କଥା କୁହା ଠାକୁର
କଥା କୁହା ଠାକୁର
କବି, ଲେଖକ, ଗାଳ୍ପିକ, ସ୍ତମ୍ଭକାର ଯେ କହି ବି ହୁଅନ୍ତୁ ସମସ୍ତେ ଜଣେ ଜଣେ ଶବ୍ଦର ସେ ସୌଦାଗର ଆଉ ସେମାନେ ନିଜ ଶବ୍ଦ ମାଧ୍ୟମରେ ସୃଷ୍ଟି କରି ଥାଆନ୍ତି ଖୁବ୍ ସୁନ୍ଦର କାହାଣୀ, କବିତା, ଇତ୍ୟାଦି। ଶ୍ରୀକ୍ଷେତ୍ର ରେ ଯିଏ ପ୍ରଭୁଙ୍କୁ ଦର୍ଶନ କରି ପାରିଲା ସେ ସତରେ ପୁଣ୍ୟ ଅର୍ଜନ କରିଥାଏ। ପୁରୀ ବାହାରୁ ଯେତେ ବେଳେ ଭକ୍ତ ମାନେ ଆସନ୍ତି ସେମାନେ ବହୁତ କିଛି ସ୍ବପ୍ନ ନେଇ ଆସନ୍ତି ଠିକ୍ ସେମିତି ଗୋଟେ ଛୋଟ ଝିଅ ଥିଲା ନାଁ ଟି ତାର "ହେଲି" ଜନ୍ମ ରୁ ତାକୁ ରାହୁ ଶନି ପୀଡା ଗ୍ରାସ କରିଥିଲା ତେଣୁ ସେ ବହୁତ ଡେରି ରେ ଚାଲିବା ଆରମ୍ଭ କରିଥିଲା ଆଉ ପାଠ ପଢା ମଧ୍ୟ। ପିଲାଟି ଦିନରୁ ବୋଉ ତାକୁ ବିଶ୍ବନାଥ ଠାକୁରଙ୍କ ନିକଟରେ ସମର୍ପି ଦେଇଥିଲେ। ଛୋଟ ବେଳୁ ସମସ୍ତେ ତାକୁ ଔଷଧ ବାକ୍ସ ବୋଲି ସମ୍ବୋଧନ କରନ୍ତି।ଯେବେ ଠାରୁ ସେ ହେତୁ ପାଇଲା ଜଗନ୍ନାଥଙ୍କୁ ବହୁତ ଭଲ ପାଏ। ଗାଁ ରେ କି ଅନ୍ୟ କେଉଁଠି ମେଳା ହେଲେ ଯିଏ ଯାହା କିଣୁ ପଛେ ହେଲି କିନ୍ତୁ କିଣେ ଚାବି ରିଙ୍ଗ।ଆଉ ସେ ପୁଣି ଜଗନ୍ନାଥଙ୍କର ।ଆଉ ସେ ଚାବି ରିଙ୍ଗ ରେ ଥିବା ଜଗନ୍ନାଥ ସତେ ଯେମିତି ତା ସହିତ କଥା ହୁଅନ୍ତି,ସେ ସେମିତି ନିଜ ମନ କଥା ଗପି ଚାଲେ। ବହିରେ ପଢ଼ିଛି କୋଉଠି ଗୋଟେ ପୁରୀ ସହର ଅଛି ଆଉ ସେଇଠି ଜଗନ୍ନାଥ ଅଛନ୍ତି। ଘରେ ଭାଇ ଭଉଣୀ ମିଶି ସାତ ଜଣ ବଡ଼ ଭଉଣୀ ବାହା ହୋଇ ସାରିଛି। ତେଣୁ ହେଲି ଭାବେ ହଉ ମୁଁ ତ ଗାଁ ରେ ରହୁଛି ସେମିତି ପୁରୀ ଆଉ କାହା ସହିତ ଯିବି ତେଣୁ ଯଦି କାଳିଆ ଠାକୁର ଚାହିଁ ବେ ତେବେ ଯାଇ ହେବ ନ ହେଲେ ନାହିଁ। ଧିରେ ଧିରେ ବୟସ ବଢିବା ସହିତ ତା ଭଲ ପାଇବା ଜଗନ୍ନାଥଙ୍କ ପ୍ରତି ବଢୁଥିଲା। ହେଲି ସବୁବେଳେ ଏକାନ୍ତ ଖୋଜେ କାରଣ ସେ ସେଇ ଏକାନ୍ତ ଭିତରେ ଜଗନ୍ନାଥଙ୍କ ସହିତ ବହୁତ କଥା ହୁଏ । ବେଳେ ବେଳେ ସେ ସ୍ବପ୍ନ ଦେଖେ ପାନ ବରଜ, ଗଳି ରାସ୍ତା, ଲକ୍ଷ୍ମୀ ଠାକୁରାଣୀ ପୂଜା ପାଉଛନ୍ତି ଧଳା ଅରଖ ଫୁଲରେ। ଝୁଣା ଧୂଆଁ।ଏ ସବୁ କଥା ସେ କାହା ସହିତ ବାଣ୍ଟି ପାରେ ନାହିଁ।ମନ ଭିତରେ ବହୁତ ଭଲପାଇବା ଥାଏ ଜଗନ୍ନାଥଙ୍କ ପ୍ରତି। ହେଲି ସବୁବେଳେ ଭାବେ ସେ ବଡ଼ ହେଲା ପରେ ଜଗନ୍ନାଥ ମନ୍ଦିର ଯିବ ଆଉ ବୟସ ଗଲା ପରେ ପୁରୀ ରେ ରହିବ।ବାଇଶି ପାହାଚ ରେ ଗୀତା ପଢିବ ଆଉ ଆନନ୍ଦ ବଜାରରେ ମାଗି କି ଖାଇବ। ମରିଗଲେ କେହି ନା କେହି ସ୍ବର୍ଗ ଦ୍ବାର ନେଇଯିବେ।ହେଲି ର ଦୁଇଟି ସ୍ବପ୍ନ ଥିଲା ଗୋଟିଏ ପୁରୀ ରେ ରହି ଜଗନ୍ନାଥଙ୍କୁ ସବୁଦିନ ଦର୍ଶନ କରିବ ।ଆଉ ତାପରେ ସ୍ବର୍ଗ ଦ୍ବାର ଯିବ। ଏ ପ୍ରକାର ର ଭାବପ୍ରବଣ ସେ କାହାକୁ କହିପାରେ ନାହିଁ।ସେ ଯେତେବେଳେ କଲେଜ ରେ ପାଠ ପଢୁଥିଲା ନବକଳେବର ହୋଇଥିଲା ଆଉ ବଡ ଭିଣୋଇ, ଭଉଣୀ ସମସ୍ତେ ମିଶି ଦର୍ଶନ କରିବାକୁ ଆସିଥିଲେ। ଠାକୁର ଦର୍ଶନ ରେ ସେ ଏମିତି ଭାବବିହ୍ବଳ ହୋଇ ପଡ଼ିଥିଲା ଯେ ଚେତା ଶୂନ୍ୟ ହୋଇଗଲା।ସମୟର ଙ୍କ ଗଢ଼ିବା ସହିତ ହେବାର ଭଲ ପାଇବା ଜଗନ୍ନାଥଙ୍କ ପ୍ରତି ବଢୁଥିଲା।ତା ଭିତରେ ତା ଭଉଣୀ ମାନେ ବାହା ହୋଇ ସାରିଛନ୍ତି।ହେଲି ର ମଧ୍ୟ ବାହାଘର ହୋଇଯାଇଛି। ଭଗବାନ ତାକୁ ସୁନ୍ଦର ଝିଅ ଟିଏ ଦେଇଛନ୍ତି।ସେ ସବୁବେଳେ ଭାବେ ତା ଝିଅ ଟି ଲକ୍ଷ୍ମୀ ଠାକୁରାଣୀ ଙ୍କ ଅଂଶ ତେଣୁ ସେ ବୈଭବ ଲକ୍ଷ୍ମୀ ଙ୍କ ପୂଜା ମଧ୍ୟ କରେ। ତା ଝିଅ କଥା କହିବା ଆରମ୍ଭ କଲା ଯେବେ ପ୍ରଥମେ କାଳିଆ କୁ କାଇଆ ବୋଲି ଉଚ୍ଚାରଣ କଲା କାରଣ ତା ପାଖରେ କାଳିଆ ବୋଲି ଗୋଟେ ପିଲା ରହୁଥିଲା। କୌଣସି କାରଣରୁ ହେଲି ତା ଝିଅ କୁ ନେଇ ପୁରୀ ଚାଲିଆସିଲା । ଚେଷ୍ଟା କଲା ନିଜ ଗୋଡ଼ରେ ନିଜେ ଠିଆ ହେବ। ବହୁତ ଘାତ ପ୍ରତିଘାତ ଭିତରେ ସେ ପୁରୀ ସହରରେ ନିଜର ପରିଚୟ ସୃଷ୍ଟି କରି ପାରିଲା। ଜଗନ୍ନାଥ ତାକୁ ଘର ଦ୍ବାର ସବୁକିଛି ଦେଇଛନ୍ତି। ସମସ୍ତେ ଭାବନ୍ତି ହେଲି ର ଜନ୍ମ ପୁରୀରେ। କିନ୍ତୁ ସେ ଏକା ଜାଣିଛି ଜଗନ୍ନାଥ କେମିତି ତାକୁ ଆଣିଛନ୍ତି।ଯୋଉ ନବକଳେବର ଦେଖିବାକୁ ସେ ବେହୋସ୍ ହୋଇ ଯାଇଥିଲା ଏଥରକ ଏକା ଏକା ଯାଇ ନବକଳେବର ଦେଖିପାରିଲା । ଶରଧାବାଲି, ଭକ୍ତ ଦାସିଆ ପୀଠ, ସାଲବେଗ ପୀଠ , ଅଲାରନାଥ, ଗୁଣ୍ଡିଚା ମନ୍ଦିର, ମାଉସୀ ମା ମନ୍ଦିର,ଯାହା ସବୁ ତା ମନ ଭିତରେ ଥିଲା ବହିରେ ପଡ଼ିଥିଲା ସେ ସବୁ ସେ ଗୋଟି ଗୋଟି କରି ବୁଲିଲା ଯିଏ ଯେତେବେଳେ ପଚାରେ ସମସ୍ତଙ୍କୁ କହିଲା ଜଗନ୍ନାଥଙ୍କ କୃପାରୁ ମୁଁ ଏବେ ପୁରୀର ବାସିନ୍ଦା ଆଉ ଯିବି ଯଦି ସ୍ବର୍ଗ ଦ୍ବାର ର ତିନି ନମ୍ବର କୋଠରୀ କୁ ଯିବି ନ ହେଲେ ତା ପୂର୍ବରୁ ଶ୍ରୀକ୍ଷେତ୍ର ଛାଡ଼ି ଯିବି ନାହିଁ। ସମସ୍ତେ କୁହନ୍ତି ଯିଏ ପୁରୀ ଆସେ ଠାକୁର ତାକୁ ସବୁକିଛି ଦିଅନ୍ତି ,ସେ ତ କଥା କୁହା,ମନ ବୁଝିଲା ଭଳି ଠାକୁର, ତାଙ୍କୁ କିଛି ମାଗିବାକୁ ପଡ଼େ ନାହିଁ କେବଳ ଶରଣ ଗଲେ ସେ କୋଳେଇ ନିଅନ୍ତି।ଆଉ ଏମିତି କିଛି ଦେଇଥାଆନ୍ତି ଯାହାକି ସହଜରେ କାହାକୁ କହି ହୁଏ ନାହିଁ।ହେଲି ଯେତେ ବେଳେ ତା ଅନୁଭୂତିକୁ କହେ ତା ଆଖି ଲୁହରେ ଭରିଯାଏ ଆଉ ମନ ଭିତରେ ଅସରନ୍ତି କୋହ ବସା ବାନ୍ଧି ଥାଏ। ଯିଏ ଖୋଜିଛି ସେ ହିଁ ପାଇଛି ଆଉ ଯିଏ ଯେମିତି ଲୋଡିଛି ସେ ସେମିତି ପାଇଛି। ସେ ଜଗତର ନାଥ ତାଙ୍କୁ ଯେମିତି ଆପଣେଇବ ସେ ଠିକ୍ ସେମିତି କୋଳେଇ ନେବେ।