ଲୀଳାଶୁକ ବିଲ୍ଵମଙ୍ଗଳଙ୍କ କଥା
ଲୀଳାଶୁକ ବିଲ୍ଵମଙ୍ଗଳଙ୍କ କଥା
ଦାକ୍ଷିଣାତ୍ଯର କୃଷ୍ଣାନଦୀ ତଟରେ ଏକ ଗ୍ରାମରେ ବାସ କରୁଥିଲେ ଜଣେ ବିଷ୍ଣୁ ଭକ୍ତ ବ୍ରାହ୍ମଣ । ନାମ ଥିଲା ରାମ ଦାସ । ବିଲ୍ବମଙ୍ଗଳ ତାଙ୍କର ଏକମାତ୍ର ପୁତ୍ର ଥିଲେ । ବିଲ୍ଵମଙ୍ଗଳ ବାଲ୍ୟ କାଳରୁ ଅତ୍ୟନ୍ତ ଶାନ୍ତ,ଶିଷ୍ଟ ଓ ସାଧୁ ସ୍ଵଭାଵର ଥିଲେ । କ୍ରମେ ସେ ପାଠ ଶାଠ ପଢ଼ି ସର୍ବ ବିଦ୍ୟା ପାରଙ୍ଗମ ହେଲେ । କିଛି ଦିନ ପରେ ତାଙ୍କ ପିତା ସ୍ୱର୍ଗବାସୀ ହେଲେ । ବିଲ୍ଵମଙ୍ଗଳ କ୍ରମେ କୁସଙ୍ଗରେ ପଡ଼ିଯାଇ ଅତ୍ୟନ୍ତ ଦୁରାଚାରୀ ହୋଇଗଲେ । ବେଶ୍ଯାଗୃହ ଗମନ ଓ ବିଭିନ୍ନ ପାପକର୍ମରେ ଦିନରାତି ଲିପ୍ତ ରହିଲେ । କୃଷ୍ଣାନଦୀ ଆର ପାରିରେ ବାସ କରୁଥିବା ଗଣିକା ଚିନ୍ତାମଣି ପ୍ରତି ସେ ବିଶେଷଭାବେ ଆସକ୍ତ ହୋଇ ପଡ଼ିଲେ । ଦିନେ ତାଙ୍କ ପିତାଙ୍କ ଶ୍ରାଦ୍ଧ ପଡ଼ିଥାଏ । ଶ୍ରାଦ୍ଧ କର୍ମରେ ବସି ଥାନ୍ତି ବିଲ୍ଵମଙ୍ଗଳ କିନ୍ତୁ ତାଙ୍କ ମନରହିଥାଏ ଯାଇ ଚିନ୍ତାମଣି ବେଶ୍ୟା ପାଖରେ । ଶ୍ରାଦ୍ଧରେ ଭଗଵାନ ଶ୍ରୀ ବିଷ୍ଣୁଙ୍କ ବନ୍ଦନା ମନ୍ତ୍ର ପଢ଼ା ଯାଉଥାଏ, " ଶୁକ୍ଳାମ୍ବର ଧରମ୍ ବିଷ୍ଣୁ, ଶଶି ବର୍ଣ୍ଣମ୍ ଚତୁର୍ଭୁଜଂ",କିନ୍ତୁ ବିଲ୍ଵମଙ୍ଗଳ ଆଖିରେ ନାଚୁଥାଏ ଚିନ୍ତାମଣିର ରୂପ । ଦିନ ବେଳାଟା କୌଣସି ମତେ କଟିଗଲା,ସନ୍ଧ୍ୟା ହେବାରୁ ସେ ଆଉ ସ୍ଥିର ହୋଇ ରହିପାରିଲେ ପାରିଲେ ନାହିଁ । ତାଙ୍କ ମନ ଉଚ୍ଚାଟ ହେଉଥାଏ କେମିତି ଯାଇ ବେଶ୍ୟା ଚିନ୍ତାମଣି ସହ ମିଳିତ ହେବେ । ଅସ୍ଥିର ହୋଇ ବାହାରି ପଡ଼ିଲେ ବିଲ୍ଵମଙ୍ଗଳ ବେଶ୍ଯା ଘରକୁ ।
ସେଦିନ ଥାଏ ଏକ ବର୍ଷଣମୁଖର ରାତ୍ରି । ଦୁଇକୂଳ ଖାଇ କୃଷ୍ଣା ନଦୀରେ ପ୍ରବଳ ବନ୍ୟା । କିପରି ପାରି ହେବେ ଭରା ନଦୀକୁ । ନାଉରୀମାନେ ମଧ୍ୟ ପାରି କରିଦେବାକୁ ଅମଙ୍ଗହେଲେ । ଖୁବ ଚିନ୍ତାରେ ବସି ଥାନ୍ତି, କାମୋନ୍ମତ୍ତ ବିଲ୍ଵ ମଙ୍ଗଳ । ଏହି ସମୟରେ ସେ ଦେଖିଲେ ଭରାନଦୀ ବକ୍ଷରେ ଗୋଟିଏ କ'ଣ ଭାସିଆସୁଛି । ଆନନ୍ଦର ସୀମା ରହିଲାନାହିଁ ବିଲ୍ଵ ମଙ୍ଗଳଙ୍କର ।"ଆହା ମୋ ଚିନ୍ତାମଣି ! ନଦୀ ପାରି ହେବା ପାଇଁ, ଭେଳାଟିଏ ପଠାଇ ଦେଇଛି" କହି ନଦୀ ଗର୍ଭକୁ ଡେଇଁ ପଡ଼ିଲେ । ସେହି ଭେଳାଟିକୁ ଆଶ୍ରାକରି ସେ ଯାଇ ନଦୀ ଆରପାରି ଚିନ୍ତାମଣିର ସୁରମ୍ୟ ପ୍ରସାଦ ନିକଟରେ ପହଞ୍ଚିଲେ ।
ପ୍ରବଳ ବର୍ଷା,ଘୋର ଅନ୍ଧକାରରେ ପ୍ରସାଦଟି ଚାରି ପାଖରୁ ବନ୍ଦ ଥାଏ,ସେ କେମିତି ଭିତରକୁ ଯିବେ ! ଦେଖିଲେ ପାଚେରୀ ଉପରୁ ଲମ୍ବିଆସିଛି ଗୋଟିଏ ରେଶମ ଦଉଡ଼ି । ମନେ ମନେ ଚିନ୍ତାମଣିକୁ ବହୁତ ପ୍ରଶଂସାକରି ସେହି ଦଉଡ଼ିଟି ଧରି ପାଚେରୀ ଚଢ଼ି ଯାଇ ପହଞ୍ଚି ଗଲେ,ଚିନ୍ତାମଣୀର କୋଠରୀରେ । ନଦୀରେ ସେହି ଭେଳାଟି ଥିଲା, ଜଣେ ରମଣୀର ଗଳିତ ଶବ । ସେ ରେଶମ ଦଉଡ଼ିଟି ଥିଲା ପ୍ରବଳ ବର୍ଷାରେ, ପାଚେରୀ ଉପରେ, ଲାଞ୍ଜଟିକୁ ଲମ୍ବାଇ ଦେଇ ଆଶ୍ରୟନେଇଥିବା ଏକ ବିଷଧର ସର୍ପ ।
ସେହି ଭୟଙ୍କର ରାତ୍ରିରେ, ବିଲ୍ଵମଙ୍ଗଳ ଉପସ୍ଥିତ ଦେଖି, ଗଣିକା ଚିନ୍ତାମଣି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ସେ ପଚାରିଲେ, ତୁମେ ଏହି ବର୍ଷଣ ମୁଖର ରାତ୍ରିରେ ବଢ଼ି ଥିବା ନଦୀକୁ ପାର ହୋଇ ଆସିଲ କିପରି? ବର୍ଷାରାତି ବୋଲି ମୁଁ ତ ପ୍ରାସାଦକୁ ଚାରି ପଟୁ ବନ୍ଦ କରିଦେଇଥିଲି,ତୁମେ ପାଚେରୀ ଡେଇଁ ଭିତରକୁ ଆସିଲ କିପରି? ବିଲ୍ଵମଙ୍ଗଳ ହସି ହସି କହିଲେ,"କାହିଁକି ! ତୁମେ ତ ମୋ ଆସିବା ପାଇଁ ନଦୀକୁ ଭେଳାଟିଏ ପଠାଇଦେଇଥିଲ, ପାଚେରୀ ଉପରୁ ରେଶମ ଦଉଡ଼ିଟିଏ ଲମ୍ବାଇ ଦେଇଥିଲ । ଏହା କଅଣ ତୁମେ ଭୁଲି ଗଲକି"?
ବିଲ୍ଵମଙ୍ଗଳଙ୍କ କଥାଶୁଣି ଚିନ୍ତମଣି ଆହୁରି ବିସ୍ମିତ ହୋଇ ଦୀପଟିଏଧରି ବାହାରକୁ ଆସି ଦେଖିଲେ, ଯାହାକୁ ବିଲ୍ଵମଙ୍ଗଳ ରେଶମ ଦଉଡ଼ି ବୋଲି କହୁ ଥିଲା ତାହା ଥିଲା ଗୋଟିଏ ଭୟଙ୍କର କଳା ନାଗ ସାପ । ନଦୀରେ ସେ ଭେଳା ବିଷୟରେ ସନ୍ଦେହ ହେବାରୁ ସେମାନେ ଯାଇ ପହଞ୍ଚି ଦେଖିଲେ ନଦୀ କୂଳରେ ପଡ଼ି ରହିଛି ପୁତି ଗନ୍ଧମୟ ଗୋଟିଏ ସ୍ତ୍ରୀ ଲୋକର ଗଳିତ ଶବଟିଏ । ବିଲ୍ବମଙ୍ଗଳ ସେ ସବୁ ଦେଖି ଭୟରେ କମ୍ପିଉଠିଲେ । ଚିନ୍ତାମଣି କାମାନ୍ଧ ବିଲ୍ଵମଙ୍ଗଳକୁ ଭର୍ତ୍ସନା କରି କହିଲା,ବିଲ୍ଵମଙ୍ଗଳ ! ଦେଖ ତୋ'ର କର୍ମକୁ । ତୁ ବ୍ରାହ୍ମଣ କୂଳରେ ଜନ୍ମ । ଆଜି ତୋ ବାପାଙ୍କର ଶ୍ରାଦ୍ଧ, ଅଥଚ ତୁ ଏକ ହାଡ଼ ମାଂସର ଶରୀରଉପରେ ଏତେ ଆସକ୍ତ ଯେ ନିଜ ଧର୍ମ କର୍ମକୁ ଜଳାଞ୍ଜଳୀ ଦେଇ,ଏ ଭୟଙ୍କର ନିଶା ରାତିରେ ଗଳିତ ଶବ ଓ ଗୋଟିଏ ବିଷଧର ସାପ ସହାୟତାରେ,ଏଠାକୁ ଦୋଉଡ଼ି ଆସିଛୁ ?
ଧିକ ତୋ ଜୀବନ । ଦେଖ, ତୁ କାମୋନ୍ମତ୍ତ ହୋଇ କଅଣ କଲୁ । ତୋ ଦେହରୁ ସେହି ଗଳିତ ଶବର ଦୁର୍ଗନ୍ଧ ବାହାରୁଛି । ଭାଗ୍ୟକୁ ସେ ବିଷଧର ସର୍ପଟି ତୋତେ ଦଂଶନ କରି ନାହିଁ । ତୁ ଏ ହାଡ଼ ମାଂସର ଶରୀରଟାକୁ ଯେଉଁ ପରମ ସୁନ୍ଦରୀ ଭାବି ପାଗଳ ହେଉଛୁ ତାହାର ମଧ୍ୟ ଦିନେ ତୋ ଆଖି ଆଗରେ ପଡ଼ିରହିଥିବା ଏହି ପଚାଶଢା ଶବର ଦଶାହେବ । ଆରେ !!! ତୁ ଏହି ଦେହଟା ପ୍ରତି ଯେପରି ଆସକ୍ତ ହୋଇଛୁ ଯଦି ସେହି ଭୁବନସୁନ୍ଦର, କାମମୋହନ ଶ୍ଯାମସୁନ୍ଦର,ପରମ ପୁରୁଷ ବିଶ୍ୱଚିନ୍ତାମଣିଙ୍କ ପ୍ରତି ସେତିକି ଆସକ୍ତ ହୁଅନ୍ତୁ ତେବେ ତୁ ଏ ଭଵସାଗର ପାରି ହୋଇଯାନ୍ତୁ । ତୁ,ମୋତେ ଯେପରି ଦେଖିବା ପାଇଁ ବ୍ୟାକୁଳ ହେଉଛୁ,ତୋର ସେହି ବ୍ୟାକୁଳତା ଯଦି ତାଙ୍କୁ ଦେଖିବାପାଇଁ ରହନ୍ତା, ତେବେ ନିଶ୍ଚୟ ତୁ ତାଙ୍କୁ ପାଇ ପାରନ୍ତୁ ଓ ତୋର ଜୀବନ କୃତାର୍ଥ ହୋଇଯାଆନ୍ତା ।
ବେଶ୍ଯା ଚିନ୍ତାମଣିର ସେ ବାଣୀ ବିଲ୍ବମଙ୍ଗଳଙ୍କ ହୃଦୟରେ ଶ୍ୟେଳ ବିଦ୍ଧକଲା,ଏକ ନୂତନ ଭାବନା, ପୁଲକରେ ତାଙ୍କ ସମଗ୍ର ଶରୀର କମ୍ପି ଉଠିଲା । ତାଙ୍କର ବିବେକ ତାଙ୍କୁ ବାରମ୍ବାର ଦଂଶନ କରିବାକୁ ଲାଗିଲା, ମନକୁ ଭାବନା ଆସୁ ଥାଏ ଆଃ! ମୁଁ ମୋ ଜୀବନଟାକୁ କେଉଁପରି ପାପ ପଙ୍କ ମଧ୍ୟରେ ବୁଡ଼ାଇ ରଖିଛି । ଧିକ୍ ଧିକ୍ ! ମୋର ଏ ପାପୀ ଜୀବନଟାକୁ । ସେ ଚିତ୍କାର କରିଉଠିଲା ଚିନ୍ତାମଣି,ଚିନ୍ତାମଣି! କାହାନ୍ତି ସେ ବିଶ୍ୱଚିନ୍ତାମଣି ।
ଏପରି ଗଭୀର ଅନୁତାପରେ ତା'ର ଅନ୍ତଃକରଣ ଶୁଦ୍ଧ ହୋଇଗଲା,ବିବେକ ଭିତରେ ମାଡ଼ିଆସିଲା ଭଗବତ ପ୍ରେମର ଜୁଆର । ବୋହିବାକୁ ଲାଗିଲା ଚକ୍ଷୁରୁ ଗଙ୍ଗାଯମୁନାର ଧାରା । ବିଲ୍ବମଙ୍ଗଳ ଆଉ ସେ ବିଲ୍ଵମଙ୍ଗଳ ନଥିଲେ ।
ସେ ଆଉ ନିଜର ଭାବାବେଶକୁ ସମ୍ଭାଳି ପାରିଲେ ନାହିଁ । ସିଧା ଗଣିକା ଚିନ୍ତାମଣିର ପାଦଧରି ଶୋଇ ପଡ଼ି କହିଲେ,' ତୁମେ ଆଜି ମୋର ବିବେକ ଏବଂ ଜ୍ଞାନ ଚକ୍ଷୁକୁ ଖୋଲିଦେଇଛ'। ସେଦିନ ସାରାରାତି ଚିନ୍ତାମଣି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଚରିତ ଗାନକରି ଶୁଣାଇଲେ ।
ଏବେ ବିଲ୍ବମଙ୍ଗଳଙ୍କ ଚକ୍ଷୁରେ ଆଙ୍କି ହୋଇଗଲା ଭଗବାନ ଶ୍ରୀକୃଷ୍ଣଙ୍କ ମୋହନ ମନୋହର ମୁର୍ତ୍ତୀ । ତାଙ୍କ ଚକ୍ଷୁରେ ପଲକ ପଡ଼ୁ ନଥାଏ । ଚିନ୍ତାମଣିକୁ ସେ ଗୁରୁ ମଣି, ପ୍ରଣାମ କଲେ । ପ୍ରଭାତ ହେବାରୁ ଉନ୍ମାଦହୋଇ ଚିନ୍ତାମଣିକୁ ଛାଡ଼ି ବାହାରି ପଡ଼ିଲେ ସେ ବିଶ୍ୱଚିନ୍ତାମଣିଙ୍କ ଖୋଜରେ । ଜୀବନ ତାଙ୍କର ଏକ ନୂଆମୋଡ଼ ନେଲା,ସେ ସିଧା ଚାଲିଲେ କୃଷ୍ଣା ନଦୀତଟର ମହାତ୍ମା ଶ୍ରୀସୋମଗିରିଙ୍କ ଆଶ୍ରମକୁ । ମହାତ୍ମାଙ୍କଠାରୁ ସେ ଗୋପାଳମନ୍ତ୍ର ଦୀକ୍ଷା ଗ୍ରହଣ କରି କୃଷ୍ଣ ଭଜନରେ ଲାଗି ଗଲେ । ସେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରି କରି ଉନ୍ମାଦ ପ୍ରାୟ ବିଚରଣ କରିବାରେ ଲାଗିଲେ । ମନରେ ତାଙ୍କର ଜାଗରିତ ହୋଇ ଉଠିଲା, ଭଗବାନଙ୍କ ଦର୍ଶନର ପ୍ରବଳ ଉତ୍କଣ୍ଠା । ତାଙ୍କର ପୂର୍ବ କୃତକର୍ମର ପ୍ରଭାବ କିନ୍ତୁ ସମ୍ପୂର୍ଣ୍ଣ ଧୌତ ହୋଇ ନଥାଏ ।
ଭଗବାନଙ୍କ ଖୋଜରେ ସେ ଇତସ୍ତତଃ ଘୁରି ବୁଲୁ ଥାନ୍ତି ଦିନେ ଜଣେ ଶେଠର ଘର ପାଖରେ ପହଞ୍ଚି ଦେଖିଲେ ତାଙ୍କ ଘରେ ଜଣେ ସୁନ୍ଦର ଯୁବତୀ ସ୍ତ୍ରୀ ଅଛନ୍ତି । ତା' ରୂପରେ ଆକୃଷ୍ଠ ହୋଇ ତାଙ୍କୁ ଲାଭ ଆଶାରେ ସେ ଯାଇ ଶେଠଙ୍କ ଦ୍ୱାର ଆଗରେ ବସି ରହିଲେ । ଦ୍ୱାରଦେଶରେ ଜଣେ ବ୍ରାହ୍ମଣ ବସିଛନ୍ତି ଦେଖିଲେ ଶେଠ । ସେ ତାଙ୍କୁ କାରଣ ପଚାରନ୍ତେ ବିଲ୍ଵମଙ୍ଗଳ କହିଲେ,"ମୁଁ ଥରେ ମାତ୍ର ତୁମ ସେହି ସୁନ୍ଦରୀ ଯୁବତୀ ସ୍ତ୍ରୀଙ୍କୁ ପ୍ରାଣ ଭରି ଦେଖିବା ପାଇଁ ଚାହେଁ । ଶେଠଜଣକ କହିଲେ, ଅତି ଉତ୍ତମକଥା ଇଏ,ଏହା ତ ମୋ'ର ପରମ ସୌଭାଗ୍ୟ, ଆପଣ ତାଙ୍କୁ ଦେଖିଲେ,ତୃପ୍ତି ଲାଭ କରିବେ । ଏହା ଠାରୁ ବଳି ଆନନ୍ଦର କଥା ମୋପାଇଁ ଆଉ କଅଣ ଥାଇ ପାରେ ! ସାଧୁସ୍ବଭାବର ଶେଠ ପତ୍ନୀଙ୍କୁ ଡାକିବାକୁ ଘର ଭିତରକୁ ଗଲେ । ବିଲ୍ବମଙ୍ଗଳ ସିନା ସ୍ଵଭାଵ ବଶ ହୋଇ ସେ ସ୍ତ୍ରୀଟିକୁ ଦେଖିବାକୁ ଚାହୁଁଥିଲେ । କିନ୍ତୁ ନାମ ବ୍ରହ୍ମ ପ୍ରଭାବରେ, ତାଙ୍କ ଚିତ୍ତ ଚୈତନ୍ୟ ମଧ୍ୟରେ ଏକ ପରିବର୍ତ୍ତନ ଜୁଆର ଉଙ୍କିମାରୁଥାଏ ।
ସେ ତ ଭଗବାନଙ୍କ ଭକ୍ତ ହୋଇସାରିଥିଲେ, ଆଉ ତାଙ୍କର ପତନ ହୁଅନ୍ତା ବା କିପରି? ସେ ଶେଠଙ୍କୁ କହି ଦେଲେ ସତ,କିନ୍ତୁ ଅନୁଶୋଚନାରେ ତାଙ୍କର ହୃଦୟ ବିଗଳିତ ହେବାକୁ ଲାଗିଲା । ସେ କହିଲେ ନାଁ ଆଉ ନୁହେଁ,ଏ ପାପ ଚକ୍ଷୁଦ୍ବୟକୁ ଆଉ ରଖିବି ନାହିଁ । ଏହା କହି ସେ ନିକଟ ବେଲଗଛରୁ ଦୁଇଟି କଣ୍ଟା ନେଇ ଆସିଲେ । ସେତିକି ବେଳେ ଶେଠଙ୍କ ସ୍ତ୍ରୀ ମଧ୍ୟ ଆସି, ସେଠି ପହଞ୍ଚି ଗଲେ । ବିଲ୍ବମଙ୍ଗଳ ତାଙ୍କୁ ଦେଖି ନିଜକୁ ଧିକ୍କାର କରି କହିଲେ, ଆରେ ଅଭାଗା ଆଖି,ଯଦି ତୁମେ ଦୁଇଟା ନଥାନ୍ତ ତେବେ ଆଜି ମୋର ଏହି ପତନ ହୋଇ ନଥାନ୍ତା । ଏତିକି କହି ବିଲ୍ବମଙ୍ଗଳ ତାଙ୍କର ଚକ୍ଷୁ ଦ୍ବୟକୁ ବେଲକଣ୍ଟା ଧରି ବିଦ୍ଧକରିଦେଲେ । ବିଲ୍ଵମଙ୍ଗଳ ଚିରଦିନପାଇଁ ହୋଇଗଲେ ଅନ୍ଧ । ଶେଠ ଏବଂ ତାଙ୍କ ପତ୍ନୀ ବହୁ ମନଦୁଃଖ କଲେ । ହେଲେ ବିଲ୍ବମଙ୍ଗଳ ହସି ହସି ନାଚିନାଚି ହରିଧ୍ବନୀ କରି ଗଗନ ପବନ ମୁଖରିତ କରି ଦେଲେ । କହିଲେ,ମୋର ଆଜି ବଡ଼ ବିଜୟ ହୋଇଛି । ଏ ପାପୀ ନେତ୍ର ଦୁଇଟିର ମୁଁ ସର୍ବନାଶ କରିଛି ଆଜି । ସେ ଅଗତିର ଗତି, କରୁଣା ନିଧାନ ପରମ ପ୍ରେମମୟ,ପରମ ପୁରୁଷଙ୍କୁ ପାଇବା ପାଇଁ ଅତ୍ୟନ୍ତ ବ୍ଯାକୁଳ ହୋଇ ଉଠିଲେ । ସମସ୍ତ ବାହ୍ୟ ଜ୍ଞାନ ହଜିଗଲା ତାଙ୍କର । କୃଷ୍ଣ ! କୃଷ୍ଣ ! ଡାକି ସେ ଚତୁର୍ଦ୍ଦିଗ କମ୍ପାଇ ବଣଜଙ୍ଗଲ,ଗାଆଁକୁ ଗାଆଁ ବୁଲି ଲାଗିଲେ ।
ଦିନେ ବିଲ୍ଵମଙ୍ଗଳ ଖୁବ ଶୋଷରେ ବିକଳ ହୋଇ ପାଣି ଖୋଜି ବୁଲୁ ଥାନ୍ତି, ନିକଟରୁ ଭାସି ଆସିଲା ମଧୁର କଣ୍ଠସ୍ୱର,'ବାବା,ମୁଁ ଆପଣଙ୍କ ଲାଗି ପାଣି ଖାଦ୍ୟ ସବୁ ନେଇଆସିଛି,ଭୋକ ଲାଗିବଣି,ଆସ ଖାଇନିଅ । ବିଲ୍ବମଙ୍ଗଳଙ୍କ ମନ,ପ୍ରାଣ ବାଳକଟିର ସେହି ମଧୁର କଣ୍ଠସ୍ୱରରେ ମୋହିତ ହୋଇଗଲା । ବାଳକଟି ହାତରୁ ଦୁର୍ଲଭ ପ୍ରସାଦ ଟିକକ ପାଇବା ମାତ୍ରେ ତାଙ୍କର ହୃଦୟ ଉଲ୍ଲସିତ ହୋଇଉଠିଲା । ସେ ବାଳକଟିକୁ ପଚାରିଲେ ଭାଇ ! ତୁମର ଘର କେଉଁଠି ? ତୁମ ନାମ କଣ? ତୁମେ କଅଣ କାମ କରୁଛ ?
ବାଳକଟି କହିଲା,ମୋ ଘର ଏଇ ପାଖରେ । କିଛି ନିର୍ଦ୍ଦିଷ୍ଟ ନାଆଁ ନାହିଁ ମୋର । ଯିଏ ଯେଉଁ ନାଆଁରେ ଡାକିଲା ମୁଁ ସେହି ନାଁରେ ଶୁଣେ, ସମସ୍ତଙ୍କ ବୋଲ ହାକ କରେ,ଗାଈ ଚରାଏ । ମୋତେ ଯେଉଁମାନେ ଭଲ ପାଆନ୍ତି,ମୁଁ ମଧ୍ଯ ତାଙ୍କୁ ଭଲପାଏ । ବାଳକର ମଧୁର କଥାଶୁଣି ବିଲ୍ବମଙ୍ଗଳ ମୁଗ୍ଧ ହୋଇଗଲେ । ବାଳକଟି ଯାଉ ଯାଉ କହିଗଲା, ବାବା ପ୍ରତି ଦିନ ଆସି, ମୁଁ ଆପଣଙ୍କୁ ଖାଇବାକୁ ଦେଇଯିବି । ଆଉ ପ୍ରତ୍ୟହ ତୁମର ଭଲ ମନ୍ଦ ବୁଝିଯିବି । ସେହି ଦିନ ଠାରୁ ବାଳକଟି ସବୁ ଦିନେ ଆସି ତାଙ୍କୁ ଭୋଜନ କରାଇ ଦେଇ ଯାଉଥାଏ ।
ଦିନେ ବିଲ୍ବମଙ୍ଗଳ ମନେମନେ ବିଚାର କରୁଥାନ୍ତି, ଆରେ ମୁଁ ତ ଯାହାଙ୍କୁ ଖୋଜୁଥିଲି, ତାଙ୍କୁ ପାଇଲି ନାହିଁ । ଏ ଟୋକାଟା ସାଙ୍ଗହୋଇ,ପୁଣି ଏକ ନୂଆ ଅଡୁଆ ଭିତରକୁ ପଶିଲିଣି । ସେ ଏହା ଚିନ୍ତାକରୁ ଥାନ୍ତି ଏତିକିବେଳେ ବାଳକଟି ଆସି ପହଞ୍ଚିଗଲା । କହିଲା,ବାବାଜୀ,କଅଣ ବସି ଭାବୁଛ? ବୃନ୍ଦାବନ ଯିବ କି ? ଓଃ ! ସେ କଣ୍ଠରେ ପୁରି ରହି ଥିଲା କି ମାଦକତା । ବୃନ୍ଦାବନ କଥା ଶୁଣି, ବିଲ୍ଵମଙ୍ଗଳଙ୍କ ହୃଦୟ ନାଚି ଉଠିଲା । ମାତ୍ର ବହୁ ଦୂର ବୃନ୍ଦାବନ ସେ ଯିବେ କିପରି? ସେ ଯେ ଅନ୍ଧ !!!
ଏକଥା ସେ ବାଳକକୁ କହନ୍ତେ,ବାଳକଟି କହିଲା, ଏଇ ମୋ ବାଡ଼ି ଧର । ମୁଁ ବାଡ଼ି ଧରି ତୁମ ଆଗେ ଆଗେ ଚାଲୁଛି । ମୁଁ ତୁମକୁ ନେଇ, ବୃନ୍ଦାବନରେ ପହଞ୍ଚାଇଦେବି । ବିଲ୍ବମଙ୍ଗଳଙ୍କ ଆନନ୍ଦ ପଚାରେ କିଏ । ବାଡ଼ିଧରି ଭଗବାନ୍ ଆଗେଆଗେ ଚାଲିଲେ ପଛରେ ଚାଲିଲେ ଭକ୍ତ ବିଲ୍ଵମଙ୍ଗଳ ।
କିଛି ସମୟପରେ ବାଳକ କହିଲା ଏଇ ବୃନ୍ଦାବନ ହୋଇଗଲା,ମୁଁ ଏବେ ଯାଉଛି ବାବା । ବିଲ୍ବମଙ୍ଗଳ ବାଳକଟିର ହାତ ଧରିପକାଇଲେ । କି ଅପୂର୍ଵ ତା' ହାତର ସ୍ପର୍ଶ !!! ବିଲ୍ଵମଙ୍ଗଳଙ୍କ ସାରା ଶରୀରରେ ଏକ ଅପୂର୍ଵ ଶିହରଣ ଖେଳିଗଲା । ହୃଦୟ କନ୍ଦର ତାଙ୍କର ଉଦ୍ଭାସିତ ହୋଇଉଠିଲା । ସେ ଦିବ୍ଯଦୃଷ୍ଟି ପାଇଗଲେ । ସେ ଚକ୍ଷୁ ଉନ୍ମୀଳିତ କରି ଦେଖିଲେ, ସମ୍ମୁଖରେ ଦଣ୍ଡାୟମାନ ସେ ବାଳକ, ନଟ ନାଗର ଶ୍ଯାମସୁନ୍ଦର । ତାଙ୍କ ଆଖିରୁ ଅବାରିତ ଧାରାରେ ବୋହି ଚାଲିଲା ପ୍ରେମାଶ୍ରୁ । ସେ ଗଦଗଦ ଚିତ୍ତରେ କହିପକାଇଲେ,ଏବେ ଚିହ୍ନି ପାରିଲି ତୁମକୁ ପ୍ରଭୁ । ହେ ପ୍ରଭୁ କରୁଣାମୟ,ଏ ପାପିଟା ଉପରେ ତୁମର କେଡ଼େ ଦୟା । ମୋର ବହୁଦିନର ପ୍ରତୀକ୍ଷା ଆଜି ଅନ୍ତଃ ହୋଇଛି । ଆଉ ତୁମକୁ ଛାଡ଼ିବି ନାହିଁ ।
ବର୍ତ୍ତମାନ କମାନ୍ଧ, ଦୁରାଚାରୀ ବିଲ୍ଵମଙ୍ଗଳ ହୋଇ ଗଲେ, ପରିବର୍ତ୍ତିତ ମହାଯୋଗୀ ଏବଂ ଭକ୍ତାଗ୍ରଣୀ ଲୀଳାଶୁକ । ରଚନା କଲେ ଅପୂର୍ଵ ଭକ୍ତି ରସାତ୍ମକ ଗ୍ରନ୍ଥ ଶ୍ରୀକୃଷ୍ଣକର୍ଣ୍ଣାମୃତମ୍ । ଗ୍ରନ୍ଥ ପ୍ରଥମ ଶ୍ଳୋକରେ ସେ ବେଶ୍ୟା ଚିନ୍ତାମଣିଙ୍କୁ ନିଜ ଗୁରୁବୋଲି ବନ୍ଦନା କରି ଲେଖିଛନ୍ତି :-
ଚିନ୍ତାମଣିର୍ଜୟତି ସୋମଗିରିର୍ଗୁରୁର୍ମେ ।
ଶିକ୍ଷାଗୁରୁଶ୍ଚ ଭଗଵାନ୍ ଶିଖିପୁଚ୍ଛମୌଳି8 ।।
ଯତ୍ ପାଦକଳ୍ପତରୁ ପଲ୍ଲବ ଶେଖରେଷୁ,
ଲୀଳା ସ୍ବୟଂ ବରରସଂ ଲଭତେ ଜୟଶ୍ରୀ ।।
ଅର୍ଥାତ୍,ମୋର ମହାମୋହକୁ ଦୂରକରିଥିବା ସେହି ଚିନ୍ତାମଣିଙ୍କର, ଦୀକ୍ଷା ଗୁରୁ ସୋମଗିରିଙ୍କର ଜୟ ହେଉ । ମସ୍ତକରେ ଶିଖି ପୁଚ୍ଛ ଧାରଣ କାରୀ ମୋ ଶିକ୍ଷାଗୁରୁ,ଭଗବାନ୍ ଶ୍ରୀକୃଷ୍ଣଙ୍କର ଜୟ ହେଉ । ବ୍ରହ୍ମଜ୍ଞାନୀ ଶ୍ରୀ ଶୁକଦେବଙ୍କ ପରି ଶ୍ରୀ ବିଲ୍ବମଙ୍ଗଳ ଲୀଳାମୟ ଭଗବାନ୍ ଶ୍ରୀକୃଷ୍ଣଙ୍କ ମଧୁମୟ ଚରିତ ରସ ଆସ୍ବାଦନ କରି ଲୀଳାଶୁକ ଭାବେ ପରିଚିତ ହୋଇଛନ୍ତି । ବେଶ୍ୟାଶକ୍ତ ବିଲ୍ଵମଙ୍ଗଳ ଯିଏ ଦିନେ ଚିନ୍ତାମଣି ବେଶ୍ୟା ରୂପ ପଛରେ ଧାଇଁ, ଦିଗଭ୍ରଷ୍ଟ ହୋଇଥିଲେ ସିଏ ପୁଣି ବିଶ୍ୱ ଚିନ୍ତାମଣିଙ୍କ ରୁପକୁ ବର୍ଣ୍ଣନା କରି ଲେଖିଲେ :-
କସ୍ତୁରୀ ତିଳକମ୍ ଲଲାଟ ଫଳକେ
ବକ୍ଷ ସ୍ଥଳେ କୌସ୍ତୁଭମ୍ ।
ନାସାଗ୍ରେ ନବ ମୋୖକ୍ତିକମ୍ କରତଳେ
ବେଣୁ କରେ କଙ୍କଣମ୍ ।।
ସର୍ବାଙ୍ଗେ ହରି ଚନ୍ଦନମ୍ ସୁଲଳିତମ୍
କଣ୍ଠେଶ୍ଚ ମୁକ୍ତାବଳିମ୍ ।
ଗୋପ ସ୍ତ୍ରୀ ପରିବେଷ୍ଟିତ ବିଜୟତେ
ଶ୍ରୀଗୋପାଳ ଚୁଡ଼ାମଣି ।।
ଲୀଳାଶୁକ,ଶ୍ରୀକୃଷ୍ଣ ରଙ୍ଗଭୂମି ବୃନ୍ଦାବନରେ ତାଙ୍କ ଅବଶିଷ୍ଟ ଜୀବନ ବିତାଇ, ସେହିଠାରେ ଏହି ଭଵ ରଙ୍ଗଭୂମିରୁ ବିଦାୟ ନେଇଥିଲେ ।
!!! ଜୟ ଶ୍ରୀକୃଷ୍ଣ !!!
