ଫକୀର ପରିଡ଼ା

Children Stories Inspirational Children

4  

ଫକୀର ପରିଡ଼ା

Children Stories Inspirational Children

ଶ୍ରେଷ୍ଠ ଭକ୍ତ କିଏ

ଶ୍ରେଷ୍ଠ ଭକ୍ତ କିଏ

3 mins
301


ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା ପାଶୋରି ଯାଇଥିଲେ । ସେ ଯୋଗ୍ୟତା ହେଉଛି “ମୁଁ ” ଅର୍ଥାତ୍ ମୋହ ବା ଅହଂକାରରୁ ମୁକ୍ତି । ବିଷ୍ଣୁ ନାରଦଙ୍କୁ କହିଲେ – ମର୍ତ୍ତ୍ୟକୁ ଦେଖ । ସେହି ଯେଉଁ ଚାଷୀ ଜଣଙ୍କୁ ଦେଖୁଛ ତା’ ପାଖକୁ ଯାଅ । କିଛି ଦିନ ପର୍ଯ୍ୟନ୍ତ ସେହି ଚାଷୀ ପାଖରେ ରୁହ । ତା’ର ଭକ୍ତି କେତେଦୂର ଦେଖ, ତା’ ପରେ ଆସି ମୋତେ ଦେଖା କର ।


     ବିଷ୍ଣୁଙ୍କ ମୁଖରୁ ଏକଥା ଶୁଣି ନାରଦଙ୍କ ରାଗ ବହୁତ ବଢିଗଲା । ସେ ନିଜକୁ ବହୁତ ଅପମାନିତ ବୋଧ କଲେ । ସାମାନ୍ୟ ଚାଷୀଟିଏ ତାଙ୍କଠାରୁ କିଭଳି ଭାବରେ ବଡ ଭକ୍ତ ହୋଇ ପାରିବ? ଏକଥା ନାରଦ ଭାବିପାରୁ ନଥିଲେ । ରାଗ ତମ୍ ତମ୍ ହୋଇ ଓହ୍ଲେଇ ଆସିଲେ ପୃଥିବୀକୁ । ଚାଷୀଟି ରହୁଥିବା ଗାଁରେ ନାରଦ ଆସି ପହଁଚିଲେ । ଚାଷୀଟିର ପ୍ରତ୍ୟେକ କାର୍ଯ୍ୟକୁ ନାରଦ ଭଲ ଭାବରେ ନିରୀକ୍ଷଣ କରୁଥିଲେ । ନାରଦ ଦେଖିଲେ ସେ କେବଳ ଦିନକୁ ତିନିଥର ଭଗବାନଙ୍କ ନାମ ସ୍ମରଣ କରୁଛି । ପ୍ରଥମେ ସକାଳୁ ବିଛଣାରୁ ଉଠିବା ବେଳେ, ତା’ପରେ ମଧ୍ୟାହ୍ନ ଭୋଜନ ସମୟରେ ଓ ଶେଷରେ ରାତିରେ ବିଛଣାକୁ ଶୋଇବାକୁ ଯିବା ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରୁଛି । ଅନ୍ୟ କୌଣସି ସମୟରେ ସେ ଭଗବାନଙ୍କ ନାମ ଧରୁଥିଲା ପରି ମନେହେଲା ନାହିଁ ।


     ନାରଦ ମନେ ମନେ ଭାବିଲେ ଭଗବାନ ବିଷ୍ଣୁ ଏଭଳି ଲୋକ ସଙ୍ଗରେ ତାଙ୍କର ତୁଳନା କଲେ କେମିତି? ଚାଷୀ ଠାରେ କ’ଣ ଦେଖି ବିଷ୍ଣୁ କହିଲେଯେ ଚାଷୀଟି ନାରଦଙ୍କଠାରୁ ବଡ ଭକ୍ତ ବୋଲି । ସେ ତ ସବୁବେଳେ ସୁଲଳିତ କଣ୍ଠରେ ପ୍ରଭୁଙ୍କ ମହିମା ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଚାରିଆଡେ ଗାଇ ବୁଲୁଥାଆନ୍ତି । ପ୍ରଭୁଙ୍କର ଗୁଣ କୀର୍ତ୍ତନ କରୁଥାଆନ୍ତି, ତାଙ୍କ ସହିତ ଚାଷୀର ତୁଳନା ଏକ ବିଡମ୍ବନା ନିଶ୍ଚୟ ।ନାରଦ ମନେ ମନେ ବିରକ୍ତ ହୋଇ ଭାବିଲେ ଏଠି ଅଯଥା ସମୟ ନଷ୍ଟକରି କିଛି ଲାଭ ନାହିଁ । ବର୍ତ୍ତମାନ ଯାଇ ବିଷ୍ଣୁଙ୍କୁ ଭେଟି ତାଙ୍କର ଉଦ୍ଧେଶ୍ୟ ସମ୍ପର୍କରେ ପଚାରିବାକୁ ପଡିବ । ନାରଦ ମର୍ତ୍ତ୍ୟପୁର ତ୍ୟାଗକରି ସ୍ୱର୍ଗକୁ ଯାଇ ସିଧା ସଳଖ ଚାଲିଲେ ବିଷ୍ଣୁଙ୍କ ପୁରକୁ । ନାରଦଙ୍କ ଏ ଅବସ୍ଥା ଦେଖି ବିଷ୍ଣୁ ଖୁବ୍ ହସିଲେ ଏବଂ କହିଲେ – “ମୋ ଉପରେ ତ ତୁମେ ବହୁତ ରାଗି ଥିବାର ଜଣା ପଡୁଛ । ତେବେ ମୋର ଆଉ ଗୋଟିଏ ଛୋଟ କାମ କରିଦିଅ । ତା’ପରେ ବୁଝିବା ତୁମ ରାଗିବାର କାରଣ ।”


     ଏକଥା କହି ବିଷ୍ଣୁ ନାରଦଙ୍କୁ ଗୋଟିଏ ଗୋଟିଏ ପାଣି ଭର୍ତ୍ତି ହୋଇଥିବା ମାଠିଆ ଦେଖାଇ ଦେଲେ ଏବଂ ମାଠିଆଟିକୁ ମୁଣ୍ଡରେ ରଖି ଗୋଟିଏ ଚକା ଚାରିପଟେ ବୁଲିବାକୁ କହିଲେ । ସେ ନାରଦଙ୍କୁ ସାବଧାନ କରି ଦେଲେଯେ, ଯେପରି ମାଠିଆରୁ ଟୋପେ ହେଲେ ପାଣି ତଳେ ନପଡେ । ନାରଦ ବିଷ୍ଣୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ କିଛି ନକହି ମାଠିଆକୁ ମଣ୍ଡରେ ମୁଣ୍ଡେଇ ବୁଲିବାକୁ ଲାଗିଲେ ।


     ଅଳ୍ପ କେତେଥର ବୁଲିବା ପରେ ବିଷ୍ଣୁ ନାରଦଙ୍କୁ କହିଲେ ଆଉ ବୁଲିବା ଦରକାର ନାହିଁ । ତା’ପରେ ବିଷ୍ଣୁ ହସି ହସି କହିଲେ ନାରଦ, ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ମୋର ନାମ ତୁମେ କେତେଥର ସ୍ମରଣ କରିଛ?


     ନାରଦ ବଡ ଅଡୁଆରେ ପଡିଗଲେ । ସେ ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ଥରେ ହେଲେ ମଧ୍ୟ ବିଷ୍ଣୁଙ୍କ ନାମ ସ୍ମରଣ କରିନଥିଲେ । ବିଷ୍ଣୁଙ୍କ ପ୍ରଶ୍ନରେ ନାରଦ ଉତ୍ତର ଦେଲେ ପ୍ରଭୁ ଆପଣ କହିଥିଲେ ମାଠିଆକୁ ମୁଣ୍ଡେଇ ବୁଲିବା ସମୟରେ ମାଠିଆରୁ ଯେମିତି ଟୋପାଏ ପାଣି ତଳେ ନପଡେ, ତେଣୁ ମୁଁ ମାଠିଆକୁ ମୁଣ୍ଡରେ ମୁଣ୍ଡେଇବା ସମୟରେ ମୁଁ ଧ୍ୟାନ ଦେଲି ଯେପରି ମାଠିଆରୁ ଟୋପାଏ ହେଲେ ପାଣି ତଳେ ନପଡୁ । ସେଇକଥାକୁ ଲକ୍ଷ୍ୟରଖି ମୁଁ ଆପଣଙ୍କ ନାମ ସ୍ମରଣ କରିବା କଥା ପୁରାପୁରି ଭୁଲି ଯାଇଥିଲି ।


     ବିଷ୍ଣୁ ହସି ହସି କହିଲେ – ନାରଦ! ତୁମେ ମନ ଦୁଃଖ କରୁଥିଲଯେ, ଚାଷୀଟି ଦିନକୁ ମାତ୍ର ତିନିଥର ମୋ ନାମ ନେଇ କିପରି ତମ ଠାରୁ ଶ୍ରେଷ୍ଠ ହୋଇଗଲା । ବିଚାରୀ ଚାଷୀଟିର ଦାୟିତ୍ୱ ଅନେକ, ତା’ ମୁଣ୍ଡରେ ବହୁତ ବୋଝ । ଏତେ ବୋଝ ବୋହିବା ସତ୍ତ୍ୱେ ମଧ୍ୟ ସେ ତ ମୋ ନାମ ଦିନକୁ ତିନିଥର ନେବାକୁ ଭୁଲୁ ନାହିଁ । ସେଇଟା କ’ଣ ଯଥେଷ୍ଟ ନୁହେଁ । ନିଜର କର୍ମକୁ ଈଶ୍ୱରଙ୍କୁ ସମର୍ପି ଦେଲେ କର୍ମର ବୋଝ ହାଲୁକା ହୋଇଯାଏ । ଦୁଃଖ ଓ ଶୋକ ସବୁବେଳେ ରହିଛି ଓ ରହିଥିବ । ମଣିଷକୁ ପ୍ରତ୍ୟେକ ଅବସ୍ଥାରେ ତାକୁ ସାମ୍ନା କରିବାକୁ ହେବ । ସବୁ କିଛିର କାରଣ ଭାବେ ଭଗବାନଙ୍କୁ ଗ୍ରହଣ କରିନେଲେ ସୁରୁଖୁରୁରେ ସମୟ ଏବଂ ଜୀବନ କଟିଯାଇ ପାରିବ । ନାରଦ ଏଥର ତାଙ୍କ ଭୁଲ୍ ବୁଝିଗଲେ ।


Rate this content
Log in