sushama Parija

Tragedy

2.4  

sushama Parija

Tragedy

ଖେଳ ନା କାଳ

ଖେଳ ନା କାଳ

3 mins
528



ରାଧି ଗରଗର ହୋଇ ଚୁଲ୍ଲୀଟାକୁ ଜାଳୁଥିଲା। ତିନିଦିନ ଧରି ମାଟି କୁ ଜର ।ବାପା ପାଇଁ ଓଷଦ ଟୋପାଏ ଆଣିବାକୁ କହି କହି ଥକି ଗଲାଣି କିଶୋରକୁ ଯେ ଟୋକାଟା ଶୁଣୁନି। ଏଇଟା ଧାନକଟା ବେଳ , ଦି ପ୍ରାଣୀ ଯାକ ଧାନ କାଟି ଗଲେ ଦି ପଇସା ହାତକୁ ଆସନ୍ତା , ତା' ସହିତ କଳେଇ ବି ।ଏଇ ବେଳଟାରେ ବୁଢା ବାଧକା ପଡିଲା ଯେ ସିଏ ଧାନ କାଟି ଯିବ ନା ତା'ର ସେବା କରିବ । ଗୋଟିଏ ବୋଲି ପୁଅ କିଶୋର, ଆସି କୋଡିଏ ବରଷର ହେଲାଣି, ପିଲା ବୁଦ୍ଧି ଛାଡୁନି । ପାଠ ପାଠ ପଢିଲାନି କି କାମ ଧନ୍ଦା ବି କଲାନି, ସବୁବେଳେ ଗାଁ ଟୋକାଙ୍କ ସାଙ୍ଗରେ ମିଶି ତାସ୍ ଖେଳି ଭୋଜିଭାତ କରି ଦିନ କାଟିଲା। ବାପ ଟା ପାଇଁ ଗାଁ ଔଷଧ ଦୋକାନ ରେ ପଚାରି ଟିକିଏ ଔଷଧ ଆଣି ଦେ, ଦେ, କହି ତିନି ଦିନ ବିତି ଗଲାଣି ।


 ସହର ତଳିଆ ଗାଁ ତାଙ୍କର ବାରଙ୍ଗ ର ବେଲଗଛିଆ ।ଘାସ କୁ ମୋଟ ଗଛକୁ ଛୋଟ। ଏପଟେ କଟକ କୁ ସେପଟେ ଭୁବନେଶ୍ଵର । ଦୁଇଟି ଯାକ କୁଆଡେ ଉନ୍ନତ ସହର ହେଲେ ରାଧି ପାଇଁ କିଛି ଫରକ ନାହିଁ । ସେ କାଲି ଯେମିତି ମୂଲପାତି ଲାଗି ଚଳୁଥିଲା ଆଜି ବି ସେମିତି ଚଳୁଛି । ଲୋକେ କହୁଛନ୍ତି ଏଇ ସରକାର ର ଅଠର ବର୍ଷ ର ଶାସନରେ ଓଡିଶା କୁଆଡେ ସୁନା ହୋଇଗଲାଣି । ସେ ଓଡିଶା ଟା କୋଉଠି ରାଧି ଜାଣି ପାରୁନି ।ତାଙ୍କ ଗାଁ ରେ ଅନେକ ଲୋକ କେତେ ପ୍ରକାର ର ସରକାରୀ ସାହାଯ୍ୟ ପାଉଛନ୍ତି, କାହାର ମାଟି ଘର ପକ୍କା ହେଉଛି ତ କାହାକୁ ଟଙ୍କିକିଆ ଚାଉଳ ମିଳୁଛି ମାସକୁ ମାସ, କିଏ ମାସକୁ ତିନଶ ଟଙ୍କା ଭତ୍ତା ପାଉଛି ତ କିଏ ଆହୁରି କ'ଣ କ'ଣ ସବୁ ପାଉଛି ,ହେଲେ ତା' ପାଇଁ କିଛି ନାହିଁ । ତା' ସ୍ବାମୀ ମାଟିଆ ଟିକିଏ ଆଲୁରା, କିଛି ଛନ୍ଦ ମନ୍ଦ ଜାଣି ପାରେନି । ତା' ନାଁ ବିପିଏଲ୍ ତାଲିକା ରେ ନାହିଁ, ସେଥିପାଇଁ ସବୁ ସରକାରୀ ଯୋଜନା କାଳେ ତା'କୁ ମିଳୁନାଇଁ ବୋଲି ମଙ୍ଗୁଳି ୱାର୍ଡ ମେମ୍ବର କହୁଥିଲା । ନିଜ ଭାଗ୍ୟ କୁ ଆଦରି ରାଧି ସେମିତି ଖଟୁଛି, ଖାଉଛି । 


ଏଇ ଗଲା ମାସ ଠାରୁ କ'ଣ ଗୋଟାଏ ଖେଳ କରୁଛି ସରକାର ଭୁବନେଶ୍ଵର ରେ। ସେଇଠି ଖେଳ ସହିତ ଆହୁରି କେତେ କ'ଣ ମେଳା ଲାଗିଛି ଯେ ଏଇ ଗାଁ ଟୋକା ଯାକ ତା'କୁ ଦେଖି ଯିବା ଲାଗି ଖାଲି ହାଇଁ ପାଇଁ ହେଉଛନ୍ତି ।ତାଙ୍କ ସାଥିରେ ମାତିଛି କିଶୋର, ସେଇ ଖେଳ ଦେଖି ଯିବ ବୋଲି। ଟିକଟ ଗୋଟାକ ପାଆଁଶ ଟଙ୍କା, ଗାଡି ଭଡା ଆଉ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ତିନିଶହ ଟଙ୍କା, ଏମିତି ମୋଟ୍ ଆଠ ଶହ ଟଙ୍କା ଦରକାର ତା'ର । ସେଇ କଥା କୁ ଅଡି ବସି ତିନି ଦିନ ହେଲା ଘରେ ତୁମୁଳ କାଣ୍ଡ କରୁଛି । ଏଡେ ବଡ ଭେଣ୍ଡା ପୁଅଟା ବୁଝି ପାରୁନି ବାପ ମାଆ ଙ୍କର ଦି'ଦିନ ର ହାଡଭଙ୍ଗା ଖଟଣୀ ର ମୂଲ ଆଠ ଶହ ଟଙ୍କା ସେ କେମିତି ଉଡେଇ ଦେବ ନିଜର ସଉକି ପାଇଁ । ସେଇ ରାଗରେ ବାପ ଟା ପାଇଁ ଔଷଧ ଟିକିଏ ମଧ୍ୟ ଆଣିବାକୁ ଯାଉନି, ଘରେ ପଶିଲେ ଫୋପଡା ଫିଙ୍ଗା, ଶୋଧା ଶୋଧି କରି ହଟହଟା କରୁଛି । ଆଜି ଅଧାଓଳିଆ କାମ କରି ଆସିଲାବେଳେ ମାଟିଆ ପାଇଁ ପବିତ୍ର ବାବୁ ଙ୍କ ଔଷଧ ଦୋକାନ ରୁ କହିବୋଲି ଚାରିଟା ବଟିକା ଆଣିଛି ରାଧି । ସାଗୁ ଟିକିଏ କରୁଛି , ଖୁଆଇ ସାରିଲେ ଔଷଧ ଦେବ।


ଏଇ ସମୟରେ ଘରେ ପଶିଲା କିଶୋର । କହିଲା " ଦେଖ୍ ମା' ! ଏତେ ଦିନ ହେଲା ମାଗି ମାଗି ପଇସା ଦଉନୁ, କାଲି ମୋ ସାଙ୍ଗମାନେ ସମସ୍ତେ ଯିବେ ଖେଳ ଦେଖି, ଆଜି ତାଙ୍କୁ ଆଗୁଆ ଟଙ୍କା ଦେବାକୁ ହେବ । ଡମ୍ବରୁ ଭାଇ କହିଛି ସେ ଆଜି ଠୁ ଯାଇ ସେଠି ଟିକଟ କାଟିବ , ଆମେ କାଲି ସକାଳୁ ଯାଇ ପହଞ୍ଚିବୁ, ତୁ ଏବେ ମତେ ଟଙ୍କା ଦେ । ସମସ୍ତେ ଦେଇ ସାରିଲେଣି, ଖାଲି ମୋ'ରି ପାଇଁ ଅପେକ୍ଷା କରିଛନ୍ତି ସେମାନେ " । ନେହୁରା ହୋଇ କହିଲା ରାଧି " କୋଉଠୁ ଆଣିବି ପଇସା ? ଦେଖୁଛୁ ପରା ତିନି ଦିନ ହେଲା ବାପ କତରାଲଗା ହୋଇ ପଡିଛି, ଖାଇବା ଗଣ୍ଡାକ ମୁସ୍କିଲ , କେତେ ଥର ତତେ କହି ସାରିଲିଣି ରେ ବାପା ! ଆମେ ଗରିବ ଲୋକ, ସେ ଖେଳକୁଦ , ମେଳା ମଉଛ୍ଛବ ସବୁ ବଡ ବଡିଆ ଙ୍କ ପାଇଁ, ଆମ ପାଇଁ ନୁହଁ, କେତେ କଷ୍ଟ କରି ମୂଲପାତି ଲାଗି ଦିନକର ମଜୁରୀ ଆଣୁଛୁ ଆମେ, ସିଏ ଦିନକର ଭାତକୁ କୁଳୋଉନାଇଁ, କାହିଁକି ବୁଝୁନୁ ତୁ । ଘରେ ରୋଗୀଣା ବାପ ଟା ପଡିଛି, ତୁ ଦେଖି ପାରୁନୁ? କେମିତିଆ ପୁଅ ରେ ତୁ? ଘରୁ ଟଙ୍କା ନେଇ ଖେଳ ଦେଖିବାକୁ ଯିବୁ କହୁଛୁ? ତୁ ମଣିଷ ପିଲା ଟି? ଯା, ଯା, ମୋ ଆଗରୁ ପଳେଇ ଯାଆ । ମୋ ପାଖରେ କାଣୀ କଉଡି ଟିଏ ନାହିଁ ।


କ'ଣ କହିଲୁ? ଦବୁନି? ଏଁ, ଦବୁନି? କହି ରାଗ ରେ ଫଁ, ଫଁ, ହୋଇ ଚାଳ ରୁ ଖଣ୍ଡିଏ ବାଉଁଶ ଟାଣି ଆଣିଲା କିଶୋର , ଢୋ କରି ପାହାର ଟାଏ ପକେଇଲା ମାଆକୁ । ମୁଣ୍ଡ ଫାଟି ଧାର ଧାର ରକ୍ତ ବାହାରି ପଡିଲା । " ବୋଉଲୋ" ବୋଲି ଚିତ୍କାର କରି ତଳେ ଗଡି ପଡିଲା ରାଧି । ଘର ଭିତରେ ନିସ୍ତେଜ ହୋଇ ଶୋଇ ରହିଥିବା ମାଟିଆ ଜଳଜଳ କରି ଚାହିଁ ରହିଥିଲା, ତା' ପାଟିରୁ ଶବ୍ଦ ଟିଏ ବାହାରୁ ନଥିଲା, ସିଏ ଭାବୁଥିଲା ଏ ସରକାର ଏତେ ମାଗଣା ଯୋଜନା କରୁଛନ୍ତି, କିଶୋର ଭଳିଆ ଅଭାବୀ ପିଲାଙ୍କ ପାଇଁ "ମାଗଣା ଖେଳ ଟିକଟ" ଯୋଜନା ଟିଏ କରି ନଥାନ୍ତେ ?



Rate this content
Log in

Similar oriya story from Tragedy