ଫକୀର ପରିଡ଼ା

Children Stories Classics Children

3  

ଫକୀର ପରିଡ଼ା

Children Stories Classics Children

ଆମ ପର୍ବ ପର୍ବାଣୀ

ଆମ ପର୍ବ ପର୍ବାଣୀ

4 mins
150



ଆମ ଓଡ଼ିଆ ଘରର ପର୍ବ ରଜ। ବରଷକୁ ଥରେ ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବକୁ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବେଶ୍ ଜାକଜମକରେ ଲୋକେ ପାଳିଥାନ୍ତି। ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଗ ସମୟରେ ରଜ ତିନିଦିନରେ ଝିଅମାନେ କଦଳୀ ପାଟୁକା ଓ ଗୁଆ ଖୋଳପା ପାଦରେ ବାନ୍ଧି ଚଲାବୁଲା କରୁଥିଲେ।

ଗାଁଗହଳିରେ ଏବେ ପର୍ଯ୍ୟନ୍ତ ରଜକୁ ପାରମ୍ପରିକ ଢଙ୍ଗରେ ଲୋକେ ପାଳନ କରୁଛନ୍ତି। ତିନିଦିନ ରଜରେ ଝିଅ, ବୋହୂମାନେ ଘରର ସବୁ କାମ ସାରି ସଜ ହୁଅନ୍ତି। ନୂଆଲୁଗା ପିନ୍ଧି ପଡ଼ିଶା ଘରକୁ ବୁଲି ବାହାରନ୍ତିି। ଦୋଳି ଖେଳ, ପୋଡ଼ ପିଠା ସାଙ୍ଗକୁ ଖିଲି ପାନ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ। ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ରଜ ତିନି ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ। ଏହି ତିନି ଦିନରେ କୃଷି କାର୍ଯ୍ୟ ମଧ୍ୟ ନିଷେଧ। ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ।

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ। ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ସଂହିତା ତାକୁ ସହାଯ୍ୟ କରେ।

ଝିଅଙ୍କ ପାନ ଖିଆ:

ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। ସେଇଥିପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମିଉଠେ ପାନ ବଜାର। ରଜ ପୂର୍ବରୁ ଛକ ଛକରେ ଲାଗେ ବିଭିନ୍ନ ପ୍ରକାରର ପାନ ଦୋକାନ। କିଏ ବନାରସି ମସଲା ପାନ ବିକ୍ରି କରେ ତ ଆଉ କିଏ କଲିକତାର ସ୍ପେଶାଲ ମସଲା ପାନ ତିଆରି କରେ। ଇତିହାସ କହେ, ପୂର୍ବରୁ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ। ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ।

ସଂପର୍କକୁ କରେ ମଜଭୁତ:

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ପାନ ଖାଇ ନିଦ୍ରା ଯିବା ପରମ୍ପରା ରହିଛି।ପାନ ହେଉଛି ମୁଖବାସ ଓ ପରିତୋଷ। ରଜ ସହିତ ପାନର ସଂପର୍କ ନିଆରା। କୁହାଯାଏ ଯେ ଏହା ବନ୍ଧୁତାର ଡୋରିକୁ ସୁଦୃଢ କରେ। ଏନେଇ ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି।

ଆୟୁର୍ବୈଦିକ ଗୁଣ:

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତିରେ (କ୍ୟାଲ୍‌ସିୟମ)ରେ ଭରା ଓ ଖଇର ଦାନ୍ତକୁ ମଜବୁତ କରିଥାଏ। ରଜପାନର ମହକ ସାରାବର୍ଷର ପାନକୁ ବଳିଯାଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମଧୁରି, ସୁବାସିତ ଜାଫ୍ରାନ୍‌ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ଦିଆହୁଏ।

ପାନ ଭଙ୍ଗା:

ଖାଲି ଏତିକି ନୁହେଁ, ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଭଙ୍ଗାଯାଏ ଓ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ନିଆରା। ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ। ରଜ ସହିତ ପାନର ସଂପର୍କକୁ ନେଇ ଢଗରେ ଅଛି-‘ପାନଖିଆ ରସିକ ପାଟି,

ଖୋଜି ବୁଲୁଥିଲା ରାଜାଙ୍କ ହାତୀ,

ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’।

ପଲ୍ଲୀଜୀବନରେ ପାନ:

ଓଡ଼ିଆ ପଲ୍ଲୀଜୀବନରେ ପ୍ରତିଟି କାମ ଓ ପର୍ବପର୍ବାଣିରେ ପାନର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ବାହାଘର ହେଉକି ଶୁଦ୍ଧ ଘର ସବୁଠି ପାନ ଲୋଡ଼ା ହୋଇଥାଏ। ପିଲାଠାରୁ ବୁଢ଼ା ସଭିଏଁ ପାନ ଖାଇଥାନ୍ତି। ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ୟ, ଲୋକକଥା ଆଦିରେ ସ୍ପଷ୍ଟ ଦେଖାଯାଏ।


କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖିଛନ୍ତି 

:“ମଲ୍ଲୀମାଳ ଶ୍ୟାମଙ୍କୁ ଦେବି, ମନ ତୋଷିବି

ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ

ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି।”


ଚାଷୀ ଘରେ ରଜ:

ରଜର ଶେଷ ଦିନରେ ଭୋଗ ରାଗ ସହ ହୁଏ ବସୁମତି ସ୍ନାନ। ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ଚାହିଁ ବସିଥାଏ ଚାଷୀ। ଯେବେ ରଜ ଆସେ ଧରା ହୁଏ ଋତୁମତୀ ଆଉ ଏହା ପରେ ଆରମ୍ଭ ହୁଏ ଚାଷୀର ମାଟି କାମ, ସେ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୁଏ।ଚାଷୀ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ବର୍ଷ ସାରା ନିଜକୁ କର୍ମ କ୍ଷେତ୍ରରେ ଜଡିତ ରଖିଥିବା ଚାଷୀ ଏହି ରଜ ତିନି ଦିନ ବିଶ୍ରାମ ନିଏ। ଆନନ୍ଦ ଉଲ୍ଲାସରେ ପରିବାର ସହ କାଟେ ଦିନ। କୃଷକ ଭାଇ ବର୍ଷଯାକର ଥକାପଣାକୁ ଏହି ତିନି ଦିନ ମେଣ୍ଟାଇବାକୁ ଚେଷ୍ଟା କରେ।

ଆଦିବାସୀର ରଜ ମଉଜ:

ଆଦିବାସୀମାନଙ୍କ ଗଭୀର ବିଶ୍ଵାସ ଯେ ମା’ ସୀତା ଏହିଦିନ ଗର୍ଭବତୀ ହୋଇଥିଲେ। ତେଣୁ ସ୍ଥାନୀୟ ଶବର ନାଚ ଗୀତ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ। ଶବରୁଣୀ କୃଷି କର୍ମରେ ତତ୍ପର ହେବାକୁ ଶବରକୁ ପ୍ରବର୍ତ୍ତାଏ।ରଜ ପର୍ବର ତିନି ଦିନ କୃଷକ ପରିବାର ସମସ୍ତ କୃଷି କାର୍ଯ୍ୟରୁ ବିରତ ରହି ପୃଥିବୀ ମା’କୁ ବିଶ୍ରାମ ଦେଇଥାନ୍ତି। କୃଷିଜୀବୀ ବାଥୁଡି ଜନଜାତିର ଲୋକେ ନିଜକୁ ବାସୁକୀ ବସୁମାତାଙ୍କ ଵଂଶଜ ବୋଲି ବିଶ୍ୱାସ କରିଥାନ୍ତି। ବାଥୁଡି ଜନଜାତିର ଲୋକେ ଶକ୍ତି ବା ଦେବୀ ଉପାସକ ଅଟନ୍ତି। କୃଷିର ଦେବୀ ମାତା ଲଷ୍ମୀ ଓ ଉତ୍ପାଦକାରିଣୀ ‘ଭୂ’ ଅର୍ଥାତ ‘ବସୁମାତା’ ଉଭୟ ଶକ୍ତି ସ୍ୱରୂପିଣୀ ହୋଇଥିବାରୁ ଏହି ରଜ ପର୍ବ ବାଥୁଡି ସମ୍ପ୍ରଦାୟର ଲୋକଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ।ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ବକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଏହି ସମ୍ପ୍ରଦାୟରେ ପାଣି ବୁହା ରଜ, ରଜ, ରଜ ବାସୀ ଏଭଳି ତିନି ଦିନ ରଜ ପାଳନ କରାଯାଇଥାଏ। ଏହି ତିନି ଦିନ ସମସ୍ତେ କୃଷି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ। ଧରା ହୁଏ ଶସ୍ୟଶ୍ୟାମଳା।

ଆଷାଢ ମାସକୁ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ ଭାବେ ଧରାଯାଏ। ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଗୋଟିଏ ସ୍ଥାନରେ ରହି ସାଧନା କରିଥାନ୍ତି।


Rate this content
Log in