STORYMIRROR

PRIYANKA PRIYADARSINI

Comedy

4  

PRIYANKA PRIYADARSINI

Comedy

ମିସ୍ କଲୋନୀ

ମିସ୍ କଲୋନୀ

5 mins
369

ଯାହା କୁହନ୍ତୁ ପଛେ ପଡିଶା ଘର ଭାଉଜ ଯେତେ ପର ଓ ବଡ଼ ହେଲେ ମଧ୍ୟ ତାଙ୍କ ପ୍ରତି ମନରେ ଯେଉଁ ଭଲ ପାଇବା ଥାଏ ତାହା ନିଜ ସ୍ତ୍ରୀ ପ୍ରତି ମଧ୍ୟ ନ ଥାଏ। ଉଦାହରଣ ଖୋଜୁଛନ୍ତି???..... ଏଇ ଆମ ମିଶ୍ର ବାବୁ ଏବଂ କାଞ୍ଚନ ଭାବି ଙ୍କ କଥା ଦେଖୁ ନାହାନ୍ତି.....। କାଞ୍ଚନ ଙ୍କ କଥା ତ କହି ହେଉନି କିନ୍ତୁ ମିଶ୍ର ବାବୁ ଙ୍କ ମନରେ କାଞ୍ଚନ ଭାବି ଙ୍କ ପ୍ରତି କିଛି ଗୋଟେ ଚାଲିଛି। ମିଶ୍ର ବାବୁ ନିଜ ଘର ଅଗଣାରେ ପଡ଼ିଥିବା ଚଉକି ଉପରେ ବସି ଖବର କାଗଜ ଉପରେ ଆଖି କମ୍ ଓ ଆର ଅଗଣାରେ ତୁଳସୀ ଚଉରା ରେ ପାଣି ଦେଉଥିବା କାଞ୍ଚନ ଭାବି ଙ୍କ ଉପରେ ଦୃଷ୍ଟି ଟିକେ ଅଧିକ ଦେଇ ଖବର କାଗଜ ପଢୁଥିଲେ। ସେପାଖ ଅଗଣାରେ ଦ୍ବିବେଦୀ ବାବୁ ଚାହା ଟେବୁଲ୍ ଉପରେ ଲାପଟପ୍ ଓ ଅନ୍ୟ ଚାରି ପାଞ୍ଚୋଟି ଫାଇଲ ରଖି ତାଙ୍କର କିଛି ହିସାବ ନିକାଶ କରୁଥିଲେ। ସେତେବେଳେ ପ୍ରଚାର ଗାଡ଼ି କିଛି ଗୋଟେ ପ୍ରଚାର କରି କରି ଓ କାଗଜ କେତୋଟି ଉଡ଼ାଇ ଦେଇ ସେହି ଛୋଟ ଗଳି ରାସ୍ତାରେ ଚାଲିଗଲା। ସେଥି ପ୍ରତି କେହି ଦୃଷ୍ଟି ଦେଇ ନାହାନ୍ତି।

           କିଛି ସମୟ ପରେ ଅଞ୍ଜଳି ଘର ବାହାରକୁ ଆସିଲେ , ଏ କଥା ମିଶ୍ର ବାବୁ ଏ ଯାଏଁ ଧ୍ୟାନ ଦେଇ ନଥିଲେ। ଅଞ୍ଜଳି ମଧ୍ୟ ଅନ୍ୟ କେଉଁ ଆଡ଼େ ଧ୍ୟାନ ନ ଦେଇ ସିଧା ଆସି ମିଶ୍ର ବାବୁ ଙ୍କ ପାଦ ଆଡ଼କୁ ହାତ ବଢ଼ାଇଲେ, ମିଶ୍ର ବାବୁ ଚମକିବା ଉଚିତ୍ କିନ୍ତୁ ଅଞ୍ଜଳି ଦେବୀ ଙ୍କୁ ଦେଖି ସେ ମଧ୍ୟ ଟିକେ ଗର୍ବ, ଖୁସି ଓ ଦ୍ଵନ୍ଦ ଭରା ସ୍ଵରରେ ପଚାରିଲେ, “ ଆଜି କଣ କି??...... ଶ୍ରୀମତୀ ଆଜି ସକାଳୁ ସକାଳୁ ଆସି ପତିଦେବ ଙ୍କ ର ପାଦ ଛୁଇଁ ଆଶୀର୍ବାଦ ନେଲେଣି...... ହଁ ହଉ ବିଳମ୍ବରେ ପଛେ ସ୍ବାମୀ ବୋଲି ତ ମାନିଲ ସେତିକି ଯଥେଷ୍ଟ....... ” ଏତିକି କହି ଯେତେବେଳେ ଖବର କାଗଜ ରୁ ମୁଣ୍ଡ ଉଠାଇ ଅଞ୍ଜଳି ଦେବୀ ଙ୍କୁ ଦେଖିଛନ୍ତି ସେତେବେଳେ ଅଞ୍ଜଳି ଦେବୀ ମିଶ୍ର ବାବୁ ଙ୍କ ଗୋଡ଼ ତଳୁ ଉଠାଇ ଥିବା ଗୋଟିଏ କାଗଜ କୁ ଅତି ଧ୍ୟାନ ର ସହ ପଢ଼ୁଛନ୍ତି। ସେ ପ୍ରଚାର ଗାଡ଼ି ଫୋପାଡ଼ି ଥିବା କାଗଜ ବୋଧେ। ସେତେବେଳେ ଦ୍ବିବେଦୀ ବାବୁ ଖୁବ୍ ଜୋର୍ ରେ ମନ ଖୋଲା ହସ ଟିଏ ହସି କହିଲେ, “ କଣ କିହୋ ମିଶ୍ର ବାବୁ ଦିନରେ ସ୍ବପ୍ନ ଦେଖିବା ଆରମ୍ଭ କରି ଦେଲଣି????” ଏତିକି ବେଳେ ଅଞ୍ଜଳି ଦେବୀ ମିଶ୍ର ବାବୁ ଙ୍କ ଆଡ଼େ ଚାହିଁ ,“ କଣ କିଛି କହିଲ କି???? ଏ ବିଜ୍ଞପ୍ତି ଟି ପଢ଼ିବାରେ ବ୍ୟସ୍ତ ଥିଲି, ଶୁଣି ପାରିଲିନି.....” ମିଶ୍ର ବାବୁ ଲାଜରେ ଟିକେ ନୁଆଁଇ ଗଲେ ଓ ପୁଣି ନିଜକୁ ପ୍ରକୃତିସ୍ଥ କରି କହିଲେ,“ ନାହିଁ ସେ କିଛି ନୁହଁ...... ଛାଡ଼ ସେ କଥା, ଆଚ୍ଛା କଣ ଲେଖା ଅଛି ବିଜ୍ଞପ୍ତି ରେ କହିଲ.....”

ଅଞ୍ଜଳି:- “ ଆସନ୍ତା ସପ୍ତାହରେ ଆମ କଲୋନୀ ରେ ଗୋଟେ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଇ କଥା ଲେଖା ହୋଇଛି।” 

ୟା ଭିତରେ ଦ୍ବିବେଦୀ ବାବୁ ନିଜ ଜାଗାରୁ ଉଠି ମିଶ୍ର ବାବୁ ଙ୍କ ଅଗଣା ଆଡ଼େ ଅଗ୍ରସର ହେଲେଣି, ଫାଟକ ପାଖରେ ପହଞ୍ଚି ଫାଟକ ଖୋଲୁ ଖୋଲୁ ଦ୍ବିବେଦୀ ବାବୁ କହିଲେ, “ ତାହେଲେ ତ ଭାଉଜ ଆପଣ ନିଶ୍ଚିନ୍ତ ଭାଗ ନେଉଛନ୍ତି......” 

ଅଞ୍ଜଳି ଟିକେ ଲାଜେଇ ଯାଇ, ନା ମୁଁ ତ ସେତେ ବି ସୁନ୍ଦର ନୁହଁ କିନ୍ତୁ ହଁ ନିଜକୁ ଥରେ ପରକ୍ଷୀ ଦେଖିବାରେ ଅସୁବିଧା କଣ???...” ଉପର ମନରେ ନିଜକୁ ପ୍ରଶଂସା କରି ପାରୁ ନ ଥିଲେ ମଧ୍ୟ ଭିତରେ ଭିତରେ ନିଜର ସୁନ୍ଦରତା କୁ ନେଇ ଭାରି ଗର୍ବ ଟିଏ ଥାଏ। କଥାବାର୍ତ୍ତା ଶେଷ କରି ଯେ ଯାହା କାମରେ ଲାଗିଗଲେ। ଅଞ୍ଜଳି ମୋବାଇଲ ରେ ସୁନ୍ଦରତା ର ବୃଦ୍ଧି କୁ ନେଇ ଭିନ୍ନ ଭିନ୍ନ ଟିପ୍ସ ଦେଖିବା ଆରମ୍ଭ କରି ଦେଲେ, କାମ ବା ଆଉ କଣ??.... ଏମିତି ରେ ବି ତା ରୋଷେଇ ମିଶ୍ର ବାବୁ ହିଁ କରନ୍ତି। 


                ସେପାଖେ ମିଶ୍ର ବାବୁ କାଞ୍ଚନ ଦେବୀ ଙ୍କ ପାଖରେ ହାଜର, 

ମିଶ୍ର ବାବୁ:- “ ଭାଉଜ ଆପଣ ଭାଗ ନେଉଛନ୍ତି ନା ନାହିଁ ??” 

କାଞ୍ଚନ:- “ କଉ କଥା କହୁଛନ୍ତି ଟିକେ ଭଲ ରେ କୁହନ୍ତୁ.....”

ମିଶ୍ର ବାବୁ:- “ ଆମ କଲୋନୀ ରେ ଗୋଟେ ସୁନ୍ଦରୀ ପ୍ରତିଯୋଗିତା ହଉଛି , ଅଞ୍ଜୁ ମଧ୍ୟ ଭାଗ ନେଉଛନ୍ତି, ଆପଣ ନେଲେ ଭଲ ହୁଅନ୍ତା.......” 

କାଞ୍ଚନ ଅଳ୍ପ ହସି ,“ ମୋତେ କଣ ଜଣା କହିଲେ, ମୁଁ ଏ ପ୍ରତିଯୋଗିତାରେ ଭାଗ ନେବି......” । ମିଶ୍ର ବାବୁ କାଞ୍ଚନ ଙ୍କ କଥା ଭାଙ୍ଗି କହିବା ଆରମ୍ଭ କରିଲେ, “ କେହି କଣ ମାଆ ପେଟରୁ ଶିଖିକି ଆସିଥାଏ!!!??? ଏଇଠି ଶିଖେ କିଛି କର୍ମ ରୁ କିଛି ଅଭିଜ୍ଞତା ରୁ। ଆପଣ ଫୋନ୍ ରେ ୟୁ ଟ୍ୟୁବ୍ ଦେଖିକି କିଛି ପ୍ରାଥମିକତା ପ୍ରସାଧନ ସାମଗ୍ରୀ ର ଉପଯୋଗ ଜାଣି ନିଅନ୍ତୁ। ମୁଁ ମଝିରେ ମଝିରେ ଆସି ଆପଣଙ୍କୁ କିଛି ଟିପ୍ସ ଦେଇ ଦେବିନି। ” ମିଶ୍ର ବାବୁ ଯେଣେ ତେଣେ ଉପାୟରେ କାଞ୍ଚନ ଙ୍କୁ ମନେଇବାକୁ ଚେଷ୍ଟା କରି ମନେଇ ଦେଲେ, ହେଲେ ମନରେ ଥାଏ ଏତେ ସାଧାରଣ ଭାବରେ ଥାଇ ଯଦି ଭାଉଜ ଏତେ ସୁନ୍ଦର ଦେଖା ଯାଉଛନ୍ତି ତାହେଲେ ପ୍ରସାଧନ ସାମଗ୍ରୀ ର ବ୍ୟବହାର ପରେ ଆହୁରି କେତେ ସୁନ୍ଦର ଦେଖା ନ ଯିବେ ........

            ମିଶ୍ର ବାବୁ ଙ୍କ କଥା ଶୁଣି କାଞ୍ଚନ ମଧ୍ୟ ଆଇନା ଆଗରେ ଟିକେ ନିଜକୁ ଦେଖି ନେଲେ, ନିଜର ସୌନ୍ଦର୍ଯ୍ୟ କୁ ନିଜେ ଟିକେ ପ୍ରଶଂସା କରି ଲାଜେଇ ଗଲେ। ତାପରେ ୟୁ ଟ୍ୟୁବ୍ ରେ କିଛି ପ୍ରସାଧନ ସାମଗ୍ରୀ ଓ ପ୍ରୟୋଗ ଦେଖିଲେ। ଦେଖି ସରିବା ପରେ କେତେ ଶିଖିଲେ କେତେ ନାହିଁ ତାହା ତ ପୁଣି ଜାଣିବାକୁ ପଡ଼ିବ ନା ନାହିଁ....... କିନ୍ତୁ ସେ ସବୁ ଜିନିଷ ତ ପାଖରେ ନାହିଁ। ରୋଷେଇ ବାସ ଶୀଘ୍ର ଶୀଘ୍ର ସାରି ଦେଇ ଚାଲିଲେ କିଛି ପ୍ରସାଧନ ସାମଗ୍ରୀ ର କ୍ରୟ ଉଦ୍ଦେଶ୍ୟରେ। 

            ୟୁ ଟ୍ୟୁବ୍ ଦେଖି ଦେଖି କିଛି ପ୍ରସାଧନ ସାମଗ୍ରୀ ର ନାଁ ଜାଣି ଦେଇଥିଲେ। ସହଜେ ତ କେବେ ବ୍ୟବହାର କରି ନାହାନ୍ତି ଆଉ ପ୍ରଥମ ଥରରେ କି ଏ ଅତ୍ୟାଧୁନିକ ଇଂରାଜୀ ର ନାମ ମନେ ରହିବ। ଦୋକାନ ରେ ଥିବା ସେ ଝିଅ ଟି କାଞ୍ଚନ ଙ୍କୁ ସ୍ଵାଗତ କରି କଣ ନେବେ ବୋଲି ପ୍ରଶ୍ନ କରିଲେ। କାଞ୍ଚନ ତ ଜିନିଷ ଚିହ୍ନି ନାହାନ୍ତି ତେଣୁ ଭାବିଲେ ହଁ ୟାକୁ କହିଲେ ୟେ ଆଣି ଜିନିଷ ଦେଇଦେବ। ଏହା ଭାବି ସେ ସେହି ଝିଅଟି ଉଦ୍ଦେଶ୍ୟରେ କହିଲେ, “ ମୋତେ ଗୋଟେ ପ୍ରୀମୀୟର, ଫି- ଲେଶନ, କାଉନସିଲର, ଆଉ ଗୋଟେ ପାଉଡର ଦିଅ।” କାଞ୍ଚନ ଦେବୀ ଙ୍କ କଥା ଶୁଣି ଝିଅଟି ଟିକେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ତାଙ୍କୁ, ତା ପରେ ପଚାରିଲା ,“ ସୁନ୍ଦର ଦେଖା ଯିବା ପାଇଁ ଯେଉଁ ସବୁ ବ୍ୟବହାର ହୁଏ ସେହି ସବୁ ଦେବି ତ.....???” କାଞ୍ଚନ ଦେବୀ ଆଗ ଦାନ୍ତ ଦେଖାଇ ,“ ହଁ ହଁ ସେଇ ସବୁ ଦିଅ।” ଝିଅଟି ପ୍ରାଇମର , ଫାଉଣ୍ଡେସନ, କନ୍ସେଲର ଓ ଗୋଟେ କମ୍ପାକ୍ଟ ପାଉଡର , ଗୋଟେ ଲିପଷ୍ଟିକ ମଧ୍ୟ ଆଣି କାଞ୍ଚନ ଦେବୀ ଙ୍କୁ ଧରାଇ ଦେଲା ଓ ପଇସା ହିସାବ କରିବାରେ ଲାଗିଗଲା। କାଞ୍ଚନ ଦେବୀ ତା ଭିତରେ ସେ ଜିନିଷ ସବୁ ବାହାର କରି ତା ଉପରେ ଲେଖା ଥିବା ନାଁ ସବୁ ପଢ଼ିଲେ, ପଢ଼ୁ ପଢୁ ତାଙ୍କୁ ଭାରି ଲାଜ ଲାଗିଲା, ସେ ସବୁ ଜିନିଷର ଉଚ୍ଚାରଣ ଭୁଲ୍ କରିଥିବାରୁ। ସେ ଆଉ କିଛି ନକହି ଟଙ୍କା ଦେଇ ଚାଲି ଆସିଲେ। ଘରେ ପହଞ୍ଚି ଆଇନା ଆଗରେ ବସି ଗଲେ, ସେ ଫୋନ୍ ରେ ଯେମିତି କହୁଥିଲା ଠିକ୍ ସେହି ଭଳି ନିଜକୁ ସଜାଇ ଚାଲିଲେ। ସଜେଇ ହୋଇ ସାରିବା ପରେ କେମିତି ଦେଖା ଯାଉଛନ୍ତି ବୋଲି ପ୍ରଥମେ ଦ୍ବିବେଦୀ ବାବୁ ଙ୍କ ପାଖକୁ ଗଲେ, ଦ୍ବିବେଦୀ ବାବୁ କାଞ୍ଚନ ଦେବୀ ଙ୍କୁ ଦେଖି ନ ହସି ରହି ପାରିଲେନି, “ ଆଗୋ ଶ୍ରୀମତୀ, ଏ କି ବେଶ ତୁମର?????!!!!!!!!! ପାଉଡର ଡବା ସହ ଢାଳି ହୋଇ ପଡ଼ିଛ ଆଉ ପାନ ଖାଇଛ ଯେ ପାଟି ସାରା ନାଲୁ ବାଲୁ........” କହି ହସି ହସି ଗଡ଼ିଗଲେ। କାଞ୍ଚନ ଦେବୀ ଏତିକି ଶୁଣି ସରିବା ପରେ ମୁଁହ ବୁଲାଇ ଦେଇ ସିଧା ଘର ଭିତରକୁ ଚାଲି ଗଲେ , ପାଖରେ ଥିବା ଗୋଟେ ପୋଛା ରେ ନିଜ ମୁହଁ ଭଲରେ ପୋଛି ଦେଇ ଏଡେ ମୁହଁ କରି ବସିଗଲେ। ଦ୍ବିବେଦୀ ବାବୁ କେତେ ବୁଝାଇଲା ପରେ ଯାଇ ତାଙ୍କ ମନ ଟିକେ ଭଲ ହେଲା। 

           ପ୍ରତିଯୋଗିତା ଦିନ। ଜଣଙ୍କ ପରେ ଜଣେ ମଞ୍ଚ ଉପରକୁ ଆସି ନିଜକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରୁଥିଲେ। ଅଞ୍ଜଳି ଦେବୀ ମଧ୍ୟ ଗୋଟେ ବଡ଼ ଓ ସୁନ୍ଦର କଳା ରଙ୍ଗର ଗାଉନ ପିନ୍ଧି ଆସିଥିଲେ। ଖୁବ୍ ସୁନ୍ଦର ଦେଖା ଯାଉଥିଲେ। ଶେଷରେ ଆସିଲେ କାଞ୍ଚନ ଦେବୀ। ଗୋଟେ ଲାଲ୍ ରଙ୍ଗର ମାଣିଆ ବନ୍ଧ ର ଶାଢ଼ୀ, ମୋଟା ସୁନେଲି ଜରିର ବନ୍ଧ । ସିନ୍ଥିରେ ଓ ମଥାରେ ସିନ୍ଦୂର ନାଲି ନାଲି। ବିନା କୌଣସି ପ୍ରସାଧନ ସାମଗ୍ରୀରେ ମଧ୍ୟ ମୁହଁରୁ ଏକ ଅପୂର୍ବ ହସର ସହ ଉଜ୍ବଳ ଅଭା ଶୋଭା ପାଉଥାଏ। ତାଙ୍କୁ ଦେଖିଲେ ଜେ କାହାର ଆଖି ଲାଖି ଯିବ। ବିଚାରକ ମଣ୍ଡଳୀ ମଧ୍ୟ ଛିଡ଼ା ହୋଇ ତାଳି ମାରିଲେ। ଶେଷରେ କାଞ୍ଚନ ଦେବୀ ହିଁ ପ୍ରଥମ ପୁରସ୍କାର ଜିତିଲେ। ପୁରସ୍କାର ଟିକୁ ହାତରେ ଧରି କାଞ୍ଚନ ଦେବୀ ସେ ଦିନ ଦ୍ବିବେଦୀ ବାବୁ ଙ୍କ କଥା ହିଁ ମନେ ପକାଉଥାନ୍ତି....-

         “ ଶୁଣ କାଞ୍ଚନ ! ପ୍ରସାଧନ ସାମଗ୍ରୀ ର ପ୍ରୟୋଗରେ କେହି ସୁନ୍ଦର ହୋଇ ଯାଆନ୍ତି ନାହିଁ ସେଥି ପାଇଁ ଦରକାର ଗୋଟିଏ ସୁନ୍ଦର ମନ ଓ ମନ ଖୋଲା ସ୍ମିତ ହସ। ଆମ ଓଡ଼ିଆ ଘରର ବୋହୂ ମଧ୍ୟ ଶାଢ଼ୀ ପିନ୍ଧି ଖୁବ୍ ସୁନ୍ଦର କୌଣସି ଦେବୀ ଙ୍କ ଭଳି ଦେଖା ଯାଆନ୍ତି। ଯଦି ପ୍ରତିଯୋଗିତାରେ ଭାଗ ନେବ ତାହେଲେ ନିଅ , କିନ୍ତୁ ତୁମେ ନିଜେ ଯେଉଁ ଭଳି ସେଇଭଳି ହିଁ ଯାଅ। ଜିତିଲେ ଜିତିବ ନହେଲେ ନାହିଁ। ତମେ ବହୁତ ସୁନ୍ଦର ଏକଥା ସମସ୍ତେ ଜାଣିଛନ୍ତି। ପୁରସ୍କାରରେ କଣ ଅଛି........”


         ସତରେ ଦ୍ବିବେଦୀ ବାବୁ ଙ୍କ କଥା ରେ ମୁଁ ପୂର୍ଣ୍ଣ ରୂପେ ସହମତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy