STORYMIRROR

Lopamudra Parida

Tragedy Inspirational

3  

Lopamudra Parida

Tragedy Inspirational

କଳଙ୍କ

କଳଙ୍କ

2 mins
270


ରାସ୍ତା କଡକୁ ନିଅନ୍ ଲାଇଟି ଖମ୍ବ ତଳେ କେତେ ବେଳୁ ଗୋଡ ଭାଙ୍ଗି ଠିଆ ହେଇଛି ସିଏ।

ଯିଏ ଯାଉଛି ନଜର ଆଡେଇ ମେନ୍.....ଚେ ଘୃଣା ଫିଙ୍ଗି ଦେଇ ଚାଲିଯାଉଛି , ତା ଶସ୍ତା ନାଲିଆ ରଙ୍ଗମଖା ମୁହଁ ଟା ଯେମିତି ମୁହଁ ନୁହେଁ, ଗୋଟେ ଡଷ୍ଟବିନ ।

ହଁ ଡଷ୍ଟବିନ ନୁହେଁ ତ ଆଉ କଣ ?କାହା କାହା ମନର ଆବର୍ଜନା ସବୁ ତ ତା ଦେହରେ ଢଳା ହୁଏ।ଥରେ ଅଳିଆ ପକେଇ ସାରି କିଏ କଣ ପଛକୁ ଚାହେଁ କି? ନା' ତ ।

 ଓଲଟା ସେଇ ଅସନା ପାଇଁ ସମସ୍ତେ ସମସ୍ତ ଙ୍କୁ ଦାୟୀ କରି ନିଜ ଦାୟିତ୍ୱ ଟିକକ ରୁ ଲୁଚିବାକୁ ଟାକି ଥାନ୍ତି ।ଆଜି ଢେର୍ ରାତି ହେଲାଣି ।ପେଟ ପିଠି ଏକାକାର ହେଲେଣି ସବୁଦିନିଆ ଭୋକଟାରେ ।

କି ଦାଉ ସାଧେ କେଜାଣି ଏ ଭୋକ ।ବିଧାତାରେ! ନ ତିଆରି ଥାନ୍ତୁ ଯଦି ଏ ଭୋକ ଟିକକ ଏତେ ନାଟ କାଇଁ ଲାଗନ୍ତା ଯେ ।ସରଗ ହେଇଯାନ୍ତା ନା ଏ ଧରା, ପୁଣି ତତେ କିଏ କାଇଁ ଭଲା ପୁଜନ୍ତା ।ହୁଁ ......।


ଖମ୍ବକୁ ଆଉଜି ଭିଡିମୋଡି ହଉ ହଉ ତା ଆଖି ପଡିଗଲା ସେପଟ ଫୁଟ୍ ପାଥ୍ ରେ କାଙ୍କୁରି କୁଙ୍କୁରି ହଉଥିବା ତା ପିଲାବେଳକୁ ।

ଆହା ଏମିତି ସିଏ ବି ତ ଦିନେ ......ନା ,ନା ।କୁହନ୍ତି ନା ଯିଏ ଭୋଗିଛି ସିଏ ଜାଣିଛି .....ଭୋଗଟା ତେଣିକି ଯାହା ହଉନା କାହିଁକି ।

ଅନ୍ଧାର ପାରି ହେଇ ପାଦ ଦିଟା ଆପେ ତା'ପାଖରେ ପହଞ୍ଚି ସାରିଥିଲେ ।କ୍ଷୀଣ ଆଲୁଅ ରେ ଆହୁରି କ୍ଷୀଣ ଶବ୍ଦ ।ନିଜ ଦେହର ଏକ ମାତ୍ର ସାତସିଆଁ .......ଜରିଲଗା କିନ୍ତୁ, ଓଢଣୀ ଟି ସେ ତାକୁ ଘୋରେଇ ଦେଲା ।ହଲକା ଉସୁଆସ ଲାଗିଲା କି କଣ ସେ ଆହୁରି ଜକେଇ ଗଲା ।ବିନା ଶବ୍ଦରେ ଇଏ ଫେରି ଆସୁଥିଲା କି କୁନି ହାତ ଟେ ପଛରୁ ଟାଣି ଧରିଲା ଆଉ କହିଲା


 " ଏ ଦେଇ, ତୁ ମୋ ମା ହବୁ ??? ଆମର ମା ନାଇଁ ? "


ଆମର ???

ସେ ତ ଏତେ ସାନ, ତା କୋଳ ରେ ତା ଠୁ ବି ଆହୁରି ସାନ କଙ୍କାଳ କୁ ଆବିଷ୍କାର କଲା ,ଯାହାର ଖାଲି ପିଞରା ଥିଲା ଓ ଆଖି ଦୁଇଟି ଦପ୍ ଦପ୍ କରୁଥିଲା ।ଆଶା ।ଆଶା ବନ୍ଚିବାର ବୋଧେ ବନ୍ଚେଇ ରଖିଥିଲା ସେ ଦୁହିଁଙ୍କୁ ।


ଇଏ ସ୍ତବ୍ଧ ଥିଲା ।ହଠାତ ଭେଁ ଭେଁ କିନା କାନ୍ଦିଲା ଆଉ ଧଡ୍ କି ଚୁପ୍ ହେଇଯାଇ କହିଲା " ହଁ, ଡାକିଲୁ ଡାକିଲୁ........ ମା ।"


ତିନୋଟି ସ୍କେଲିଟନ୍ ଛାଇ ଦୂରକୁ ଅପସରି ଯାଉଥିଲେ ନିୟନ ଖମ୍ବ ର ଠିକ୍ ବିପରୀତରେ ।ନୂଆ ସୃଷ୍ଟି ର ସମ୍ଭାବନା ନେଇ ।ଆଶା । ଜୀବନର କାନିରେ ବନ୍ଧା ।


ଭାରି ସୁନ୍ଦର ପବନଟେ ବୋହୁଥିଲା ।ନିର୍ମଳ ,ମୁକୁଳା ଆକାଶ ଛାତିରେ ଶୀତଳ ଜହ୍ନ ଟି କହୁଥିଲା " ହେ ଶୁଣରେ ,ମୋ ଦେହରେ କଳଙ୍କ ନାହିଁ ରେ,ନୀରିହ ଶଶ ଟିଏ ଯାହା ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy