କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
ବାଲକୋନୀ ସାରା ମେଘ ଛିଟାର ଛଟା ଭିତରେ ଗୁମସୁମ ହୋଇ ବସିଥାଆନ୍ତି ଭାରତୀ । ପୁଅ, ଝିଅ, ସ୍ୱାମୀ ଡାକିଦେଇ ଗଲେଣି ଅନେକ ଥର । ଓଦା ହେଲେ ଦେହ ଖରାପ ହେବ । ସେଠୁ ଉଠିଆସି ଯେତେ ଯାହା ଚିନ୍ତା କରୁଛ କର କହୁଥିଲେ ସ୍ୱାମୀ । ପୁଅ କହୁଥିଲା ତୋ ମନ କାହିଁକି ଦୁଃଖ କହୁନୁ? ଆଉ ଝିଅ କହୁଥିଲା ଯେତେ ମନ ଦୁଃଖ କଲେ ମଧ୍ୟ ହଜିଲା ଦରବ ଖୋଜିଲେ ପାଇବୁ ନାହିଁ । ଭାଙ୍ଗିଥିବା ଜିନିଷ ଗଢି ହେବ ନାହିଁ । ଶୁନ୍ୟ ଦୃଷ୍ଟିରେ ଚାହିଁଲେ ଭାରତୀ, ତାଙ୍କ ବିଲ୍ଲୀ ତାଙ୍କୁ କହୁଛି ମ୍ୟାଉଁ ମ୍ୟାଉଁ । ହେଲେ ଏଇ ବାଲାକୋନିରେ ବସି ସେ ଭାବୁଥିଲେ ସେଇ ବର୍ଷା ଓ ତାଙ୍କ ଘର ବାଲାକୋନିରେ ବସି ତାଙ୍କ ବାପା ଏମିତି ଚିନ୍ତାଗ୍ରସ୍ତ ଥାଆନ୍ତି । ତାଙ୍କ ଗୀତ ଖାତା ଚିରି କାଗଜ ଡ଼ଙ୍ଗା କରି ସେ ଭସାଇ ଦେଇଥାଆନ୍ତି ଚକଡା ଚକଡା ମନ୍ଦା ମନ୍ଦା ଜମି ଥିବା ପାଣିରେ । ସେସବୁ ଛାଣି ଆଣି ଡ଼ଙ୍ଗା ସବୁକୁ ପୁଣି ଫର୍ଦ ଫର୍ଦ କାଗଜ କରିଥିଲେ ବି ଅକ୍ଷର ଲିଭି ସାରିଥିଲା । ଯଦି କିଛି ଦିଶୁଥିଲା ଅସ୍ପଷ୍ଟ ସେହି ଅକ୍ଷର ସବୁକୁ ଆଉ ସେ ଓଦା କାଗଜ ଫର୍ଦ ମାନଙ୍କ ଭିତରୁ ପାଇନଥିଲେ ତାଙ୍କ ବାପା । ବେଶି ବ୍ୟସ୍ତ ହୋଇପଡ଼ିଥିଲେ ରେଡ଼ିଓକୁ ପଠାଇବା ପାଇଁ ରଖିଥିବା ପଚାଶଟା ଗୀତ ଆଉ ଥରେ ସେଇ ଏକା ଏକା ଶବ୍ଦ ସହ ଯୋଡି ସେହି ଅର୍ଥ ପ୍ରକାଶ କରିବା । ବହୁ ପରିଶ୍ରମ କରିଥିଲେ ଉଦ୍ଧାର କରିବାକୁ ସେସବୁ ଶବ୍ଦସବୁକୁ ଓଦା କାଗଜ ଭିତରୁ, ହେଲେ ଅସମ୍ଭବ ଥିଲା ସେସବୁ । ପିଲା ଥିଲେ ବି ସେ ଦୃଶ୍ୟରେ ଗଭୀର ମର୍ମାହତ ହୋଇଥିଲେ ଭାରତୀ । ବର୍ଷା ଆସିଲେ, ବାଲକୋନୀରେ ବର୍ଷା ଛିଟା ପଡିଲେ ଖୁବ ବ୍ୟତିବ୍ୟସ୍ତ ଲାଗେ ଭାରତୀଙ୍କୁ । ଯଦିଓ ବାପା ଆଉ ନାହାଁନ୍ତି ତଥାପି ଗୋଳେଇ ଘାଣ୍ଟି ହୁଅନ୍ତି ସେ ଏମିତି ତ ଭିଜୁଥାଆନ୍ତି ମନ ବୁଝିଲା ଯାଏଁ ।
ଯିଏ ଯାହା କରିଥାଏ ତାର ପ୍ରଭାବ ନିଶ୍ଚୟ ଭୋଗିବାକୁ ପଡେ ବୋଧହୁଏ । ସେଥର ପିଲାଙ୍କ ପରୀକ୍ଷା ଖାତା ଦେଖିସାରି ସ୍କୁଲ ଯାଉଥିଲେ ଭାରତୀ । ନିଧୁମ ବର୍ଷାରେ ବାଟ ନଥିଲା କୋଉଠି ରହିଯିବାକୁ ତ ସବୁ ଓଦା ଭିତରେ ଖାତା ଓଦା ହୋଇ ଆଉ କିଛି ଦିଶୁନଥିଲା ଅକ୍ଷର । କିଏ କଣ ଲେଖିଥିଲା କୋଉ ପ୍ରଶ୍ନର ଉତ୍ତର ହିସାବରେ ତାର କିଛି ପ୍ରମାଣ ନଥିଲା । ଖାତା ବିଡା ଓଦା ଜୁଡୁବୁଡୁ ଭିତରୁ କାହାକୁ କେତେ ନମ୍ବର ମିଳିଛି ମଧ୍ୟ ଜାଣିହେଲାନି । ପିଲା ପ୍ରତିବାଦ କଲେ । ଶିକ୍ଷକ ଭାଇ ମାନଙ୍କ ସାହାୟତାରେ ଗାନ୍ଧି ନୀତି ଅନୁସରଣ କରି ସେହି ଗପ ପିଲାଙ୍କୁ କୁହାଯାଇଥିଲା । ଗାନ୍ଧିଜୀଙ୍କୁ ତାଙ୍କ ଗୁରୁ ପାଞ୍ଚୋଟି ଶବ୍ଦରୁ ଗୋଟିଏ ଭୁଲ ଲେଖିଥିବା ଶବ୍ଦକୁ, ପାଖ ପିଲାଠାରୁ ଦେଖି ଠିକ କରି ଲେଖି ଦେବାକୁ କହିଥିଲେ ମଧ୍ୟ ଗାନ୍ଧିଜୀ ଜାଣିଥିଲେ ଖରାପ କଥା କରିବେ ନାହିଁ ।
ଆଜି କପି କରି ସାଙ୍ଗ ମାନଙ୍କଠୁ ଦେଖି ପାଞ୍ଚଟି ଶବ୍ଦ ଠିକ କରି ପରିଦର୍ଶକଙ୍କୁ ଦେଖାଇ ବାହାବା ପାଇବାକୁ ସେ ଉଚିତ ମଣିନଥିଲେ । ଗୁରୁଙ୍କ ପରିସ୍ଥିତି ବୁଝିବା ପରେ ଗୁରୁ ତାଙ୍କୁ କପି କରିବାକୁ ପ୍ରବର୍ତ୍ତେଇବା ଯୋଗୁଁ ଗୁରୁଙ୍କୁ ମଧ୍ୟ ସେ କେବେ ଖରାପ ବିଚାରି ନଥିଲେ କାରଣ ଖରାପ କଥା ଦେଖିବା, ଶିଖିବା, କହିବା, କରିବା ଇତ୍ୟାଡିକୁ ସେ ମହାପାପ ବୋଲି ବିଚାରି ନେଇଥିଲେ । ସେହି ଉଦାହାରଣ ଦେଇ ପ୍ରତ୍ୟକ ପିଲା ଓ ଅଭିଭାବକଙ୍କୁ ବୁଝେଇବା ପରେ ସମାଧାନ ଏମିତି ହୋଇଥିଲା କି, ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବରରେ ଆଉ ପାଞ୍ଚ ମାର୍କ ଲେଖାଏଁ ମିଶାଇ ପିଲାଙ୍କୁ ଭାରତୀ ତାଙ୍କୁ ଦିଆଯାଇଥିବା ବିଷୟରେ ନମ୍ବର ଦେବାକୁ ବାଧ୍ୟ ହୋଇଥିଲେ । ସେହି କଥା ଭାବି ବାଲାକୋନିରେ ପଡୁଥିବା ବର୍ଷା ଛିଟା ତାଙ୍କୁ ଜଣା ପଡୁନଥିଲା । ଏଣିକି ଭ୍ୟାନିଟରେ ଛତା ନିଶ୍ଚୟ ରଖିଲେ ମଧ୍ୟ, ମନେ ପଡୁଥିଲା ବାପାଙ୍କ କବିତା ଖାତା ଚିରି ବର୍ଷା ପାଣିରେ କାଗଜ ଡ଼ଙ୍ଗା କରି ଭସାଇବା ପାପ ଯିବ କୁଆଡେ??ସେଦିନ ବାପା ତାଙ୍କ ଶବ୍ଦପୁଞ୍ଜି ଭରା ଭରା କବିତାଗୁଚ୍ଛ ହରାଇ ଭାରତୀଙ୍କୁ ଯେମିତି କିଛି କହିନଥିଲେ ଆଜି ଶିକ୍ଷୟତ୍ରୀ ଜୀବନରେ ଏମିତି ଏକ ପାଣିପାଗ ତାଙ୍କୁ ହଲଚଲ କରିଦେଇଥିଲା ।
ପୁଣି ଗୋଟେ ସମୟ ଆସିଲା । ପିଲାଦିନର ସ୍ମୃତି ମଧ୍ୟାହ୍ନର ଶିକ୍ଷା ପରି, ଚାକିରୀ ଜୀବନରେ ପୁଣି ସାୟାହ୍ନ ଆସିଥିଲା ଏମିତି । ଏ ଭିତରେ ପୁଅ ଓ ଝିଅ ବିବାହ କରି ସାରିଥିଲେ । ପୁଅର ପୁଅଟିଏ ଓ ଝିଅର ଝିଅଟିଏ । ନାତି ନାତୁଣୀ ଦୁହିଁଙ୍କୁ ପାଖରେ ରଖି ପାଠ ପଢେଇବାର ସୁବନ୍ଦୋବସ୍ତ ଭିତରେ ସେ ଦୁହିଁଙ୍କୁ ସବୁଦିନ ସାଙ୍ଗରେ ନେଇ ସ୍କୁଲ ଯାଆନ୍ତି ଭାରତୀ । ଦୁହେଁ ଏକା କ୍ଲାସରେ ପଢ଼ନ୍ତି । ସେଦିନ କ୍ଲାସରେ ଭାରତୀ, ପିତୃ ଦିବସ ଉପରେ ରଚନା ଲେଖି ଆଣିବାକୁ କହିଥିଲେ । ତା ପରଦିନ ସବୁ ପିଲା ଲେଖିଥିଲେ ମଧ୍ୟ ତାଙ୍କ ନାତି ନାତୁଣୀ ଦୁହେଁ ଲେଖିନଥିଲେ ତ ଭାରତୀଙ୍କୁ ଖରାପ ଲାଗିଥିଲା । ସ୍କୁଲରେ କିଛି ନକହିଲେ ମଧ୍ୟ ଘରେ ଯେବେ ପଚାରିଥିଲେ କାହିଁକି ରଚନା ଲେଖିକି ନେଇନଥିଲ, ତ ଦୁହେଁ କହିଥିଲେ, ପିତୃ ଦିବସରେ କଣ କେବଳ ପିତାଙ୍କ ନିକଟକୁ ପତ୍ର ଲେଖାଯାଏ?? ଆମେ ତ ସବୁଦିନ ଆମ ବାପାଙ୍କ ପାଖକୁ ଚିଠିରେ, ପ୍ରତ୍ୟେକ ଦିନର ନିଜ କର୍ମ, ପାଠପଢା, ଗୁରୁଭକ୍ତି ଇତ୍ୟାଦି କଥା ଲେଖୁ ଜେଜେମା ବୋଲି ନାତି କହୁଥିଲା ବେଳେ ନାତୁଣୀ କହିଥିଲା । ମୁଁ ସବୁଦିନ ବାପା ଓ ମାଆଙ୍କ ଫୋଟୋକୁ ଆଗେ ମୁଣ୍ଡିଆ ମାରେ । ତା ପରେ ପ୍ରତିଦିନ ଯାହା ଭୁଲ କରେ ତାଙ୍କୁ ଜଣାଇ ଡାଇରୀରେ ଲେଖି ରଖି ଆଉ ଏମିତି କରିବିନି ଲେଖେ ଆଇମା । ଆଉ ଏ ପିତୃ ଦିବସ ଦିନ ତାଙ୍କୁ ମନେପକାଅଇବୁ କାହିଁକି?? ସେମାନେ ତ ଆମ ଗୁରୁ ଆମ ହୃଦୟରେ ଅଛନ୍ତି । ସବୁଦିନ ସେମାନେ ଆମ ନମସ୍ୟ । ଗୋଟିଏ ଦିନ କାହିଁକି???ଭାରତୀ କାନ୍ଦି ପକାଇ ଥିଲେ । ନିଜ ବାପାଙ୍କ ଫଟୋ ପାଖରେ ଏଣିକି ନିଜ ଭୁଲ ଠିକର ହିସାବ ଦେବା ସହ ନିଜକୁ ସୁଧାରି ପାଦ ବଢ଼ାଉଥିଲେ ଆଗକୁ ନାତି ସାଇ ଓ ନାତୁଣୀ ସୁର ତାଙ୍କ ଗୁରୁ ପାଲଟି ଯାଇଥିଲେ ସେହିଦିନୁ ।
ସାହିତ୍ୟମନସ୍କ ହୋଇ ଏଣିକି ନିଜ ବାପାଙ୍କ ଭଳି କବିତା, ଗଳ୍ପ, ପ୍ରବନ୍ଧ ଢଗଢମାଳି ଇତ୍ୟାଦି ଲେଖିଚାଲିଥିଲେ ଭାରତୀ । ଅନେକ ସମୟରେ ସାହିତ୍ୟ ଆସରରେ ଯୋଗ ଦେଇ ବହୁ ଉପାଦେୟ ତଥ୍ୟ ଶିଖୁଥିଲେ । ଜୀବନରେ ପରିବର୍ତ୍ତନ ଆସିବା ପରି ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ଆସିବାର ଲକ୍ଷ କରି ସେ ଏଣିକି ଗୀତି କବିତା, ଛନ୍ଦବୋଧ କବିତା ନଲେଖି ଆଧୁନିକ କବିତା ଲେଖୁଥିଲେ । ଫକୀର ମୋହନଙ୍କ ଛଅ ମାଣ ଆଠ ଗୁଣ୍ଠ, ରେବତୀ ଭଳି ପ୍ରତିଭା ରାୟଙ୍କ ଜାଜ୍ଞସେନୀ ଇତ୍ୟାଦି ଭଳି କାଳଜୟୀ ସାହିତ୍ୟ ସୃଷ୍ଟି କରିବାକୁ ଗଳ୍ପ ଉପନ୍ୟାସ ଲେଖି ରଖୁଥିଲେ । ପୁଣି ପୂର୍ବସୁରୀମାନଙ୍କ ଜୀବନୀ କାହାଣୀ ଆଧାରରେ ସେମାନଙ୍କ କାର୍ଯ୍ୟଧାରା, ଗୁଣ, ଶିକ୍ଷା ସଚେତନତା, କର୍ମ, ଜ୍ଞାନ, ପରିବାରର ମହନୀୟତା ଉପରେ ଆଲୋକପାତ କରିବାକୁ ଯାଇ ଲେଖୁଥିଲେ ପ୍ରବନ୍ଧ ଯାହା ସବୁ ବିଶିଷ୍ଟ ବରପୁତ୍ର ମାନଙ୍କର ଜୀବନୀ ଉପରେ ଆଧାରୀତ ଥିଲା । ସେ ଗାନ୍ଧି, ଗୋପବନ୍ଧୁ, ଚାଚା ନେହେରୁ, ଶାସ୍ତ୍ରୀ ହୁଅନ୍ତୁ ବା ଭୀମଭୋଇ, ଉପେନ୍ଦ୍ରଭଞ୍ଜ ମଧୁବାବୁ, ସୁବାସ ବୋଷ, ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ ଅବା ଲଷ୍ମୀବାଇ, ଜିଜାବାଇ, ଅହଲ୍ୟା, ସୀତା, ଦ୍ରୌପଦୀ, ସାବିତ୍ରୀ ହୁଅନ୍ତୁ, ଅବା ବାଜିରାଉତ କି ଧର୍ମପଦ,ସେମାନଙ୍କ ବିଷୟରେ ଲେଖିରଖୁଥିଲେ ପ୍ରବନ୍ଧ । ଭାବୁଥିଲେ, ଅବସର ପରେ ବହି ଗୁଡିକୁ ପ୍ରକାଶିତ କରିବେ । କାଳଜୟୀ ହେବାକୁ ଚେଷ୍ଟା ଜାରି ରଖୁ ରଖୁ, ନିଶ୍ଚିନ୍ତ ଭାବରେ ଉର୍ନ୍ନତ ମାନର କବିତା, ଗଳ୍ପ, ଉପନ୍ୟାସ, ଶିଶୁଗଳ୍ପ, ପ୍ରବନ୍ଧ, ରମ୍ୟରଚନା ଆଦି ଆଗାମୀ ଵଂଶଧରଙ୍କୁ ବେଟିଦେବେ ।
ସେଦିନ ପ୍ରକାଶକ ମହାଶୟ ପହଞ୍ଚିଥିଲେ ଓ କହିଥିଲେ ଏବେଠୁ ଲେଖା ଗୁଡିକ ଦେଇଦେଲେ, ତାହାର ଭିର୍ନ୍ନ ଭିର୍ନ୍ନ ଭାଗ ଗୁଡିକୁ ସଜାଡି ସେ ଆଗ ରଫ ପ୍ରସ୍ତୁତ କରି ରଖିସାରିବା ପରେ ଭାରତୀଙ୍କୁ ଆଣି ସେସବୁ ସଂଶୋଧନ କରିବାକୁ ଦେବେ । ଭାରତୀ ରାଜି ହୋଇ ତାଙ୍କ ବିଭିର୍ଣ୍ଣ ପାଣ୍ଡୁଲିପି ଗୁଡିକ ଆଣିବାକୁ ଯାଇ ଅପ୍ରସ୍ତୁତ ଓ ହତବମ୍ବ ହେଲେ । କାରଣ ତାଙ୍କ ପଢା ଘର ନିର୍ଦ୍ଦିଷ୍ଟ ଥାକରେ ସେସବୁ ନଥିଲା । ଆଉ କୋଉଠି ରଖିଲେ ଭାବି ପ୍ରକାଶକଙ୍କୁ ଫେରାଇ ଦେଲା ପରେ ଘର ସାରା ଖୋଜିଥିଲେ । ନପାଇ ବସିପଡ଼ିଥିଲେ ସେଇ ପୂର୍ବ ନିର୍ଦ୍ଧାରିତ ବାଲକୋନିରେ । ଆଜିବି ବର୍ଷା ଛିଟାରେ ଅଧା ବାଲକୋନି ଭିଜୁଥିଲା । ଆଉ ଭିଜୁଥିଲା ଭାରତୀଙ୍କ ତନୁ ଓ ମନ ତଥା ହୃଦୟ । ଘର ସାରା ଖୋଜାଖୋଜି କରି ନପାଇବା ପରେ କେତେ ଯେ ଠାକୁର ଠାକୁରାଣୀଙ୍କୁ ଭୋଗ ମାନସିକ କରି ଚାଲିଥିଲେ ଭାରତୀ ତାର ହିସାବ ନଥିଲା । ଦୁର୍ଗା ପୂଜା ପାଇଁ ନାତି ନାତୁଣୀ ସାଇ ଓ ସୁର ଯିଏ ଯାହା ବାପା ମାଆ ରହୁଥିବା ସ୍ଥାନକୁ ଯାଇଥିଲେ । ଗଣେଷ ପୂଜା ଯାଇ ମାଆ ଦୁର୍ଗା ଦେବୀଙ୍କ ଆଗମନ ପାଇଁ ପ୍ରକୃତି କୋଳରେ ଧଳା ଧଳା କାଶତଣ୍ଡୀ ଗୁଚ୍ଛ ଯେମିତି ଶୋଭା ସମ୍ଭାର ବଢ଼ାଇ ଚାଲିଥିଲେ, ମଣିଷ ସମାଜ ସେହିଭଳି ଦେବୀଙ୍କ ପାଇଁ ମଣ୍ଡପ, ତୋରଣ ଓ ମୂର୍ତ୍ତି ଗଢ଼ାରେ ନିମଗ୍ନ ଥିଲେ । ବର୍ଷା କିନ୍ତୁ ଲାଗିରହିଥିଲା । ବାହାରେ ବର୍ଷା ଢାଳୁଥିବା ଭିତରେ ନାତି ନାତୁଣୀ ଫେରିଆସିଥିଲେ ସତ ହେଲେ ବର୍ଷାଙ୍କ ହୃଦୟରେ ବନ୍ୟାର ଲହଡି ଥଳକୂଳ ଖାଉଥିଲା । ଏଯାଏଁ ସେ କୌଣସି ପାଣ୍ଡୁଲିପି ପାଇନଥିଲେ । ସ୍ୱାମୀ ଭରସା ଓ ବିଶ୍ୱାସ ଜନ୍ମେଇ କହୁଥିଲେ ଭଗବାନ ଗଣେଷ ଓ ମାଆ ଦୁର୍ଗା ତୁମର ମଙ୍ଗଳ ହିଁ କରିଛନ୍ତି । ଅବସର ପରେ ପୁଣି ଥରେ ନୂଆ ପାରିବର୍ତ୍ତନ ଆଣି ସେସବୁକୁ ପୁଣି ନୂଆ ରୂପରେ ଲେଖିବ । ଭାରତୀ ସେମିତି ମନଦୁଃଖରେ ବାଲକୋନିରେ ବର୍ଷା ଛିଟାରେ ବସି ସ୍ୱାମୀଙ୍କ ଉପଦେଶ ସହିତ ରବିବାର ଶେଷ ଖୁଦୁରୁକୁଣୀ କଥା ଭାବୁଥାଆନ୍ତି । ଦେଖିଲେ ସୁର ଓ ସାଇ କାଗଜ ଡ଼ଙ୍ଗା କରି ଭସାଇ ଚାଲିଛନ୍ତି ଓଦା ହୋଇ । ଧଡ଼ପଡ଼ ହୋଇ ଯାଇ ସେମାନଙ୍କୁ ତାଗିଦା କରି ଆଣିବା ବେଳେ କାଗଜ ଡ଼ଙ୍ଗା ଉପରେ ଆଖି ପଡିଲା ଭାରତୀଙ୍କର । ତାହା ତାଙ୍କ ପାଣ୍ଡୁଲିପିର ଫର୍ଦ ସବୁ ଥିଲା ତ ଦଉଡି ଯାଇ ଦେଖନ୍ତି ନାତି ନାତୁଣୀଙ୍କ ପଢା ଘରେ ତାଙ୍କ ପାଣ୍ଡୁଲିପିର ପଚାଶ ଭାଗ ନଷ୍ଟ ହେବା ପରେ ଆଉ ପଚାଶ ଭାଗ ଅବାଶିଷ୍ଟ ରହିଯାଇଛି । ମନେପଡୁଥିଲା ବାପାଙ୍କ କବିତା ପାଣ୍ଡୁଲିପି ସେ ସମ୍ପୂର୍ଣ୍ଣ କାଗଜ ଡ଼ଙ୍ଗା କରି ଭସାଇ ଥିବା ବେଳେ ତାଙ୍କର କୋଉ ପୁଣ୍ୟ ବଳରେ ଅଧା ସୁରକ୍ଷିତ ଅଛି ଏଯାବତ । ମନେ ପଡୁଥିଲା ଜଣେ ସାହିତ୍ୟିକା କହିଥିବା କଥା କେଇପଦ । ପିଲାଦିନର କାଗଜ ଡ଼ଙ୍ଗାର ସ୍ମୃତି,ପରବର୍ତ୍ତୀ ଜୀବନରେ କେବଳ ସାହିତ୍ୟ ସାଧନାରୁ ମିଳିଥାଏ । ପୁଣି ମନେ ପଡୁଥିଲା ବାପୁଙ୍କ ଅଂହିସା ନୀତି ସହିତ, ତାଙ୍କ ବାପାଙ୍କ ଉଦାହାରଣ ତ ସେ ସେଥିରୁ ବାଦ ଯାଆନ୍ତେ କିପରି !!!
