ମୋ ବୋଉ
ମୋ ବୋଉ
ମୋତେ ଗେଲ ରେ ଡାକେ ଟିକିଲି ବୋଲି
ମୋ ପାଇଁ ସ୍ୱର୍ଗ ଠାରୁ ବଡ଼ l ସ୍ୱର୍ଗ କହିଲେ ବି କମ ପଡିବ ତା ପାଇଁ l ସେ ତ ମୋ ବୋଉ l ତା ପାଇଁ ମୁଁ ଦୁନିଆର ସବୁଠୁ ସୁନ୍ଦର l ତା ପାଇଁ ମୁଁ ଦୁନିଆର ସବୁଠୁ ଭଲ ମଣିଷ l ଯେତେ ଦୋଷ କରିଥିଲେ ବି ତା ଆଗରେ ମୁଁ ସବୁଠୁ ସୁନା ପିଲା l
ଦୁନିଆ କୁ ଆସିଲା ପରେ ସମସ୍ତେ କୁହନ୍ତି ମୁଁ କୁଆଡେ ବହୁତ ଗୋରା ଥିଲି l ମୋ ବୋଉ ସେଇଥିପାଇଁ ବଡ଼ କଳା ଟୋପା ଟିଏ ଲଗେଇ ଦିଏ ବୋଲି ଆଜି ବି ଗାଁ ରେ ସାଇ ପଡିଶା କୁହନ୍ତି l ହେଲେ ଆଜି ମୁଁ ଭାବେ ମୋ ବୋଉ କାହିଁକି ମୋ ମୁଣ୍ଡରେ ଏତେ ବଡ଼ କଳା ଟୋପା ଲଗାଇ ଦିଏ l ସେ ଭାବିନିଏ ମୋ ପୁଅ କୁ କିଏ ଦୃଷ୍ଟି କରିଦେବ l ବଡ଼ କଳା ଟୋପା ଟିଏ ଲଗେଇ ଦେଲେ ପ୍ରଥମେ ସମସ୍ତଙ୍କ ଲକ୍ଷ ମୋ ପୁଅର ବଡ଼ କଳା ଟୀକା ଉପରେ ପଡିବ, ମୋ ପୁଅ ଆଉ ଦୃଷ୍ଟି ହେବନି l
ସେ ମୋ ବୋଉ l ଆଜି ବି ମୋତେ ସାଇ ପଡିଶା କୁହନ୍ତି l ମୋର ଦିନେ ବହୁତ ଜୋରରେ ଝାଡା ବାନ୍ତି ହେଉଥାଏ, ଯେତେ ବି ଔଷଧ ଦେଲେ ଭଲ ହେଉ ନଥାଏ l ସମସ୍ତେ ଆଶା ଛାଡି ଦେଇଥାନ୍ତି l କିନ୍ତୁ ମୋ ବୋଉ ଡାକୁଥିଲା ତା ମଙ୍ଗଳା ମା ଙ୍କୁ l ହେ ମା ମଙ୍ଗଳା ମୋ ପୁଅ କୁ ଭଲ କରିଦେ ତୋ ମଙ୍ଗଳ ବାର ଓଷା କରିବି l ତୋତେ ପଣା ପାଣି ଦେବି l ସେ କିନ୍ତୁ କାନ୍ଦି କାନ୍ଦି ଡାକ୍ତର ଙ୍କୁ କହୁଥାଏ ମୋ ପୁଅ କୁ ଭଲ କରିଦିଅନ୍ତୁ l ସତରେ ତା ମା ମଙ୍ଗଳା ତା ଡାକ ଶୁଣିଲେ l ତାରି କୋଳ ରେ କେତେ ଝାଡା, ବାନ୍ତି କରିଛି କେବେ ଅଷୁକୁ ପାଇନି ମୋ ବୋଉ l
ସେ ମୋ ବୋଉ
ଆଜି ବି ମନେ ପଡେ ତା ଓଧ ଗପ l ଶୋଇପଡ଼େ ଦାଣ୍ଡ ଦୁଆର ବରଗଛ ରେ ଓଧ ଅଛି l ସେଇ ଡର ରେ କେତେବେଳେ ତାରି କୋଳରେ ନିଦ ହୋଇଯାଏ l
ତାର ଯେତେ ଅଭାବ ଥାଉ ସେ ସବୁବେଳେ ବାପା ଙ୍କ ସାଙ୍ଗରେ ଲଢେଇ କରେ ପୁଣ୍ୟ ପର୍ବାଣି ଆସିଲେ l କିଣି ଆଣେ ନୂଆ ପ୍ୟାଣ୍ଟ ଶାର୍ଟ କନା l ପାଖ ଟେଲର ଦୋକାନ ରେ ତାଗିଦ କରି କୁହେ ଭଲକି ସିଲେଇ କରିବ ମୋ ପୁଅ ଯେମିତି ସମସ୍ତଙ୍କ ଠାରୁ ସୁନ୍ଦର ଦେଖାଯିବ l ସେ ମୋ ବୋଉ l
ଘରେ ଭଲ ମନ୍ଦ ହେଲେ ପ୍ରଥମେ ସାଇତି ରଖିଥିବ ମୋ ପାଇଁ l ଖାଇବା ବେଳ ଉଛୁର ହୋଇଗଲେ ସେମିତି ଅନେଇ ବସିଥିବ ମୋ ପୁଅ ଆସିଲେ ଖାଇବ l ସେ ମୋ ବୋଉ l
ଯେତେ ବଡ଼ ବିପଦ ଆସିଲେ ତା ପାଖକୁ ପଳେଇଲେ ସବୁ ଡର କୁଆଡେ ପଳାଏ l ଯାତ୍ରା ଦେଖି ଗଲେ ଯୋଉ ଖେଳନା ଟା ମନ ହେଉଥିବ କିଣି ନ ଦେଲା ଯାଏଁ ତା ମନ ବୁଝିବନି l
ଆଜି ବି ମନେ ପଡେ ତାରି ସେଇ ଗୀତ
ଧୋରେ ବାଇଆ ଧୋ
ଯେଉଁ କିଆରୀ ରେ ଗହଳ ମାଣ୍ଡିଆ
ସେଇ କିଆରୀ ରେ ଶୋ l
କକର ବିନା ହୋ ଡେଇଁ ପଡ଼ ନଈ ବାଲି କି
ସରୁ ଚୁଡା ଭେଲେଇ ଗୁଡ଼ ରଖିଥିବି ମୁଁ କାଲିକି l
ଆସିବୁଟି କକ ବାରି ଆଡୁ ଧାଇଁ
ଏ ଯୋଉ ଦୁଷ୍ଟ ଟିକିଲି ( ମୋ ବୋଉର ଗେଲ ବସରିଆ ଡାକ ପିଲା ବେଳ ର ) ଅଛି ମୋର ବୋଲ କରୁନାହିଁ l
ଆରେ କକ ଆ ଆରେ କକ ଆ
କୁକୁର କାନ ମୋଚା ମୋଚା ମୋ ଟିକିଲି କାନ କୁ ଖା l
ସେଇ ଗୀତ ଆଜି ଆକୃଷ୍ଟ କରିଛି ଗୋଟେ କଳାକାର ହେବା ପାଇଁ l
ସେ ମୋ ବୋଉ
ସମୟ ର ତାଳେ ତାଳେ ଆଜି ପିଲାଦିନ ନାହିଁ l ସବୁ ବଦଳିଛି ହେଲେ ମୋ ବୋଉ ବଦଳିନି l ଆଜି ବି ତା ପାଖରେ ବସିଲେ ତା କାନିର ବାସ୍ନା ରେ ପେଟ ପୁରି ଯାଉଛି l ଦୁନିଆରେ ଯେତେ ଅତର ଅଛି ତା କାନି ର ବାସ୍ନା ଆଗରେ କିଛି ନୁହେଁ l
ସବୁବେଳେ କାନ ଡେରି ଚାହିଁ ରହିଥିବ ମୋର ଭଲ ଶୁଣିବା ପାଇଁ l ଆଜି ବି ଯଦି ଶୁଣିବ ମୋ ପୁଅର ଦେହ ଭଲ ନାହିଁ କାନ୍ଦି କାନ୍ଦି ଧାଇଁ ଆସିବ ମୋ ବୋଉ l ମୁଣ୍ଡ ଉପରେ ଅନେଇକି ବସିଥିବ ସେ l ବାର ବାର ପଚାରୁଥିବ ଏ ବା କଣ ଲାଗୁଚି l ଟିକେ ଭଲ ଲାଗିଲାଣି l ସମସ୍ତେ ଶୋଇ ପଡ଼ିଥିବେ ସେ କିନ୍ତୁ ଅନେଇ ବସିଥିବ l
ବାପା ଙ୍କ ଠାରୁ କେତେଥର ମାଡ଼ ଖାଇ ଲୁଚେଇ ଲୁଚେଇ ପଇସା ଦେଇଛି ମୋ ବୋଉ l ଆଜି ବି ଦାଗ ଥିବ ତା ଦେହରେ l ହେଲେ କୋଉଦିନ କାହା ଆଗରେ ଛୋଟ କରିଦେଇନି ସିଏ l
ମନେ ପଡେ ଆଜି ସେଇ ଦିନ l ପୁଣି ଛୋଟ ପିଲା ଟିଏ ହୋଇ ଯାଆନ୍ତି କି l ପୁଣି ତା ପାଖରେ ଖେଳି ବୁଲନ୍ତି କି l
ଆଜି ବି ସେଇ ବ୍ୟାଗ ରୁ ପଇସା ଚୋରି କରିବାର ଅଭ୍ୟାସ ଯାଇନି l ଆଜି ବି ବୋଉଲୋ ପଇସା ଦେ ମାଗିବା ଅଭ୍ୟାସ ଯାଇନି l ଆଜି ବି ସେଇଥିରେ ମୋର ଆନନ୍ଦ ଭରି ରହିଛି ଏବଂ ତାର ଦେବା ପଣିଆ ଆଜି ବି ସେମିତି ଅଛି l ଯେତେବେଳେ ଦୁଃଖ ରେ ଭାଙ୍ଗି ପଡେ ମନେପଡେ ମୋ ବୋଉ ର କଥା l
ସତେ ଲାଗେ ନା ମୁଁ ହାରିନି l ପୁଣି ଯିତିବି l
ଦୁନିଆରେ ଯେତେ ସଂମ୍ପର୍କ ଅଛି ସବୁ ସମ୍ପର୍କ କୁ ହିସାବ କଲେ ମୋ ବୋଉ ସମସ୍ତଙ୍କ ସବୁ ସମ୍ପର୍କ ଠୁ ନ ମାସ ଆଗରେ l ତା ଠୁ ନିଜର ଆଉ ଦୁନିଆରେ କିଏ ହୋଇ ପାରେ l
ତା ଭାତ ଡାଲି ଆଳୁ ପୋଡା, ତାର ଖଡା ଶାଗ ଭଜା, ତାର କାଞ୍ଜି, ତା ପିଠାପଣା, ତା ମାଛ, ମାଉଁସ ଝୋଳ ର ସୁଆଦ ଆଜି ଯାଏଁ କୋଉଠି ଖାଇନି l
ସେ ମୋ ବୋଉ l ତା ସ୍ଥାନ ଆଉ କିଏ ନେବ l ଖାଲି ମୋ ବୋଉ ଯେମିତି ମୋ ପାଇଁ ସେମିତି ସବୁ ଛୁଆ ଙ୍କ ପାଇଁ ତାଙ୍କ ମାର ସ୍ଥାନ କେହି ନେଇ ପାରିବେନି l
ସେଇଥି ପାଇଁ କୁହନ୍ତି
ମା ନାହିଁ ଯାହାର, କେହି ନାହାନ୍ତି ତାର,
ମା ନାହିଁ ଯାହାର, ସାହା ନାହିଁ ତାହାର,
ମା ନାହିଁ ଯାହାର, ଗାଁ ନାହିଁ ତାହାର ll
ମା ସବୁ ସମୟରେ ତାର ସନ୍ତାନ ର ପ୍ରଥମ ସାହା ଭରସା l ତା ପିଲାର ଖୁସି ଦେଖିଲେ ଦୁନିଆରେ ସର୍ବ ପ୍ରଥମେ ତା ମା ଖୁସି ହୁଏ ଆଉ ଦୁଃଖ ଦେଖିଲେ ସେ ପ୍ରଥମେ ଦୁଃଖ ରେ ଆଖିରୁ ଲୁହ ଗଡ଼ାଏ l
ତା ପୁଅ ଯେତେ ବଡ଼ ଖରାପ ହୋଇ ଥାଉ ତା ମା ଆଗରେ ସୁନାମୁଣ୍ଡା l ସେଇଥିପାଇଁ କୁହନ୍ତି,
ବାପା ଥିଲା ପୁଅ ସଭା ରେ ହାରେନା
ମା ଥିଲା ପୁଅ ଉପାସେ ରୁହେନା ll
ଗାଁ କୁ ଗଲେ ଯଦି ଗାଁ ସାଙ୍ଗ ସାଥି ମାନଙ୍କ ସହିତ କୁଆଡେ ଟିକେ ଡେରି ହୋଇଯିବ ବୋଉ ମୋର ଦୁଆର ମୁଁହରେ ଅନେଇଥିବ ମୋ ପୁଅ କୁଆଡେ ଗଲା କଣ ଦିଟା ଖାଇଦେବ l
ଫେରୁ ଫେରୁ ରାତି ହୋଇଗଲେ ସେଇ କବାଟ କୁ ଆଉଜି ଅନେଇଥିବ କେତେବେଳେ ଆସିଲେ କବାଟ ଖୋଲିବ l
ତା ବିଷୟରେ ଯେତେ ବର୍ଣନା କଲେ ବି ଶବ୍ଦ କମ ପଡିବ l ସେ ଦେବି ପାଇଁ ବନ୍ଦନା କରିଲା ଭଳି ମନ୍ତ୍ର ନାହିଁ ତା ଛୁଆ ପାଖରେ l ଖାଲି ଏତିକି ଜାଣିଛି ଏ ସାରା ଦୁନିଆରେ ଯଦି କିଏ ମୋ ନିଜର ସେ ମୋ ବୋଉ ।