କୁଆ
କୁଆ


ଆରେ ଶୁଣୁଛ, ଘରେ ଆଉ ବାସିରୁଟି ଅଛି କି? ଆଉ ଦୁଇ ଖଣ୍ଡ ଆଣିଲ। କୁଆ ମାନଙ୍କୁ ଆଜି ବୋଧେ ବେଶି ଭୋକ। ତିନି ଟା ଦେଲା ପରେ ବି ତାଙ୍କ ରାଉ ରାଉ ବନ୍ଦ ହେଉନି।
ରାମବାବୁ ପତ୍ନୀଙ୍କ ଉଦ୍ଦେଶ୍ଯରେ ଏତିକି କହି ପେପରପୃଷ୍ଠା ଓଲଟାଇବାରେେ ଲାଗିଲେ। କିଛି ସମୟ ଭିତରେ ମିତା ହାତରେ ଦୁଇଖଣ୍ଡ ରୁଟି ଧରି ଆସି କହିଲେ- - କାଲିର ରୁଟି ଆଉ ନାହିଁ। ଏ ଦୁଇଟା ରୁଟି ଚାରିଦିନ ତଳର,ଟିକେ ଲାଳୁଆ ହୋଇଯାଇଛି ସତ, କିନ୍ତୁ କୁଆଙ୍କୁ ଭଲ ଲାଗିବ। ସେମାନେ ଖାଇଲେ ଆମର ପୂଣ୍ଯ ହେବ। ଜ୍ଯୋତିଷ ପରା କହିଛନ୍ତି, କୁଆ ମାନଙ୍କୁ ରୁଟି ଦେଲେ ଶନିଦେବଙ୍କ କୃପା ମିଳିବ।
- - ସେକଥା ସତ ଯେ,କିନ୍ତୁ କେତେଟା କୁଆ ପାଚେରୀ ସେପଟେ ଅଛନ୍ତି ମୁଁ କଣ ଜାଣି ପାରୁଛି? ଏବେ ଗେଟ୍ ପାଖକୁ ଯାଇ ସେମାନଙ୍କୁ ଦେଖିବା ପାଇଁ ମୋତେ ବହେ କଷ୍ଟ କରିବାକୁ ହେବ। ମୋ ଆଣ୍ଠୁର ଅବସ୍ଥା ଯାହା, ଏ ବୟସରେ ଆଉ କଣ ବସି ଉଠି ହେଉଛି?
- - ତୁମେ ରୁଟି ଛିଡାଇ ପାଚେରୀ ଆର ପଟକୁ ଫିଙ୍ଗ, ମୁଁ ଦେଖି ଦେଇ ଆସୁଛି କେତେଟା କୁଆ ଅଛନ୍ତି। କାଲିଠାରୁ କିଛି ଅଧିକା ରୁଟି ବଳକା ରଖିଦେବା, କହିଲେ ମିତା।
ରାମବାବୁ ରୁଟି ଛିଡାଇ ପାଚେରୀ ସେପଟକୁ ଫିଙ୍ଗିବାରେ ଲାଗିଲେ ଓ ମିତା କୁଆ ମାନଙ୍କର ସଂଖ୍ଯା ଗଣିବାକୁ ଗେଟ୍ ପାଖକୁ ଗଲେ।
କିଛି ସମୟ ପରେ ଲୁହ ଛଳଛଳ ଆଖିରେ ମିତା ଫେରିଲେ ଓ ରାମଙ୍କ ହାତ ଧରି ଗେଟ୍ ପାଖକୁ ନେଇଗଲେ। ପାଚେରୀ ସେପଟର ଦୃଶ୍ଯ ଦେଖି ରାମ ହତବାକ୍ ହୋଇଗଲେ । ତାଙ୍କ ଆଖିରୁ ମଧ୍ଯ ଦୁଇ ଧାର ଲୁହ ଝରିଗଲା ଓ ପାଟିରୁ ବାହାରିଗଲା - - ହେ ଭଗବାନ୍।
କୁଆ ମାନଙ୍କ ମେଳରେ ମୁଣ୍ଡ ତଳକୁ କରି ବସିଥିଲା ଧୂଳି ଧୂସରିତ ଅବସ୍ଥାରେ ପାଞ୍ଚ ଛଅ ବର୍ଷର ପିଲାଟିଏ। ତା ଫୁଙ୍ଗୁଳା ହାଡମୟ ଶରୀର ଉପରେ ଲୋଚାକୁଚା ଚର୍ମର ଚାଦର ଘୋଡାଇ ରହିଥିଲା ଯାହା। କୁଆ ମାନଙ୍କ ପାଖରୁ ରୁଟି ଖଣ୍ଡ ଛିଡାଇ ଉଦରସ୍ଥ କରିବାର ପରିମାଣ ସ୍ବରୂପ, ଦେହର କେଇ ଯାଗାରେ କାଉ ଖୁମ୍ପିବାର କ୍ଷତଚିହ୍ନ ସ୍ପଷ୍ଟ ଦିଶୁଥିଲା। କାଉ ମାନଙ୍କର କର୍କଶ କା କା ଚିତ୍କାର କୁ ଖାତିର ନ କରି ତଳେ ପଡିଥିବା ରୁଟି ଟୁକୁରା ଗୁଡିକୁ ସେ ବିକଳ ହୋଇ ପାଟିରେ ପୁରାଇ ଗିଳି ଚାଲିଥିଲା।
ରାସ୍ତା ଉପରେ ପିଲାଟିର ବୁଭୁକ୍ଷୁ ପ୍ରାଣର କ୍ଷୀଣ ଆର୍ତ୍ତନାଦ ଓ ରୁଟି ଟୁକୁରା ଉପରେ ସ୍ବଅଧିକାର ସାବ୍ଯସ୍ତ ପାଇଁ କୁଆମାନେ କରି ଚାଲିଥିବା କର୍କଶ ଚିତ୍କାର ମଧ୍ଯରେ ଭୀଷଣ ପ୍ରତିଯୋଗିତା ଚାଲିଥିଲା। ମିତା କାନ୍ଦକାନ୍ଦ ହୋଇ କହିଲେ
- - ଆହା ବିଚରା ପିଲା ଟା, ଭୋକ ସମ୍ଭାଳି ନ ପାରି ଶେଷରେ କୁଆ ପାଲଟିଗଲା !!
- - ସମାପ୍ତ- -