କାକ ଭୁଶୁଣ୍ଡିଙ୍କ ଆତ୍ମକଥା
କାକ ଭୁଶୁଣ୍ଡିଙ୍କ ଆତ୍ମକଥା
ଈଶ୍ୱର ପାର୍ବତୀଙ୍କୁ ରାମକଥା ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ ସେ କହିଲେ, ଏହି ରାମ ଚରିତ କାକ ଭୂଶୁଣ୍ଡି ଗରୁଡ଼ଙ୍କୁ ଶୁଣାଇ ଥିଲେ l ମାଆ ପାର୍ବତୀ ସନ୍ଦେହ ପ୍ରକଟକରି ଶିବଙ୍କୁ କହିଲେ, ହେ ନାଥ ! ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା, ସାମାନ୍ୟ ଗୋଟିଏ କୁଆ କିପରି ଏଭଳି ହରି ଭକ୍ତି ପାଇ ଗଲା ତାହା ମୋତେ ବୁଝାଇକୁହନ୍ତୁ l ମାଆଙ୍କ କାକ ଭୁଶୁଣ୍ଡିଙ୍କ କଥା ଶୁଣିବାର ଶ୍ରଦ୍ଧା ଦେଖି ଶଙ୍କର ତାଙ୍କୁ ସମସ୍ତ ବୃତ୍ତାନ୍ତ କହିବା ଆରମ୍ଭ କଲେ l
ଶଙ୍କର କହିଲେ,ପୂର୍ବେ ତୁମେ ସତୀରୂପେ ଯେତେ ବେଳେ ଦକ୍ଷ ଯଜ୍ଞରେ ଭଷ୍ମ ହେଲ ସେତେବେଳେ ମୁଁ ଅତ୍ୟନ୍ତ ଦୁଃଖିତ ହୋଇ ବାତୁଳପ୍ରାୟ ଇଆଡ଼େ ସିଆଡ଼େ ଘୁରି ବୁଲିଲି l ଏହିପରି ବୁଲୁବୁଲୁ ଦିନେ ମୁଁ ଯାଇ ସୁମେରୁ ପର୍ବତର ଉତ୍ତର ଦିଗରେ ଥିବା ଅତି ସୁନ୍ଦର ନୀଳପର୍ବତ ନିକଟରେ ପହଞ୍ଚିଗଲି l ନୀଳପର୍ବତର ଚାରୋଟି ସ୍ବର୍ଣ୍ଣମୟ ଶିଖର l ସେହି ଶିଖରମାନଙ୍କ ଉପରେ ଯଥାକ୍ରମେ ଗୋଟିଏ କରି ବର,ଅଶ୍ୱତ୍ଥ,ଡ଼ିମିରି ଓ ଆମ୍ବଗଛ ଥିଲା l ପଦ୍ମପୁଷ୍ପ ଭରା ଓ ହଂସ,କାରଣ୍ଡଵ କେଳି କରୁଥିବା ସୁନ୍ଦର ଏକ ସରୋବର ମଧ୍ୟ ସେଠାରେ ଥିଲା l ସେଇଠି କାକ ଭୂଶୁଣ୍ଡି ବାସ କରୁ ଥିଲେ l ସେ ଅଶ୍ୱତ୍ୱ ବୃକ୍ଷ ତଳେ ଧ୍ୟାନ, ଡ଼ିମିରି ଗଛ ତଳେ ଜପ, ଆମ୍ବ ଗଛ ଛାଇରେ ମାନସିକ ପୂଜା କରୁଥିଲେ ଓ ବଟବୃକ୍ଷ ତଳେ ହରିକଥା ଶୁଣାଉ ଥିଲେ l ସେଠାକୁ ପକ୍ଷୀ ମାନେ ଆସି ହରିକଥା ଶ୍ରବଣ କରୁଥିଲେ l କାକ ଭୂଶୁଣ୍ଡି ଥିଲେ କଳ୍ପଜୀବି l
ତେହିଁ ଗିରି ରୁଚିର ବସଇ ଖଗ ସୋଇ l
ତାସୁ ନାଶ କଳ୍ପାନ୍ତ ନ ହୋଇ ll
ସେ କୌତୁକ ପୂର୍ଣ୍ଣ ଦୃଶ୍ୟ ଦେଖି ମୁଁ ବହୁ ଆନନ୍ଦିତ ହେଲି ଓ ଗୋଟିଏ ହଂସ ଶରୀର ଧରି ସେଠାରେ କାକ ଭୂଶୁଣ୍ଡିଙ୍କ ମୁଖରୁ ରଘୁନାଥଙ୍କ କଥା ଶୁଣିଲି l ପ୍ରେମରସହ ସେହି ରସମୟ କଥା କିଛିଦିନ ଶୁଣି କୈଳାଶକୁ ଫେରି ଆସିଲି l
ହେ ଗୀରିଜେ ! ଏବେ ଶୁଣ ସେହି କାକ ଭୂଶୁଣ୍ଡିଙ୍କ ପରମ ପାବନ କଥା l ଲଙ୍କାରେ ରାମ ରାବଣଙ୍କ ମଧ୍ୟରେ ଘୋରଯୁଦ୍ଧ ଚାଲିଥାଏ l ପ୍ରଭୁ ଶ୍ରୀରାମଙ୍କୁ ମେଘନାଦ ନାଗ ଫାଶରେ ବନ୍ଧନ କଲା l ବନ୍ଧନ କାଟିଦେବା ପାଇଁ ନାରଦଙ୍କ ପରାମର୍ଶକ୍ରମେ ନାଗ ଭକ୍ଷକ ଗରୁଡ଼ ପହଞ୍ଚି ପ୍ରଭୁଙ୍କୁ ବନ୍ଧନମୁକ୍ତ କଲେ l କିନ୍ତୁ,ଗରୁଡ଼ଙ୍କ ମନରେ ସନ୍ଦେହ ଉପୁଜିଲା, ଯିଏ ଜଗତର ସ୍ୱାମୀ, ସିଏ ପୁଣି କେମିତି ନାଗ ଫାଶ ବନ୍ଧନରେ ପଡ଼ିଗଲେ l ବ୍ୟାକୁଳ ହୋଇ ଦେବର୍ଷି ନାରଦଙ୍କୁ ସେ ଏ ପ୍ରଶ୍ନ କରନ୍ତେ,ନାରଦ କହିଲେ, ହେ ଗରୁଡ଼ ! ଏ ହରି ମାୟାକୁ ବୁଝାଇବାପାଇଁ ମୁଁ ଅସମର୍ଥ ତୁମେ ବ୍ରହ୍ମାଙ୍କୁ ଯାଇ ପଚାର l ଏହାକହି ଦେବର୍ଷି ନାରାୟଣ,ନାରାୟଣ କହି ନିଜ ପଥରେ ପ୍ରସ୍ଥାନ କଲେ l
ଗରୁଡ଼ ବ୍ରହ୍ମାଙ୍କ ନିକଟରେ ପହଞ୍ଚି, ତାଙ୍କ ସନ୍ଦେହ ମୋଚନ କରିବା ପାଇଁ କହିବାରୁ ବ୍ରହ୍ମା କହିଲେ, ହେ ପକ୍ଷୀରାଜ,ଇଏ ବହୁତ ଗହନକଥା ଯାହାକୁ ମୁଁ ମଧ୍ୟ କହିବାକୁ ଅସମର୍ଥ l ତୁମେ ମହାଦେବଙ୍କ ପାଖକୁ ଯାଅ l ସେ ଶ୍ରୀରାମଙ୍କ ମହିମା ଜାଣନ୍ତି l ସେ ହୁଏତ ତୁମ ସନ୍ଦେହ ଦୂର କରି ପାରନ୍ତି l
ବ୍ରହ୍ମାଙ୍କ ଠାରୁ ଏହା ଶୁଣି ଗରୁଡ଼ ଆସି ପହଞ୍ଚିଲେ ମୋ ପାଖରେ,ତୁମେ ସେତେବେଳେ କୈଳାଶରେ ଥାଅ ଓ ମୁଁ କୁବେରପୁରୀ ଯାତ୍ରା କରୁଥାଏ l ଭକ୍ତି ପୂର୍ବକ ପ୍ରଣାମ କରି ସେ ମୋତେ ତାଙ୍କ ସନ୍ଦେହ ଶୁଣାଇଲେ l ମୁଁ ତାଙ୍କୁ କହିଲି,ହେ ଭାଇ ! ତୁମେ ତ ମୋତେ ରାସ୍ତାରେ ସାକ୍ଷାତ କଲ l ବାଟ ଚାଲୁ ଚାଲୁ ତୁମକୁ ଏ କଥା କିପରି ବୁଝାଇବି l ତୁମର ଏ ସନ୍ଦେହ ଦୂରପାଇଁ ତୁମକୁ ଅବିରତ ସତସଙ୍ଗ କରିବାକୁ ପଡ଼ିବ l ଗୋଟିଏ ସ୍ଥାନରେ ହରି କଥା ପ୍ରତ୍ୟହ ଚର୍ଚ୍ଚା ହେଉଛି l ମୁଁ ତୁମକୁ ସେହି ସ୍ଥାନକୁ ପଠାଇ ଦେଉଛି l ସେଠାକୁ ଯାଇ ହରିକଥା ଶୁଣ ତୁମର ସମସ୍ତ ସନ୍ଦେହ ଦୂର ହୋଇଯିବ l ତୁମେ ଉତ୍ତର ଦିଗକୁ ଯାଅ, ସେଠାରେ ରମଣୀୟ ନୀଳ ପର୍ବତରେ ବହୁକାଳରୁ ପରମଜ୍ଞାନୀ କାକ ଭୂଶୁଣ୍ଡି ରହୁଛନ୍ତି l ସେ ନିରନ୍ତର ଭାବେ ଶ୍ରୀରାମଙ୍କ କଥା କହି ଆସୁଛନ୍ତି, ନାନା ଜାତିର ପକ୍ଷୀ ମାନେ ଆସି ପ୍ରତ୍ୟହ ତାଙ୍କ ପାଖରୁ ଆଦରପୂର୍ବକ ଏହା ଶ୍ରବଣ କରୁଛନ୍ତି l ତୁମେ ମଧ୍ୟ ଯାଇ ଶୁଣ l
ଗରୁଡ଼ ମୋ ଠାରୁ ଏ ଉପଦେଶ ପାଇ ଭକ୍ତିଭରେ ପ୍ରଣାମଟିଏ କରି ଉଡ଼ିଉଡ଼ି ନୀଳ ପର୍ବତ ଦିଗରେ ଚାଲିଗଲେ l ପକ୍ଷୀଟିଏ ପକ୍ଷୀର କଥା ଠିକ ବୁଝି ପାରିବ,ଏପରି ଭାବି ମୁଁ ଗରୁଡ଼ଙ୍କୁ କାକଭୁଶୁଣ୍ଡିଙ୍କ ପାଖକୁ ପଠାଇ ଥିଲି l
ଗରୁଡ଼ ଯାଇ ନୀଳ ପର୍ବତ ନିକଟରେ ସ୍ଥିତ ସେହି ପବିତ୍ର ସରୋବରରେ ସ୍ନାନ ଶୌଚ ହୋଇ ସାରି ସେ ବଟବୃକ୍ଷ ପାଖରେ ପହଞ୍ଚିଗଲେ l ସେଠାରେ ହରିକଥା ଶୁଣିବା ନିମନ୍ତେ ବହୁ ଵୟୋବୃଦ୍ଧ ପକ୍ଷୀ ରୁଣ୍ଡ ହୋଇଥାନ୍ତି l କାକଭୂଶୁଣ୍ଡି ହରିକଥା ଆରମ୍ଭ କରିବାକୁ ଯାଉଛନ୍ତି, ତାଙ୍କ ନଜର ପଡ଼ିଲା ପକ୍ଷୀ ରାଜଙ୍କ ଉପରେ l ସେ ପ୍ରସନ୍ନ ଚିତ୍ତରେ ଗରୁଡ଼ଙ୍କୁ ଆଦର ସତ୍କାର କରି ଆସନରେ ବସାଇ କହିଲେ, ହେ ପକ୍ଷୀରାଜ ! ଆପଣଙ୍କ ଦର୍ଶନରେ ମୁଁ କୃତାର୍ଥ ହେଲି,ଆଜ୍ଞା କରନ୍ତୁ, ମୁଁ ଆପଣଙ୍କ କି ସେବା କରି ପାରିବି l ଗରୁଡ଼ କହିଲେ,ହେ ମହାତ୍ମା ! ମୁଁ ଯେଉଁ ପାଇଁ ଆସିଥିଲି ତାହା ତ ଆପଣଙ୍କ ଦର୍ଶନ ମାତ୍ରେ ହିଁ ପୂର୍ଣ୍ଣ ହୋଇଗଲା,ଆପଣ ଏବେ ମୋତେ ସେହି ପରମ ପାବନ ରାମ କଥା ଶୁଣାନ୍ତୁ l ମୁଁ ଆପଣଙ୍କ ମହିମା ସ୍ୱୟଂ ମହାଦେବଙ୍କ ମୁଖରୁ ଶୁଣି ଆସିଛି l
କାକ ଭୂଶୁଣ୍ଡି ରାମ କଥା ଆରମ୍ଭ କରି ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଭୁଙ୍କ ଲୀଳା, ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଗଲେ l ଗରୁଡ଼ ସମସ୍ତ ଲୀଳା ଶ୍ରବଣ କରି ନିଜକୁ ଅତୀବ କୃତାର୍ଥ ମନେ କରି କହିଲେ, ହେ କାକ ଶିରୋମଣି ! ଆପଣଙ୍କ ପ୍ରସାଦରୁ ମୋ ମନରେ ଉପୁଜିଥିବା ସବୁ ଭ୍ରମ ଦୂରହୋଇଗଲା l କାକ ଭୂଶୁଣ୍ଡି କହିଲେ ମୋର ମଧ୍ୟ ଥରେ ସେଭଳି ଭ୍ରମ ଜାତ ହୋଇଥିଲା ସେ କଥା କହୁଛି ଶୁଣ l
ବାଳକ ରୂପୀ ଶ୍ରୀରାମ ହେଉଛନ୍ତି ମୋର ଇଷ୍ଟ l ପ୍ରଭୁ ଯେତେ ବେଳେ ମନୁଷ୍ୟ ଶରୀର ଧରନ୍ତି ମୁଁ ତାଙ୍କ ବାଳ ଲୀଳା ଦେଖିବା ପାଇଁ ଅବଧପୁରୀକୁ ଚାଲି ଯାଏ ଓ ସେଠାରେ ପାଞ୍ଚ ବର୍ଷ ରହି ଯାଏ l ଏହିଭଳି ଦିନେ ମୁଁ ଯାଇ ଅଯୋଧ୍ୟାରେ ପହଞ୍ଚିଲି l ପ୍ରଭୁ ବାଳ ସୁଲଭ ଢଙ୍ଗରେ ଅଗଣାରେ ଯୁଆଡ଼େ ଯୁଆଡ଼େ ବୁଲୁଥାନ୍ତି ମୁଁ ତାଙ୍କ ପଛେ ପଛେ ଛୋଟ କୁଆଟିଏ ହୋଇ ଚାଲିଥାଏ l ତାଙ୍କ ମୁଖରୁ ଯେଉଁ ଅଇଁଠା ପଡ଼ିଥାଏ ତାକୁ ଖୁଣ୍ଟିଖାଏ l ବହୁ କୌତୁକ କରି ପ୍ରଭୁ ମୋ ସହ ଖେଳ ଖେଳନ୍ତି l ଥରେ ପ୍ରଭୁ ମୋତେ ଗୁରୁଣ୍ଡି ଗୁରୁଣ୍ଡି ଧରିବାକୁ ଗୋଡ଼ାଇଲେ l ମୁଁ ଉଡ଼ି ପଳାଇଲି l କିନ୍ତୁ ଆଶ୍ଚର୍ଯ୍ୟକର କଥା, ମୁଁ ଆକାଶରେ ଯେତେ ଦୂର ପର୍ଯ୍ୟନ୍ତ ଉଡି଼ଲି ପ୍ରଭୁଙ୍କ ହାତଟି ସେତେ ଦୂର ପର୍ଯ୍ୟନ୍ତ, ମୋ ପଛରେ ଲମ୍ବି ଆସିଲା l ମୁଁ ଉଡି଼ ଉଡି଼ ବ୍ରହ୍ମଲୋକ ପର୍ଯ୍ୟନ୍ତ ଚାଲି ଗଲି ଓ ପଛକୁ ବୁଲି ଦେଖେତ ପ୍ରଭୁଙ୍କ ହାତ ମୋ ପାଖରେ ଚାଲି ଆସି ମାତ୍ର ଦୁଇ ଅଙ୍ଗୁଳି ଦୂରରେ ରହିଛି l ସପ୍ତାଭରଣ ଭେଦ କରି ମୁଁ ଯେତେ ଦୂର ଯାଇପାରିଲି ସେତେ ଦୂର ପଳାଇଲି କିନ୍ତୁ ସେତେ ଦୂର ପର୍ଯ୍ୟନ୍ତ ପ୍ରଭୁଙ୍କ ହାତ ବଢ଼ି ଆସୁଥାଏ l ଅତି ଭୟରେ ମୁଁ ଆଖି ବୁଜିଦେଲି l ପୁଣି କ୍ଷଣକ ପରେ ଦେଖେ ତ ମୁଁ ଆସି ଅଯୋଧ୍ୟାରେ ପହଞ୍ଚି ଯାଇଛି l ପ୍ରଭୁ ମୋତେ ଦେଖି ଟିକିଏ ହସିଦେଲେ l ହସିବା ମାତ୍ରେ ମୁଁ ଟାଣି ହୋଇ ମୁଖଗହ୍ୱର ଦେଇ ତାଙ୍କର ଉଦର ଭିତରେ ପ୍ରବେଶ କଲି l କିନ୍ତୁ ଏ କଅଣ ମୁଁ ଦେଖୁଛି,ପ୍ରଭୁଙ୍କ ଉଦର ଭିତରେ ବିଶ୍ୱବ୍ରହ୍ମାଣ୍ଡ ଠୁଳ ହୋଇରହିଛି l ମୁଁ ଭୟଭୀତ ଓ ଅତୀବ ବ୍ୟାକୁଳ ହୋଇ ପଡ଼ିଲି l ମୋର ବ୍ୟାକୁଳତା ଦେଖି ଟିକିଏ ପ୍ରଭୁ ହସିଦେଲେ l ମୁଁ ତାଙ୍କ ମୁହଁବାଟ ଦେଇ ପୁଣି ବାହାରକୁ ଚାଲି ଆସିଲି l ମୋର ଦେହଜ୍ଞାନ ହଜି ଯାଇଥାଏ l ମୁଁ ହେ ଆର୍ତ୍ତତ୍ରାଣ ରକ୍ଷା କର ବୋଲି ଚିତ୍କାର କଲି l
ପ୍ରଭୁ ନିଜର ମାୟା ହଟାଇ ନେଇ ମୋ ଶିରରେ ହାତ ରଖିଦେଇ କହିଲେ, ହେ ବାୟସରାଜ ତୁମ ଉପରେ ମୁଁ ଅତ୍ୟନ୍ତ ପ୍ରସନ୍ନ,କି ବର ମାଗୁଛ ମାଗି ନିଅ ମୁଁ ତାହା ପ୍ରଦାନ କରିବି l ପ୍ରଭୁଙ୍କୁ ମୁଁ କହିଲି, ହେ ପ୍ରଭୁ,ହେ ଦୀନଦୟାଲ,ଆପଣ ମୋତେ ବର ଦିଅନ୍ତୁ,ଚିରକାଳ,ଜନ୍ମ ଜନ୍ମାନ୍ତରେ ଆପଣଙ୍କ ପଦ ପଙ୍କଜରେ ମୋର ଅଚଳା ଭକ୍ତି ରହି ଥାଉ l ପ୍ରଭୁ ଏବମସ୍ତୂ କହି ଚାଲିଗଲେ l ଅଵଧପୁରୀରେ ଆଉ କିଛି ଦିନ ରହି ମୁଁ ଏଠାକୁ ଫେରି ଆସିଲି ଓ ଏହି ନୀଳ ସୁନ୍ଦର ପର୍ବତରେ ବାସ କରି ପ୍ରଭୁଙ୍କ କୃପା ବଳରେ ତାଙ୍କରି ପୁଣ୍ୟ ଚରିତ ଗାନ କରୁଛି l ହେ ଖଗରାଜ ତାଙ୍କ କୃପା ନହେଲେ ତାଙ୍କର ଲୀଳାକୁ ବୁଝିବାକୁ କେହି ବି ସମର୍ଥ ହୁଏ ନାହିଁ l
ରାମକୃପା ବିନୁ ଶୁନୁ ଖଗରାଇ l
ଜାନି ନ ଯାଇ ରାମ ପ୍ରଭୁତାଇ ll
ଗରୁଡ଼ କାକ ଭୂଶୁଣ୍ଡିଙ୍କୁ ବହୁ ପ୍ରକାର ପ୍ରଶଂସା କରି ଯୋଡ଼ହସ୍ତ ପୂର୍ବକ କହିଲେ, ହେ ମହାତ୍ମନ ! ମୋ ଅଵିଵେକତା,ଅଜ୍ଞାନତା,ଉତ୍ସୁକତାରୁ ମୁଁ ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି,ଦୟାକରି ମୋତେ ଆପଣଙ୍କ ଦାସ ମନେକରି ତାହା ବୁଝାଇ ଦିଅନ୍ତୁ l ଆପଣ ସବୁ କିଛି ଜାଣନ୍ତି l ଆପଣ ଜ୍ଞାନ,ବିଜ୍ଞାନ, ବୈରାଗ୍ୟର ଧାମ l ଆପଣ ତତ୍ତ୍ୱଜ୍ଞ ତଥା ମାୟାରୁ ଅତୀତ l ଆପଣ ପୁଣି କେଉଁକାରଣରୁ ଏହି କାକ ଶରୀର ପାଇଲେ? ଆପଣ ଏ ରାମ ଚରିତ ରୂପୀ ସରୋବର କେଉଁଠୁ ପାଇଲେ ? ପୁଣି ମୁଁ ଶିବଙ୍କ ଠାରୁ ଶୁଣିଆସିଲି, ମହା ପ୍ରଳୟରେ ବି ଆପଣଙ୍କ ନାଶ ହୁଏ ନାହିଁ l ଏସବୁ ଇତିହାସ ମୋତେ ଦୟା କରି କୁହନ୍ତୁ l
ଖଗରାଜ ଗରୁଡ଼ଙ୍କ ପ୍ରେମପୂର୍ଣ୍ଣ ଜିଜ୍ଞାସା ଶୁଣି କାକ ଭୁଶୁଣ୍ଡି କହିଲେ,ହେ ପନ୍ନଗାରି ଆପଣଙ୍କ ଏ ପ୍ରଶ୍ନ ଶୁଣି ମୋ ପୂର୍ବ ଜନ୍ମ କଥା ମନେ ପଡ଼ିଗଲା ଯାହା ପ୍ରଭୁ ସଦାଶିବଙ୍କ କୃପାରୁ ମୁଁ ବିସ୍ମୃତ ହୋଇନାହିଁ l ତାହା ମୁଁ ବିସ୍ତାର ଭାବେ କହୁଛି ମନ ଦେଇ ଶୁଣ l କାକ ଭୁଶୁଣ୍ଡି କଥା ଆରମ୍ଭ କଲେ l
ଅନେକ ଜନ୍ମରେ ମୁଁ ବହୁ ଯୋଗ,ତପ, ଯଜ୍ଞ,ଦାନ ଆଦି କରିଛି l ମୁଁ ଅନେକ ଜନ୍ମ ବିଭିନ୍ନ ଯୋନିରେ ଜନ୍ମ ନେଇଛି l କାଳ ଆବର୍ତ୍ତନ ଅନୁସାରେ ଥରେ ପୃଥିବୀରେ କଳିକାଳ ଚାଲିଥାଏ l ସେତେବେଳେ ମୋର ଗୋଟିଏ ଶୁଦ୍ର କୂଳରେ ଅଯୋଧ୍ୟାରେ ଜନ୍ମ ହୋଇ ଥାଏ l ମୁଁ ସେତେବେଳେ କେବଳ ଶିବଙ୍କ ଭକ୍ତ ଥିଲି ଓ ଅନ୍ୟ ସମସ୍ତ ଦେବତା ମାନଙ୍କୁ ନିନ୍ଦା କରୁଥିଲି l ଶ୍ରୀରାମଙ୍କ ପୁରୀରେ ବାସ କରୁଥିଲେ ମଧ୍ୟ ମୁଁ ତାଙ୍କର ମହିମା କିଛି ଜାଣି ନଥାଏ l କଳି ପ୍ରଭାବରେ ଲୋକମାନଙ୍କ ମଧ୍ୟରୁ ସଦାଚାର ନଷ୍ଟ ହୋଇଯାଇ ଥାଏ l ସେହିସମୟରେ ଅଯୋଧ୍ୟାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିବାରୁ ମୁଁ ଉଜ୍ଜୟିନୀ ପଳାଇ ଗଲି l କିଛି ସମ୍ପତ୍ତିକରି ସେଠାରେ ରହି ଭଗବାନ ଶଙ୍କରଙ୍କ ଆରାଧନାରେ କାଳ କଟାଇଲି l
ସେଠାରେ ଜଣେ ବେଦଜ୍ଞ ଶିବ ଉପାସକ ବ୍ରାହ୍ମଣ ରହୁଥିଲେ l ଶିବଉପାସକ ଥିଲେ ମଧ୍ୟ ଶ୍ରୀହରିଙ୍କ ଚରଣରେ ତାଙ୍କର ଅଚଳା ଭକ୍ତି ଥାଏ l ମନରେ ମୁଁ କପଟ ରଖି ତାଙ୍କ ସେବା କରୁ ଥାଏ l ମୋର ବାହ୍ୟ ନମ୍ରତାକୁ ଦେଖି ବ୍ରାହ୍ମଣ ମୋତେ ପୁତ୍ରବତ ସ୍ନେହ କରି ବିଦ୍ୟାଶିକ୍ଷା ଦେଉଥାନ୍ତି l ମୋତେ ସେ ଶିବଙ୍କ ମନ୍ତ୍ର ଦେଲେ l ମୁଁ ମନ୍ଦିରଯାଇ ସେହି ମନ୍ତ୍ର ଜପ କରୁଥିଲି l କ୍ରମେ ମୁଁ ମୋହଗ୍ରସ୍ତ ହୋଇ ହରି ଭକ୍ତ ମାନଙ୍କ ସହ ଦ୍ରୋହ ଆଚରଣ କଲି l ମୋର ଆଚରଣ ଦେଖି ଗୁରୁ ବହୁ ଦୁଃଖିତ ହେଉଥିଲେ l ଦିନେ ମୋତେ ସେ ବହୁତ ବୁଝାଇ କହିଲେ,ବତ୍ସ, ଶିବଙ୍କ ସେବାର ଫଳ ହେଲା ଶ୍ରୀରାମଙ୍କ ଚରଣ କମଳରେ ପ୍ରଗାଢ଼ ଭକ୍ତି ପ୍ରାପ୍ତି l ତୁ ତାଙ୍କ ପ୍ରତି ଓ ତାଙ୍କ ଭକ୍ତମାନଙ୍କ ପ୍ରତି ଦ୍ରୋହ କରି ସୁଖ ପାଇବୁ କିପରି l ଗୁରୁ ଶିବଙ୍କୁ ହରିଙ୍କ ସେବକ କହିବାରୁ ମୁଢ଼ତା ବଶ ମୋର ହୃଦୟ ଜଳି ଉଠିଲା l ଦିବା ରାତ୍ର ମୁଁ ଗୁରୁଙ୍କ ବିରୋଧ କରିବାକୁ ଲାଗିଲି l ମୁଁ ବିରୋଧ କରିବା ସତ୍ତ୍ୱେ ମଧ୍ୟ ଦୟାଳୁ ଗୁରୁଙ୍କ ମୋ ଉପରେ କୌଣସି ରୋଷ ନ ଥିଲା l ଯେତେ ହିତ କଥା ଗୁରୁ କହିଲେ ମଧ୍ୟ ମୁଁ ତାକୁ କାନକୁ ନେଉ ନଥିଲି l
ଦିନକର କଥା, ମୁଁ ମନ୍ଦିରରେ ଶିବଙ୍କ ନାମ ଜପ କରୁଥାଏ,ଗୁରୁଦେବ ଆସି ପହଞ୍ଚିଲେ l ଅଭିମାନ ବଶତଃ ମୁଁ ତାଙ୍କୁ ପ୍ରଣାମ ମଧ୍ୟ କଲି ନାହିଁ l କିନ୍ତୁ ଭଗବାନ ଶଙ୍କର ଏ କଥା ସହି ପାରିଲେ ନାହିଁ l ଶୂନ୍ୟବାଣୀ ହେଲା,ରେ ମୂର୍ଖ, ଗୁରୁଙ୍କ ସମ୍ମୁଖରେ ତୁ ଅଜଗର ପ୍ରାୟ ବସିରହିଲୁ l ତୁ ଗୋଟିଏ ସର୍ପ ହୋଇ ବୃକ୍ଷ କ୍ରୋଟରରେ ବାସ କର l କ୍ଷମାଶୀଳ ଗୁରୁ ଶିବଙ୍କ ଅଭିଶାପ ଶୁଣି ଥରି ଉଠିଲେ l ସେ ମୋର ଏପରି ଦୁର୍ଗତି ଦେଖି କର ଯୋଡ଼ି ଶିବଙ୍କୁ ବିନତି କଲେ,ହେ ଦୀନଦୟାଲ,ହେ କୃପାନିଧାନ, ଏହି ଅଜ୍ଞାନ ଜୀବ ପ୍ରତି ଦୟା କରନ୍ତୁ l ଆପଣଙ୍କ ଶାପ ଲାଗିବାର ଅଳ୍ପ ସମୟ ମଧ୍ୟରେ ଇଏ ଶାପ ମୁକ୍ତ ହୋଇ ଯାଉ l ଏହାର ଯେଉଁଥିରେ ମଙ୍ଗଳ ହେବ ସେ ମାର୍ଗ ନିର୍ଦ୍ଦେଶ କରନ୍ତୁ l ପୁଣି ଆକାଶ ବାଣୀ ହେଲା "ଏବମସ୍ତୁ "l
ପୁଣି ମହାଦେବ କହିଲେ ମୋର ଶାପ ବ୍ୟର୍ଥ ଯିବ ନାହିଁ l ଇଏ ଅବଶ୍ୟ ହଜାରେ ଜନ୍ମ ପାଇବ l କିନ୍ତୁ ମୋ କୃପା ଫଳରେ ଜନ୍ମ ମରଣର ଦୁଃଖ ଏହାକୁ ଲାଗିବନାହିଁ ଏବଂ କୌଣସି ଜନ୍ମରେ ମଧ୍ୟ ଏହାର ଜ୍ଞାନ ନଷ୍ଟ ହେବନାହିଁ l
ଏହାପରେ ମୁଁ ଯାଇ ବିନ୍ଧ୍ୟାଚଳରେ ଗୋଟିଏ ସର୍ପ ଜନ୍ମ ପାଇଲି ଏବଂ କିଛିଦିନ ପରେ ସେହି ଶରୀର ତ୍ୟାଗ କରିଦେଲି l ଏପରିଭାବେ ମୁଁ ବହୁ ଶରୀର ଧାରଣ କଲି, କିନ୍ତୁ ଶଙ୍କରଙ୍କ କୃପାରୁ ମୋର ଜ୍ଞାନ ନଷ୍ଟ ହେଲାନାହିଁ l ସବୁ ଜନ୍ମ ଓ ତନୁରେ ମୁଁ ପ୍ରଭୁ ଶ୍ରୀରାମଙ୍କ ଭଜନ ଛାଡ଼ିଲି ନାହିଁ l କିନ୍ତୁ ଗୁରୁଙ୍କୁ ମୁଁ ନିନ୍ଦା କରିଥିବାରୁ ସେ ଦୁଃଖରେ ମୁଁ ସର୍ବଦା ଘାରି ହେଉଥିଲି l ସର୍ବ ଶେଷରେ ସେହି ଦେବ ଦୁର୍ଲଭ ବ୍ରାହ୍ମଣ ଶରୀରଟିଏ ମୁଁ ପାଇଲି l
ବୟସ ହୋଇଯିବାରୁ ମୋର ପିତା ବିଦ୍ୟା ଶିକ୍ଷାର ବ୍ୟବସ୍ଥାକଲେ l କିନ୍ତୁ ମୋର ସେଥିରେ ଆଉ ମନ ଲାଗିଲା ନାହିଁ l କେବଳ ପ୍ରଭୁ ଶ୍ରୀରାମଙ୍କ ଚରଣ କମଳରେ ମୋ ମନ ଲାଗି ରହିଲା l ବାପା ମାଆ ମରିଯିବା ପରେ, ମୁଁ ବଣକୁ ଚାଲି ଗଲି l ବନରେ ମୁନିମାନଙ୍କୁ ଦର୍ଶନକରି ତାଙ୍କୁ ପ୍ରଣାମ କରୁଥାଏ l ସେମାନଙ୍କଠାରୁ ଶ୍ରୀହରିଙ୍କ ଗୁଣଗାନ ଶୁଣି ମୋର ଦିନ କଟୁଥିଲା l ମନରେ ବଳବତୀ ବାସନା ଜାଗି ଉଠୁଥିଲା କିପରି ଶ୍ରୀରାମଙ୍କ ପଦ ଯୁଗଳ ଦର୍ଶନ କରିବି l ମୁନି ମାନଙ୍କୁ ପ୍ରଶ୍ନ କଲେ କହନ୍ତି, ଈଶ୍ୱର ସର୍ବଘଟ ବାସୀ l ମାତ୍ର ସେ ନିର୍ଗୁଣ ମତ ମୋତେ ପସନ୍ଦ ହେଉ ନ ଥିଲା l ମନରେ ମୋର ବାସନା, କିପରି ସଗୁଣ ବ୍ରହ୍ମଙ୍କ ଦର୍ଶନ ଲାଭ କରିବି l
ସୁମେରୁ ପର୍ବତ ଶିଖରର ଏକ ବଟବୃକ୍ଷ ଛାଇରେ ଲୋମଶ ଋଷି ବସିଥାନ୍ତି l ମୁଁ ତାଙ୍କୁ ଯାଇ ପ୍ରାର୍ଥନା କଲି,ଦୟାକରି ମୋତେ ସଗୁଣ ବ୍ରହ୍ମଙ୍କ ଆରାଧନା ପ୍ରକ୍ରିୟା ବୁଝାଇ ଦିଅନ୍ତୁ l ମୁନି ମୋତେ ବହୁ କଥା କହି ବ୍ରହ୍ମଙ୍କ ସ୍ୱରୂପ ବୁଝାଇଲେ ଯାହା ସେ ନିର୍ଗୁଣ ତତ୍ତ୍ୱ ହିଁ ଥିଲା l ମୋର ମନ ବୋଧ ହେଲା ନାହିଁ l ମୁଁ ପୁଣି ତାଙ୍କୁ ଅନୁରୋଧ କଲି, ମୁନିବର ମୋତେ ଏଭଳି କିଛି ପନ୍ଥା କହିଦିଅନ୍ତୁ ଯାହାଦ୍ୱାରା ମୁଁ ପ୍ରଭୁ ଶ୍ରୀ ରଘୁନାଥଙ୍କୁ ସ୍ୱ ଚକ୍ଷୁରେ ଦର୍ଶନ କରି ପାରିବି l କିନ୍ତୁ ମୁନି ସେହି ନିର୍ଗୁଣତତ୍ତ୍ୱ କଥା କହିଚାଲିଲେ l ମୁଁ ସଗୁଣ ବିଷୟକ ନାନା ଯୁକ୍ତି କରିବାରୁ ମହର୍ଷି କ୍ରୋଧିତ ହୋଇ କହିଲେ, ରେ ମୁଢ଼ ! ମୁଁ ତୋତେ ଉତ୍ତମ ଶିକ୍ଷା ଦେଉଛି,କିନ୍ତୁ ତୁ ତାହା ଅବଜ୍ଞା କରି ପ୍ରତ୍ୟୁତ୍ତର କରୁଛୁ l ତୋର ଏଡ଼େ ଜିଦ ! ତୋତେ ଶାପ ଦେଉଛି ତୁ ଗୋଟିଏ ଚାଣ୍ଡାଳପକ୍ଷୀ (କୁଆ) ହୋଇଯା l ମୁଁ ଅବିଳମ୍ବେ ଗୋଟିଏ କାକ ହୋଇ ଗଲି ଓ ଶ୍ରୀ ରଘୁନାଥଙ୍କ ଚରଣରେ ପ୍ରଣାମ କରି ସେଠାରୁ ଉଡି଼ ଉଡି଼ ଚାଲିଆସିଲି l
ମୁନି ମୋତେ ଶାପ ଦେଇଦେଲେ ସିନା କିନ୍ତୁ ଏହି ଅବସରରେ ପ୍ରଭୁ ଶ୍ରୀ ରଘୁନାଥ ମୁନି ଲୋମଶଙ୍କ ହୃଦୟରେ ବାସ କରି ତାଙ୍କର ମତିକୁ ପରିବର୍ତ୍ତନ କରି ଦେଲେ l ଶ୍ରୀରାମଙ୍କ ଚରଣରେ ମୋର ଭକ୍ତି ଦେଖି ତାଙ୍କର ମୋ' ଉପରେ ଦୟା ହେଲା l ମୁନି ପଶ୍ଚାତାପକରି ମୋତେ ଆଦରପୂର୍ବକ ଡାକି ପ୍ରଭୁ ଶ୍ରୀରାମଙ୍କ ବାଳ ରୂପର ଧ୍ୟାନମନ୍ତ୍ର ପ୍ରଦାନ କଲେ ଓ ମୋତେ କିଛି ଦିନ ପାଖରେ ରଖି ରାମ ଚରିତ ମାନସ ଶୁଣାଇଲେ l ସେ ମୋତେ କହିଲେ, ବତ୍ସ ଏହି ରାମ ଚରିତ ରୂପୀ ସରୋବର ମୁଁ ଭଗବାନ ଶଙ୍କରଙ୍କ କୃପାରୁ ପ୍ରାପ୍ତ ହୋଇଥିଲି,ତୁମେ ପ୍ରଭୁଙ୍କ ପରମ ଭକ୍ତ ଜାଣି ମୋର ଅତ୍ୟନ୍ତ ଶ୍ରଦ୍ଧା ହେବାରୁ ମୁଁ ଏହା ତୁମକୁ ଶୁଣାଇଦେଲି l ମୁଁ ମୁନିଙ୍କୁ ପ୍ରଣାମ କଲି ଓ ମୋ ଶିରରେ ହାତ ରଖି ମୁନି ଆଶୀର୍ବାଦ ଦେଇ କହିଲେ,"ତୁମ ହୃଦୟରେ ସର୍ବଦା ପ୍ରଗାଢ଼ ରାମ ଭକ୍ତି ରହିଥାଉ l ତୁମେ ଜ୍ଞାନ, ବୈରାଗ୍ୟର ଭଣ୍ଡାର ହୋଇଯାଅ l ଇଛାନୁସାରେ ରୂପ ଧରିବା ଏବଂ ଇଚ୍ଛାମୃତ୍ୟୁ ଲାଭ ପାଇଁ ତୁମେ ସମର୍ଥ ହୁଅ l ତୁମେ ଯେଉଁ ଆଶ୍ରମରେ ନିବାସ କରିବ, ତାହାର
ଏକ ଯୋଜନ ଯାଏ କୌଣସି ଅବିଦ୍ୟାର ପ୍ରଭାବ ରହିବ ନାହିଁ"l ଏତିକିବେଳେ ଶୂନ୍ୟବାଣୀ ହେଲା, ହେ ମୁନି ତୁମର ବଚନ ସତ୍ୟ ହେଉ,ଏ ହେଉଛି କାୟ ମନୋବାକ୍ୟରେ ମୋର ଭକ୍ତ l
ବ୍ରହ୍ମବାଣୀ ଶୁଣି ମୋ ମନ ଆନନ୍ଦରେ ପୁରିଗଲା l ମହର୍ଷି ଲୋମଶଙ୍କ ଚରଣରେ ବାରମ୍ବାର ପ୍ରଣାମ କରି ମୁଁ ନୀଳପର୍ବତର ଏହି ରମଣୀୟ ଆଶ୍ରମକୁ ଚାଲି ଆସିଲି l ସେବେଠାରୁ ଏହିଠାରେ ରହି ମୁଁ ପ୍ରଭୁ ଶ୍ରୀରାମଙ୍କ ଗୁଣାବଳୀ କୀର୍ତ୍ତନ କରିଆସୁଛି l ମୁଁ ଏଠାରେ ନିବାସ କରିବା ସତେଇଶ କଳ୍ପ ବିତି ସାରିଲାଣି l
ଶେଷରେ କାକ ଭୁଶୁଣ୍ଡି କହିଲେ,ହେ ପକ୍ଷୀରାଜ ! ଏହି କାକ ଶରୀରଟି ମୋର ଅତି ପ୍ରୀୟ କାରଣ, ଏହି ଶରୀରରେ ହିଁ ମୁଁ ମୋ ପ୍ରଭୁଙ୍କ ଭକ୍ତି ପାଇଛି, ପ୍ରଭୁଙ୍କ ଦର୍ଶନ ପାଇଛି ଓ ମୋର ସକଳ ସନ୍ଦେହ ଦୂରହୋଇ ଯାଇଛି l ପୁଣି ଖଗେଶ ଗରୁଡ଼ଙ୍କୁ ସେ ବୈରାଗ୍ୟ, ଭକ୍ତ, ଭକ୍ତି ଓ ଭଗବାନଙ୍କ ବିଷୟରେ ବହୁ ସୁନ୍ଦର ସୁନ୍ଦର କଥା ମାନ କହିଲେ l ପରମ ଭାଗବତ କାକ ଭୁଶୁଣ୍ଡିଙ୍କ ଠାରୁ ସମସ୍ତ କଥାଶୁଣି ଗରୁଡ଼ କହିଲେ,ଆପଣଙ୍କ କୃପାରୁ ମୋର ସମସ୍ତ ସନ୍ଦେହ ଦୂର ହୋଇଗଲା l ମୋ ଜନ୍ମ ଓ ଜୀବନ ଆଜି ସଫଳ ହୋଇଗଲା l ପ୍ରେମ ସହକାରେ ସେ କାକ ଭୁଶୁଣ୍ଡିଙ୍କ ଚରଣ ସ୍ପର୍ଶ କରି ଅତ୍ୟନ୍ତ ହର୍ଷ ଓ ଉଲ୍ଲସିତ ହୋଇ, ହୃଦୟରେ ରଘୁନାଥଙ୍କୁ ଧାରଣ ପୂର୍ବକ, ବୈକୁଣ୍ଠ ଅଭିମୁଖେ ପ୍ରସ୍ଥାନ କଲେ l ସନ୍ଥ ତୁଳସୀଙ୍କ ଭାଷାରେ :-
ତାସୁ ଚରନ ଶିରୁ ନାଇ କରି
ପ୍ରେମ ସହିତ ମତି ଧୀର l
ଗୟଉ ଗରୁଡ଼ ବୈକୁଣ୍ଠ ତଵ
ହୃଦୟ ରାଖି ରଘୁବୀର ll
କାକ ଭୁଶୁଣ୍ଡି କଳ୍ପଜୀବି l ଅନେକ ଯୁଗ ବିତି ଗଲା ପରେ କାକ ଭୁଶୁଣ୍ଡି ଶ୍ରୀମନ୍ଦିର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ବୋଲି ବ୍ରହ୍ମାଙ୍କୁ ସାକ୍ଷ ଦେଇଥିଲେ l କଥିତ ହୋଇ ଥାଏ, ପରମ ଜ୍ଞାନୀ କାକ ଭୁଶୁଣ୍ଡି ଏକ ରାମାୟଣ ମଧ୍ୟ ରଚନା କରିଥିଲେ l
