STORYMIRROR

ଫକୀର ପରିଡ଼ା

Tragedy Fantasy

4  

ଫକୀର ପରିଡ଼ା

Tragedy Fantasy

ମଣିଷ ପଣିଆ

ମଣିଷ ପଣିଆ

5 mins
401

କହି ରଖେ, ପ୍ରତ୍ୟେକ ମଣିଷ ଭିତରେ ଥିବା “ମଣିଷ ପଣିଆ” ହିଁ ମଣିଷକୁ ଚିର ସ୍ମରଣୀୟ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ସତ୍ୟ ଘଟଣା କିପରି ଜଣେ ରାଜପୁତ ବୀରଙ୍କୁ ଚିର ସ୍ମରଣୀୟ କରି ଦେଇଛି ତାହା ହିଁ ଜାଣିବାର କଥା । ନିଜର ସତ୍ୟ ରକ୍ଷା ଓ ପ୍ରତିଶୃତିକୁ ପାଳନ କରି ବୀର ଜଣକ ମୋଗଲ ସମ୍ରାଟ ଆକବରଙ୍କ ଭିତରେ ଥିବା ମଣିଷପଣିଆଟିକକୁ ଉଜ୍ଜୀବିତ କରି ପାରିଥିଲେ ।


ସେତେବେଳେ ତ ମୋଗଲ୍ ଶାସନ ଚାଲିଥାଏ । ଦିଲ୍ଲୀର ବାଦ୍ଶାହା ସମ୍ରାଟ୍ ଆକବର । ଧୀରେ ଧୀରେ ଦୁର୍ଗ ପରେ ଦୁର୍ଗ, ରାଜ୍ୟ ପରେ ରାଜ୍ୟ ସେ ସମ୍ରାଟ୍ ଖାଲି ଦଖଲ କରି ଚାଲିଥାନ୍ତି । ତାଙ୍କୁ ପ୍ରବଳ ମାତ୍ରାରେ ବିରୋଧ କରୁଥାନ୍ତି ଏ ଦେଶର ରାଜପୁତ୍ ଯୋଦ୍ଧାମାନେ ।


ସେହି ସମୟରେ ମହାରାଣା ପ୍ରତାପ ନିଜର ରାଜ୍ୟ ହରାଇ, ଜଙ୍ଗଲରେ ରହି ମୋଗଲମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥାନ୍ତି ମହାସଂଗ୍ରାମ । ତେଣୁ ଅନେକ ରାଜପୁତ୍ ଯୋଦ୍ଧା ରାଣା ପ୍ରତାପଙ୍କୁ ସାହାଯ୍ୟ ଓ ସହଯୋଗ ମଧ୍ୟ କରୁଥାନ୍ତି । ସେମାନଙ୍କ ଭିତରେ ସର୍ଦ୍ଦାର ରଘୁପତି ସିଂହ ଥିଲେ ଅନ୍ୟତମ ।


ସେମାନଙ୍କର ଜଙ୍ଗଲରେ ସମସ୍ତ ସମୟ କଟୁଥାଏ ବହୁ ଦୁଃଖ ଓ ଯନ୍ତ୍ରଣା ଭିତରେ । ତଥାପି ଅତି ଉତ୍ସାହର ସହିତ ସର୍ଦ୍ଦାର ରଘୁପତି ସିଂହ ଅତର୍କିତ ଭାବରେ ଆକ୍ରମଣ କରୁଥାନ୍ତି ସେ ମୋଗଲ ସେନାବାହିନୀ ଉପରେ । ତେଣୁ ଏହି କାରଣରୁ ଖୁବ୍ ଭୟ ଓ ଆତଙ୍କ ଖେଳିଥାଏ ସେ ମୋଗଲ ସେନାବାହିନୀଙ୍କ ଭିତରେ । ମୋଗଲ ସେନାପତି ସର୍ଦ୍ଦାର ରଘୁପତି ସିଂହଙ୍କୁ ଗିରଫ୍ କରିବା ପାଇଁ ବହୁ ଉଦ୍ୟମ କରୁଥାନ୍ତି । କିନ୍ତୁ ସବୁଥର ସେ ବିଫଳ ହିଁ ହେଉ ଥିଲେ ।


ଦିନକର ଘଟଣା । ରଘୁପତି ସିଂହ ହଠାତ୍ ଜାଣିବାକୁ ପାଇଲେ, ଘରେ ଥିବା ତାଙ୍କର ଏକମାତ୍ର ପୁତ୍ର ରୋଗରେ ପଡି ମୃତ୍ୟୁ ସହ କରୁଛି ସଂଗ୍ରାମ । ତେଣେ ଘରେ ତାଙ୍କର ପତ୍ନୀ ଛଡା ଆଉ କେହି ବି ନଥାନ୍ତି । ଏ ସମ୍ବାଦ ପାଇ ପୁତ୍ରସ୍ନେହ ରଘୁପତିଙ୍କ ମନକୁ ଖୁବ୍ ବ୍ୟାକୁଳ କରିଦେଲା । ଏମିତିକି ପୁତ୍ରମୋହ ତାଙ୍କୁ ଘରକୁ ଫେରିବା ପାଇଁ ମଧ୍ୟ ପ୍ରବଳ ଉତ୍ସାହିତ କଲା । ତାପରେ ତାଙ୍କ ଘର ଅଭିମୁଖେ ପାଦ ବଢାଇଲେ ରଘୁପତି ସିଂହ ।ଚାରିଆଡେ ତ ଖାଲି ମୋଗଲ ସେନାଙ୍କ ଗୁପ୍ତଚର । ଏସବୁ କେବଳ ସେ ରଘୁପତିଙ୍କୁ ଧରିବା ପାଇଁ ହିଁ ଉଦ୍ୟମ । ତଥାପି ବି ସେ ସର୍ଦ୍ଦାର ଆଗକୁ ବଢିଲେ । ଅନେକ ବାଟ ଅତିକ୍ରମ କଲାପରେ ହଠାତ୍ ସେ ରଘୁପତି ପଡିଗଲେ ଜଣେ ମୋଗଲ ସିପାହୀଙ୍କ ହାବୁଡରେ । ସନ୍ଦେହରେ ମୋଗଲ ସିପାହୀଟି ସର୍ଦ୍ଦାରଙ୍କୁ ତାଙ୍କର ପରିଚୟ ମାଗିଲା । ସତ୍ୟନିଷ୍ଠ ସର୍ଦ୍ଦାର ମିଥ୍ୟାର ଆଶ୍ରୟ ନନେଇ ନିଜର ପ୍ରକୃତ ପରିଚୟ ପ୍ରଦାନ କଲେ ।


ସର୍ଦ୍ଦାରଙ୍କ ଠାରୁ ସବୁ କଥା ଶୁଣି କେବଳ ହସି ଉଠିଲା ସେ ସିପାହୀ ଜଣକ । ତାପରେ ସେ ସିପାହୀ ରଘୁପତିଙ୍କୁ ବନ୍ଦୀ କରିବା ପାଇଁ ତାଙ୍କ ଆଡକୁ ଆଗେଇ ଆସିଲା । ସେ ସିପାହୀର ମନୋଭାବକୁ ଠଉରାଇ ନେଲେ ରଘୁପତି । ତେଣୁ ରଘୁପତି ଅତି ନମ୍ରତାର ସହିତ କହିଲେ “ଶୁଣ ଘରେ ମୋର ଏକମାତ୍ର ପୁତ୍ର ମୃତ୍ୟୁ ସହ ସଂଗ୍ରାମ କରୁଛି । ଥରେ ମାତ୍ର ଖାଲି ତାକୁ ଟିକେ ଦେଖିବାକୁ ମୋତେ ସୁଯୋଗ ଦିଅ ।” ମୁଁ କଥା ଦେଉଛି ପୁଅକୁ ଦେଖି ପୁଣି ଏହି ବାଟେ ତୁମ ପାଖକୁ ମୁଁ ନିଶ୍ଚୟ ଫେରି ଆସିବି । ଏପରି କଥା ଶୁଣି ସେ ସିପାହୀଟିର ଟିକେ ଦୟା ହେଲା । ତେଣୁ ସେ ରଘୁପତିଙ୍କୁ ସେଠାରୁ ଯିବାକୁ ଦେଲା ।


ତାପରେ ଘରେ ଯାଇ ପହଁଚିଲେ ରଘୁପତି । ତାଙ୍କୁ ଦେଖି କାନ୍ଦି ଉଠିଲେ ତାଙ୍କର ପତ୍ନୀ । ରୋଗଣା ପୁଅକୁ ଗେଲ ପରେ ଗେଲ ଦେଇ ଚାଲିଲେ ସେ ସର୍ଦ୍ଦାର ଜଣକ । କିଛି ସମୟ ପରେ ପତ୍ନୀଙ୍କୁ ସାନ୍ତ୍ୱନା ଦେଇ, ପୁଣି ଦେଖା ହେବ ବୋଲି କହି ରଘୁପତି ତାଙ୍କ ଘରୁ ପାଦ କାଢିଲେ । ବାଟରେ ଘଟିଥିବା ସମସ୍ତ ଘଟଣା ତ ରଘୁପତିଙ୍କର ପତ୍ନୀ ଶୁଣି ସାରିଥାନ୍ତି । ତେଣୁ ପତ୍ନୀ ବାରଣ କଲେ, କହିଲେ ଅନ୍ୟ ବାଟ ଦେଇ ଜଙ୍ଗଲକୁ ଚାଲି ଯାଆନ୍ତୁ । କିନ୍ତୁ ସତ୍ୟନିଷ୍ଠ ରଘୁପତି ସେହିପରି କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହି ଆଗକୁ ବଢିଲେ ।


ଏଥର ଚାଲି ଚାଲି ସର୍ଦ୍ଦାର ରଘୁପତି ଯାଇ ପହଁଚିଗଲେ ସେ ସିପାହୀ ନିକଟରେ । ସର୍ଦ୍ଦାରଙ୍କୁ ଦେଖି ହଠାତ୍ ଆଶ୍ଚର୍ଯ୍ୟ ହେଲା ସେ ସିପାହୀ ଜଣକ । ରଘୁପତିଙ୍କ ସତ୍ୟବଚନ ଓ ପ୍ରତିଶୃତି ପାଳନ କରିବା ପାଇଁ ବ୍ୟାକୁଳତା, ସେଦିନ ସେ ସିପାହୀଟିକୁ ବେଶ୍ ପ୍ରଭାବିତ କରିପାରି ଥିଲା । ତେଣୁ ହଠାତ୍ ସେ ସିପାହୀଟିର ହୃଦୟର କେଉଁ ଏକ କୋଣରୁ ଝଲସୀ ଉଠିଥିଲା ମଣିଷ ପଣିଆ । ତେଣୁ ରଘୁପତିଙ୍କ ଉପରେ ଦୟାଜାତ ହୋଇଥିଲା ତା’ର । ତେଣୁ ସେ ସିପାହୀ ଆଦୌ ବନ୍ଦୀ ନ କରି ସେଠାରୁ ଚାଲିଯିବାକୁ ଖୁବ୍ ଅନୁରୋଧ କରିଥିଲା ରାଜପୁତ୍ ସର୍ଦ୍ଦାରଙ୍କୁ ।


ସେ ସିପାହୀଟିର ଏଭଳି ଆଚରଣ ବି ଅତ୍ୟନ୍ତ ମୁଗ୍ଧ କରିଲା ସର୍ଦ୍ଦାରଙ୍କୁ । ସର୍ଦ୍ଦାର ସେଠାରୁ ଯିବା ପୂର୍ବରୁ କହିଲେ – “ଜୀବନରେ ଯଦି କେବେ ସୁଯୋଗ ଆସେ ତେବେ ତୁମ ଋଣ ପରିଶୋଧ ନିମନ୍ତେ ମୁଁ ନିଶ୍ଚୟ ଚେଷ୍ଟା କରିବି ।” ଘଟିଥିବା ସମସ୍ତ ଘଟଣା କୌଣସିମତେ ଜଣେ ମୋଗଲ ସେନା ଅଧିକାରୀ ଜାଣିପାରିଲେ । ତେଣୁ ସେ ସିପାହୀଟିକୁ ବନ୍ଦୀ କରାଗଲା ।


ସର୍ଦ୍ଦାର ରଘୁପତି ସିପାହୀଟି ତାଙ୍କ ପାଇଁ ବନ୍ଦୀ ହୋଇ ଦଣ୍ଡ ପାଇବାକୁ ଯାଉଛି ବୋଲି ମଧ୍ୟ ଖବର ପାଇଲେ । ତେଣୁ ସେ ବ୍ୟଥିତ ସର୍ଦ୍ଦାର ଯାଇ ଆତ୍ମସମର୍ପଣ କଲେ ମୋଗଲ ସେନା ଅଧିକାରୀଙ୍କ ନିକଟରେ । ତାପରେ ଅନୁରୋଧ ପରେ ଅନୁରୋଧ କରିଚାଲିଲେ ସର୍ଦ୍ଦାର, ସେ ସିପାହୀଟିକୁ ତୁରନ୍ତ ମୁକ୍ତ କରିବା ପାଇଁ । ଶେଷରେ ରଘୁପତିଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା । ପରିଶେଷରେ ସେ ସିପାହୀ ଓ ରଘୁପତିଙ୍କୁ ମୃତ୍ୟୁ ଦଣ୍ଡର ହିଁ ଆଦେଶ ମିଳିଲା ।ଅତିଶୀଘ୍ର ବିଜୁଳି ବେଗରେ ଏହି ଘଟଣାଟି ଚାରିଆଡେ ପ୍ରଚାରିତ ହୋଇଗଲା । ଦିଲ୍ଲୀ ବାଦ୍ଶାହା ଆକବର ଏ ଘଟଣା ଶୁଣି, ରଘୁପତି ଓ ସେ ସିପାହୀଟିକୁ ତୁରନ୍ତ ତାଙ୍କ ନିକଟରେ ହାଜର କରିବା ପାଇଁ ଆଦେଶ ଦେଲେ । ଆକବରଙ୍କ ଆଦେଶ ମଧ୍ୟ ସଙ୍ଗେ ସଙ୍ଗେ ପାଳିତ ହେଲା । ବନ୍ଦୀ ରଘୁପତି ଓ ସେ ସିପାହୀ ଯାଇ ଆକବରଙ୍କ ଦରବାରରେ ହାଜର ହେଲେ ।


ସ୍ଥିରମନ ଓ ଧିରଚିତ୍ତରେ ଆଗ ଆକବର ସେ ସିପାହୀଠାରୁ ସମସ୍ତ ଘଟଣା ଶୁଣିଲେ । ସବୁ ଶୁଣି ହଠାତ୍ ତାଙ୍କ ଭିତରେ ଥିବା ମଣିଷ ପଣିଆ ଜାଗି ଉଠିଲା । ତେଣୁ ସେ ସିପାହୀଟିକୁ ବନ୍ଧନରୁ ମୁକ୍ତ ଓ ସେନାବାହିନୀରେ ପୁଣି ନିଯୁକ୍ତି ଦେବାପାଇଁ ଆକବର ଆଦେଶ ଦେଲେ । ତାପରେ ବାଦ୍ଶାହା ଆକବର ସେ ସିପାହୀଟିକୁ କହିଲେ – ତୁମେ ମଧ୍ୟ ଜଣେ ମଣିଷ । ଏ ଦୁନିଆକୁ ତୁମେ ଦେଖାଇ ଦେଇଛ, ଯେ ତୁମେ ପ୍ରଥମେ ଖୁଦା (ଭଗବାନ)ଙ୍କ ସନ୍ତାନ ଓ କେବଳ ତାଙ୍କର ହିଁ ନିର୍ଦ୍ଧେଶ ପାଳନ କରିଛ । ତା’ପରେ ଯାଇ ତୁମେ ହେଉଛ ବାଦଶାହାଙ୍କ ସିପାହୀ ।


ଏଣେ ନୀରବରେ ଠିଆ ହୋଇଥାନ୍ତି ରଘୁପତି ସିଂହ । ରଘୁପତିଙ୍କୁ ବି ମୁକ୍ତ କରିବା ପାଇଁ ଆଦେଶ ଦେଲେ ସେ ମୋଗଲ ସମ୍ରାଟ ଆକବର । ଆକବର କହିଲେ – ସତ୍ୟନିଷ୍ଠ ଭାବରେ ତୁମେ ଯେଭଳି ନିଜର କାର୍ଯ୍ୟ ନିର୍ବାହ କରିଛ ତାହା ତ ଅତ୍ୟନ୍ତ ପ୍ରସଂଶନୀୟ । ସତ କହିବାକୁ ଗଲେ ତୁମେ “କଥା ଓ କାର୍ଯ୍ୟରେ ବାସ୍ତବିକ ଧନୀ ।”


ତାପରେ ପୁଣି ସମ୍ରାଟ ଆକବର କହିବା ଆରମ୍ଭ କଲେ । ସେ କହିଲେ ମୁଁ ମଧ୍ୟ ବୀର, ବାହାଦୁର, ଶତ୍ରୁକୁ ମଧ୍ୟ ପ୍ରଶଂସା କରେ । ତୁମକୁ ମୁଁ କେବଳ ଏତିକି କହିବାକୁ ଚାହେଁ, ଲଢେଇ କରିବାର ଇଚ୍ଛା ତ ସମ୍ମୁଖ ଲଢେଇ କର, ଲୁଚିଛପି ତ ମୋଟେ ନୁହେଁ ।


ମୋଗଲ ସମ୍ରାଟଙ୍କ ଏପରି ବ୍ୟବହାର ଅତ୍ୟନ୍ତ ମୁଗ୍ଧ କଲା ସେ ରଘୁପତିଙ୍କୁ । ତହୁଁ ସେ ରାଜପୁତ୍ ସର୍ଦ୍ଦାର କହିଲେ – ସମ୍ରାଟ କଥା ଦେଉଛି ଆପଣଙ୍କ ତରଫରୁ ଆକ୍ରମଣ ନହେଲେ ମୁଁ ମଧ୍ୟ ଆପଣଙ୍କ ବିରୁଦ୍ଧରେ କଦାପି ଖଡ୍ଗ ଉଠାଇବି ନାହିଁ । ମହାନୁଭବ ଆକବର ପରେ ରଘୁପତିଙ୍କ ଘରକୁ ଯାଇ ତାଙ୍କର ରୋଗଣା ପୁତ୍ରର ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଧେଶ ଦେଇଥିଲେ ।


ସତ୍ୟନିଷ୍ଠ, ନମ୍ରତା, ଜବାବ ରକ୍ଷା ଓ ମଣିଷ ପଣିଆ ଆଦି ମହତ୍ ଗୁଣ ସତରେ ଏ ପୃଥିବୀକୁ ଅତି ସୁନ୍ଦର ଭାବେ ଗଢି ତୋଳିବାରେ ହିଁ ସମର୍ଥ ହେବ ।



Rate this content
Log in

Similar oriya story from Tragedy