Pravanjan Dash

Tragedy Inspirational

4.1  

Pravanjan Dash

Tragedy Inspirational

କୁଲି

କୁଲି

3 mins
397



ସେଦିନ ଶୀତୁଆ ସକାଳୁ ମୁଁ ବେଶ୍ ସ୍ପଷ୍ଟ ଭାବରେ ଶୁଣିପାରୁଥିଲି କୌଣସି ଏକ ତରୁଣୀର ସୁମଧୁର କଣ୍ଠ ସ୍ୱର ଯଦିଓ ସେ ତରୁଣୀ କି ପ୍ରାପ୍ତ ବୟସ୍କା ଦ୍ୱନ୍ଦ୍ୱରେ ମୁଁ ନିଶ୍ଚିତ ନଥିଲି ତଥାପି ସେହି ଯାଦୁକରୀ ମିଷ୍ଟଭାଷୀ ବିମୋହିତ ପ୍ରାୟ କଣ୍ଠ ସ୍ୱରଟି ଥିଲା, “ ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ ଗାଡି ନମ୍ବର-xxxxx ଲୋକମାନ୍ୟ ଏକ୍ସପ୍ରେସ୍ ବର୍ତ୍ତମାନ ମାତ୍ର ଦଶ ମିନିଟ୍ ମଧ୍ୟରେ କଳିଙ୍ଗ ଜଙ୍କ୍ସନ୍ ର ସାତ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବ, ତେଣୁ---- ” । ଚାହୁଁ ଚାହୁଁ ଦଶ ମିନିଟ୍ ଦଶ ସେକେଣ୍ଡ୍ ପରି ବିତିଗଲା, ଆଉ ସେହି ଯୁବତୀର ମଧୁରତାଭରା ସ୍ୱର ବି ଧୀର ହୋଇ ନୀରବି ଗଲା ତଥାପି ତାହା ଗୁଞ୍ଜରିତ ହେଉଥିଲା ମୋ ମନ ମାନସରେ ।


ମାତ୍ର ଦଶ ମିନିଟ୍ ର ଅନ୍ତର ପରେ ଦୂରର କୁହୁଡି କାକର ଭିତରୁ ଏକ ଲମ୍ବା ହର୍ନ ବଜାଇ ଲୋକମାନ୍ୟ ଏକ୍ସପ୍ରେସ୍ ଛୁକ୍ ଛୁକ୍ ଶବ୍ଦ କରି ଚାଲି ଆସିଲା ପ୍ଲାଟଫର୍ମ ଅଭିମୁଖେ । ଟ୍ରେନ୍ ର ଗତି ସ୍ଥିର ହେବା କ୍ଷଣି ଶୁନ୍ଶାନ୍ ଥିବା ଷ୍ଟେସନ୍ଟି ହଠାତ୍ ଚଳ ଚଞ୍ଚଳ ହୋଇ ଉଠିଲା । ଯାତ୍ରୀମାନଙ୍କ ଆଗମନ ଓ ପ୍ରସ୍ଥାନର ଶବ୍ଦରେ ନୀରବ ଷ୍ଟେସନ୍ଟି ଆସ୍ତେ ଆସ୍ତେ କୋଳାହଳମୟ ହେବାକୁ ଲାଗିଲା । ତେବେ ଏସବୁ ଭିତରେ ଜଣେ ସୁନ୍ଦର ସ୍ୱାସ୍ଥ୍ୟଧାରୀ ଯୁବକ (ବଡି ବିଲଡର୍) ଟ୍ରେନ୍ ର ସୁପର ଏସି ବଗିରୁ ଓଲାଇ ଷ୍ଟେସନ୍ ଆଡ଼କୁ ଚାଲି ଆସିଲେ । ଦେହରେ ସୁନ୍ଦର ପୋଷାକ, ହାତରେ ଦାମୀ ଘଣ୍ଟା, ଗୋଡ଼ରେ ରଙ୍ଗୀନ୍ ଜୋତା ମୁଖ୍ୟତଃ ବେଶ ପୋଷାକରୁ ଲାଗୁଥିଲେ ଯେ, ସତରେ ଯେପରି ସେ କେଉଁ ରାଜ ପରିବାରର ରାଜକୁମାର ଅବା ସିନେମାରେ ହିରୋ ବୋଧହୁଏ । ତେବେ ହାତରେ ଜିନିଷ ଭର୍ତ୍ତି ବ୍ୟାଗ୍ ଧରି ଥିବା ସେହି ଯୁବକ ଜଣକ ହଠାତ୍ କାହାକୁ ଆଙ୍ଗୁଳି ଇଙ୍ଗିତ କରି ଜୋର୍ ରେ ଡାକି ପକାଇଲେ, “ଏ କୁଲି” ।


ବୟସ ପାଖାପାକି ସତୁରୀ ଉପରେ ହେବ, ଅଣ୍ଟା ନଇଁ ପଡ଼ିଲାନି, ଗୋଡ଼ ହାତର ଚମ ଧୁଡୁଧୁଡୁ ହେଉଛି, ଦେହରେ ଚିରା ଛିଣ୍ଡା କେସ୍ତା ସହ ଫିକା ନାଲି ରଙ୍ଗର ଜାମା ଖଣ୍ଡେ ପିନ୍ଧି, ମୁଣ୍ଡରେ ଠେକାଟିଏ ଭିଡି ଜଣେ ପ୍ରାପ୍ତ ବୟସ୍କ ଅସହାୟ ବୁଢ଼ାଟିଏ ନିଜର ସାମର୍ଥ୍ୟ ଅନୁଯାୟୀ ଧାଇଁ ଆସିଲେ ସେହି ଯୁବକଙ୍କ ଆଡ଼କୁ ଏବଂ ଅତ୍ୟନ୍ତ ବିନମ୍ରତାର ସହ ନମସ୍କାରଟିଏ କରି ଆପତ୍ତିଭରା କୋମଳ କଣ୍ଠରେ ପଚାରିଲେ, “କୁହନ୍ତୁ ବାବୁ କି କାମ କରିବି? ” ଯୁବକ ଜଣକ ବୁଢ଼ା କୁଲିଟିକୁ ଉଚ୍ଚ ଗଳାରେ ନିର୍ଦ୍ଧେଶ ଦେଲେ, “ଏ ଜିନିଷ ପତ୍ର ସବୁ ଷ୍ଟେସନ୍ ବାହାରକୁ ନେଇ ଆସ”। ନିଜ ଅସହାୟ ନିରୀହ ଆଖି ଦୁଇଟିରେ ବୁଢା କୁଲି ଜଣକ ସମସ୍ତ ଜିନିଷ ପତ୍ରକୁ ଚାହିଁ ବିନମ୍ରତାର ସହିତ ଉତ୍ତର ଦେଲା, “ବାବୁ ଜିନିଷ ଅଧିକା ଅଛି ପଚାଶ ଟଙ୍କା ନେବି” । କୁଲିର ଏତିକି କଥା ଶୁଣି ଯୁବକ ଜଣକ ଟିକେ ଚିହିଁକି ଯାଇ କହିଲେ, “ଏଁ ଏତେ କମ୍ ଜିନିଷକୁ ପୁଣି ପଚାଶ ଟଙ୍କା ମୁଁ ସମୁଦାୟ ତିରିଶ ଟଙ୍କାରୁ ଟଙ୍କାଟିଏ ଅଧିକା ଦେବି ନାହିଁ ଆଣିବୁ ଯଦି ଆଣେ ନହେଲେ ନାହିଁ” ।


ଏସବୁ କଥା ଶୁଣି ବୁଢା କୁଲି କିଛି କହିବା ଆଗରୁ ଯୁବକ ଜଣକ ନିଜ ଅଭିଜାତ୍ୟପୂର୍ଣ୍ଣ ଢଙ୍ଗରେ ଆଗରେ ଚାଲିଗଲେ । ଦୂରରୁ ମୁଁ ଏସବୁ ଆଂଶିକ ଦେଖୁଥିଲେ ବି ବହୁତ କିଛି ଜାଣି ପାରୁଥିଲି ଏବଂ ସ୍ୱତଃସ୍ପୃତ ଭାବେ ମନେ ମନେ ଭାବୁଥିଲି ଯେ ଆଜିର ଏ ସଭ୍ୟ ସମାଜରେ ଲୋକ ଜିମ୍ ଯାଇ ବଡ଼ ବାହୁ ବନାଇ ପାରନ୍ତି ସତ କିନ୍ତୁ ମନର ସାହସ କି ସାମର୍ଥ୍ୟ ନୁହେଁ, ଦାମୀ ପ୍ରୋଟିନ୍ ସହାୟତାରେ ବିଶାଳ ଛାତି ବନାଇ ପାରନ୍ତି କିନ୍ତୁ ସେ ଛାତି ତଳେ ଗରିବ ଲୋକଙ୍କ ପାଇଁ ସ୍ନେହ ପ୍ରେମ ଓ ଭଲ ପାଇବାର ଟିକେ ଜାଗା ନଥାଏ, ଏ ଯୁବ ସମାଜ ପାଶ୍ଚାତ୍ ସଂସ୍କୃତିକୁ ଅନୁସରଣ କରନ୍ତି କିନ୍ତୁ ପାଶ୍ଚାତ୍ ସଭ୍ୟତାକୁ ଅଣଦେଖା କରନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଥିଲି ସେହି ସୁନ୍ଦର ସ୍ୱାସ୍ଥ୍ୟଧାରୀ ଯୁବକଙ୍କ ପାଖରେ । ନିଜ ଚିରାଚରିତ ଢଙ୍ଗରେ ଯୁବକ ଜଣକ ସେମିତ ଆଗେଇ ଚାଲି ଯାଉଥିଲେ ପଛରେ ଜିନିଷ ବୋଝରେ ଅଣ୍ଟା ଭାଙ୍ଗି ପଡୁଥିବା ସେହି ବୁଢା କୁଲି ଜଣକ ଧୀର ଗଳାରେ ଥରି ଥରି ଡାକୁଥିଲା, “ବାବୁ ଟିକେ ଶୁଣନ୍ତୁ, ଏ ଗରିବ ବୁଢା ଉପରେ ଟିକେ ଦୟା କରନ୍ତୁ ବାବୁ------------”



Rate this content
Log in

Similar oriya story from Tragedy