Titi Sarangi

Inspirational

3  

Titi Sarangi

Inspirational

ମାଆ

ମାଆ

3 mins
7.1K


 ପୁଅ ବଡ ହେଇ ମାଆଠୁ ଦୂରେଇ ଯିବା ମାଆ ବହୁତ ଦେଖିଛି ।ହେଲେ ଅମାନିଆ ମନ ତାର ବୁଝୁନି କାହିଁକି ?ହାତମୁଠାରୁ ବାଲି ମୁଠେ ଝରିଗଲା ପରି ସମୟ କେଡେ ଚଞ୍ଚଳ ଝରି ଯାଉଛି ।ସେଇ ଝରି ଯାଉଥିବା ସମୟକୁ ଆଉ ସାଉଁଟି ହୁଏନା ।ଇଚ୍ଛା ନଥାଇ ବି ଝରେଇ ଦେବାକୁ ହୁଏ । ତା ଭିତରେ ଝରିଯାଏ ଅନେକ କିଛି ।ମାଆର ନିଜ କଥା କିଛି ଆଉ ମନେ ନଥିଲା ।କିନ୍ତୁ ପୁଅର ବଢନ୍ତା ବୟସ ସାଥୀରେ ତାର ହଜି ଯାଉଥିବା ପିଲା ଦିନ ,ସ୍କୁଲ୍ ଦିନ ,କଲେଜ ଦିନଗୁଡାକ ମାଆ ବହୁତ ଝୁରେ । ହେଲେ କାହା ଝୁରିବାପଣକୁ ସମ୍ମାନ ଜଣେଇ ସମୟ ଭଲା କୋଉ ଅଟକେ ଘଡିଏ ହେଲେ ବି ।

ଆଜି ପୁଅର ବାହାଘର । କେତେ ଖୁସି ଜଣା ପଡୁଛି ସିଏ ।ସାଙ୍ଗ ସାଥୀ ବନ୍ଧୁବାନ୍ଧବଙ୍କ ଗହଳିରେ ଘର ପୁରି ଉଠୁଛି । ମାଆ ସବୁ କରୁଛି । ହସୁଛି ,କାମ କରୁଛି ଆଉ ପୁଅର ହସନ୍ତ ମୁହଁର ସେଇ ସ୍ବପ୍ନ ଭିଜା ଭାବୁକ ଭଳି ଆଖି ଦିଟାକୁ ଦେଖୁଛି । ମାଆ ଭଲ କି ଜାଣିଛି ପୁଅଟା ତାର ଆଧ୍ୟାତ୍ମବାଦୀ । କିନ୍ତୁ କଥା କଥାକେ ଈଶ୍ବର ଈଶ୍ବର ହବାଟା ପସନ୍ଦ କରେନି । ନିଜ ଉପରେ ତାର ବହୁତ ବିଶ୍ବାସ । ସେଇ ହିଁ ଈଶ୍ବର ବୋଲି ସେ ଭାବେ । ତେଣୁ ମାଆର ପୂଜାପାଠକୁ ସେ ପସନ୍ଦ କରେନି । ସେଇଥିପାଇଁ ମାଆ ଲୁଚେଇ ଲୁଚେଇ ଈଶ୍ବରଙ୍କୁ ପ୍ରାର୍ଥନା କରୁଥାଏ ପୁଅର ନୂଆ ଜୀବନ ନୂଆ ସ୍ବପ୍ନ ସଫଳ ହଉ । ଆଞ୍ଜୁଳି ଚାଉଳରେ କ୍ଷିରୀ କରିବାକୁ ମାଆ ରୋଷେଇ ଘରକୁ ଗଲା । ବରଯାତ୍ରୀ ବାହାରି ଗଲା ବେଳୁ ସେ ଠାକୁର ଘରେ ଥିଲା ।ମାଆମାନେ କାଳେ ପୁଅଅର ବରଯାତ୍ରୀ ଦେଖିବା ମନା ।

ଷଠୀ ପୂଜା ସାରି ଅସଜଡା ଘରଟା ମାଆ ସଜାଡି ଦେଲା । ପୁଅ ପସନ୍ଦରେ ତା ରୁମ୍ ସଜେଇଛି । କେତେ ବଡ ହେଇ ଗଲାଣି ତା ପୁଅ !! ଛାତି ଭିତରେ ଛାତିଏ ଖୁସି ଆଉ ଆଖିରେ ଆଖିଏ ପାଣି । ଛେପଟିକେ ପକେଇ ଦେଲା ମାଆ କାଳେ ତା ନଜର ଲାଗିଯିବ !!ପୁଅର ଆଗାମୀ ଦିନର ଖୁସି ପାଖରେ ମାଆର ତୁହାଇ ତୁହାଇ ପୁଅର ପିଲାଦିନଗୁଡାକ ବି ମନେ ପଡୁଥିଲା । ଦିନ ସାରା ମାଆ ନିଜ ଭାବନା ଭିତରେ ରହିଲା । ବରଯାତ୍ରୀ ଗାଡି ଫେରିଲା । ବୋହୁକୁ ବନ୍ଦେଇ ଆଣିବାକୁ ନିର୍ଦ୍ଦେଶ ଦେଲେ ଜଣେ ବୟୋଜ୍ଯେଷ୍ଠା ାମାଆ ଶାଶୁ ହେଇଗଲା !!

ଦଶ ମଙ୍ଗୁଳା ଗଲାଣି । ବନ୍ଧୁ ବାନ୍ଧବ ଆଉ ନାହାନ୍ତି । ବୋହୁ ତା ବାପ ଘରୁ କୋଠା ମଡାଣ ସାରି ଆସିଲାଣି । ଆଜି ଘରପାଇଁ ସିଏ ରନ୍ଧାବଢା କରିବ । ସକାଳ ଜଳଖିଆ ପରେ କଣ ସବୁ ରନ୍ଧାହବ ବତେଇ ଦେଇ ମାଆ ଖଳା ବାଡିକୁ ଗଲା ମୁଗ ବେଙ୍ଗଳା ଦେଖିବାକୁ । ଖାଇବା ବେଳକୁ ଫେରିଲା । ସବୁ ରନ୍ଧା ସରିଥିଲା । ବଢାବଢି କରିବାକୁ କହି ମାଆ ଛାତ ଉପରକୁ ଗଲା ଲୁଗା ତୋଳିବାକୁ । ତଳକୁ ଆସି ଦେଖିଲା ଅନ୍ଯ ସମସ୍ତେ ଖାଉଛନ୍ତି ଖାଲି ପୁଅକୁ ଛାଡି ।

"ପୁଅ କୁଆଡେ ଗଲା କି ବୋହୁ ?"

"ସେ ରୁମରେ ଅଛନ୍ତି । ଖାଇବେନି କହିଲେ । "

ମାଆ ଦେଖିଲା ବୋହୁ ମୁହଁ ଶୁଖି ଯାଇଛି ।

"କାହିଁକି ଖାଇବନି ?କଣ ହେଲା କି ?"

"ତର୍କାରୀ ଭଲ ହେଇନି କହିଲେ । "ମୁହଁ ପୋତି ଦେଇ ବୋହୁ କହିଲା । ଛାତି ଭିତରଟା କେମିତି ମକଚି ହେଇଗଲା ମାଆର । ଦିନେ ଅଧେ ନୁହଁ । ସବୁଦିନ ଚଳିବ କେମିତି ?

"କିରେ ଏମିତି ନଖାଇ କଣ ପଳେଇ ଆସିଲୁ ?"ପୁଅ ରୁଷିଲେ ଯେମିତି ମୁହଁମାଡି ପଡେ ସେମିତି ଖଟରେ ପଡିଥିଲା ।

"ତୁ ରାନ୍ଧିଲୁନି । ତା ହାତରେ ଭଲ ରାନ୍ଧି ଆସୁନି । "ସେମିତି ତଳକୁ ମୁହଁକରି ପୁଅ କହିଲା ।

"କଣ କହିଲୁ ?ତା ରନ୍ଧା ଖାଇବୁନି ?ବାହା ହେଲୁ କାହିଁକି ?ସେ ଯେମିତି ନୂଆ ସ୍ତ୍ରୀଟିଏ ହେଇଛି ତୁ ବି ନୂଆ ସ୍ବାମୀ ହେଇଛୁ । ତା ଭୁଲ୍ ଠିକ୍ ବାଛି ବସିଲେ ସେ ବି ତୋର ବାଛିବ । ସେତେବେଳେ କଣ କରିବୁ । ଚଳେଇ ନବା ଶିଖ । "

ପୁଅ ଜାଣିଛି ମାଆ ବେଶୀ କଥା କହେନି । ଚୁପଚାପ ଆସିକି ତା ବଢାଭାତ ଖାଇଲା । ଏବେ ସେ ଦିଜଣଙ୍କ ଭିତରେ ବଢି ଉଠୁଥିବା ନିବିଡ ବନ୍ଧୁତ୍ବ ପଛରେ ମାଆ କହିଥିବା ସେଇ ଖୁଣ ନଦେଖି ଗୁଣ ଦେଖିବା କଥାଟି ଖୁବ୍ କାମ କରିଛି । ନିଜ କୁନି ପୁଅଟି ଆଜି ସତସତିକା ବଡ ହେଇ ଯାଇଛି ଦେଖି ଖୁସିରେ ମାଆ ଷଠୀକୁ ଏବେ ବି ପୂଜା କରେ । ପୁଅ ବିଶ୍ବାସ କରୁ କି ନକରୁ ।


Rate this content
Log in

Similar oriya story from Inspirational