Lalita Mohan Mishra

Thriller

1  

Lalita Mohan Mishra

Thriller

ଜୀବନଟା ଏକ ରଙ୍ଗମଞ୍ଚ

ଜୀବନଟା ଏକ ରଙ୍ଗମଞ୍ଚ

2 mins
189


ସୁଖ-ଦୁଃଖ, ଆନନ୍ଦ-ବିଷାଦ, ପ୍ରେମ-ପ୍ରତାରଣା, ହସ-କାନ୍ଦ ଭରା ଏ ଜୀବନ । ଅନ୍ଧାରରୁ ଆଲୋକର ସନ୍ଧାନ, ଅସତ୍ୟରୁ ସତ୍ଯ ଏବଂ ବିଷରୁ ଅମୃତ ପାଇବା ପାଇଁ ଏ ଜୀବନ ଚେଷ୍ଟିତ। ଦୁଃଖରେ ଭାଙ୍ଗିପଡ଼ି ବଞ୍ଚିବାର ରାହା ଖୋଜେ ଏ ଜୀବନ ।

ଜୀବନଟା ଏକ ସଂଜ୍ଞାହୀନ ଯାତ୍ରା ସ୍ବରୂପ ଏବଂ ପ୍ରଜ୍ଞାହୀନ ମରିଚୀକା ସଦୃଶ। ଜୀବନ ରୂପକ କ୍ଷୁଦ୍ର ନଉକାଟି ମହୋଦଧିର ମାୟା ମୋହରେ ପରିପୂର୍ଣ୍ଣ ହୋଇ ଚାଲିଥାଏ । ନଉକାଟି ମହୋଦଧିର ଜଳରାଶିରେ କେତେବେଳେ ଉପରକୁ ତ କେତେବେଳେ ତଳକୁ । ଅହଂର ଆହୁଲା ନାଁ ନିଏ ସିନା ହେଲେ ପ୍ରକୃତରେ ନଉକାଟି ଚାଲେ କାଳର ଚକ୍ରରେ ।

ରଙ୍ଗମଞ୍ଚରେ ଯେମିତି ନାୟକ-ନାୟିକା, ଖଳନାୟକ-ଖଳନାୟିକା, ହାସ୍ୟ ଅଭିନେତା-ହାସ୍ୟ ଅଭିନେତ୍ରୀ ଯେ ଯାହାର ଅଭିନୟକୁ ଯେତେ ଭଲ ଭାବରେ ପ୍ରସ୍ଫୁଟିତ କରନ୍ତି ସେତେ ସେମାନଙ୍କର ଅଭିନୟ ଚମତ୍କାର ଓ ନିଖୁଣ ହୋଇଥାଏ ।

ସେହିପରି ଜୀବନ ରୂପକ ରଙ୍ଗମଞ୍ଚରେ ଆମେ ସମସ୍ତେ ଜଣେ ଜଣେ କଳାକାର । ସେ ନାଟକରେ କିଏ କାହାର ଭାଇ ତ କିଏ କାହାର ବାପା ପୁଣି କିଏ କାହାର ଜାୟା, ଜନନୀ, ଭଗିନୀ । ଆମେ ଜୀବନ ରୂପକ ରଙ୍ଗମଞ୍ଚରେ ଆମର ଅଭିନୟକୁ ଯେତେ ନିଷ୍ଠା ଓ ଏକାଗ୍ରତା ସହକାରେ ବଳିଷ୍ଠ କରିବା ସେତେ ଆମକୁ ସମସ୍ତେ ପ୍ରଶଂସା କରିବେ ଏବଂ ଆମେ ହୋଇପାରିବା ସମସ୍ତଙ୍କର ଆଦରର ପାତ୍ର ।

ଜୀବନରେ କେତେ ଘାତ ପ୍ରତିଘାତ ଆସେ, ସେ ସମସ୍ତକୁ ଆଡେଇ ଆଗକୁ ବଢିବାକୁ ପ୍ରୟାସ କରେ । ଜୀବନ ରୂପକ ବୃକ୍ଷରେ ଦିନେ ଝରା ସେଫାଳି ପରି ପତ୍ର ସବୁ ଝଡ଼ିଯାଏ, ବୃକ୍ଷଟି ରସହୀନ, ସ୍ବାଦହୀନ, ଗନ୍ଧହୀନ ହୋଇଯାଏ । ଶୁଖିଲା ଡାଳ ଗୁଡିକୁ ଧାରଣ କରି ବୃକ୍ଷଟି ଠିଆ ହୋଇଥାଏ । ମନ ମରିଯାଏ, ଆଶା ମରିଯାଏ ହେଲେ ଜୀବନ କିନ୍ତୁ ମରି ପାରେନା ! ତା ଭିତରେ ଥିବା ସୁପ୍ତ ବିଜଟି ଗୁପ୍ତ ଆକାରରେ ରହିଥାଏ । ତାର ଅନ୍ତରାତ୍ମା ମିଳନର ଆକାଂକ୍ଷାକୁ ନେଇ ପ୍ରତୀକ୍ଷା କରି ରହିଥାଏ । ଜୀବନ ରୂପି ବୃକ୍ଷ କେବେ ପୁନଃ ପଲ୍ଲବିତ ହେବ ଏବଂ ଆଶାର ଲହଡି ନେଇ କଁଅଳ ପତ୍ରମାନ ଫେରିବେ ? ଆଉ ସେହି କଁଅଳ ଛନ ଛନ ପତ୍ରରେ ମାଦକତା ଭରି ତନୁ ମନକୁ ଛନ୍ଦାୟିତ ଓ ବାସ୍ନାୟିତ କରିବ, ସେହି ଆଶା ନେଇ ପ୍ରତୀକ୍ଷା କରିଥାଏ ।

ଜୀବନ ରଙ୍ଗମଞ୍ଚରେ ବିଧାତା ମନୁଷ୍ଯ ଦେହରେ ନିରାକାର ମୟ କଳା ପ୍ରତିଭା ଭରି ଦେଇଛି । ନାଟକରେ ପାତ୍ରର ଭୂମିକାଟି ନିଖୁଣ ନ ହେଲେ ନାଟକଟି ଯେପରି ଫ୍ଲପ୍ ହୋଇଯାଏ ବା ଦର୍ଶକଙ୍କର ପ୍ରଶଂସା ଭାଜନ ହୋଇ ପାରେ ନାହିଁ । ସେହିପରି ଜୀବନ ରୂପି ରଙ୍ଗମଞ୍ଚରେ ଯେ ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଅଛେ ସେହି ଭୂମିକାଟି ଯଦି ନିଷ୍ଠା ସହକାରେ ଆମେ ଅଭିନୟ ନ କଲୁ , ଆମକୁ ସମାଜରେ ଜଣେ ଜଣେ ଚରିତ୍ରହୀନ, ଲମ୍ପଟ, ଖରାପ ବ୍ୟକ୍ତି, ମଦୁଆ, ଟାଉଟରିଆ, ଚୋର, ଡକାୟତ ଭାବରେ ପରିଗଣିତ କରିବେ ।

ଜୀବନର ଶେଷ ଗତି - ଜନ୍ମ ମାତ୍ରକେ ଧୃବ ସତ୍ଯ ମୃତ୍ୟୁ । ତଥାପି ମନୁଷ୍ଯ ମିଛ-ମାୟା ସଂସାରରେ ବୁଡି ରହି ଭ୍ରାନ୍ତିରେ ମୋର ମୋର ହେଉଛି । ଜୀବନ ରୂପି ରଙ୍ଗମଞ୍ଚକୁ ନିଷ୍ଠା ଏକାଗ୍ରତା ସହିତ ସକରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଆମେ ଜୀବନରେ ସଫଳ ହୋଇପାରିବା ।


Rate this content
Log in

Similar oriya story from Thriller