କନ୍ୟାରତ୍ନ
କନ୍ୟାରତ୍ନ
କର୍ମଠ ବିଶୁ ପଧାନ ଆଜି ଶଯ୍ୟାଶାୟୀ ।ପରିଣତ ବୟସର ବାର୍ଦ୍ଧକ୍ୟ ପୋଷାକ ତଳେ ତାର ବଳଶାଳୀ ମନଟା ଆଜି ଥକି ପଡ଼ିଛି ସତରେ । କେତେ ବଡ଼ ବଡ଼ ଭାରି କାମକୁ "ବାୟଁ ହାତ କା ଖେଲ୍ "କହି କାମକୁ ହରେଇ ବାଜି ଜିତିଛି ତା'ର ହିସାବ ନାହିଁ । କବାଡି ,ବାଗୁଡି ,ଡୁଡୁ ଖେଳରେ ସମସ୍ତଙ୍କୁ ଠୁ ସେ ଆଗୁଆ । କେତେ ବଡ଼ ବଡ଼ ପଥର ଖଣ୍ଡ କୁ ଫଟାଇ ପାଣି କରିଦେଇଛି ସେ । ଏବେ କଦଳୀ ପତ୍ର ଗୋଟାକୁ ଚିରିବାର ତାକତ ହରେଇଛି ସେ । ପକ୍ଷପାତ ରୋଗରେ ପୀଡ଼ିତ ହୋଇ ଅମାପ କଷ୍ଟ ଭୋଗି ଆସୁଛି । ପୁଅବୋହୁ ସମସ୍ତେ ସହରକୁ ଚାଲି ଯାଇଛନ୍ତି । ନାତି ନାତୁଣୀ ଙ୍କ ପାଠପଢ଼ା ଆଦି ସେଇ ସହରରେ ।ସେମାନେ ଆଉ ଗାଁ କୁ ଆସି ରହିବା ର ସମୟ ମିଳୁଛି କୋଉଠୁ !! ତାଠୁ ଦଶ ବାର କମ୍ ବୟସ ର ଶ୍ୟାମଳୀ ଟା ଦୁଇ ବର୍ଷ ହେଲା ସାପ କାମୁଡା ରେ ଚାଲିଗଲା ପର ଠୁ ଜୀବନର ସରସତା ହଜି ଯାଇଛି ବିଶୁ ର । ଶୋଇବା ବସିବା ଠୁ ସବୁ କାମରେ ସତର୍କ କରେଇ ପଦେ ପଦେ ଅକୁଣ୍ଠ ଚିତ୍ତରେ ସେବା କରି ଶେଷରେ ଶଙ୍ଖା ସିନ୍ଦୁର କୁ ସାଥିରେ ନେଇ ଆର ପାରିକୁ ଚାଲିଗଲା । ଉପରବାଲା କି ନିର୍ଦ୍ଦୟ କି ନିଷ୍ଠୁର ସତରେ !!! ଅସମୟରେ ଛଡ଼ାଇ ନେଲା ତା'ର ସ୍ନେହୀ ଭାରିଜା ଟାକୁ ।ବିପ୍ଳବ ବା ମୋକଦ୍ଦମା କରିବାକୁ କରିବାକୁ ଇଚ୍ଛା ହୁଏ ସେଇ ଉପରବାଲା ଉପରେ ...।କୋହ ଓ ଲୁହ ବି ଦେଖ ! ଏଇ ଶୁଖିଲା ନଈ ଟିରେ କୁଆଡୁ ଉଛୁଳି ଆସି ବୋହି ଚାଲିଚି ଅନବରତ ... - ବାଆ !! କାନ୍ଦନି ତୁ ...ଓଷଦ ଖାଇ ଦେ (ଗୋଡ଼ ମାଲିସ୍ କରୁ କରୁ ରଙ୍ଗ କହି ଉଠିଲା ) -ଦେ ମାଆ ,ତୁ କହୁଚୁ ଯେତେବେଳେ ଖାଇବି ଖାଇବାକୁ ଆଦୌ ଇଚ୍ଛା ନାଇଁ ରେ.. ଆଉ କାହାପାଇଁ ବଞ୍ଚିବି ମୁଁ ମାଆ ! -ସେମିତି ,କାଇଁ ହେଉଚୁ ତୁ ,ଓଷଦ ଖାଇ ଶୀଘ୍ର ଭଲ ହୋଇ ଯା' ଭଲ ହେଲେ ତୋର ଜ୍ଵାଇଁ କୁ କହି ଆମ ଘରକୁ ନେଇଯିବି । ରଙ୍ଗ' ର ମଧୁବୋଳା ଶବ୍ଦ ରେ ପ୍ରକୃତିସ୍ଥ ହେଲା ବିଶୁ ।
ଶାଶୁଘରୁ ତା'ର ଏକମାତ୍ର ଝିଅ "ରଙ୍ଗ" ବାପାଙ୍କ ସେବା କରିବାକୁ ଆସି ଛଅ ଦିନ ହେଲାଣି ।ବିବାହ ସମୟର ବାପା ମାଆ ଙ୍କ ପିଣ୍ଡଦାନ ଓ ଗୋତ୍ର ପରିବର୍ତ୍ତନ କରି ସାରିଥିବା ଝିଅ ଟି ଯଦି ଏତେ ନିଜର ହୋଇପାରିଲା ,ପୁଅମାନେ ନିଜର ହୋଇ କେଉଁ କାମକୁ ।ବଞ୍ଚି ଥାଉଁ ଥାଉଁ ସେବା କିଏ କରୁଛି ? ମରିଗଲେ ଶ୍ମଶାନ ରେ ଆସି ଜଳାଇଦେଲେ କ'ଣ ଜୀବନ ଧନ୍ୟ ହୋଇଯିବ !!! ସମସ୍ତେ ଧାବମାନ ! ଅନବରତ ଦୌଡ଼ି ଚାଲିଛନ୍ତି ଆଗକୁ । ପଛକୁ ଫେରି ଚାହିଁବାର ବେଳ ନାହିଁ କା' ପାଖରେ ।ହେଲେ ସବୁ ଦୌଡ଼ ଭିତରେ ପଡ଼ି ଯାଇଥିବା ଏଇ ଅଶ୍ଵାରୋହୀ ଟିକୁ ଉଠାଇ ନେଇ ଏଇ ରଙ୍ଗ ଭଳି ରାଜ କୁମାରୀ ଟିଏ କାହିଁକି ସେବା କରି ଚାଲିଛି !! କ'ଣ ମିଳିବ ତାକୁ !!! ଜନ୍ମ ଜନ୍ମ ର ସଂପର୍କ ,ନିଃସ୍ଵାର୍ଥ ସେବା ପିତାଙ୍କ ପାଇଁ .... ଯେଉଁ କନ୍ୟାରତ୍ନ ଟିଏ ଜନ୍ମ ହେଲାପରେ ବିଶୁ ତାକୁ ଦିନେ ଶେଷ କରି ଦେବାକୁ ପଛେଇ ଯାଇ ନଥିଲା । ଭାଗ୍ୟ ର ବିଡ଼ମ୍ଵନା ଦେଖ ! ଯିଏ ତାକୁ ବଞ୍ଚାଇ ରଖିଥିଲା ସେ ଚାଲିଗଲା । ଆଜି ତା' ବଦଳରେ ପରୀ ଟିଏ ଦେଇଗଲା ସେବା ଶୁଶ୍ରୁଷା କରିବାକୁ । କନ୍ୟାରତ୍ନ ,ଦୁଇ କୁଳ ହିତା ଦୁହିତା କେତେ ଉଚ୍ଚ କୋଟି ର ଶବ୍ଦ ସବୁ ।ଆଜି ଅନୁଭବ କରୁଥିଲା ବିଶୁ ପଧାନ । ସମାଜ ଗଠନରେ ନାରୀ ର ଭୂମିକା ଅତୁଳନୀୟ ସତରେ ... ଝିଅ "ରଙ୍ଗ" ତା ବାପା କୁ ଉଠାଇ ଆର୍ମ ଚେୟାର୍ ରେ ବସାଇ ଔଷଧ ଖୁଆଇ ଦେଉଥିଲା । ଆଖିରୁ ବହି ପଡୁଥିବା ଲୁହଧାର କୁ ପୋଛିଦେଲା ରଙ୍ଗ । ବିଶୁ କୁ ଲାଗୁଥିଲା ତା'ର ନିଜ ମାଆ ଯେମିତି ତା'ସାମ୍ନାରେ ଆଜି "ରଙ୍ଗ"ରୂପରେ ସ୍ନେହ କରୁଛନ୍ତି ....
-ସେଠୀ କାର୍ତ୍ତିକ ଚନ୍ଦ୍ର, ( ଚଉମୁଖ ,ବାଲେଶ୍ଵର )
ମୋବାଇଲ୍ ନଂ:୬୨୮୧୬୯୫୮୯୨