Arjuni charan Behera

Inspirational Others

4  

Arjuni charan Behera

Inspirational Others

ମରୁଭୂମିରେ ମହର୍ଷି ଉତ୍ତଙ୍କ

ମରୁଭୂମିରେ ମହର୍ଷି ଉତ୍ତଙ୍କ

4 mins
322


    

ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି । ହସ୍ତୀନା ସିଂହାସନରେ ଅଧିଷ୍ଠିତ ହୋଇ ସାରିଛନ୍ତି ଧର୍ମରାଜ ଯୁଧିଷ୍ଟିର, ଶ୍ରୀକୃଷ୍ଣଙ୍କ କାର୍ଯ୍ୟ ସମାପ୍ତ । ବହୁଦିନରୁ ଆସି ସେ ପାଣ୍ତବ ମାନଙ୍କ ସହ ରହି ଯାଇଥିଲେ । ଏବେ ସେ ବାହାରିଲେ, ଦ୍ବାରିକାକୁ ଫେରି ଯିବେ । ସେ ଯାଇ ଗାନ୍ଧାରୀ, କୁନ୍ତୀ, ଦ୍ରୌପଦୀ, ଧୃତରାଷ୍ଟ୍ର, ବିଦୁର ଏବଂ ଅନ୍ୟ ମାନଙ୍କ ଠାରୁ ମେଲାଣି ଘେନି ଦ୍ବାରିକା ଅଭିମୁଖେ ତାଙ୍କର ରଥ ଛୁଟାଇଦେଲେ । ପାଣ୍ଡବ ମାନେ ନଗର ବାହାର ପର୍ଯ୍ୟନ୍ତ ବାଟୋଇ ଦେବାକୁ ଆସି, ଭଗବାନଙ୍କ ରଥ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ତାଙ୍କ ପଥକୁ ଚାହିଁ ରହିଲେ ।

ହସ୍ତୀନାରୁ ଦ୍ୱାରକା ଯାତ୍ରାପଥରେ ପଡ଼େ ଗୋଟିଏ ବିଶାଳ ମରୁପ୍ରାନ୍ତର ଯାହା ଆଧୁନିକ ରାଜପୁତାନା ମରୁଭୂମିରୁପେ ଖ୍ୟାତ । ସେହି ମରୁଭୂମିରେ ବାସ କରୁଥିଲେ ମହର୍ଷି ଉତ୍ତଙ୍କ । ପୂର୍ବରୁ ପରିଚୟ ଥିବା ଋଷି ଉତ୍ତଙ୍କଙ୍କ ଆଶ୍ରମରେ ଶ୍ରୀକୃଷ୍ଣ ପହଞ୍ଚି ତାଙ୍କୁ ଅଭିବାଦନ କଲେ । କୁରୁକ୍ଷେତ୍ରଯୁଦ୍ଧ ବିଷୟ ୠଷି ଉତ୍ତଙ୍କଙ୍କୁ ଜଣା ନଥାଏ । ସେ ଭାବିଲେ, କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଶାନ୍ତି ପ୍ରତିଷ୍ଠା କରି ଫେରି ଆସିଛନ୍ତି । କିଛି ସମୟର କୁଶଳ ଜିଜ୍ଞାସା ପରେ କୃଷ୍ଣ କଥା ପ୍ରସଙ୍ଗରେ କହିଲେ, ମୁଁ ପାଣ୍ତବ ଓ କୌରବଙ୍କ ମଧ୍ୟରେ ଶାନ୍ତିପ୍ରତିଷ୍ଠା ନିମନ୍ତେ ବହୁ ଚେଷ୍ଟା କରିଥିଲି । ମନ୍ଦମତି ଦୁର୍ଯ୍ୟୋଧନ ସୁଚ୍ୟଗ୍ର ପରିମିତ ଭୂମି ଦେବନାହିଁ ବୋଲି ଜିଦରେ ଅଟଳ ରହି ମୋର ତିରସ୍କାର କଲା । ଏପରିକି ଗାନ୍ଧାରୀ ଧୃତରାଷ୍ଟ୍ର,ବିଦୁର ଆଦି କାହାରିଙ୍କ କଥା ମଧ୍ୟ ସେ ଶୁଣିଲା ନାହିଁ । ଏପରି ସ୍ଥିତିରେ ଯୁଦ୍ଧ ଛଡ଼ା ଅନ୍ୟ କୌଣସି ପନ୍ଥା ନଥିଲା । ବର୍ତ୍ତମାନ ସେ ଭୟଙ୍କର ଯୁଦ୍ଧ ଶେଷ ହୋଇ ଯାଇଛି । ଦୁର୍ଯ୍ୟୋଧନଙ୍କ ସହ ଏବେ କୌରବ ମାନଙ୍କର ଅନ୍ତଃ ଘଟିଛି । ପାଣ୍ତବ ମାନଙ୍କର ଆଉ ପୁତ୍ର,ମିତ୍ର କେହି ନାହାଁନ୍ତି । ମାତ୍ର ସେମାନେ ଜୀବିତଅଛନ୍ତି । ହସ୍ତିନା ସିଂହାସନରେ ଅଭିଷିକ୍ତ ହୋଇଛନ୍ତି ଧର୍ମରାଜ ଯୁଧିଷ୍ଠିର ।

ଉତ୍ତଙ୍କ ଖୁବ୍ ରାଗିଯାଇ କହିଲେ,କୃଷ୍ଣ ତୁମେ ଏହି ଘୋର ବିନାଶକାରୀ ସମରକୁ ଚାହିଁଥିଲେ ଏଡ଼ାଇ ପାରିଥାନ୍ତ,ସାମର୍ଥ୍ୟ ଥାଇ ମଧ୍ୟ ତୁମେ ତାହା କଲ ନାହିଁ । ଏଣୁ ସେହି ମହାସଂହାର ପାଇଁ ମୁଁ ତୁମକୁ ହିଁ ଦାୟୀ କରୁଛି । ତୁମର ଏହି ଛଳନା ପାଇଁ ମୁଁ ତୁମକୁ ଅଭିଶାପ ଦେଉଛି ।


ଉତ୍ତଙ୍କ ଅଭିଶାପ ଦେବାକୁ ଉଦ୍ୟତ ହେଉ ଥାନ୍ତି, କୃଷ୍ଣ କହିଲେ, ଥୟ ଧର ଋଷିବର, ଯୁବାବସ୍ଥାରୁ ତପସ୍ୟାକରି ଯେଉଁ ପୁଣ୍ୟ ଅର୍ଜନକରିଛ ତାହାକୁ ଏତେ ଶୀଘ୍ର ନଷ୍ଟ କରିବାକୁ ଦିଅ ନାହିଁ । ମୁଁ ମଧ୍ୟ ଏହା ଚାହେଁ ନାହିଁ । ଅଳ୍ପ ତପସ୍ୟାଲବ୍ଧ ଜ୍ଞାନରେ କାହାର ଶକ୍ତି ନାହିଁ ମୋତେ ଚିହ୍ନିପାରିବ । ସେହି ଆଧ୍ୟାତ୍ମ ପୁରୁଷ ମୁଁ ,ଯାହାଙ୍କୁ ଲାଭ କରିବା ପାଇଁ ମୁନି ଋଷିମାନେ ଯୁଗଯୁଗ ଧରି ତପସ୍ୟା କରନ୍ତି । ବ୍ୟକ୍ତ ଅବ୍ୟକ୍ତ ଏ ସଂସାରର ସମସ୍ତ ବସ୍ତୁରେ ମୁଁ ବିଦ୍ୟମାନ । ମୁଁ ଏ ସଂସାରରେ ବିଭିନ୍ନ ରୂପରେ ଲୀଳା କରିଥାଏ । ମାନବ ରୁପରେ ଶାନ୍ତି ସ୍ଥାପନ ପାଇଁ ମୁଁ କୌରବଙ୍କ ଦ୍ବାରସ୍ଥ ହୋଇ ଥିଲି । ମାତ୍ର ମହାମୋହ କବଳିତ ଦୁର୍ଯ୍ୟୋଧନ ଏବଂ ତାହାର ମିତ୍ରମାନେ ମୋ କଥା ଶୁଣିଲେ ନାହିଁ । ଏଣୁ ଯୁଦ୍ଧ ହୋଇ, ଧର୍ମ ସଂସ୍ଥାପନ ହୋଇଛି । ଏପରି କହି ଶ୍ରୀକୃଷ୍ଣ ତାଙ୍କ ବିଶ୍ୱରୁପରେ ପ୍ରକଟ ହେଲେ ।


କୃଷ୍ଣଙ୍କ ତାଡ଼ନାରେ ଉତ୍ତଙ୍କଙ୍କ କ୍ରୋଧ ଶାନ୍ତ ହୋଇ ଗଲା । ସେ ହାତ ଯୋଡ଼ି ସ୍ତୁତି କଲେ,ହେ ପରମ ପ୍ରେମମୟ ବିଶ୍ୱାତ୍ମା ! ଆପଣଙ୍କ ବିଶ୍ଵରୂପ ଦର୍ଶନ କରି ମୁଁ ଧନ୍ୟହେଲି । ମୁଁ ବର୍ତ୍ତମାନ୍ ଦେଖିପାରୁଛି ଆପଣ ସମସ୍ତ ବିଶ୍ବ ବ୍ରହ୍ମାଣ୍ଡରେ ବ୍ୟାପି ରହିଛନ୍ତି । ଆପଣଙ୍କୁ ଆଉ ମୁଁ ଚାହିଁପାରିବି ନାହିଁ । ଦୟାକରି ଆପଣ ଏବେ ଶାନ୍ତ ହୁଅନ୍ତୁ ।


ଶ୍ରୀକୃଷ୍ଣ ଋଷିଙ୍କ ପ୍ରାର୍ଥନାରେ ନିଜ ସ୍ଵରୂପକୁ ଫେରି ଆସି କହିଲେ,ମୁଁ ତୁମ ଉପରେ ସନ୍ତୁଷ୍ଟ, ବର୍ତ୍ତମାନ ତୁମେ ଯାହା ବର ଚାହୁଁଛ ମାଗିନେଇପାର । ୠଷି ଉତ୍ତଙ୍କ କହିଲେ,ସ୍ଵୟଂ ନାରାୟଣଙ୍କ ଦର୍ଶନ ଲାଭ ପରେ, ମୋର ଆଉ କୌଣସି ବରର ପ୍ରୟୋଜନ ନାହିଁ । ମାତ୍ର କୃଷ୍ଣ ବାଧ୍ୟକରି କହିଲେ,ତୁମକୁ କିଛି ନା କିଛି ବର ମାଗିବାକୁ ପଡ଼ିବ ।

ଉତ୍ତଙ୍କ କଅଣ ବର ମାଗିବେ ବୋଲି ବହୁ ସମୟ ଚିନ୍ତା କରି ଦେଖିଲେ, ଏହି ମରୁ ପ୍ରଦେଶରେ ଜଳ ଦୁର୍ଲ୍ଲଭ । ଜଳାଭାବ ଯୋଗୁଁ ତାଙ୍କୁ ବହୁ ସମୟରେ ତୃଷାର୍ତ୍ତ ରହିବାକୁ ପଡ଼ୁଛି । ତେଣୁ ସେ ବର ମାଗି କହିଲେ, ହେ ବାସୁଦେବ ! ଆପଣ ମୋତେ ଏହି ବର ଦିଅନ୍ତୁ, ମୁଁ ଏ ମରୁଭୂମିରେ ଯେଉଁଠି ରହିବି ସେଠାରେ ମୋତେ ଜଳ ସୁଲଭ ହେବ । ଶ୍ରୀକୃଷ୍ଣ କହିଲେ,ତଥାସ୍ତୁ । ଶ୍ରୀକୃଷ୍ଣ ପୁଣି କହିଲେ, ତୁମର ଯେତେ ବେଳେ ଯାହା ଦରକାର ହେବ, ମୋତେ ସ୍ମରଣ କଲେ ମୁଁ ତୁମ ପାଖରେ ନିଶ୍ଚୟ ପହଞ୍ଚିବି । ଏହା କହି ଶ୍ରୀକୃଷ୍ଣ ମରୁପଥରେ ତାଙ୍କ ଦ୍ରୁତଗାମୀ ରଥକୁ ଦ୍ୱାରିକା ଅଭିମୁଖେ ଛୁଟାଇ ଦେଲେ ।

ବହୁଦିନପରେ ଦିନେ ମହର୍ଷି ଉତ୍ତଙ୍କ ମରୁଭୂମିରେ ବୁଲୁଥାନ୍ତି ତାଙ୍କୁ ଭୀଷଣ ଶୋଷ ହେଲା । ଭୀଷଣ ତୃଷିତ ହୋଇ, ସେ କୃଷ୍ଣଙ୍କୁ ସ୍ମରଣ କଲେ । କିଛି ସମୟ ପରେ ଦେଖାଗଲା ସେହିବାଟରେ ଜଣେ କୁତ୍ସିତ ଚଣ୍ଡାଳ ଯାଉଛି । ସମ୍ପୂର୍ଣ୍ଣ ଉଲଗ୍ନ ତା ସହ ଦଳେ କୁକୁର ଚାଲିଥାନ୍ତି । ତା' ବେକରେ ଝୁଲୁଛି ଗୋଟିଏ ଲୋଚାକୋଚା ଚମଡ଼ାର ଥଳି । ଚଣ୍ଡାଳ ଉତ୍ତଙ୍କଙ୍କୁ କହିଲା, ଯଦି ଶୋଷ ଲାଗୁଛି, ତେବେ ଏହି ଥଳିରେ ଜଳ ଅଛି ପିଇପାର ।

ତପସ୍ୱୀ ବ୍ରାହ୍ମଣ ୠଷି ଉତ୍ତଙ୍କ ଏପରି ଏକ କୁତ୍ସିତ ଅପବିତ୍ର ଚଣ୍ଡାଳ ହାତରୁ ପାଣି ପିଇବେ କିପରି ? ସେ ନାସିକା କୁଞ୍ଚନକରି କହିଦେଲେ,ମୋର ପାଣି ପିଇବା ଦରକାର ନାହିଁ । ତୁ ତୋ ବାଟରେ ଚାଲି ଯାଆ । ତଥାପି, ଚଣ୍ଡାଳ ତାଙ୍କୁ ବହୁତ ଅନୁରୋଧ କରୁଥାଏ । ୠଷି ବିରକ୍ତହୋଇ ତାକୁ ବହୁ ଭର୍ତ୍ସନା କଲାରୁ ସେ ତା ବାଟ ଧରିଲା ।


ପରେ ସେ ଭାବିଲେ ଏହା ବୋଧହୁଏ ଶ୍ରୀକୃଷ୍ଣଙ୍କ ଲୀଳା । ସେ କୃଷ୍ଣଙ୍କୁ ସ୍ମରଣ କରିବାରୁ, ପ୍ରତିଶ୍ରୁତି ଅନୁଯାୟୀ ଶ୍ରୀକୃଷ୍ଣ ଆସି ହାଜର ହୋଇ ଗଲେ । ଉତ୍ତଙ୍କ ତାଙ୍କୁ ଦେଖି କହିଲେ, ବର ଦେବା ପାଇଁ ଜିଦ୍ କରି ଶେଷରେ ଏହି ବର ଦେଲେ । ଚଣ୍ଡାଳ ଗୋଟିଏ ପଠାଇଦେଲେ ମୋତେ ପାଣି ପେଇବା ପାଇଁ । ବ୍ରାହ୍ମଣ ହୋଇ ଚଣ୍ଡାଳ ହାତରୁ ମୁଁ କଅଣ ଜଳ ଗ୍ରହଣ କରିପାରେ । ଆପଣ ମୋତେ ଏଭଳି ପରୀକ୍ଷା କରୁଥିଲେ କାହିଁକି !!!

ଶ୍ରୀକୃଷ୍ଣ କହିଲେ, ଋଷିବର ! ମୁଁ ତୁମକୁ ପରୀକ୍ଷା କରୁନଥିଲି । ତୁମେ ଯେତେବେଳେ ତୃଷିତ ହୋଇ ମୋତେ ସ୍ମରଣ କଲ, ମୁଁ ଭାବିଲି, ତୁମକୁ ଅମୃତ ପିଆଇବି । ସେଥିପାଇଁ ମୁଁ ଇନ୍ଦ୍ରଙ୍କୁ ତୁମ ନିକଟକୁ ପଠାଇଥିଲି । ଇନ୍ଦ୍ର ତୁମ ପାଖକୁ ଚଣ୍ଡାଳ ରୂପରେ ଅମୃତ ଧରି ଆସିଥିଲେ । ଦେବେନ୍ଦ୍ର ମୋ କଥାରେ ଆସିବା ବେଳେ କହିଥିଲେ,ଅମୃତପାଇଁ କୌଣସି ମନୁଷ୍ୟ ଅଧିକାରୀ ହୋଇ ନପାରେ । ତେଣୁ ଛଦ୍ମ ଚାଣ୍ଡାଳ ବେଶରେ ମୁଁ ମହର୍ଷି ଉତ୍ତଙ୍କଙ୍କ ନିକଟକୁ ଯିବି । ସେ ମୋତେ ଚିହ୍ନି ପାରିଲେ ହେଲା । ଏଣୁ ହେ ଉତ୍ତଙ୍କ,ଇନ୍ଦ୍ର ତୁମକୁ ଏ ପରୀକ୍ଷା କରୁଥିଲେ । କିନ୍ତୁ ତୁମେ ପରୀକ୍ଷାରେ ହାରିଗଲ ।


ଏହା ଶୁଣି ଉତ୍ତଙ୍କ ବହୁ ଦୁଃଖିତ ହେଲେ । ପୁନଃ ତାଙ୍କୁ ଶ୍ରୀକୃଷ୍ଣ କହିଲେ,"କୌଣସି ଜ୍ଞାନୀ ପୁରୁଷ ବ୍ରାହ୍ମଣ-ଚଣ୍ଡାଳ ଭେଦାଭେଦ ରଖନ୍ତି ନାହିଁ । ମାତ୍ର ତୁମେ ଏହାର ଉପରକୁ ଉଠି ପାରିନାହଁ"।

ଶ୍ରୀକୃଷ୍ଣଙ୍କ ଠାରୁ ଏ ସଦୁପଦେଶ ପାଇ ଉତ୍ତଙ୍କଙ୍କ ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ । ବ୍ରାହ୍ମଣର ଅଭିମାନ ତାଙ୍କର ଭାଙ୍ଗିପଡ଼ିଲା, ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ସେ ଅଧୋମୁଖ ହୋଇ ରହିଲେ । ସେଇଥି ପାଇଁ ଆଜି ମଧ୍ୟ ମରୁଭୂମିରେ ଦେଖା ଯାଏ 'ମୃଗତୃଷ୍ଣା' । ବର୍ଷା ବିରଳ ମରୁଭୂମିରେ କୌଣସିକୌଣସି ସମୟରେ ବର୍ଷାହେଲେ ତାକୁ ଉତ୍ତଙ୍କବର୍ଷା ଏଵଂ ଆକାଶରେ ଘୋଟିଆସିଥିବା ମେଘ ବାଦଲକୁ ଲୋକେ ଉତ୍ତଙ୍କ ମେଘ ବୋଲି କହିଥାନ୍ତି ।

               !!! ଜୟ ଶ୍ରୀକୃଷ୍ଣ !!!

                  


Rate this content
Log in

Similar oriya story from Inspirational