ଅଭିମାନ ବୋଲି କିଛି
ଅଭିମାନ ବୋଲି କିଛି
ଅଭିମାନ ଗୋଟେ ଏମିତି ଶବ୍ଦ ଯେଉଁଥିରେ ସାରା ଜୀବନର ମୁହୂର୍ତ୍ତ ଗୁଡିକ ଛନ୍ଦା ଛନ୍ଦି ହୋଇ ରହିଛି।ସବୁ ମଣିଷ ଚାହେଁ ତାକୁ ସମସ୍ତେ ଭଲ ପାଆନ୍ତୁ। ସେ କିଛି ମାଗିବା ଆଗରୁ ତା ଇଚ୍ଛା ପୂରଣ ହୋଇ ଯାଉ।ଯେତେବେଳେ ଗୋଟେ ସମ୍ପର୍କରେ ବୁଝାବଣାର କିଛି ଅଭାବ ରହିଯାଏ ସେଇଠି ଅଭିମାନ ବୋଲି କିଛି ସୃଷ୍ଟି ହୁଏ। ଆଉ ସେ ଅଭିମାନ ଛୋଟ ଅଗ୍ନି କଣିକା ରୁ ବିରାଟକାୟ ଅବଶୋଷ ର ବୃକ୍ଷରେ ପରିଣତ ହୋଇଯାଏ।ଯିଏ ଛୋଟ ଛୋଟ ଖୁସି କୁ ନେଇ ବଞ୍ଚିବାକୁ ଭଲ ପାଏ ସେ ବଡ ଖୁସିକୁ ବି ସାଉଁଟି ରଖିପାରେ।ଖୁସି ର ମୁହୂର୍ତ୍ତକୁ ଏକା ଉପଭୋଗ କରି ହୁଏନି। ଠିକ ସେମିତି ଅଭିମାନ ମଧ୍ୟ ବିନା କାରଣରେ ଜନ୍ମି ନ ଥାଏ। ଝିଅଟିଏ ସମାଜର ସୀକୃତି ପାଇ ଯେତେବେଳେ ଅଜଣା ମଣିଷ କୁ ନିଜର ଭାବି ତାଙ୍କ ପରିବାର ସହିତ ମିଶି ଚଳେ।ସେତେବେଳେ ସେ ଭାବିନିଏ ସେ ପରିବାର
ତାର ଅତି ନିଜର।ତେଣୁ ସେ ସବୁ କଷ୍ଟ ଭୁଲିଯାଏ।ମନେ ରଖେ ତ କେବଳ ପରିବାରର ମଙ୍ଗଳ କଥା।ସେମିତି ଘରକରଣା ବୋହୁଟିଏ ସୋମା ,ତାଙ୍କ ସ୍ବାମୀ ଜଣେ ଭଲ ବ୍ୟବସାୟୀ। ସେ ସଦା ସର୍ବଦା କାମ ବ୍ୟସ୍ତରେ ରୁହନ୍ତି।ସ୍ତ୍ରୀ ର ମନକଥା ସେ ବୁଝିବାକୁ କେବେ ଭାବି ନାହାଁନ୍ତି।ସୋମା କେବେ ମନଖୋଲି କହିନି ତାର ଆବଶ୍ୟକ କଣ ଆଉ ସେ କଣ ଚାହୁଁଛି।ତାର ବି ବେଳେ ବେଳେ ଇଛା ହୁଏ ସେ ସ୍ବାମୀଙ୍କ ସହିତ ସାନ୍ଧ୍ୟ ଭ୍ରମଣରେ ଯିବ, ମାର୍କେଟ ଯିବ, ସକାଳ ଭ୍ରମଣ କରିବ।ତା ଜନ୍ମ ଦିନରେତା ସ୍ବାମୀ ତାକୁ ଭଲ ଉପହାର ଟିଏ ଦେବେ।ଆଉ ସେ ସବୁକିଛି ଭୁଲି ଯିବ।ହେଲେ ସେମିତି କିଛି ହୁଏନା।ନୂଆବର୍ଷ ଉପଲକ୍ଷେ ସମସ୍ତେ ବୁଲିବାକୁ ଯାଉଥିଲେ ସୋମା ମଧ୍ୟ ଚାହୁଁ ଥିଲା ଅଥଚ ତା ସ୍ବାମୀ ବହୁତ ବ୍ୟସ୍ତ ଥିବାରୁ ଯାଇ ପାରିଲେ ନାହିଁ। ସୋମା ଏ ସବୁ କଥା ଭୁଲି ନିଜକୁ ହଜାଇ ଦେଇଛିି ପରିବାରର ସୁଖ ପାଇଁ ହେଲେ ବେଳେ ବେଳେ ତା ମନରେ ଅଭିମାନ ର ବାଦଲ ଛାଇ ଯାଏ ସେ ବୁଝିପାରେନା କେମିିିତି ସାମନା କରିିିବ। ତଥାପି ସେ ହଳାହଳ ବିଷ ପିଇଲା ଭଳି ସବୁକିଛି ସହି ଯାଏ।ସ୍ବାମୀ ସବୁବେଳେ ଚାହାଁନ୍ତି ସ୍ତ୍ରୀ ସବୁ ବୁଝି ଆଡଜଷ୍ଟ କରୁ ଆଉ ସ୍ତ୍ରୀ ଭାବେ ସେ ଜୀବନ କାଟି ଦେବ ଯଦି ସ୍ବାମୀ ତା ମନ ବୁଝି ତାକୁ ଟିକେ ସ୍ନେହ ଦିଏ।ବହୁତ ସମ୍ପର୍କରେ ଦେଖି ବାକୁ ମିଳେ ଛୋଟ ଛୋଟ କଥା ପାଇଁ ଭଲ ସମ୍ପର୍କ ଭାଙ୍ଗି ଯାଏ। ସୋମା ମଧ୍ୟ ସବୁବେଳେ ଚେଷ୍ଟା କରିଛି ତା ସମ୍ପର୍କକୁ ସାରା ଜୀବନ ସାଇତି ରଖିବାକୁ।ସେ ରଖିଛି ମଧ୍ୟ।କେତେବେଳେ ସାହି ପଡିଶା କାହା ଆଗରେ ବି ସେ ଅଭିଯୋଗ କରିନି,କେବେବି କାହାକୁ ଜଣାଇନି ତା ମନରେ ତା ସ୍ବାମୀ ଙ୍କ ଅବହେଳା ପାଇଁ ଅଭିମାନ ବୋଲି କିଛି ଅଛି ।
