Ayiswarya Maharana

Inspirational

3  

Ayiswarya Maharana

Inspirational

ମହାଭାରତର ଅଦ୍ୱୈତ ନାୟିକା

ମହାଭାରତର ଅଦ୍ୱୈତ ନାୟିକା

8 mins
302


ମୁଁ ମହାଭାରତର ଅଦ୍ଵୈତ ନାୟିକା, ଦ୍ରୁପଦ କନ୍ୟା ଦ୍ରୌପଦୀ, ପାଞ୍ଚାଳ ରାଜଜେମା ପାଞ୍ଚାଳୀ, ଯଜ୍ଞ ସମ୍ଭୂତା ଯାଜ୍ଞସେନୀ । ପ୍ରତିଶୋଧ ଚରିତାର୍ଥେ ମୋର ପିତା ମହାରାଜ ଦ୍ରୁପଦ, ମହର୍ଷି ବ୍ୟାସଦେବଙ୍କ ଦ୍ଵାରା ପୁତ୍ରେଷ୍ଟି ଯଜ୍ଞ ଅନୁଷ୍ଠିତ କରାଇଥିଲେ । 

ସେହି ଯଜ୍ଞରୁ ପ୍ରଥମେ ସୃଷ୍ଟି ହେଲେ ଭ୍ରାତା ଧୃଷ୍ଟଦ୍ୟୁମ୍ନ । କିନ୍ତୁ ପରେ ଦେବଗଣଙ୍କ ଇଚ୍ଛାନୁଯାୟୀ ଏକ କନ୍ୟା ସନ୍ତାନର ଉତ୍ପତ୍ତି ଅନିର୍ବାଯ୍ୟ ଥିଲା, ଯାହାକି ମୋର ପିତାଙ୍କ ଇଚ୍ଛା ବିରୁଦ୍ଧ ଥିଲା । ତେଣୁ ସେ ଭ୍ରାତା ଧୃଷ୍ଟଦ୍ୟୁମ୍ନଙ୍କ ନିମନ୍ତେ ସୌନ୍ଦର୍ଯ୍ୟ, ବୀରତ୍ୱ, ଧୈର୍ଯ୍ୟର ଆଶୀର୍ବାଦ ଭିକ୍ଷା କରିଥିଲେ, ହେଲେ ମୋ ପାଇଁ ମାଗିନେଇଥିଲେ ଦୁଃଖ, ହତାଶା, ଲାଞ୍ଛନା । ନୀଳକଇଁ କାନ୍ତି ଜିଣି ମୁଁ ହୋଇଥିଲି ଶ୍ୟାମାଙ୍ଗୀ, ସାଗରସମ ନୀଳାଭ ବର୍ଣ୍ଣର ଆଜାନୁ କୁଞ୍ଚ ଘନ କେଶରାଶି, ଅଗ୍ନି ସମ ତେଜୋଦୀପ୍ତ ମୁଖ ମଣ୍ଡଳ ନେଇ ସୃଷ୍ଟି ହୋଇଥିଲି ମୁଁ ଯାଜ୍ଞସେନୀ । ମୋର ସୃଷ୍ଟି ହୋଇଥିଲା ଯୌବନାବସ୍ଥାରେ, ନା ଥିଲା ମୋର ଶୈଶବ, ନା ଥିଲା ବାଲ୍ୟାବସ୍ଥା, ନା ଥିଲା କୈଶୋରଅବସ୍ଥା । ତେଣୁ ଜନ୍ମ ସହିତ ବାଲ୍ୟ ଚପଳାମିର ସମାପ୍ତି ହୋଇସାରିଥିଲା । 

     ଭ୍ରାତା ଏବଂ ମୋର ସୃଷ୍ଟି ହେବାପରେ ପରେ ଦ୍ୱାରକାଧୀଶ ପାଞ୍ଚାଳର ଦରବାରରେ ଉପସ୍ଥିତ ହୋଇଥିଲେ । ତେଣୁ ମୋର ଶ୍ରୀ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ପିତାଙ୍କର ଏକ ପୂର୍ଣ୍ଣ ଆଦେଶ ଥିଲା । " କୃଷ୍ଣ" ନାମରେ କ'ଣ ରହିଥିଲା କେଜାଣି ଶୁଣିବା ମାତ୍ରେ ଶରୀରରେ ଏକ ଅଦ୍ଭୁତ ଶିହରଣ ଖେଳିଗଲା । 

ମନରେ ଛୋଟ ପ୍ରଶ୍ନର ଝଡ଼ ଉଠିଥିଲା କି, କୃଷ୍ଣ କିଏ??ହେଲେ ପିତା ଏହି ସମୟର ଅବଧି ଶୀଘ୍ର ସମାପ୍ତ କରି କହିଲେ, "ସେ ହେଉଛନ୍ତି ଜଣେ ଯୁଗପୁରୁଷ, ଧର୍ମ ରକ୍ଷା ପାଇଁ ଅବତାର ଗ୍ରହଣ କରିଛନ୍ତି । ଅଧୁନା ସେ ହିଁ ସମଗ୍ର ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ । "ତେଣୁ ତାଙ୍କର ଦର୍ଶନ କରିବାକୁ ମୋର ଉତ୍କଣ୍ଠା ବଢ଼ିଚାଲିଲା । ଦୁହେଁ ଶ୍ରୀକୃଷ୍ଣଙ୍କର ଦର୍ଶନ ନିମିତ୍ତ ଦରବାର ଅଭିମୁଖେ ଅଗ୍ରସର ହେଲୁ । ଦରବାର ଯେତେ ନିକଟତର ହେଉଥାଏ, ମୋର ପାଦ ଦୁଇଟି ସେତେ ଅଟକି ଯାଉଥାଏ । ଏକ ଅଜଣା, ଅଚିହ୍ନା ଯୁବକର ଦର୍ଶନ, ନାରୀ ସୁଲଭ ଲଜ୍ଜ୍ୟା ମନୋଭାବ ସୃଷ୍ଟି କରୁଥାଏ । ତଥାପି ନତ ମସ୍ତକ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲି । ତାଙ୍କ ଚରଣ ସ୍ପର୍ଶ କରିବାକୁ ଯାଆନ୍ତେ ନୀଳ କମଳ ସଦୃଶ ଚରଣ ଯୁଗଳଙ୍କୁ ଦେଖି ମନରୁ ଭୟ ଲଜ୍ଜା ସବୁ ଦୂରୀଭୂତ ହୋଇସାରିଥିଲେ । ଅଜାଣତରେ ଚକ୍ଷୁରୁ ଲୋତକ ଧାର ବହିଆସି ତାଙ୍କର କୋମଳ ପଦ ଦ୍ୱୟକୁ ଭିଜାଇ ସାରିଥିଲା । ହେଲେ ସେ ଲୋତକ କେଉଁ ଭାବର, କେଉଁ ଆବେଗର ତାହା ମତେ ନିଜକୁ ମଧ୍ୟ ଅଜଣା । କୃଷ୍ଣ ବୋଧହୁଏ ମୋତେ ବୁଝିପାରୁଥିଲେ ତେଣୁ କହିଲେ, "ଦେବୀ, ତୁମର ଜନ୍ମ ଧର୍ମ ରକ୍ଷା ନିମିତ୍ତ ହୋଇଛି । ଭବିଷ୍ୟତରେ ତୁମର ଲୁହ ହିଁ ଅଧର୍ମକୁ ଧୋଇଦେବ । ଏହାକୁ ଏଭଳି ବହିବାକୁ ଦିଅନାହିଁ । ତୁମେ ଶକ୍ତ ହୁଅ । "ଏହା ଶୁଣି ପିତା କହିଲେ ତେବେ ଆପଣ ଦ୍ରୌପଦୀଙ୍କୁ ଗ୍ରହଣ କରନ୍ତୁ । ସେ ଆପଣଙ୍କଚରଣରେ ସମର୍ପିତ ହେଉ । ଶ୍ରୀ କୃଷ୍ଣ ଏହାର ଅଭିଳାଷ ବୁଝିପାରି କହିଲେ, "ନାରୀ କଦାପି ସମର୍ପିତ ହେବା ଭଳି ବସ୍ତୁ ନୁହେଁ, ସେ ସର୍ବଦା ପୂଜନୀୟା । ଆପଣ ଦ୍ରୌପଦୀଙ୍କ ନିମିତ୍ତ ସ୍ଵୟମ୍ବରର ଆୟୋଜନ କରି ଯୋଗ୍ୟ ପ୍ରାର୍ଥୀଙ୍କ ସହ ବିବାହ କରାନ୍ତୁ । "ଏକ ସ୍ମିତ ହାସ୍ୟ ଦେଇ ମୋତେ କହିଥିଲେ, "ଆଜି ଠାରୁ ତୁମେ କୃଷ୍ଣର ସଖୀ କୃଷ୍ଣା । ମତେ ସଖା ବୋଲି ଡାକିପାର । "ଏହା ପୂର୍ବରୁ ମୋର ଯେଉଁ ସବୁ ନାମ ରହିଥିଲା ସେସବୁ ମୋ ସୃଷ୍ଟି ସହ ଜଡ଼ିତ । ନା କାହା ସହ ଥିଲା ରକ୍ତଗତ ସମ୍ପର୍କ, ନା ଥିଲା ଭାବନା ଗତ ସମ୍ପର୍କ । କିନ୍ତୁ ଶ୍ରଦ୍ଧାର ଏହି ନାମଟି ମୋର ଅତି ପ୍ରିୟ । ସେହିଠାରୁ ମୁଁ ହୋଇଯାଇଥିଲି କୃଷ୍ଣଙ୍କର ସଖି କୃଷ୍ଣା । 

ସ୍ଵୟମ୍ବରର ସମୟ ଉପନୀତ । ମୁଁ ଦ୍ରୌପଦୀ ମୋର ସ୍ଥାନ ଅଳଙ୍କୃତ କରିସାରି ଅପେକ୍ଷା କରିଛି ସେ ପ୍ରତୀକ୍ଷିତ ମୁହୂର୍ତ୍ତକୁ । ଏହା ପୁର୍ବରୁ ସଖା ସୂଚିତ କରିସାରିଥାନ୍ତି ଯେ ଏହି ସ୍ଵୟମ୍ବରର ବିଜେତା ବିଶ୍ଵର ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର, ଧନଞ୍ଜୟ ହିଁ ହେବେ । ପାଞ୍ଚାଳକୁ ଖବର ଆସିଥିଲା ଯେ, ମାତା କୁନ୍ତୀଙ୍କ ସମେତ ପାଞ୍ଚ ପାଣ୍ଡବ ଜତୁଗୃହରେ ଜୀବନ୍ତ ଦଗ୍ଧ ହୋଇସାରିଛନ୍ତି । ଏହା ସତ୍ତ୍ୱେ ସଖାଙ୍କ ଅଧରର ସେ ସ୍ମିତ ହାସ୍ୟ ମୋ ମନର ଦାବାଗ୍ନି ପାଇଁ ଚନ୍ଦନ କର୍ପୂରର ଶୀତଳତା ଯୋଗାଇ ଥିଲା । ସର୍ତ୍ତାନୁଯାୟୀ ଜଣେ ମଧ୍ୟ ଜଳରେ ମତ୍ସ୍ୟର ପ୍ରତିବିମ୍ବକୁ ନିରିକ୍ଷଣ କରି ମତ୍ସ୍ୟର ଚକ୍ଷୁକୁ ତୀରଭେଦ କରିପାରୁନଥିଲେ । ଏହି ସମୟରେ କର୍ଣ୍ଣରେ କୁଣ୍ଡଳ, ବକ୍ଷରେ ଅଭିନ୍ନ କବଚ ସହିତ ଜଣେ ତେଜୋଦୀପ୍ତ ଯୁବକ ତୀରଭେଦ ନିମିତ୍ତ ଉଦ୍ୟତ ହୁଅନ୍ତେ "ସୂତ ପୁତ୍ର କର୍ଣ୍ଣ "ବୋଲି ଏକ ତୀବ୍ର ଅଟ୍ଟହାସ୍ୟ ସଭା ସାରା ପ୍ରକମ୍ପିତ ହେଲା । ମୁଁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲି, କାରଣ ମୁଁ ଅର୍ଜୁନଙ୍କୁ ପ୍ରତୀକ୍ଷା କରୁଥିଲି । ଏହି ଭୁଲ୍ ମୁଁ କରିଥିଲି । ତେଣୁ ଆତ୍ମଗ୍ଲାନିରେ କର୍ଣ୍ଣ ଏଥିରୁ ବିରତ ହୋଇଥିଲେ । 

ସର୍ବ ଶେଷରେ ଜଣେ ତେଜସ୍ଵୀ ବ୍ରାହ୍ମଣ ଯୁବକ ସର୍ତ୍ତାନୁସାରେ ଜଳରେ ମୀନର ପ୍ରତିବିମ୍ବକୁ ଲକ୍ଷ୍ୟ ରଖି ମୀନର ଚକ୍ଷୁରେ ୫ଗୋଟି ଶର ବିଦ୍ଧ କରି ମୋତେ ବିବାହ କରିଥିଲେ । ସେଥିରେ ମଧ୍ୟ ପିତାଙ୍କର କୌଣସି ଆପତ୍ତି ନଥିଲା । ଚିନ୍ତା ମଧ୍ୟ କରିନଥିଲେ ଜଣେ ରାଜକନ୍ୟା କିଭଳି ଜଣେ ବ୍ରାହ୍ମଣ ଭିକ୍ଷୁକ ଘରେ ଜୀବନ ଯାପନ କରିପାରିବ । ଶେଷରେ ମୁଁ ମୋ ସ୍ୱାମୀ ଓ ତାଙ୍କର ଅନ୍ୟ ଚାରି ଭାଇଙ୍କ ସହ ବନପଥ ଅତିକ୍ରାନ୍ତ କରି ବନ ମଧ୍ୟସ୍ଥ ଏକ କୁଟୀରରେ ପହଞ୍ଚିଲୁ । ଏହି ପଥ ଅତିକ୍ରମ କରିବା ସମୟରେ ଜ୍ୟୋଷ୍ଠ ଭ୍ରାତା ମୋ ସ୍ୱାମୀଙ୍କୁ ଅର୍ଜୁନ ଭାବେ ସମ୍ବୋଧିତ କରିଥିଲେ, ସେଠାରୁ ହିଁ ମୁଁ ଜାଣିଲି ଯେ ମୁଁ ଏବେ କୌଣସି ବ୍ରାହ୍ମଣ ଭିକ୍ଷୁକନୁହେଁ ବରଂ ଧନୁର୍ଦ୍ଧର ଅର୍ଜୁନଙ୍କର ପତ୍ନୀ । ଖୁସିରେ ଝୁମିଉଠିଥିଲା ମନ, ବୁଝିପାରୁଥିଲି ସଖାଙ୍କର ସ୍ମିତ ହାସ୍ୟର ଅର୍ଥ । ଜ୍ୟୋଷ୍ଠଭ୍ରାତା ମାତା କୁନ୍ତୀଙ୍କୁ ସମ୍ବୋଧନ କରି କହିଲେ, "ମାଆ ଦେଖ ଆମେ ଆଜି କଣ ଭିକ୍ଷା କରିଆଣିଛୁ" । । ମାଆ କୁଟୀର ଭିତରୁ କହିଲେ ଯାହା ଆଣିଛ ପାଞ୍ଚ ଭାଇ ବାଣ୍ଟିକରି ନିଅ । ଲଜ୍ଜାରେ ମୁଁ ନତ ମସ୍ତକ ହୋଇ ରହିଥିଲି, ମୁଁ କ'ଣ ଗୋଟେ ଦ୍ରବ୍ୟ ଥିଲି ଯେ ବଣ୍ଟନ ଯୋଗ୍ୟ ହୋଇଗଲି । ମାତା କୁନ୍ତୀ ଯେତେବେଳେ ମୋତେ ଦେଖିଲେ, ମୋ ମଥାରେ ହାତ ରଖି କହିଥିଲେ, "ମୋ କୂଳବଧୁ ଆସିଛି, ଅଥଚ ମୁଁ କେଉଁ ଭିକ୍ଷା ଦ୍ରବ୍ୟ ମନେ କରିଥିଲି । ଏବେ ମୁଁ ମୋ ବଚନ କିପରି ଫେରାଇ ପାରିବି??"ଏହି ନିଷ୍ପତ୍ତିକୁ ମାନିନେଇଥିଲେ ପାଞ୍ଚ ଭାଇ । ମାତା ଇଚ୍ଛା କରିଥିଲେ ନିଜ କଥାକୁ ଫେରାଇ ନେଇ ପାରିଥାନ୍ତେ; କିନ୍ତୁ ଛାର ଆତ୍ମ ସମ୍ମାନ ପାଇଁ ଏହାକୁ ଫେରାଇନଥିଲେ । ସେ ସମୟରେ ମୁଁ ପ୍ରଚଣ୍ଡ କ୍ରୋଧାଗ୍ନିରେ ପ୍ରଜ୍ଜ୍ୱଳିତ ହେଉଥିଲି । ଏହାର ଫଳ ସ୍ୱରୂପ ପ୍ରତି ଥର ମିଳନ ପରେ ମୋତେ ଅଗ୍ନି ସ୍ନାନ କରିବାକୁ ପଡ଼ୁଥିଲା । ବୋଧହୁଏ ଏଥିପାଇଁ ପଞ୍ଚସତୀରେ ସ୍ଥାନ ପାଇଛି ମୋର ନାମ ପାଞ୍ଚାଳି । 

ବହୁକଷ୍ଟରେ ମହାରାଜ ଧୃତରାଷ୍ଟ୍ର ପାଣ୍ଡବଙ୍କୁ ରହିବାପାଇଁ କେବଳ ଖାଣ୍ଡବ ପ୍ରସ୍ଥ ଦାନ କରିଥିଲେ, ଯାହାକି ବନ୍ଧୁର ଶିଳାରେ ପରିବେଷ୍ଟିତ ହୋଇ ନାଗ ତଥା ମାୟାସୁରର ବାସଭୂମୀ ହୋଇଥିଲା । ସେଠାରେ ସଖାଙ୍କ ଦ୍ୱାରା ମାୟାସୁର ପରାଜିତ ହୋଇ ଖାଣ୍ଡବ ପ୍ରସ୍ଥକୁ ଇନ୍ଦ୍ର ପ୍ରସ୍ଥରେ ପରିଣତ କରାଇଥିଲେ । ତାହା କୌଣସି ମାୟାନଗରୀରୁ କମ୍ ନଥିଲା । ଏହାର ପ୍ରତିଷ୍ଠା ଅବସରରେ ଯେତେବେଳେ ଦୁର୍ଯ୍ୟୋଧନ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିଲା ଜଳକୁ ସ୍ଥଳ ମନେ କରି ଭ୍ରମ ବଶତଃ ଜଳରେ ପଡିଯାଇଥିଲା । ଏଭଳି ଏକ ଦୃଶ୍ୟ ଦେଖି ମୁଁ କହିଦେଇଥିଲି, "ଅନ୍ଧର ପୁତ୍ର ଅନ୍ଧ" । ଏହା ମୋର ଏକ ବିରାଟ ଭୁଲ୍‌ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ଆୟୋଜିତ ହୋଇଥିଲା ଏକ ଛଳ ପୂର୍ଣ୍ଣ ଦ୍ୟୁତ କ୍ରୀଡା କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ । ଏହାର ସୂତ୍ରଧାର ଥିଲେ ଗାନ୍ଧାର ନରେଶ ଶକୁନି । ତାଙ୍କ ପିତାଙ୍କ ଅସ୍ଥିରୁ ନିର୍ମିତ ଗୋଟି ଗୁଡ଼ିକ ତାଙ୍କରି ନିର୍ଦ୍ଦେଶରେ ଚାଳିତ ହେଉଥିଲା । ପାଣ୍ଡବ ଇନ୍ଦ୍ର ପ୍ରସ୍ଥ ସମେତ ସମସ୍ତ ଧନ ଏପରିକି ନିଜକୁ ମଧ୍ୟ ହରାଇ ସାରିଥିଲେ । ସ୍ୱୀକାର କରିଥିଲେ କୌରବ‌ଙ୍କର ଦାସତ୍ୱ । ଶେଷରେ ମୋତେ ମଧ୍ୟ ଦ୍ୟୂତ କ୍ରୀଡ଼ାରେ ହରାଇଦେଲେ ଏକ ବସ୍ତୁ ପରି । ଦୁର୍ଯ୍ୟୋଧନର ଆଦେଶ ଅନୁଯାୟୀ ଦୁଃଶାସନ ମୋତେ ଦାସୀ ଭାବେ ନେବାକୁ ଆସିଥିଲା । ସେତେବେଳେ ମୁଁ ରଜସ୍ୱଳା ଥିଲି ତେଣୁ ପୁରୁଷ ଦର୍ଶନ ମନାଥିଲା । ମନା କରିଦେଇଥିଲି ସଭାରେ ଉପସ୍ଥିତ ହେବାପାଇଁ । ତେଣୁ ସେ ମୋ କେଶରାଶିକୁ ଟାଣି ଟାଣି କୁରୁସଭାକୁ ନେଇଥିଲା । ପ୍ରତିହିଂସା ପରାୟଣ ହୋଇ ଦୁର୍ଯ୍ୟୋଧନ ଭରା ସଭାରେ ମୋର ବସ୍ତ୍ର ହରଣର ଆଦେଶ ଦେଇଥିଲା । ଏହାକୁ କେହି ପ୍ରତିରୋଧ କରିନଥିଲେ । କେତେ ବ୍ୟାକୁଳ ହୋଇ ଅନୁରୋଧ କରିଥିଲି, ହେଲେ ଜଣେ ହେଲେ ଏହି ଅପରାଧକୁ ବାରଣ ନକରି କେବଳ‌ ନିରବଦ୍ରଷ୍ଟା ସାଜିଥିଲେ । କାହିଁ ଥିଲା ପିତାମହ ଭୀଷ୍ମଙ୍କର ସେ ସତ ସିଂହର ପରାକ୍ରମ, ଯାହା ନାରୀଟିଏକୁ ସୁରକ୍ଷା ଦବାକୁ ଅସମର୍ଥ । କାହିଁ ଥିଲା ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ଓ ରାଜଗୁରୁ କୃପାଚାର୍ଯ୍ୟଙ୍କର ସେ ବୀରତ୍ୱ । ଭରା ସଭାରେ କ'ଣ ଜଣେ ମଧ୍ୟ ସାମର୍ଥ୍ୟ ନଥିଲେ, ଯେ ଜଣେ ନାରୀର ସମ୍ମାନ ରକ୍ଷା କରିପାରିଥାଆନ୍ତେ । ସମସ୍ତ ପାରିଷଦ ବର୍ଗ ଥିଲେ ପାପାନ୍ନ ଭୋଗୀ । କୁରୁବଂଶର ପାପ ଅନ୍ନରେ ପ୍ରତିପାଳିତ ହେଉଥିଲେ । ପାଞ୍ଚପତି ବରଣ କରି କ'ଣ ମୁଁ ସୁରକ୍ଷିତ ଥିଲି । ଶେଷରେ ମୁଁ ମୋର ରକ୍ଷା କରିବାରୁ ନିବୃତ୍ତ ହୋଇ ହସ୍ତୋନ୍ମୁକ୍ତ କରି ଶରଣ ଗଲି ସଖାଙ୍କ ପାଖରେ । ସଖା କୋଟି ବସ୍ତ୍ର ଦାନ କରି ମୋର ମାନ ରଖିଥିଲେ । ସେଦିନ ଦ୍ୱାରକା ମହଲରେ ସଖାଙ୍କର ହାତ କଟି ରକ୍ତ ବହିଥିଲା ବେଳେ ସମସ୍ତେ ଚିରା ବସ୍ତ୍ର ଖୋଜିଥିଲେ, ହେଲେ ମହଲରେ ଚିରା ବସ୍ତ୍ର କେଉଁଠି ଥାଆନ୍ତା । ସେଦିନ ମୋର ପାଟ ପଣତ ଚିରି ସଖାଙ୍କ ହାତରେ ଗୁଡ଼ାଇ ଦେଇଥିଲି । ସଖା ଏଭଳି ପ୍ରାପ୍ୟ ଦେବ ବୋଲି କଳ୍ପନା କରିନଥିଲି । ସତରେ କ'ଣ ସେଦିନ ପାଞ୍ଚାଳୀ ବିବସ୍ତ୍ର ହେଉଥିଲା ନା ନିରବ ଦ୍ରଷ୍ଟା ସାଜିଥିବା କୁରୁ ସଭା । ସେହିଦିନ ହିଁ ପ୍ରତିଜ୍ଞା କରିଥିଲି ଦୁଃଶାସନର ବକ୍ଷର ରକ୍ତରେ ମୋର କେଶ ବାନ୍ଧିବି । 

               ଏହାପରେ ପାଞ୍ଚ ପତିଙ୍କ ସହ ୧୨ବର୍ଷର ବନବାସ ପରେ ୧ ବର୍ଷ ଅଜ୍ଞାତବାସ ପାଇଁ ଚୟନ କରିଥିଲୁ ମତ୍ସ୍ୟ ଦେଶକୁ । ବିରାଟ ରାଜାଙ୍କ ଅଧୀନରେ ମୋର ସ୍ୱାମୀ ଯୁଧିଷ୍ଠିର "କଙ୍କ"ନାମରେ ଉପଦେଶ ଦାତା ସାଜିଥିବା ବେଳେ, ସ୍ୱାମୀ ଭୀମ "ବଲ୍ଲଭ"ନାମରେ ମୁଖ୍ୟ ରୋଷେୟା ଭାବେ ରାଜ ରୋଷେଇ ଶାଳର ଦାୟିତ୍ଵ ନିର୍ବାହ କରିଥିଲେ । ସ୍ୱାମୀ ଅର୍ଜୁନ "ବୃହନ୍ନଳା"ନାମରେ ନର୍ତ୍ତକୀ ସାଜି ରାଜକୁମାରୀ ଉତ୍ତରାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ; ସେଠାରେ ହିଁ ଉର୍ବଶୀ ଦେଇଥିବା ନପୁଂସକ ହେବାର ଅଭିଶାପ ଫଳପ୍ରଦ ହୋଇଥିଲା । ସ୍ଵାମୀ ନକୁଳ"ଗ୍ରନ୍ଥିକା"ନାମରେ ଘୋଡାଶାଳର ଦାୟିତ୍ଵ ନେଇଥିବାବେଳେ, ସ୍ୱାମୀ ସହଦେବ"ତନ୍ତିପାଳ"ନାମରେ ଗୋଶାଳାର ଦାୟିତ୍ଵରେ ରହିଲେ । ଶେଷରେ ମୁଁ ବିରାଟ ରାଜାଙ୍କ ରାଣୀ ସୁଦେଷ୍ଣାଙ୍କର ଦାସୀ "ସୈରେନ୍ଧ୍ରୀ"ଭାବେ ଆତ୍ମଗୋପନ କଲି । ରାଣୀ ସୁଦେଷ୍ଣାଙ୍କର ଭ୍ରାତା କିଚକ, ରାଜ୍ୟର ସେନାପତି ପଦବୀରେ ଥାଆନ୍ତି । ମୁଁ ତାଙ୍କର କୁଦୃଷ୍ଟିର ଶିକାର ହୋଇଥିଲି । ଏସବୁ ଜାଣିବା ସତ୍ତ୍ୱେ ରାଣୀ ମୋ ଦ୍ୱାରା ତାଙ୍କ ନିକଟକୁ ସୁରା ପ୍ରେରଣ କରୁଥିଲେ, ଯାହାକି କିଚକ ନିମନ୍ତେ ସୁଯୋଗ ସୃଷ୍ଟି କରିଥିଲା । କିନ୍ତୁ ମୁଁ ବୁଦ୍ଧିମତାର ସହିତ ଛଳନା କରି ପରଦିନ ନୃତ୍ୟ ମଣ୍ଡପରେ ଦେଖାହେବ କହି ନିଜକୁ ରକ୍ଷା କରିପାରିଥିଲି । ତା ପରଦିନ ରାତିରେ ପତି ଭୀମ ସ୍ତ୍ରୀ ଭାବେ ନୃତ୍ୟ ମଣ୍ଡପରେ କିଚକର ଅପେକ୍ଷା କରିଥିଲେ । କିଚକ ଆସିବା ପରେ ତା ସହ ଯୁଦ୍ଧ କରି ତା'ର ହତ୍ୟା କରିଥିଲେ । 

ବାସ୍ତବରେ ଯଦି ନାରୀଟିଏ ଅନ୍ୟ ଜଣେ ନାରୀ‌ର ସମ୍ମାନ ପ୍ରତି ତତ୍ପର ରହେ ତେବେ ଏହି ପୁରୁଷ ପ୍ରଧାନ ସମାଜ ନାରୀକୁ ସମ୍ମାନ ଦେବା ପାଇଁ ବାଧ୍ୟ ହେବେ । 

ଅଜ୍ଞାତବାସର ଶେଷ ଦିନ ‌କୌରବ ଜାଣିପାରିଲେ ଯେ ଆମେ ବିରାଟ ରାଜାଙ୍କ ରାଜଧାନୀରେ ଆଶ୍ରିତ । ତେଣୁ ସେମାନେ ମତ୍ସ୍ୟ ରାଜ୍ୟ ଆକ୍ରମଣ କଲେ । ଯେତେବେଳେ ଅଜ୍ଞାତ ବାସର ଅବଧିର ପରିସମାପ୍ତି ଘଟିଲା, ସେତେବେଳେ ଅର୍ଜୁନ କୌରବଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିଲେ । କିନ୍ତୁ ଦୁର୍ଯ୍ୟୋଧନ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲା । ତେଣୁ ସର୍ତ୍ତାନୁଯାୟୀ ଆମକୁ ଇନ୍ଦ୍ରପ୍ରସ୍ଥ ଫେରାଇନଥିଲେ । 

ଏହାହିଁ ମହାଭାରତ ଯୁଦ୍ଧର ସୂତ୍ରପାତ କରିଥିଲା । ଯୁଦ୍ଧ ହୋଇଥିଲା ଧର୍ମ କ୍ଷେତ୍ର, କୁରୁକ୍ଷେତ୍ରରେ, ଯେଉଁ ଠାରେ ଋଷି ଯମଦଗ୍ନିଙ୍କର ପୁତ୍ର ଅବତାରୀ ପର୍ଶୁରାମ ୨୩ ଥର ପୃଥିବୀରୁ ବିଧର୍ମୀ କ୍ଷତ୍ରିୟ ନିପାତ କରିଥିଲେ । ଦୀର୍ଘ ୮ଦିନ ପରେ ଯେତେବେଳେ ପିତାମହ ଭୀଷ୍ମଙ୍କ ନେତୃତ୍ୱରେ ପାଣ୍ଡବଙ୍କର କୌଣସି କ୍ଷତିି ହେଲାନାହିଁ ଦୁର୍ଯ୍ୟୋଧନ ପିତାମହଙ୍କର ଉପରେ ଆରୋପ ଲଗାଇ ପରଦିନ ପାଣ୍ଡବମୃତ୍ୟୁର ଭୀଷ୍ମ ପ୍ରତିଜ୍ଞା କରାଇବାରେ ସଫଳ ହୋଇଥିଲା । ସଖା ଏହା ବୁଝିପାରିଥିଲେ । ସେହିଦିନ ରାତିରେ ସଖା ମୋତେ ପିତାମହଙ୍କ ଶିବିରକୁ ଯାଇ ଅହ୍ୟସୁଲକ୍ଷଣୀ ଆଶୀର୍ବାଦ ନେବାପାଇଁ ପ୍ରବର୍ତ୍ତାଇଥିଲେ । ଦୁହେଁ ଶିବିର ନିକଟକୁ ଯିବା ପରେ ସଖା ମୋ କଠଉ, ନୁପୁର କାଢି ଧରିଲେ, ହେଲେ ଏସବୁ ମୁଁ ବୁଝିପାରୁନଥାଏ । ଯେବେ ଯାଇ ଧ୍ୟାନରତ ପିତାମହଙ୍କର ଚରଣ ସ୍ପର୍ଶ କଲି, ସେ ମତେ ଦୁର୍ଯ୍ୟୋଧନର ପତ୍ନୀ ଭାବି ସୁହାଗିନୀର ଆଶୀର୍ବାଦ ଦେଲେ । ହେଲେ ମୋତେ ଦେଖି ଚକିତହୋଇଥିଲେ ହେଲେ ପରେ ସଖାଙ୍କୁ ଦେଖି ସ୍ମିତ ହାସ୍ୟଦେଇ କହିଲେ, "ଧନ୍ୟ ତୁମେ କୃଷ୍ଣ, ଗୋପପୁରରେ ରାଧା ମାନଭଞ୍ଜନ ପାଇଁ ରାଧା ପାଦ ଧରି ଅଳତାରେ ସଜାଇଲ, ଏବେ ଭକ୍ତ ରକ୍ଷା ପାଇଁ ସଖୀ କୃଷ୍ଣାର କଠଉ ଧରିଦେଲ । "ଦୁହେଁ ଫେରିଥିଲୁ ନିଜ ଶିବିରକୁ । ଦୀର୍ଘ ୧୮ଦିନର ଯୁଦ୍ଧ ପରେ ମହାଭାରତ ଯୁଦ୍ଧର ଅବସାନ ଘଟିଥିଲା । ଦୁଷ୍ଟମାନଙ୍କର ନିପାତ ହୋଇଥିଲା । ଧର୍ମ ଅଧର୍ମ ଉପରେ ବିଜୟ ଲାଭ କରିଥିଲା । ଜୀବିତ ରହିଥିଲେ ପାଞ୍ଚ ପାଣ୍ଡବ ଓ କୌରବ ପକ୍ଷର ଅଶ୍ଵସ୍ଥାମା, ଯେ କି ପାଗଳ ପ୍ରାୟ ଅବସ୍ଥାରେ ରହିଥିଲେ । ମୋର ପ୍ରତିଜ୍ଞା ପୂର୍ଣ୍ଣ ହୋଇଥିଲା । ଦୁଃଶାସନର ବକ୍ଷର ରକ୍ତରେ ମୋ କେଶ ଧୋଇବା ପରେ କେଶ ବାନ୍ଧିଥିଲି । ଦୁର୍ଯ୍ୟୋଧନର ଜାନୁ ଚୂର୍ଣ୍ଣ ହୋଇଥିଲା । ପାପାର୍ଣ୍ଣରେ ପାଳିତ ହୋଇଥିବା ପାପୀଙ୍କର ବିନାଶ ହୋଇଥିଲା । ଅଭିମନ୍ୟୁ ଓ କର୍ଣ୍ଣ ବିଜୟ ମୃତ୍ୟୁ ପ୍ରାପ୍ତ କରିଥିଲେ । ପାଞ୍ଚ ପତିଙ୍କରରକ୍ଷା ନିମିତ୍ତ ଛଳନାର ସହ ହତ୍ୟା କରାଯାଇଥିଲା ମୋ ପାଞ୍ଚ ପୁତ୍ରଙ୍କର । ଧର୍ମର ଜୟ ସହିତ ସୃଷ୍ଟି ହୋଇଥିଲା ସଖାଙ୍କର ମୁଖନିଃସୃତ"ଶ୍ରୀମଦ୍ ଭଗବତ ଗୀତା", ଯାହା ଯୁଗ ଯୁଗ ପାଇଁ ମାନବ ସମାଜକୁ ମୁକ୍ତିର ପଥ ପ୍ରଦର୍ଶନ କରିବ । 

ଇତିହାସ ସାକ୍ଷୀ ରହିଛି, ଯେବେ ଯେବେ ନାରୀ ନିଷ୍ପେସିତ ହୋଇଛି, ଯେବେ ନାରୀର ସମ୍ମାନ କ୍ଷୁର୍ଣ୍ଣ ହୋଇଛି, ଯେବେ ନାରୀଟିଏ କାନ୍ଦିଛି, ପରିଣାମରେ କେବଳ ଧ୍ଵଂସ ହିଁ ଧ୍ଵଂସ ହୋଇଛି । 

ଯୁଦ୍ଧର ପରିଣତିରେ ମୁଁ ହୋଇଥିଲି ଅଖଣ୍ଡ ଆର୍ଯ୍ୟବର୍ତ୍ତର ସାମ୍ରାଜ୍ଞୀ । ଚାରିଆଡ଼େ ଥିଲା କୁଢ଼ କୁଢ଼ ଶବ, ଶ୍ୱାନ, ଶୃଗାଳର ଚିତ୍କାର, କ୍ରନ୍ଦନର ଧ୍ଵନି । ସାମ୍ରାଜ୍ଞୀ ହିସାବରେ ଶାସନ କାହାକୁ କରିଲି ??? ଅକାଳ ବୈଧବ୍ୟ ପ୍ରାପ୍ତି ହୋଇଥିବା ନାରୀଙ୍କୁ, ପିତୃହରା ସନ୍ତାନମାନଙ୍କୁ, ପୁତ୍ର ହରା ବୃଦ୍ଧ ପିତା ମାତାଙ୍କୁ । ଆପଣେଇ ନେଇଥିଲି ସଭିଙ୍କୁ ନିଜର ସନ୍ତାନ ଭାବେ । ମୁଁ ମଧ୍ୟ ହରାଇଥିଲି ନିଜର ପିତା, ପୁତ୍ର, ଭାଇ, ଜ୍ଞତି କୁଟୁମ୍ବକୁ । 

ସମୟ ସୁଅରେ ଅତିକ୍ରାନ୍ତ କରିଆସୁଛି ମୋ ଜୀବନର ଆୟୁଷ । ଅବତୀର୍ଣ୍ଣ କରିଛି ଶେଷ ଅବସ୍ଥାରେ । ଏହି ଶେଷ ଅବସ୍ଥାରେ ମଧ୍ୟ ମୋର ପାଞ୍ଚ ପତି ମୋତେ ଏକାକୀ ଛାଡ଼ିଗଲେ ଏହି ହିମାଳୟର ବନ୍ଧୁର ବରଫ ଖଣ୍ଡରେ । ସେମାନଙ୍କର ସ୍ଵଦେହ ସ୍ଵର୍ଗାରୋହଣ ପରେ ମୁଁ ଏକା ହୋଇ ଅବଲୋକନ କରୁଛି ବିତିଯାଇଥିବା ଜୀବନର ଘଡିସନ୍ଧି ମୁହୂର୍ତ୍ତ ଗୁଡ଼ିକୁ । ଅନୁଭବ କରିଛି ସଖା ତୁମର ଉପସ୍ଥିତିକୁ । ଆଉ ଚାଲିବାକୁ ଶକ୍ତି ନାହିଁ ସଖା । ତୁମ ଚରଣ କମଳରେ ସ୍ଥାନ ଦିଅ ସଖା । ଲୋଡା ନାହିଁ ମୋର ସ୍ଵର୍ଗାରୋହଣ । ମୋକ୍ଷ ଦିଅ ସଖା । ସତରେ ତୁମ ବଂଶୀର କେଡେ ଭାଗ୍ୟ; ଯାହାଙ୍କ ଚରଣରେ ସ୍ଥାନ ପାଇବା ପାଇଁ କେତେ ତପ କରିବାକୁ ପଡେ, ସେଠାରେ ବଂଶୀ ତୁମର ଅଧର ସ୍ପର୍ଶ ପାଉଛି । ଏହି ଶେଷ ଅବସ୍ଥାରେ ଆଜି ପୁଣି ତୁମକୁ ଖୋଜୁଛି ସଖା, ମୋତେ ମୁକ୍ତି ଦିଅ । 

ବି. ଦ୍ର.: ମହାଭାରତ ଗାଥାର ଏହି ସଂଘର୍ଷମୟୀ ତଥା ସୁଦୃଢ ନାରୀ ଚରିତ୍ରଟିକୁ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛି । ଆଶା କରେ ତ୍ରୁଟି ଥିଲେ କ୍ଷମା କରିବେ । 

    । । ଧନ୍ୟବାଦ । । 



Rate this content
Log in

Similar oriya story from Inspirational