Lipi Sahoo

Tragedy

4.7  

Lipi Sahoo

Tragedy

ଜୀଅନ୍ତା ପଥର

ଜୀଅନ୍ତା ପଥର

10 mins
529


ରାତି ପ୍ରାୟ ସାଢେ଼ ଦଶଟା ହେବ । ଅମୀୟ ଆଉ ପତ୍ନୀ ତନ୍ମୟା ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରୁଥାଆନ୍ତି । ରାସ୍ତାଘାଟ ଶୂନଶାନ ହେଇ ଆସିଥାଏ । ଝିଙ୍କାରୀମାନଙ୍କର ଝିଁ ଝିଁ ଶବ୍ଦ ରାତିର ନିଃସ୍ତବ୍ଧତାକୁ ମୁଖରିତ କରି ଦେଉଥାଏ । ଏକେ ତ ଶୀତଦିନିଆ ରାତି ସେଥିରେ ପୁଣି ହାଲକା କୁହୁଡି ମିଶା ଗହଳ ଅନ୍ଧାର । ଗାଡି ଅନ୍ଧାର କାଟି ଆଗକୁ ଆଗକୁ ମାଡି ଚାଲିଥାଏ । ଠିକ୍ ପିପିଲି କ୍ରସ୍ କରି ସାରିବା ପରେ ଅଳ୍ପ ଦୂରରେ ଗାଡ଼ି ଲାଇଟରେ ଦେଖିଲେ ରାସ୍ତା କଡରେ ଜଣେ ମହିଳା ଛୋଟ ଛୁଆଟେ ଧରି କାନ୍ଦୁଛନ୍ତି । 

ଏତେ ରାତିରେ କିଏ ଏ ମହିଳା ଏମିତି ଏକୁଟିଆ ବସି କାନ୍ଦୁଛନ୍ତି ?? ମନରେ ଅନେକ ପ୍ରଶ୍ନ ଆସିଲା । ଅନେକ ଦ୍ୱନ୍ଦ୍ୱ ବି ଗାଡ଼ି ଅଟକେଇବେ ନା ନାହିଁ ??? କେହି ଅଶରୀରି ନୁହଁ ତ ??? ତନ୍ମୟା ପିଲାଟିକୁ ଦେଖି ତରଳିବା ଆରମ୍ଭ କରି ଦେଇଥିଲେ । କାରଣ ତନ୍ମୟା ଥିଲେ ନିଃସନ୍ତାନ । ବିବାହର ସାତ ବର୍ଷ ପରେ ବି ତାଙ୍କ କୋଳକୁ ସନ୍ତାନଟିଏ ଆସି ନଥିଲା । ସେଇଥି ପାଇଁ ସେ ଦୁହେଁ ବାରମ୍ବାର ଦୌଡ଼ି ଆସନ୍ତି ବଡ଼ ଠାକୁର କାଳିଆ ସାଆନ୍ତଙ୍କ ପାଖକୁ । ସେଇ ଗୋଟିଏ ଗୁହାରି ନେଇ । ହୁଏତ ଏହା ଠାକୁରଙ୍କ ଲୀଳା ହେଇପାରେ । ଆଉ ନିଜକୁ ଅଟକେଇ ପାରିଲେନି ତନ୍ମୟା ।

ଏଇ !! ଗାଡି ରଖ । କିଏ ସେଇ ଅସହାୟା ନାରୀ ଏତେ ରାତିରେ ଏଠି ବସିଛି ?? ଆଜିକାଲି ଯୁଗର ଯେଉଁ ଅବସ୍ଥା ସେ ସୁରକ୍ଷିତ ରହିବ ତ ?? ସାଙ୍ଗରେ ପୁଣି କୁନି ଛୁଆ !! ହେଇଟି ଗାଡ଼ି ରଖ । ଅମୀୟ ବାଧ୍ୟ ହୋଇ ବ୍ରେକ ମାରିଲେ ।

  ତନ୍ମୟା କାଚ ତଳକୁ କରି ପଚାରିଲେ, ତମେ ଏମିତି ଏତେ ରାତିରେ ?? ଏକୁଟିଆ ଏଠି ବସି କାନ୍ଦୁଛ କାହିଁକି କି ??

  ସେ ମୁହଁ ଟେକି ଚାହିଁଲା । ବୟସ ଅତି ବେଶୀରେ ପଚିଶି ହେବ । ଛୁଆଟି ମାଆ ସ୍ତନରୁ ନିଶ୍ଚିନ୍ତରେ କ୍ଷୀର ଖାଇ ଚାଲିଥାଏ । ସେ ଅତି ବିକଳରେ କହିଲା ମୋ ନାଆଁ ରମା । ନିକଟ ଗାଆଁରେ ମୋର ଘର । ମୋର ଶାଶୁଘର ଲୋକ ମୋ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ମୋର ପ୍ରଥମ ସନ୍ତାନଟି ଝିଅ ହେଲା ପରେ ପରେ ସେମାନେ ମୋ ଝିଅକୁ ମାରିବାକୁ ଚେଷ୍ଟା କଲେ । ଯେନତେନ ପ୍ରକାରେ ତାକୁ ବଢେଇ ଟିକେ ବଡ଼ ହେବା ପରେ ମୋ ବାପଘରେ ଛାଡ଼ିଦେଲି । କମ୍ ସେ କମ୍ ସେଠି ବଞ୍ଚିଯିବ ବୋଲି । ପୁଣି ଏଥର ବି ଝିଅ ହେବାରୁ ଅତ୍ୟାଚାର ମାତ୍ରା ଆହୁରି ବଢିଗଲା । ଆଜି ମୋ ଶାଶୁ ୟାର ତଣ୍ଟି ଚିପିଦେବାକୁ ବସିଥିଲେ । ମୁଁ ତାଙ୍କ ହାତରୁ ୟାକୁ ଛଡେଇ ଘରୁ ଦୌଡ଼ି ପଳେଇଆସିଲି । ବାପ ଘରକୁ ଯିବାର ବି ସାହସ ନାହିଁ । ଗୋଟିଏ ଛୁଆ ତ ଆଗରୁ ଦେଇଚି । ପୁଣି ଆମେ ଦୁଇଜଣ ସେଠିକି ଗଲେ ଆମ ସମସ୍ତଙ୍କ ଭାର ସେମାନେ କେମିତି ନେବେ ?? ସେମାନେ ବି ସେମିତି ଥିବାବାଲା ଘରର ନୁହଁ । ମୁଁ ଜାଣିଶୁଣି ସେମାନଙ୍କୁ କେମିତି ଅସୁବିଧାରେ ପକେଇବି । ମୋତେ ଟିକେ ସାହା ହୁଅନ୍ତୁ ମାଆଁ..... । ମୁଁ ଏତେ ପଢାଶୁଣା ବି କରିନି । କ'ଣ କରିବି ଜାଣି ପାରୁନି ??? ଏକ ନିଃଶ୍ୱାସରେ କହିଗଲା । ଆଉ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା ।

ତନ୍ମୟା ଟିକେ ଅମୀୟଙ୍କ ଆଡ଼କୁ ବିକଳରେ ଚାହିଁଲେ । ସେ ସ୍ତ୍ରୀଙ୍କ ଅନ୍ତରର କଥା ବେଶ୍ ବୁଝିପାରିଲେ । ତେଣୁ ସେ ନିରବ ରହିଲେ । ତନ୍ମୟା ଗାଡ଼ିର ପଛ ଡୋର୍ ଖୋଲି ଦେଲେ । ସେ ଛୁଆକୁ ଧରି ବସିପଡ଼ିଲା । ଗାଡି ଆଗକୁ ଆଗକୁ ମାଡି ଚାଲିଲା ।

   ତନ୍ମୟା ନିରବତା ଭାଙ୍ଗି ପଚାରିଲେ । ରମା ତମେ ଏବେ କ'ଣ ଚାହୁଁଛ ??? 

କିଛି ନାଇଁ ମାଆ । ଛୋଟିଆ ଆଶ୍ରାଟିଏ ମୋ ପାଇଁ ଆଉ ମୋ ଛୁଆ ପାଇଁ । ପାଠ ବେଶୀ ନପଢିଲେ କ'ଣ ହେଲା ?? ଘର କାମ ସବୁ ଜାଣେ । ଆଉ ସୁନ୍ଦର ଚାନ୍ଦୁଆ ବି ବନେଇପାରେ ।

ତନ୍ମୟା ‌ଚାହିଁକି ବି ଆଉ ନିଜ ଇଚ୍ଛାକୁ ଚାପି ରଖି ପାରିଲେ ନାହିଁ । ଟିକେ ଦ୍ୱନ୍ଦରେ ଥତମତ ହେଇ ପଚାରିଲେ ମୁଁ ଯଦି ତୁମ ଛୁଆକୁ ପାଳିବାକୁ ଚାହିଁବି ତେବେ କ'ଣ ତୁମେ ମୋତେ ଦେବ ???? କିଛି ସମୟ ପାଇଁ ନିରବତା ଛାଇଗଲା ଗାଡ଼ି ଭିତରେ । ଏମିତି ଏକ ପ୍ରଶ୍ନର ଆଶା କରିନଥିଲା ସେ ବୋଧେ । କେହି କ'ଣ ନିଜ ଛାତି ଚିରି କଲିଜା କାଢି ଦେଇ ପାରେ ??? ତନ୍ମୟା ସେଇ ଭଳି ଏକ ପ୍ରତ୍ୟାଶା ରଖିଥିଲେ । ତା'ର ନିରବତାରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ତନ୍ମୟା ।

ପୁଣି କହିବା ଆରମ୍ଭ କଲେ । ମୋର କୌଣସି ସନ୍ତାନ ନାହାଁନ୍ତି । ତମକୁ ଦେଖିଲା ପରେ ମୋତେ ଲାଗୁଛି ଏଇ ସଂଯୋଗ ଜଗନ୍ନାଥଙ୍କ ଆଶିର୍ବାଦ ଭିନ୍ନ ଆଉ କିଛି ନୁହଁ । ତମ ଝିଅକୁ ମୋତେ ଦେବ ??? ମୁଁ ତାକୁ ନିଜ ସନ୍ତାନ ଠାରୁ ବଳି ଆହୁରି ସ୍ନେହ ଦେବି । ପାଠ ପଢେଇ ବଡ଼ ମଣିଷ କରିବି । ଆଉ ତୁମ ପାଇଁ ବି ସୁରକ୍ଷିତ ଆଶ୍ରୟସ୍ଥଳୀ ଠିକ୍ କରିଦେବୁ । ଖାଲି ସେତିକି ନୁହେଁ । ତୁମେ କେମିତି ଆତ୍ମନିର୍ଭରଶୀଳ ହେବ ତା'ର ବ୍ୟବସ୍ଥା ବି କରିଦେବୁ । ତୁମେ ତୁମର ଆଉ.... ଆଉ ତୁମ ବଡଝିଅର ଦାୟିତ୍ଵ ନିଜେ ନେଇ ଆରାମରେ ଚଳି ପାରିବ । ତା'ର କଣ୍ଠ ରୁନ୍ଧି ହେଇଗଲା । ଅମୀୟ ନିଜ ବାମ ହାତ ବଢ଼େଇ ତନ୍ମୟାର ହାତ ଉପରେ ରଖିଲେ । ବୋଧହୁଏ ସେ ସଙ୍କେତ ଦେବାକୁ ଚାହୁଁଥିଲେ ତୁମେ ଏବେ ଟିକେ ଚୁପ୍ ରୁହ । ୟେ ବିଷୟରେ ପରେ କଥା ହେବ । ଏଇଟା ଉପଯୁକ୍ତ ସମୟ ନୁହଁ । ତନ୍ମୟା ବି ଚୁପ୍ ହେଇଗଲେ । ହେଲେ ଆଖିର ଲୁହ ସବୁ ତାଙ୍କ ବୋଲ ମାନୁ ନଥାନ୍ତି । ଗାଡି ଆଗକୁ ଆଗକୁ ମାଡି ଚାଲିଥାଏ ।

ଦୀର୍ଘ ସମୟ ଯାତ୍ରା ପରେ ଗାଡ଼ି ଆସି ପହଞ୍ଚିଗଲା କଟକ ସହରର ଏକ ସୁନ୍ଦର ପ୍ରାସାଦସମ ଘର ଆଗରେ । ଜଗୁଆଳି ଆସି ଗେଟ୍ ଖୋଲିଲା । ଗାଡିକୁ ପୋର୍ଟିକୋରେ ରଖି ଓହ୍ଲାଇଲେ । ତନ୍ମୟା ଆଉ ଅମୀୟ ।

  ତନ୍ମୟା ପଛକୁ ଯାଇ ଗାଡ଼ି ଡୋର୍ ଖୋଲି ରମାକୁ ଡାକିଲେ ଘର ପହଞ୍ଚିଗଲା ଏଥର ଓହ୍ଲାଅ । ସେ ଭୟମିଶା ଦ୍ୱନ୍ଦ୍ୱରେ ଛୁଆକୁ ଧରି ଓହ୍ଲାଇଲା । ଘର ଭିତରକୁ ଯାଇ ରମାର ଶୋଇବା ବ୍ୟବସ୍ଥା କରିଦେଲେ ।

ପର ଦିନ ସକାଳେ ରମା ଟିକେ ଆଶ୍ୱସ୍ତ ଜଣା ପଡୁଥିଲା । ମନର ଭୟ ବି କିଛି କମି ଯାଇଥିଲା । ତନ୍ମୟା ତା ପାଖରେ ବସି ଧୀରେ ପଚାରିଲା କାଲି ଯୋଉ କଥା ପଚାରିଥିଲି ସେ ବିଷୟରେ କିଛି ଭାବିଲ ??? ମୁଁ ତାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଚାହୁଁଚି । ଇଶ୍ଵର ତ ତୁମକୁ ଆଉ ଏକ ସନ୍ତାନ ଦେଇଛନ୍ତି । ହେଲେ ମୁଁ ନିଃସନ୍ତାନ । ତୁମେ ନିଶ୍ଚୟ ଚାହିଁବ ୟେ ଏକ ସୁନ୍ଦର ଭବିଷ୍ୟତ ପାଉ । ସବୁ ମାଆ ମାନେ ଚାହାଁନ୍ତି । ମୁଁ ତୁମକୁ କଥା ଦେଉଚି ୟାର ସୁନେଲି ଭବିଷ୍ୟତର ଦାୟିତ୍ଵ ମୋର । ଆମେ ତମକୁ ନେଇ ଆମ ପରିଚିତ ମହିଳା ଆଶ୍ରମରେ ଛାଡ଼ିବୁ । ଯେଉଁଠି ତୁମେ ସୁରକ୍ଷିତ ରହିବ ଆଉ ସ୍ୱାବଲମ୍ବୀ ବି ହେବ । ନିଜର ଭବିଷ୍ୟତ ନିଜେ ଗଢ଼ିବ । ଆଉ ବଡ ଝିଅର ଭରଣପୋଷଣ ବି ନିଜେ କରିପାରିବ । ସେଥିପାଇଁ ଆର୍ଥିକ ସାହାୟତା ବି ଆମେ କରିବୁ । ଏତିକି କହି ସେ ରମାର ହାତକୁ ଜୋରରେ ଧରି ପକେଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲେ । ଆଉ କହିଲେ ମୋ ଉପରେ ଏତିକି ଦୟା କରି ପାରିବନି । ମୋ ପଣତ ପତେଇ ଏତିକି ଭିକ୍ଷା ମାଗୁଛି ତୁମକୁ ।

  ରମା ଧୀରେ ନିଜ କୋଳରୁ ଛୁଆଟିକୁ ଆଣି ତନ୍ମୟାର କୋଳରେ ରଖିଦେଲା । ତା ଆଖିରୁ ଝରିପଡ଼ିଲା କେଇ ଟୋପା ଉତ୍ତପ୍ତ ଲୁହ । ତନ୍ମୟାର ହାତ ଉପରେ ପଡିଲା । ସେ ସେଇ ଉଷ୍ମତାକୁ ଅନୁଭବ କରିପାରିଲେ । ତନ୍ମୟା ଦେଖିଲେ ପିଲାଟିର ବାମଖୁଆ ଉପରେ ଥିଲା ଏକ ବଡ଼ ତିଳ ଚିହ୍ନ । ଟିକେ ହସି କହିଲା ୟେ ଖୁବ୍ ସୌଭାଗ୍ୟବତୀ ଆଉ ଶ୍ରୀମୟୀ ।


ୟା ଭିତରେ ବିତି ଯାଇଛି ଦୀର୍ଘ ବାଇଶି ବର୍ଷ । ଅମୀୟ ଆଉ ତନ୍ମୟା ପିଲାଟିକୁ ଗ୍ରହଣ କରିବା ପରେ ପରେ ଚାଲି ଯାଇଛନ୍ତି ମୁମ୍ବାଇ । ଯେପରି କେହି ନଜାଣନ୍ତୁ କି ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ବୋଲି । ଝିଅର ନାମ ଦେଇଛନ୍ତି ଶ୍ରୀମୟୀ । ଖୁବ୍ ଅଲିଅଳିରେ ବଢେଇଛନ୍ତି ତାକୁ । ସେ ଦୁହିଁଙ୍କର ସେ ନୟନ ପିତୁଳା । ଶ୍ରୀମୟୀ ଦେଖିବାକୁ ଯେତିକି ସୁନ୍ଦର ଥିଲା ସେତିକି ମେଧାବୀ ବି ଥିଲା । ଆଇ.ଆଇ.ଟି ମୁମ୍ବାଇରୁ ପାସ୍ କରି ଏମ୍.ବି.ଏ କରିବାକୁ ବିଦେଶ ଯିବାକୁ ଚାହୁଁଥିଲା । ବିଦେଶ ଯିବା ପୂର୍ବରୁ ଓଡ଼ିଶା ଆସି ସେ ଜେଜ ଜେଜେମା ଅଜା ଆଈ ସମସ୍ତଙ୍କୁ ଦେଖା କରିବାକୁ ଚାହୁଁଥିଲା । ସେମାନେ ଏମିତିରେ ବି ଛୁଟି ମାନଙ୍କରେ ଅଳ୍ପ ଦିନ ପାଇଁ ଓଡ଼ିଶା ଆସି କିଛି ଦିନ ସମସ୍ତଙ୍କ ସହ କଟେଇ ଯାଆନ୍ତି । ହେଲେ ତନ୍ମୟା ମନରେ ସଦାବେଳେ ଭୟ ଥାଏ । ତା'ର ରମା ସହ କୋଉଠି ଭେଟ ହେଇ ଯିବନି ତ ??? ରମା କଟକରେ ଏବେ ତା'ର ବଡ଼ଝିଅ ସହ ମିଶି ବହୁତ ବଡ଼ ବୁଟିକ୍ ଖୋଲିଛି । ୟା ପଛରେ ଅମୀୟ ଆଉ ତନ୍ମୟଙ୍କର ପ୍ରଚ୍ଛନ୍ନ ହାତ ରହିଛି । ହେଲେ ସେମାନେ କେବେ ବି ରମା ସହ ଆମ୍ନାସାମ୍ନା ହେଇନାହାଁନ୍ତି । ପ୍ରଚ୍ଛଦପଟରେ ରହି ସମସ୍ତ ସହଯୋଗ କରିଛନ୍ତି । 

  ମାଆ ମନ ତ କେବେ ବି ବଦଳି ଯାଇପାରେ । ତାକୁ ଦେଖିଲା ମାତ୍ରେ ତା ପ୍ରତି ଦୁର୍ବଳତା ଆସି ଯାଇପାରେ । ସେ କ'ଣ ତା'ର ମମତାକୁ ରୋକି ପାରିବ ??? ଯଦି ଶ୍ରୀମୟୀ ଏସବୁ ବିଷୟ ଜାଣିବ ତା'ର ମନର ଅବସ୍ଥା କ'ଣ ହେବ ??? ଏଇ ସବୁ ଭୟ ରହିଥାଏ । ହେଲେ ଏବେ ତନ୍ମୟା ଟିକେ ନିଶ୍ଚିନ୍ତ ହେଇଯାଇଥାନ୍ତି । ସେ ବିଦେଶ ଚାଲିଗଲେ ଆଉ ୟେ ସବୁର ଶଙ୍କା ରହିବନି ।

କଟକରେ ଆସି ପହଞ୍ଚିଗଲେ । କଟକରେ ତନ୍ମୟାଙ୍କର ବାପଘର । ସେମାନେ ସେଇଠିକୁ ଆଗ ଗଲେ । କାରଣ ଅମୀୟଙ୍କ ଘର ବାଲେଶ୍ୱର । କଟକରୁ ସେମାନେ ସଦାବେଳେ ବାଲେଶ୍ଵର ଯାଆନ୍ତି ।

ଶ୍ରୀମୟୀର ମାମୁଁ ଝିଅ ଭଉଣୀ ରୂପାଲି କହିଲା ଚାଲ୍ ଦିଦି ତତେ ଆଜି ସପିଂ କରେଇ ନେବି ଆଉ ସ୍ପେଶାଲ ଦହିବରା ଖୁଆଇବି । କଟକରେ କେତେ ସୁନ୍ଦର ସୁନ୍ଦର ଜିନିଷ ମିଳେ ତୁ ଜାଣିନୁ । ଦେଖିଲେ ନେବାକୁ ଖାଲି ଲୋଭ ଲାଗିବ । 

ଉଁ... ମୁମ୍ବାଇଠୁ କ'ଣ ବେଶୀ ଭଲ ଜିନିଷ କଟକରେ ମିଳେ ??? ଶ୍ରୀମୟୀ କହିଲା 


  ତୁ ଚାଲ୍ ନା... କହି ଟାଣି ଟାଣି ନେଇଗଲା । ଆଉ ଦୁହେଁ ସ୍କୁଟିରେ ବାହାରିଗଲେ ।

ରାସ୍ତାରେ ଯାଉ ଯାଉ ହଠାତ୍ ଶ୍ରୀମୟାର ଆଖି ପଡ଼ିଲା । ଗୋଟେ ଦୋକାନର ଶୋକେସରେ ରଖି ଯାଇଥିବା ଡ୍ରେସ୍ ଉପରେ । ଖୁବ୍ ଲୋଭନୀୟ ।

ଶ୍ରୀମୟୀ ପାଟି କରି ଉଠିଲା ଏଇ!!! ରଖ ରଖ, କି ସୁନ୍ଦର ଡ୍ରେସଟା ଦେଖିଲୁ । ରୂପାଲି ଜୋରରେ ବ୍ରେକ୍ ମାରିଲା ।

  ଟିକେ ବିରକ୍ତ ହେଇ କହିଲା, କ'ଣ ଦିଦି ଏମିତି ଅଚାନକ ରାସ୍ତା ଉପରେ ଅଟକଉଚୁ । କଟକ ଭିଡ଼ ଦେଖୁନୁ କି ??? ୪/୫ ଆସି ବାଡ଼େଇ ହେଇଯିବେ । ସ୍କୁଟିକୁ ସାଇଡ କରି ଦୋକାନ ଭିତରକୁ ଗଲେ ।

ଦୋକାନ ଉପରେ ଲେଖାଥିଲା ଆଭା ବୁଟିକ୍ । ଛୋଟିଆ ହେଲେ ବି ଭିତର ଖୁବ୍ ସୁନ୍ଦର । କାଉଣ୍ଟରରେ ଜଣେ ମହିଳା ବସିଥିଲେ । ମୁହଁରେ ମିଠା ମିଠା ହସ । କାହିଁକି କେଜାଣି ଶ୍ରୀମୟୀକୁ ବେଶ୍ ଆପଣାର ଲାଗିଲେ । 

ଶ୍ରୀମୟୀ ହାତ ଉଠେଇ ବାହାର ସୋକେସ୍ରେ ଟଙ୍ଗା ଯାଇଥବା ଡ୍ରେସ୍ ଆଡେ ଇଶାରା କରି ପଚାରିଲା, ଆଣ୍ଟି ସେଇ ଡ୍ରେସ୍ ଟି ମୋର ପସନ୍ଦ ହେଇଚି । ସେଇଟା ନେଇ ପାରିବି କି ?? ତା'ର ଦାମ୍ କେତେ ???

ମହିଳାଙ୍କର ହଠାତ୍ ନଜର ପଡିଲା ଶ୍ରୀମୟୀର ହାତ ତଳର ସେଇ ବଡ ତିଳ ଉପରେ । କାରଣ ସେ ଗୋଟେ ଛୋଟ ହାତବାଲା ଡ୍ରେସ୍ ପିନ୍ଧିଥିଲା । ହଠାତ୍ ତାଙ୍କ ଦେହରେ ଖେଳିଗଲା ଏକ ଶିହରଣ । ନିର୍ବାକ ହେଇ ବସିଗଲେ କିଛି କ୍ଷଣ । ଯେମିତି ଶହ ଶହ ବର୍ଷର ଜମାଟ ବାନ୍ଧିଥିବା ହିମ ପର୍ବତ ଏକ ଉଷ୍ଣ ସ୍ପର୍ଶରେ ଧୀରେ ଧୀରେ ତରଳିବା ଆରମ୍ଭ କରୁଥିଲା । ଖୁବ୍ ସୁଖକର ଥିଲା ସେ ସ୍ପର୍ଶ । 

ସେ ଶ୍ରୀମୟୀର ହାତକୁ ନିଜ ଅଜାଣତରେ କେତେବେଳେ ଧରି ପକେଇଥିଲେ । ଟିକେ ଆଶ୍ଚର୍ଯ୍ୟ ଲାଗିଲା ଶ୍ରୀମୟୀକୁ । ହେଲେ ସେଇ ଶିହରଣକୁ ସେ ବି ଅନୁଭବ କରିପାରିଲା । ଖୁବ୍ ନିଜର ନିଜର ମନେ ହେଲେ ଅପରିଚିତା । ସେ ଧୀରେ ଡାକିଲା, ଆଣ୍ଟି .... ଆଣ୍ଟି ।

ରମା ନିଜକୁ ସମ୍ଭାଳି ନେଇ କହିଲେ, ଝିଅ ସେଇ ଡ୍ରେସଟି କାଢ଼ିବାକୁ କିଛି ସମୟ ଲାଗିବ । ତମକୁ ଟିକେ ସମୟ ଅପେକ୍ଷା କରିବାକୁ ପଡ଼ିବ । ତମେ ଏଇଠି ବସ !! କହି ଡାକ ପକେଇଲେ, ଆଭା .... ଆଭା ରବିକୁ ପଠେଇଲୁ ଟିକେ ।

କିଛି ସମୟ ପରେ ରବି ସହ ଆଉ ଜଣେ ଯୁବତୀ ଆସିଲେ । ସେ ବୋଧହୁଏ ଆଭା । ରମା କହିଲେ ରବି ସୋକେସ୍ରେ ଥିବା ସେଇ ଡ୍ରେସଟା କାଢିଲୁ । ଏଇ ଝିଅ ସେଟା ପସନ୍ଦ କରିଛନ୍ତି । ରବି କାଢ଼ିବା ପାଇଁ ଗଲା ।

ରମା ଶ୍ରୀମୟୀ ସହ ଆଭାର ପରିଚୟ କରେଇ ଦେଲେ ମୋ ଝିଅ । ତୁମେମାନେ କ'ଣ ନେବ ଚା ନା ଥଣ୍ଡା ??? ଶ୍ରୀମୟୀକୁ ବହୁତ ଭଲ ଲାଗିଲା ମହିଳାଙ୍କ ଅନୁରୋଧ ସେ ଏଡେଇ ପାରିଲାନି । ଅଳ୍ପ ହସି କହିଲା ଥଣ୍ଡା । ୟେ ସବୁ ରୂପାଲିକୁ ଗୋଳମାଳିଆ ଲାଗୁଥିଲା । ସେ କିନ୍ତୁ ୟେ ସବୁକୁ ଖୁବ୍ ଉପଭୋଗ କରୁଥିଲା । କ'ଣ ଚାଲିଚି ୟେ ସବୁ ???

ମହିଳା ଜଣକ ପଚାରିଲେ ତୁମ ନାଁ କ'ଣ ??? ସେ ଉତ୍ତର ଦେଲା, ଶ୍ରୀମୟୀ । ପୁନଃ ଏକ ଶିହରଣ ଖେଳିଗଲା ରମା ଦେହରେ । ଇଛା ହେଉଥାଏ ଦୌଡ଼ି ଯାଇ ତାକୁ ଦୃଢ଼ ଭାବରେ ଆଲିଙ୍ଗନ କରି ସ୍ନେହ ଭିଜା ଲୁହରେ ପୋତି ପକେଇବା ପାଇଁ । ହେଲେ ବହୁତ କଷ୍ଟରେ ନିଜକୁ ସଂଜତ କଲେ । 

 ଆଭା ମାଆଙ୍କ ହାବଭାବରୁ କିଛି ଠଉରେଇ ପାରି କହିଲେ, ମାଆ ଟିକେ ଭିତରକୁ ଆସିଲ, କାମ ଅଛି । ହାତ ଧରି ଏକ ପ୍ରକାର ଟାଣି ନେଇଗଲେ ।

ଅନିଚ୍ଛାକୃତ ଭାବରେ ସେ ଭିତରକୁ ଚାଲିଗଲେ । ଧୀର କଣ୍ଠରେ ଆଭା ପଚାରିଲା ମାଆ ଇଏ କ'ଣ ମୋର ସାନ ଭଉଣୀ କି ?? ରମା ଲୁହଭିଜା ଆଖିରେ କେବଳ ହଁରେ ମୁଣ୍ଡ ଟୁଙ୍ଗାରିଲେ । ଆଭା ପୁଣି କହିଲେ, ମାଆ ନିଜକୁ ସମ୍ଭାଳ । ହାତକାଟି ଟେକି ଦେଇଥିବା ଦାନ ଉପରେ ପୁଣି କ'ଣ ନଜର ପକାଯାଏ ??

ତୁ କ'ଣ ବୁଝିବୁ ?? ମାଆର ମମତା । ୟେତେ ବର୍ଷ ପରେ ଦୂରରେ ଥିବା ନିଜ ସନ୍ତାନକୁ ଦେଖିଲେ ଭିତରେ କେତେ ଯେ ବ୍ୟାକୁଳତା ଜାଗେ ତୁ ଜାଣି ପାରିବୁନି । ମାଆ ହେଲେ ବୁଝିବୁ । ତଥାପି ରମା ଆଖି ପୋଛି ନିଜକୁ ଦୃଢ଼ କଲେ । ବାହାରକୁ ଆସି ଦେଖିଲେ ସେ ଦୁହେଁ ଥଣ୍ଡା ପିଉଥାଆନ୍ତି ।

ରମା ପୁଣି ଶ୍ରୀମୟୀକୁ ପଚାରିଲେ, ତମେ କ'ଣ ପଢୁଚ ??

ମୋର ଇଂଜିନିୟରିଂ ସାରିଲା । ମୁଁ ଏବେ US ଯିବି MBA କରିବା ପାଇଁ । 

ଓଃ !! ରମା ମନେମନେ ଗର୍ବିତ ହେଲେ । ଆଉ ଭାବିଲେ ସେ କ'ଣ ସତରେ ଏମିତି ଏକ ଭବିଷ୍ୟତ ତାକୁ ଦେଇପାରିଥାନ୍ତେ ?? ମୋ ଝିଅ ଖୁବ୍ ଖୁସିରେ ଅଛି ଆଉ ତା ସାମ୍ନାରେ ଏକ ସୁନ୍ଦର ସୁନେଲି ଭବିଷ୍ୟତ ତାକୁ ଅପେକ୍ଷା କରିଛି । । ମୋର ଆଉ କ'ଣ ଦରକାର ?? ବାସ୍ ତା ଖୁସିରେ ହିଁ ମୋର ଖୁସି । ମୋ ସହ ଜଡ଼ିତ ତା'ର ଅତୀତର ପୃଷ୍ଠା ସବୁ ସଂପୂର୍ଣ୍ଣ ରୂପେ ଅନ୍ଧକାର ଭିତରେ ଲିଭି ଯିବା ଦରକାର । ଯୁଗେ ଯୁଗେ ରହି ଆସିଛି ଜନ୍ମଦାତ୍ରୀ ଠାରୁ ପାଳନକର୍ତ୍ତ୍ରୀ ସଦା ବେଳେ ଉପରେ ।

ରବି ଡ୍ରେସଟି କାଢିଆଣି ସୁନ୍ଦର ଭାବେ ଭାଙ୍ଗିଲା । ଆଉ ରମାଙ୍କ ହାତକୁ ବଢେଇ ଦେଲା । ରମା ଏକ ସାଧା ଜରିରେ ଡ୍ରେସଟି ପୂରେଇଲେ । କାରଣ ସେ ନିଜ ଦୋକାନ ଜରିରେ ଦେବାକୁ ଚାହୁଁନଥିଲେ । ତନ୍ମୟାଙ୍କ ଆଖିରେ ପଡିବ ଆଉ ସେ ଅସନ୍ତୋଷ ପ୍ରକାଶ କରିବେ ।

ଶ୍ରୀମୟୀ ପଚାରିଲେ ଆଣ୍ଟି ଦୋକାନ ନାଁ ପ୍ରିଣ୍ଟ ଥିବା ଭଲ ଜରି ନାହିଁ ??? 

କଡରେ ଠିଆ ହେଇଥିବା ଆଭା ସଙ୍ଗେ ସଙ୍ଗେ କହିଲା ସରି !! ଜରି ସରି ଯାଇଛି । କାଲି ଆଣି ଦେବାକଥା ତା'ର । କ'ଣ ଗୋଟେ ଅସୁବିଧା ପାଇଁ ଆଣି ପାରିନି। ଆଜି ଦେବ । ଆଇ ଆମ୍ ଭେରି ସରି !!

ଇଟ୍ସ ଓକେ, ଡୋଣ୍ଟ ୱରି !!! କେତେ ଦେବି ?? 

ଆଭା ଏବେ ନିଜେ ଦ୍ୱନ୍ଦ୍ୱରେ ପଡ଼ିଲା । ନିଜର ସାନଭଉଣୀ ଠାରୁ ଡ୍ରେସ୍ ପାଇଁ କେତେ ପଇସା ନେବ ??? ନେବାକୁ ତ ପଡ଼ିବ । ନ ନେଲେ ସେ ସନ୍ଦେହ କରିବ ।

ରମା ପରିସ୍ଥିତିକୁ ସମ୍ଭାଳି କହିଲେ ତମର ଯାହା ଖୁସି ସେତିକି ଦିଅ । ଏଇ ଡ୍ରେସର ପଇସା ଆଗରୁ ଉଠି ସାରିଛି । ଫାବ୍ ଫେଷ୍ଟିଭାଲରେ ଏଇ ଡ୍ରେସଟି ଫାଷ୍ଟ ପ୍ରାଇଜ୍ ଜିତିଥିଲା । ସେ ଯୋଉ ଚେକ୍ ମିଳିଥିଲା ଏଇ ଡ୍ରେସ୍ର ମୂଲ୍ୟ ଠାରୁ ବହୁ ଗୁଣା ଅଧିକା । ୟାର ପଇସା ଆଗରୁ ଉଠି ସାରିଛି । ତୁମ ପରି ସୁନ୍ଦରୀ ଝିଅ ଏଇଟାକୁ ପିନ୍ଧିଲେ ବହୁତ ମାନିବ ।

ଆଭା ପ୍ରତିବଦଳରେ କେବଳ ସୁନ୍ଦର ହସଟିଏ ପରଶି ଦେଲା । 

କିଛି ଶହେ ଟଙ୍କିଆ ନୋଟ୍ ବଢେଇ ଦେଇ ଦୁହେଁ ବାହାରି ଗଲେ । ରମା ସେମିତି ଡ୍ରରେ ପୁରେଇ ଦେଲେ । ଆଉ ସେ ଦୁହିଁଙ୍କୁ ନିର୍ନିମେଷ ନୟନରେ ଚାହିଁ ରହିଲେ । ଆଉ ଭିତରେ ଉଠୁଥିବା ଝଡକୁ ପ୍ରାଣପଣେ ଅବଦମିତ କରିବାକୁ ଚେଷ୍ଟା କରୁଥିଲେ ।

ସତରେ ସେ ଦାନ ଭଳି ଏକ ମହତ କାର୍ଯ୍ୟ କରୁଛନ୍ତି ନା ଶ୍ରୀମୟୀ ବିନିମୟରେ ନିଜର ଆଉ ଆଭାର ଭବିଷ୍ୟତ ସୁରକ୍ଷିତ କରିଛନ୍ତି ମାତ୍ର। ଏହାକୁ ସନ୍ତାନ ବିକ୍ରୀ କୁହାଯିବନି ତ ??? ମୁଁ ପାପୀ ନୁହଁ ତ ??? ସେ ବି ତ ଏକ ଆଭିଜାତ୍ୟପୂର୍ଣ୍ଣ ଜୀବନ ପାଇଛି । ଶତ ଜନ୍ମ ଚେଷ୍ଟା କରି ସୁଦ୍ଧା ଏମିତି ଏକ ଜୀବନ କ'ଣ ତାକୁ ଦେଇ ପାରି ଥାଆନ୍ତି ??? ହେଃ !! ପ୍ରଭୁ ୟେ ଦ୍ୱନ୍ଦ୍ୱରୁ ମୋତେ ରକ୍ଷା କର । ଜୀବନରେ ଆଉ କେବେ ବି ଯେମିତି ତା ସହ ମୋର ଆଉ ଭେଟ ନହଉ ...... ମୋତେ ଏକ ଜୀଅନ୍ତା ପଥର କରିଦିଅ ।



Rate this content
Log in

Similar oriya story from Tragedy