Sucharita Sena

Horror

4  

Sucharita Sena

Horror

ଲବଙ୍ଗ

ଲବଙ୍ଗ

6 mins
256



ସୁକୁଟି ବୁଢ଼ୀ ଚାଳ ଉପରେ କାଉଟା ରାବିରାଵି ତଣ୍ଟି ଫଟାଉଛି, ତାକୁ ତାଳ ଦେଇ ପ୍ରଧାନ ଘର ସୁନ୍ଦରୀ ନାମଧାରିଣୀ ଗୁଣ୍ଠୁଣି ଗାଈଟି ହମାଳି ଛାଡ଼ୁଛି । ସତେକି ପ୍ରଭାତର ଆଗମନ ଏମାନେ ହିଁ ଜାଣିପାରି ଅନ୍ୟର ଅବଗତି ନିମତେ ଚେଷ୍ଟିତ । ଧୀରେ ଧୀରେ ପୋଖରୀ ତୁଠରେ ଭିଡ, ଆଜି ଟିକେ ଅଧିକ । ମଦନପୁର ଗାଁର କାହିଁ କୋଉ ଅମଳରୁ ଚାଲୁଥିବା ନୀତିନିୟମରେ ସମସ୍ତେ ଯେପରି ବନ୍ଧା । ଏଇ ଯେପରି ପୋଖରୀ କୂଳରେ ପୁରୁଷ ଓ ସ୍ତ୍ରୀ ଲୋକ ମାନଙ୍କର ତୁଠ ନିଆରା ନିଆରା ।

ତୁଠ ନିଆରା ହେଲେ ବି ଦୁଇ ପଟେ କାନରେ ଟୁପ୍ ଟୁପ୍ ଫୁସ୍ ଫୁସ୍ । କଥାଟା ଯେପରି ହାଟରୁ ଯାଇ ବାଟରେ ଗଡ଼ିଲାଣି । ଦୁଇ ମାସ ତଳେ ମଦନପୁରକୁ ବୋହୂ ହେଇ ଆସିଥିବା "କୁସୁମ"ର କଥା ।

"କୁସୁମ", ନାଁ ଟା ଯେପରି ଦେଖିବାକୁ ଠିକ ସେପରି , ଡଉଲଡାଉଲ ଚେହେରା ସାଙ୍ଗକୁ, ତୋଫା ହଳଦୀ ରଙ୍ଗ, ତା ସହିତ କୁଞ୍ଚୁକୁଞ୍ଚିଆ ଚୁଟି । ଭାରୀ ସୁନ୍ଦରୀ । କୁସୁମକୁ ଯିଏ ଥରେ ଦେଖିଚି ସେ ଆଉ ଥରେ ଚାହିଁବ । ଆର ଗାଁ ଗୁଣୁପୁର ମିଶ୍ର ଘର ଝିଅ, ବ୍ରାହ୍ମଣ ପିଲା ସୁନ୍ଦରୀ ହେବନି କିପରି ! କୁସୁମ ଟି ବାପା, ମା ର ଏକୋଇରବଳୀ ବିଶିକେଶିନୀ । ଭାରୀ ଗେଲ୍ହା ରେ ସେ ଝିଅ ସମୟ କାଟିଛି । ଖାଇବା ନାଇବାରେ କେଉଁ ଥିରେ ଅଭାବ ନଥିଲା । ବିବାହ ବୟସ ହୁଅନ୍ତେ ବାପା ତାର ହାତ , "ହରିହର"( ଓରଫ ହରି) ହାତରେ ଟେକି ଦେଲେ । ହରି ବି ସୁନ୍ଦରପଣ ରେ କମ ନଥିଲା, ଛଅ ଫୁଟର ମରଦ, ଗାଁ ମୁଣ୍ଡରେ ଖଣ୍ଡେ ଦୋକାନ ତା ସହ ବିଲବାଡି ଅନେକ । ଗୋଟେ ପୁଅ, ଭାରୀ ମେହନତୀ, ଆଉ ଵା କଣ କୁସୁମ ପାଇଁ ଦରକାର । ଭଲ ଖାଇବ ଭଲ ପିନ୍ଧିବ... ଝିଅଟି ଖୁସିରେ ରହିବ । ଝିଅର ଚିନ୍ତା ଆଉ ପଛକୁ ନଥିବ ।


ଝିଅ ବାହା ଦେବା ପରେ ବାପା ମା ସେ ପର୍ଯନ୍ତ ଝିଅ ଘରେ ପାଣି ପିଅନ୍ତିନି ଯେ ପର୍ଯନ୍ତ ନାତି କି ନାତୁଣୀ ମୁହଁ ଦେଖି ନାହାନ୍ତି । ଏବେ କିନ୍ତୁ କୁସୁମର ବାପା ମା ଝିଅ ଘରକୁ ଫିଦିନ ଦୌଡ଼ିଛନ୍ତି । ଅଖିଆ ଅପିଆ ପଡି ରହିଛନ୍ତି ଝିଅ ପାଖରେ । ବାହାଘର ଦୁଇ ମାସ ନ ପୂରୁଣୁ ବୋହୂକୁ ଦୁଇ ଥର ଡାହାଣୀ ଲାଗି ସାରିଲାଣି । ନୂଆ ବୋହୂଟା ଭିତରେ ପଶି ଭାରୀ ଦହକଞ୍ଜ କଲାଣି । ପୋଖରୀ କୂଳରେ ସେଇ ଚର୍ଚ୍ଚା ଜୋର ଧରିଛି । ସୁକୁଟି ମା' ଗୋଡ ପଥରରେ ଘସୁ ଘସୁ କହୁଥାଏ, "ସେଦିନୁ ହରି ମା କୁ କହୁଛି ଏଡ଼େ ସୁନ୍ଦର ବୋହୂ ଆଣିଛୁ ତା ହାତରେ ଡେଉଁରିଆଟେ ବାନ୍ଧେ... ହସି ଦେଲା !, ଏବେ ଭୋଗୁଥା " । ଚମ୍ପା ମା ଲୁଗା ଧୋଉ ଧୋଉ କହିଲା ଆଲୋ ତାକୁ ପରା ସେ ଲବଙ୍ଗ ଲାଗିଛି ଗଗନ ସ୍ତ୍ରୀ । ସମସ୍ତେ ଚୁପ ହୋଇ ଅନାଅନି ହେଲେ । ସତରେ ନା କଣ ! କାଇଁ ଲବଙ୍ଗ ଯିବା ର ଚାରି ବରଷ ହେଲାଣି କେବେ କାହାକୁ ଲାଗିବା, କି କାହାକୁ ଦେଖା ଟିକେ ଦେଇନି । ହେଲେ ଏମିତି ନୂଆ ବୋହୂ ଟାକୁ କାଇଁ ହଇରାଣ କରୁଛି? । ଆଉ ଦୁଇ ଜଣ ପାଣିରେ ପଶୁପଶୁ କହିଲେ" ଆଲୋ ଆତ୍ମା ସେ !, ଦେହ ଖୋଜି ପାଇଁ ନଥିବ, ନୂଆ ଭୁଆଁ ଟା ଦେଖି ଲୋଭେଇକି ଜାଗା ନେଇଛି " ।

ଏପରି ଚର୍ଚ୍ଚାରେ ଆଜି ସଭିଙ୍କର ଉଛୁର । କିଏ କିଏ ତ ମିଛ ସତ ଲଗେଇକି ଲବଙ୍ଗକୁ ଗାଁ ଦାଣ୍ଡରେ ଆଲୁଅ ବାହାର କରି ଚାଲୁଚି ବୋଲି କହିଲେନି ।


"ଲବଙ୍ଗ", ଭାରୀ ଶାନ୍ତଶିଷ୍ଟ ବୋହୂ ଥିଲା । ମାଛିକୁ ମ କହିବା ଯିମିତି ଶିଖି ନଥିଲା । ଘର ଠାରୁ ଆରମ୍ଭ କରି ବାହାର ପର୍ଯନ୍ତ ସମସ୍ତେ ଭାରି ଭଲ ପାଉଥିଲେ । ବାହାଘର ଚାରି ବର୍ଷ ପରେ ଵି କିଛି ପିଲାପିଲି ହେଲେନି । ସେଥିପାଇଁ ଲବଙ୍ଗ ଢେ଼ରେ ଓଷା ବ୍ରତ କରିଛି । ତାପରେ ଯାଇ ଠାକୁର ତା କୋଳରେ ଛୁଆ ଟିଏ ଦେଲେ । ହେଲେ ଦଇବ ବଡ ନିଷ୍ଠୁର , ପୁଅ କୁ ଛଅମାସ ନପୁରୁଣୁ ଲବଙ୍ଗ ଅଜଣା ରୋଗରେ ଆର ପାରିକୁ ଚାଲିଗଲା । ସମୟ କ୍ରମେ ସମସ୍ତେ ପାସୋରି ଦେଲେ ତାକୁ । ଗଗନ ଵି ଆଉ ଜଣକ ହାତ ଧରି ସାରିଲାଣି । ହେଲେ ଏତେ ବର୍ଷ ପରେ ପୁଣି ଥରେ ସମସ୍ତଙ୍କର ଆଖି ଆଗରେ ନାଚି ଉଠିଲା ଲବଙ୍ଗର ମୁହଁଟା, କେବଳ ଏହା ସମ୍ଭବ ହୋଇପାରିଛି କୁସୁମ ପାଇଁ ।

କୁସୁମ ଖଟ ଉପରେ ଶୋଇଛି , ସାଇ ମାଇପେ ହରିର ପିଣ୍ଡାରେ ଡେରା ପକେଇ ସାରିଲେଣି । ସମସ୍ତେ ଅପେକ୍ଷାରତ ଭୂତର ବାଣୀ ଶୁଣିବା ପାଇଁ । ହେଲେ କୁସୁମ ଭିତରେ ପ୍ରବେଶି ଥିବା ଲବଙ୍ଗଟା ପୁରା ଚୁପ୍, ନା କିଛି କହୁଛି ନା ଅନାଉଛି । ହରି ତା ଦୋକାନ ବନ୍ଦ କରି ଗୁଣିଆ ନେଇ ଆସିଲାଣି । ହେଲେ ଆଗ ଥର ଭଳି ଏଥର ଵି ସେଇ ଏକା କଥା । ଗୁଣିଆ କୁ ଦେଖୁ ଦେଖୁ ଲବଙ୍ଗ ଭୂତ ଟା କହୁଛି ମତେ କ୍ଷୀରି, ପୁରୀ, ମାଣ୍ଡୁଅ, ମିଠା ଆଦି ... ଭଲ ଖାଦ୍ୟ ଦିଅ ମୁଁ ଚାଲିଯିବି । ଗୁଣିଆ ଵି ପଚାରିଲା ତୁ ଖାଇଲେ ଚାଲିଯିବୁ ....... କୁସୁମ ରୂପୀ ଲବଙ୍ଗ ମୁଣ୍ଡ ହଲେଇ ହଁ ଭରିଲା । ସାଇ ମାଇପେ ଲାଗିଗଲେ କ୍ଷୀରି ପୁରୀ ବନେଇବା ଆଦିରେ । କୁମୁମ ଆଗରେ ସବୁ ରଖା ଗଲା । ମନଭରି ଯାହା ଖାଇବା ର ଖାଇଲା ତା ପରେ ଧୀରେ ସେଇଟି ଶୋଇପଡ଼ିଲା । ସମସ୍ତେ ଜାଣିଲେ ଭୂତ ଛାଡିଗଲା । କୁସୁମର ମା ଏବଂ ଶାଶୁ ମୁଣ୍ଡ ଓ ଗୋଡ ପାଖରେ ବସି ଆଉଁଶୁ ଥାନ୍ତି, ଏବଂ ଲବଙ୍ଗକୁ କଡା ଶବ୍ଦରେ ଗାଳି କରିବା ଵି ଭୂଲୁ ନଥାନ୍ତି । ଖାଲି ସେମାନେ ନୁହନ୍ତି, ଭୂତ ଭଗେଇଵା ପଦ୍ଧତିରେ (ମାନେ ରୋଷେଇ ରେ) ଯୋଉମାନେ ଅଂଶ ଗ୍ରହଣ କରିଥିଲେ ସେମାନେବି ଆରପାରିର ଲବଙ୍ଗକୁ ନିନ୍ଦା କରିବାରେ ପଛାଉ ନଥିଲେ ।


ଆପଣ ମାନଙ୍କ ଅବଗତି ନିମତେ କହିଦିଏ ଯେ କୁସୁମ ର ଏ ସବୁ ନାଟକବାଜି ଥିଲା । ଯେହେତୁ ସେ ଵାପଘରେ ଅତି ଗେଲ୍ହା ରେ ବଢିଥିଲା ତେଣୁ କାମ କଣ ଜାଣିନଥିଲା, ଶାଶୂଘରେ ନୂଆ ବୋହୂ ହୋଇ ଚଳିବାରେ ବଡ କଷ୍ଟ ଅନୁଭବ କରୁଥିଲା । ଭଲରେ ପେଟପୁରା ଗଣ୍ଡେ ଖାଇ, କି ଭଲରେ ଶୋଇ ପାରୁନଥିଲା । ଘର ଛାଡି ବିଦା ହେଲାବେଳେ ମା' ତାର କହିଥିଲା ଖାଇବାରେ ଲାଜ କରିବୁ, ଉଛୁର ଯାଏ ଶୋଇବୁନି ବୋଲି । ମା ' କଥା ମାନିଵା ବଡ କଷ୍ଟ ପଡ଼ିଲାଣି । ସେଦିନ ପ୍ରଧାନ ଘର ସୁକୁଟି ବୁଢ଼ୀ ବୋହୂ ର ମୁହଁ ଦେଖିବାକୁ ଆସି ବୋହୂର ହାତରେ ଟଙ୍କା ଗୁଞ୍ଜୁ ଗୁଞ୍ଜୁ ହରି ମା କୁ କହିଗଲା "ଆଲୋ ଏତେ ସୁନ୍ଦର ବୋହୂ ପାଇଛୁ ତାକୁ ଡେଉଁରିଆ ଟେ ଦେ, ନୂଆ ଭୁଆଁ ଟା କାହାର କୋଉ ନଜର" । ଏସବୁ ଶୁଣିବା ପରେ କୁସୁମ ମୁଣ୍ଡରେ ବୁଦ୍ଧି ଟା ପଶିଲା । ସେଦିନ ଶାଶୁ କାହା ସହ ବାରିପଟେ ଲବଙ୍ଗ କଥା କୁହାକୁହି ହେଉଥିଲେ , ଏବେ କୁସୁମ କୁ ବୁଦ୍ଧି ସହିତ ଭୂତ ଟା ଵି ମିଳିଗଲା ତା ପରେ ଏ ସବୁ ନାଟ । ଏବେ କୁସୁମ କିଛି କାମ ନକରି ଶୋଇବ, ମନ ମୁତାବକ ଖାଦ୍ୟଵି ପେଟଭରି ଖାଇଛି । ମନେମନେ କୁସୁମ ନିଜ କାନ୍ଦରେ ସାବାସି ଦେଇ ଦେଲା, ଆଉ ଶୋଇପଡ଼ିଲା ନିଘୋଡ଼ ନିଦରେ ।


ଆଜିଵି ସୁକୁଟି ବୁଢ଼ୀ ଚାଳ ଉପରେ କାଉ ରାବିଲାଣି, ଗାଁ ଟା ଚଳଚଞ୍ଚଳ । ନିଜ ନିଜ କାମରେ ସମସ୍ତେ ବେସ୍ତ । ଶାଶୁ ଉଠି ବାସି ପାଇଟି ସାରିଲେଣି, ହରି ଵି ଦୋକାନ ଯିବାକୁ ପ୍ରସ୍ତୁତ । ହେଲେ କୁସୁମ ଏପର୍ୟ୍ଯନ୍ତ ଶେଜ ଛାଡ଼ିନି । ଶାଶୁ ଯାଇ ଅତି ଆଦରରେ ମୁଣ୍ଡକୁ ଆଉଁସି ଦେଲେ ଉଠିଯା ମା, ଦେହ କଣ ଭଲ ଲାଗୁନି । କୁସୁମ ଭୁଶ୍ କରି ଉଠି ବସିଗଲା ନିଜର ଓଢଣା ମୁଣ୍ଡ ଉପରେ ଟାଣି ଦେଇ ସାନଵୋଉ କହି ଶାଶୁଙ୍କୁ ମୁଣ୍ଡିଆ ମାରିଲା । ଶାଶୁ ହତଚକିତ... ପଛେଇ ପଛେଇ ଯାଇ କାନ୍ଥରେ ବାଡେଇ ହେଇଗଲେ । ହରି ହରି ବୋଲି ଜୋରରେ ଚିଲେଇ ଦେଲେ । ହରି ଦୌଡ଼ି ଆସି ଦେଖେତ କୁସୁମ ମୁରୁକି ହସା ମାରୁଛି । ହରି କୁସୁମକୁ ହଲେଇ ଦେଲା ଆରେ କଣ ହେଲା? । କୁସୁମ ହରି ର ହାତକୁ ଖସେଇ ଦେଇ ଧୀରେ କହିଲା ହଇଓ ଦିଅର ଟୋକା ଭାଉଜ ନ ଡାକି କୁସୁମ କଣ ଡାକୁଛ । ହରି ର ଦେହଟା ଶୀତେଇ ଗଲା ଏମିତି ତ ଲବଙ୍ଗ ଭାଉଜ ଡାକନ୍ତି । ହେଲେ କୁସୁମ ଆଜି ଯେମିତି ଅବିକଳ ଲବଙ୍ଗ ଭାଉଜ ପରି ହେଉଛି । ଆସ୍ତେ ଆସ୍ତେ ହରି ଘର ଆଗରେ ଭିଡ ଜମିଲା । ଯାହାକୁ କେବେ କୁସୁମ ଦେଖିନି ତାଙ୍କୁ ଵି ଅପା ନାନୀ କହି ଜୁହାର ପକାଉଛି । ହରି ଦୌଡ଼ି ଯାଇ ଗୁଣିଆ ଡାକି ଆଣିଲା...ଗୁଣିଆ ଆସି କୁସୁମ ଆଗରେ ବସିଗଲା, କୁସୁମ ଗୋଟେ ଲମ୍ବା ଓଢଣା ଟାଣି ବୁଲିଗଲା । ଗୁଣିଆ ବଡ ଜୋରରେ ପଚାରିଲା ଆଜି କଣ ଖାଇବୁ କହ? କୁସୁମ ଧୀରେ ଧୀରେ କାନ୍ଦିବାକୁ ଲାଗିଲା ଆଉ ଧୀର ଗଳାରେ କହିଲା ନାଇଁ ଭୋକ ନାହିଁ,...... ଖାଲି ମୋ ପୁଅକୁ ଟିକେ ଦେଖେଇ ଦିଅ ତାକୁ ଦେଖିକି ଚାଲିଯିବି । ମୁଁ ଆସିନଥାନ୍ତି ହେଲେ ଏମାନେ ମତେ ଏତେ ମନେ ପକାଇଲେ ମୁଁ ରହି ପାରିଲିନି, ଡାକ ମୋ ଧନକୁ ତାକୁ ଟିକେ ଦେଖେ । ଲବଙ୍ଗ ପୁଅ ଡକା ହୋଇ ଆସିଲା, ସମସ୍ତେ ଚାହିଁଥାନ୍ତି । କୁସୁମ ପୁଅକୁ ଦେଖୁ ଦେଖୁ କୁଣ୍ଡେଇ ପକାଇଲା... । ବୁକୁଫଟା କାନ୍ଦରେ ଯେପରି ଚାରି ଦିଗ କମ୍ପିଗଲା । ଗୋଟେ ମା' ର ବିକଳ କାନ୍ଦରେ ଦର୍ଶକ ସାଜିଥିବା ମା' ମାନେଵି ସମ୍ଭାଳି ପାରି ନଥିଲେ । କାହାକୁ ଅଛପା ନଥିଲା ଯେ ଏ କୁସୁମ ନୁହେଁ ଲବଙ୍ଗ ବୋଲି । ପିଲାକୁ ମନଭରି ସ୍ନହ କରିଵା ପରେ, କୁସୁମ ତଳେ ପଡିଗଲା । ଗୋଟେ ମା ର ଅନାବିଳ ସ୍ନହ ଦେଖି ଆଜି ଆଉ କାହା ମୁହଁରେ ଲବଙ୍ଗ ପ୍ରତି ଗାଳି ନଥିଲା, ଥିଲା ଖାଲି ଦରଦ ।


ଆସ୍ତେ ଆସ୍ତେ ଜନଗହଳି ଛିଣ୍ଡିଲା, କୁସୁମ ଚେତାଶୂନ୍ୟ ଅବସ୍ଥାରେ । ପାଣି ଛାଟିଲା ପରେ ତା ଚେତା ଆସିଲା । ଆଖି ଖୋଲି ଦେଖେତ ସମସ୍ତେ ତାକୁ ଚାହିଁଛନ୍ତି । କିଛି ବୁଝା ପଡୁନି, ପଚାରିଲା "ମୋର କଣ ହୋଇଛି ? " । ତା ପରେ ଉତ୍ତର ଦେବାର ବାରି । ଯିଏ ଯାହା ଦେଖି, ଶୁଣି ଥିଲେ ସବୁ ବଖାଣି ଗଲେ । ଯେତେଯେତେ କୁସୁମ ଏ କଥା ଗୁଡା ଶୁଣୁଥାଏ ସେତେ ସେତେ ତଣ୍ଟି ତାର ସୁଖୁଥାଏ । ପାଣି ନୋଟାଏ ମାଗି ପିଇଗଲା, ଭୂତ ଡର ସାଙ୍ଗକୁ ମିଛ ଅଭିନୟ ଧରା ପଡ଼ିବାର ଭୟ । ଲବଙ୍ଗ କିଛି କହିଦେଇନିତ, ପିଳେହି ପାଣି । ତାର ତ କିଛିବି ମନେ ନାହିଁ କଣ ହୋଇଛି, ସେ କଣ କହିଛି ¡ କିଛି ସମୟ ନିରବ ରହି ଜାଣିଲା ତା ମିଛିମିଛିକା ଅଭିନୟ କୁ ଲବଙ୍ଗ ପରଦାଫାସ କରିନି । ମନ ଭିତରେ ଭଗବାନ ଏବଂ ଲବଙ୍ଗକୁ କ୍ଷମା ମାଗିଲା । ସେ ତାର ଭୂଲୁ ବୁଝିଛି । ଆଜି ଠାରୁ ଗୋଟେ ଭଲ ବୋହୂ ହେବାକୁ ପ୍ରତିଜ୍ଞା ନେଲା । ସେଇ ଦିନ ଠାରୁ ଲବଙ୍ଗକୁ କେହି ଆଉ ଦେଖି ନାହାଂତି.



Rate this content
Log in

Similar oriya story from Horror