ମହିଳା ଜାଗରଣ
ମହିଳା ଜାଗରଣ
ଏକ ଛୋଟିଆ ପଲ୍ଲୀ ନାଁ ତାର ନୂଆଁଡିହି । ଦିନଥିଲା ଏଠାରେ ଲୋକେ ଭୋକ ଉପାସରେ ରହୁଥିଲେ । ବର୍ଷକରେ ଧାନ ଚାଷ ହିଁ ସେମାନଙ୍କର ଉପାର୍ଜନର ଏକ ପନ୍ଥା ଥିଲା । ଗାଁର ଅଧିକାଂଶ ପୁରୁଷ ମୂଲ ମଜୁରି କରି ଚଳୁଥିଲେ । କୋଉଠି ସଡକ ତିଆରି ପୋଖରି ଖୋଳା
ପ୍ରଭୃତି କିଛି କାମ ମିଳିଲେ କରୁଥିଲେ କେବେକେବେ । ହେଲେ ସବୁଦିନ କାମ ବି ମିଳୁନଥିଲା । ପୁରୁଷମାନେ କାମରୁ ଯାହା ମଜୁରି ମିଳୁଥିଲା ସେଥିରୁ ଅଧା ମଦ ପିଇ ଦେଇ ଆସୁଥିଲେ । ମଙ୍ଗଲୁ ବି ସେମାନଙ୍କ ଭିତରୁ ଜଣେ । ତା ସ୍ତ୍ରୀ ସୀତା ଦୁଇପିଲା ପିଙ୍କି ଓ ରିଙ୍କୁକୁ କୌସସି ମତେ ପଢାଇବାକୁ ଚାହୁଁଥିଲା । ସୀତାର ମାଆଘର ସ୍ୱଚ୍ଛଳ ପରିବାର ଥିଲେ । ତା ଦାଦାର ପିଲାମାନେ ସବୁ ପାଠ ପଢୁଥିଲେ । ତାଙ୍କ ଦେଖାଦେଖି ସେ ବି ନିଜ ପିଲାଙ୍କୁ ପଢାଇବାକୁ ଚାହୁଁଥିଲା । ସମୟ ସମୟରେ ମାଆ ଭାଇଠୁ କିଛି ଆର୍ଥିକ ସାହାଯ୍ୟ ମିଳୁଥିଲା ସେଥିରେ କୌଣସି ପ୍ରକାରେ ସେ ତାର ସଂସାର ରୂପକ ଶଗଡକୁ ଟାଣିବାକୁ ଚେଷ୍ଟାକରୁଥିଲା । ହେଲେ ମଙ୍ଗଳୁ ତାକୁ କୌଣସି ପ୍ରକାରେ ସାହାଯ୍ୟ କରୁନଥିଲା ବରଂ ବିଘ୍ନ ସୃଷ୍ଟି କରି ମନୋବଳ ଭାଙ୍ଗୁଥିଲା । କହୁଥିଲା ପାଠପଢି ଏମାନେ କଣ କରିବେ ଲୋ ସୀତା ଏମାନଙ୍କୁ ସବୁ କାମ ଶିଖାଅ | ହେଲେ କଣ କାମ ଶିଖିବେ ଗାଁରେ । ଏମିତି କିଛି କାମ ନ ଥିଲା ଯାହା କରି ଦୁଇ ପଇସା ରୋଜଗାର କରି ହେବ । ସୀତା ତା ମାଆ ଘରକୁ ଯାଇଥିବାବେଳେ ଦେଖିଲା ସେଠି ବିଶ୍ୱ ଗ୍ରୁପ ତରଫରୁ ଏକ ସ୍ୱୟଂ ସହାୟକ ଗୋଷ୍ଠି ଗଢିଛନ୍ତି ଓ ସରକାର ତରଫରୁ କିଛି ଟଙ୍କା ସହାୟତା ପାଉଛନ୍ତି |ସେ ଟଙ୍କାରେ ସେମାନେ ମିଶି ଛତୁଚାଷ କରୁଛନ୍ତି ଓ ବେଶ୍ କିଛି ଅର୍ଥ ରୋଜଗାର କରୁଛନ୍ତି । ସେମାନଙ୍କୁ ଆଉ ନିଜ ଗେରସ୍ତଙ୍କ ଉପରେ ନିର୍ଭର କରିବାକୁ ପଡୁନି । ଘରକାମ ସମ୍ଭାଳି ଏ କାମ ବି ସହଜରେ କରି ହେଉଛି । ଆଉ ଛତୁର ଏବେ ବହୁତ ଆଦର ରହିଛି । ମାଂସ ପରେ ଭୋଜିମାନଙ୍କରେ ଛତୁର ହିଁ ଚାହିଦା ବେଶି । ନିରାମିଶ ମାନଙ୍କ ପାଇଁ
ଛତୁର ଆଏଟମଟେ ଦରକାର । ତେଣୁ ଛତୁର ବିକ୍ରିବି ସହଜରେ ହେଇଯାଏ ଓ ଭଲ ଦରରେ । ସେ ମାଆ ଘରେ କିଛିମାସ ରହି ଏହାର ଟ୍ରେନିଂ ନେଲା । ଭଲ ଭାବରେ ସବୁ ଶିଖିଗଲାପରେ ସେ ନିଜ ଶାଶୁଘର ଗାଆଁରେ ସବୁ ସ୍ତ୍ରୀଲୋକଙ୍କୁ ବୁଝାଇ ଏକ ସ୍ୱୟଂସହାୟକ ଗୋଷ୍ଠୀ ଗଢିଲା । ଏବେ ଛତୁଚାଷ କରି ସବୁ ସ୍ତ୍ରୀ ଲୋକ ସ୍ୱାବଲମ୍ବୀ ହୋଇପାରିଛନ୍ତି । ତାରି ପ୍ରେରଣାରେ ଗାଁର ଛବି ବଦଳି ଯାଇଛି । ଏବେ ମଦବିରୋଧରେ ବି ଆନ୍ଦୋଳନ ଜାରି ରହିଛି । ଗାଁରୁ ମଦ ଦୋକାନ ସବୁ ଉଠିଗଲାଣି । ଏବେ ପୁରୁଷମାନେ ମଦଛାଡି ନିଜ ଗୃହିଣୀଙ୍କୁ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରୁଛନ୍ତି । ଏ ବର୍ଷ ପିଙ୍କି ମାଟ୍ରିକରେ ରାଜ୍ୟସ୍ତରରେ ଟପ୍ପର ଭିତରେ ଅଛି । ଏବେ ତାଙ୍କ ଗାଁର ଗୌରବ ବନିଛି ପିଙ୍କି ଆଉ ଏହାର ଶ୍ରେୟ ଯାଉଛି ସୀତାକୁ । ତାରି ଉଦ୍ୟମ ପାଇଁ ଏସବୁ ସମ୍ଭବ ହେଇଛି । ଖବର କାଗଜରେ ସୀତା ଓ ମଙ୍ଗଲୁର ବି ଫଟୋ ଛପିଛି ପିଙ୍କି ସହ । ତାର ଦେଖାଦେଖି ଏବେ ଗାଁର ସମସ୍ତେ ତାକୁ ଅନୁସରଣ କରିବା ଆରମ୍ଭ କରିଦେଇଛନ୍ତି । ଏବେ ନୂଆଁଡିହୀ ଗାଁ ଆର୍ଥିକ ଓ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିଚାଲିଛି କେବଳ ସୀତାର ବୁଦ୍ଧିମତା ପାଇଁ |
