Lipi Sahoo

Tragedy

4.5  

Lipi Sahoo

Tragedy

ମାମା ! ମୋତେ ଠକି ଦେଲ

ମାମା ! ମୋତେ ଠକି ଦେଲ

5 mins
252


ଜୀବନ ଆଉ ଆଞ୍ଚଲ ସ୍ଥାଣୁ ପରି ବସିଥାନ୍ତି ଡକ୍ଟର ଦାସଙ୍କ ଆଗରେ । ଯେତେବେଳେ ଡକ୍ଟର ଶୁଣେଇଦେଲେ ସେମାନଙ୍କର ଦଶ ବର୍ଷର ଏକମାତ୍ର ପୁଅ ଓମ୍ କୁ କ୍ୟାନ୍ସର । ପୃଥିବୀ ଟା ଯେମିତି ସେଇଠି ଅଟକି ଗଲା ଆଉ ସବୁଆଡେ ଖାଲି କିଟକିଟ ଅନ୍ଧାର । ଡକ୍ଟର ଠିକ୍ ବୁଝିପାରିଥିଲେ ସେ ଦୁଇ ଜଣଙ୍କ ଅସହାୟ ଅବସ୍ଥା କୁ । ସେ ସଙ୍ଗେ ସଙ୍ଗେ କହିଲେ ଆପଣ ପୁଅକୁ ମୁମ୍ବାଇ ନେଇଯାଇ ପାରନ୍ତି ବେଟର ଟ୍ରିଟମେଣ୍ଟ ପାଇଁ । ଆପଣ ଯଦି କହିବେ ମୁଁ ମୋ ବନ୍ଧୁ କ୍ୟାନ୍ସର ସ୍ପେଶାଲିଷ୍ଟ ଡକ୍ଟର ଅବସ୍ତିଙ୍କ ସହ କଥା ହେଇଯିବି । ସେ ସେଠି ସବୁ ବନ୍ଦୋବସ୍ତ କରିଦେବେ । ଆଉ ଯେତେ ଶିଘ୍ର ବାହାରି ଯିବେ ସେତେ ଭଲ । 

      ଜୀବନ କହି ଉଠିଲେ , ସେତ ଆମ ଦୁହିଁଙ୍କ ର ହୃଦୟର ସ୍ପନ୍ଦନ ତା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛୁ।

  

ତେବେ ତାଙ୍କ ସହ ଏବେ କଥା ହେଇଯାଉଛି ।


ସବୁ ଠିକ୍ ଠାକ୍ ହେଇଗଲା । କାଲି ହିଁ ବାହାରି ଯିବାକୁ ଡକ୍ଟର ଦାସ କହିଲେ । ସେ ଦୁହେଁ ଅଶେଷ ଧନ୍ୟବାଦ ଦେଇ ଚାମ୍ବରରୁ ବାହାରି ଆସିଲେ ।

ଜୀବନ ସଙ୍ଗେସଙ୍ଗେ ଟ୍ରାଭେଲ ଏଜେନ୍ସିକୁ ଫୋନ୍ କଲେ କାଲି ପାଇଁ ତିନୋଟି ମୁମ୍ବାଇ ଏୟାର ଟିକେଟ ପାଇଁ । ମୁଁ ସାର୍ ଦେଖୁଚି ଅଧଘଣ୍ଟେ ଭିତରେ ଜଣଉଚି କହି ଏଜେଣ୍ଟ ଫୋନ୍ ରଖିଲା ।


                    ଘରେ ପହଞ୍ଚି ଆଞ୍ଚଲ ପ୍ୟାକିଂରେ ଲାଗିପଡିଲା । ଓମ୍ ଖାଲି ପଚାରି ଚାଲିଥାଏ ମାମା ମୋର କ'ଣ ହେଇଛି ?? ଆମେ ମୁମ୍ବାଇ କାହିଁକି ଯିବା ?? ମୋର ବହୁତ କ୍ଲାସ ମିସ୍ ହେଇଯିବ ?? ମୁଁ କେମିତି ଏଡଜଷ୍ଟ କରିବି ?? ଏମିତି ଅନେକ ପ୍ରଶ୍ନ । ଆଞ୍ଚଲ ତା ପ୍ରଶ୍ନ ରେ ବ୍ୟତିବ୍ୟସ୍ତ ହୋଇପଡୁ ଥାଏ ହେଲେ ସେ କ'ଣ ଉତ୍ତର ଦେବ ବୁଝି ପାରୁ ନଥାଏ । ଖାଲି ହୁଁ ହୁଁ ମାରୁଥାଏ । ଏଇ ସମୟରେ ଏଜେଣ୍ଟ ର ଫୋନ୍ ଆସିଲା । ସରି ସାର୍ କାଲି ପାଇଁ କେବଳ ଦୁଇଟି ଟିକେଟ ଆଭଲେବଲ୍ ହେଉଛି । ସେ ବି ଏମରଜେନ୍ସି କେସ୍ ପାଇଁ । ଆଉ ଗୋଟେ ଟିକେଟ ପହର ଦିନ ମିଳି ପାରିବ । କ'ଣ କରିବି ସାର୍ ବୁକ୍ କରିବି ନା ନାହିଁ ??? ଗୋଟେ ମିନିଟ୍ ରେ ଜଣଉଛି କହି ଫୋନ୍ କାଟିଦେଲେ ଜୀବନ ।

                    ଖୁବ୍ ଅସହାୟ ଭାବରେ ଆଞ୍ଚଲ କୁ ଚାହିଁଲେ ଜୀବନ ଉତ୍ତର ପାଇଁ । ସେ ସଙ୍ଗେ ସଙ୍ଗେ କହିଲା ତୁମେ ଓମ୍ କୁ ନେଇ କାଲି ଚାଲିଯାଅ ମୁଁ ପହର ଦିନ ଚାଲିଯିବି । ଗୋଟିଏ ଦିନର କଥା । ଓମ୍ ର ଯେତେ ଶୀଘ୍ର ହେଉ ମୁମ୍ବାଇ ରେ ପହଞ୍ଚିବା ଦରକାର । ସେପଟେ ଡକ୍ଟର ଅବସ୍ତି ସବୁ ପ୍ରିପେୟାର କରି ରଖିଥିବେ । ତେଣୁ କାଲି ଯିବା ନିହାତି ଜରୁରୀ । ତୁମେ ସବୁ ଟିକେଟ କନଫର୍ମ କରିଦିଅ ‌। ଜୀବନ ଫୋନ୍ କରି ତିନିଟା ଯାକ ଟିକେଟ କନଫର୍ମ କରିଦେଲା । 


                 ଓମ୍ ସବୁ ଶୁଣି ଆଞ୍ଚଲକୁ କହିଲା ମାମା ମୁଁ ତୁମକୁ ଛାଡି ଏକୁଟିଆ ଯିବିନି । ଆମେ ସମସ୍ତେ ପରଦିନ ଏକାଠି ଗଲେ ହେବନି ???

                 ଆଞ୍ଚଲ ତା ମୁଣ୍ଡରେ ହାତ ବୁଲେଇ କହିଲା ଦେଖ ବାପା ତୁ ପା ବଡ଼ ପିଲା ହେଲୁଣି । ପାପା ତ ତୋ ସାଙ୍ଗରେ ଥିବେ ଏକୁଟିଆ କେମିତି ହେଲୁ ?? ମୁଁ ତ ପହର ଦିନ ପହଞ୍ଚି ଯିବି । ଗୋଟିଏ ରାତିର କଥା । ସେମିତି ଜିଦ୍ କଲେ କ'ଣ ଭଲ ?? ତୁ କ'ଣ ଚାହୁଁନୁ ତୋ ଦେହ ଭଲ ହେଇଯାଉ ବୋଲି । ସେଠି ଡକ୍ଟର ଅବସ୍ତି ଅପେକ୍ଷା କରିଥିବେ । ମୋ ପୁଅ ତ ବ୍ରେଭବୟ ! ଗୋଟିଏ ରାତି କ'ଣ ସେ ମା ବିନା ରହି ପାରିବନି ? ମୋ ସୁନା ପୁଅ । ତୁ ଭଲ ହେଇ ଫେରିଆସିଲେ ତୋ ଫେବରାଇଟ୍ ଜାଗାକୁ ବୁଲିଯିବା , ହେଲା ! କହି ତ ଦେଲା ହେଲେ ସେ ମନେ ମନେ ଭାବୁଥିଲା , ସେ ପୁଅକୁ ବୁଝୋଉଚି ନା ନିଜେ ନିଜକୁ ସାହାସ ଦେଉଛି । ପ୍ରକୃତ ରେ ଏଇ ସମୟରେ ପୁଅକୁ ଗୋଟିଏ ମୁହୂର୍ତ୍ତ ବି ସେ ଅଲଗା କରିବାକୁ ଚାହୁଁ ନଥିଲା । ଏଇ ଚବିଶ ଘଣ୍ଟା ତା ପାଇଁ ଗୋଟେ ଯୁଗ ପାଲଟି ଯିବ । ସେ ତ ନିଜେ ନିଜକୁ ସମ୍ଭାଳି ପାରୁନି ପୁଅକୁ କ'ଣ ବୁଝେଇବ ? ଓମ୍ ତା କାନି ନଧରିଲେ ଶୁଏ ନାହିଁ । ବାପପୁଅ ଙ୍କ ଜିନିଷ ସବୁ ଗୋଟିଏ ବ୍ୟାଗ ରେ ଭର୍ତ୍ତି କରି ସାରି ଜିପ୍ ଲଗେଇଲା । ଓମ୍ ସେମିତି ମୁହଁ ଶୁଖେଇ ବସିଥାଏ । 

                 ତୁମେ ପହରଦିନ ଆସି ପହଞ୍ଚି ଯିବ ତ??? ପ୍ରମିଶ୍ !! ହଁ ବାବା ମୁଁ ପହଞ୍ଚି ଯିବି , କହି ତା ମୁଣ୍ଡରେ ଗେଲ କଲା ।

                 ପର ଦିନ ଏୟାରପୋର୍ଟ ରେ ସେ ଲାଉଞ୍ ଭିତରକୁ ପଶିବା ବେଳେ ବିକଳରେ ଆଞ୍ଚଲ କୁ ବିକଳରେ ଅନେଇ ଥାଏ । ଗେଟ୍ ପାଖରୁ ଦୌଡ଼ି ଆସି ତାକୁ କୁଣ୍ଢେଇ ଧରିଲା । ଆଉ କହିଲା ପ୍ରମିଶ୍ ଯେମିତି ନ ଭୂଲ । ଆଞ୍ଚଲ ତା ହାତ ଧରି ଗେଟ୍ ଭିତରେ ଛାଡି କହିଲା ତୁ ପା ଶୁଣିଲୁ ମୋ ଟିକେଟ ବୁକ୍ ହେଇ ସାରିଛି । ଆଉ କେମିତି ନ ଯିବି କହିଲୁ । ଆଞ୍ଚଲ ର ଆଖିପତା ଓଦା ହେଇ ଆସୁଥିଲା । ସେ ଆଉ ସେଠି ବେଶୀ ସମୟ ଠିଆ ନ ହୋଇ ଫେରି ଆସିଲା ।

                 ଘରେ ପହଞ୍ଚି ଢେର୍ କାନ୍ଦିଲା । ଜୀବନର ଫୋନ୍ ଆସିଲା ଫ୍ଲାଇଟ୍ ଟେକଅଫ ନେବା ଆଗରୁ । ସେ ବି ଆଉ ସାହାସ କରି ପଚାରି ପାରିଲାନି ଓମ୍ ବିଷୟରେ । ଓମ୍ ହିଁ ଜୀବନ ଙ୍କଠୁ ଫୋନ୍ ନେଇ କହିଲା ମାମା ତୁମେ କ'ଣ କରୁଚ?? ତୁମେ ଆଉ କାନ୍ଦିବନି ମୁଁ ଦେଖିଚି ଗଲାବେଳେ ତୁମ ଆଖିର ଲୁହ।ଏଇ ଦେଖ ମୁଁ ବ୍ରେଭବୟ ! ମୁଁ କ'ଣ କାନ୍ଦୁଚି ! ତମେ ତ କାଲି ଆସିଯିବ । ହଉ ମୁଁ ଫୋନ୍ ରଖୁଛି । 

                  

                 ପଡୋଶୀ ମାଲା ଆଞ୍ଚଲ ଆଞ୍ଚଲ ଡାକି ପଶି ଆସିଲା । ପଚାରିଲା ଓମ୍ ହରିକା ଭଲରେ ଗଲେ ତ ?? ଓମ୍ ମନ ଖରାପ କରୁଥୁଲା କି ?? ମାଲା ଓମ୍ ବିଷୟରେ ସବୁ ଜାଣିଥିଲା । ସେ ତାକୁ ବହୁତ ଭଲପାଏ । ସେମାନଙ୍କ ର ପିଲାପିଲି ହେଇ ନଥାଏ ତ ସେଇଥି ପାଇଁ । ମୁଁ କିଛି ସାହାଯ୍ୟ କରିବି କି ପ୍ୟାକିଂରେ ??? ବହୁତ ଭଲ ମଣିଷ ମାଲା । ସତେ ଯେମିତି ସେ ବି ୟେ ଘରର ସଦସ୍ୟ । ଏମିତି ପଡୋଶୀ ଭାଗ୍ୟ ରେ ଥିଲେ ମିଳେ । ସେ ଠିକ୍ ବୁଝିପାରିଥିଲା ଆଞ୍ଚଲ ର ମାନସିକ ସ୍ଥିତିକୁ । ତମେ କିଛି ରାନ୍ଧିବନି ମୁଁ ବନେଇ ନେଇଆସିବି । ଆଞ୍ଚଲ କହିଲା ତମେ ବ୍ୟସ୍ତ ହୁଅନି ମୁଁ କରିଦେବି । ନା ନା ସେମିତି ହେବନି । ସେଠାରେ କେତେ ଦିନ ରହିବାକୁ ହେବ ଜଣା ନାହିଁ । ତୁମେ ସବୁ ଦରକାରୀ ଜିନିଷ ଭାବି ଭାବି ପ୍ୟାକିଂ କର । ଖାଇବା ମୁଁ ଦେଇଯିବି , ହେଲା ! କହି ସେ ଚାଲିଗଲା ।


                 ଦିନ ଯାଇ ସନ୍ଧ୍ୟା ହେଲା । ଆଞ୍ଚଲକୁ ପ୍ରତି ମୁହୂର୍ତ୍ତ ଗୋଟିଏ ଗୋଟିଏ ଯୁଗ ପରି ଲାଗୁଥାଏ । ଖାଲି ଓମ୍ ର ମୁହଁ ସବୁ ଆଡ଼େ ନାଚି ଯାଉଥାଏ । ବସି ବସି ପୁରୁଣା ଆଲବମ ଦେଖିଲା । ଜନ୍ମ ରୁ ଏ ପର୍ଯ୍ୟନ୍ତ ଉଠେଇଥିବା ସବୁ ଫଟୋ ଆଉ ବିଶେଷ ମୁହୂର୍ତ୍ତ ଗୁଡିକୁ ଗୋଟି ଗୋଟି ମନେ ପକେଇଲା । ହେ ! ଭଗବାନ ଏତେ ଛୋଟପିଲା କୁ କାହିଁକି ଏତେ ବଡ଼ ଦଣ୍ଡ ?? ଦେଇ ଛଡେଇ ନେବାରେ କ'ଣ ବଡପଣ ଥାଏ ପ୍ରଭୁ । ସେ ଦଣ୍ଡ ହେଲେ ମୋତେ ଦେଇ ଦେଇଥାନ୍ତ । 

                 ଠିକ୍ ଏଇ ସମୟରେ ଟ୍ରଭେଲ ଏଜେଣ୍ଟର ଫୋନ୍ ଆସିଲା । ହ୍ୟାଲୋ ! ମାଡାମ୍ ସରି ଟିକେଟ କ୍ୟାନସଲ ହେଇଯାଇଛି । ସରକାର କରୋନା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫ୍ଲାଇଟ୍ ସବୁ ବନ୍ଦ ରହିବ । ଆପଣ ଟିଭି ଦେଖିଲେ ସବୁ ଜାଣିପାରିବେ । ପଇସା ରିଫଣ୍ଡ ହେଇଯିବ । ଏତିକି କହି ସେ ଫୋନ୍ କାଟିଦେଲା । ତା ଦେହରେ ଯେମିତି କରେଣ୍ଟ ଲାଗିଲା ସାରା ଦେହ ଝିମ୍ ଝିମ୍ ହେଇଗଲା । ଦୌଡ଼ି ଯାଇ ଟିଭି ଅନ୍ କଲା । ନ୍ୟୁଜ ଦେଖି ତା'ର ହୋସ ଉଡ଼ିଗଲା । ଖୁବ୍ ଯୋରରେ ଚିତ୍କାର କରିବାକୁ ଇଚ୍ଛା ହେଉଥାଏ । କାହିଁକି ୟେ ସବୁ ଆମ ସହିତ କାହିଁକି ??

                 

                 ପୁଣି ଫୋନ୍ ବାଜିଲା । ଜୀବନ ଫୋନ୍ କରିଥିଲେ । ସେ ଥରିଲା ହାତରେ ଫୋନ୍ ରିସିଭ କଲା । ସେପଟୁ ଓମ୍ କହୁଥିଲା ମାମା ତମେ ମୋତେ ଠକି ଦେଲ ନା । ମୁଁ ଜାଣେ ତମେ କାଲି ଆଉ ଆସି ପାରିବନି । କାଲି କ'ଣ ବହୁତ ଦିନ ପର୍ଯ୍ୟନ୍ତ ମୁଁ ତୁମକୁ ଦେଖି ପାରିବିନି । ମାମା ମୁଁ ତୁମକୁ ଛାଡି ରହିପାରିବିନି ମାମା । ମୋତେ ତମ ପାଖକୁ ନେଇଯାଅ । ଆଞ୍ଚଲର ଧୈର୍ଯ୍ୟର ବନ୍ଧ ହଠାତ୍ ଭାଙ୍ଗିଗଲା । ସେ ଫୋନକୁ କାଟି ଦେଇ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲା । ବାର ବାର ତା କାନରେ ବାଜୁଥିଲା ଗୋଟିଏ କଥା । କାନ୍ଥବାଡ଼ ସାରା ନିସ୍ତବ୍ଧ ସହରରେ ଯେମିତି ପ୍ରତିଧ୍ୱନୀତ ହେଉଥାଏ "ମାମା ତମେ ମୋତେ ଠକି ଦେଲ "। ସେ ତା କାନରେ ହାତ ଦେଇଦେଲା । ସେ ଖୋଜି ପାଉ ନଥିଲା ୟେ ଆନ୍ତଃର୍ଦାହ ଅନ୍ତ କେଉଁଠି.....??? ପ୍ରଭୁ ! ୟେ କି ଅଗ୍ନିପରୀକ୍ଷା ତୁମର ........

                 


   


Rate this content
Log in

Similar oriya story from Tragedy