲେ

                   କାହାର କି'ଅବା ଦୋଷ

             ନିଜ ଅକର୍ମଣ୍ୟ ପ୍ରମାଣିତ କରେ

                   ଜନେ ହୁଏ ଉପହାସ "


         ଗୋଦରାଙ୍କ ପରି କୋଡ଼ି କୋଡ଼ି ଶେଷରେ ମାଡି ଚାଲିଲେ ; ଶ୍ରମ ବ୍ୟର୍ଥ ହୁଏ ସିନା କିନ୍ତୁ , କେବେବି ସାର୍ଥକ ହୁଏନି । ହଁ , ଏ'କଥା ସତ୍ୟ ଯେ ' " ଗୋଟେ , ସୁସ୍ତ ମାନସିକତାର ଜନ୍ମ ଦାତା ସବୁବେଳେ , ଗୋଟେ ସୁସ୍ତ ବାତାବରଣରୁ ହିଁ ସୃଷ୍ଟି ହୋଇଥାଏ " । ଅସୁସ୍ତିକର ପରିବେଶ ମନରେ ଭରି ଦିଏ ଖାଲି .... ଦୁଃଖ , ଅବସାଦ , ଦୁଃଶ୍ଚିନ୍ତା ଆଉ ପୁଳା ପୁଳା ନିଷ୍ଫଳ ଆସ୍ପାଦନ । ହର୍ଷ ଉଲାସ ରେ ନିଜକୁ ସର୍ବଦା ଖୋଲା ଆକାଶ ର ମୁକ୍ତ ବିହଙ୍ଗ ଟେ ପରି ଉନ୍ମୁକ୍ତ କରି ଖୋଲି ଧରିଲେ ମିଳିଥାଏ ଅନେକ ଆଶାର ଆଲୋକ ଓ ଖୋଲା ଆଖିର ସ୍ବପ୍ନ । ସେହି ସ୍ୱପ୍ନକୁ , ବାସ୍ତବତାର ରୂପ ଦେବାକୁ ଯାଇ ବୁଦ୍ଧି , ବିବେକ ଏବଂ ଜ୍ଞାନ- କୌଶଳରେ ମଣିଷ ଆବିଷ୍କାର କରେ ବିବିଧ ଉପାୟର କଳ୍ପନା-ଜଳ୍ପନା । ବିନା ଦ୍ବିଧାରେ ଭରିଚାଲେ ସେଥିରେ ଇନ୍ଦ୍ରଧନୁର ସୁନେଲି ସପ୍ତରଙ୍ଗ । ଆଉ ନିଜକୁ ଲକ୍ଷ ଲକ୍ଷ ତାରା ମାନଙ୍କ ଭିତରେ ଶୁଭ୍ର ଜୋଛନା ଭରା ଉଜ୍ଜ୍ୱଳ ଦେହଳି ଟେ କରି ପରିପ୍ରକାଶ କରେ ଏ'ସାରା ଜଗତରେ । ଯେଉଁ ଆଲୋକର ସମକକ୍ଷ ଅସଂଖ୍ୟ ତାରା , ଗ୍ରହ ,ନକ୍ଷେତ୍ର ସପ୍ତଶ୍ରୀ ମଣ୍ଡଳ ଅବା ଗ୍ରହାନୁପୁଞ୍ଜ ସମସ୍ତେ ମିସିକି ବି' ହୋଇପାରନ୍ତିନି ସତ ଚେଷ୍ଟା ସତ୍ତ୍ୱେ ।


 " ଏକ ଶ୍ଚନ୍ଦ୍ର ସ୍ତମୋହନ୍ତି.... ନ'ଚୋୖ ତାରା ଗନୌ ପିଚ " ।


ଠିକ , ସେହିପରି ଥିଲା ସୁଶ୍ରୀ । ନିମ୍ନ ମଧ୍ୟବିତ୍ତ ଠୁଁ ବି ' ଆହୁରି ନିମ୍ନ ( ଗରିବ କହିଲେ ଅତିଉକ୍ତି ହେବନି ) ପରିବାରରେ ତା'ର ଜନ୍ମ ଥିଲା । କହିବାକୁ ଗଲେ ଖାଲି ଦୁଃଖେ- ସୁଖେ ଖାଇ- ପିଇ ବଂଚିଯିବାର କ୍ଷମତା ଥିଲା କେବଳ ତାଙ୍କର । ବାପା , ହାଟ ବଜାରରେ ପନିପରିବା ବିକ୍ରି କରି ଚଳାଇ ନିଅନ୍ତି ଯହିଁ ଯେମିତି । ପୁଅ ଝିଅ ମିସିକି ପାଞ୍ଚ ଜଣ । ଏତେ ଗୁଡିଏ ପେଟ ଓ ପିଠି ଜଗିଲା ବେଳକୁ ସରିଯାଏ ସବୁ ପାରିଶ୍ରମିକ । ତେଣୁ, ପିଲାମାନେ ଯତେଇ କତେଇ ଯିଏ ଯେତେ ବାଟ ଗଲା ପାଠ ପଢ଼ାରେ । ଘର ପାଖ ସରକାରୀ ସ୍କୁଲରେ ପାଠ ପଢ଼ନ୍ତି ସମସ୍ତେ । କିଏ ପଞ୍ଚମ ତ' କିଏ ସପ୍ତମ ଆଉ କିଏ ଅଣ୍ଡରମେଟ୍ରିକ । ବାଧ୍ୟତାମୂଳକ ନୀତି ନିୟମ ନ'ଥିଲା କାହାରି ପାଇଁ । କାରଣ ଅଣ୍ଟାରେ ସମ୍ବଳ ନ'ଥିଲା ଟିଉସନ ଦେଇ ଅବା ଭଲ ସ୍କୁଲ ଦେଖି ପାଠ ପଢେଇବାକୁ । ଖାଲି , ଟିକେ ବିଶେଷ ଲୋଭ ଥାଏ ପୁଅ ଦୁଇଟା ଙ୍କ ଉପରେ । ଭଲରେ ଦୁଇ ଅକ୍ଷର ପଢିଯାନ୍ତେ କି' ନିଜ କଥା ତ' ନିଜେ ବୁଝିବାକୁ ସକ୍ଷମ ହୋଇପାରନ୍ତେ । ଆମ ବୃଦ୍ଧବସ୍ଥା ରେ ଛାଡ ।  ଭାଗ୍ୟର ବିଡମ୍ବନା ବି' ଥିଲା ବଡ଼ ବିଚିତ୍ର । ତିନୋଟି ଯାକ ଝିଅ ଯେଉଁଠି ପେଜ ତୋରାଣି ମୁନ୍ଦାକ ପିଇ ଦେଇ ଯାଆନ୍ତି ସ୍କୁଲକୁ ସେଠି , ସେହି ଭାତ ଗଣ୍ଡାକ ପୁଅ ଦୁଇଟି ଯାକ ଖାଇ, ଯାଆନ୍ତି ସ୍କୁଲ ନାଁରେ ଖେଳ ପଡିଆ , ନଦୀ କୁଳ ଅଥବା ପଠା - ତୋଟା କୁ । ବେଶ ମଉଜ ମଜଲିସ କରି ଖେଳକୁଦ ସାରି ଫେରନ୍ତି ଘରକୁ ଉପରଓଳି । ଦିନେ ସ୍କୁଲ ମାଷ୍ଟ୍ରେ ହାଟରୁ ପରିବା କରୁ କରୁ ଦେଖିଲେ ରାମ ବାବୁ ଙ୍କୁ । ନ'କହି ରହିପାରିଲେନି' ଝିଅ, ସୁଶ୍ରୀର ଜ୍ଞାନ , ଜିଜ୍ଞାସା ମନବୃତ୍ତି ଆଉ ପ୍ରତିଭା ବିଷୟରେ । ଏତେ ସମାୟାନୁ ବର୍ତ୍ତିତା ଏବଂ ବିଦ୍ୟା ପ୍ରତି ନିଷ୍ଠା ତାଙ୍କୁ ଅଭିଭୂତ କରିଦେଇଥଲା ବୋଲି ସେ' ପ୍ରଶଂସା ଅଜାଡ଼ି ପକାନ୍ତେ  ବାପା ,( ରାମ ବାବୁ) ଖୁସି ତ'ହୁଅନ୍ତି ମାତ୍ର , ପଚାରି ବସନ୍ତି .....ଦୁଇ ପୁଅଙ୍କ ପାଠ ବିଷୟରେ । ମାଷ୍ଟ୍ରେ ଙ୍କର ପ୍ରଫୁଲିତ ହସ ହସ ମୁହଁଟି ପଡ଼ିଯାଏ ସଙ୍ଗେ ସଙ୍ଗେ ଫିକା । କୁହନ୍ତି , ତାଙ୍କୁ ଖାଲି ଭଗବାନ ସାହା । ମୂର୍ଖ କାଳିଦାସ ଠାରୁ ବି' ଆହୁରି ଗଜମୁର୍ଖ ଦିଇଟା ଯାକ । ସେମାନେ ତ'ମାସକୁ ଚାରିଟା ଦିନବି' ସ୍କୁଲର ଦୁଆର ମୁହଁ ମାଡନ୍ତିନି ,,, ଆଉ ତୁମେ ପାଠ କଥା କ'ଣ ପଚାରୁଛ ହେ । ଜୀବନର ସବୁ ପାଠ ସରିଯିବ ଆଯହୁଁ ସେମାନଙ୍କ ଉପରେ ଟିକେ ନିଘା ରଖ ହେ '  ନ'ହେଲେ " ନେଡି ଗୁଡ଼ କହୁଣିକୁ ବୋହିଯିବ " ଯେ ' ଆଉ ବୁଦ୍ଧି ଦିଶିବନି କି, ବଳ ମଧ୍ୟ ପାଇବନି । ସମ୍ଭାଳି ନିଅ ଯେତେ ଶୀଘ୍ର ପାରୁଛ ; ସେ' 'ଦଣ୍ଡା ବାଳୁଙ୍ଗା ' ଦିଟା ଙ୍କୁ । ଏ'ସବୁ ଶୁଣି ବହୁତ ଦୁଃଖିତ ହୋଇଗଲେ ବାପା । ଝିଅ ଗୋଟେ ବାହା ହେବାକୁ ହୋଇଗଲାଣି । ବଢ଼ିଲା ଝିଅକୁ କେତେଦିନ ଆଉ ରଖିବେ ଘରେ ଏଣେ , ତା' ପଛକୁ ପଛ ଆହୁରି ଅଛନ୍ତି ମନେ ପଡିଯାଉଥାଏ ରହି ରହିକି ; ମାଷ୍ଟ୍ରେ ଙ୍କ କଥା । ଝିଅ ର ପ୍ରଶଂସା ବି' ପୁଅର ନିନ୍ଦା ବି' । ଛିଣ୍ଡା ପିନ୍ଧି , ପେଜ ତୋରାଣୀ ପିଇ ଯାହା ହେଉ ; ଆଜି ପାଞ୍ଚ ଲୋକରେ ଗର୍ବରେ ମୋର ଛାତି ଫୁଲେଇ ଦେଲା । ଆଉ ସେଇ ପାଞ୍ଚ ଲୋକରେ ଏ ' କୂଳାଙ୍ଗାର ଦି'ଟା ଲଜ୍ୟାରେ ମୁଣ୍ଡ ମୋର ତଳକୁ କରିଦେଲେ । ଶେଷରେ ଭଲ ମନ୍ଦ ଖୁଆଇ ଗେଲ୍ହା ରେ ବଢେଇବାର କ'ଣ ଏଇ ପରିଣାମ  ଗୋଖା , ଅକାଳ କୁଷ୍ମାଣ୍ଡ ଦୁଇଟା ଯାକ । ଝିଅ ଗୁଡାଙ୍କୁ ପର ଘରକୁ ଭାବି ବୋଝ ପରି ମଣି  କେବେବି ଆଦର କରିନାହିଁ । ଏଇ ପୁଅଟିଏକୁ ଚାହିଁ ଚାହିଁ ତିନୋଟି ଝିଅ । ଶେଷରେ ଭଗବାନ ଦେଲେ ଯେ' ପୁଣି ଯାଆଁଳା ଅକାଳ କୁଷ୍ମାଣ୍ଡ ; ବଳଦ ଦିଇଟା । ଏହିପରି ଅନେକ ଦୁଃଶ୍ଚିନ୍ତା ରେ ଭାରାକ୍ରାନ୍ତ ହୋଇ ଫେରନ୍ତି ଘରକୁ । ଆଉ , ସେ'ଗୋଖା ଦିଇଟା ଙ୍କୁ ଡାକି ପିଟନ୍ତି ନିର୍ଦ୍ଧୁମ । କିନ୍ତୁ , ଅସହିଷ୍ଣୁ ଭାଇ ଦୁଇଟା ଯାକ ରାଗି ଯାଆନ୍ତି ପରୋକ୍ଷ ରେ ସୁଶ୍ରୀ ଉପରେ । ନଇକି ଗାଧୋଇ ଯାଇଥିଲା ବେଳେ ଉଭୟ ଛକିଛକି ପେଲି ଦିଅନ୍ତି ନଇ ଭିତରକୁ ସୁଶ୍ରୀ କୁ । କିନ୍ତୁ , 

" ଯାହାକୁ ରଖିବେ ଅନନ୍ତ , କି' କରି ପାରେ ବଳବନ୍ତ "

 ପ୍ରତକ୍ଷ ଦର୍ଶୀ ସ୍ଥାନୀୟ ଲୋକେ ସେଠୁ ଉଦ୍ଧାର କରିନିଅନ୍ତି ସୁଶ୍ରୀ କୁ । ଏବଂ , ଭାଇ ମାନଙ୍କୁ କରନ୍ତି ଅନେକ ତିରସ୍କାର , ନିନ୍ଦା ଆଉ ନିନ୍ଦା ।

       ଦିନ ଗଡିଚାଲେ ତା'ବାଟରେ । ସୁଶ୍ରୀ ଜିଲ୍ଲା ସ୍ତରୀୟ ଟପ୍ପର ହୋଇ ଉତ୍ତୀର୍ଣ୍ଣ ହୁଏ ମେଟ୍ରିକ ପରୀକ୍ଷାରେ । ସରକାର ଙ୍କର ମେଧାବୃତ୍ତି ଅନୁଦାନ ରେ ଚଳି ଯାଉଥିଲା ତା'ର ପାଠପଢ଼ା ଖର୍ଚ୍ଚ ବାର୍ଚ୍ଚ । ମାତ୍ର , ଏବେ ସେ ' କରିବ କଣ କେମିତି ପଢିବ ଆଗକୁ  ତା' ଆଗରେ ଛିଡା ହୋଇଯାଏ ବିରାଟ ପ୍ରଶ୍ନର ପାହାଡ଼ ।  " ଭଗବାନ ବଡ଼ ଲୋକ " ନିଶ୍ଚିନ୍ତ ଭାବେ । 'ସୁଯୋଗ ସେହି ଠାରେ ସୃଷ୍ଟିହୁଏ ଯେଉଁଠି ଥାଏ , ପ୍ରବଳ ଇଛା ଶକ୍ତି '। ଗୋଟେ ସମ୍ବର୍ଦ୍ଧନା ପର୍ବରେ ଜିଲ୍ଲାପାଳ ରଖୁଥାନ୍ତି ତାଙ୍କର ଅଭିଭାଷଣ । କଥା ପ୍ରସଙ୍ଗରେ କରିବସିଲେ ମଧ୍ୟ ସୁଶ୍ରୀର ଅନେକ ପ୍ରଶଂସା ଆଉ ତାର ଉତ୍ତୋରତର ଉର୍ଣ୍ଣତି ତଥା ଉଜ୍ବଳ ଭବିଷ୍ୟତର କାମନା । ସେହି ଉତ୍ସବରେ ଉପସ୍ଥିତ ଥାଏ ସୁଶ୍ରୀ ।  ଯେତେବେଳେ ଷ୍ଟେଜ଼କୁ ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ତାକୁ ଡକାଯାଇଥିଲା ସେ' ଅନୁରୋଧ କରିଥିଲା ......କିଛି ବକ୍ତବ୍ୟ ରଖିବା ଲାଗି । ଅନୁମତି ମଧ୍ୟ ମିଳିଗଲା । ଆଉ , ଟିକେ ପୂର୍ବର ଜିଲ୍ଲାପାଳ ଙ୍କର ଉକ୍ତି କୁ ଉଦ୍ଧୃତ କରି ଚାହିଁ ଥିଲା ଉଚ୍ଚଶିକ୍ଷା ଲାଗି ଟିକେ ସହାନୁଭୂତି ଆଉ , ଟିକେ ସହଯୋଗର ହାତ ।     

       " ଇଛା ଥିଲେ , ଉପାୟ ଆପେ ଆପେ ଆସେ " ।


ସେଥିପାଇଁ ବି' ପ୍ରଥମ ଓ ପ୍ରକୃତ ପ୍ରୟାସ ନିଜକୁ ହିଁ କରିବାକୁ ହୋଇଥାଏ । ପ୍ରତିଭାକୁ ସଂମାନ ଓ ଉତ୍ସାହିତ କରୁଥିବା କିଛି ଲୋକଙ୍କ ଓଗେର ଜିଲାପାଳ ମଧ୍ୟ ବଢେଇ ଦିଅନ୍ତି ତା' ଆଡ଼କୁ ସହଯୋଗର ହାତ । ସେତିକି ପ୍ରଶଂସାରେ ସେ' ପୋତି ହୋଇ ନ'ଯାଇ ବରଂ ଆରମ୍ଭ କଲା ତା' ଜୀବନର ଏକ ନୂଆ ଜୟ ଯାତ୍ରା । ମନବଳ ଦୃଢ଼ କରି ଆଗେଇ ଚାଲିଲା ନିଜର ତଥା ଶୁଭେଶଛୁ ମାନଙ୍କର ଆଶା ଅଭିଳାସାକୁ ଚରିତାର୍ଥ ଉଦ୍ୟେଶ ରେ କରିଲା ଆପ୍ରାଣ ଉଦ୍ୟମ ।


          ସେ' ଆଜି ହୋଇପାରିଛି ଜଣେ ବେଶ ଜଣାଶୁଣା ବୈଜ୍ଞାନିକ । ସମାଜରେ ତା'ର ଆଜି ବେଶ ପ୍ରତିଷ୍ଠା । ବଦଳି ଯାଇଛି ସମସ୍ତଙ୍କର ରଂଗଢଙ୍ଗ । ଚାଳ ଛପର ମାଟି ଉପରେ ଛିଡା ହୋଇଯାଇଛି ସୁଉଚ୍ଚ ଅଟ୍ଟାଳିକା । ବାପା ଏବେ ଆଉ ହାଟ ବଜାରରେ ବିକି ଯାଉନାହାନ୍ତି ପନିପରିବା । ଦୁଇ ଭଉଣୀ ବେଶ ଆନନ୍ଦରେ ଅଛନ୍ତି ଯେଝା ସଂସାରରେ । ମାଆ , ଇହ ଧାମ ପରିତ୍ୟାଗ କରି ,ଶାନ୍ତିରେ ସୋଇ ଯାଇଛନ୍ତି  ଚିର ନିଦ୍ରାରେ । ସବୁ ଠିକଠାକ । ମାତ୍ର , ବିପଥଗାମୀ ଭାଇ ଦୁଇଟା ଙ୍କ କଥା କହିଲେ ନ'ସରେ । ତାଙ୍କୁ ରୋଜଗାର କ୍ଷମ କରି ଥଇଥାନ କରିବାକୁ କରିଛି ଅନେକ ପ୍ରୟାସ । ହେଲେ , ସବୁ ଅର୍ଥକୁ ଜୁଆ , ନିଶାପାଣି ଓ ବ୍ୟଭିଚାରୀ ନାରୀ ମାନଙ୍କ ପଛରେ ଉଡାଇ ଛାର ଖାର କରିଦେଲେଣି ସେମାନେ ନିଜ ଜୀବନକୁ । ଘରେ ଭାଇ ମାନଙ୍କର ଏ'ପରି ଦୁର୍ଦାନ୍ତ ନୀତିକୁ ଦେଖି ଖାଲି କାକୁସ୍ତ ଟେ ପରି ଚାହିଁରହେ ବାପା ଙ୍କୁ । ବାପା ବି' ବଲବଲ ହୋଇ ଚାହିଁ ରୁହନ୍ତି ଅନେକ ଆଶା ନେଇ ଝିଅକୁ । ସୁଶ୍ରୀ ଚିନ୍ତାଗ୍ରସ୍ତ ହୋଇପଡେ । କ'ଣ ହୋଇପାରେ ଏହି ସମାସ୍ୟାର ସମାଧାନ  ଭାଇ ମାନଙ୍କ ହାବ ଭାବରୁ ଜାଣିପାରେ ସବୁକିଛି ।

            " ଚେଇଁ ସୋଇଥିବ ଯିଏ , ତାକୁ ଉଠେଇବ କିଏ"


   ଠିକ- ଭୁଲ   ସବୁ ବୁଝନ୍ତି । ଜଣେ ଆଉ ଜଣଙ୍କର ପ୍ରରୋଚନାରେ ପଡି କାନ୍ଧରେ କାନ୍ଧ ମିଳେଇ ଚଳେଇଥାନ୍ତି ରୀତିମତ ଗୁଣ୍ଡାରାଜ  ଆଉ, ଲଙ୍କାକାଣ୍ଡ ।  ସୁଶ୍ରୀ ମନେ ମନେ ସ୍ଥିର କରେ ନାହିଁ, ପ୍ରଥମେ ଏ'ଦୁଇ ଜଣଙ୍କୁ ଅଲଗା କରିକି ଦେଖିବା ବୋଧ ହୁଏ ସୁଧୁରିଯିବେ ।  ଏହିପରି ଭାବୁଥିଲା ଅନେକ କଥା । ହଟାତ ଶୁଭିଲା କାହାରି ପାଟି । କାନେଇଲା ଦୌଡ଼ି ଆସରେ ମାଧିଆ , ରାଧୁଆ ନଇରେ ଭାସିଗଲେ ।


           ପେଟ ଭର୍ତ୍ତି ମଦ ସେ'ଥିରେ ଆଖିଭର୍ତ୍ତି ଗଞ୍ଜେଇ ର ନିଶା । ଲୋକେ କହୁଛନ୍ତି , ନଦୀକୂଳେ ବସି ଦୁହେଁ କରୁଥିଲେ ନିଶା ସେବନ । ଏକ କରିବାକୁ ଯାଇ ଜଣେ ଖସିଗଲା ଯେ' , ଯାଇଛି ତଳକୁ ତଳକୁ । ଦେଖୁ ଦେଖୁ ଟାଣିନେଉଥିଲା ବଢ଼ିଲା ନଈ ର ପ୍ରଖର ସ୍ରୋତ । ଏହା ଦେଖି , ଆଉ ଜଣଙ୍କର କାମକଲା ନାହିଁ ବୁଦ୍ଧି । ସହଜେ ତ' ମୂର୍ଖ ଗୁଡାକ, ଅଳ୍ପ ବୁଦ୍ଧିଆ । ତେଣୁ ; ପହଁରା ନ'ଜାଣି ବି' ସାଙ୍ଗ ଠାରୁ ବଳିକି, ଭାଇକୁ ଭାସିଯିବାର ଦେଖି ଡେଇଁ ପଡିଥିଲା ପାଣିକୁ । ତାକୁ ବଞ୍ଚେଇବ କଣ ବରଂ ନିଜକୁ ବି' ପାରୁନଥିଲା ବଞ୍ଚେଇ । ଉଭୟ ଭାସିଯାନ୍ତି ଢେର ବାଟ । ଏହା ଶୁଣି ଗାଁ ରୁ ସମସ୍ତେ ଧାଆନ୍ତି ଘଟଣା ସ୍ଥଳୀକୁ । କିନ୍ତୁ , ସୁଶ୍ରୀ ଫାୟାର ଅଫିସକୁ ଫୋନ କରିଦେଇ ହାତରେ ଟର୍ଚ୍ଚ ଆଉ ଦୌଡା ଧରି ଧାଏଁ ନଦୀକୁ । ଅନ୍ଦାଜ କରି ସେଇଜେଗାକୁ ଯାଏ ସମୟ ଆଉ ନଦୀର ସୁଅ କୁ ଆକଳନ କରି । ପହଞ୍ଚେ ଅନତିଦୂର ନଦୀର ଅଣଓସାରିଆ ମୁହାଁଣ ରେ । ଟର୍ଚ୍ଚ ମାରି ଇସାରା କରେ ଆଗ ଭାଇ ମାନଙ୍କୁ । ନଦୀକୂଳରେ ଥିବା ବରଗଛରେ ଦୌଡ଼ିଟିକୁ ବାନ୍ଧିଦେଇ ଦଉଡି ର ଆର ପଟ ଟି'କୁ ନିକ୍ଷେପ କରେ ଭାଇମାନଙ୍କ ଆଡକୁ । ଚିତ୍କାର କରି ଡାକ ମାରେ ସମସ୍ତଙ୍କୁ । ସୁଶ୍ରୀର ଉପସ୍ଥିତ ବୁଦ୍ଧି ଆଉ , ସମସ୍ତଙ୍କର ସହଯୋଗରେ ନିଶ୍ଚିତ ମୃତ୍ୟୁକୁ ପଛରେ ପକାଇ ବଞ୍ଚିଯାଏ ଦୁଇଟି ଜୀବନ । ନିଜ ନିର୍ବୋଧତା ରୁ ଆକସ୍ମିକ ଦୁର୍ଘଟଣାରେ ପଡିବାରୁ ଏବଂ ସାନ ଭଉଣୀ ଟିର ବିଚକ୍ଷଣ ବୁଦ୍ଧି ର ପ୍ରୟୋଗରେ ନୂଆ ଜୀବନ ପାଇଥିବାରୁ ଦୁଇ ଭାଇଙ୍କର ମନ ପଡ଼ିଯାଏ ସେହି ପିଲାଦିନର ଦୁର୍ବୁଦ୍ଧିଗୁଡା । ନିଜ ପାଖେ ନିଜେ ଲଜ୍ଜିତ ହୁଅନ୍ତି ଦୁହେଁ । ଦୋହଲି ଯାଏ ତାଙ୍କର ଅନ୍ତର ଆତ୍ମା । ମୃତ୍ୟୁ କୁ ଅତି ପାଖରୁ ଦେଖି ସାରିଲାପରେ ବଦଳି ଯାଏ ଦୁଇ ଭାଇଙ୍କର ଜୀବନ ଧାରା । ତାସଚଲ୍ୟ , ଅପମାନ , ନିନ୍ଦା , ମାଡ଼ ,ଗାଳିଗୁଲଜ ଯେଉଁମାନଙ୍କ ଉପରେ ପଡୁନଥିଲା ଟିକେ ବି' ପ୍ରଭାବ କି ଆସୁ ନଥିଲା କିଛି ବି' ପରିବର୍ତ୍ତନ  ସେହି କୁଶ୍ଚିତ ମାନସିକତାରେ ଆସିଯାଏ ହଟାତ ବିରାଟ ପରିବର୍ତ୍ତନ । ଏସବୁ ସମ୍ଭବ ହୋଇପାରିଛି କେବଳ ସୁଶ୍ରୀ ର ସ୍ଥିରଚିତ୍ତ , ଉପସ୍ଥିତ କ୍ଷିପ୍ର ବୁଦ୍ଧିରୁ । ସୁଶ୍ରୀ ର ସାହାଯ୍ୟ , ସହାନୁଭୁତି ରୁ ଆଜି ତାର ଦୁଇ ଭାଇ ନିଜ ନିଜ ସୁଖ ସଂସାରରେ ବ୍ୟସ୍ତ । ସମସ୍ତ ପ୍ରକାର ନିଶାରୁ ନିବୃତ୍ତ ରହି , ଏବେ ସେ' ନାରୀ ମାନଙ୍କୁ ଦେଉଛନ୍ତି ମା' ଭଉଣୀଙ୍କ ଉଚ୍ଚିତ ସଂମାନ । ଆଜି ସେମାନେ ସାମାଜିକ ନୀତି , ନିୟମ ଓ ଶୃଙ୍ଖଳାର ବନ୍ଧନରେ ଆବଦ୍ଧ କେବଳ ତାଙ୍କ ସୁନା ଭଉଣୀ ସୁଶ୍ରୀ ପାଇଁ । ଏହି ବିରାଟ ପରିବର୍ତ୍ତନ କେବଳ ଏଇ ଦୁଇ ଜଣଙ୍କର ହୋଇନାହିଁ ବରଂ ; ଏହି ଘଟଣା କୁ ନେଇ ଆଖ ପାଖ ଅଞ୍ଚଳ ରେ ବେଶ ଆଲୋଡନ ସୃଷ୍ଟି କରିପାରିଛି ସମସ୍ତଙ୍କ ହୃଦୟରେ । ଏହି ମାର୍ମିକ କାହାଣୀରେ ଆଜି ସମସ୍ତେ ପ୍ରେରିତ । ତାର ପ୍ରତିଫଳନ ରେ ସୁଧୁରି ଯାଇଛି ଅନେକ ଜୀବନ ଅନେକ ଅସାମାଜିକ ଯୁବଗୋଷ୍ଟି । (ଜୟ ଜଗନ୍ନାଥ )



Rate this content
Log in

Similar oriya story from Inspirational