ସ୍ବାମୀ ବିବେକାନନ୍ଦ
ସ୍ବାମୀ ବିବେକାନନ୍ଦ
ଜର୍ମାନ ଦେଶକୁ ଭ୍ରମଣରେ ଥରେ ଯାଇଥିଲେ ବିବେକାନନ୍ଦ
ଅଧଘଂଟାକରେ ଚାରିଶ’ ପୃଷ୍ଠାର ବହି ପଢି ଲଭିଥିଲେ ଆନନ୍ଦ ।
ବିଶିଷ୍ଟ ପଣ୍ଡିତ ଡୟସନ୍ ଏହା ଦେଖି ମନେ ଅତି ଚକିତ ହେଲେ
ଏହିଭଳି କାର୍ଯ୍ୟ ଆପଣଙ୍କ ଦ୍ୱାରା କିପରି ସମ୍ଭବ ହେଲା ପଚାରିଲେ ।
ସ୍ୱାମିଜୀ କହିଲେ ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ହୋଇଅଛି ଏହା ସମ୍ଭବ
ଅତୀତେ ଯେଭଳି ମୁନି ଋଷିମାନେ ଅସମ୍ଭବ କରୁଥିଲେ ସମ୍ଭବ ।”
ଏକଦା ବିବେକାନନ୍ଦ ଜର୍ମାନ ଗସ୍ତରେ ଯାଇଥାନ୍ତି । ସେଠାରେ ଜଣେ ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ଡୟସନ୍ଙ୍କ ଘରକୁ ସେ ଯାଇଥିଲେ । ପଣ୍ଡିତେ ତାଙ୍କୁ ଅଭ୍ୟର୍ଥନା କରି ସମ୍ମାନର ସହିତ ତାଙ୍କର ବୈଠକଖାନାରେ ବସାଇ କଥାବାର୍ତ୍ତା ହେଲେ । ଏହି ଅବସରରେ କିଛି ଜରୁରୀ କାର୍ଯ୍ୟରେ ପଣ୍ଡିତଜୀଙ୍କୁ ଘର ଭିତରକୁ ଯିବାକୁ ପଡିଲା । ଏଥିଲାଗି ସେ ବିବେକାନନ୍ଦଙ୍କୁ ଏକାକୀ ବସାଇ ଦେଇ ଯିବାକୁ ଇଚ୍ଛା କଲେ ନାହିଁ । ତାଙ୍କର ସମୟ ଅତିବାହିତ ପାଇଁ ସଦ୍ୟ ପ୍ରକାଶିତ ଚାରିଶହ ପୃଷ୍ଠାର ଏକ ବହି ପଢିବା ପାଇଁ ସେ ତାଙ୍କୁ ଧରାଇ ଦେଲେ ।
ଠିକ୍ ଅଧଘଂଟାଏ ପରେ ଘରୁ ଆସି ଡୟସନ୍ ଦେଖିଲେ ବୈଠକଖାନାରେ ବିବେକାନନ୍ଦ ଚୁପ୍ଚାପ୍ ବସିଛନ୍ତି ଏବଂ ବହିଖଣ୍ଡିକ ଟେବୁଲ୍ ଉପରେ ଅଛି । ଏହା ଦେଖି ସେ ବିସ୍ମିତ ହୋଇ ପଚାରିଲେ, “ସ୍ୱାମିଜୀ! ଆପଣ ବହିଟିକୁ କାହିଁକି ପଢିଲେ ନାହିଁ? କ’ଣ ଭଲ ଲାଗିଲା ନାହିଁ?”
ଏକଥା ଶୁଣି ବିବେକାନନ୍ଦ କହିଲେ, “ମୁଁ ବହିଖଣ୍ଡିକ ଅତି ଆଗ୍ରହର ସହିତ ପଢିଛି । ସତରେ ଏ ବହିଟି ଭାରି ମୂଲ୍ୟବାନ୍ । ଏଥିରେ ଅନେକ ଉପାଦେୟ ବିଷୟବସ୍ତୁ ରହିଛି । ମୁଁ ଏକା ନିଃଶ୍ୱାସକେ କେତେବେଳୁ ୟାକୁ ପଢିସାରିଛି ।”
ସ୍ୱାମିଜୀଙ୍କ କଥାକୁ ଡୟସନ୍ ଆଦୌ ବିଶ୍ୱାସ କରିପାରିଲେ ନାହିଁ । କାରଣ ଚାରିଶହ ପୃଷ୍ଠାର ବହି, ଏତେ କମ୍ ସମୟରେ ସେ ପଢିଲେ କିପରି? ଭାବିଲେ ବୋଧହୁଏ ଥଟ୍ଟା ପରିହାସରେ ଏଭଳି କହୁଛନ୍ତି । ସୁତରାଂ ପଣ୍ଡିତେ ପୁଣି ପଚାରିଲେ, “ସତରେ କ’ଣ ଆପଣ ପୂରା ବହିଟିକୁ ପଢି ସାରିଛନ୍ତି ନା ମାତ୍ର କେତୋଟି ପୃଷ୍ଠା?”
ବିବେକାନନ୍ଦ କହିଲେ, “ବିଶ୍ୱାସ କରନ୍ତୁ । ବହିର ସମସ୍ତ ପୃଷ୍ଠା ଗୋଟି ଗୋଟି କରି ମୁଁ ପଢିଛି । ଯଦି ଆପଣଙ୍କର ବିଶ୍ୱାସ ହେଉନି, ତେବେ ପୁସ୍ତକରୁ ଯେ କୌଣସି ପୃଷ୍ଠାର ବିଷୟବସ୍ତୁ ଉପରେ ମୋତେ ପ୍ରଶ୍ନ ପଚାରି ପାରନ୍ତି ।”
ସତକୁ ସତ ଡୟସନ୍ ଯେଉଁ କେତୋଟି ପ୍ରଶ୍ନ ପଚାରିଲେ ସ୍ୱାମିଜୀ ଚଟାପଟ୍ ସେହି ପ୍ରଶ୍ନର ଉତ୍ତର ଦେଇଦେଲେ । ଏହା ଦେଖି ଡୟସନ୍ ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଜର ସନ୍ଦେହ ମୋଚନ ପାଇଁ ପୁଣିଥରେ ସ୍ୱାମିଜୀଙ୍କୁ ପଚାରିଲେ, “ଆପଣ କ’ଣ ଏ ବହିଟିକୁ ଆଗରୁ କେବେ ପଢିଥିଲେ?”
ସ୍ୱାମିଜୀ ଏହାର ଉତ୍ତରରେ “ନା” କହିବାରୁ ଜର୍ମାନ ପଣ୍ଡିତ ଡୟସନ୍ ଆଚମ୍ବିତ ହୋଇଗଲେ । ଜଣେ ବ୍ୟକ୍ତି ଏତେ କମ୍ ସମୟରେ ଏତେ ବଡ ବହି ପଢି ସବୁ ବିଷୟ ମନେରଖିବା ସମ୍ଭବ ହେଲା କିପରି? ସୁତରାଂ ସେ ବିସ୍ମିତ ହୋଇ ସ୍ୱାମିଜୀଙ୍କୁ ପଚାରିଲେ, “ଏହା କିପରି ହେଲା?”
ଏଥର ସ୍ୱାମିଜୀ ପଣ୍ଡିତଙ୍କର ସନ୍ଦେହ ମୋଚନ ପାଇଁ କହିଲେ, “ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ତ ନାହିଁ । ଏହା ସ୍ୱାଭାବିକ ଓ ସମ୍ଭବ । ଏଥିରେ ମୋର କିଛି ବି ବାହାଦୂରୀ ନାହିଁ । କେବଳ ବାହାଦୁରୀ ରହିଛି ମୋର ବ୍ରହ୍ମଚର୍ଯ୍ୟରେ । ଯେଉଁମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ସେମାନଙ୍କର ଏହି ଶକ୍ତି ଆସିଥାଏ । ଆମ ଦେଶର ମୁନି ଋଷିମାନଙ୍କର ଏହା ଥିଲା ପରମବଳ ଓ ଐଶ୍ୱର୍ଯ୍ୟ । ସେମାନେ ଏହାରି ବଳରେ ହିଁ ଅସମ୍ଭବକୁ ସମ୍ଭବ କରିପାରୁଥିଲେ ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଏଠାରେ ଗାଳ୍ପିକ ଲେଖିଛନ୍ତି ମାତ୍ର ୩୦ ମିନିଟ୍ରେ ବିବେକାନନ୍ଦ ୪୦୦ ପୃଷ୍ଠା ପଢି ମନେ ରଖିଦେଲେ । ୩୦ ମିନିଟ ଯାହା, ୩୦ମିନିଟ x ୬୦ ସେକେଣ୍ଡ = ୧୮୦୦ ସେକେଣ୍ଡ / ୪୦୦ = ୪.୫ ସେକେଣ୍ଡ ପ୍ରତି ପୃଷ୍ଠା ପଡିଲା ଏବଂ ଯଦି ପ୍ରତି ପୃଷ୍ଠାରେ ଅତି କମ୍ରେ ୧୦୦ ଟି ଶବ୍ଦ ଥାଏ ତେବେ ପ୍ରତି ଶବ୍ଦ କୁ ପଢି ମନେ ରଖିବା ପାଇଁ କେବଳ ୦.୦୪୫ ସେକେଣ୍ଡ ସମୟ ଆବଶ୍ୟକ ଯାହାକି ଅସମ୍ଭବ ତେଣୁ ଗାଳ୍ପିକ ବ୍ୟକ୍ତି ବିଶେଷର କାର୍ଯ୍ୟକୁଶଳତା ବାହାରେ ଗପଟିକୁ ଲେଖିଛନ୍ତି; କିନ୍ତୁ ଗଳ୍ପଟି ଏଥିପାଇଁ ଏଠାରେ ଦିଆଗଲା ଯଦି ଆପଣ ଏପରି ଅସମ୍ଭବ ଗଳ୍ପକୁ କେଉଁଠାରେ ପାଠ କରନ୍ତି ତେବେ ନିଜର ସଦ୍ବୁଦ୍ଧି ଉପଯୋଗ କରନ୍ତୁ ।