ମୌସୁମୀର ସ୍ପର୍ଶ
ମୌସୁମୀର ସ୍ପର୍ଶ
ଆଲୋ ମାଆ ମୌସୁମୀ କୁଆଡେ ଗଲୁ ତୋ ନିଧିଆ ମଉସା କହୁଥିଲା ପାଣିପାଗ ବିଭାଗ କହିଛି ଆମ ଓଡିଶାକୁ ଆଉ ଦୁଇଦିନ ଭିତରେ ମୌସୁମୀ ଆସିଯିଵ।ଏଥର ମୌସୁମୀ ବର୍ଷା ସ୍ବଭାବିକ ହେବ। ଆହୁରି ପାଣିପାଗ ବିଭାଗ କହିଛି ଆଜିକାଲି ଦୁଇଦିନ ପ୍ରବଳ ବର୍ଷା ହେବ।ଏଥର ମାଆ ମୌସୁମୀ ଆମର ଧାନ ରୁଆ କାମଟା ଆରମ୍ଭ କରିଦେବା।କି କରୋନା ଆସିଲା ଦାଉ ସାଧିଲା ଆମକୁ।କଣ ଚାଷ ଜମିରେ ଟମାଟ,ବାଇଗଣ ଲଗାଇଥିଲେ ସବୁତ ନଷ୍ଟ ହେଲା। କଣ ଟିକେ ବିକ୍ରି ହୋଇଥାନ୍ତା ନା ନାହିଁ କି ପୋକ ଲାଗିଲା ତାକୁ ଉପାଡିବାକୁ ପଡିଲା।
ଵୋଉଲ ତୁ ଏତେ ବ୍ୟସ୍ତ କଣ ପାଇଁ ହେଉଛୁ।
ମୌସୁମୀ କେତେବେଳେ ଆସୁଛି କେତେବେଳେ ଯାଉଛି ତାର ଠିକଣା ନାହିଁ।ପୂର୍ବେ ଠିକ୍ ସମୟରେ ଆସୁଥିଲା ତାର ବାଟକୁ ଚାହିଁ ରହୁଥିଲୁ ସମସ୍ତେ।
କେତେ ସଜବାଜ, ଜାକଜମକରେ ସ୍ବାଗତ ଜଣାଉଥିଲେ ତାକୁ।ମନ ଭିତରେ ଭରି ଯାଉଥିଲା ଅସରନ୍ତି ସୁଖର ସମ୍ଭାର।ମୌସୁମିର ପଦପାଦରେ ଧରଣୀ ମାତା ହେଉଥିଲେ ରଜସ୍ବାଳା । ପିଠାପଣା ଭୋଗ ଲାଗୁଥିଲା। ତିନି ଦିନ ରଜ ଉତ୍ସବ ପରେ ଖାସ୍ ମୌସୁମୀର ପ୍ରଥମ ସ୍ପର୍ଶ,ପ୍ରଥମ ବର୍ଷାକୁ ଘରେ ଘରେ ସ୍ବାଗତ କରୁଥିଲେ ।ବସୁମତୀ ମାଆଙ୍କୁ ହଳଦୀ ପାଣିରେ ଗାଧୋଇ ଫୁଲ ଧୂପ ଦୀପରେ ବନ୍ଦାପନା କରି।
କିନ୍ତୁ କହି ହେଉନାହିଁ ଏ ବର୍ଷ ଭଲ ବର୍ଷା ହେବ କି ନ ହେଵ। ଯଦି ଏ ବର୍ଷ ଭଲ ବର୍ଷାହେଵ ଵୋଉ ତୁ କହିଲା ପରି ଏ ଦିନେ ଦୁଇଦିନ ଭିତରେ ଧାନ ରୁଆ କାମଟା ଆରମ୍ଭ କରିଦେଵା।
----ମା ମୌସୁମୀ ତୋର ଏବେ ପାଠପଢିଵା ସମୟ। ପଢାପଢିରେ ନ କରି କେତେ ଚାଷକାମରେ ନିଜକୁ ନିୟୋଜିତ କରିବୁ।
---ହଁ ଵୋଉ ତୁ ସତ କଥା କହିଲୁ। ପଇସା ଆସିଲେ ସିନା ପାଠପଢିଵି ନ ହେଲେ କେମିତି ପଢିବି କହିଲୁ ଵୋଉ। ପାଠପଢାରେ କେତେ ଖର୍ଚ୍ଚ ହେଉଛି ତୁ ଜାଣିଛୁ।ତୁ କଣ ଏକୁଟିଆ ଘରଚଳାଇବୁ। ତୋ ଦେହ ତ ଭଲ ନାହିଁ। ମୁଁ ତୋ ସହ କାମକୁ ନ ଗଲେ ଆଉ କିଏ କାମ କରିବ କହ? ଏ ଘର ଚଳିବ କେମିତି? ତୋ ପାଇଁ ସବୁ ବେଳେ ଔଷଧ ଦରକାର।
ଝିଅ ବୋଲି ମତେ ଅବଳା ଦୁର୍ବଳା ଭାବୁଛୁ କି ମତେ!ମୁଁ କାମକରି ବାପା ଧାର କରଜ କରିଥିବା ସବୁ ପାଉଣା ମହାଜନଙ୍କୁ ସୁଝାଇଦେବି।ମା ତୋ ଝିଅଟି ମୁଁ।ମୋ ନାଆଁ ମୌସୁମୀ ଜାଣିଥା।
----ଝିଅ ମୁହଁରୁ ଏତିକି କଥା ଶୁଣିବା ପରେ ଥପଥପ ହୋଇ ଆଖିରୁ ଲୁହ ବୋହିଗଲା ତା ଵୋଉର।ହଁ ଲ ମାଆ ତୋ ବାପା ଥିଲେ ଏତେ କଷ୍ଟ ଆମକୁ ହୋଇ ନଥାନ୍ତା।ଅଭାବ ଅନଟନ ନ ସହି ଋଣବାଡିରେ ପଡି କିଟନାଶକ ପିଇ ଆତ୍ମହତ୍ୟା କରିଦେଲେ ତୋ ବାପା।
---ମୌସୁମୀ ତା ମାଆର ଆଖିରୁ ଲୋତକ ପୋଛି କହିଲା ତୁ ଏତେ ବ୍ୟସ୍ତ ବିବ୍ରତ ହୋଇ ପଡିଲେ ଚଳିବ କି ଵୋଉ ତୋ ଝିଅ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛି ତୁ ଯମା ଚିନ୍ତା କରିବୁନି।ତତେ କେବେ ଖାଇବାରେ, ପିଇବାରେ ଅଭାବ କରିବାକୁ ଦେବିନି।ତୋ ମୁଣ୍ଡ ଛୁଇଁ ସପଥ କରୁଛି।ଏ କଥା ଜାଣିଥା ଵୋଉ।
ହଁ ବୋଉଲ ମୋର ଏବେବି ମନେ ଅଛି ଛୋଟବେଳର ସେହି ସ୍ମୃତି ମୁଁ ବାପାଙ୍କ ସହ ଯେତେବେଳେ ଚାଷକାମକୁ ଯାଉଥିଲି ବାପା ବର୍ଷାରେ ଭିଜି ଭିଜି ସବୁବେଳେ ଗିତଟିଏ ଗାଉଥିଲେ ଚଷା ଭାଇରେ ..........ଚଷା ଭାଇରେ.......।"ଚାଷ କାମ ଯାହାର ,କି ଆନନ୍ଦ ତାହାର ,ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର।ବାପାଙ୍କ ସେହି ଗିତଟି ମୋ ଆଖି ଆଗରେ ନାଚି ଉଠୁଛି।ବର୍ଷାର ଆଗମନରେ ଚାଷୀ ପରିବାର ମୁହଁରେ ଆନନ୍ଦ ଭରି ଯାଉଥିଲା ଅସରନ୍ତି ସୁଖର ସମ୍ଭାର।ସେହି ସୁନାର ଫସଲକୁ ଦେଖି ଚାଷୀ ଭାବେ ଏହା ତାହା ପାଇଁ ନିଜର କିମ୍ବା ନିଜ ପରିବାରର ଆହାର ନୁହେଁ ସାରା ଦୁନିଆର ଆହାର।ମଣିଷ ସମେତ କିଟପତଙ୍ଗ ସମସ୍ତଙ୍କର ଆହାର।
ମାଆ ଏବଂ ଝିଅ ଦୁଇଜଣ ପରସ୍ପର ଭିତରେ କଥାବାର୍ତ୍ତା କରିବା ସମୟରେ କୁଆଡ଼େ କଳାହାଣ୍ଡିଆ ମେଘଥିଲା ହଠାତ୍ ମାଡି ଆସିଲା।ସେ ମେଘକୁ ଦେଖି ଆନନ୍ଦରେ ବାହାରିପଡିଲା ମୌସୁମୀ ନିଜ ଶସ୍ୟ କ୍ଷେତ ଆଡକୁ। ତା ବୋଉ ପଛପଟୁ ଡାକ ଛାଡୁଥାନ୍ତି ମାଆ ମୌସୁମୀ କାଳେ ଘଡଘଡି ସହ ବଜ୍ରପାତ ହେବ ସତର୍କରେ ରହିବୁ।
-----କଣ ମୁଁ ନୂଆରେ କାମକୁ ଯାଉଛି ଵୋଉ !ମତେ ସତର୍କ କରାଉଛୁ?
କେତେ ବାତ୍ୟା,ବନ୍ୟା ଝଡ ତୋଫାନ ସବୁ ଆସିଛି।
ଏମିତି ଯଦି ଡରି ଘରେ ବସିରହିବି ତାହା ହେଲେ ପଇସା ଆସିବ କେଉଁଠୁ! ଆମେ ଚଳିବା କିପରି!
ଖାଲି ମୁଁ ନୁହଁ ମୋ ସହ ଅନେକ ଚଷାଲୋକ ନିଜ ନିଜ ବିଲରେ କାମ କରୁଛନ୍ତି।ତୁ ତ ଦେଖିଛୁ ନିଜେ।ଆମର ବୃତ୍ତିପରା ଚାଷକାମ।ଡରିଲେ କଣ ହେବ! ମୁଁ ଆସୁଛି କହି ଘରୁ ବାହାରିଗଲା ମୌସୁମୀ।
ମୌସୁମୀର ପ୍ରଥମ ବର୍ଷାରେ ଆନନ୍ଦର ସୀମା ରହିଲା ନାହିଁ ତାର।ମନେ ମନେ ଭାବୁଥାଏ ଏ କରୋନା ଲାଗି ଯାହା କ୍ଷତି ହେଲା ତଥାପି ମଝିରେ ମଝିରେ ଏମିତି ଅସରାଏ ଦିଅସରା ଭଲ ବର୍ଷା ହୋଇଗଲେ ବିଲବାଡିରେ ରୁଆରୁଇ ହୋଇ ଧାନଟିକେ ଭଲ ହୋଇଥାନ୍ତା।ବିଲରେ ଧାନ ରୋଇ ମନେ ମନେ ଗୁଣୁଗୁଣୁ ହୋଇ ମୌସୁମୀ ଗାଉଥାଏ
"ମେଘ ବରଷିଲା ଟୁପୁରୁ ଟାପର କେସୁର ମାଇଲା ଗଜା,କେଉଁ ରାଇଜେ ରହିଲେ ମୋ ରଜା ତେଲଙ୍ଗି ବାଇଦ ବଜା" ।
ମୌସୁମୀ ବର୍ଷାର ସ୍ପର୍ଶରେ ତା ଆଖପାଖ ବିଲର ଫଳୁଥିବା ଜାତି ଜାତିକା ଫଳ ଫୁଲ,ପନିପରିବାରେ ଭାରି ସୁନ୍ଦର ଦିଶୁଥାଏ।ଫୁଲମାନଙ୍କର ଅପୂର୍ବ ମହକରେ ମହକୁଥାଏ ଗ୍ରାମ୍ୟ ପରିବେଶ।
ତାହାକୁ ତୁହି ବର୍ଷା ସହ ହଟାତ୍ ପବନର ବେଗ ବଢି କଳାହାଣ୍ଡିଆ ମେଘର ବିଜୁଳିର ପ୍ରଚଣ୍ଡ ଶବ୍ଦରେ କାନ ମୁଣ୍ଡ ସ୍ତବ୍ଧ ହୋଇଗଲା । ବଜ୍ରପାତ ଘଟି ନିମିଷକ ମଧ୍ୟରେ ସବୁ ଛାରନାର ହୋଇଗଲା। ମୌସୁମୀର ଶରୀର କଳାକାଠ ପଡି ସେହି ବିଲମଧ୍ୟରେ ପଡିରହିଲା।ଏହି ବିଜୁଳିର ଭୟରେ ଯିଏ ଯେଉଁଠି ଥିଲେ ଆଶ୍ରୟ ନେବାକୁ ଚାଲିଗଲେ।କିନ୍ତୁ ମୌସୁମୀର ଶରୀର ବିଲ ମଧ୍ୟରେ ପଡିରହିଥିଲା କଳାକାଠ ପଡି।
ଵିଳମ୍ଵ ହେଲା ଯୋଗୁ ଝିଅର ଫେରିବା ବାଟକୁ ସେମିତି ଚାହିଁବସିରହିଥିଲେ ମୌସୁମୀର ବୋଉ।