ମହାପ୍ରଭୁଙ୍କ ଯାଜପୁରିଆ ବନ୍ଧୁ
ମହାପ୍ରଭୁଙ୍କ ଯାଜପୁରିଆ ବନ୍ଧୁ
ବହୁଦିନ ତଳର କଥା । ସୁଦୂର ଯାଜପୁରରେ ରହୁ ଥାନ୍ତି କରଣ ପରିବାର ଗୋଟିଏ । ଗୃହ ସ୍ବାମୀ ଦରିଦ୍ର ବନ୍ଧୁ ମହାନ୍ତି ଭିକ୍ଷାମାଗି ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁ ଥାନ୍ତି । ଦିନେ ଗଲେ ତାଙ୍କର ଯୁଗ ଯାଏ । ଆଜିଟା ହିଁ ସବୁ କିଛି । କାଲି ପାଇଁ କିଛି ଚିନ୍ତା ନାହିଁ । ସବୁ ପ୍ରଭୁଙ୍କ ଇଚ୍ଛା,ସିଏ ପରା ସାରାଜଗତ ଦେଖୁଛନ୍ତି । କାଲିପାଇଁ ବ୍ୟବସ୍ଥା ସିଏ କରି ଦେବେ ନାହିଁ କି !! ଏପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଚଳା ଭକ୍ତି ଓ ଅଟଳଆସ୍ଥା ଥାପି ଦୁଃଖରେ କାଳାତିପାତ କରୁଥାନ୍ତି ବନ୍ଧୁ ମହାନ୍ତି । କେତେ ବେଳେ କେମିତି ପତ୍ନୀ କହିଲେ କହନ୍ତି, ମୋର ଜଣେ ବନ୍ଧୁ ଅଛନ୍ତି ସିଏ ଜଗତର ବନ୍ଧୁ, ଜଗବନ୍ଧୁ,ସେ ସବୁ ଠିକକରି ଦେବ । ସ୍ତ୍ରୀ ବିରକ୍ତ ହୋଇଯାଇ କହନ୍ତି,କି ପାଗଳ ଲୋକଟା କି ହେ ! ଛୁଆଙ୍କପାଇଁ ଗୋଟିଏ ହେଲେ ଦାନା ନାହିଁ, ଆଙ୍କର କୋଉ ବନ୍ଧୁ ଅଛି ଯେ ସବୁ ଠିକ କରି ଦେବ । ସ୍ତ୍ରୀ ମଧ୍ୟ ରହସ୍ୟକରି ବେଳେ ବେଳେ କୁହନ୍ତି, ଚାଲ ତୁମ ବନ୍ଧୁଘରୁ ଥରେ ବୁଲି ଆସିବା । ମହାନ୍ତିପୁଅ କୁହନ୍ତି ଆରେ ମୋ ବନ୍ଧୁ କ'ଣ ଏମିତି ସେମିତିକା ବନ୍ଧୁ କି ! ତା ପାଖକୁ ଯେତେ ବେଳେ ଚାହିଁବ ଚାଲିଯିବ ! ତା'ର ପା ବଡ଼ଦେଉଳ, ବଡ଼ଦାଣ୍ଡ, ବଡ଼ପଣ୍ଡା । ସବୁ କିଛି ତା'ର ବଡ଼ ।
ଏମିତି ଦୁଖେ ସୁଖେ ଦିନ କଟି ଯାଉଥାଏ । ଥରେ ଦେଶରେ ଘୋରଅକାଳ ପଡ଼ିଲା । ଚାରିଆଡ଼େ ହା ଅନ୍ନର ଚିତ୍କାର । ଭିକ୍ଷାର ଘୋର ଅଭାବ । ଜୀବନ ବଡ଼ ଦୁର୍ବିସହ ହୋଇ ପଡ଼ିଲା, ବନ୍ଧୁ ମହାନ୍ତିଙ୍କର । ତାଙ୍କୁ ସ୍ତ୍ରୀ କହିଲେ ଏତେ କଷ୍ଟ ପଡ଼ିଲାଣି । ଏଥର ଚାଲ ତୁମ ବନ୍ଧୁ ଘରକୁ ଯିବା । ତାଙ୍କୁ ଯାଇ ଦୁଃଖ ଜଣାଇବା । କୁଂଥୁକୁଂଥୁ ହୋଇ ବହୁକଷ୍ଟରେ ରାଜି ହେଲେ ମହାନ୍ତି । ତହିଁ ପରଦିନ ତିନୋଟି ପିଲା ଓ ସ୍ତ୍ରୀଙ୍କୁ ଧରି ଚାଲିଲେ ବନ୍ଧୁଘର ଶ୍ରୀକ୍ଷେତ୍ର । ଚାରିଦିନ କାଳ ଭୋକଉପାସରେ ଦୀର୍ଘପଥ ଚାଲି ମହାନ୍ତି ପହଞ୍ଚିଲେ ଯାଇ ବନ୍ଧୁ ଘର ଶ୍ରୀକ୍ଷେତ୍ରରେ । ରାତି ହୋଇ ଯାଇ ଥାଏ । ସିଂହଦ୍ୱାର ପହଡ଼ ପଡ଼ି ସାରି ଥାଏ । ପହରା ଦେଉଥିବା ବେତୁଆ ମାନଙ୍କୁ ଇଏ ମୋ' ବନ୍ଧୁଙ୍କ ଘର ନା ! ବୋଲି ପଚାରିଲେ । ଲୋକଟା ପାଗଳ ବୋଲି ଭାବି, ସେମାନେ ତାଙ୍କୁ ଘଉଡ଼ାଇ ଦେଲେ । ଚାରି ଦିନର ବାଟ ଚାଲିଚାଲି ଦେହ ଅବଶ, କାହା ପେଟରେ ଦାନା ମୁଠେ ପଡ଼ି ନାହିଁ । କଣ କରିବେ ପିଲାମାନଙ୍କୁ ଓ ସ୍ତ୍ରୀଙ୍କୁ ଡାକି ନେଲେ ଦକ୍ଷିଣ ଦ୍ଵାରରେ ପାଚେରି କଡ଼ ବର ଗଛ ମୂଳକୁ । ସେଇଠି ରୋଷଘର ପେଜନଳାରୁ ମୁନ୍ଦେ ମୁନ୍ଦେ ପେଜ ପିଇ, ପୁରୁଣା ମଇଳା ଗାମୁଛାଟାକୁ ପାରି ନିଘୋଡ଼ ନିଦରେ ଶୋଇପଡ଼ିଲେ ସମସ୍ତେ । ସାଇଁ ସାଇଁ ନିଶା ଗରଜୁଥାଏ ।
ରାତି ଅଧ ବେଳକୁ କାହାର ଡାକ ଶୁଣି ଛଟ କରି ନିଦ ଭାଙ୍ଗି ଗଲା ମହାନ୍ତିଙ୍କର । ସ୍ଵରଟି ଲାଗୁଥାଏ ଅତି ଚିହ୍ନା ଭଳି । ପୁଣି ଶୁଭିଲା ଡାକ,'ବନ୍ଧୁ ! ହୋ ଯାଜପୁରିଆ ବନ୍ଧୁ ! କଅଣ ପେଜ ନଳା ପାଖରେ ଶୋଇ ପଡ଼ିଲ କି? ମୁଁ ଡାକୁଛି ପରା ଆସ, ଦେଖ ତୁମ ପାଇଁ ପା ମୁଁ କେତେ ପ୍ରକାରର ଖାଦ୍ୟ ଘେନି ଆସିଛି, ୟାକୁ ନିଅ । ପିଲା ମାନଙ୍କୁ ଖୁଆଇ ନିଜେ ଖାଅ । ବନ୍ଧୁଘରେ କଣ କେହି କେବେ ଉପାସରେ ଶୁଅନ୍ତି' । ଚମକି ପଡ଼ିଲେ ଯାଜପୁର ବନ୍ଧୁ । ଦଉଡ଼ି ଗଲେ ସେହି ଦକ୍ଷିଣ ଦ୍ୱାର ଆଡ଼କୁ, ଯେଉଁଆଡ଼ୁ ଏ ସ୍ୱରଟି ଭାସି ଆସୁଥିଲା, ଦେଖିଲେ ଜଣେ ବ୍ରାହ୍ମଣ ହାତରେ ସୁନାଥାଳି ଧରି ସେଠି ଠିଆହୋଇଛନ୍ତି । ଥାଳିରେ ଭରା ସୁସ୍ବାଦୁ ଅନ୍ନ, ବ୍ୟଞ୍ଜନ । ମହ ମହ ମହକରେ ଚତୁଃର୍ଦିଗ ଚହଟି ଉଠୁଛି । "କଣ ବନ୍ଧୁ ଶୋଇ ପଡ଼ିଥିଲ କି"? କହି ସେ ଥାଳିଟି ବଢ଼ାଇ ଦେଇ କୁଆଡ଼େ ଉଭାନ ହୋଇଗଲେ ।
ନିଦରୁ ଉଠେଇ ପିଲାମାନଙ୍କୁ ଖାଇବାକୁ ଦେଲେ ମହାନ୍ତିଏ । ସ୍ତ୍ରୀ ପଚାରିଲାରୁ କହିଲେ, ବନ୍ଧୁ ପରା ଆସିଥିଲେ । ଏସବୁ ଦେଇ ଯାଇ ଛନ୍ତି । ସମସ୍ତେ ଖାଇ ସାରିଲା ପରେ, ମହାନ୍ତି ଥାଳିଟା ଫେରାଇ ଦେବାକୁଯାଇ ଦେଖନ୍ତି ସେଠି ଆଉ କେହି ନାହିଁ । କରିବେ କ'ଣ । ସ୍ବର୍ଣ୍ଣଥାଳିକୁ ମଇଳା ଗାମୁଛାରେ ଗୁଡ଼ାଇ ମୁଣ୍ଡ ତଳେ ଯାକି ଶୋଇ ପଡ଼ିଲେ ।
ସକାଳୁ ସେବାୟତ ମାନେ ମହାପ୍ରଭୁଙ୍କୁ ରାତିରେ ଲାଗି ହୋଇ ଥିବା ରତ୍ନଥାଳି ନ ଥିବା ଦେଖିଲେ । ବହୁ ଖୋଜାଖୋଜି ପରେ ଥାଳି ଆଉ ନମିଳିବାରୁ ରାଜାଙ୍କୁ ଜଣାଇ ଦିଆଗଲା ଯେ ମହାପ୍ରଭୁଙ୍କ ରତ୍ନ ଥାଳି ଚୋରି ଯାଇଛି । ଥାଳି ଖୋଜା ଚାଲି ଥାଏ । ସିପାହୀ ମାନେ ଦେଖିଲେ,ମହାପ୍ରଭୁଙ୍କ ରତ୍ନଥାଳି ପେଜନଳା ପାଖରେ ଶୋଇଥିବା ଭିକାରୀ ମଇଳା ଗାମୁଛା ଭିତରେ । "ବେହିପୋ ବାପ ଧନ ସାଇତି ରଖିଛି" କହି, ବହେ ଛେଚି, ତାକୁ ଚୋର ବୋଲି କହି ଘୋଷାଡ଼ି ନଲେ ରାଜ ଉଆସ ଆଡ଼କୁ । ସେ କିଛି କହିବାକୁ ଚାହୁଁ ଥାନ୍ତି । ହେଲେ ଚୋର କଥା ଶୁଣୁଛି କିଏ? ମହାନ୍ତିଙ୍କୁ ନେଇ ସିଧା ଠୁଙ୍କିଦେଲେ ବନ୍ଦୀ ଶାଳାରେ । ଛୁଆ,ସ୍ତ୍ରୀ ଆତୁର ହୋଇ ହାୟ ହାୟ କରୁଥାନ୍ତି ।
ବନ୍ଧୁ ମହାନ୍ତି ନିଶ୍ଚଳ ହୋଇ ମହାପ୍ରଭୁଙ୍କୁ ଧ୍ୟାନକରି କହୁଥାନ୍ତି," ବନ୍ଧୁ ମୋତେ ଡକାଇ ଆଣି ଶେଷରେ ଚୋରକରି ବନ୍ଧାଇଦେଲ । ହଉ ହଉ ସବୁ ତୋରି ଇଚ୍ଛା । ତୁ ଯାହା ଚାହୁଁଛୁ ତାହା ହିଁ ହେଉ "। ଭକ୍ତ କବି ରାମଦାସ ଦାଢ୍ୟତାଭକ୍ତିରେ କହିଲେ:-
ବନ୍ଧୁ ରହିଲେ ମାମୁଁ ଘରେ ।
ଚିତ୍ତ ନିବେଶି ପ୍ରଭୁଠାରେ ।।
ତୋ ପରି ପତିତ ତାରଣ ।
ଅଛି କେ ବ୍ରହ୍ମାଣ୍ଡ ମଧ୍ୟେଣ ।।
ଏଣୁ ତୁ ଯାହା କଲେ କର ।
ଅନ୍ୟେ ଶରଣ ନାହିଁ ମୋର ।।
ମହାପ୍ରଭୁ କ'ଣ ସ୍ଥିରହୋଇ ରହି ପାରିବେ ଭକ୍ତର ବେଦନା ଦେଖି । ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ରଥିପୁର ଗଡ଼ରେ ଗଜପତି ପ୍ରତାପରୁଦ୍ର ଦେବଙ୍କୁ "ହେ ରାଜା ! ତୁମେ କଣ ତୁମ ବନ୍ଧୁଙ୍କୁ ଅଭ୍ୟର୍ଥନା କର ନାହିଁ କି? ମୋ’ ବନ୍ଧୁଙ୍କୁ ମୁଁ ଅଭ୍ୟର୍ଥନା କଲି ଏଥିରେ ଅପରାଧ କଅଣ ? ମୋ ବନ୍ଧୁଙ୍କୁ ମୁଁ ରତ୍ନ ଥାଳିରେ ଅନ୍ନ ଦେଲି । ସିଏ ପୁଣି ଚୋର ହେଲେ କିପରି? ଯାଜପୁରିଆ, ବନ୍ଧୁମହାନ୍ତି ମୋର ପରମ ଭକ୍ତ, ଭୋକରେ ରାତିରେ ପେଜନଳା ନିକଟରେ ଚାରି ପରାଣୀ କୁଟୁମ୍ବ ଧରି ଶୋଇ ପଡ଼ିଥିଲା । ମୁଁ ତାକୁ ଅନ୍ନ ପରସିଦେଇ ଥିଲି । ତାକୁ ଶୀଘ୍ର ବନ୍ଧନ ମୁକ୍ତ କର ।"
ରାଜାଙ୍କୁ ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ରତ୍ନଥାଳି ଚୋର ହେଉଛନ୍ତି, ମହାପ୍ରଭୁଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି । ଗଜପତି ପ୍ରତ୍ୟୁଷରୁ ତା'ପର ଦିନ ଶ୍ରୀକ୍ଷେତ୍ର ଯାତ୍ରାକଲେ । ଭକ୍ତ ବନ୍ଧୁମହାନ୍ତିଙ୍କୁ ବନ୍ଧନମୁକ୍ତ କରି ସାଷ୍ଟାଙ୍ଗ ପ୍ରଣିପାତ କଲେ ଏବଂ ନେଇ ଗଲେ ସେଇ ପେଜ ନଳା ନିକଟକୁ । ତାଙ୍କ ନାମରେ ଅନ୍ନ ବସ୍ତ୍ର ଖଞ୍ଜା କରି ଦେଲେ । ବନ୍ଧୁଙ୍କୁ ନିଯୁକ୍ତ କଲେ ମହାପ୍ରଭୁଙ୍କ ସେବକ ଭାବେ । ଭକ୍ତ ବନ୍ଧୁ ମହାନ୍ତି ଜଗବନ୍ଧୁଙ୍କ ବନ୍ଧୁ,ଏ କଥା ଶ୍ରୀକ୍ଷେତ୍ର ସାରା ପ୍ରଚାରିତ ହୋଇଗଲା । ଲୋକେ ଜାଣିଲେ ଭକ୍ତ, ବନ୍ଧୁ ମହାନ୍ତିଙ୍କ ମହିମା । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନଳା ନିକଟରେ ତିଆରି ହେଲା ତାଙ୍କ ଆଶ୍ରମ । ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ, ସେହି ଆଶ୍ରମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ଅଛି ଓ ପ୍ରଚାର କରୁଛି ଭକ୍ତ ଭଗବାନଙ୍କର ଅଭେଦ୍ୟ ସମ୍ପର୍କ ।
ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ସମ୍ପର୍କର ଏହି ଉପାଖ୍ୟାନକୁ ଦାଢ୍ୟତାଭକ୍ତି ରସାମୃତରେ ବର୍ଣ୍ଣନା କରି ଶେଷରେ ଭକ୍ତକବି ରାମଦାସ ଲେଖିଛନ୍ତି :-
ଶୁଣ ସୁଜନେ ପ୍ରଭୁ ପଣ ।
ଭକ୍ତ ବତ୍ସଳ ଭଗବାନ ।।
କରନ୍ତି ଏତେ ଦୂର ଯାଏ ।
ଯେବା ବିଶ୍ୱାସ କରିଥାଏ ।।
ମହାପ୍ରଭୁଙ୍କର ଏହି ଭକ୍ତ ବତ୍ସଳ ଲୀଳାକୁ ଶ୍ରବଣ କରି ସେଦିନ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା ଓ ଲୋକ ମୁଖରେ ଗୁଞ୍ଜରିତ ହେଉଥିଲା:-
ଧନ୍ୟରେ କାଳିଆ ତୋର ଭକ୍ତବନ୍ଧୁ ପଣକୁ ।
ବନ୍ଧୁପଣେ ବରି ନେଲୁ ଯାଜପୁର ବନ୍ଧୁଙ୍କୁ ।।
