ଵଳରାମ ତରାଈ

Inspirational

4.9  

ଵଳରାମ ତରାଈ

Inspirational

ମୋ ଝିଅ

ମୋ ଝିଅ

2 mins
555


ମୋ ଝିଅ ଏବେ ୮ବର୍ଷର ହୋଇଗଲାଣି । ଦିନେ ସେ ମୋ କୋଳରେ ବସି ପିଲାଳିଆମି ଚପଳତାରେ ପଚାରିଲା, ବାପା ମୁଁ କେବେ ଆପଣଙ୍କ ଆଖିରେ ଲୁହ ଆଣି ଦେଇଛି କି ? 

ମୁଁ କହିଲି -"ହଁ'' ।

କେବେ ? ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା । 

ମୁଁ କହିଲି - ସେତେବେଳେ ତୁମକୁ ପ୍ରାୟ ବର୍ଷେ ପୁରିଥାଏ । ତୁମେ ଗୁରୁଣ୍ଡି ଗୁରୁଣ୍ଡି ଏ ଘରରୁ ସେ ଘର ହେଉଥିଲ । ମୁଁ ତୁମ ସାମନାରେ ପଇସା, କଲମ ଓ ଖେଳନା ରଖିଦେଲି । କାହିଁକି ନା ମୁଁ ଦେଖିବାକୁ ଚାହୁଁଥିଲି ତୁମେ କେଉଁ ଜିନିଷଟି ପସନ୍ଦ କରୁଛ ଓ କେଉଁ ଜିନିଷ ନେଇ ଖେଳୁଛ ? ମୁଁ ଏହା ଭାବି ରଖିଥିଲି ଯେ ତୁମେ ଯେଉଁ ଜିନିଷଟି ଉଠାଇବ, ଭବିଷ୍ୟତରେ ତୁମେ ସେହି ଜିନିଷ ପ୍ରତି ଅଧିକ ମହତ୍ତ୍ବ ଦେବ । ପଇସାର ଅର୍ଥ ସମ୍ପତ୍ତି, କଲମ ଅର୍ଥ ବୁଦ୍ଧି ଓ ଜ୍ଞାନ ଆଉ ଖେଳନା ଅର୍ଥ ଆନନ୍ଦ । ମୁଁ ଏସବୁ ସହଜ ଭାବରେ ଉତ୍ସୁକତାବଶତଃ କରିଥିଲି । ତୁମେ କ'ଣ ବାଛିବ ସେଥିପ୍ରତି ମୋର ଅଧିକ ଧ୍ୟାନ ଥିଲା । ତୁମେ କିଛି ଦୂରରେ ସାମାନ୍ୟ ହୋଇ ବସିଥିଲ ଓ ନିଜର କୁନି କୁନି ଓଠରୁ ମିଠା ମିଠା ହସ ସ୍ପଷ୍ଟ ବାରି ହୋଇପଡୁଥିଲା । ଟୁକୁରୁ ଟୁକୁରୁ ତୁମେ ସେ ତିନୋଟି ଜିନିଷକୁ ଦେଖି ଚାଲିଥିଲ । ମୁଁ ତୁମ ସାମନାରେ କିଛି ଦୂରରେ ବସି ତୁମକୁ ଲକ୍ଷ୍ୟ କରୁଥିଲି । ତୁମେ ଆଣ୍ଠୁ ଓ କହୁଣୀରେ ଭରାଦେଇ ଗୁରୁଣ୍ଡି ଗୁରୁଣ୍ଡି ଆଗକୁ ବଢିଲ । ମୁଁ ଅପଲକ ନୟନରେ ଚାହିଁ ରହିଥିଲି । ତୁମେ ସେ ତିନୋଟି ଜିନିଷ ପାଖକୁ ଆସି ନିଜ ବାମ ହାତରେ ଏପଟ ସେପଟ କରି ଖେଳାଇ ଦେଲ ଏବଂ ସେସବୁ ଜିନିଷକୁ ପାର କରି ମୋ କୋଳରେ ଆସି ସିଧା ବସିଗଲ । ମୋର ଧାରଣା ବାହାରେ ଥିଲା ସେ ତିନୋଟି ବସ୍ତୁକୁ ଛାଡିଦେଲେ, ତୁମ ପାଖରେ ଆଉଏକ ପସନ୍ଦ ଥିଲା "ମୋ କୋଳ'' ।

ମୋ ଆଖିରୁ ଆନନ୍ଦାଶ୍ରୁ ଝରିପଡିଲା । ସେଦିନ ମୁଁ ବହୁତ ଖୁସି ଅନୁଭବ କରିଥିଲି ଓ ଗୋଟେ ଝିଅର ବାପା ହୋଇଥିବାରୁ ମନେ ମନେ ବହୁତ ଗର୍ବ କଲି । (କିଛି ସ୍ମୃତି କିଛି ଅନୁଭୂତି)


Rate this content
Log in

Similar oriya story from Inspirational